Unknown

 

 

 

 

 

 

ମହାଭାରତ ବନପର୍ବ-୨

 

ଭାଷାନ୍ତର

ଗୋବିନ୍ଦଚନ୍ଦ୍ର ମହାପାତ୍ର

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର-୭୫୧୦୧୪

 

ସୂଚୀପତ୍ର

 

ଅଧ୍ୟାୟ

ବିଷୟ

୭୬।

ନଳ-ଦମୟନ୍ତୀ ମିଳନ

୭୭।

ଋତୁପର୍ଣ୍ଣଙ୍କ ସ୍ୱଦେଶ ଗମନ

୭୮।

ପୁଷ୍କର ପରାଭବ

୭୯।

ବୃହଦଶ୍ୱ ଗମନ

୮୦।

ଅର୍ଜୁନଙ୍କ ପାଇଁ ଚିନ୍ତା

୮୧।

ପାର୍ଥ-ନାରଦ ସମ୍ବାଦ

୮୨।

ପୁଲସ୍ତ୍ୟ-ତୀର୍ଥଯାତ୍ରା

୮୩।

ନାନା ତୀର୍ଥର ମହତ୍ତ୍ୱ

୮୪।

ବିଭିନ୍ନ ତୀର୍ଥର ମହିମା

୮୫।

ଗଙ୍ଗା-ମାହାତ୍ମ୍ୟ

୮୬।

ଯୁଧିଷ୍ଠିରଙ୍କର ଧୌମ୍ୟଙ୍କୁ ପ୍ରଶ୍ନ

୮୭।

ପୂର୍ବଦିଗର ତୀର୍ଥବର୍ଣ୍ଣନା

୮୮।

ଦକ୍ଷିଣ ଦିଗର ତୀର୍ଥବର୍ଣ୍ଣନା

୮୯।

ପଶ୍ଚିମ ଦିଗର ତୀର୍ଥବର୍ଣ୍ଣନା

୯୦।

ଉତ୍ତର ଦିଗର ତୀର୍ଥବର୍ଣ୍ଣନା

୯୧।

ଲୋମଶ ସମ୍ବାଦ

୯୨।

ଅର୍ଜୁନ ସନ୍ଦେଶରେ ଯୁଧିଷ୍ଠିରଙ୍କ ପ୍ରସନ୍ନତା

୯୩।

ପାଣ୍ଡବଙ୍କ ତୀର୍ଥଯାତ୍ରା

୯୪।

ତୀର୍ଥଯାତ୍ରା ମହିମା

୯୫।

ପ୍ରୟାଗ ଓ ଗୟାତୀର୍ଥ ଗମନ

୯୬।

ଅଗସ୍ତି ଉପାଖ୍ୟାନ

୯୭।

ଅଗସ୍ତ୍ୟଙ୍କ ଧନସଂଗ୍ରହ ପାଇଁ ପ୍ରସ୍ଥାନ

୯୮।

ଅଗସ୍ତ୍ୟଙ୍କ ଶ୍ରୁତର୍ବାଦୀଙ୍କ ପାଖକୁ ଗମନ

୯୯।

ଜାମଦଗ୍ନ୍ୟ ତେଜୋହାନି

୧୦୦।

ବଜ୍ରନିର୍ମାଣ କଥନ

୧୦୧।

ବୃତ୍ତ୍ର ବଧ

୧୦୨।

ବିଷ୍ଣୁ ସ୍ତବ

୧୦୩।

ଅଗସ୍ତ୍ୟ ମାହାତ୍ମ୍ୟ

୧୦୪।

ଅଗସ୍ତ୍ୟଙ୍କ ସମୁଦ୍ର-ଗମନ

୧୦୫।

ଅଗସ୍ତ୍ୟଙ୍କ ସମୁଦ୍ର-ପାନ

୧୦୬।

ସଗରସନ୍ତତି କଥନ

୧୦୭।

ଭଗୀରଥଙ୍କ ରାଜ୍ୟପ୍ରାପ୍ତି

୧୦୮।

ଭଗୀରଥଙ୍କ ବରପ୍ରାପ୍ତି

୧୦୯।

ଗଙ୍ଗାବତରଣ

୧୧୦।

ଋଷ୍ୟଶୃଙ୍ଗ ଉପାଖ୍ୟାନ

୧୧୧।

ବେଶ୍ୟାର ପ୍ରଲୋଭନ

୧୧୨।

ୠଷ୍ୟଶୃଙ୍ଗଙ୍କ ଚିନ୍ତା

୧୧୩।

ବିଭାଣ୍ଡକମୁନି-ସତ୍କାର

୧୧୪।

ମହେନ୍ଦ୍ରାଚଳ ଗମନ

୧୧୫।

ଜମଦଗ୍ନିଙ୍କ ଉତ୍ପତ୍ତି

୧୧୬।

କୀର୍ତ୍ତବୀର୍ଯ୍ୟ ବଧ

୧୧୭।

ଯୁଧିଷ୍ଠିରଙ୍କ ପରଶୁରାମ ପୂଜା

୧୧୮।

ପ୍ରଭାସରେ ଯାଦବ-ପାଣ୍ଡବ ମିଳନ

୧୧୯।

ବଳରାମଙ୍କ ଉକ୍ତି

୧୨୦।

ଯାଦବ ଗମନ

୧୨୧।

ଚ୍ୟବନ-ସୁକନ୍ୟା ଚରିତ

୧୨୨।

ଚ୍ୟବନଙ୍କ ସୁକନ୍ୟା ପ୍ରାପ୍ତି

୧୨୩।

ଚ୍ୟବନଙ୍କ ଯୁବାବସ୍ଥା

୧୨୪।

ଚ୍ୟବନଙ୍କ କୋପ

୧୨୫।

ଅନ୍ୟାନ୍ୟ ତୀର୍ଥମହତ୍ତ୍ୱ

୧୨୬।

ମାନ୍ଧାତା ଚରିତ

୧୨୭।

ଜନ୍ତୁ ଉପାଖ୍ୟାନ

୧୨୮।

ସୋମକଙ୍କ ପୁତ୍ରପ୍ରାପ୍ତି

୧୨୯।

ସରସ୍ୱତୀ ତୀର୍ଥମହିମା

୧୩୦।

ଉଶୀନର ଉପାଖ୍ୟାନ

୧୩୧।

ଶରଣାଗତ କପୋତ ରକ୍ଷଣ

୧୩୨।

ଅଷ୍ଟାବକ୍ର ଜନ୍ମବୃତ୍ତାନ୍ତ

୧୩୩।

ଅଷ୍ଟାବକ୍ର-ଜନକ କଥୋପକଥନ

୧୩୪।

ଅଷ୍ଟାବକ୍ର ଓ ବନ୍ଦୀଙ୍କ ଶାସ୍ତ୍ରାର୍ଥ

୧୩୫।

ଯବକ୍ରୀତ ଉପାଖ୍ୟାନ

୧୩୬।

ଯବକ୍ରୀତଙ୍କ ମୃତ୍ୟୁ

୧୩୭।

ଭରଦ୍ୱାଜଙ୍କ ପୁତ୍ରଶୋକ

୧୩୮।

ଯବକ୍ରୀତାଦିଙ୍କ ପୁନର୍ଜୀବନ

୧୩୯।

ପାଣ୍ଡବଙ୍କ ଉତ୍ତରାଖଣ୍ଡ ଯାତ୍ରା

୧୪୦।

ଗନ୍ଧମାର୍ଦନ ପ୍ରସ୍ଥାନ

୧୪୧।

ଯୁଧିଷ୍ଠିରଙ୍କ ଚିନ୍ତା

୧୪୨।

ଗଙ୍ଗା-ବର୍ଣ୍ଣନା

୧୪୩।

ଗନ୍ଧମାର୍ଦନ ମାର୍ଗରେ ବାତ୍ୟା

୧୪୪।

ଘଟୋତ୍କଚର ଆଗମନ

୧୪୫।

ନରନାରାୟଣାଶ୍ରମ ବର୍ଣ୍ଣନା

୧୪୬।

ଭୀମଙ୍କ କଦଳୀବନ ପ୍ରବେଶ

୧୪୭।

ଭୀମ-ହନୁମାନ ସମ୍ବାଦ

୧୪୮।

ରାମଚରିତ ବର୍ଣ୍ଣନା

୧୪୯।

ଯୁଗଧର୍ମ ବର୍ଣ୍ଣନା

୧୫୦।

ଭୀମଙ୍କୁ ହନୁମାନଙ୍କ ଉପଦେଶ

୧୫୧।

ଭୀମସେନଙ୍କ ଆଶ୍ୱାସନା

୧୫୨।

ଭୀମଙ୍କ ସୌଗନ୍ଧିକ ବନପ୍ରାପ୍ତି

୧୫୩।

ରାକ୍ଷସଙ୍କ ଭୀମଙ୍କୁ ପ୍ରଶ୍ନ

୧୫୪।

ସୌଗନ୍ଧିକା ହରଣ

୧୫୫।

ଯୁଧିଷ୍ଠିରଙ୍କର ଭୀମ ନିକଟରେ ପହୁଞ୍ଚିବା

୧୫୬।

ପୁନଃ ନରନାରାୟଣାଶ୍ରମରେ ପ୍ରବେଶ

୧୫୭।

ଜଟାସୁର ବଧ

☆☆☆

 

॥ ଅଧ୍ୟାୟ – ୭୬ ॥

 

ବୃହଦଶ୍ୱ କହିଲେ, ବୁଦ୍ଧିମାନ ପୁଣ୍ୟଶ୍ଳୋକଙ୍କର ତାଦୃଶ ମନର ଦୁଃଖ ଓ ରୋଦନ ଦେଖି କେଶିନୀ ଆସି ଦମୟନ୍ତୀଙ୍କ ଠାରେ ସବୁ ନିବେଦନ କଲା ।୧। ତତ୍‍ପରେ ଦମୟନ୍ତୀ ଦୁଃଖିତା ହୋଇ ନଳଙ୍କୁ ଦର୍ଶନ କରିବା ଇଚ୍ଛାରେ ମାଆଙ୍କ ସମୀପକୁ କେଶିନୀକୁ ପ୍ରେରଣ କଲେ ।୨। ନଳଙ୍କ ଆଶଙ୍କାରେ ବାହୁକଙ୍କୁ ମୁଁ ଅନେକ ପ୍ରକାର ପରୀକ୍ଷା କଲି । କେବଳ ରୂପରେ ମୋର ଏକମାତ୍ର ସନ୍ଦେହ ଅଛି । ଏହା ମୁଁ ସ୍ୱୟଂ ପରୀକ୍ଷାଦ୍ୱାରା ଜାଣିବାକୁ ଇଚ୍ଛା କରେ ।୩। ମାତଃ, ଆପଣ ତାହାଙ୍କୁ ଅନ୍ତଃପୁରକୁ ଡକାଇ ଆଣିବ ଅଥବା ମତେ ତାହାଙ୍କ ନିକଟକୁ ଗମନ କରିବାର ଅନୁଜ୍ଞା ଦିଅନ୍ତୁ । ଏ ବିଷୟ ପିତାଙ୍କର ଜ୍ଞାତରେ ହେଉ ଅଥବା ଅଜ୍ଞାତରେ ହେଉ, ଯେପରି ଆପଣଙ୍କର ଇଚ୍ଛା, ତାହା କରିବା ହେଉନ୍ତୁ ।୪। ବୈଦର୍ଭୀଙ୍କ ବଚନ ଶ୍ରବଣ କରି ଦେବୀ ଯାଇ ରାଜା ଭୀମଙ୍କ ନିକଟରେ ଦୁହିତାଙ୍କର ଅଭିପ୍ରାୟ ନିବେଦନ କଲେ ଓ ରାଜା ତହିଁରେ ସମ୍ମତ ହେଲେ ।୫।

 

ହେ ଭରତର୍ଷଭ ! ପିତା ଓ ମାତାଙ୍କ ଅନୁଜ୍ଞା ପ୍ରାପ୍ତ ହୋଇ ଦମୟନ୍ତୀ ଯେଉଁଠାରେ ଥାନ୍ତି, ସେଠାକୁ ନଳଙ୍କୁ ଡକାଇ ଆଣିଲେ । ନଳରାଜା ତାହାଙ୍କୁ ଦର୍ଶନ କଲା କ୍ଷଣି ସହସା ଶୋକରେ ଓ ଦୁଃଖରେ ଆବିଷ୍ଟ ହୋଇ ନେତ୍ରଜଳରେ ଆପ୍ଳୁତ ହେଲେ ।୭। ବରବର୍ଣ୍ଣିନୀ ଦମୟନ୍ତୀ ମଧ୍ୟ ତାହାଙ୍କୁ ପରିଦର୍ଶନ କରି ତୀବ୍ର ଶୋକରେ ଆବିଷ୍ଟା ହେଲେ । ତତ୍‍ପରେ ହେ ମହାରାଜ ! କଷାୟବସନା, ଜଟିଳା, ଶରୀର ସଂସ୍କାରବର୍ଜିତା ଦମୟନ୍ତୀ ଏହି କଥା ବାହୁକଙ୍କୁ କହିଲେ ।୯। ହେ ବାହୁକେ ! ପୂର୍ବେ ତୁମ୍ଭେ ଏପରି କୌଣସି ଧାର୍ମିକ ପୁରୁଷଙ୍କୁ ଦେଖିଥିଲ, ଯେଉଁ ପୁରୁଷ କି ଅରଣ୍ୟ ମଧ୍ୟରେ ନିଦ୍ରିତା ସ୍ତ୍ରୀକୁ ପରିତ୍ୟାଗ କରି ଗମନ କରିଥିଲେ ।୧୦। ପୁଣ୍ୟଶ୍ଲୋକ ନଳଙ୍କ ବ୍ୟତିରେକେ ଅପର କେଉଁ ବ୍ୟକ୍ତି ଶ୍ରାନ୍ତା, ପ୍ରିୟା ଓ ନିରପରାଧିନୀ ଭାର୍ଯ୍ୟାକୁ ବିଜନବନରେ ପରିତ୍ୟାଗ କରି ଗମନ କରିପାରେ ?୧୧। ବାଲ୍ୟକାଳାବଧି ମୁଁ ସେହି ମହାପତିଙ୍କର କି ଅପରାଧ କରିଥିଲି ଯେ ଘୋର ଅରଣ୍ୟ ମଧ୍ୟରେ ନିଦ୍ରିତା ଥିବାବେଳେ ସେ ମୋତେ ପରିତ୍ୟାଗ କରି ଗମନ କଲେ ?୧୨। ପୂର୍ବେ ମୁଁ ସାକ୍ଷାତ୍ ଦେବମାନଙ୍କୁ ପରିତ୍ୟାଗ କରି ଯାହାଙ୍କୁ ବରଣ କରିଥିଲି ଓ ନିରନ୍ତର ଯାହାଙ୍କୁ ଧ୍ୟାନ କରି ଅନୁଗାମିନୀ ହୋଇ ରହିଅଛି, ମୋତେ ସେ କିପରି ପରିତ୍ୟାଗ କଲେ ?୧୩। ସେ ଅଗ୍ନିଙ୍କ ସମୀପରେ ବିଶେଷରେ ଦେବତାମାନଙ୍କ ସମୀପରେ ମୋର ପାଣିଗ୍ରହଣ କରି ସତ୍ୟ କରି ଯେତେବେଳେ କହିଲେ ଯେ ମୁଁ ତୁମ୍ଭରି ହୋଇ ରହିଲି, ଏ ସତ୍ୟ ତାଙ୍କର କାହିଁକି ଗଲା ?୧୪।

 

ହେ ଅରିନ୍ଦମ ! ଦମୟନ୍ତୀ ଏହିପରି କହୁ କହୁ ତାହାଙ୍କ ନୟନ ଯୁଗଳରୁ ଅବିରତ ବାଷ୍ପଧାରା ବିଗଳିତ ହେଲା ।୧୫। ନିଷଧାଧିପତି ମଧ୍ୟ ଦମୟନ୍ତୀଙ୍କୁ ତାଦୃଶ ଶୋକାର୍ତ୍ତ ଦେଖି ଓ ତାହାଙ୍କର କୃଷ୍ଣସାର ଓ ରକ୍ତପ୍ରାନ୍ତ ନେତ୍ର ଦ୍ୱୟରୁ ଅଶ୍ରୁଜଳ ବହୁଥିବାର ଦେଖି, ଦୁଃଖ ସମ୍ଭାଳି ନ ପାରି ସ୍ୱୟଂ ଶୋକାଶ୍ରୁ ବର୍ଷଣ କରି କହିଲେ ।୧୬। ହେ ଭୀରୁ ! ମୋର ଯେ ରାଜ୍ୟ ନଷ୍ଟ ହେଲା ଓ ମୁଁ ଯେ ତୁମ୍ଭଙ୍କୁ ତ୍ୟାଗ କଲି, ଏହା ମୁଁ କରିନାହିଁ; କଳି ଏସବୁ କାର୍ଯ୍ୟ କରିଅଛି ।୧୭। ତୁମ୍ଭେ ଧର୍ମଚାରିଣୀଙ୍କ ମଧ୍ୟରେ ଶ୍ରେଷ୍ଠା ଅଟ । ତୁମ୍ଭେ ବନ ମଧ୍ୟରେ ବାସ କରି ମୋ ନିମିତ୍ତ ଦୁଃଖରେ କାତରା ହୋଇ ଦିବାନିଶି ମୋତେ ଚିନ୍ତାକରି ଅଭିଶାପ ଦେବାରୁ ସେ କଳି ମୋ ଶରୀରରେ ଥାଇ ସୁଦ୍ଧା ଦହ୍ୟମାନ ହୋଇଥାଏ । ଅଗ୍ନି ମଧ୍ୟରେ ଯେପରି ଅଗ୍ନି ଆହିତ ହୁଏ, ସେହପରି ତୁମ୍ଭର ଶାପାଗ୍ନିରେ ସେ ଦଗ୍ଧ ହେଉଥାଏ ।୧୯। ହେ ଶୁଭେ ! ଆମ୍ଭମାନଙ୍କର ଦୁଃଖର ଅବସାନ ହେବ; ଏହି ନିମିତ୍ତ ସେ ପାପିଷ୍ଠ ମୋର ତପସ୍ୟା ଓ ଆଚରଣରେ ନିର୍ଜିତ ହୋଇ ମୋତେ ପରିତ୍ୟାଗ କରିଗଲା । ତତ୍‍ପରେ ମୁଁ ଏଠାକୁ ଆସିଲି ।

 

ହେ ବିପୁଳ ଶ୍ରୋଣି ! ତୁମ୍ଭ ନିମିତ୍ତ ମୁଁ ଏଠାକୁ ଆଗମନ କରିଅଛି । ଆଉ ମୋର କୌଣସି ପ୍ରୟୋଜନ ନାହିଁ ।୨୧। କିନ୍ତୁ ହେ ଭୀରୁ ! ତୁମ୍ଭେ ଅନୁରକ୍ତ ଓ ଅନୁବ୍ରତ ପତିଙ୍କୁ ପରିତ୍ୟାଗ କରି ଅନ୍ୟ ପତିଙ୍କୁ ବରଣ କରିବାକୁ ଇଚ୍ଛା କରିଅଛ । କହ ଦେଖି, ଅପରା କୌଣସି ନାରୀ ଏପରି କାର୍ଯ୍ୟ କରିପାରେ କି ନା ? ଦୂତମାନେ ରାଜାଙ୍କ ଆଦେଶାନୁସାରେ ପୃଥିବୀ ପର୍ଯ୍ୟଟନ କରୁଅଛନ୍ତି ଓ ସ୍ୱେଚ୍ଛାଚାରିଣୀ ନାରୀ ଯେପରି ଅଭିଳଷିତ ପତିକୁ ବରଣ କରେ, ତଦ୍ରୂପ ବାକ୍ୟମାନ କହି ବୁଲୁଅଛନ୍ତି । ସେମାନେ କହୁଅଛନ୍ତି ଯେ ଭୀମରାଜନନ୍ଦିନୀ ଦ୍ୱିତୀୟ ପତିକୁ ବରଣ କରିବେ । ଏହା ଶୁଣି ଭଙ୍ଗାସୁରଙ୍କ ପୁତ୍ର ରାଜା ଋତୁପର୍ଣ୍ଣ ଏଠାକୁ ସମାଗମ ହୋଇଅଛନ୍ତି ।୨୪। ନଳଙ୍କର ତାଦୃଶ ବଚନ ଶ୍ରବଣ କରି ଦମୟନ୍ତୀ ଅତିଶୟ ଭୟ କଲେ ଓ ତାହାଙ୍କ ଦେହ କମ୍ପିତ ହେଲା ।

 

ସେ କୃତାଞ୍ଜଳିପୁଟରେ କହିଲେ; “ହେ ମଙ୍ଗଳାଳୟ ନିଷଧନାଥ ! ଯେଉଁ ସ୍ଥଳେ ଦେବତାମାନଙ୍କୁ ପରିତ୍ୟାଗ କରି ଆପଣଙ୍କୁ ବରଣ କରିଅଛି, ସେ ସ୍ଥଳେ ମୋପ୍ରତି ଦୋଷାଶଙ୍କା କରିବା ଆପଣଙ୍କର ଉପଯୁକ୍ତ ନୁହେଁ ।୨୬। ଆପଣଙ୍କୁ ପ୍ରାପ୍ତ ହେବା ନିମିତ୍ତ ବ୍ରାହ୍ମଣମାନଙ୍କୁ ନିଯୁକ୍ତ କରିଅଛି । ସେମାନେ ମୋର କଥିତ ବାକ୍ୟକୁ ଗୀତ ପ୍ରାୟ ଗାଇ ସର୍ବତ୍ର ଭ୍ରମଣ କରୁଅଛନ୍ତି । ହେ ପୃଥିବୀପତେ ! ପର୍ଣ୍ଣାଦ ନାମରେ ଜଣେ ବିଦ୍ୱାନ୍ ବ୍ରାହ୍ମଣ କୋଶଳନଗରୀରେ ଋତୁପର୍ଣ୍ଣ ରାଜାଙ୍କ ନିକଟରେ ଆପଣଙ୍କୁ ପ୍ରାପ୍ତ ହେଲେ ।୨୮। ହେ ନିଷଧନାଥ ! ଆପଣ ମୋ କଥାର ସମ୍ୟକ୍ ପ୍ରତ୍ୟୁତ୍ତର ଦେବାହେଲେ ସେହି ପ୍ରତ୍ୟୁତ୍ତର ବାକ୍ୟମାନଙ୍କୁ ବ୍ରାହ୍ମଣ ମୋତେ ଆସି କହିଲେ । ଆପଣଙ୍କୁ ଆଣିବା ନିମିତ୍ତ ମୁଁ ଏହି ଉପାୟ ଦେଖିଲି । ହେ ନରନାଥ ! ଏହି ପୃଥିବୀ ମଧ୍ୟରେ ଆପଣଙ୍କ ବ୍ୟତିରେକେ ଅନ୍ୟ କେହି ନାହିଁ ଯେ ଶତ ଯୋଜନ ପଥକୁ ଏକ ଦିନରେ ଅତିକ୍ରମ କରିବାକୁ ସମର୍ଥ ହେବେ ।୩୦। ହେ ମହୀପତେ ! ମନ ମଧ୍ୟରେ ମଧ୍ୟ ମୁଁ କଦାପି କୌଣସି ଅସତ୍ କର୍ମ କରି ନାହିଁ । ଏହି ସତ୍ୟବାକ୍ୟ କହି ଆପଣଙ୍କର ଚରଣଯୁଗଳ ସ୍ପର୍ଶ କରିପାରେ ।୩୧। କିନ୍ତୁ ଯଦି ମୁଁ ପାପକର୍ମ କରିଥାଏ, ତେବେ ସର୍ବଗାମୀ ଭୂତସାକ୍ଷୀ ଏହି ବାୟୁ ମୋ ଦେହରୁ ପ୍ରାଣବାୟୁକୁ ବିଯୁକ୍ତ କରନ୍ତୁ ।୩୨। ସୂର୍ଯ୍ୟଦେବ ତତ୍ପର ହୋଇ ଏହି ଭୁବନରେ ସର୍ବଦା ବିଚରଣ କରୁଅଛନ୍ତି, ମୁଁ ଯଦି ପାପାଚରଣ କରିଥାଏ, ତେବେ ସେ ମୋର ପ୍ରାଣକୁ ହରଣ କରନ୍ତୁ ।୩୩। ସର୍ବଭୂତଙ୍କ ମନ ମଧ୍ୟରେ ସାକ୍ଷୀସ୍ୱରୂପ ହୋଇ ଚନ୍ଦ୍ରମା ଭ୍ରମଣ କରୁଅଛନ୍ତି । ଯଦି ମୁଁ ପାପାଚରଣ କରିଥାଏ, ତେବେ ସେ ମୋର ପ୍ରାଣମାନଙ୍କୁ ମୋଚନ କରନ୍ତୁ । ଉକ୍ତ ତିନି ତ୍ରିଲୋକକୁ ଧାରଣ କରିଅଛନ୍ତି । ଅତଏବ ଏମାନେ ଯଥାର୍ଥ କହନ୍ତୁ, ଅଥବା ମୋତେ ତ୍ୟାଗ କରନ୍ତୁ ।୩୫।

 

ଦମୟନ୍ତୀ ଏହିପରି କହିବାରୁ ବାୟୁଦେବତା ଅନ୍ତରୀକ୍ଷରେ ଥାଇ କହିଲେ, ହେ ନଳ ! ମୁଁ ତୁମ୍ଭଙ୍କୁ ସତ୍ୟକରି କହୁଅଛି, ଏହି ଦମୟନ୍ତୀ ପାପାଚରଣ କରି ନାହାନ୍ତି ।୩୬। ହେ ରାଜନ୍‌ ! ଆପଣ ଶୀଳନିଧି, ଆପଣଙ୍କ ସଚ୍ଚରିତ୍ରକୁ ସ୍ଫୀତକରି ଏ ଉତ୍ତମରୂପେ ରକ୍ଷା କରିଅଛନ୍ତି । ଆମ୍ଭେମାନେ ତହିଁର ସାକ୍ଷୀ ଅଛୁଁ ଓ ତିନି ବର୍ଷକାଳ ଆମ୍ଭେମାନେ ଏହାଙ୍କୁ ରକ୍ଷା କରିଅଛୁ ।୩୭। ତୁମ୍ଭଙ୍କୁ ଆଣିବା ନିମିତ୍ତ ସେ ଏହି ଉତ୍କୃଷ୍ଟ ଉପାୟ କରିଥିଲେ । ତୁମ୍ଭ ବ୍ୟତିରେକେ ଆଉ କେହି ପୁରୁଷ ଏକାଦିନକେ ଶତ ଯୋଜନା ପଥ ଅତିକ୍ରମ କରିନପାରେ ।୩୮। ହେ ରାଜନ୍‌ ! ଏବେ ତୁମ୍ଭେ ଭୀମନନ୍ଦିନୀଙ୍କୁ ଲାଭ କରିଅଛ । ଅତଏବ ତୁମ୍ଭେ ଶଙ୍କା ନ କରି ଭାର୍ଯ୍ୟାଙ୍କୁ ଘେନି ସୁଖରେ ବାସ କର ।୩୯। ବାୟୁ ଯେତେବେଳେ ଏପରି କହିଲେ, ତେତେବେଳେ ଆକାଶରୁ ପୁଷ୍ପବୃଷ୍ଟି ହେଲା, ଦୁନ୍ଦୁଭି ବାଦ୍ୟ ବାଜିଲା ଓ ମନ୍ଦ ମନ୍ଦ ସମୀରଣ ସଞ୍ଚରଣ କଲା ।

 

ହେ ଭାରତ ! ତଦନନ୍ତର ନଳ ଏହି ଅଦ୍ଭୁତ କର୍ମମାନଙ୍କୁ ବିଲୋକନ କରି ଦମୟନ୍ତୀଙ୍କ ପ୍ରତି ଆଶଙ୍କା ପରିତ୍ୟାଗ କଲେ ।୪୧। ତହିଁ ଉତ୍ତାରୁ କର୍କୋଟକ ନାଗରାଜଙ୍କୁ ସ୍ମରଣ କରି, ସେ ଯେଉଁ ନିର୍ଜର ଅମ୍ଳାନ ବସନ ଦେଇଥିଲେ, ତାହାକୁ ବସୁଧାଧିପ ପରିଧାନ କଲେ । ପିନ୍ଧିଲାକ୍ଷଣି ତାହାଙ୍କର ନିଜର ଆକୃତି ଓ ରୂପ ପ୍ରକାଶ ପାଇଲା ।୪୨। ଭୀମସୂତା ଆନନ୍ଦିତା ଦମୟନ୍ତୀ ନିଜ ପତି ପୁଣ୍ୟଶ୍ଲୋକ ନଳଙ୍କୁ ସ୍ୱରୂପ ପ୍ରାପ୍ତ ହେବାର ଦେଖି ତାହାଙ୍କୁ ଆଲିଙ୍ଗନ କରି ଉଚ୍ଚୈଃସ୍ୱରରେ ରୋଦନ କଲେ ।୪୩। ନଳରାଜା ମଧ୍ୟ ଭାର୍ଯ୍ୟାଙ୍କୁ ପୂର୍ବପ୍ରାୟ ଅନୁଗତା ଥିବାର ଦେଖି ତାହାଙ୍କୁ ଓ ଦୁଇ ସନ୍ତାନଙ୍କୁ ଯଥାବିହିତ ଆଲିଙ୍ଗନ କରି ଆନନ୍ଦିତ ହେଲେ ।୪୪। ଆୟତନୟନା ଶୁଭାନନା ଦମୟନ୍ତୀ ପୁଣ୍ୟଶ୍ଳୋକ ନଳଙ୍କ ବିରହରେ ଅତିଶୟ ଦୁଃଖିତା ଥିଲେ । ବର୍ତ୍ତମାନ ତାହାଙ୍କୁ ପ୍ରାପ୍ତ ହୋଇ ତାହାଙ୍କ ବକ୍ଷସ୍ଥଳରେ ମୁଖକୁ ରଖି ନିଃଶ୍ୱାସ ପରିତ୍ୟାଗ କଲେ ।୪୫। ପୁରୁଷେନ୍ଦ୍ର ନିଷଧପତି ମଧ୍ୟ ସେହି ସମୟରେ ଶୋକବ୍ୟାକୁଳ ଚିତ୍ତରେ ମଳିନାଙ୍ଗୀ ଦମୟନ୍ତୀଙ୍କୁ ଅନେକ ବେଳଯାଏ ଆଲିଙ୍ଗନ କରି ରହିଲେ ।୪୬।

 

ହେ ନରପତେ ! ଅତଃପର ଦମୟନ୍ତୀଙ୍କ ଜନନୀ ନଳଦମୟନ୍ତୀଙ୍କର ସଙ୍ଗତିର ବୃତ୍ତାନ୍ତକୁ ରାଜା ଭୀମଙ୍କ ନିକଟରେ ପ୍ରୀତିପୂର୍ବକ ନିବେଦନ କଲେ ।୪୭। ତତ୍‍ପରେ ରାଜା ଭୀମ କହି ପଠାଇଲେ ଯେ ନଳ ଅଦ୍ୟ ସୁଖରେ ବାସ କରନ୍ତୁ । କାଲି ପ୍ରାତଃକାଳରେ ପବିତ୍ର ହୋଇ ନଳ ଓ ଦମୟନ୍ତୀ ଆସିଲେ ତାହାଙ୍କ ସହିତ ଆମ୍ଭେ ସାକ୍ଷାତ୍ କରିବୁ ।୪୮। ହେ ରାଜନ୍‌ ! ଅନନ୍ତର ନଳ ଓ ଦମୟନ୍ତୀ ଦୁହେଁ ଏକତ୍ର ହୋଇ ପ୍ରମୁଦିତ ଚିତ୍ତରେ ପରସ୍ପରଙ୍କର ଅତୀତ ବନବାସବୃତ୍ତାନ୍ତ କଥୋପକଥନ କରି ରାତ୍ରି ଅତିବାହିତ କଲେ ।୪୯। ଏହିରୂପେ ସେମାନେ ପରସ୍ପର ସୁଖାର୍ଥୀ ହୋଇ ଭୀମ ନୃପତିଙ୍କ ଗୃହରେ ହୃଷ୍ଟମନରେ ବହୁକାଳ ବାସ କଲେ ।୫୦। ତିନି ବର୍ଷକାଳ ନିଷଧାଧିପତି ଦୁଃଖଭୋଗ କରି ଚତୁର୍ଥ ବର୍ଷରେ ଭାର୍ଯ୍ୟାଙ୍କ ସହ ମିଳିତ ହେଲେ । ସମସ୍ତ କାମନା ପରିପୂର୍ଣ୍ଣ ହେଲା । ସିଦ୍ଧାର୍ଥ ହୋଇ ପରମାନନ୍ଦ ଅନୁଭବ କଲେ ।୫୧। କ୍ଷେତ୍ରରେ ଶସ୍ୟାବଳି ଅଧେ ପରିପକ୍ୱ ହୋଇଥିଲେ ବୃଷ୍ଟିଦ୍ୱାରା ବସୁନ୍ଧରା ଯେପରି ଆନନ୍ଦିତ ହୁଏ ସେହିପରି ଦମୟନ୍ତୀ ମଧ୍ୟ ସ୍ୱାମୀଙ୍କୁ ପ୍ରାପ୍ତ ହୋଇ ପରମାନନ୍ଦିତା ହେଲେ । ଶୀତାଂଶୁଙ୍କ ଉଦୟରେ ରଜନୀ ଦେବୀ ଯେପରି ପ୍ରସନ୍ନତା ଲାଭ କରେ, ସେହିପରି ଭୀମଦୁହିତା ପତିଙ୍କ ମିଳନ ଲଭି ସନ୍ତାପରହିତ ହୋଇ ହର୍ଷୋତ୍‌ଫୁଲ୍ଲ ଚିତ୍ତରେ ପୂର୍ଣ୍ଣ ମନୋରଥା ହେଲେ ।୫୩।

 

॥ ଅଧ୍ୟାୟ – ୭୭ ॥

 

ବୃହଦଶ୍ୱ କହିଲେ– ନଳରାଜା ସେହି ରାତ୍ରିକୁ ଅତିବାହିତ କରି ପରଦିନ ପ୍ରଭାତରେ ଉପଯୁକ୍ତ ବେଶଭୂଷଣ ଧାରଣ କରି ଦମୟନ୍ତୀଙ୍କ ସମଭିବ୍ୟାହାରରେ ବିଦର୍ଭାଧିପତିଙ୍କୁ ସାକ୍ଷାତ୍ କରିବାକୁ ଗଲେ ।୧। ଯତ୍ନ ପୂର୍ବକ ରାଜା ନଳ ସ୍ୱୀୟ ଶ୍ୱଶୁରଙ୍କୁ ଅଭିବାଦନ କଲେ । ତତ୍‍ପରେ ଶୁଭଦର୍ଶନା ଦମୟନ୍ତୀ ମଧ୍ୟ ପିତାଙ୍କୁ ବନ୍ଦନା କଲେ ।୨। ପ୍ରଭୁ ଭୀମ ପରମାହ୍ଲାଦିତ ପୁତ୍ରପ୍ରାୟ ତାହାଙ୍କୁ ଗ୍ରହଣ କଲେ, ଅଥଚ ନଳଙ୍କ ସହିତ ପତିବ୍ରତା ଦମୟନ୍ତୀଙ୍କୁ ଯଥାଯୋଗ୍ୟ ସତ୍କାର କରି ଆଶ୍ୱାସିତ କଲେ ।୩। ନଳରାଜା ମଧ୍ୟ ଭୀମଙ୍କର ସତ୍କାର ଗ୍ରହଣ କରି ପ୍ରତିସତ୍କାର ନିବେଦନ କଲେ ।

 

ଏହି ସମୟରେ ନଗର ମଧ୍ୟରେ ମହାନ ହର୍ଷଧ୍ୱନି ଉତ୍‌ଥିତ ହେଲା ।୫। ନରଗସ୍ଥ ଜନମାନେ ନଳରାଜାଙ୍କୁ ଆଗମନ କରିବାର ଦେଖି ସମସ୍ତେ ହର୍ଷରେ ଏତାଦୃଶ କୋଳାହଳ କଲେ ଯେ ଗୋଟାଏ ମହାନ ଶବ୍ଦ ଶ୍ରୁତିଗୋଚର ହେଲା । ଏହି ଉତ୍ସବରେ ନଗରଟି ପତାକା, ଧ୍ୱଜ ଓ ପୁଷ୍ପମାଳାରେ ପରିଶୋଭିତ ହେଲା । ରାଜମାର୍ଗ ସବୁ ପରିଷ୍କୃତ ଓ ସୁବାସିତ ଜଳରେ ପରିସିକ୍ତ ହେଲା । ପୁଷ୍ପମାଳାରେ ରାଜମାର୍ଗମାନ ମଣ୍ଡିତ ହେଲା । ଗୃହଦ୍ୱାର ସବୁ ପୁଷ୍ପଭଙ୍ଗରେ ଚିତ୍ରିତ ହେଲେ । ଦେବାୟତନମାନ ପୁଷ୍ପସମୂହରେ ଅର୍ଚ୍ଚିତ ହେଲେ । ନଳ ଯେ କପଟରେ ବାହୁକବେଶ ଧାରଣ କରିଥିଲେ, ଏହା ମଧ୍ୟ ରାଜା ଋତୁପର୍ଣ୍ଣ ଶ୍ରବଣ କଲେ ।୮। ଦମୟନ୍ତୀଙ୍କ ସହିତ ନଳ ମିଳିତ ହେବାର ଶୁଣି ନରାଧିପ ଋତୁପର୍ଣ୍ଣ ହର୍ଷାନ୍ୱିତ ହେଲେ ଓ ନଳରାଜାଙ୍କୁ ଡକାଇ ଆଣି ତାଙ୍କୁ କ୍ଷମା ମାଗିଥିଲେ ।୯। ବୁଦ୍ଧିଶାଳୀ ରାଜା ନଳ ମଧ୍ୟ ଋତୁପର୍ଣ୍ଣଙ୍କ ସମୀପକୁ ଆସି ଅନେକ ହେତୁ ପ୍ରଦର୍ଶନ କରି କ୍ଷମାପ୍ରାର୍ଥୀ ହେଲେ । ତତ୍ତ୍ୱଦର୍ଶୀ ରାଜା ଋତୁପର୍ଣ୍ଣ ନଳଙ୍କକର୍ତ୍ତୃକ ସତ୍କୃତ ହୋଇ ବିସ୍ମୟୋତ୍‌ଫୁଲ୍ଲ ବଦନରେ କହିଲେ– ଭାଗ୍ୟକ୍ରମେ ଆପଣ ଭାର୍ଯ୍ୟାଙ୍କ ସହିତ ସମବେତ ହୋଇ ପରମାନନ୍ଦ ଲାଭ କରିଅଛନ୍ତି । ହେ ନୈଷଧ ! ବସୁଧାଧିପ ! ଆପଣ ଯେତେବେଳେ ମୋ ଗୃହରେ ଅଜ୍ଞାତବାସ କରିଥିଲେ, ତେତେବେଳେ ମୁଁ ଆପଣଙ୍କ ଠାରେ କୌଣସି ଅପରାଧ କରି ନାହିଁ ତ ? ଜାଣିକରି ଅଥବା ନ ଜାଣି ଯଦି କୌଣସି ଅକରଣୀୟ କାର୍ଯ୍ୟ କରିଥାଏ, ତେବେ ଆପଣ ତାହା କ୍ଷମା ଦେବା ହେବେ ।୧୩।
 

ନଳ ବୋଇଲେ, ହେ ପାର୍ଥିବ ! ଆପଣ ମୋ ଠାରେ ତିଳେମାତ୍ର ଅପରାଧ କରି ନାହାନ୍ତି-। ଯଦି କରିଥାନ୍ତି, ତେବେ ତହିଁରେ ମୋର କ୍ରୋଧ ନାହିଁ ବୋଲି ଜାଣିବା ହେଉନ୍ତୁ; ଯେ ହେତୁରୁ ଆପଣଙ୍କ ପ୍ରତି ମୋର କ୍ଷମା କରିବା କର୍ତ୍ତବ୍ୟ ।୧୪। ହେ ଜନାଧିପ ! ଆପଣ ପୂର୍ବେ ମୋର ସଖା ଥିଲେ । ଆପଣଙ୍କ ସହିତ ମୋର ସମ୍ବନ୍ଧ ମଧ୍ୟ ଅଛି । ଅତଏବ ଅଦ୍ୟାବଧି ଆପଣ ମୋର ଅଧିକତର ପ୍ରୀତିଭାଜନ ହେଲେ । ଆପଣଙ୍କ ଗୃହରେ ମୁଁ ସୁଖରେ ବାସ କରିଥିଲି । ମୋର ସବୁ କାମନା ପରିପୂର୍ଣ୍ଣ ହୋଇଥିଲା । ଯାହା ଯେତେବେଳେ ଆବଶ୍ୟକ ହେଉଥିଲା, ତାହା ମୁଁ ପ୍ରାପ୍ତ ହେଉଥିଲି ।୧୫। ଆପଣଙ୍କ ଗୃହରେ ଯେପରି ସୁଖରେ ମୁଁ ବାସ କରୁଥିଲି, ହେ ରାଜନ୍‌ ! ସେପରି ମୁଁ ନିଜ ଗୃହରେ ମଧ୍ୟ ନ ଥିଲି ।

 

ହେ ପାର୍ଥିବ ! ଅଶ୍ୱଜ୍ଞାନ ମୋ’ଠାରେ ନିହିତ ଅଛି ।୧୬। ଯଦି ଇଚ୍ଛା କରନ୍ତି, ତେବେ ମୁଁ ଦେବାକୁ ପ୍ରସ୍ତୁତ ଅଛି । ଏହା କହି ରାଜା ନଳ ଋତୁପର୍ଣ୍ଣଙ୍କୁ ଅଶ୍ୱବିଦ୍ୟା ପ୍ରଦାନ କଲେ ।୧୭। ରାଜା ଋତୁପର୍ଣ୍ଣ ମଧ୍ୟ ବିଧିପୂର୍ବକ ସେହି ବିଦ୍ୟାକୁ ପ୍ରତିଗ୍ରହ କଲେ । ହେ ରାଜନ୍‌ ! ଭଙ୍ଗାସୁରଙ୍କ ପୁତ୍ର ନରପତି ଅଶ୍ୱବିଦ୍ୟାକୁ ନେଇ ଅକ୍ଷବିଦ୍ୟା ନଳଙ୍କୁ ପ୍ରଦାନ କଲେ ଓ ଅନ୍ୟ ଗୋଟିଏ ସାରଥିକୁ ଆଣି ନିଜ ପୁରକୁ ପ୍ରସ୍ଥାନ କଲେ ।୧୯। ହେ ମହାରାଜ ! ନରନାଥ ! ରାଜା ଋତୁପର୍ଣ୍ଣ ଗମନ କରନ୍ତେ ନଳରାଜା ବହୁକାଳ କୁଣ୍ଡିନନଗରରେ ବାସ କଲେ ନାହିଁ ।୨୦।

 

॥ ଅଧ୍ୟାୟ – ୭୮ ॥

 

ବୃହଦଶ୍ୱ କହିଲେ–ହେ କୁନ୍ତୀନନ୍ଦନ ! ନିଷଧରାଜ ନଳ ମାସେ କାଳ କୁଣ୍ଡିନ ନଗରରେ ବାସକରି ଭୀମ ନୃପତିଙ୍କୁ ସମ୍ଭାଷଣ କରି ଅନେକଗୁଡ଼ିଏ ପରିକର ସଙ୍ଗରେ ଘେନି ସେଠାରୁ ନିଷଧାଭିମୁଖରେ ଯାତ୍ରା କଲେ ।୧। ସେହି ମହାତ୍ମା ଷୋଡ଼ଶଟି ମାତ୍ର ହସ୍ତୀ, ପଞ୍ଚାଶତ ଘୋଟକ ଓ ଛଅଶତ ପଦାତି ସଙ୍ଗରେ ଘେନି ଗୋଟିଏ ଶୁଭ୍ରବର୍ଣ୍ଣ ରଥରେ ଆରୋହଣ କରି ବେଗରେ ପୃଥିବୀକୁ କମ୍ପିତ କଲାପ୍ରାୟ ସଂରବ୍‌ଧ ଚିତ୍ତରେ ଅନତିବିଳମ୍ବେ ନିଷଧପୁରରେ ପ୍ରବିଷ୍ଟ ହେଲେ ।୩।

 

ବୀରସେନଙ୍କ ପୁତ୍ର ବଳଶାଳୀ ନଳ ପୁଷ୍କରଙ୍କ ସମୀପରେ ଉପନୀତ ହୋଇ କହିଲେ, ହେ ପୁଷ୍କର ! ଆମ୍ଭେ ବହୁ ଅର୍ଥ ଉପାର୍ଜନ କରିଅଛୁ । ଅତଏବ ଆସ, ଆମ୍ଭେ ପୁନର୍ବାର ଦ୍ୟୂତକ୍ରୀଡ଼ା କରିବା । ଆମ୍ଭର ଦମୟନ୍ତୀ ଓ ଯାହା କିଛି ଅଛି ସମୁଦାୟ ଆମ୍ଭର ପଣ ଓ ତୁମ୍ଭର କେବଳ ଏକା ରାଜ୍ୟ ପଣ ରହିଲା ।୫। ତୁମ୍ଭର ଶୁଭ ହେଉ । ତୁମ୍ଭେ ପୁନର୍ବାର ଦ୍ୟୂତକ୍ରୀଡ଼ାରେ ପ୍ରବୃତ୍ତ ହୁଅ । ହେ ପୁଷ୍କର ! ଆମ୍ଭେ ନିଶ୍ଚୟ କରିଅଛୁଁ ଯେ ଆମ୍ଭେ ଦୁହେଁ ଉକ୍ତ ରୂପେ ପଣ ରଖି କ୍ରୀଡ଼ା କରିବା ଅଥବା ପ୍ରାଣ ସହିତ ସବୁ ଦ୍ରବ୍ୟ ପଣ ରହିଲା । ଯୁଦ୍ଧ ମଧ୍ୟ ଶେଷ ପଣ । ପରର ରାଜ୍ୟ ଓ ଧନକୁ ଜୟକରି ହରଣ କଲେ ପ୍ରତିପଣ ଦେବା ପରମ ଧର୍ମ । ଏହା ପଣ୍ଡିତମାନେ କହିଅଛନ୍ତି ।୭। ହେ ରାଜନ୍‌ ! ଯଦି ଅକ୍ଷଦ୍ୟୂତରେ ତୁମ୍ଭର ଅଭିଳାଷ ନ ଥାଏ, ତେବେ ଦ୍ୱୈରଥ ବିଧାନରେ ଯୁଦ୍ଧରେ ପ୍ରବୃତ୍ତ ହୁଅ । ତହିଁରେ ହୁଏତ ତୁମ୍ଭର ନ ହେଲେ ମୋର; ଜଣକର ଶାନ୍ତି ହେଉ ।୮। ବୃଦ୍ଧଜନମାନେ କହିଅଛନ୍ତି, ପରମ୍ପରାଗତ ରାଜ୍ୟକୁ ଯେ କୌଣସି ଉପାୟରେ ହେଉ, ଆକାଙ୍‌କ୍ଷା କରିବା ବିଧେୟ ।୯। ହେ ପୁଷ୍କର ! ଅଦ୍ୟ ତୁମ୍ଭେ କପଟ ଦ୍ୟୂତକ୍ରୀଡ଼ାରେ ଅଥବା ଯୁଦ୍ଧରେ ଧନୁର୍ଦ୍ଧାରୀ ହୋଇ ଅଗ୍ରସର ହୁଅ । ଏହି ଦୁଇ କାର୍ଯ୍ୟ ମଧ୍ୟରୁ ଯହିଁରେ ତୁମ୍ଭର ଇଚ୍ଛା, ତହିଁରେ ପ୍ରବୃତ୍ତ ହୁଅ ।୧୦।

 

ନିଷଧପତି ନଳ ପୁଷ୍କରଙ୍କୁ ଏହିପରି କହନ୍ତେ, ପୁଷ୍କର ମନେ କଲେ ଯେ, ତାହାଙ୍କର ନିଶ୍ଚୟ ଜୟ ହେବ । ଏହା ଭାବି ସେ ହାସ୍ୟପୂର୍ବକ ସହସା କହିଲେ, ହେ ନୈଷଧ ! ଭାଗ୍ୟକ୍ରମେ ତୁମ୍ଭେ ପ୍ରତିପଣ ନିମିତ୍ତ ଧନୋପାର୍ଜନ କରିଅଛ । ଭାଗ୍ୟକ୍ରମେ ଦମୟନ୍ତୀଙ୍କର ମନ୍ଦଭାଗ୍ୟ କ୍ଷୟ ହୋଇଅଛି ।୧୨। ହେ ମହାଭୁଜ ! ନରପତେ ! ଭାଗ୍ୟକ୍ରମେ ତୁମ୍ଭେ ଅଦ୍ୟାପି ଭାର୍ଯ୍ୟାଙ୍କ ସହିତ ଜୀବିତ ଅଛ । ତୁମ୍ଭର ଅର୍ଜିତ ଧନକୁ ଆମ୍ଭେ ଜିଣିଲେ ସେହି ଧନରେ ଦମୟନ୍ତୀ ଅଳଙ୍କୃତା ହେବେ ଓ ଇନ୍ଦ୍ରଙ୍କୁ ଯେପରି ଅପ୍‌ସରାମାନେ ଖଟିଥାନ୍ତି, ସେହିପରି ସେ ମୋତେ ଉପାସନା କରିବେ । ହେ ନୈଷଧ ! ଆମ୍ଭେ ନିତ୍ୟ ତୁମ୍ଭଙ୍କୁ ସ୍ମରଣ କରୁଥାଉ ଓ ତୁମ୍ଭେ କେବେ କେବେ ଦ୍ୟୂତକ୍ରୀଡ଼ା କରିବାକୁ ଆସିବ ବୋଲି ପ୍ରତୀକ୍ଷା କରୁଥାଉଁ ।୧୪। ଯେଉଁମାନେ ଅମିତ୍ର, ତାହାଙ୍କ ସହିତ ଦ୍ୟୂତକ୍ରୀଡ଼ା କରିବାକୁ ମୋର ପ୍ରବୃତ୍ତି ହୁଏ ନାହିଁ । ଅଦ୍ୟ ବରାରୋହା ଦମୟନ୍ତୀଙ୍କୁ ଜୟକରି କୃତକୃତ୍ୟ ହେବି । ସେ ମୋ ହୃଦୟରେ ସର୍ବଦା ବାସ କରନ୍ତି ।୧୫। ନିଷଧାଧିପତି ନଳ ତାହାର ଅସମ୍ବଦ୍ଧ ପ୍ରଳାପ ବାକ୍ୟ ଶ୍ରବଣ କରି କୁପିତ ହୋଇ ଖଡ଼୍‌ଗରେ ତାହାର ଶିରଶ୍ଛେଦନ କରିବାକୁ ଇଚ୍ଛା କଲେ; କିନ୍ତୁ ତାହା ନ କରି କ୍ରୋଧରେ ତାମ୍ରନେତ୍ର ହୋଇ ହାସ୍ୟପୂର୍ବକ ପୁଷ୍କରଙ୍କୁ କହିଲେ ।୧୭। ଆସ, ଆମ୍ଭେ ଦ୍ୟୂତକ୍ରୀଡ଼ା କରିବା । ବର୍ତ୍ତମାନ ସେକଥା କହିଲେ କଣ ହେବ ? ଆମ୍ଭଙ୍କୁ ପରାଜିତ କରି ପଛେ ଯାହା କରିବାର ତାହା କରିବ ।

 

ତଦନନ୍ତର ପୁଷ୍କର ଓ ନଳ ପରସ୍ପର ଦ୍ୟୂତକ୍ରୀଡ଼ା କଲେ ।୧୮। ବୀର ନଳ ଏକ ପଣରେ ରତ୍ନପୂର୍ଣ୍ଣ କୋଷ ସମୂହ ଓ ପ୍ରାଣ ସହିତ ପଣ୍ଡିତ ପୁଷ୍କରଙ୍କୁ ପରାଜିତ କଲେ ।୧୯। ନଳରାଜା ପୁଷ୍କରଙ୍କୁ ପରାଜିତ କରି ହାସ୍ୟପୂର୍ବକ କହିଲେ– ରେ କ୍ଷତିୟାଧମ ! ଏବେ ଏହି ଅବିଚଳିତ ସମୁଦାୟ ନିଷ୍କଣ୍ଟକ ରାଜ୍ୟ ମୋର ହେଲା ।୨୦। ରେ ମୂଢ଼ ! ଏବେ ତୁ ଦମୟନ୍ତୀଙ୍କୁ ସୁଦ୍ଧା ଚାହିଁପାରିବୁ ନାହିଁ । ତୁ ସପରିବାରରେ ଦମୟନ୍ତୀଙ୍କର ଦାସତ୍ୱ ପ୍ରାପ୍ତ ହେଲୁ ।୨୧। ଆମ୍ଭେ ଯେ ପୂର୍ବେ ତୋ ଠାରେ ପରାଜିତ ହୋଇଥିଲ, ତାହା ତୋ ନିଜ ଶକ୍ତିଦ୍ୱାରା ହୋଇନଥିଲା; କଳିଦ୍ୱାରା ହୋଇଥିଲା । ତୁ ମୂଢ଼ ବୁଝିପାରୁନାହୁଁ ।୨୨। ଅପର ବ୍ୟକ୍ତିର ଦୋଷକୁ ତୋ ଠାରେ ମୁଁ କଦାପି ଅର୍ପଣ କରିବି ନାହିଁ । ମୁଁ ତୋର ପ୍ରାଣନାଶ କରିବି ନାହିଁ । ତୁ ଯାଇ ସୁଖରେ ବାସ କର ।୨୩। ହେ ବୀର ! ପୂର୍ବେ ତୁମ୍ଭର ପୈତୃକ ବିଷୟରେ ଯେଉଁ ଅଂଶ ଥିଲା, ତାହା ମୁଁ ଦେଲି; ତୁମ୍ଭେ ନେଇ ଯଥା-ସୁଖରେ ବାସକର । ହେ ବୀର ! ମୋର ତୁମ୍ଭଠାରେ ପୂର୍ବେ ଯେପରି ପ୍ରୀତି ଥିଲା, ସେହିପରି ରହିଲା । ତୁମ୍ଭେ ଏଥିରେ ସଂଶୟ ନ କର ।୨୪। ତୁମ୍ଭଠାରେ ମୋର ଯେଉଁ ଭ୍ରାତୃସ୍ନେହ ଅଛି, ତାହା କଦାପି ପରିତ୍ୟକ୍ତ ହେବ ନାହିଁ । ହେ ପୁଷ୍କର ! ତୁମ୍ଭେ ମୋର ଭ୍ରାତା; ଶତ ସମ୍ବତ୍ସର ଜୀବିତ ଥାଅ ।୨୫।

 

ସତ୍ୟବିକ୍ରମ ନଳ ଏହିପରି ସାନ୍ତ୍ୱନା ଦେଇ ଭ୍ରାତାଙ୍କୁ ପୁନଃପୁନଃ ଆଲିଙ୍ଗନ କରି ତାହାଙ୍କର ଗୃହକୁ ପ୍ରେରଣ କଲେ ।୨୬। ହେ ରାଜନ୍‌ ! ନୈଷଧଙ୍କଦ୍ୱାରା ଏହିରୂପେ ପୁଷ୍କର ସାନ୍ତ୍ୱନା ପାଇ ହସ୍ତଯୋଡ଼ି ପୁଣ୍ୟଶ୍ଲୋକଙ୍କୁ ପ୍ରତିବାକ୍ୟ କହିଲେ ।୨୭। ହେ ପାର୍ଥିବ ! ତୁମ୍ଭେ ମୋର ପ୍ରାଣ ରକ୍ଷା କଲ ଓ ମୋର ପୈତୃକ ବିଷୟ ମୋତେ ଦାନ କଲ । ଅତଏବ ତୁମ୍ଭର କୀର୍ତ୍ତି ଅକ୍ଷୟ ହେଉ ଓ ତୁମ୍ଭେ ଦଶ ସହସ୍ର ବର୍ଷ ଜୀବିତ ଥାଅ ।୨୮। ରାଜାଙ୍କଦ୍ୱାରା ପୁଷ୍କର ସତ୍କୃତ ହେବାରୁ ମାସେ ପର୍ଯ୍ୟନ୍ତ ରାଜାଙ୍କ ସଦନରେ ରହି ହୃଷ୍ଟ ହୋଇ ପରେ ସ୍ୱଜନ ସହ ନିଜ ଗୃହକୁ ଯାତ୍ରା କଲେ-।୨୯।

 

ହେ ପୁରୁଷର୍ଷଭ ! ଯିବାବେଳେ ପୁଷ୍କର ମହତୀ ସେନାସହ ଓ ବିନୀତ ପରିଚରବର୍ଗରେ ପରିକୃତ ହୋଇ ଆଦିତ୍ୟସମ ତେଜସ୍କର ଶରୀର ଧରି ପ୍ରସ୍ଥାନ କଲେ ।୩୦। ଶ୍ରୀମାନ ନିଷଧରାଜ ପୁଷ୍କରଙ୍କୁ ଧନଶାଳୀ କରି କୁଶଳ ଶରୀରରେ ପ୍ରସ୍ଥାପିତ କଲେ । ତତ୍‍ପରେ ଅତିଶୟ ମଣ୍ଡିତ ଓ ଶୋଭିତ ସ୍ୱକୀୟ ପୁରୀ ମଧ୍ୟରେ ପ୍ରବିଷ୍ଟ ହେଲେ । ତତ୍‍ପରେ ପୌରଜନମାନଙ୍କୁ ସାନ୍ତ୍ୱନା ଦେଲେ-। ପୁରସ୍ଥ, ଦେଶସ୍ଥ ଓ ଅମାତ୍ୟ ପ୍ରଭୃତି ସମସ୍ତ ଲୋକେ ହୃଷ୍ଟ ହେଲେ । ଲୋମାଞ୍ଚିତ କଳେବରରେ କୃତାଞ୍ଜଳି ହୋଇ ନଳଙ୍କୁ କହିଲେ, ମହାରାଜ ! ଆମ୍ଭେମାନେ ଅଦ୍ୟ ଆନନ୍ଦିତ ହେଲୁ-। ଦେବତାମାନେ ଯେପରି ଇନ୍ଦ୍ରଙ୍କୁ ଉପାସନା କରନ୍ତି, ସେହିପରି ଆମ୍ଭେମାନେ ଆପଣଙ୍କୁ ଏହି ଦେଶରେ ଓ ଏହି ନଗରରେ ରହି ଉପାସନା କରି ଆନନ୍ଦିତ ହେଲୁ ।୩୨।

 

॥ ଅଧ୍ୟାୟ – ୭୯ ॥

 

ବୃହଦଶ୍ୱ ବୋଇଲେ– ପୁରବାସୀମାନେ ଶାନ୍ତ ଓ ଆନନ୍ଦିତ ହେଲେ । ନଗର ମଧ୍ୟରେ ମହାନ ଉତ୍ସବ ହେଲା । ରାଜା ନଳ ମହତୀସେନା ପ୍ରେରଣ କରି ଦମୟନ୍ତୀଙ୍କୁ ସ୍ୱପୁରକୁ ଅଣାଇଲେ-।୧। ଦମୟନ୍ତୀଙ୍କ ପିତା ଶତ୍ରୁମର୍ଦ୍ଦନକାରୀ ବୀର ଭୀମପରାକ୍ରମ ଭୀମ ସ୍ୱସୁତା ଦମୟନ୍ତୀଙ୍କୁ ସତ୍କାରପୂର୍ବକ ନଳଙ୍କ ଭବନକୁ ପ୍ରେରଣ କଲେ ।୨। ବିଦର୍ଭ ରାଜନନ୍ଦିନୀ ଦମୟନ୍ତୀ ଅପତ୍ୟ ଦୁହିଁଙ୍କୁ ସଙ୍ଗରେ ଘେନି ଆଗମନ କରନ୍ତେ ମହୀପତି ନଳ ଆନନ୍ଦିତ ହୋଇ ଇନ୍ଦ୍ର ଯେପରି ନନ୍ଦନକାନନକୁ ଗମନ କରି ଓ ବିହାର କରି କାଳାତିପାତ କରନ୍ତି, ସେହିପରି ସେ ସୁଖରେ ସମୟ ହରଣ କଲେ-।୩। ତଦନନ୍ତର ମହାଯଶସ୍ୱୀ ନଳ ଜମ୍ବୁଦ୍ୱୀପରେ ରାଜାମାନଙ୍କ ମଧ୍ୟରେ ପ୍ରକାଶ ପ୍ରାପ୍ତ ହେଲେ-। ପ୍ରତ୍ୟାହୃତ ସ୍ୱକୀୟ ରାଜ୍ୟକୁ ପୂର୍ବ ପ୍ରାୟ ପୁନଶ୍ଚ ଶାସନ କରିବାକୁ ଆରମ୍ଭ କଲେ ।୪। ବହୁଦକ୍ଷିଣ ବିବିଧ ଯଜ୍ଞମାନଙ୍କୁ ବିଧିପୂର୍ବକ ସମ୍ପାଦନ କଲେ ।୫।

 

ହେ ରାଜେନ୍ଦ୍ର ! ସେହି ପ୍ରକାରେ ଆପଣ ମଧ୍ୟ ସୁହୃଦ୍‌ଗଣଙ୍କ ସହିତ ମିଳିତ ହୋଇ ଅଚିର କାଳରେ ଦୀପ୍ତିମନ୍ତ ହେବେ । ହେ ଭରତର୍ଷଭ ! ନରପତେ ! ଶତ୍ରୁପୁରବିଜୟୀ ନଳ ଦ୍ୟୂତକ୍ରୀଡ଼ାଦୋଷରୁ ଭାର୍ଯ୍ୟାଙ୍କ ସହିତ ଏତାଦୃଶ କ୍ଲେଶପ୍ରାପ୍ତ ହୋଇଥିଲେ ।୬। ହେ ପୃଥ୍ୱୀନାଥ ! ନଳରାଜା ଏକାକୀ ସହାୟବିହୀନ ହୋଇ ସୁମହତ ଓ ଘୋର ଦୁଃଖକୁ ଭୋଗ କରିଥିଲେ । ତଥାପି ପୁନର୍ବାର ଅଭ୍ୟୁଦୟ ମଧ୍ୟ ଲଭିଥିଲେ ।୭।

 

କିନ୍ତୁ ହେ ପାଣ୍ଡବ ! ଆପଣ ଭ୍ରାତୃଗଣ ଓ ଭାର୍ଯ୍ୟାଙ୍କ ସହିତ ଏହି ମହାରଣ୍ୟ ମଧ୍ୟରେ ଧର୍ମର ଅନୁଶୀଳନ କରି ସୁଖରେ କ୍ରୀଡ଼ା କରୁଅଛନ୍ତି ।୮। ହେ ମହାରାଜ ! ଯେଉଁ ସ୍ଥଳେ ବେଦବେଦାଙ୍ଗପାରଗ ମହାଭାଗ ବ୍ରାହ୍ମଣମାନଙ୍କ ସହିତ ନିତ୍ୟ ଆପଣଙ୍କର ସହବାସ ହେଉଅଛି, ସେ ସ୍ଥଳେ ଆପଣଙ୍କର ପରିବେଦନାର ବିଷୟ କ’ଣ ଅଛି ?୯। ନାଗରାଜ କକୋଟକ, ଦମୟନ୍ତୀ, ପୁଣ୍ୟଶ୍ଲୋକ ନଳ ଓ ରାଜା ଋତୁପର୍ଣ୍ଣ ଏହି ଚାରିଜଣଙ୍କର ନାମ ସ୍ମରଣ କଲେ କଳିଠାରୁ ଭୟ ହୁଏ ନାହିଁ ।୧୦। ହେ ରାଜନ୍‌ ! କଳିନାଶନ ଏହି ଇତିହାସକୁ ଭବାଦୃଶ ବ୍ୟକ୍ତି ଶ୍ରବଣ କରି ଆଶ୍ୱସ୍ତ ହୋଇପାରନ୍ତି ।୧୧।

 

ହେ ନୃପତେ ! ପୁରୁଷାର୍ଥ ଅସ୍ଥାୟୀ; କଦାପି ସ୍ଥାୟୀ ନୁହେଁ । ଅତଏବ ଆପଣଙ୍କ ସଦୃଶ ପୁରୁଷ ତାହାର ଉତ୍ପତ୍ତି ଅଥବା ବିନାଶରେ ଚିନ୍ତା କରିବା ଉଚିତ ହୁଏ ନାହିଁ ।୧୨। ଆପଣ ଏହି ଇତିହାସ ଶ୍ରବଣ କରି ଆଶ୍ୱାସିତ ହେଉନ୍ତୁ । ହେ ମହାରାଜ ! ବ୍ୟସନ ଉପସ୍ଥିତ ହୋଇଅଛି ବୋଲି କଦାପି ଶୋକ କରିବେ ନାହିଁ ।୧୩। ଅଦୃଷ୍ଟର ବିଷମତା ହେତୁରୁ ପୁରୁଷକାର ବ୍ୟର୍ଥ ହେଲେ ସତ୍ତ୍ୱଗୁଣାବଲମ୍ବୀ ବ୍ୟକ୍ତିମାନେ କଦାପି ଆତ୍ମାକୁ ବିଷଣ୍ଣ କରନ୍ତି ନାହିଁ ।୧୪। ଯେଉଁମାନେ ନଳଙ୍କର ଏହି ମହତ ଚରିତ୍ରକୁ ପୁନଃପୁନଃ ଶ୍ରବଣ ଓ କୀର୍ତ୍ତନ କରିବେ, ଅଲକ୍ଷ୍ମୀ ସେମାନଙ୍କୁ କଦାପି ଭଜନ କରିବେ ନାହିଁ ।୧୫। ସେମାନଙ୍କର ଅର୍ଥ ଉତ୍ପନ୍ନ ହେବ ଓ ଲୋକରେ ସେ ଧନ୍ୟ ହେବେ । ମନୁଷ୍ୟ ଏହି ପୁରାତନ ଓ ଉତ୍କୃଷ୍ଟ ଇତିହାସକୁ ବାରମ୍ବାର ଶ୍ରବଣ କଲେ ପୁତ୍ର, ପୌତ୍ର, ପଶୁ ଓ ଲୋକ ମଧ୍ୟରେ ପ୍ରାଧାନ୍ୟ ଲାଭ କରନ୍ତି । ତାହାଙ୍କର ଶରୀର ନିରୋଗ ହୁଏ ଓ ସେ ଲୋକରେ ପ୍ରୀତ ହୁଅନ୍ତି । ଏଥିରେ କିଛିମାତ୍ର ସଂଶୟ ନାହିଁ ।୧୭। ହେ ପାର୍ଥିବ ! ତୁମ୍ଭେ ଯେବେ ଭୟରେ ତ୍ରସ୍ତ ହୁଅ, ତେବେ ପୁନର୍ବାର ମୋତେ ସ୍ମରଣ କରିବ । ମୁଁ ଅକ୍ଷଜ୍ଞ । ତୁମ୍ଭର ସେହି ଭୟ ବିନାଶ କରିବି ।୧୮। ହେ ସତ୍ୟପରାକ୍ରମ ! ସମୁଦାୟ ଅକ୍ଷବିଦ୍ୟାକୁ ମୁଁ ଅବଗତ ଅଛି । ହେ କୌନ୍ତେୟ ! ମୁଁ ତୁମ୍ଭଠାରେ ପ୍ରସନ୍ନ ହୋଇଅଛି । ମୁଁ କହୁଅଛି, ତୁମ୍ଭେ ଗ୍ରହଣ କର ।୧୯।

 

ବୈଶମ୍ପାୟନ ବୋଇଲେ, ତଦନନ୍ତର ରାଜା ଯୁଧିଷ୍ଠିର ହୃଷ୍ଟ ହୋଇ ବୃହଦଶ୍ୱଙ୍କୁ କହିଲେ, “ହେ ଭଗବନ୍‍ ! ମୁଁ ଦ୍ୟୂତକ୍ରୀଡ଼ାରେ ନିପୁଣ ହେବାକୁ ଅଭିଳାଷ କରେ ।୨୦। ତଦନନ୍ତର ମହାତପସ୍ୱୀ ବୃହଦଶ୍ୱ ମହାତ୍ମା ପାଣ୍ଡବଙ୍କୁ ଅକ୍ଷହୃଦୟ ପ୍ରଦାନ କରି ସ୍ନାନ ନିମିତ୍ତ ହୟଶିରା ତୀର୍ଥକୁ ଗମନ କଲେ ।୨୧। ବୃହଦଶ୍ୱ ପ୍ରସ୍ଥାନ କରନ୍ତେ, ଦୃଢ଼ବ୍ରତ ଯୁଧିଷ୍ଠିର ଶ୍ରବଣ କଲେ ଯେ, ସବ୍ୟସାଚୀ ବାୟୁଭକ୍ଷ ହୋଇ ଉଗ୍ର ତପସ୍ୟାରେ ମଗ୍ନ ହୋଇଅଛନ୍ତି । ତୀର୍ଥ, ଶୈଳ, ବନ ଓ ଅନ୍ୟାନ୍ୟ ସ୍ଥାନରୁ ସମାଗତ ତପସ୍ୱୀ ବ୍ରାହ୍ମଣମାନେ ଯୁଧିଷ୍ଠିରଙ୍କୁ ଏହି ସମାଚାର କହିଲେ ।୨୩। ସେମାନେ କହିଲେ ଯେ ପୃଥାଙ୍କ ପୁତ୍ର ମହାବାହୁ ଅର୍ଜୁନ ଦୁସ୍ତର ତପସ୍ୟାରେ ଅଛନ୍ତି । ପୂର୍ବେ କଦାପି କେହି ଏପରି ଉଗ୍ର ତପସ୍ୟା କରିବାର ଦେଖା ନ ଥିଲା । ପୃଥାପୁତ୍ର ତପସ୍ୱୀ ଧନଞ୍ଜୟ ନିୟତବ୍ରତ ଓ ମୌନ ହୋଇ ଏକାକୀ ଶ୍ରୀମାନ ଧର୍ମମୂର୍ତ୍ତିଧାରୀ ହେଲା ପ୍ରାୟ ଦୃଶ୍ୟ ହେଉଅଛନ୍ତି ।୨୫। ହେ ରାଜନ୍‌ ! ପ୍ରିୟଭ୍ରାତା ଅର୍ଜୁନ ମହାରଣ୍ୟରେ ତାଦୃଶ ତପସ୍ୟା କରୁଥିବାର ଶୁଣି ଯୁଧିଷ୍ଠିର ଶୋଚନା କଲେ ଓ ମହାବନ ମଧ୍ୟରେ ଦୁଃଖିତ ହୃଦୟରେ ଶରଣାର୍ଥୀ ହୋଇ ଜ୍ଞାନସମ୍ପନ୍ନ ବ୍ରାହ୍ମଣମାନଙ୍କୁ ବାରମ୍ବାର ପଚାରିଲେ ।୨୭।

 

॥ ଅଧ୍ୟାୟ – ୮୦ ॥

 

ଜନମଜେୟ ପଚାରିଲେ, ହେ ଭଗବାନ୍‌ ! ଆମ୍ଭର ପ୍ରପିତାମହ ପାର୍ଥ କାମ୍ୟକ ବନରୁ ଗମନ କରନ୍ତେ ତାହାଙ୍କ ବ୍ୟତିରେକେ ପାଣ୍ଡବମାନେ କ’ଣ କଲେ ? ସବ୍ୟସାଚୀ ବ୍ୟତିରେକେ କି ରୂପେ ସେମାନେ କାଳକ୍ଷେପଣ କଲେ ?୧। ଆମ୍ଭ ବିବେଚନାରେ ବିଷ୍ଣୁ ଯେପରି ଦେବତାମାନଙ୍କର ଗତି, ସେହିପରି ମହାଧନୁର୍ଦ୍ଧର ପରସୈନ୍ୟ ବିଜୟୀ ଅର୍ଜୁନ ମଧ୍ୟ ପାଣ୍ଡବମାନଙ୍କର ଗତି ଥିଲେ; ଏଥିରେ ସଂଶୟ ନାହିଁ । ଅତଏବ ସମରକ୍ଷେତ୍ରରେ ଅପରାଙ୍ମୁଖ ସେହି ଅର୍ଜୁନଙ୍କ ବ୍ୟତିରେକେ ଆମ୍ଭର ବୀର ପ୍ରପିତାମହମାନେ କି ପ୍ରକାରେ ବନ ମଧ୍ୟରେ କାଳଯାପନ କରିଥିଲେ ?୩।

 

ବୈଶମ୍ପୟାନ ଭାଷିଲେ– ହେ ତାତ ! ସତ୍ୟବିକ୍ରମ ଧନଞ୍ଜୟ କାମ୍ୟକ ବନରୁ ଗମନ କରନ୍ତେ ପଣ୍ଡୁପୁତ୍ରମାନେ ଶୋକରେ ଅଭିଭୂତ ହେଲେ । ସେମାନେ ସମସ୍ତେ ଅପ୍ରୀତି ଚିତ୍ତରେ ଛିନ୍ନସୂତ୍ର ମଣିମାଳାପ୍ରାୟ ଓ ଛିନ୍ନପକ୍ଷ ବିଙ୍ଗମସଦୃଶ ହୋଇଥିଲେ ।୫। କୁବେରଙ୍କ ବ୍ୟତିରେକେ ଚୈତ୍ରରଥ ବନ ଯେପରି ହୁଏ, ପୁଣ୍ୟକର୍ମା ଅର୍ଜୁନଙ୍କ ବିହୀନରେ କାମ୍ୟକ ବନ ମଧ୍ୟ ତଦ୍ରୂପ ଶୋଭା ପାଇଲା ନାହିଁ ।୬। ହେ ଜନେମେଜୟ ! ନରଶ୍ରେଷ୍ଠ ପାଣ୍ଡବମାନେ ଅର୍ଜୁନଙ୍କ ବିରହରେ ଅସୁଖୀ ହୋଇ କାମ୍ୟକ ବନରେ ବାସ କରିଥିଲେ ।୭। ହେ ଭରତବଂଶର ଅବତଂସ ! ସେହି ପରାକ୍ରମଶୀଳ ମହାରଥୀମାନେ ବ୍ରାହ୍ମଣମାନଙ୍କ ନିମିତ୍ତ ବିଶୁଦ୍ଧ ବାଣଦ୍ୱାରା ବହୁପ୍ରକାର ଯଜ୍ଞୀୟ ପଶୁମାନଙ୍କୁ ବଧ କରୁଥିଲେ । ସେହି ଅରିନ୍ଦମ ପୁରୁଷସିଂହମାନେ ନିତ୍ୟ ନିତ୍ୟ ବନ୍ୟ ଆହାରକୁ ସଂଗ୍ରହ କରି, ତାହାକୁ ସଂସ୍କାର କରି ବ୍ରାହ୍ମଣମାନଙ୍କୁ ନିବେଦନ କରିଥିଲେ ।

 

ହେ ମହାରାଜ ! ଧନଞ୍ଜୟ ଗମନାନ୍ତେ ସେହି ପୁରୁଷଶ୍ରେଷ୍ଠମାନେ ସମସ୍ତେ ଶୋକାର୍ତ୍ତ ହୋଇ କାମ୍ୟକ ବନ ମଧ୍ୟରେ ଅଧିବସତି କଲେ । ବିଶେଷରେ ଦିନେ ପାଞ୍ଚାଳ ରାଜନନ୍ଦିନୀ ମଧ୍ୟମପତି ଅର୍ଜୁନଙ୍କୁ ସ୍ମରଣ କରି ଉଦ୍‌ବିଗ୍ନ ଚିତ୍ତରେ ଯୁଧିଷ୍ଠିରଙ୍କୁ କହିଲେ ।୧୧। ଯେ ଦ୍ୱିବାହୁ ହୋଇ ସହସ୍ରବାହୁ ଇନ୍ଦ୍ରଙ୍କ ତୁଲ୍ୟ, ସେହି ପାଣ୍ଡବଶ୍ରେଷ୍ଠ ଅର୍ଜୁନଙ୍କ ବ୍ୟତିରେକେ ଏହି କାମ୍ୟକ ବନ ମୋତେ ଶୋଭାନ୍ୱିତ ବୋଧ ହେଉନାହିଁ ।୧୨। ଏହି ପୃଥିବୀର ଯେଉଁ ଦିଗକୁ ମୁଁ ଚାହୁଁଅଛି, ସେହି ଦିଗ ମୋତେ ଶୂନ୍ୟପ୍ରାୟ ଦିଶୁଅଛି । କୁସୁମିତ ତରୁଗଣରେ ଏହି ବନ ସୁଶୋଭିତ ଓ ଅନେକ ଆଶ୍ଚର୍ଯ୍ୟ ଦ୍ରବ୍ୟରେ ପରିପୂର୍ଣ୍ଣ ହେଲେ ହେଁ ଅର୍ଜୁନଙ୍କ ବିହୀନରେ ତାଦୃଶ ରମଣୀୟ ବୋଧ ହେଉନାହିଁ । ନିବିଡ଼ ନୀଳ ମେଘ ପ୍ରାୟ ଶ୍ୟାମଳବର୍ଣ୍ଣ ଓ ମତ୍ତମାତଙ୍ଗସଦୃଶ ବିକ୍ରମଶାଳୀ କମଳଲୋଚନଙ୍କ ବ୍ୟତିରେକେ ଏହି କାମ୍ୟକ କାନନ ଆମ୍ଭ ନିକଟରେ ଶୋଭା ପାଉନାହିଁ । ହେ ରାଜନ୍‌ ! ବଜ୍ରସ୍ୱନସଦୃଶ ଯାହାଙ୍କର ଶରାସନ ନିଃସ୍ୱନ ସର୍ବଦା ଶ୍ରୁତିଗୋଚର ହେଉଥିଲା, ସେହି ସବ୍ୟସାଚୀଙ୍କୁ ସ୍ମରଣ କରି ଆମ୍ଭେ ସୁଖଲାଭ କରିପାରୁ ନାହୁଁ ।୧୫।

 

ହେ ମହାରାଜ ! ଶତ୍ରୁମର୍ଦ୍ଦନ ଭୀମସେନ ଦେଖିଲେ ଯେ ଦ୍ରୌପଦୀ ଏରୂପ ପୁନଃ ପୁନଃ ରୋଦନ କରୁଅଛନ୍ତି । ତହୁଁ ତାହାଙ୍କୁ ବୁଝାଇ କହିଲେ ।୧୬। ହେ ଭଦ୍ରେ ! ସୁମଧ୍ୟମେ ! ତୁମ୍ଭେ ଯେଉଁ ପ୍ରୀତିଜନକ ମଧୁରବାକ୍ୟ କହୁଅଛ, ତାହା ମୋତେ ଏତାଦୃଶ ସୁଖକର ବୋଧ ହେଉଅଛି ଯେ ଅମୃତ ଭୋଜନ କଲେ ଯେପରି ତୃପ୍ତି ହୁଏ, ସେହପରି ମୋର ମନ ପ୍ରସନ୍ନ ହେଉଅଛି ।୧୭। ଯାହାଙ୍କର ଭୁଜଦ୍ୱୟ ସମ, ସୁଦୀର୍ଘ, ପୀନ, ପରିଘସଦୃଶ ବର୍ତ୍ତୁଳ, ଗୁଣକୁ ଆକର୍ଷଣ କରିବାରୁ ଯେ* କିଣଯୁକ୍ତ ହୋଇଅଛି, ସୁବର୍ଣ୍ଣବଳୟରେ ଭୂଷିତ, ଖଡ଼୍‌ଗ ଓ ଧନୁର୍ବାଣ ଧରିବାରେ ସମର୍ଥ ଓ ପଞ୍ଚଶିରା ଭୁଜଙ୍ଗମ ସଦୃଶ, ସେହି ପୁରୁଷଶ୍ରେଷ୍ଠ ଅର୍ଜୁନଙ୍କ ବ୍ୟତିରେକେ ଏହି ବନ ଆମ୍ଭଙ୍କୁ ସୂର୍ଯ୍ୟହୀନ ଆକାଶ ସଦୃଶ ବୋଧ ହେଉଅଛି ।୧୯। କୁରୁ ଓ ପାଞ୍ଚାଳମାନେ ଯେଉଁ ବାହୁକୁ ଆଶ୍ରୟ କରି ଦେବଗଣଙ୍କ ସୈନ୍ୟକୁ ସୁଦ୍ଧା ଭୟ କରନ୍ତି ନାହିଁ, ଯେଉଁ ମହାତ୍ମାଙ୍କ ବାହୁଦ୍ୱୟକୁ ଆଶ୍ରୟ କରି ଆମ୍ଭେମାନେ ଜାଣୁଅଛୁଁ ଯେ ଆମ୍ଭର ଶତ୍ରୁମାନେ ପରାସ୍ତ ହେଲେଣି ଓ ଆମ୍ଭର ରାଜ୍ୟକୁ ଆମ୍ଭେମାନେ ଫେରି ପାଇଲୁଣି, ସେହି ବୀର ଫାଲ୍‌ଗୁନୀଙ୍କ ବିରହରେ ଆମ୍ଭେମାନେ ଏହି କାମ୍ୟକ ବନରେ ଧୈର୍ଯ୍ୟଧରି ରହିପାରୁନାହୁଁ । ପୃଥିବୀର ସବୁ ସ୍ଥାନ ମୋତେ ଶୂନ୍ୟପ୍ରାୟ ବୋଧ ହେଉଅଛି । ଦିଗମାନ ମୋତେ ଶୂନ୍ୟ ଓ ଅନ୍ଧକାରମୟ ଦିଶୁଅଛି ।୨୨।

 

[* କିଣର ଅର୍ଥ ବିର୍ଣ୍ଣ । ଯେଉଁ ସ୍ଥାନ ସର୍ବଦା ଆଘାତ ପାଇବାରୁ ରକ୍ତଶୂନ୍ୟ ହୋଇ ଟାଣ ହୋଇଯାଏ ।]

 

ତଦନନ୍ତର ପାଣ୍ଡୁନନ୍ଦନ ନକୁଳ ଅଶ୍ରୁପାତ କରି ଗଦଗଦ ସ୍ୱରରେ କହିଲେ–ଯାହାଙ୍କର ସମରକ୍ଷେତ୍ରରେ ବୀରତ୍ୱକୁ ଦେବତାମାନେ କୀର୍ତ୍ତନ କରନ୍ତି, ଯୋଦ୍ଧାଙ୍କ ପ୍ରଧାନ ସେହି ସବ୍ୟସାଚୀଙ୍କ ବ୍ୟତିରେକେ ଏହି ବନ ଆଉ ଆମ୍ଭମାନଙ୍କର ପ୍ରୀତିପଦ ହେଉନାହିଁ ।୨୩। ଯେଉଁ ମହାଦ୍ୟୁତି ଅର୍ଜୁନ ଉତ୍ତର ଦିଗକୁ ଗମନ କରି ଯୁଦ୍ଧ ସ୍ଥଳରେ ଶତଶତ ମହାବଳ ଗନ୍ଧର୍ବମାନଙ୍କୁ ଜୟ କରିଥିଲେ, ସେ ତିତ୍ତିରୀ ପକ୍ଷୀ ସଦୃଶ ବିଚିତ୍ର ବର୍ଣ୍ଣ ଓ ବାୟୁପ୍ରାୟ ବେଗଶୀଳ ଓ ସୁନ୍ଦର ଅଶ୍ୱମାନଙ୍କୁ ଆଣିଥିଲେ ।୨୪। ଯେ ସେହି ଅଶ୍ୱମାନଙ୍କୁ ପ୍ରୀତଚିତ୍ତରେ ଜ୍ୟେଷ୍ଠଭ୍ରାତା ମହାରାଜାଙ୍କୁ ରାଜସୂୟ ଯଜ୍ଞବେଳେ ପ୍ରଦାନ କରିଥିଲେ, ସେହି ଅମରସମ ଭୀମଧନ୍ୱା ଭୀମାର୍ଜନ ନ ଥିବାରୁ କାମ୍ୟକବନରେ ଆଉ ବାସ କରିବାକୁ ମୋର ଅଭିଳାଷ ହେଉନାହିଁ ।୨୬।

 

ସହଦେବ କହିଲେ–ପୂର୍ବେ ଯେ ରାଜା ଯୁଧିଷ୍ଠିରଙ୍କ ନିମିତ୍ତ ରାଜସୂୟ ମହାକ୍ରତୁ ଉପଲକ୍ଷରେ ଯୁଦ୍ଧରେ ମହାରଥୀମାନଙ୍କୁ ଜୟକରି ବହୁ ଧନ ଓ କନ୍ୟାମାନଙ୍କୁ ଆହରଣ କରିଥିଲେ-।୨୭। ଯେଉଁ ଅମିତତେଜସ୍ୱୀ ଏକାକୀ ସମରକ୍ଷେତ୍ରରେ ମିଳିତ ଯଦୁବୀରମାନଙ୍କୁ ପରାଜିତ କରି ବାସୁଦେବଙ୍କ ସଦନରୁ ସୁଭଦ୍ରାଙ୍କୁ ହରଣ କରି ନେଇଥିଲେ ।୨୮। ହେ ଭାରତ ! ଯେଉଁ ମହାତ୍ମା ଦ୍ରୁପଦ ମହୀପତିଙ୍କ ରାଜ୍ୟକୁ ଛଡ଼ାଇ ଆଣି ଦ୍ରୋଣାଚାର୍ଯ୍ୟଙ୍କୁ ଗୁରୁଦକ୍ଷିଣା ଦେଇଥିଲେ, ହେ ମହାରାଜ ! ସେହି ଜିଷ୍ଣୁଙ୍କର କୁଶାସନ ଆମ୍ଭମାନଙ୍କର ନିକେତନରେ ଶୂନ୍ୟ ରହିଥିବାର ଦେଖି ମୋର ହୃଦୟ କ୍ଷଣମାତ୍ର ଶାନ୍ତିଲାଭ କରୁନାହିଁ ।୨୯। ହେ ଅରିନ୍ଦମ ! ଏହି ବନରୁ ଆମ୍ଭେ ବନାନ୍ତରକୁ ଯିବାର ଇଚ୍ଛା କରୁଅଛୁଁ । ଯେହେତୁ ସେହି ବୀରଙ୍କ ବ୍ୟତିରେକେ ଏହି ବନ ଆମ୍ଭମାନଙ୍କର ମନୋରମ ହେଉନାହିଁ ।୩୦।

 

॥ ଅଧ୍ୟାୟ – ୮୧ ॥

 

ବୈଶମ୍ପାୟନ ଭାଷିଲେ–ଧନଞ୍ଜୟଙ୍କ ଅଭାବରେ ଭ୍ରାତାମାନଙ୍କର ଉତ୍କଣ୍ଠା ଓ କୃଷ୍ଣାଙ୍କ କଥିତ ବାକ୍ୟକୁ ଧର୍ମରାଜ ଶ୍ରବଣ କରି ଉନ୍ମନା ହେଲେ ।୧। ତଦନନ୍ତର ସେ ଦେଖିଲେ ଯେ ଅଗ୍ନିରେ ଆହୁତି ଦେଲେ ତାହା ଯେପରି ତେଜରେ ପ୍ରଜ୍ୱଳିତ ହୁଏ, ସେହିପରି ବ୍ରହ୍ମତେଜରେ ଦୀପ୍ୟମାନ ମହାତ୍ମା ନାରଦ ଆସୁଅଛନ୍ତି । ଦେବର୍ଷିଙ୍କୁ ସମାଗତ ଦେଖି ଧର୍ମରାଜ ଭ୍ରାତୃଗଣଙ୍କ ସହିତ ଉତ୍‌ଥିତ ହୋଇ ଯଥାବିଧିରେ ତାହାଙ୍କର ପୂଜା କଲେ ।୩।

 

ପ୍ରଭାବଶାଳୀ ଦୀପ୍ୟମାନ କୁରୁଷତ୍ତମମାନେ ନାରଦଙ୍କୁ ଘେରିବାରୁ ଦେବଗଣରେ ବେଷ୍ଟିତ ଇନ୍ଦ୍ରଙ୍କ ସଦୃଶ ସେହି ଦେବର୍ଷି ଶୋଭାନ୍ୱିତ ହେଲେ ।୪। ସୂର୍ଯ୍ୟପ୍ରଭା ଯେପରି ସୁମେରୁକୁ ତ୍ୟାଗ କରେ ନାହିଁ ଓ ସାବିତ୍ରୀଦେବୀ ଦେବମାନଙ୍କୁ ତ୍ୟାଗ କରନ୍ତି ନାହିଁ, ସେହିପରି ଯାଜ୍ଞସେନୀ ମଧ୍ୟ ତାହାଙ୍କର ପତି ପାଣ୍ଡବମାନଙ୍କୁ ଧର୍ମାନୁସାରେ ପରିତ୍ୟାଗ କରନ୍ତି ନାହିଁ । ସୁତରାଂ ସେ ମଧ୍ୟ ତତ୍କାଳରେ ସେମାନଙ୍କର ଅନୁବର୍ତ୍ତିନୀ ହୋଇଥିଲେ ।୫। ହେ ଅନଘ ! ମହାତ୍ମା ଧର୍ମନନ୍ଦନଙ୍କ ଠାରୁ ପୂଜା ଗ୍ରହଣ କରି ଭଗବାନ ନାରଦ ଋଷି ତାହାଙ୍କୁ ସମୁଚିତ ଆଶ୍ୱାସ ପ୍ରଦାନ କଲେ । ହେ ଧାର୍ମିକଶ୍ରେଷ୍ଠ ! ସମ୍ପ୍ରତି ତୁମ୍ଭର କି ପ୍ରୟୋଜନ ? ଆମ୍ଭେ ତୁମ୍ଭଙ୍କୁ କଣ ପ୍ରଦାନ କରିବୁ ? ତାହା କହ । ଧର୍ମପୁତ୍ର ରାଜା ଯୁଧିଷ୍ଠିର ଓ ତାହାଙ୍କର ଭ୍ରାତାମାନେ କୃତାଞ୍ଜଳି ପୁଟରେ ଦେବମାନ୍ୟ ନାରଦଙ୍କୁ ପ୍ରଣାମ କରି ଭାଷିଲେ, ହେ ସୁବ୍ରତ ! ମହାଭାଗ ! ଆପଣ ସର୍ବଲୋକପୂଜିତ ! ଆପଣ ଯେତେବେଳେ ଆମ୍ଭ ପ୍ରତି ପରିତୁଷ୍ଟ ହୋଇଅଛନ୍ତି, ତେତେବେଳେ ଆମ୍ଭେ ନିଜକୁ କୃତକୃତ୍ୟ ମଣୁଅଛୁଁ ।୯। ତଥାପି ହେ ବିଶୁଦ୍ଧାତ୍ମନ୍ ମୁନିବର ! ଯଦି ଆପଣ ଆମ୍ଭ ପ୍ରତି ଓ ଆମ୍ଭ ଭ୍ରାତୃଗଣଙ୍କ ପ୍ରତି ଅନୁଗ୍ରହ କରନ୍ତି, ତେବେ ଆମ୍ଭ ଅନ୍ତଃକରଣରେ ଯେ ଗୋଟିଏ ସନ୍ଦେହ ଅଛି, ତାହାକୁ ଛେଦନ କରନ୍ତୁ । ଯେଉଁ ବ୍ୟକ୍ତି ତତ୍ପର ହୋଇ ତୀର୍ଥଦର୍ଶନାର୍ଥ ପୃଥିବୀ ପର୍ଯ୍ୟଟନ କରେ, ତାହାର କି ଫଳ ହୁଏ ? ଆପଣ ତାହା ବିଶେଷରୂପେ ଭାଷିବା ହେଉନ୍ତୁ ।୧୧।

 

ନାରଦ କହିଲେ, ହେ ରାଜନ୍‌ ! ପୂର୍ବେ ଭୀଷ୍ମ ଏହି କଥା ଯେପରି ପୁଲସ୍ତ୍ୟଙ୍କ ଠାରୁ ଶ୍ରବଣ କରିଥିଲେ, ତୁମ୍ଭେ ତାହା ଅବହିତ ହୋଇ ଆମ୍ଭଠାରୁ ଶ୍ରବଣ କର ।୧୨। ଧାର୍ମିକ ପ୍ରବର ଭୀଷ୍ମ ପୂର୍ବକାଳରେ ପିତୃବ୍ରତ ଅବଲମ୍ବନ କରି ମୁନିମାନଙ୍କ ସହିତ ଭାଗୀରଥୀ ତୀରରେ ବାସ କରିଥିଲେ-।୧୩। ହେ ରାଜନ୍‌ ! ଭୀଷ୍ମ ମହାତେଜସ୍ୱୀ, ତାହାଙ୍କର ଦ୍ୟୂତି ଅପରିମିତ, ଯେଉଁ ଗଙ୍ଗାଦ୍ୱାରରେ ଗନ୍ଧର୍ବ ଦେବର୍ଷିମାନେ ବାସ କରନ୍ତି, ସେହି ଶୁଭ ଓ ପବିତ୍ର ସ୍ଥାନରେ ଭୀଷ୍ମ ରହି ଦେବ, ପିତୃ ଓ ଋଷିଗଣଙ୍କୁ ପରିତୃପ୍ତ କରୁଥିଲେ ।୧୫। ଏକଦା ସେହି ମହାଯଶସ୍ୱୀ ବସି ଜପ କରୁଥିଲେ । ଏହି ଅବସରରେ ସେ ପ୍ରଭାବଶାଳୀ ଋଷିସତ୍ତମ ପୁଲସ୍ତ୍ୟଙ୍କୁ ଦର୍ଶନ କଲେ ।୧୬। ନିଜ କାନ୍ତିରେ ଦେଦୀପ୍ୟମାନ ସେହି ଉଗ୍ରତପସ୍ୱୀଙ୍କୁ ଦର୍ଶନ କରିବା ମାତ୍ରେ ଭୀଷ୍ମ ବିସ୍ମୟାନ୍ୱିତ ହୋଇ ପରମାନନ୍ଦ ଲାଭ କଲେ ।୧୭।

 

ହେ ଭାରତ ! ଧାର୍ମିକବର ପୂଜନୀୟ ଭୀଷ୍ମ ମହାଭାଗ ଋଷିଙ୍କୁ ଉପନୀତ ହେବାର ଦେଖି ବିଧିବୋଧିତ କର୍ମଦ୍ୱାରା ତାହାଙ୍କର ପୂଜା କଲେ ।୧୮। ତତ୍‍ପରେ ଶୁଚି ଓ ସଂଯତ ଚିତ୍ତ ହୋଇ ମସ୍ତକରେ ଅର୍ଘ୍ୟ ଗ୍ରହଣ କରି ସେହି ବ୍ରହ୍ମଋଷି ପ୍ରବରଙ୍କ ସମୀପରେ ନିଜ ନାମ କୀର୍ତ୍ତନ କଲେ;ଅଥଚ କହିଲେ, ହେ ସୁବ୍ରତ ! ଆପଣଙ୍କର ଶୁଭ ହେଉ । ମୁଁ ଆପଣଙ୍କର ଦାସ ଭୀଷ୍ମ । ଆପଣଙ୍କୁ ଦର୍ଶନ କରିବା ମାତ୍ର ଆମ୍ଭେ ସର୍ବପାପରୁ ବିମୁକ୍ତ ହେଲୁ ।୨୦। ହେ ମହାରାଜ ଯୁଧିଷ୍ଠିର ! ଧାର୍ମିକୋତ୍ତମ ଭୀଷ୍ମ ଏହିରୂପ କହି ବାକ୍ୟ ସଂଯମ କରି କୃତାଞ୍ଜଳି ହୋଇ ରହିଲେ । କୁରୁକୁଳଶ୍ରେଷ୍ଠ ଭୀଷ୍ମଙ୍କୁ ନିୟମରେ ରତ ଓ ବେଦାଧ୍ୟୟନରେ ଆକର୍ଷିତ ଦେଖି ଋଷିସତ୍ତମ ପୁଲସ୍ତ୍ୟଙ୍କର ଚିତ୍ତ ପ୍ରୀତ ହେଲା ।୨୬।

 

॥ ଅଧ୍ୟାୟ – ୮୨ ॥

 

ପୁଲସ୍ତ୍ୟ ଭାଷିଲେ– ହେ ସୁବ୍ରତ ! ହେ ଧର୍ମଜ୍ଞ ! ଆପଣ ମହାଭାଗ ଅଟନ୍ତି । ଆପଣଙ୍କର ଜିତେନ୍ଦ୍ରିୟପଣ ଓ ସତ୍ୟରେ ନିଷ୍ଠା ଦେଖି ଆମ୍ଭେ ଅତିଶୟ ସନ୍ତୁଷ୍ଟ ହୋଇଅଛୁ ।୧। ହେ ପୁତ୍ର ! ତୁମ୍ଭେ ପାପଶୂନ୍ୟ, ପିତୃଭକ୍ତ । ହେ ଗୁରୋ ! ତୁମ୍ଭେ ଏହି ଧର୍ମକୁ ଆଶ୍ରୟ କରିଅଛ । ଏହି କାରଣରୁ ମୋତେ ଦେଖିବାକୁ ସମର୍ଥ ହେଲ । ତୁମ୍ଭ ପ୍ରତି ମୋର ଅତିଶୟ ପ୍ରୀତି ଜାତ ହୋଇଅଛି ।୨। ହେ ଭୀଷ୍ମ ! ତୁମ୍ଭେ କୁରୁକୁଳର ଶ୍ରେଷ୍ଠ ଓ ତୁମ୍ଭ ମନ ନିର୍ମଳ । ଆମ୍ଭଙ୍କୁ ଯେ ଦର୍ଶନ କଲ, ତାହା ନିଷ୍ଫଳ ହେବ ନାହିଁ । ଅତଏବ ତୁମ୍ଭର କି କାର୍ଯ୍ୟ କରିବୁ, ତାହା କହ । ତୁମ୍ଭେ ଯାହା ମାଗିବ, ଆମ୍ଭେ ତୁମ୍ଭଙ୍କୁ ତାହା ଦେବୁ ।

 

ଭୀଷ୍ମ କହିଲେ, ହେ ମହାଭାଗ ! ଆପଣ ସର୍ବଲୋକପୂଜିତ । ଅତଏବ ଆପଣ ଯେତେବେଳେ ମୋ ପ୍ରତି ପ୍ରୀତ ହୋଇଅଛନ୍ତି ଓ ମୁଁ ଯେଣୁ ପ୍ରଭୁଙ୍କୁ ଦର୍ଶନ କଲି, ତେଣୁ ମୋର ସମସ୍ତ କର୍ତ୍ତବ୍ୟକର୍ମ ସମ୍ପନ୍ନ ହେଲା ।୪। ଆପଣ ତ ଧାର୍ମିକମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି । ମୋ ପ୍ରତି ଯଦ୍ୟପି ଆପଣଙ୍କର ଅନୁଗ୍ରହ ହୋଇଥାଏ, ତେବେ ମୋ ମନର ସନ୍ଦେହ ଆପଣଙ୍କୁ ଜଣାଉଅଛି । ଆପଣ ତାହାକୁ ଛେଦନ କରନ୍ତୁ ।୫। ହେ ଭଗବନ୍‌ ! ତୀର୍ଥ ବିଷୟରେ ମୋର ଅନ୍ତଃକରଣରେ ଯେଉଁ ଧର୍ମସଂଶୟ ଅଛି, ଆପଣ ତାହାକୁ ପୃଥକ୍ ପୃଥକ୍ କରି ଖଣ୍ଡନ ଓ କର୍ତ୍ତନ କରନ୍ତୁ । ମୁଁ ତାହା ଶୁଣିବାକୁ ଇଚ୍ଛା କରୁଅଛି ।୫। ଆପଣତ ଅମର ସଦୃଶ ବିପ୍ରର୍ଷି । ଯେଉଁ ବ୍ୟକ୍ତି ପୃଥିବୀକୁ ପର୍ଯ୍ୟଟନ କରେ, ତାହାର କି ଫଳ ହୁଏ, ତାହା ମୋ ନିକଟରେ ସୁନିଶ୍ଚିତ ରୂପେ ବର୍ଣ୍ଣନ କରନ୍ତୁ ।୭।

 

ପୁଲସ୍ତ୍ୟ ଭାଷିଲେ– ହେ ପୁତ୍ର ! ଋଷିମାନଙ୍କର ପ୍ରଧାନ କାର୍ଯ୍ୟ ତୀର୍ଥପର୍ଯ୍ୟଟନ କରିବା । ତାହାର ଯେଉଁ ଫଳ, ତାହା ମୁଁ କହୁଅଛି, ଏକାଗ୍ରମନା ହୋଇ ଶ୍ରବଣ କରନ୍ତୁ ।୮। ଯାହାଙ୍କର କର୍ମେନ୍ଦ୍ରିୟ ଓ ଜ୍ଞାନେନ୍ଦ୍ରିୟମାନେ ବଶୀଭୂତ ହୋଇଅଛନ୍ତି, ଯାହାଙ୍କର ବିଦ୍ୟା ଅଭିଚାର କର୍ମରେ ପ୍ରବୃତ୍ତ ନ ହୁଏ, ପ୍ରତିଗ୍ରହ ନ କରି ଯାହା ତାହା ଘେନି ସନ୍ତୁଷ୍ଟ ହୁଏ, ଅହଙ୍କାରଶୂନ୍ୟ ହୁଏ, ସେହି ବ୍ୟକ୍ତି ତୀର୍ଥଗମନର ଫଳପ୍ରାପ୍ତ ହୁଏ । ଯାହାର ଚିତ୍ତ ବିଶୁଦ୍ଧ, ସଂକଳ୍ପରହିତ, ଯେ ଜିତେନ୍ଦ୍ରିୟ, ସର୍ବପ୍ରକାର ପାପକର୍ମରୁ ବିରତ, ସେ ତୀର୍ଥଫଳ ଭୋଗ କରନ୍ତି ।୧୧। ହେ ରାଜେନ୍ଦ୍ର ! ଯେ କ୍ରୋଧ କରନ୍ତି ନାହିଁ, ଯେ ସତ୍ୟଶୀଳ ଓ ଦୃଢ଼ବ୍ରତ, ସକଳ ପ୍ରାଣୀଙ୍କୁ ଆତ୍ମସମ ଜ୍ଞାନ କରନ୍ତି, ସେହି ବ୍ୟକ୍ତି ତୀର୍ଥର ଫଳକୁ ଉପଭୋଗ କରନ୍ତି ।୧୨। ଋଷିମାନେ ବେଦ ମଧ୍ୟରେ କ୍ରମାନ୍ୱୟରେ ଅନେକ ପ୍ରକାର ଯଜ୍ଞର ବିଧାନ କରିଅଛନ୍ତି ଓ ସେହି ଯଜ୍ଞାଚରଣରେ ଐହିକ ପାରତ୍ରିକ ଫଳଲାଭକୁ କୀର୍ତ୍ତନ କରିଅଛନ୍ତି ।୧୩। ସେହିସବୁ ଯଜ୍ଞରେ ବହୁ ପ୍ରକାର ଉପକରଣ ଓ ସମ୍ଭାର ପ୍ରୟୋଜନ ହୁଏ ।

 

ହେ ମହୀପତେ ! ଦରିଦ୍ର ବ୍ୟକ୍ତିମାନେ ସେହିସବୁ ଯଜ୍ଞର ଅନୁଷ୍ଠାନ କରିପାରନ୍ତି ନାହିଁ; କେବଳ ନୃପତିମାନେ ସେହି ଯଜ୍ଞମାନଙ୍କୁ ଅନୁଷ୍ଠାନ କରିପାରନ୍ତି । ସମୃଦ୍ଧ ବ୍ୟକ୍ତିମାନେ ମଧ୍ୟ କଦାଚିତ ସେହିପରି ଯଜ୍ଞର ଅନୁଷ୍ଠାନ କରନ୍ତି; କିନ୍ତୁ ହେ ନରେଶ୍ୱର ! ଯେଉଁମାନେ ଅଳ୍ପାର୍ଥ, ଅସହାୟ ବା ଅଳ୍ପସହାୟ, ଯଥାବିହିତ ସାଧନହୀନ, ସେମାନେ ତାଦୃଶ ଯଜ୍ଞର ଅନୁଷ୍ଠାନ କରିବାକୁ ସମର୍ଥ ହୁଅନ୍ତି ନାହିଁ । ଅତଏବ ଯେଉଁ କର୍ମ କଲେ, ସେହି ମହାଯଜ୍ଞର ଫଳସଦୃଶ ଫଳ ହୁଏ, ଅଥଚ ନିର୍ଦ୍ଧନ ବ୍ୟକ୍ତିମାନେ ମଧ୍ୟ ତାହାକୁ ସାଧନ କରିପାରନ୍ତି, ତାହା ଆମ୍ଭେ କୀର୍ତ୍ତନ କରୁଅଛୁଁ, ଶ୍ରବଣ କରନ୍ତୁ ।୧୬।

 

ହେ ଭରତସତ୍ତମ ! ତୀର୍ଥସେବନ କରିବା ଋଷିମାନଙ୍କର ଗୋଟିଏ ଗୋପନୀୟ ପୁଣ୍ୟଜନକ କର୍ମ । ଯଜ୍ଞ ଅପେକ୍ଷା ତାହା ଅଧିକ ପୁଣ୍ୟଦାୟକ ।୧୭। ମନୁଷ୍ୟ ଯେବେ ତୀର୍ଥଗମନ ନ ନରେ, ତୀର୍ଥସ୍ଥାନରେ ତ୍ରିରାତ୍ରି ବାସକରି ଗୋଦାନ ଅଥବା କାଞ୍ଚନ ଦାନ ନ କରେ, ତାହାହେଲେ ଜନ୍ମାନ୍ତରେ ସେ ଦରିଦ୍ର ହୁଏ ।୧୮। ତୀର୍ଥାଭିଗମନଦ୍ୱାରା ଯେଉଁସବୁ ଫଳଲାଭ ହୁଏ ଅଗ୍ନିଷ୍ଟୋମାଦି ଯଜ୍ଞକରି ବହୁ ଦକ୍ଷିଣା ଦେଲେ ମଧ୍ୟ ସେହି ଫଳ ପ୍ରାପ୍ତି ହୁଏନାହିଁ ।୧୯। ହେ ମହାମତେ ! ଏହି ମର୍ତ୍ତ୍ୟଲୋକରେ ଦେବଦେବଙ୍କର ତ୍ରିଲୋକ ବିଖ୍ୟାତ ପୁଷ୍କର ନାମରେ ଗୋଟିଏ ତୀର୍ଥ ଅଛି । ଭାଗ୍ୟବାନ୍ ପୁଣ୍ୟଶ୍ଲୋକ ବ୍ୟକ୍ତିମାନେ ସେଠାରେ ବାସ କରନ୍ତି ।୨୦। ହେ କୁରୁନନ୍ଦନ ! ଏହି ଭୂମଣ୍ଡଳରେ ଦଶକୋଟି ସହସ୍ର ସଂଖ୍ୟକ ତୀର୍ଥ ଅଛି । ପୁଷ୍କର ତୀର୍ଥରେ ତିନି ସନ୍ଧ୍ୟା ବାସ କଲେ ସେସବୁ ତୀର୍ଥଦର୍ଶନର ଫଳପ୍ରାପ୍ତି ହୁଏ ।୨୧। ହେ ବିଭୋ ! ସେଠାରେ ଆଦିତ୍ୟ, ବସୁ, ରୁଦ୍ର, ସାଧ୍ୟ, ଗନ୍ଧର୍ବ ଓ ଅପ୍‌ସରାଗଣ ସର୍ବଦା ସନ୍ନିହିତ ଥାନ୍ତି ।୨୨। ହେ ମହାରାଜ ! ଦେବ, ଦୈତ୍ୟ ଓ ବ୍ରହ୍ମର୍ଷିମାନେ ସେଠାରେ ତପସ୍ୟା କରି ଓ ମହାପୁଣ୍ୟ ଲାଭ କରି ଦିବ୍ୟଯୋଗସମ୍ପନ୍ନ ହୋଇଅଛନ୍ତି ।୨୩। ଯେଉଁ ମନସ୍ୱୀ ମନ ମଧ୍ୟରେ ସୁଦ୍ଧା ପୁଷ୍କର ତୀର୍ଥଦର୍ଶନର ଅଭିଳାଷ କରନ୍ତି, ତାହାଙ୍କର ସମସ୍ତ ପାପ କ୍ଷୟ ହୋଇ ଅକ୍ଷୟ ସ୍ୱର୍ଗବାସ ହୁଏ । ସ୍ୱର୍ଗଲୋକରେ ସେ ପୂଜିତ ହୁଅନ୍ତି ।୨୪। ହେ ମହାରାଜ ! ଭଗବାନ କମଳାସନ ଏହି ତୀର୍ଥରେ ନିୟତ ବାସ କରିଥାନ୍ତି ।୨୫।

 

ହେ ମହାଭାଗ ! ପୂର୍ବକାଳରେ ଦେବ ଓ ଋଷିମାନେ ପୁଷ୍କରତୀର୍ଥରେ ମହାପୁଣ୍ୟଯୁକ୍ତ ହୋଇ ପରମସିଦ୍ଧ ଲାଭ କରିଥିଲେ ।୨୬। ଦେବତା ଓ ପିତୃଗଣଙ୍କ ଅର୍ଚ୍ଚନାରେ ରତ ଥାଇ ଯେ ସେ ତୀର୍ଥରେ ଅଭିଷିକ୍ତ ହୁଅନ୍ତି, ସେ ଅଶ୍ୱମେଧ ଯଜ୍ଞରେ ଦଶ ଗୁଣ ଫଳ ଲାଭ କରନ୍ତି; ଏକଥା ମହର୍ଷିମାନେ କୀର୍ତ୍ତନ କରିଅଛନ୍ତି ।୨୭। ହେ ଭୀଷ୍ମ ! ଯେ ପୁଷ୍କର ତୀର୍ଥର ଅରଣ୍ୟରେ ରହି ଗୋଟିଏ ହେଲେ ବ୍ରାହ୍ମଣକୁ ଭୋଜନ କରାଏ, ସେ ସେହି କର୍ମ ପ୍ରଭାବରେ ଇହଲୋକରେ ଓ ପରଲୋକରେ ଆନନ୍ଦ ଭୋଗ କରେ ।୨୮। ପ୍ରାଜ୍ଞଲୋକ ଫଳମୂଳ ଓ ଶାକ ଅଥବା ଅନ୍ୟ ଯେଉଁ କୌଣସି ଦ୍ରବ୍ୟ ଭୋଜନଦ୍ୱାରା ସ୍ୱୟଂ ଜୀବନଯାତ୍ରା ନିର୍ବାହ କରନ୍ତି, ସେହି ଦ୍ରବ୍ୟ ନେଇ ସେ ଯେବେ ଶ୍ରଦ୍ଧାନ୍ୱିତ ଓ ପ୍ରସନ୍ନ ମନରେ ବ୍ରାହ୍ମଣମାନଙ୍କୁ ଭୋଜନ କରାନ୍ତି, ତେବେ ତାହାଦ୍ୱାରା ସେ ଅଶ୍ୱମେଧଯଜ୍ଞର ଫଳପ୍ରାପ୍ତ ହୁଅନ୍ତି ।୨୯।

 

ହେ ରାଜସତ୍ତମ ! ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ରଙ୍କ ମଧ୍ୟରେ ଯେଉଁ ମହାତ୍ମା ଏହି ପୁଷ୍କରତୀର୍ଥରେ ସ୍ନାନ କରନ୍ତି, ସେମାନେ ମାତୃଜଠରରେ ଆଉ ଜନ୍ମଗ୍ରହଣ କରନ୍ତି ନାହିଁ । ବିଶେଷରେ ଯେଉଁ ନର କାର୍ତ୍ତିକ ପୌର୍ଣ୍ଣମାସୀରେ ପୁଷ୍କରତୀର୍ଥକୁ ଗମନ କରେ ।୩୧। ସେହି ବ୍ୟକ୍ତି ବ୍ରହ୍ମସଦନକୁ ଗମନ କରି ଅକ୍ଷୟ ଲୋକମାନଙ୍କୁ ଲାଭ କରେ । ହେ ଭାରତ ! ଯେଉଁ ବ୍ୟକ୍ତି ସାୟଂ ଓ ପ୍ରାତଃକାଳରେ କୃତାଞ୍ଜଳି ହୋଇ ପୁଷ୍କରତୀର୍ଥକୁ ସ୍ମରଣ କରେ, ସେ ସର୍ବତୀର୍ଥରେ ସ୍ନାନ କରିବାର ଫଳ ପାଏ । ସ୍ତ୍ରୀ ଅଥବା ପୁରୁଷ ଯେବେ ଜନ୍ମାବଧି ପାପ କରେ, ସେ ପୁଷ୍କର ତୀର୍ଥରେ ସ୍ନାନ କରିବା ମାତ୍ରେ ତାହାର ସମୁଦାୟ ପାପ ପ୍ରଣଷ୍ଟ ହୁଏ । ହେ ରାଜନ୍‌ ! ମଧୁସୂଦନ ଯେ ପ୍ରକାର ସବୁ ଦେବଙ୍କର ଆଦି ।୩୪। ସେହି ପ୍ରକାର ପୁଷ୍କରତୀର୍ଥ ସବୁ ତୀର୍ଥର ଆଦି ବୋଲି କଥିତ ଅଛି । ଯେଉଁ ବ୍ୟକ୍ତି ଶୂଚୀ ଓ ସଂଯତ ହୋଇ ଦ୍ୱାଦଶ ବର୍ଷ ପୁଷ୍କରତୀର୍ଥରେ ବାସ କରେ, ସେହି ବ୍ୟକ୍ତି ସମସ୍ତ ଯଜ୍ଞର ଫଳପ୍ରାପ୍ତ ହୁଏ । ସେ ବ୍ରହ୍ମଲୋକକୁ ଗମନ କରେ । ଯେଉଁ ବ୍ୟକ୍ତି ପୂର୍ଣ୍ଣ ଶତ ବର୍ଷ ପର୍ଯ୍ୟନ୍ତ ଅଗ୍ନିହୋତ୍ର ଉପାସନା କରେ ଓ ଯେଉଁ ବ୍ୟକ୍ତି ଏକମାତ୍ର କାର୍ତ୍ତିକ ପୌର୍ଣ୍ଣମାସୀରେ ପୁଷ୍କରତୀର୍ଥରେ ବାସ କରେ, ସେ ଦୁହିଁଙ୍କର ସମାନ ଫଳ ଲାଭ ହୁଏ ।୩୭।

 

ଶୁଭ୍ରବନ ଓ ତିନିଗୋଟି ଶୃଙ୍ଗ ଓ ତିନି ଗୋଟି ପ୍ରସ୍ରବଣ ଆଦି କାଳରୁ କି ହେତୁରୁ ପୁଷ୍କର ନାମରେ ବିଖ୍ୟାତ ହୋଇଅଛି, ତାହା ଆମ୍ଭେମାନେ ଜାଣୁ ନାହିଁ ।୩୮। ପୁଷ୍କରକୁ ଗମନ କରିବା ଦୁଷ୍କର; ତପସ୍ୟା କରିବା ତଦପେକ୍ଷା ଦୁଷ୍କର । ସେଠାରେ ଦାନ କରିବା ତହିଁରୁ ଦୁଷ୍କର ଓ ସେଠାରେ ବାସକରିବା ସର୍ବାପେକ୍ଷା, ଦୁଷ୍କର ଅଟେ ।୩୯। ଯେଉଁ ବ୍ୟକ୍ତି ତୀର୍ଥସେବାରେ ରତହୋଇ ସଂଯତଚିତ୍ତ ଓ ପରିମିତ ଆହାର କରି ଦ୍ୱାଦଶ ରାତ୍ରି ବାସ କରେ, ତଦନନ୍ତର ପ୍ରଦକ୍ଷିଣ କରି ଜମ୍ବୁମାର୍ଗ ତୀର୍ଥରେ ପ୍ରବିଷ୍ଟ ହୁଏ ।୪୦। ତେବେ ସେ ଦେବ, ଋଷି ଓ ପିତୃଗଣଙ୍କ ବାସଭୂମି ଜମ୍ବୁମାର୍ଗକୁ ଗମନ କଲେ ତାହାର ଅଶ୍ୱମେଧ ଯଜ୍ଞର ଫଳ ଲାଭ ହୁଏ ଓ ତାହାର ସର୍ବକାମନା ପରିପୂର୍ଣ୍ଣ ହୁଏ ।୪୧। ସେଠାରେ ପଞ୍ଚରାତ୍ର ବାସ କରିପାରିଲେ ତାହାର କଳେବର ପବିତ୍ର ହୁଏ, ସେ ଉତ୍ତମ ସିଦ୍ଧି ଲାଭ କରିପାରେ ଏବଂ ତାହାର କଦାପି ଦୁର୍ଗତି ହୁଏ ନାହିଁ ।୪୨। ଜମ୍ବୁମାର୍ଗରୁ ବାହାର ହୋଇ ତଣ୍ଡୁଳିକାଶ୍ରମକୁ ଗମନ କରିବ । ମନୁଷ୍ୟ ସେଠାକୁ ଗମନ କଲେ ଦୁର୍ଗତିପ୍ରାପ୍ତ ହୁଏ ନାହିଁ, ସେ ବ୍ରହ୍ମଲୋକକୁ ଗମନ କରିପାରେ ।୪୩। ହେ ରାଜନ୍‌ ! ଯେଉଁ ବ୍ୟକ୍ତି ଅଗସ୍ତ୍ୟ ସରୋବରକୁ ଗମନ କରି ସେଠାରେ ଦେବତା ଓ ପିତୃଗଣଙ୍କର ଅର୍ଚ୍ଚନା କରେ ଓ ତ୍ରିରାତ୍ରି ସେଠାରେ ଉପବାସ କରେ, ସେହି ବ୍ୟକ୍ତି ଅଗ୍ନିଷ୍ଟୋମ ଯଜ୍ଞର ଫଳ ଲାଭ କରେ । ପରନ୍ତୁ ଯେବେ ସେଠାରେ ଶାକ ବା ଫଳଦ୍ୱାରା ଜୀବନ ଧାରଣ କରି କିଛି କାଳ ରହେ, ତେବେ ସେ କୌମାର ପଦ ପ୍ରାପ୍ତ ହୁଏ ।

 

ହେ ଭରତର୍ଷଭ ! ତଦନନ୍ତର ତୀର୍ଥସେବୀ ବ୍ୟକ୍ତି ଶ୍ରୀନିଷେବି କଣ୍ୱାଶ୍ରମକୁ ଗମନ କରିବ ।୪୫। ସେହି ଧର୍ମାରଣ୍ୟ ପୁଣ୍ୟଜନକ ଓ ଆଦିକାଳରୁ ପ୍ରସିଦ୍ଧ ଅଛି । ସେ ସ୍ଥାନରେ ମନୁଷ୍ୟ ପ୍ରବେଶ କଲାକ୍ଷଣି ସର୍ବପାପରୁ ବିମୁକ୍ତ ହୁଏ । ଆଉ ସେଠାରେ ଯେବେ ଚିତ୍ତକୁ ସ୍ଥିର କରି ନିୟମିତ ଆହାର କରି ଦେବ ଏବଂ ପିତୃଗଣଙ୍କର ବିଧିପୂର୍ବକ ପୂଜା କରେ, ତେବେ ସର୍ବକାମ ପୂରଣକାରୀ ସମୃଦ୍ଧଯଜ୍ଞର ଫଳଭୋଗୀ ହୁଏ ।୪୭। ସେହି ଆଶ୍ରମକୁ ପ୍ରଦକ୍ଷିଣ କରି ଯଯାତିପତନକୁ ଗମନ କରିବ । ସେଠାକୁ ଗମନ କଲେ ଅଶ୍ୱମେଧଯଜ୍ଞର ଫଳ ଲାଭ ହୁଏ ।୪୮।

 

ତାହାପରେ ଇନ୍ଦ୍ରିୟ ଦମନ କରି ଓ ଆହାର ସଂଯମ କରି ମହାକାଳକୁ ଯାତ୍ରା କରିବ ! ସେଠାରେ କୋଟିତୀର୍ଥ ନାମକ ତୀର୍ଥରେ ସ୍ନାନ କଲେ ଅଶ୍ୱମେଧ ଯଜ୍ଞର ଫଳ ପାଇବ ।୪୯। ଧର୍ମଜ୍ଞ ବ୍ୟକ୍ତି ସେଠାରୁ ଉମାପତିଙ୍କ ଭଦ୍ରବଟି ନାମକ ତୀର୍ଥକୁ ଗମନ କରନ୍ତି । ଏହି ତୀର୍ଥ ତ୍ରିଲୋକବିଖ୍ୟାତ ।୫୦। ତୀର୍ଥକାରୀ ବ୍ୟକ୍ତି ଏହି ସ୍ଥାନରେ ଦେବଦେବ ମହାଦେବ ଈଶାନଙ୍କୁ ଦର୍ଶନ କରି ତାହାଙ୍କ ପ୍ରସାଦରୁ ସହସ୍ରେ ଗୋଦାନର ଫଳ ଲଭେ; ତାହାର ଶତ୍ରୁମାନେ ନଷ୍ଟ ହୁଅନ୍ତି । ସେ ଶ୍ରୀଯୁକ୍ତ ଓ ସମୃଦ୍ଧି ସମ୍ପନ୍ନ ହୁଏ । ଗାଣପତ୍ୟ ପଦ ଲାଭ କରେ । ପରନ୍ତୁ ତିନି ଲୋକରେ ବିଖ୍ୟାତ ନର୍ମଦା ନଦୀକୁ ଗମନ କରି ସେଠାରେ ଦେବ ଓ ପିତୃଗଣଙ୍କର ତର୍ପଣ କଲେ, ଅଗ୍ନିଷ୍ଟୋମଯଜ୍ଞର ଫଳ ଲାଭ ହୁଏ ।୫୩। ମନୁଷ୍ୟ ଯେବେ ବ୍ରହ୍ମଚାରୀ ଓ ଜିତେନ୍ଦ୍ରିୟ ହୋଇ ଦକ୍ଷିଣ ସିନ୍ଧୁକୁ ଗମନ କରେ, ତେବେ ସେ ଅଗ୍ନିଷ୍ଟୋମ ଯଜ୍ଞର ଫଳ ଲାଭ କରେ ଓ ବିମାନରେ ଆରୋହଣ କରିପାରେ । ତତ୍‍ପରେ ଇନ୍ଦ୍ରିୟ ଦମନ କରି ପରିମିତ ଆହାରୀ ହୋଇ ଚର୍ମଣ୍ୱୋତୀ ନଦୀକୁ ଗମନ କଲେ ରନ୍ତିଦେବଙ୍କ ଆନୁଜ୍ଞାନୁସାରେ ଅଗ୍ନିଷ୍ଟୋମଯଜ୍ଞର ଫଳ ଲାଭ ହୁଏ ।୫୪।

 

ହେ ଧର୍ମଜ୍ଞ ଯୁଧିଷ୍ଠିର ! ଏଥି ଉତ୍ତାରୁ ହିମବନ୍ତ ପର୍ବତରୁ ପ୍ରସୂତ ଅବିଦ ତୀର୍ଥକୁ ଗମନ କରିବ । ପୂର୍ବେ ସେଠାରେ ପୃଥିବୀର ଛିଦ୍ର ଥିଲା ।୫୫। ଓ ବଶିଷ୍ଠଙ୍କର ତ୍ରିଲୋକବିଶ୍ରୁତ ଆଶ୍ରମ ଥିଲା । ଏହି ସ୍ଥାନରେ ଏକ ରାତ୍ରି ବାସ କଲେ ସହସ୍ରେ ଗୋଦାନର ଫଳ ମିଳେ ।୫୬। ହେ ନରାଧିପତେ ! ବ୍ରହ୍ମଚାରୀ ହୋଇ ପିଙ୍ଗାତୀର୍ଥରେ ଅବଗାହନ କଲେ ଶତସଂଖ୍ୟକ କପିଳା ଧେନୁଦାନର ଫଳ ମିଳେ ।୫୭। ହେ ରାଜେନ୍ଦ୍ର ! ସେଠାରୁ ପ୍ରଭାସ ନାମକ ଉତ୍କୃଷ୍ଟ ତୀର୍ଥକୁ ଗମନ କରିବ । ସେ ସ୍ଥାନରେ ସବୁ ଦେବତାଙ୍କର ମୁଖସ୍ୱରୂପ ଅନିଳ ସାରଥି ହୁତାସନ ଅଗ୍ନି ସ୍ୱୟଂ ସର୍ବଦା ବାସ କରିଥାନ୍ତି । ମନୁଷ୍ୟ ଯେବେ ଶୁଚି ହୋଇ ଉକ୍ତ ତୀର୍ଥରେ ସ୍ନାନ କରେ, ତେବେ ଅଗ୍ନିଷ୍ଟୋମ ଓ ଅତିରାତ୍ରି ଯଜ୍ଞର ଫଳ ଅପେକ୍ଷା ଅଧିକ ଫଳ ପାଏ । ତତ୍‍ପରେ ସରସ୍ୱତୀ ଯେଉଁଠାରେ ସାଗର ସଙ୍ଗମ କରିଅଛି, ସେଠାକୁ ଯିବ ।୬୦। ସେଠାକୁ ଗଲେ ମନୁଷ୍ୟ ସହସ୍ରେ ଗୋଦାନର ଫଳ ଲାଭ କରେ, ସ୍ୱର୍ଗଲୋକରେ ପୂଜିତ ହୁଏ ଓ ସର୍ବଦା ପ୍ରଭାଦ୍ୱାରା ଅଗ୍ନି ସଦୃଶ ଦିପ୍ୟମାନ ହୋଇଥାଏ ।୬୧। ସେ ଭରତଶ୍ରେଷ୍ଠ ! ତୀର୍ଥସେବୀ ଯେବେ ଚିତ୍ତକୁ ସ୍ଥିର କରି ସଲିଳରାଜଙ୍କ ତୀର୍ଥରେ ସ୍ନାନ କରେ ଓ ତ୍ରିରାତ୍ର ଉପବାସ କରେ, ଦେବ ଓ ପିତୃଲୋକଙ୍କର ତର୍ପଣ କରେ, ତେବେ ସେ ଚନ୍ଦ୍ରମାଙ୍କ ସଦୃଶ ପ୍ରଭାଶାଳୀ ହୁଏ ଅଥଚ ବାଜିମେଧର ଫଳଭୋଗୀ ହୁଏ ।

 

ହେ ଭରତସତ୍ତମ ! ସେଠାରୁ ବରଦାନ ତୀର୍ଥକୁ ଗମନ କରିବ; ଯେଉଁ ସ୍ଥାନରେ ମହର୍ଷି ଦୁର୍ବାସା ବିଷ୍ଣୁଙ୍କୁ ବର ପ୍ରଦାନ କରିଥିଲେ । ସେହି ବରଦାନ ତୀର୍ଥରେ ସ୍ନାନ କଲେ ସହସ୍ରେ ଗୋଦାନର ଫଳ ଲାଭ ହୁଏ ।୬୪। ତହିଁ ଉତ୍ତାରୁଦ୍ୱାରାବତୀକୁ ଗମନ କରିବ । ସେଠାରେ ମନ ସ୍ଥିର କରି ନିୟମିତ ଆହାରପୂର୍ବକ ପିଣ୍ଡାରକ ତୀର୍ଥରେ ସ୍ନାନ କରିବ । ବହୁତ ସୁବର୍ଣ୍ଣ ଦାନ କଲେ ଯେଉଁ ଫଳ, ସେଠାରେ ସ୍ନାନ କଲେ ସେହି ଫଳ ଲବ୍ଧ ହୁଏ (୧)* ହେ ମହାଭାଗ ! ଏହି ପିଣ୍ଡାରକ ତୀର୍ଥରେ ଗୋଟାଏ ଆଶ୍ଚର୍ଯ୍ୟ କଥା ଅଛି ଯେ ସେଠାରେ ପଦ୍ମଚିହ୍ନରେ ଅଙ୍କିତ ମୁଦ୍ରାସମୂହ ଓ ତ୍ରିଶୂଳରେ ଅଙ୍କିତ ପଦ୍ମସମୂହ ଦୃଷ୍ଟ ହୁଏ ।୨।** ହେ କୁରୁନନ୍ଦନ ! ପୁରୁଷର୍ଷଭ ! ଏଠାରେ ମହାଦେବଙ୍କର ସତତ ସାନ୍ନିଧ୍ୟ ଅଛି ।୬୬। ହେ ଭାରତ ! ସ୍ଥିର ଚିତ୍ତ ହୋଇ ସାଗର ଓ ସିନ୍ଧୁର ସଙ୍ଗମ ସ୍ଥାନକୁ ଗମନ କରିବ । ଜଳର ରାଜା ବରୁଣଙ୍କ ତୀର୍ଥରେ ସ୍ନାନକଲେ ଓ ଦେବପିତୃ ଋଷିଙ୍କର ତର୍ପଣ କଲେ, ମନୁଷ୍ୟ ତେଜସ୍ୱୀ ହୋଇ ବରୁଣଲୋକକୁ ଗମନ କରେ । ସେଠାରେ ଶଙ୍କୁ କର୍ଣ୍ଣେଶ୍ୱରଙ୍କୁ ଅର୍ଚ୍ଚନା କଲେ ଦଶଟା ଅଶ୍ୱମେଧଯଜ୍ଞର ଫଳ ଲାଭ ହୁଏ । ଏହା ପଣ୍ଡିତମାନେ କହିଅଛନ୍ତି ।୭୦।

 

[* (୧) କାଳୀସିଂହଙ୍କ ଅନୁବାଦରେ ଅଛି ଯେ ଏ ତୀର୍ଥରେ ସ୍ନାନ କଲେ ବହୁତ ସୁବର୍ଣ୍ଣ ଲାଭ ହୁଏ । ଶ୍ରୀରାମପୁର ଅନୁବାଦରେ ଉଲ୍ଲେଖ ଅଛି ଯେ ସେଠାରେ ଦାନକଲେ ବହୁ ସୁବର୍ଣ୍ଣଦାନର ଫଳ ମିଳେ । ଶେଷଟି ସଙ୍ଗତ ।

 

** (୨) ମୁଦ୍ରା କ’ଣ ? ମୋହର (ଝରବକ୍ଷ) ଅଥବା ଟଙ୍କା, ମୁଦ୍ରା ଅଥବା ପ୍ରସ୍ତର ଦେହରେ ଚିହ୍ନ, କି ଫୁଲରେ ଚିହ୍ନ, ତାହା ବୋଧର ଅଗମ୍ୟ ।]

 

ହେ କୁରୁଶ୍ରେଷ୍ଠ ଯୁଧିଷ୍ଠିର ! ସଲିଳ ରାଜତୀର୍ଥକୁ ପ୍ରଦକ୍ଷିଣ କରିସାରିଲେ ‘ଦମୀ’ ତୀର୍ଥକୁ ଗମନ କରିବ । ସେ ତୀର୍ଥକୁ ଗଲେ ସର୍ବପାପରୁ ମୁକ୍ତି ମିଳେ । ଏହି ‘ଦମୀ’ ତୀର୍ଥରେ ବ୍ରହ୍ମାଦି ଦେବଗଣ ସର୍ବଦା ମହେଶ୍ୱରଙ୍କ ଉପାସନା କରୁଥାନ୍ତି ।୭୨। ଏହି ତୀର୍ଥରେ ସ୍ନାନ କଲେ ଓ ଜଳପାନ କଲେ ଓ ସର୍ବଦେବପୂଜିତ ମହାଦେବଙ୍କର ପୂଜା କଲେ, ମନୁଷ୍ୟ ଆଜନ୍ମରୁ ଯେତେ ପାପ କରିଥାଏ, ତହିଁରୁ ମୁକ୍ତ ହୁଏ ।୭୩। ହେ ନରଶ୍ରେଷ୍ଠ ! ସେହି ସ୍ଥାନରେ ସବୁ ଦେବତା ମହାଭାଗ ‘ଦମୀ’ଙ୍କୁ ସର୍ବତୋଭାବେ ସ୍ତବ କରିଥିଲେ । ସେହି ସ୍ଥାନରେ ସ୍ନାନ କଲେ ଅଶ୍ୱମେଧଯଜ୍ଞର ଫଳ ଲବ୍ଧ ହୁଏ ।୭୪। ହେ ମହାପ୍ରାଜ୍ଞ ! ପ୍ରଭବିଷ୍ଣୁ ବିଷ୍ଣୁ ପୂର୍ବକାଳରେ ଦୈତଦାନବମାନଙ୍କୁ ବିନାଶ କରି ଏହି ତୀର୍ଥରେ ସ୍ନାନ କରି ଶୁଚିତ୍ୱଲାଭ କରିଥିଲେ ।୭୫।

 

ହେ ଧର୍ମଜ୍ଞ ! ତଦନନ୍ତର ବସୁନ୍ଧରା ତୀର୍ଥକୁ ଗମନ କରିବ । ସେ ତୀର୍ଥ ସର୍ବଜନବନ୍ଦିତ । ସେଠାକୁ ଗମନ କଲାମାତ୍ରେ ମନୁଷ୍ୟ ଅଶ୍ୱମେଧଯଜ୍ଞର ଫଳ ଲାଭ କରେ ।୭୬। ହେ କୁରୁବରୋତ୍ତମ ! ମନକୁ ସଂଯତ କରି ଓ ଇନ୍ଦ୍ରିୟ ଦମନ କରି ସେଠାରେ ସ୍ନାନ ଓ ଦେବ, ଋଷି, ପିତୃଲୋକଙ୍କର ତର୍ପଣ କଲେ ମନୁଷ୍ୟ ବିଷ୍ଣୁଲୋକରେ ପୂଜିତ ହୁଏ ।୭୭। ହେ ପୁରୁଷର୍ଷଭ ! ଏହି ତୀର୍ଥରେ ବସୁଗଣଙ୍କର ଗୋଟିଏ ପବିତ୍ର ସରୋବର ଅଛି । ମନୁଷ୍ୟ ତହିଁରେ ଅବଗାହନ କରି ଜଳପାନ କଲେ ବସୁଗଣ ତାହାଙ୍କର ସମ୍ମାନ କରନ୍ତି ।୭୮। ହେ ନରେନ୍ଦ୍ର ! ସିନ୍ଧୁତ୍ତମ ନାମରେ ଗୋଟିଏ ତୀର୍ଥ ଅଛି । ସେଠାରେ ସର୍ବପାପ ବିନଷ୍ଟ ହୁଏ ଓ ସେ ତୀର୍ଥରେ ସ୍ନାନକଲେ ବହୁତ ସୁବର୍ଣ୍ଣଦାନର ଫଳ ମିଳେ ।୭୯। ତତ୍‍ପରେ ଶୁଚି ଓ ସଦାଚାରୀ ହୋଇ ଭଦ୍ରତୁଙ୍ଗକୁ ଗମନ କରିବ-। ସେଠାକୁ ଗଲେ ବ୍ରହ୍ମଲୋକ ପ୍ରାପ୍ତି ଓ ସଦ୍‌ଗତି ହୁଏ ।୮୦। ହେ ନରଶ୍ରେଷ୍ଠ ! ଇନ୍ଦ୍ରଙ୍କର କୁମାରୀକାମାନଙ୍କର ଗୋଟିଏ ତୀର୍ଥ ଅଛି । ସେଠାରେ ସିଦ୍ଧଗଣ ବାସ କରନ୍ତି । ତହିଁରେ ସ୍ନାନକଲେ ଇନ୍ଦ୍ରଲୋକ ପ୍ରାପ୍ତି ହୁଏ ।୮୧। ସେହିଠାରେ ରେଣୁକା ତୀର୍ଥ ଅଛି । ସିଦ୍ଧଗଣ ସେଠାରେ ରହିଥାନ୍ତି । ବିପ୍ର ହୋଇ ସେଠାରେ ସ୍ନାନ କଲେ ଚନ୍ଦ୍ରମା ପ୍ରାୟ ନିର୍ମଳ ହୁଏ ।୮୨। ଏଥିଉତ୍ତାରୁ ସଂଯତ ଓ ମିତାହାରୀ ହୋଇ ପଞ୍ଚନଦ ତୀର୍ଥକୁ ଗମନ କରିବ । ଶାସ୍ତ୍ରରେ ଯେଉଁ ପଞ୍ଚଯଜ୍ଞ କ୍ରମଶଃ କଥିତ ଅଛି, ପଞ୍ଚନଦକୁ ଗଲେ ସେହି ପଞ୍ଚଯଜ୍ଞର ଫଳ ଲାଭ ହୁଅଇ ।୮୩।

 

ହେ ରାଜେନ୍ଦ୍ର ! ତହିଁ ଉତ୍ତାରୁ ଭୀମା ଦେବୀଙ୍କର ଉତ୍କୃଷ୍ଟ ତୀର୍ଥକୁ ଗମନ କରିବ । ହେ ଭରତେନ୍ଦ୍ର ! ସେଠାରେ ଯୋନିତୀର୍ଥ ଅଛି । ତହିଁରେ ସ୍ନାନ କଲେ ମନୁଷ୍ୟ ରତ୍ନକୁଣ୍ଡଳଧାରୀ ଦେବୀଙ୍କ ପୁତ୍ର ହୋଇ ଜନ୍ମଗ୍ରହଣ କରେ ଓ ଶତସହସ୍ର ଗୋଦାନର ଫଳ ଲାଭ କରେ ।୮୫। ତତ୍‍ପରେ ତ୍ରିଲୋକବିହାର ଶ୍ରୀକୁଣ୍ଡକୁ ଗମନ କରିବ । ସେଠାରେ ବ୍ରହ୍ମାଙ୍କୁ ନମସ୍କାର କଲେ ସହସ୍ରେ ଗୋଦାନର ଫଳ ଲାଭ ହୁଏ ।୮୬। ହେ ଧର୍ମଜ୍ଞ ! ତତ୍‍ପରେ ଉତ୍କୃଷ୍ଟ ବିମଳ ତୀର୍ଥକୁ ଗମନ କରିବ । ସେଠାରେ ଅଦ୍ୟାପି ସୁବର୍ଣ୍ଣ ଓ ରଜତ- ମତ୍ସ୍ୟମାନେ ଦୃଶ୍ୟ ହୁଅନ୍ତି ।୮୭। ମନୁଷ୍ୟ ସେଠାରେ ସ୍ନାନ କଲେ ଶୀଘ୍ର ଇନ୍ଦ୍ରଲୋକକୁ ଯାଏ ଓ ସର୍ବପାପରୁ ବିମୁକ୍ତ ହୋଇ ପରମ ଗତି ଲାଭ କରେ ।୮୮। ହେ ଭରତ ! ଅତଃପର ମନୁଷ୍ୟ ବିତସ୍ତାକୁ ଗମନ କରି ସେଠାରେ ଋଷି, ଦେବ ଓ ପିତୃଗଣଙ୍କର ତର୍ପଣ କଲେ ବାଜପେୟ ଯଜ୍ଞର ଫଳ ପ୍ରାପ୍ତ ହୁଏ ।୮୯। ବିତସ୍ତା ନାମରେ ବିଖ୍ୟାତ ସର୍ବପାପ ପ୍ରମୋଚନ ସେହି ତୀର୍ଥ କାଶ୍ମୀର ଦେଶରେ ଅବସ୍ଥିତ ଅଛି । ସେହି ତୀର୍ଥରେ ତକ୍ଷକ ନାଗର ଆଳୟ ଅଛି । ସେଠାରେ ସ୍ନାନ କଲେ ମନୁଷ୍ୟ ଅବଶ୍ୟ ବାଜପେୟ ଯଜ୍ଞର ଫଳ ଲାଭ କରେ ଓ ସର୍ବପାପରୁ ମୁକ୍ତ ହୁଏ । ତତ୍‍ପରେ ତାହାର ପରମଗତି ହୁଏ ।୯୦।

 

ହେ ରାଜନ୍‌ ! ତତ୍‍ପରେ ତ୍ରିଲୋକବିଖ୍ୟାତ ବଡ଼ବା ତୀର୍ଥକୁ ଗମନ କରିବ । ସେଠାରେ ସନ୍ଧ୍ୟାକାଳରେ ସ୍ନାନ କରି ହୁତାଶନଙ୍କୁ ଶକ୍ତି ଅନୁସାରେ ଚରୁ ନିବେଦନ କରିବ । ପଣ୍ଡିତମାନେ କହନ୍ତି ସେ ସେଠାରେ ପିତୃଲୋକଙ୍କ ଉଦ୍ଦେଶ୍ୟରେ ଦାନ କଲେ ସେ ଦାନ ଅକ୍ଷୟ ହୁଏ ।୯୩। ଋଷି, ପିତୃ, ଦେବ, ଗନ୍ଧର୍ବ, ଅପ୍‌ସରା, ଗୁହ୍ୟକ, କିନ୍ନର, ଯକ୍ଷ, ସିଦ୍ଧ, ବିଦ୍ୟାଧର, ନର, ରାକ୍ଷସ, ଦୈତ୍ୟ, ରୁଦ୍ର ଓ ବ୍ରହ୍ମା ସମସ୍ତେ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ନିମିତ୍ତ ସଂଯତ ହୋଇ ସହସ୍ର ବର୍ଷବ୍ୟାପିନୀ ଦୀକ୍ଷା ଗ୍ରହଣ କରିଥିଲେ । ଚରୁ ସହିତ ପ୍ରତ୍ୟେକ ଆହୁତିରେ ସାତଗୋଟି ଲେଖାଏଁ ଋକ୍‌ମନ୍ତ୍ର ପାଠ କରି ବିଷ୍ଣୁଙ୍କୁ ପରିତୃପ୍ତ କରିଥିଲେ ।୯୫। ହେ ମହୀପତେ ! ଭଗବାନ ବିଷ୍ଣୁ ତାହାଙ୍କ ପ୍ରତି ପରିତୁଷ୍ଟା ହୋଇ ଯାହାର ଯେଉଁ କାମନା ଥିଲା, ତାହା ପ୍ରଦାନ କଲେ ଓ ସେମାନଙ୍କୁ ଅଣିମାଦି ଅଷ୍ଟୈଶ୍ୱର୍ଯ୍ୟ ଦାନ କଲେ । ମେଘ ମଧ୍ୟରେ ଯେପରି ବିଦ୍ୟୁତ୍ ଥାଏ, ସେହିପରି ବିଷ୍ଣୁ ସେ ପ୍ରଦେଶରେ ଅନ୍ତର୍ହିତ ହୋଇଥିଲେ । ହେ ଭାରତ ! ଏହି ନିମିତ୍ତ ସେହି ତୀର୍ଥକୁ ସପ୍ତଚରୁ ବୋଲି କହନ୍ତି ।୯୮। ସେହି ସ୍ଥାନରେ ହୁତାଶନଙ୍କ ଉଦ୍ଦେଶ୍ୟରେ ଚରୁ ପ୍ରଦାନ କଲେ, ସେ ଲକ୍ଷେ ଗୋଦାନ, ଶହେ ରାଜସୂୟ ଓ ସହସ୍ରେ ଅଶ୍ୱମେଧର ଫଳ ଅପେକ୍ଷା ଅଧିକ ଫଳ ଲାଭ କରେ ।୯୯।

 

ହେ ରାଜେନ୍ଦ୍ର ! ବଡ଼ବା ତୀର୍ଥରୁ ଆସି ରୌଦ୍ରପଦକୁ ଗମନ କରିବ । ସେଠାରେ ମହାଦେବଙ୍କୁ ଦର୍ଶନ କଲେ ଅଶ୍ୱମେଧର ଫଳଲାଭ ହୁଏ ।୧୦୦। ହେ ରାଜନ୍‌ ! ସେଠାରୁ ମଣିମାନ ତୀର୍ଥକୁ ଯାଇ ସ୍ଥିର ଚିତ୍ତରେ ବ୍ରହ୍ମଚାରୀ ହୋଇ ଏକରାତ୍ର ବାସ କଲେ ମନୁଷ୍ୟ ଅଗ୍ନିଷ୍ଟୋମ ଯଜ୍ଞର ଫଳଲାଭ କରିପାରେ ।୧୦୧। ତତ୍‍ପରେ ଲୋକବିଖ୍ୟାତ ଦେବୀକା ତୀର୍ଥକୁ ଗମନ କରିବ-। ଶୁଣାଅଛି ଯେ ସେହି ସ୍ଥାନରେ ବ୍ରାହ୍ମଣମାନଙ୍କର ଉତ୍ପତ୍ତି ହୋଇଅଛି ।୧୦୨। ସେହି ତୀର୍ଥରେ ଶୂଳପାଣି ମହାଦେବଙ୍କର ଅଧିଷ୍ଠାନ ଅଛି ବୋଲି ଲୋକରେ ପ୍ରସିଦ୍ଧି ଅଛି । ହେ ଭରତର୍ଷଭ-! ଯେଉଁ ବ୍ୟକ୍ତି ସେହି ଦେବିକା ତୀର୍ଥରେ ସ୍ନାନକରି ମହାଦେବଙ୍କର ପୂଜା କରେ ଓ ଶକ୍ତି ଅନୁସାରେ ଚରୁ ନିବେଦନ କରେ, ସେହି ବ୍ୟକ୍ତି ସର୍ବକାମ ଯଜ୍ଞର ଫଳ ପାଏ । ଏଥିରେ ସଂଶୟ ନାହିଁ-।୧୦୪। ସେଠାରେ ଦେବତାମାନଙ୍କର ବାସସ୍ଥାନ କାମାଖ୍ୟ ନାମରେ ତୀର୍ଥ ଅଛି । ରୁଦ୍ରଦେବ ସେ ତୀର୍ଥର ଅଧୀଶ୍ୱର । ତହିଁରେ ମନୁଷ୍ୟ ସ୍ନାନକଲେ ଶୀଘ୍ର ସିଦ୍ଧିଲାଭ କରିପାରେ । ପରନ୍ତୁ, ଯଜନ, ଯାଜନ, ବ୍ରହ୍ମବାଲୁକ ଓ ପୁଷ୍ପାମ୍ଭ ନାମକ ତୀର୍ଥ ଅଛି । ସେହିସବୁ ତୀର୍ଥରେ ସ୍ନାନକଲେ ପରଲୋକରେ ଶୋକ କରିବାକୁ ହୁଏ ନାହିଁ ।୧୦୬। ପଣ୍ଡିତମାନେ କହିଅଛନ୍ତି ଯେ ସେହି ଦେବିକା ତୀର୍ଥରେ ଆୟତନ ଦୈର୍ଘ୍ୟରେ ପଞ୍ଚଯୋଜନ ଓ ବିସ୍ତୃତିରେ ଅର୍ଦ୍ଧଯୋଜନ । ସେହି ତୀର୍ଥ ଦେବଗଣସେବିତା ଓ ପୁଣ୍ୟପ୍ରଦ ।୧୦୭।

 

ହେ ରାଜନ୍‌ ! କ୍ରମରେ ଦୀର୍ଘ ସୂତ୍ରକୁ ଗମନ କରିବ । ସେଠାରେ ବ୍ରହ୍ମାଦି ଦେବତାମାନେ ଋଷିମାନେ ବ୍ରତୀହୋଇ, ଦୀକ୍ଷା ଗ୍ରହଣ କରି ଦୀର୍ଘସୂତ୍ର ଯଜ୍ଞର ଉପାସନା କରିଥିଲେ ।୧୦୯। ହେ ଅରିନ୍ଦମ ! ସେହି ଦୀର୍ଘସୂତ୍ର ନାମକ ତୀର୍ଥକୁ ଗମନ କରିବା ମାତ୍ରେ ମନୁଷ୍ୟ ରାଜସୂୟ ଓ ଅଶ୍ୱମେଧଯଜ୍ଞ ଫଳ ଅପେକ୍ଷା ଅଧିକ ଫଳ ଲାଭ କରେ ।୧୧୦। ତଦନନ୍ତର ସ୍ୱଳ୍ପାହାରୀ ହୋଇ ମନକୁ ସ୍ଥିର କରି ବିନଶନ ତୀର୍ଥକୁ ଗମନ କରିବ । ଯେଉଁଠାରେ ସରସ୍ୱତୀ ଅନ୍ତର୍ହିତା ହୋଇ ମେରୁପୃଷ୍ଠକୁ ଗମନ କଲେ ।୧୧୧। ଚମସରେ ଶିବୋଭେଦରେ ଓ ନାଗୋଭେଦରେ ସ୍ନାନ କଲେ ଅଗ୍ନିଷ୍ଟୋମ ଫଳ ଲାଭ ହୁଏ । ଶିବୋଭେଦରେ ମନୁଷ୍ୟ ସ୍ନାନ କଲେ ସହସ୍ରେ ଗୋଦାନର ଫଳ ପାଏ । ନାଗୋଭେଦରେ ସ୍ନାନକଲେ ନାଗଲୋକକୁ ଗମନ କରେ ।୧୧୩। ହେ ରାଜେନ୍ଦ୍ର-! ତତ୍‍ପରେ ଶଶଯାନ ତୀର୍ଥକୁ ଗମନ କରିବ । ହେ ଭାରତ ! ସେ ସ୍ଥାନରେ ସାରସ ପକ୍ଷୀମାନେ ଶଶରୂପ ଧରି ପ୍ରଚ୍ଛନ୍ନ ହୋଇଥିଲେ । ପ୍ରତିବର୍ଷ କାର୍ତ୍ତିକ ପୌର୍ଣ୍ଣମାସୀ ଦିନ ସେମାନେ ସରସ୍ୱତୀରେ ସ୍ନାନ କରନ୍ତି । ମନୁଷ୍ୟ ଯେବେ ସେହି ଦୁର୍ଲ୍ଲଭ ଶଶଯାନ ତୀର୍ଥରେ ସ୍ନାନକରେ, ତେବେ ସେ ଚନ୍ଦ୍ରଙ୍କ ପ୍ରାୟ ସର୍ବଦା ଉଜ୍ଜ୍ୱଳ ଦିଶେ; ଅଥଚ ତାହାକୁ ସହସ୍ରେ ଗୋଦାନର ଫଳ ମିଳେ ।୧୧୬।

 

ହେ କୁରୁନନ୍ଦନ ! ସେଠାରୁ କୁମାରକୋଟିକୁ ଗମନ କରିବ । ସଂଯତ ହୋଇ ସେଠାରେ ସ୍ନାନ କଲେ, ପିତୃ ଓ ଦେବଗଣଙ୍କର ଅର୍ଚ୍ଚନା କଲେ ଦଶ ସହସ୍ର ଗୋଦାନର ଫଳ ଲାଭ ହୁଏ । ସେ ବ୍ୟକ୍ତି ଆପଣାର କୁଳକୁ ଉଦ୍ଧାର କରେ । ହେ ଧର୍ମଜ୍ଞ ଭାରତ ! ତଦନନ୍ତର ସମାହିତ ହୋଇ ରୁଦ୍ରକୋଟିକୁ ଗମନ କରିବ । ସେଠାରେ ପୂର୍ବକାଳରେ କୋଟିଏ ମୁନି ସମବେତ ହୋଇଥିଲେ । ସେହି ମୁନିମାନେ ସମସ୍ତେ ହର୍ଷାବିଷ୍ଟ ହୋଇ ରୁଦ୍ରଦେବଙ୍କୁ ଦର୍ଶନ କରିବା ନିମିତ୍ତ ପ୍ରତ୍ୟେକେ କହିଲେ, ମୁଁ ସର୍ବାଗ୍ରେ ବୃଷଧ୍ୱଜଙ୍କୁ ଦର୍ଶନ କରିବି । ଏହା କହି ସେଠାକୁ ଗମନ କରିଥିଲେ ।୧୨୦। କିନ୍ତୁ ହେ ଭୂପତେ ! ବିଶୁଦ୍ଧାତ୍ମା ଋଷିମାନଙ୍କର ତାଦୃଶ ଆହ୍ଲାଦ ଦେଖି ଯୋଗୀଶ୍ୱର ରୁଦ୍ର ଆପଣଙ୍କୁ ଏକକୋଟି ରୂପକରି ସେମାନଙ୍କ ମନ୍ୟୁନିବାରଣ ନିମିତ୍ତ ପ୍ରତ୍ୟେକଙ୍କ ସମ୍ମୁଖରେ ଏକାବେଳକେ ଆବିର୍ଭୂତ ହେଲେ । ତହିଁରେ ମୁନିମାନେ ମନେକଲେ ଯେ ଆମ୍ଭେ ସର୍ବାଗ୍ରେ ମହାଦେବଙ୍କର ଦର୍ଶନ କଲୁ ।୧୨୨। ହେ ରାଜନ୍‌ ! ସେହି ବିଶୁଦ୍ଧାତ୍ମା ମୁନିମାନଙ୍କର ଭକ୍ତିରେ ସନ୍ତୁଷ୍ଟ ହୋଇ ମହାଦେବ ତାଙ୍କୁ ବର ଦେଇଥିଲେ ।୧୨୩।

 

ହେ ମହର୍ଷିଗଣ ! ଆଜିଠାରୁ ତୁମ ଧର୍ମର ଉତ୍ତରୋତ୍ତର ବୃଦ୍ଧି ହେଉଥିବ । ଏହି ରୁଦ୍ରକୋଟୀରେ ସ୍ନାନକରି ଶୁଦ୍ଧ ହୋଇଥିବା ମନୁଷ୍ୟ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରେ ଓ ନିଜ କୁଳକୁ ଉଦ୍ଧାର କରେ । ହେ ରାଜେନ୍ଦ୍ର ! ତଦନନ୍ତର ଲୋକବିଖ୍ୟାତ ସରସ୍ୱତୀ ସଙ୍ଗମ ତୀର୍ଥକୁ ଯିବା ଉଚିତ, ଯେଉଁଠାରେ ବ୍ରହ୍ମା ଆଦି ଦେବଗଣ ଓ ମହର୍ଷିଗଣ ଭଗବାନ କେଶବଙ୍କୁ ଉପାସନା କରନ୍ତି । ହେ ରାଜେନ୍ଦ୍ର ! ସେଠାକୁ ଚୈତ୍ର ଶୁକ୍ଲ ଚତୁର୍ଦ୍ଦଶୀରେ ବିଶେଷ କରି ଲୋକମାନେ ଯାଆନ୍ତି । ସେଠାରେ ସ୍ନାନକଲେ ପ୍ରଚୁର ସୁବର୍ଣ୍ଣଦାନର ଫଳ ଲାଭ ହୁଏ ଓ ଶୁଦ୍ଧାତ୍ମା ହୋଇ ବ୍ରହ୍ମଲୋକ ପ୍ରାପ୍ତ ହୁଏ । ହେ ନରେଶ୍ୱର ! ଯେଉଁଠାରେ ଋଷିମାନଙ୍କର ଯଜ୍ଞ ସମାପ୍ତ ହୋଇଅଛି, ସେହି ଅବସାନ ତୀର୍ଥକୁ ଯାଇ, ମନୁଷ୍ୟ ସହସ୍ର ଗୋଦାନର ଫଳ ଲାଭ କରେ ।୧୨୮।

 

॥ ଅଧ୍ୟାୟ – ୮୩ ॥

 

ପୁଲସ୍ତ୍ୟ କହୁଛନ୍ତି, ହେ ରାଜେନ୍ଦ୍ର ! ତଦନନ୍ତର କୁରୁକ୍ଷେତ୍ରକୁ ଯାତ୍ରା କରିବ, ଯାହାର ଦର୍ଶନଦ୍ୱାରା ସମସ୍ତ ଜୀବ ପାପରୁ ମୁକ୍ତ ହୁଏ । ମୁଁ କୁରୁକ୍ଷେତ୍ରକୁ ଯିବି । ସେଠାରେ ବାସ କରିବି । ଏପରି କଥନକାରୀ ମଧ୍ୟ ସମସ୍ତ ପାପରୁ ମୁକ୍ତ ହୁଏ । ବାୟୁଦ୍ୱାରା ଉତ୍‌ଥିତ କୁରୁକ୍ଷେତ୍ରର ଧୂଳିକଣା ମଧ୍ୟ ଶରୀରରେ ପଡ଼ିଲେ ସମସ୍ତ ପାପ ଦୂରହୋଇ ପରମଗତିକୁ ପ୍ରାପ୍ତ ହୁଏ । ଯେଉଁମାନେ ସରସ୍ୱତୀର ଦକ୍ଷିଣ ଓ ଦୃଷଦ୍‌ବତୀର ଉତ୍ତର ଭାଗରେ ସ୍ଥିତ କୁରୁକ୍ଷେତ୍ରର ବାସ କରନ୍ତି, ସେମାନେ ସ୍ୱର୍ଗରେ ବାସ କରନ୍ତି । ହେ ଯୁଧିଷ୍ଠିର ! ସେହି ସରସ୍ୱତୀ ତଟରେ ଏକ ମାସ ବାସ କରିବା ଉଚିତ; କାରଣ ବ୍ରହ୍ମା ଆଦି ଦେବତା, ଋଷି, ସିଦ୍ଧ, ଚାରଣ ସମସ୍ତେ ସେହି କୁରୁକ୍ଷେତ୍ରକୁ ଆସନ୍ତି ।୬।

 

ହେ ଯୁଧିଷ୍ଠିର ! ଶ୍ରଦ୍ଧାପୂର୍ବକ କୁରୁକ୍ଷେତ୍ର ଯାତ୍ରା କଲେ ମନୁଷ୍ୟ ପାପମୁକ୍ତ ହୁଏ, ବ୍ରହ୍ମଲୋକକୁ ଗମନ କରେ । ରାଜସୂୟ ଓ ଅଶ୍ୱମେଧର ଫଳକୁ ପ୍ରାପ୍ତ ହୁଏ । ତଦନନ୍ତର ସେଠାରେ ମଚତ୍ରୁକ ନାମକ ମହାବଳୀ ଦ୍ୱାରପାଳ ଯକ୍ଷକୁ ନମସ୍କାର କଲାମାତ୍ରକେ ସହସ୍ର ଗୋଦାନର ଫଳପ୍ରାପ୍ତ ହୁଏ ।୯। ହେ ରାଜେନ୍ଦ୍ର ! ତଦନନ୍ତର ସତତ ନାମକ ଉତ୍ତମ ବୈଷ୍ଣବ ତୀର୍ଥକୁ ଯିବା ଉଚିତ । ସେଠାରେ ହରି ସଦା ନିବାସ କରନ୍ତି । ସେଠାରେ ସ୍ନାନ ଓ ହରିଙ୍କୁ ଦର୍ଶନ କରି ମନୁଷ୍ୟ ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତ ହୁଏ । ତଦନନ୍ତର ବିଖ୍ୟାତ ପାରିପ୍ଲବ ନାମକ ତୀର୍ଥକୁ ଯାଇ ସେଠାରେ ସ୍ନାନ କଲେ ଅଗ୍ନିଷ୍ଟୋମ ଓ ଅତିରାତ୍ର ଯଜ୍ଞର ଫଳପ୍ରାପ୍ତି ହୁଏ ।

 

ହେ ରାଜନ୍‌ ! ସେଠାରୁ ପୃଥିବୀତୀର୍ଥକୁ ଯାଇ ସ୍ନାନକଲେ ସହସ୍ର ଗୋଦାନର ଫଳ ମିଳେ-। ସେଠାରୁ ତୀର୍ଥ ସେବୀ ମନୁଷ୍ୟ ଶାଲୂକିନୀକୁ ଯାଇ ଦଶାଶ୍ୱମେଧ ତୀର୍ଥରେ ସ୍ନାନ କଲେ ସେହି ଫଳ ଲାଭ କରେ । ସର୍ପଦେଶକୁ ଯାଇ ନାଗତୀର୍ଥରେ ମନୁଷ୍ୟ ଅଗ୍ନିଷ୍ଟୋମର ଫଳ ଲାଭ କରେ । ହେ ଧର୍ମଜ୍ଞ ! ସେଠାରୁ ତୁରୁନ୍ତୁକମାନଙ୍କ ଦ୍ୱାରପାଳଙ୍କ ପାଖକୁ ଯିବ । ସେଠାରେ ଏକ ରାତ୍ର ବାସ କଲେ ସହସ୍ର ଗୋଦାନର ଫଳ ମିଳେ । ସେଠାରୁ ନିୟମିତ ଭୋଜନପୂର୍ବକ ପଞ୍ଚନଦତୀର୍ଥକୁ ଯାଇ କୋଟୀତୀର୍ଥରେ ସ୍ନାନକଲେ ଅଶ୍ୱମେଧର ଫଳ ଲାଭ ହେବ । ଅଶ୍ୱିନୀ ତୀର୍ଥରେ ସ୍ନାନକଲେ ମନୁଷ୍ୟ ରୂପବାନ ହୁଏ ।୧୭। ହେ ଧର୍ମଜ୍ଞ ! ସେଠାରୁ ବରାହତୀର୍ଥକୁ ଯିବ, ସେଠାରେ ବିଷ୍ଣୁ ବରାହ ରୂପରେ ଅବସ୍ଥିତ ଅଛନ୍ତି । ସେଠାରେ ସ୍ନାନ କଲେ ଅଗ୍ନିଷ୍ଟୋମଯଜ୍ଞର ଫଳ ମିଳେ । ତଦନନ୍ତର ଜୟନୀରେ ସୋମତୀର୍ଥ ନିକଟକୁ ଯିବ, ସେଠାରେ ସ୍ନାନକଲେ ରାଜସୂୟ ଯଜ୍ଞର ଫଳ ମିଳେ ।

 

ହେ ନରାଧିପ ! ତୀର୍ଥସେବୀ ବ୍ୟକ୍ତି ଏକହଂସ ନାମକ ତୀର୍ଥରେ ସ୍ନାନକଲେ ସହସ୍ର ଗୋଦାନର ଫଳ ଲାଭ କରେ ।୨୦। ଶୌଚ ହୋଇ ସେଠାକୁ ଗମନ କଲେ ପୁଣ୍ଡରୀକ ଯଜ୍ଞର ଫଳ ହୁଏ ଓ ସର୍ବଦା ଶୁଚିବନ୍ତ ହୋଇ ରହେ ।୨୧।

 

ଅନନ୍ତର ମହାତ୍ମା ମହାଦେବଙ୍କର ମୁଞ୍ଜବନ ନାମକ ତୀର୍ଥକୁ ଗମନ କରିବ । ସେଠାରେ ଦିନେ ଉପବାସ କଲେ ମନୁଷ୍ୟ ଗାଣପତ୍ୟ ପଦ ପ୍ରାପ୍ତ ହୁଏ ।୨୨। ହେ ମହାରାଜ ! ଉକ୍ତ ତୀର୍ଥରେ ସ୍ନାନକରି ତତ୍ରସ୍ଥଲୋକ ବିଶ୍ରୁତ ଯକ୍ଷିଣୀ ଦେବୀଙ୍କୁ ଦର୍ଶନ କଲେ ମନୁଷ୍ୟର ସର୍ବକାମନା ସିଦ୍ଧ ହୁଏ ।୨୩। ହେ ଭରତର୍ଷଭ ! ସେହି ସ୍ଥାନ କୁରୁକ୍ଷେତ୍ରର ଦ୍ୱାର ବୋଲି ପ୍ରସିଦ୍ଧି ଅଛି । ଯମଦଗ୍ନିଙ୍କ ପୁତ୍ର ମହାତ୍ମା ରାମ ସେହି ସ୍ଥାନକୁ ନିର୍ମାଣ କରିଥିଲେ । ପୁଷ୍କର ତୀର୍ଥ ପ୍ରାୟ ସେହି ତୀର୍ଥ ପ୍ରସିଦ୍ଧ ଅଟେ । ତୀର୍ଥସେବୀ ବ୍ୟକ୍ତି ସମାହିତ ହୋଇ ସେହି ତୀର୍ଥକୁ ପ୍ରଦକ୍ଷିଣ କଲେ ଓ ସ୍ନାନକରି ଦେବ, ଋଷି ଓ ପିତୃଗଣଙ୍କ ଉଦ୍ଦେଶ୍ୟରେ ତର୍ପଣ କଲେ କୃତକୃତ୍ୟ ହୁଏ ଓ ଅଶ୍ୱମେଧଯଜ୍ଞର ଫଳ ପାଏ ।

 

ହେ ରାଜେନ୍ଦ୍ର ! ତତ୍‍ପରେ ସମାହିତ ହୋଇ ରାମହ୍ରଦକୁ ଗମନ କରିବ ।୨୬। ଏପରି ପ୍ରସିଦ୍ଧି ଅଛି ଯେ ଦୀପ୍ତ ତେଜସ୍ୱୀ ବୀରବର ରାମ ବଳପୂର୍ବକ କ୍ଷାତ୍ରକୁଳକୁ ଧ୍ୱଂସକରି ସେମାନଙ୍କ ରୁଧିରଦ୍ୱାରା ପାଞ୍ଚଗୋଟି ହ୍ରଦକୁ ପରିପୂର୍ଣ୍ଣ କରିଥିଲେ ଓ ସେହି ହ୍ରଦରେ ପିତୃପିତାମହମାନଙ୍କର ତର୍ପଣ କରିଥିଲେ ।୨୮। ହେ ନରାଧିପ ! ଏତଦ୍ୱାରା ତାହାଙ୍କର ପିତୃଲୋକେ ପ୍ରୀତହୋଇ ତାହାଙ୍କୁ କହିଲେ, ହେ ରାମ ! ହେ ରାମ ! ହେ ମହାଭାଗ ! ଭୃଗୁକୁଳତିଳକ ! ହେ ପ୍ରଭୋ ! ହେ ମହାଦ୍ୟୁତେ ! ଆମ୍ଭେମାନେ ତୁମ୍ଭର ଏହି ପିତୃଭକ୍ତି ଓ ବିକ୍ରମଦ୍ୱାରା ପରିତୁଷ୍ଟ ହୋଇଅଛୁଁ । ତୁମ୍ଭର କଲ୍ୟାଣ ହେଉ । ତୁମ୍ଭେ କି ଇଚ୍ଛା କରୁଅଛ କହ, ବର ପ୍ରାର୍ଥନା କର । ହେ ରାଜେନ୍ଦ୍ର ! ପିତୃଲୋକେ ଆକାଶରେ ଥାଇ ଯୋଦ୍ଧାଙ୍କ ପ୍ରଧାନ ରାମଙ୍କୁ ଏହିରୂପେ କହିଲେ । ରାମ କୃତାଞ୍ଜଳି ହୋଇ ସେମାନଙ୍କୁ କହିଲେ ।୩୧। ଆପଣମାନେ ଯଦି ଆମ୍ଭ ପ୍ରତି ସନ୍ତୁଷ୍ଟ ହୋଇଥାନ୍ତି ଓ ଆମ୍ଭଙ୍କୁ ଅନୁଗୃହୀତ କରିବାକୁ ଇଚ୍ଛା କରନ୍ତି, ତେବେ ଆମ୍ଭେ ପିତୃଗଣଙ୍କର ପ୍ରସନ୍ନତା ଇଚ୍ଛା କରୁଁ । ପୁନର୍ବାର ଆମ୍ଭେ ତପସ୍ୟା କଲେ ଯେପରି ପିତୃଲୋକେ ଆମ୍ଭ ଉପରେ ପ୍ରୀତ ହୁଅନ୍ତି, ଆମ୍ଭର ଏହି ପ୍ରାର୍ଥନା ।୩୨। ରୋଷାଭିଭୂତ ହୋଇ ଆମ୍ଭେ ଯେ କ୍ଷତ୍ରିୟମାନଙ୍କୁ ବିନାଶ କରିଅଛୁଁ, ଆପଣମାନଙ୍କ ପ୍ରଭାବରୁ ସେ ପାପରେ ଆମ୍ଭେ ଯେପରି ଲିପ୍ତ ନ ହେବୁଁ ।୩୩। ପରନ୍ତୁ ଆମ୍ଭର ଏହି ହ୍ରଦମାନ ପୃଥିବୀରେ ତୀର୍ଥସ୍ୱରୂପ ପରିଗଣିତ ହେଉ ।

 

ରାମଙ୍କର ଏହି ଶୁଭାଶୟ ବାକ୍ୟ ଶ୍ରବଣକରି ପିତୃଲୋକେ ପରମ ପ୍ରୀତ ହୋଇ ହର୍ଷ ସହିତ କହିଲେ– ବତ୍ସ ! ତୁମ୍ଭର ପିତୃଭକ୍ତି ହେତୁରୁ ପୁନର୍ବାର ତୁମ୍ଭର ତପସ୍ୟା ବିଶେଷରୂପେ ବର୍ଦ୍ଧିତ ହେବ ।୩୫। ଅପିଚ ତୁମ୍ଭେ ଯେ କ୍ରୋଧାନ୍ଧ ହୋଇ କ୍ଷାତ୍ରକୁଳକୁ ନିପାତ କରିଅଛ, ତଜ୍ଜନିତ ଯେଉଁ ପାପ ହେଲା ତହିଁରୁ ତୁମେ ମୁକ୍ତ ହୋଇଅଛ । କାରଣ ଏହି ଯେ କ୍ଷତ୍ରିୟମାନେ ଆପଣାର ଦୁଷ୍କୃତିଦ୍ୱାରା ଆପେ ନିହତ ହୋଇଅଛନ୍ତି ।୩୬। ଆଉ ତୁମ୍ଭର ହ୍ରଦମାନେ ତୀର୍ଥ ହେବେ, ଏଥିରେ ସନ୍ଦେହ ନାହିଁ । ଯେଉଁ ବ୍ୟକ୍ତି ଏହିସବୁ ହ୍ରଦରେ ସ୍ନାନ କରିବ, ପିତୃଲୋକଙ୍କର ତର୍ପଣ କରିବ, ପିତୃଲୋକେ ତାହାଙ୍କ ପ୍ରତି ପ୍ରୀତ ହୋଇ ମର୍ତ୍ତ୍ୟଲୋକରେ ତାଙ୍କର ଯେତେ କାମନା ସବୁ ଦୁର୍ଲ୍ଲଭ ହେଲେ ହେଁ ସେସବୁକୁ ସଫଳ କରିବେ । ଅଥଚ ତାହାର ଅକ୍ଷୟ ସ୍ୱର୍ଗବାସ ହେବ; ଏଥିରେ ସନ୍ଦେହ ନାହିଁ ।୩୮। ହେ ରାଜନ୍‌ ! ପିତୃଲୋକେ ରାମଙ୍କୁ ଏତାଦୃଶ ବର ପ୍ରଦାନ କରି ତାହାଙ୍କ ସହିତ ସ୍ନେହ ସମ୍ଭାଷଣ କରି ତତ୍‌କ୍ଷଣାତ ସେହି ସ୍ଥାନରେ ଅନ୍ତର୍ହିତ ହେଲେ ।୩୯। ମହାତ୍ମା ଭାର୍ଗବଙ୍କର ରାମହ୍ରଦମାନେ ଏହିରୂପେ ପୁଣ୍ୟଜନକ ହୋଇଅଛନ୍ତି । ମନୁଷ୍ୟ ଶୁଭବ୍ରତୀ ଓ ବ୍ରହ୍ମଚାରୀ ହୋଇ ରାମହ୍ରଦରେ ସ୍ନାନ କଲେ ଓ ରାମଙ୍କର ଅର୍ଚ୍ଚନା କଲେ ବହୁ ସୁବର୍ଣ୍ଣଦାନର ଫଳ ଲାଭ କରେ ।୪୧।

 

ହେ କୁରୁକୁଳୋଦ୍ଭବ ! ଅନନ୍ତର ତୀର୍ଥସେବୀ ବଂଶମୂଳକୁ ଗମନ କରିବ । ସେଠାରେ ସ୍ନାନ କଲେ ଆପଣାର ବଂଶକୁ ଉଦ୍ଧାର କରିବ । ହେ ଭରତସତ୍ତମ ! ତତ୍‍ପରେ କାୟଶୋଧନ ତୀର୍ଥକୁ ଗମନ କରିବାକୁ ହୁଏ । ଦେହ ଶୁଦ୍ଧ ହେଲେ ଉତ୍କୃଷ୍ଟ ଗତି ଲବ୍ଧ ହୁଏ; ଏଥିରେ ସଂଶୟ ନାହିଁ-।୪୩। ହେ ଧର୍ମଜ୍ଞ ! ତତ୍‍ପରେ ଭୁବନବିଖ୍ୟାତ ଲୋକୋଦ୍ଧାର ତୀର୍ଥକୁ ଗମନ କରିବ-। ସେଠାରେ ପୂର୍ବକାଳରେ ପ୍ରଭବିଷ୍ଣୁ ବିଷ୍ଣୁଲୋକକୁ ଉଦ୍ଧାର କରିଥିଲେ । ସେଠାରେ ସ୍ନାନକଲେ ସ୍ୱକୀୟ ଲୋକଙ୍କୁ ଅର୍ଥାତ୍ ପରପୁରୁଷକୁ ଉଦ୍ଧାର କରିପାରିବ ।୪୫। ତତ୍‍ପରେ ଶ୍ରୀତୀର୍ଥକୁ ଗମନ କରିବ-। ସେଠାରେ ମନ ସ୍ଥିରକରି ସ୍ନାନ କଲେ ଓ ପିତୃ, ଋଷି ଓ ଦେବଗଣଙ୍କୁ ଅର୍ଚ୍ଚନା କଲେ ଉତ୍କୃଷ୍ଟ ଲକ୍ଷ୍ମୀ ଲାଭ ହୁଏ-।୪୬। ତଦନନ୍ତର କପିଳା ତୀର୍ଥକୁ ଗମନ କରିବ । ସେଠାରେ ବ୍ରହ୍ମଚାରୀ ଓ ସ୍ଥିରମନା ହୋଇ ସ୍ନାନକଲେ ଓ ନିଜର ପିତୃଲୋକକୁ କିମ୍ବା ଦେବଗଣଙ୍କୁ ଅର୍ଚ୍ଚନା କଲେ ସହସ୍ରେ କପିଳାଧେନୁ ଦାନର ଫଳ ହୁଏ ।୪୭। ଯେଉଁ ବ୍ୟକ୍ତି ସୂର୍ଯ୍ୟତୀର୍ଥକୁ ଗମନକରି ନିୟତଚିତ୍ତ ହୋଇ ପିତୃ ଓ ଦେବଗଣଙ୍କର ଆରାଧନା କରେ, ସେହି ବ୍ୟକ୍ତି ଅଗ୍ନିଷ୍ଟୋମର ଫଳ ଲାଭକରି ସୂର୍ଯ୍ୟଲୋକକୁ ଗମନ କରିବାକୁ ସମର୍ଥ ହୁଏ ।୪୯। ତହିଁପରେ ତୀର୍ଥସେବୀ ବ୍ୟକ୍ତି ଯଥାକ୍ରମେ ଗୋଭବନକୁ ଗମନ କରିବେ । ସେଠାରେ ସ୍ନାନକଲେ ସହସ୍ରେ ଗୋଦାନର ଫଳ ମିଳେ ।୫୦।

 

ହେ କୁରୁଶ୍ରେଷ୍ଠ ! ତଦନନ୍ତର ତୀର୍ଥପର୍ଯ୍ୟଟନକାରୀ ବ୍ୟକ୍ତି ଶଙ୍ଖିନୀ ତୀର୍ଥକୁ ଗମନ କରିବ-। ସେଠାରେ ଦେବୀତୀର୍ଥ ଅଛି । ତହିଁରେ ସ୍ନାନ କଲେ ଉତ୍କୃଷ୍ଟ ଫଳ ଲାଭ ହୁଏ ।୫୧। ହେ ରାଜେନ୍ଦ୍ର-! ଏଥିଉତ୍ତାରୁ ଅରନ୍ତୁପ ଦ୍ୱାରପାଳ ତୀର୍ଥକୁ ଗମନ କରିବ । ସେହି ତୀର୍ଥ ସରସ୍ୱତୀ ନଦୀ ନିକଟରେ ବର୍ତ୍ତମାନ ଅଛି । ମହାତ୍ମା ଯକ୍ଷେନ୍ଦ୍ର ତାହାର ଅଧିକାରୀ ଅଟନ୍ତି । ହେ ରାଜନ୍‌ ! ଏହି ତୀର୍ଥରେ ସ୍ନାନକଲେ ମନୁଷ୍ୟ ଅଗ୍ନିଷ୍ଟୋମ ଯଜ୍ଞର ଫଳଭୋଗୀ ହୁଏ ।୫୩। ହେ ଧର୍ମଜ୍ଞ ନରାଧିପ-! ତତ୍‍ପରେ ବ୍ରହ୍ମାବର୍ତ୍ତକୁ ଗମନ କରିବ । ମନୁଷ୍ୟ ସେଠାରେ ସ୍ନାନକଲେ ବ୍ରହ୍ମଲୋକ ପ୍ରାପ୍ତ ହୁଏ-। ହେ ରାଜେନ୍ଦ୍ର, ତଦନନ୍ତର ଅତି ଉତ୍ତମ ସ୍ୱତୀର୍ଥକୁ ଯାତ୍ରା କରିବ ।୫୪। ଏହି ତୀର୍ଥରେ ଦେବଗଣଙ୍କ ସହିତ ପିତୃଗଣ ନିତ୍ୟ ସନ୍ନିହିତ ଥାନ୍ତି । ଏହି ତୀର୍ଥରେ ଯେ ପିତୃଲୋକଙ୍କର ଓ ଦେବତାମାନଙ୍କ ଆରାଧନାରେ ରତ ହୋଇ ସ୍ନାନ କରେ, ତାହାର ଅଶ୍ୱମେଧ ଯଜ୍ଞର ଫଳ ଲାଭ ହୁଏ-। ପିତୃଲୋକରେ ସେ ବାସ କରେ । ଏହି କାରଣରୁ ଅମ୍ବମ୍ବତୀ ତୀର୍ଥର ଅନ୍ତର୍ବର୍ତ୍ତୀ, ସୁତୀର୍ଥକ ଅତି ଉତ୍ତମ ତୀର୍ଥ ବୋଲି ବିଖ୍ୟାତ ହୋଇଅଛି ।୫୬।

 

ହେ ଭରତସତ୍ତମ ! ତାହାପରେ କାଶୀଶ୍ୱରଙ୍କ ତୀର୍ଥରେ ସ୍ନାନ କଲେ ସମସ୍ତ ବ୍ୟାଧିରୁ ମୁକ୍ତି ମିଳେ ଓ ପରେ ବ୍ରହ୍ମଲୋକରେ ସେ ପୂଜିତ ହୁଏ ।୫୭। ହେ ଭାରତ ! ସେହି ସ୍ଥାନରେ ମାତୃତୀର୍ଥ ଅଛି । ତହିଁରେ ସ୍ନାନ କଲେ ମନୁଷ୍ୟର ବଂଶବୃଦ୍ଧି ହୁଏ ଓ ଧନସଂପତ୍ତି ଅନେକ ଲବ୍ଧ ହୁଏ-।୫୮। ତଦନନ୍ତର ସଂଯତ ହୋଇ ଓ ସ୍ଥିର ଚିତ୍ତ ହୋଇ ‘ସୀତାବନ’ ନାମକ ତୀର୍ଥକୁ ଗମନ କରିବ । ହେ ମହରାଜ ! ସେଠାକୁ ଗମନ କଲାକ୍ଷଣି ମନୁଷ୍ୟ ପବିତ୍ରତା ଲାଭ କରେ-। ଅନ୍ୟ କୌଣସି ସ୍ଥାନରେ ଏପରି ମହତ୍‌ଫଳ ଲବ୍ଧ ହୁଏ ନାହିଁ । ହେ ଭାରତ ! ଉକ୍ତ ସ୍ଥାନରେ କେଶକୁ ଧୋଇବା ମାତ୍ରେ ମନୁଷ୍ୟ ପବିତ୍ରତା ଲଭେ ।୬୦। ମହାରାଜ ! ଉକ୍ତ ସ୍ଥାନରେ “ଶ୍ଲାବିତ ଲୋମାପହ” ନାମରେ ପ୍ରସିଦ୍ଧ ଆଉ ଗୋଟିଏ ତୀର୍ଥ ଅଛି । ତୀର୍ଥ ତତ୍ପର ପଣ୍ଡିତ ବିପ୍ରମାନେ ସେହି “ଶ୍ଲାବିତ ଲୋମାପନୟନ” ତୀର୍ଥରେ ସ୍ନାନକରି ପରମ ପ୍ରୀତ ହୁଅନ୍ତି । ଶରୀରରୁ ଲୋମକୁ ଅପନୟନ କରି ପ୍ରାଣାୟାମଦ୍ୱାରା ପବିତ୍ରମନା ହୋଇ ପରମଗତିକୁ ଲଭନ୍ତି ।୬୩। ହେ ମହୀପତେ-! ସେହି ତୀର୍ଥରେ ଆଉ ଗୋଟିଏ ତୀର୍ଥ ଅଛି । ତାହାର ନାମ ଦଶାଶ୍ୱମେଧକ ତୀର୍ଥ । ଏହି ତୀର୍ଥରେ ସ୍ନାନକଲେ ମନୁଷ୍ୟ ପରମଗତି ଲାଭ କରେ ।୬୪।

 

ହେ ରାଜେନ୍ଦ୍ର ! ତଦନନ୍ତର ତୀର୍ଥସେବୀ ବ୍ୟକ୍ତି ଲୋକବିଖ୍ୟାତ ମାନୁଷତୀର୍ଥକୁ ଗମନ କରିବ । ପୂର୍ବେ ସେ ସ୍ଥଳରେ କୃଷ୍ଣସାର ମୃଗମାନେ ବ୍ୟାଧମାନଙ୍କ ଶରଦ୍ୱାରା ପୀଡ଼ିତ ହେବାରୁ ସେହି ସରୋବରରେ ଅବଗାହନ କରି ମନୁଷ୍ୟତ୍ୱ ପ୍ରାପ୍ତ ହୋଇଥିଲେ । ମନୁଷ୍ୟ ଯେବେ ବ୍ରହ୍ମଚାରୀ ହୋଇ ମନସ୍ଥିର କରି ସେହି ତୀର୍ଥରେ ସ୍ନାନ କରେ, ତେବେ ସେ ସର୍ବପାପରୁ ବିମୁକ୍ତ ହୁଏ । ତାହାର ଚିତ୍ତ ବିଶୁଦ୍ଧ ହୁଏ ଓ ସେ ସ୍ୱର୍ଗଲୋକକୁ ଗଲେ ସେଠାରେ ପୂଜିତ ହୁଏ । ହେ ମହୀପତେ ! ମନୁଷ୍ୟ ତୀର୍ଥର ଏକକ୍ରୋଶ ପୂର୍ବରେ (୬୭) ଆପଗା ନାମରେ ଗୋଟିଏ ବିଖ୍ୟାତା ନଦୀ ଅଛି । ସିଦ୍ଧଗଣମାନେ ସେଠାରେ ବାସ କରିଥାନ୍ତି । ସେଠାରେ ଯେଉଁ ମନୁଷ୍ୟ ଦେବ ଓ ପିତୃଲୋକଙ୍କ ଉଦ୍ଦେଶ୍ୟରେ ବ୍ରାହ୍ମଣମାନଙ୍କୁ ଶ୍ୟାମାକ* ଭୋଜନ ପ୍ରଦାନ କରେ, ତାହାର ମହାନ ଧର୍ମ ହୁଏ । ଆହୁରି ସେଠାରେ ଗୋଟିଏ ବିପ୍ରକୁ ଭୋଜନ କରାଇଲେ କୋଟିଏ ବିପ୍ରଭୋଜନ କରାଇବାର ଫଳ ମିଳେ ।୬୯। ପୁନଶ୍ଚ ତତ୍ରସ୍ଥ ନଦୀରେ ସ୍ନାନକରି ଦେବ ଓ ପିତୃଗଣଙ୍କର ଅର୍ଚ୍ଚନା କଲେ ଅଥଚ ଏକରାତ୍ରି ବାସ କଲେ ଅଗ୍ନିଷ୍ଟୋମ ଯଜ୍ଞର ଫଳ ଲାଭ ହୁଏ ।୭୦।

 

[*ଶ୍ୟାମକ ଏକପ୍ରକାର ଋଷିଧାନ୍ୟ ।]

 

ହେ ଭାରତ ରାଜେନ୍ଦ୍ର ! ତତ୍‍ପରେ ବ୍ରହ୍ମାଙ୍କର ଉତ୍କୃଷ୍ଟ କ୍ଷେତ୍ରକୁ ଗମନ କରିବ । ପୃଥିବୀରେ ସେହି ସ୍ଥାନ ବ୍ରହ୍ମୋଡୁମ୍ବର ନାମରେ ବିଖ୍ୟାତ ଅଛି । ହେ ନରେନ୍ଦ୍ର ! ଶୁଚି ଓ ସ୍ଥିରମନା ହୋଇ ତତ୍ରସ୍ଥିତ ସପ୍ତର୍ଷି କୁଣ୍ଡରେ ଓ ମହାତ୍ମା କପିଳ ମୁନିଙ୍କ କେଦାର ମଧ୍ୟରେ ସ୍ନାନ କଲେ ଓ ତାହାପରେ ତତ୍ରସ୍ଥିତ ବ୍ରହ୍ମାଙ୍କର ସନ୍ଦର୍ଶନ କଲେ ମନୁଷ୍ୟ ସର୍ବପାପରୁ ବିମୁକ୍ତ ହୋଇ ବ୍ରହ୍ମଲୋକକୁ ଗତି କରେ ।୭୩। ଏଥିଉତ୍ତାରୁ କପିଳ ଋଷିଙ୍କର କେଦାରକୁ ଗମନ କରିବ । ସେଠାରେ ତପସ୍ୟାକରି ପାପମାନଙ୍କୁ ଦଗ୍ଧ କଲେ ମନୁଷ୍ୟ ଅନ୍ତର୍ଦ୍ଧାନ ହୋଇପାରେ । ହେ ରାଜେନ୍ଦ୍ର । ତାହାପରେ ଲୋକବିଶ୍ରୁତ ସରକ ତୀର୍ଥକୁ ଗମନ କରିବ । ସେଠାରେ କୃଷ୍ଣପକ୍ଷର ଚତୁର୍ଦ୍ଦଶୀ ତିଥିରେ ମହାଦେବଙ୍କୁ ଦର୍ଶନ କଲେ ସର୍ବକାମନା ସିଦ୍ଧ ହୁଏ ଓ ସ୍ୱର୍ଗଲୋକ ପ୍ରାପ୍ତି ହୁଏ । ହେ କୁରୁନନ୍ଦନ ! ସେହି ସରକ ତୀର୍ଥରେ ଓ ରୁଦ୍ରକୋଟୀ କୂପ ଓ ହ୍ରଦସମୁଦ୍ରରେ ତିନି କୋଟୀତୀର୍ଥଙ୍କର ଅଧିଷ୍ଠାନ ଅଛି । ହେ ଭରତସତ୍ତମ ! ସେହି ସ୍ଥାନରେ ଇଳାସ୍ପଦ ନାମରେ ଗୋଟିଏ ତୀର୍ଥ ଅଛି ।୭୭। ତହିଁରେ ସ୍ନାନକରି ଦେବ ଓ ପିତୃଗଣଙ୍କର ଅର୍ଚ୍ଚନା କଲେ ମନୁଷ୍ୟ ଦୁର୍ଗତିରୁ ମୁକ୍ତହୋଇ ବାଜପେୟ ଯଜ୍ଞର ଫଳପ୍ରାପ୍ତ ହୁଏ ।୭୮। ହେ ମହୀପତେ ! କିନ୍ଦାନ ଓ କିଞ୍ଜପ୍ୟ ନାମରେ ଦୁଇଗୋଟି ତୀର୍ଥ ଅଛି । ସେଠାରେ ସ୍ନାନକଲେ ଅପରିମିତ ଦାନ ଓ ଅସଂଖ୍ୟ ଜପର ଫଳପ୍ରାପ୍ତି ହୁଏ ।୭୯। ଯେଉଁ ମନୁଷ୍ୟ ଶ୍ରଦ୍ଧାନ୍ୱିତ ଓ ଜିତେନ୍ଦ୍ରିୟ ହୋଇ କଳଶୀ ତୀର୍ଥର ଜଳରେ ସ୍ନାନ କରେ, ସେ ଅଗ୍ନିଷ୍ଟୋମ ଯଜ୍ଞର ଫଳପ୍ରାପ୍ତ ହୁଏ ।୮୦।

 

ହେ କୁରୁକୁଳଶ୍ରେଷ୍ଠ ! ସରକ ତୀର୍ଥର ପୂର୍ବରେ ମହାତ୍ମା ନାରଦଙ୍କର ଅନାଜନ୍ମ ଅମ୍ବାଜନ୍ମ ନାମରେ ଗୋଟିଏ ଶୁଭ ଓ ପ୍ରସିଦ୍ଧ ତୀର୍ଥ ଅଛି । ଯେଉଁ ମନୁଷ୍ୟ ସେଠାରେ ସ୍ନାନକରି ପ୍ରାଣ ପରିତ୍ୟାଗ କରେ, ସେହି ମାନବ ନାରଦଙ୍କ ଅନୁଜ୍ଞାନୁସାରେ ଅତି ହିତ୍ୟୁତ୍କୃଷ୍ଟ ଲୋକମାନଙ୍କୁ ପ୍ରାପ୍ତ ହୁଏ ।୮୨। ହେ ରାଜନ୍‌ ! ତୀର୍ଥସେବୀ ମନୁଜ ଶୁକ୍ଲପକ୍ଷୀୟ ଦଶମୀ ତିଥିରେ ପୁଣ୍ଡରୀକତୀର୍ଥକୁ ଗମନ କରି ସେଠାରେ ସ୍ନାନ ହେଲେ ପୁଣ୍ଡରୀକ ଯଜ୍ଞର ଫଳପ୍ରାପ୍ତ ହୁଏ ।୮୩। ତତ୍‍ପରେ ତ୍ରିଲୋକବିଖ୍ୟାତ ତ୍ରିପିଷ୍ଟକ ତୀର୍ଥକୁ ଯିବ । ସେଠାରେ ପ୍ରାପପ୍ରଣାଶିନୀ ଓ ପୁଣ୍ୟଜନିକା ବୈତରଣୀ ନାମରେ ନଦୀ ଅଛି ।୮୪। ତହିଁରେ ସ୍ନାନକରି ଶୂଳପାଣି ମହାଦେବଙ୍କୁ ଅର୍ଚ୍ଚନା କଲେ ମାନବ ସମସ୍ତ ପାପରୁ ମୁକ୍ତହୋଇ ବିଶୁଦ୍ଧ ହୁଏ । ଅନ୍ତକାଳରେ ସେ ପରମଗତି ଲାଭ କରେ ।୮୫।

 

ହେ ରାଜେନ୍ଦ୍ର ! ତଦନନ୍ତର ଅତି ଉତ୍ତମ ଫଳକୀ ବନକୁ ଯିବ । ଦେବତାମାନେ ସର୍ବଦା ସେହି ଫଳକୀ ବନରେ ସନ୍ନିହିତ ଥାଇ ବହୁ ସହସ୍ର ବତ୍ସର ବିପୁଳ ତପସ୍ୟାଚରଣ କରିଥିଲେ । ହେ ଭାରତ ! ଯେଉଁ ନର ଦୁଶଦ୍‌ବତୀରେ ସ୍ନାନକରି ଦେବତାମାନଙ୍କର ତର୍ପଣ କରେ, ସେ ଅଗ୍ନିଷ୍ଟୋମ ଓ ଅତିରାତ୍ର ଯଜ୍ଞର ଫଳ ଅପେକ୍ଷା ଅଧିକ ଫଳ ଲାଭ କରେ । ହେ ଭରତସତ୍ତମ ! ରାଜେନ୍ଦ୍ର ! ମନୁଷ୍ୟ ଯେବେ ସର୍ବଦେବଙ୍କ ତୀର୍ଥରେ ସ୍ନାନ କରିବ; ତେବେ ସେ ସହସ୍ର ଗୋଦାନର ଫଳ ଲଭିପାରିବ । ହେ ଭାରତ ! ମନୁଷ୍ୟ ଯେବେ ପାଣିଖାତରେ ସ୍ନାନ କରିବ ଓ ଦେବତାମାନଙ୍କର ତର୍ପଣ କରିବ, ତେବେ ଅଗ୍ନିଷ୍ଟୋମ ଓ ଅତିରାତ୍ର ଯଜ୍ଞର ଫଳ ଅପେକ୍ଷା ବିଶେଷ ଫଳ ପ୍ରାପ୍ତ ହେବ-। ରାଜସୂୟ ଯଜ୍ଞର ଫଳ ଲାଭ କରିବ ଓ ଅନ୍ତଃକାଳରେ ଋଷିଲୋକକୁ ଗମନ କରିବ-।୯୦।

 

ହେ ରାଜେନ୍ଦ୍ର ! ତତ୍‍ପରେ ଲୋକବିଖ୍ୟାତ ‘ମିଶ୍ରକ’ ତୀର୍ଥକୁ ଗମନ କରିବ । ହେ ନରେନ୍ଦ୍ର-! ଆମ୍ଭେମାନେ ଶୁଣିଅଛୁ ଯେ ମହାତ୍ମା ବ୍ୟାସ ଦ୍ୱିଜଗଣଙ୍କ ନିମିତ୍ତ ସେହି ସ୍ଥାନରେ ବହୁତୀର୍ଥର ମିଶ୍ରଣ କରିଥିଲେ । ହେ ରାଜନ୍‌ ! ଯେଉଁ ନର ସେହି ମିଶ୍ରକ ତୀର୍ଥରେ ସ୍ନାନ କରେ, ତାହାର ସର୍ବତୀର୍ଥରେ ସ୍ନାନ କରିବାର ଫଳପ୍ରାପ୍ତି ହୁଏ ।୯୨। ତଦନନ୍ତର ସ୍ୱଳ୍ପାହାରୀ ଓ ସ୍ଥିରଚିତ୍ତ ହୋଇ ବ୍ୟାସ ବନକୁ ଯିବ । ସେଠାରେ ମନୋଜବରେ ସ୍ନାନକଲେ ସହସ୍ରେ ଗୋଦାନର ଫଳଲବ୍ଧ ହୁଏ-।୯୩। ଯେଉଁ ମାନବ ଶୁଚି ହୋଇ ମଧୁବଟୀସ୍ଥିତ ଦେବୀଙ୍କ ତୀର୍ଥରେ ସ୍ନାନକରେ ଓ ଦେବପିତୃଲୋକଙ୍କର ଅର୍ଚ୍ଚନା କରେ, ସେହି ପୁରୁଷ ଦେବୀଙ୍କ ଆଜ୍ଞାନୁସାରେ ସହସ୍ରେ ଗୋଦାନର ଫଳ ପାଏ । ହେ ଭାରତ ! ଯେଉଁ ମନୁଷ୍ୟ ସଂଯତାହାରୀ ହୋଇ କୌଶିକୀ ଓ ଦୃଷଦ୍‌ବତୀ ସଙ୍ଗମସ୍ଥଳରେ ସ୍ନାନକରେ, ସେ ସବୁ ପାପରୁ ବିମୁକ୍ତ ହୁଏ । ଏଥିପରେ ବ୍ୟାସସ୍ଥଳୀ ନାମରେ ଆଉ ଗୋଟିଏ ତୀର୍ଥ ଅଛି । ସେ ତୀର୍ଥ ସର୍ବତ୍ର ପ୍ରସିଦ୍ଧ । ବ୍ୟାସଦେବ ପୁତ୍ରଶୋକରେ ଆତୁର ଓ ସନ୍ତପ୍ତ ହୋଇ ସେ ସ୍ଥଳରେ ପ୍ରାଣତ୍ୟାଗ କରିବାକୁ ଅଭିଳାଷ କରିଥିଲେ । ଦେବତାମାନେ ଆସି ତାହାଙ୍କୁ ସାନ୍ତ୍ୱନା ଦେଲେ ।୯୭। ସେହି ବ୍ୟାସସ୍ଥଳୀକୁ ଗମନ କଲେ ମନୁଷ୍ୟକୁ ସହସ୍ରେ ଗୋଦାନର ଫଳ ମିଳେ । ହେ କୁଗ୍‌ଧାଦବହ ! ଯେଉଁ ବ୍ୟକ୍ତି କିନ୍ଦନ୍ତି କୂପକୁ ଗମନ କରି ସେଠାରେ ପ୍ରସ୍ଥ ପରିମିତ ତିଳଦାନ କରେ, ସେହି ବ୍ୟକ୍ତି ଋଣତ୍ରୟରୁ ମୁକ୍ତହୋଇ ପରମ ସିଦ୍ଧିଲାଭ କରେ । ବେଦୀ ତୀର୍ଥରେ ସ୍ନାନକଲେ ମନୁଷ୍ୟ ସହସ୍ରେ ଗୋଦାନର ଫଳ ପାଇପାରେ ।୯୯। ଆଉ ଦିଓଟି ବିଖ୍ୟାତ ତୀର୍ଥ ଅଛି । ତାହାର ନାମ ଅହ ଓ ସୁଦିନ । ତହିଁରେ ସ୍ନାନକଲେ ମନୁଷ୍ୟ ସୂର୍ଯ୍ୟଲୋକକୁ ଗମନ କରେ, ଏଥିରେ ସଂଶୟ ନାହିଁ ।୧୦୦।

 

ହେ ନୃପସତ୍ତମ ! ତଦନନ୍ତର ତୀର୍ଥସେବୀ ବ୍ୟକ୍ତି ତ୍ରିଲୋକବିଖ୍ୟାତ ମୃଗଧୂମ ତୀର୍ଥକୁ ଗମନ କରିବ । ସେଠାରେ ଗଙ୍ଗାସ୍ନାନ କରି ମହାଦେବଙ୍କର ପୂଜା କଲେ ଅଶ୍ୱମେଧର ଫଳ ଲାଭ ହୁଏ ।୧୦୧। ତତ୍‍ପରେ ଦେବୀଙ୍କ ତୀର୍ଥରେ ସ୍ନାନକରି ମନୁଷ୍ୟ ସହସ୍ର ଗୋଦାନର ଫଳ ଲାଭ କରିପାରେ ।୧୦୨। ତାହା ଉତ୍ତାରୁ ତ୍ରିଲୋକବିଖ୍ୟାତ ବାମନକ ତୀର୍ଥକୁ ଗମନ କରିବ । ସେଠାରେ ଗଙ୍ଗାସ୍ନାନ କରି ବାମନ ଦେବଙ୍କର ଅର୍ଚ୍ଚନା କଲେ ସର୍ବପାପ କ୍ଷୟ ହୁଏ ଓ ମନୁଷ୍ୟ ବିଶୁଦ୍ଧଚିତ୍ତ ହୋଇ ବିଷ୍ଣୁଙ୍କ ତୀର୍ଥକୁ ଗମନ କରେ । ଅତଃପରେ କୁଳମୁନ ତୀର୍ଥରେ ସ୍ନାନକରି ମନୁଷ୍ୟ ନିଜ କୁଳକୁ ପବିତ୍ର କରେ ।୧୦୪।

 

ହେ ନରଶ୍ରେଷ୍ଠ ! ତଦନନ୍ତର ବାୟୁଗଣଙ୍କର ଉତ୍କୃଷ୍ଟ ତୀର୍ଥକୁ ଗମନ କରିବ । ତହିଁରେ ବାୟୁହ୍ରଦ ଅଛି, ତହିଁରେ ସ୍ନାନକଲେ ମନୁଷ୍ୟ ବାୟୁଲୋକକୁ ଯାଇ ସେଠାରେ ପୂଜା ପାଏ । ପୁନଶ୍ଚ ଅମରଗଣଙ୍କ ହ୍ରଦରେ ସ୍ନାନକରି ଅମରାଧିପତି ଇନ୍ଦ୍ରଙ୍କର ପୂଜା କଲେ ଅମରଗଣଙ୍କ ପ୍ରଭାବରୁ ସ୍ୱର୍ଗଲୋକରେ ସମ୍ମାନ ପାଏ । ଅଥଚ ସେ ବ୍ୟକ୍ତି ପ୍ରଧାନତମ ବିମାନରେ ଆରୋହଣ କରି ଅମରାମାନଙ୍କ ସହିତ ଭ୍ରମଣ କରେ ।୧୦୬। ହେ ରାଜଶ୍ରେଷ୍ଠ ! ଯେଉଁ ବ୍ୟକ୍ତି ଶାଳିହୋତ୍ରଙ୍କର ଶାଳିସୂର୍ଯ୍ୟ ନାମକ ତୀର୍ଥରେ ବିଧିପୂର୍ବକ ସ୍ନାନକରେ ତାହାର ସହସ୍ରେ ଗୋଦାନର ଫଳ ଲାଭ ହୁଏ-।୧୦୭। ହେ ଭରତସତ୍ତମ ! ସରସ୍ୱତୀ ତଟରେ ଶ୍ରୀକୁଞ୍ଜ ନାମରେ ତୀର୍ଥ ଅଛି । ତହିଁରେ ମନୁଷ୍ୟ ସ୍ନାନକଲେ ଅଗ୍ନିଷ୍ଟୋମ ଯଜ୍ଞର ଫଳ ଲାଭ କରେ ।୧୦୮। ହେ କୁରୁନନ୍ଦନ ! ନୈମିଷ କୁଞ୍ଜକୁ ଗମନ କରିବ । ହେ ରାଜେନ୍ଦ୍ର ! ପୂର୍ବକାଳରେ ନୈମିଷ କାନନବାସୀ ତପସ୍ୱୀ ଋଷିମାନେ ତୀର୍ଥ ଯାତ୍ରାକରି କୁରୁକ୍ଷେତ୍ରକୁ ଗମନ କରୁଥିଲେ । ସେଠାରେ ଯେ ରୂପେ ଋଷିଗଣଙ୍କର ତୁଷ୍ଟିକର ହୋଇପାରେ, ଏପରି ଗୋଟିଏ ବୃହତ୍ କୁଞ୍ଜ ସରସ୍ୱତୀ ନଦୀତୀରରେ ନିର୍ମିତ ହୋଇଥିଲା । ମନୁଷ୍ୟ ସେହି କୁଞ୍ଜକୁ ଗମନ କରି ସେଠାରେ ସ୍ନାନକଲେ ଅଗ୍ନିଷ୍ଟୋମର ଫଳ ପ୍ରାପ୍ତ ହୁଏ-।୧୧୧।

 

ହେ ଧର୍ମଜ୍ଞ ! ତତ୍‍ପରେ ବନ୍ୟାତୀର୍ଥକୁ ଗମନ କରିବ । ଯେଉଁ ନର ସେହି ତୀର୍ଥରେ ସ୍ନାନ କରେ, ସେ ସହସ୍ର ଗୋଦାନର ଫଳଲାଭ କରେ । ହେ ରାଜେନ୍ଦ୍ର ! ତଦନନ୍ତର ବ୍ରାହ୍ମଣଙ୍କ ଉତ୍କୃଷ୍ଟ ତୀର୍ଥକୁ ଗମନ କରିବ । ସେହି ତୀର୍ଥରେ ହୀନଜାତିର ମନୁଷ୍ୟ ସ୍ନାନ କଲେ ହେଁ ସେ ବ୍ରାହ୍ମଣ୍ୟ ଲାଭ କରିପାରେ । ବ୍ରାହ୍ମଣ ଯେବେ ସେଥିରେ ସ୍ନାନ କରେ, ତେବେ ସେ ବିଶୁଦ୍ଧଚିତ୍ତ ହୋଇ ପରମ ଗତିକୁ ପ୍ରାପ୍ତ ହୁଏ । ହେ ନରଶ୍ରେଷ୍ଠ ! ତଦନନ୍ତର ତୀର୍ଥଗାମୀ ବ୍ୟକ୍ତି ଅତି ଉତ୍କୃଷ୍ଟ ସୋମ ତୀର୍ଥକୁ ଗମନ କରିବ ।୧୧୪। ମନୁଷ୍ୟ ସେଠାରେ ସ୍ନାନକଲେ ସୋମଲୋକକୁ ଗମନ କରେ ।

 

ହେ ନରାଧିପତେ ! ତତ୍‍ପରେ ସପ୍ତ ସାରସ୍ୱତ ତୀର୍ଥକୁ ଗମନ କରିବ ।୧୧୫। ସେହି ସ୍ଥାନରେ ଲୋକବିଖ୍ୟାତ ମଙ୍କଣକ ଋଷି ସିଦ୍ଧିଲାଭ କରିଥିଲେ । ହେ ରାଜନ୍‌ ! ଆମ୍ଭମାନଙ୍କର ଶୁଣାଅଛି ଯେ ପୂର୍ବକାଳରେ ମଙ୍କଣକ ଋଷିଙ୍କ ହସ୍ତ କୁଶାଗ୍ରଦ୍ୱାରା କ୍ଷତ ହୋଇଥିଲା ।୧୧୬। ତହିଁରେ ତାହାଙ୍କ ହସ୍ତରୁ ଶାକରସ ନିଃସୃତ ହେଲା । ମହାତପସ୍ୱୀ ବିପ୍ରର୍ଷି ମଙ୍କଣକ ସେହି ଶାକରସକୁ ଦେଖି ବିସ୍ମୟୋତ୍‌ଫୁଲ୍ଲ ଲୋଚନରେ ହୃଷ୍ଟଚିତ୍ତରେ ନୃତ୍ୟ କରିବାକୁ ଆରମ୍ଭ କଲେ ।୧୧୭। ହେ ବୀର ! ସେ ନୃତ୍ୟ କରିବାରେ ପ୍ରବୃତ୍ତ ହୁଅନ୍ତେ ସ୍ଥାବର ଓ ଜଙ୍ଗମ ସବୁ ତାହାଙ୍କ ପ୍ରଭାବରେ ମୋହିତ ହୋଇ ନୃତ୍ୟ କଲେ ।୧୧୮। ହେ ରାଜନ୍‌ ! ବ୍ରହ୍ମାଦି ଦେବଗଣ ଓ ତପୋଧନ ଋଷିଗଣ ସେହି ଋଷିଙ୍କ ନିମିତ୍ତ ମହାଦେବଙ୍କୁ ନିବେଦନ କଲେ । ହେ ଦେବ ! ଯହିଁରେ ଏହି ଋଷି ନୃତ୍ୟ ନ କରନ୍ତି ଆପଣ ତାହାର ବିଧାନ କରନ୍ତୁ । ଦେବଗଣଙ୍କ ହିତ କାମନାରେ ମହାଦେବ ହର୍ଷାବିଷ୍ଟ ଚିତ୍ତରେ ନର୍ତ୍ତନକାରୀ ଋଷିଙ୍କ ନିକଟକୁ ଗମନ କଲେ ଓ କହିଲେ, ହେ ଧର୍ମଜ୍ଞ ମହର୍ଷେ ? ଆପଣ କି ନିମିତ୍ତ ନୃତ୍ୟ କରୁଅଛନ୍ତି ? ହେ ମୁନୀନ୍ଦ୍ର ! ଅଦ୍ୟ ଆପଣଙ୍କର ହର୍ଷର କି କାରଣ ଉପସ୍ଥିତ ହୋଇଅଛି ?୧୨୧।

 

ଋଷି କହିଲେ, ହେ ଦ୍ୱିଜସତ୍ତମ ! ଆମ୍ଭେ ଧର୍ମପଥରେ ରହି ତପସ୍ୟା କରୁ । ଏହି ହେତୁରୁ ଆମ୍ଭ ହସ୍ତରୁ ଶାକରସ ନିର୍ଗତ ହେଉଅଛି । ଆପଣ କଣ ଦେଖୁ ନାହାନ୍ତି ?୧୨୨। ହେ ବ୍ରହ୍ମନ୍‌ ! ଆମ୍ଭେ ଏହା ଦେଖି ମହାହର୍ଷରେ ନୃତ୍ୟ କରୁଅଛୁଁ । ମହାଦେବ ହାସ୍ୟ କରି ସେହି ରାଗମୋହିତ ଋଷିଙ୍କୁ କହିଲେ, ହେ ବିପ୍ର ! ଏଥିରେ ଆମ୍ଭେ କିଞ୍ଚନ୍ମାତ୍ର ବିସ୍ମିତ ହେଉ ନାହୁଁ । ହେ ନରଶ୍ରେଷ୍ଠ ! ମହାଦେବ ଏହା କହି ତତ୍‌କ୍ଷଣାତ ନିଜ ଅଙ୍ଗୁଳିରେ ଅଗ୍ରଭାଗଦ୍ୱାରା ଅଙ୍ଗୁଷ୍ଠିକୁ ତାଡ଼ନା କଲେ । କ୍ଷତସ୍ଥାନରୁ ହିମସନ୍ନିଭ ଶୁଭ୍ରବର୍ଣ୍ଣ ଭସ୍ମ ନିର୍ଗତ ହେବାକୁ ଆରମ୍ଭ କଲା ।୧୨୫। ହେ ରାଜନ୍‌ ! ତାହା ଦେଖି ସେହି ମୁନି ଲଜ୍ଜିତ ହୋଇ ମହାଦେବଙ୍କ ଚରଣତଳେ ନିପତିତ ହେଲେ । ଋଷି ବିଚାର କଲେ ଯେ ରୁଦ୍ରଦେବଙ୍କ ଅପେକ୍ଷା ଆଉ କୌଣସି ଦେବ ଅଧିକ ଉତ୍କୃଷ୍ଟ ନୁହନ୍ତି । ଏହା ଭାବି ତାହାଙ୍କର ସ୍ତବ ଆରମ୍ଭ କଲେ ।୧୨୬। ହେ ଶୂଳଧାରିଣ ! ତୁମ୍ଭେ ସୁରାସୁରଙ୍କର ଓ ସମସ୍ତ ଜଗତର ଗତି । ଚରାଚର ସହିତ ଅଖିଳ ବ୍ରହ୍ମାଣ୍ଡକୁ ତୁମ୍ଭେ ସର୍ଜନା କରିଅଛ । ଯୁଗାନ୍ତକାଳରେ ତୁମ୍ଭେ ପୁନର୍ବାର ଏହାକୁ ସଂହାର କରିବ । ଦେବତାମାନେ ମଧ୍ୟ ତୁମ୍ଭର ମହିମା ଜାଣିବାକୁ ଅକ୍ଷମ । ଅତଏବ ଆମ୍ଭେ କିପରି ତୁମ୍ଭଙ୍କୁ ଜାଣିପାରିବୁ ?୧୨୮।

 

ହେ ଅନଘ ! ବ୍ରହ୍ମାଦି ଦେବତାମାନେ ସମସ୍ତେ ତୁମ୍ଭଠାରେ ଦୃଶ୍ୟ ହେଉଅଛନ୍ତି । ତୁମ୍ଭେ ଶର୍ବ, ତୁମ୍ଭେ ଲୋକସମୂହର କର୍ତ୍ତା ଓ ନିୟନ୍ତା ।୧୨୯। ସବୁ ଦେବତା ତୁମ୍ଭ ପ୍ରସାଦରୁ ଏହି ଜଗତରେ ନିର୍ଭୀକ ହୋଇ ପରମ ସୁଖରେ ବିହରଣ କରିଥାନ୍ତି । ମହାଦେବଙ୍କୁ ଏହିପରି ସ୍ତବ କରି ମଙ୍କଣକ ଋଷି ପୁନର୍ବାର କହିଲେ ।୧୩୦। ହେ ମହାଦେବ ! ଆମ୍ଭେ ଏହି ପ୍ରାର୍ଥନା କରୁଅଛୁ ଯେ ଆପଣଙ୍କ ପ୍ରସାଦରୁ ଆମ୍ଭର ତପସ୍ୟା ଅବିଚଳିତ ହେଉ । ଏହା ଶୁଣି ମହାଦେବ ବ୍ରହ୍ମର୍ଷିଙ୍କ ପ୍ରତି ତୁଷ୍ଟ ହୋଇ କହିଲେ, ହେ ବିପ୍ର ! ଆମ୍ଭ ପ୍ରସନ୍ନତା ହେତୁ ତୁମ୍ଭର ତପସ୍ୟା ସହସ୍ରେ ଗୁଣ ବର୍ଦ୍ଧିତ ହେବ । ହେ ମହାମୁନେ ! ଆମ୍ଭେ ତୁମ୍ଭ ସହିତ ଏହି ଆଶ୍ରମରେ ବାସକରି ରହିବୁଁ ।୧୩୨। ଯେଉଁମାନେ ସପ୍ତ ସାରସ୍ୱତରେ ସ୍ନାନ କରି ଆମ୍ଭର ଅର୍ଚ୍ଚନା କରିବେ, ସେମାନଙ୍କର ଇହଲୋକରେ କି ପରଲୋକରେ କିଛି ଅଭାବ ରହିବ ନାହିଁ ।୧୩୩। ଓ ସେମାନେ ନିଶ୍ଚୟ ସାରସ୍ୱତ ଲୋକକୁ ଗମନ କରିବେ, ମହାଦେବ ଉକ୍ତ କଥା କହି ସେହି ସ୍ଥାନରେ ଅନ୍ତର୍ହିତ ହେଲେ ।୧୩୪।

 

ହେ ଭରତ–କୁଳଭୂଷଣ ! ତୀର୍ଥସେବୀ ବ୍ୟକ୍ତି ସେଠାରୁ ତ୍ରିଲୋକ-ବିଖ୍ୟାତ ଔଶନସ ତୀର୍ଥକୁ ଗମନ କରିବ । ସେଠାରେ ବ୍ରହ୍ମାଦି ଦେବମାନେ, ତପୋଧନ ଋଷିଗଣ ଓ ଭଗବାନ କାର୍ତ୍ତିକେୟ ଭାର୍ଗବଙ୍କର ପ୍ରୀତିକାମନା କରି ସନ୍ନିହିତ ଥାନ୍ତି ।୧୩୬। ହେ ନରେନ୍ଦ୍ର ! ସେଠାରେ ସ୍ନାନକଲେ ମନୁଷ୍ୟ ସମସ୍ତ ପାପରୁ ବିମୁକ୍ତ ହୁଏ । ହେ ନରଶ୍ରେଷ୍ଠ ! ତଦନନ୍ତର ଅଗ୍ନିତୀର୍ଥକୁ ଗମନ କରିବ । ଯେଉଁ ବ୍ୟକ୍ତି ସେହି ତୀର୍ଥରେ ସ୍ନାନ କରେ, ସେ ଅଗ୍ନିଲୋକକୁ ଗମନ କରେ ଓ ନିଜର କୁଳକୁ ଉଦ୍ଧାର କରେ । ସେହି ସ୍ଥାନରେ ବିଶ୍ୱାମିତ୍ରଙ୍କର ଗୋଟିଏ ତୀର୍ଥ ଅଛି । ତହିଁରେ ସ୍ନାନକଲେ ମନୁଷ୍ୟର ବ୍ରହ୍ମଣ୍ୟ ଲାଭ ହୁଏ ।୧୩୯। ହେ ନରେନ୍ଦ୍ର ! ତୀର୍ଥଯାୟୀ ବ୍ୟକ୍ତି ଶୁଚି ଓ ସଂଯତଚିତ୍ତ ହୋଇ ବ୍ରାହ୍ମଯୋନି ତୀର୍ଥକୁ ଗମନ କରି ସେଠାରେ ସ୍ନାନକଲେ ବ୍ରହ୍ମଲୋକ ପ୍ରାପ୍ତ ହୁଏ ଓ ତାହାର ସପ୍ତପୁରୁଷ ଉଦ୍ଧାର ହୁଅନ୍ତି । ଏଥିରେ କିଛି ସନ୍ଦେହ ନାହିଁ ।୧୪୦।

 

ହେ ରାଜେନ୍ଦ୍ର ! ତତ୍‍ପରେ ତ୍ରିଲୋକବିଖ୍ୟାତ ପୃଥୁଦକ ତୀର୍ଥକୁ ଗମନ କରିବ । ତାହା ମହାତ୍ମା କାର୍ତ୍ତିକେୟଙ୍କର ତୀର୍ଥ । ସେଠାରେ ସ୍ନାନ କରି ଦେବ ଓ ପିତୃଗଣଙ୍କର ଅର୍ଚ୍ଚନା କରିବ ।୧୪୨। ହେ ଭରତ ! ସ୍ତ୍ରୀ ହେଉ ବା ପୁରୁଷ ହେଉ, ମନୁଷ୍ୟ ଯେବେ ଜ୍ଞାନରେ ଅଥବା ଅଜ୍ଞାନରେ ଯେତେ ପାପ କରିଥାଏ, ସେସବୁ ପାପ ପୁଥୁଦକରେ ସ୍ନାନ କରିବାମାତ୍ରେ ବିନଷ୍ଟ ହୁଏ, ତେବେ ଅଧିକରେ ଅଶ୍ୱମେଧଯଜ୍ଞର ଫଳଲାଭ ଓ ସ୍ୱର୍ଗବାସ ଲାଭ ହୁଏ ।୧୪୪। ଋଷିମାନେ କହନ୍ତି ଯେ କୁରୁକ୍ଷେତ୍ର ଅପେକ୍ଷା ସରସ୍ୱତୀ ଅଧିକ ପୁଣ୍ୟଜନକ । ସରସ୍ୱତୀ ଅପେକ୍ଷା ସବୁ ତୀର୍ଥ ଏକତ୍ର ହୋଇ ଅଧିକ ପୁଣ୍ୟଜନୟିତ୍ରୀ ଓ ସବୁ ତୀର୍ଥଙ୍କ ଅପେକ୍ଷା ପୁଥୁଦକ ଅଧିକ ପୁଣ୍ୟପ୍ରଦ ।୧୪୫। ଯେଉଁ ବ୍ୟକ୍ତି ଏପରି ସର୍ବୋତ୍ତମ ପୁଣ୍ୟଜନକ ପୁଥୁଦକ ତୀର୍ଥରେ ଜପ କରୁ କରୁ ପ୍ରାଣତ୍ୟାଗ କରେ, ତାହାର ପୁନର୍ଜନ୍ମ ହୁଏ ନାହିଁ ।୧୪୬।

 

ହେ ରାଜନ୍‌ ! ସନତ୍‌କୁମାର ଓ ମହାତ୍ମା ବ୍ୟାସ କହିଅଛନ୍ତି ଓ ବେଦରେ ମଧ୍ୟ କଥିତ ଅଛି ଯେ ପୃଥୁଦକ ତୀର୍ଥକୁ ଗମନ କରିବ ।୧୪୭। ହେ କୁରୁନନ୍ଦନ ! ପୁଥୁଦକ ସବୁତୀର୍ଥ ଅପେକ୍ଷା ବଡ଼-। ତାହାଠାରୁ ଅଧିକ ପୁଣ୍ୟଜନକ ତୀର୍ଥ ଆଉ ନାହିଁ । ଏହି ପୁଥୁଦକ ତୀର୍ଥ ମେଧା ବୃଦ୍ଧି କରେ ଓ ପବିତ୍ର କରେ, ଏଥିରେ ସଂଶୟ ନାହିଁ ।୧୪୮। ହେ ନରଶ୍ରେଷ୍ଠ ! ପଣ୍ଡିତମାନେ କହିଅଛନ୍ତି ଯେ ପାପକାରୀ ମନୁଷ୍ୟ ସୁଦ୍ଧା ପୃଥୁଦକରେ ସ୍ନାନ କଲେ ସ୍ୱର୍ଗକୁ ଗମନ କରନ୍ତି ।୧୪୯। ହେ ଭରତସତ୍ତମ ! ସେହି ସ୍ଥାନରେ ମଧୁସ୍ରବ ନାମରେ ଆଉ ଗୋଟିଏ ତୀର୍ଥ ଅଛି । ମନୁଷ୍ୟ ତହିଁରେ ସ୍ନାନ କଲେ ସହସ୍ର ଗୋଦାନର ଫଳ ପ୍ରାପ୍ତ ହୁଏ ।୧୫୦।

 

ହେ ରାଜେନ୍ଦ୍ର ! ତଦନନ୍ତର ଯେଉଁ ସ୍ଥାନରେ ସରସ୍ୱତୀଙ୍କ ସହିତ ଅରୁଣର ସଙ୍ଗମ ହୋଇଅଛି, ଲୋକବିଖ୍ୟାତ ସେହି ପବିତ୍ର ତୀର୍ଥକୁ କ୍ରମରେ ଗମନ କରିବ ।୧୫୧। ସେଠାରେ ସ୍ନାନ ଓ ତ୍ରିରାତ୍ର ଉପବାସ କଲେ ମନୁଷ୍ୟ ବ୍ରହ୍ମହତ୍ୟା ପାପରୁ ମୁକ୍ତ ହୁଏ । ଅଗ୍ନିଷ୍ଟୋମ ଓ ଅତିରାତ୍ର ଯଜ୍ଞର ଫଳ ଅପେକ୍ଷା ତାହାର ଅଧିକ ଫଳ ଲବ୍ଧ ହୁଏ ଓ ସେ ବ୍ୟକ୍ତି ଆପଣାର ସପ୍ତପୁରୁଷ ପର୍ଯ୍ୟନ୍ତ ପବିତ୍ର କରେ । ହେ କୁରୁକୁଳ ଧୁରନ୍ଧର ! ସେଠାରେ ଅର୍ଦ୍ଧକୀଳ ନାମରେ ଆଉ ଗୋଟିଏ ତୀର୍ଥ ଅଛି-।୧୫୩। ପୂର୍ବକାଳରେ ଦର୍ଭୀଋଷି ବ୍ରାହ୍ମଣମାନଙ୍କ ପ୍ରତି ଦୟାକରି ସେହି ତୀର୍ଥକୁ ନିର୍ମାଣ କରିଥିଲେ-। ହେ ନରେନ୍ଦ୍ର ! ବ୍ରତ, ଉପନୟନ, ଉପବାସ, କ୍ରିୟା ଓ ମନ୍ତ୍ରଦ୍ୱାରା ମନୁଷ୍ୟ ବ୍ରାହ୍ମଣତ୍ୱ ଲାଭ କରେ-। କିନ୍ତୁ ପୁରାତନ ପଣ୍ଡିତମାନେ ଦେଖିଅଛନ୍ତି ଯେ ମନୁଷ୍ୟ କ୍ରିୟା ଓ ମନ୍ତ୍ରାଦି ବିହୀନ ହୋଇ ସୁଦ୍ଧା ସେହି ତୀର୍ଥରେ କେବଳମାତ୍ର ସ୍ନାନକରି ବିଦ୍ୱାନ ଓ ବ୍ରତାଧାରୀ ହୋଇଥାଏ ।୧୫୫। ଉକ୍ତ ଋଷି ଚାରି ସମୁଦ୍ରକୁ ସେଠାକୁ ଆଣିଥିଲେ । ହେ ନରଶ୍ରେଷ୍ଠ ! ଏହି ନିମିତ୍ତ ସେ ତୀର୍ଥରେ ସ୍ନାନ କଲେ ମନୁଷ୍ୟ ଦୁର୍ଗତି ପ୍ରାପ୍ତ ହୁଏ ନାହିଁ । ଏଥିଉତ୍ତାରୁ ସେହି ବ୍ୟକ୍ତି ଚାରି ସହସ୍ର ଗୋଦାନର ଫଳ ପାଏ-।୧୫୬।

 

ହେ ଧର୍ମଜ୍ଞ ! ତତ୍‍ପରେ ଶତସହସ୍ରକ ତୀର୍ଥକୁ ଗମନ କରିବ । ସେହିଠାରେ ସାହସ୍ରକ ନାମରେ ଆଉ ଗୋଟିଏ ତୀର୍ଥ ଅଛି । ଉକ୍ତ ଦୁଇ ତୀର୍ଥ ଲୋକବିଖ୍ୟାତ । ଉକ୍ତ ଉଭୟ ତୀର୍ଥରେ ସ୍ନାନକଲେ ସହସ୍ରେ ଗୋଦାନର ଫଳ ଲାଭ ହୁଏ । ଆଉ ଯେବେ ସେଠାରେ ଦାନ କି ଉପବାସ କରିବ, ତେବେ ପ୍ରତ୍ୟେକ କାର୍ଯ୍ୟ ନିମିତ୍ତ ସହସ୍ର ଗୁଣ ଫଳ ମିଳିବ । ହେ ରାଜେନ୍ଦ୍ର ! ତଦନନ୍ତର ରେଣୁକାନାମ୍ନୀ ତୀର୍ଥଶ୍ରେଷ୍ଠକୁ ଗମନ କରିବ ।୧୫୯। ସେଠାରେ ସ୍ନାନକରି କେହି ପିତୃ ଓ ଦେବଗଣଙ୍କର ଅର୍ଚ୍ଚନା କଲେ ସର୍ବପ୍ରକାର ପାପରୁ ମୁକ୍ତ ହୁଏ । ତାହାର ଅନ୍ତଃକରଣ ବିଶୁଦ୍ଧ ହୁଏ ଓ ସେ ଅଗ୍ନିଷ୍ଟୋମର ଫଳ ପାଏ ।୧୬୦। କ୍ରୋଧ ଓ ଇନ୍ଦ୍ରିୟମାନଙ୍କୁ ଜୟ କରି ଯେବେ ବିମୋଚନ ତୀର୍ଥରେ ସ୍ନାନ କରିବ, ତେବେ ପ୍ରତିଗ୍ରହ କରିଥିବା ସମସ୍ତ ଦୋଷରୁ ମୁକ୍ତ ହେବ ।୧୬୧।

 

ତତ୍‍ପରେ ଜିତେନ୍ଦ୍ରିୟ ଓ ବ୍ରହ୍ମଚାରୀ ହୋଇ ପଞ୍ଚବଟୀକୁ ଗମନ କଲେ ମହତ ପୁଣ୍ୟ ହୁଏ ଓ ସଜ୍ଜନମାନେ ଯେଉଁ ଲୋକରେ ବାସ କରନ୍ତି ସେହି ଲୋକରେ ପୂଜ୍ୟ ହୁଏ ।୧୬୨। ଅନନ୍ତର ଯେଉଁ ସ୍ଥାନରେ ବୃଷଧ୍ୱଜ ଯୋଗେଶ୍ୱର ସ୍ଥାଣୁ ସ୍ୱୟଂ ଅଧିଷ୍ଠାନ କରୁଅଛନ୍ତି, ତାହାଙ୍କୁ ଅର୍ଚ୍ଚନା କଲାକ୍ଷଣି ଲୋକ ସିଦ୍ଧିଲାଭ କରେ ।୧୬୩। ବାରୁଣ ନାମକ ଏକ ତୀର୍ଥ ଅଛି । ସେଠାରେ ବରୁଣ ଦେବ ନିଜ ତେଜରେ ଦୀପ୍ୟମାନ ହୋଇ ରହିଅଛନ୍ତି । ବ୍ରହ୍ମାଦି ଦେବଗଣ ଓ ତପୋଧନର ଋଷିଗଣ ସେଠାରେ କାର୍ତ୍ତିକେୟଙ୍କୁ ସେନାପତି ପଦରେ ଅଭିଷିକ୍ତ କଲେ । ହେ କୁରୁନନ୍ଦନ ! ତୈଜସ ତୀର୍ଥର ପୂର୍ବରେ କୁରୁତୀର୍ଥ ଅଛି ।୧୬୫। ମନୁଷ୍ୟ ଯେବେ ଜିତେନ୍ଦ୍ରିୟ ଓ ବ୍ରହ୍ମଚାରୀ ହୋଇ ତହିଁରେ ସ୍ନାନ କରେ, ତେବେ ସେ ସର୍ବପାପରୁ ମୁକ୍ତ ହୁଏ ଓ ପୁତାତ୍ମା ହୋଇ ବ୍ରହ୍ମଲୋକକୁ ଗମନ କରେ ।୧୬୬। ତଦନନ୍ତର ସ୍ୱଳ୍ପାହାରୀ ହୋଇ ସ୍ୱର୍ଗଦ୍ୱାରକୁ ଗମନ କରିବ । ସ୍ୱର୍ଗଦ୍ୱାରକୁ ଗଲେ ଅଗ୍ନିଷ୍ଟୋମ ଯଜ୍ଞର ଫଳ ମିଳେ ଓ ପରିଶେଷରେ ବ୍ରହ୍ମଲୋକ ପ୍ରାପ୍ତି ହୁଏ ।୧୬୭।

 

ହେ ରାଜନ୍‌ ! ତଦନନ୍ତର ତୀର୍ଥସେବୀ ବ୍ୟକ୍ତି ଅନରକ ତୀର୍ଥକୁ ଗମନ କରିବ । ଏହି ଅନରକ ତୀର୍ଥରେ ସ୍ନାନକଲେ ମନୁଷ୍ୟ ଦୁର୍ଗତିପ୍ରାପ୍ତ ହୁଏ ନାହିଁ ।୧୬୮। ହେ ମହୀପାଳ ! ଏହି ତୀର୍ଥରେ ସ୍ୱୟଂ ବ୍ରହ୍ମା ନାରାୟଣ ପ୍ରଭୃତି ଦେବତାଙ୍କ ସହିତ ବାସ କରନ୍ତି । ସେଠାରେ ରୁଦ୍ରପତ୍ନୀ ମଧ୍ୟ ଥାଆନ୍ତି । ହେ କୁରୁନନ୍ଦନ ! ସେହି ଦେବୀଙ୍କୁ ଦର୍ଶନ କଲେ ମନୁଷ୍ୟ କଦାପି ଦୁର୍ଗତିପ୍ରାପ୍ତ ହୁଏ ନାହିଁ ।୧୭୦। ହେ ମହାରାଜ ! ସେହି ସ୍ଥାନରେ ବିଶ୍ୱେଶ୍ୱର ଉମାପତି ମହାଦେବଙ୍କୁ ସନ୍ଦର୍ଶନ କଲେ ମନୁଷ୍ୟ ସମସ୍ତ ପାପରୁ ବିମୁକ୍ତ ହୁଏ । ପରନ୍ତୁ ତତ୍ରସ୍ଥ ପଦ୍ମନାଭ ନାରାୟଣଙ୍କୁ ଦର୍ଶନ କଲେ ପ୍ରକାଶମାନ ହୋଇ ବିଷ୍ଣୁଲୋକାକୁ ଗମନ କରେ ।୧୭୨। ହେ ପୁରୁଷ-ଶ୍ରେଷ୍ଠ, ଯେଉଁ ବ୍ୟକ୍ତି ସବୁ ଦେବତାଙ୍କ ତୀର୍ଥରେ ସ୍ନାନକରେ, ସେ ସର୍ବପ୍ରକାର ଦୁଃଖରୁ ମୁକ୍ତହୋଇ ସୁଧାକରପ୍ରାୟେ ଉଜ୍ଜ୍ୱଳ ହୁଅଇ ।୧୭୩। ହେ ନରାଧିପତେ ! ତୀର୍ଥଭ୍ରମଣକାରୀ ବ୍ୟକ୍ତି ତତ୍‍ପରେ ସ୍ୱସ୍ତିପୁରକୁ ଗମନ କରିବ-। ସେହି ତୀର୍ଥକୁ ପ୍ରଦକ୍ଷିଣ କଲେ ମନୁଷ୍ୟ ସହସ୍ର ଗୋଦାନର ଫଳ ପ୍ରାପ୍ତ ହୁଏ-।୧୭୪।

 

ହେ ଭାରତ ! ଅତଃପର ପାବନତୀର୍ଥକୁ ଗମନ କରିବ । ସେଠାକୁ ଯାଇ ପିତୃ ଓ ଦେବଗଣଙ୍କ ଉଦ୍ଦେଶ୍ୟରେ ତର୍ପଣ କରିବ । ଏହା କଲେ ମନୁଷ୍ୟ ଅଗ୍ନିଷ୍ଟୋମ ଯଜ୍ଞର ଫଳ ଲାଭ କରେ ।୧୭୫। ହେ ମହୀପାଳ ! ସେହି ସ୍ଥାନରେ ଗଙ୍ଗାହ୍ରଦ ଓ କୂପନାମରେ ଦୁଇଗୋଟି ତୀର୍ଥ ଅଛି । ସେହି କୂପତୀର୍ଥରେ ତିନିଗୋଟି ତୀର୍ଥ ଅଧିଷ୍ଠିତ ଅଛି । ତହିଁରେ ଯେବେ ମନୁଷ୍ୟ ସ୍ନାନ କରେ, ତେବେ ସେ ସ୍ୱର୍ଗଲୋକକୁ ଗମନ କରେ ଓ ଗଙ୍ଗାହ୍ରଦରେ ସ୍ନାନକରି ମହାଦେବଙ୍କୁ ଅର୍ଚ୍ଚନା କଲେ ଗାଣପତ୍ୟପଦକୁ ପ୍ରାପ୍ତ ହୁଏ । ଅପିଚ ସେ ବ୍ୟକ୍ତି କୁଳୋଦ୍ଧାର କରିବାକୁ ସମର୍ଥ ହୁଏ । ତାହା ଉତ୍ତାରୁ ତ୍ରିଲୋକବିଖ୍ୟାତ ସ୍ଥାଣୁବଟକୁ ଗମନ କରିବ ।୧୭୮। ସେଠାରେ ସ୍ନାନକରି ଏକରାତ୍ର ବାସ କଲେ ରୁଦ୍ରଲୋକ ପ୍ରାପ୍ତି ହୁଏ । ଅନନ୍ତର ବଶିଷ୍ଠଙ୍କ ଆଶ୍ରମ ବଦରିପାଗନକୁ ଗମନ କରିବ ।୧୭୯। ସେଠାରେ ତ୍ରିରାତ୍ର ଉପବାସ କରି ବଦରୀ ଭକ୍ଷଣ କରିବାକୁ ହୁଏ । ହେ ନରାଧିପ ! ଯେଉଁ ବ୍ୟକ୍ତି ଦ୍ୱାଦଶ ବର୍ଷ ବଦରୀଫଳ ଭକ୍ଷଣ କରେ ଓ ଯେଉଁ ବ୍ୟକ୍ତି ବଦରୀପାଗନରେ ତ୍ରିରାତ୍ର ଉପବାସ କରେ, ସେ ଦୁହିଁଙ୍କର ସମାନ ଫଳ ହୁଏ । ତତ୍‍ପରେ ତୀର୍ଥସେବୀ ବ୍ୟକ୍ତି ଇନ୍ଦ୍ରମାର୍ଗ ତୀର୍ଥକୁ ଗମନ କରିବ । ସେଠାରେ ଅହୋରାତ୍ର ଉପବାସ କରିବ । ତାହାହେଲେ ସେ ଇନ୍ଦ୍ରଲୋକରେ ପୂଜିତ ହେବ । ତଦନନ୍ତର ଏକରାତ୍ର ନାମକ ତୀର୍ଥକୁ ଗମନ କରିବ । ସତ୍ୟବାଦୀ ହୋଇ ମନ ସ୍ଥିରକରି ଏକରାତ୍ର ସେଠାରେ ବାସକଲେ ବ୍ରହ୍ମଲୋକରେ ପୂଜିତ ହୁଏ ।

 

ହେ ରାଜେନ୍ଦ୍ର ! ତଦନନ୍ତର ଯେଉଁ ସ୍ଥାନରେ ତେଜୋରାଶି ମହାତ୍ମା ଆଦିତ୍ୟଙ୍କର ଆଶ୍ରମ ଅଛି, ସେହି ତ୍ରିଲୋକବିଖ୍ୟାତ ତୀର୍ଥକୁ ଗମନ କରିବ । ଉକ୍ତ ତୀର୍ଥରେ ମନୁଷ୍ୟ ସ୍ନାନକଲେ ଓ ସେଠାରେ ବିଭାବସୁଙ୍କର ଅର୍ଚ୍ଚନା କଲେ ମନୁଷ୍ୟ ଆଦିତ୍ୟଲୋକକୁ ଗମନ କରେ ଓ ନିଜର କୁଳ ଉଦ୍ଧାର କରିପାରେ ।୧୮୪। ହେ ନରାଧିପ ! ତତ୍‍ପରେ ତୀର୍ଥସେବାକାରୀ ମନୁଷ୍ୟ ସୋମତୀର୍ଥରେ ସ୍ନାନ କରିବ । ଏହି ତୀର୍ଥରେ ସ୍ନାନକଲେ ସୋମଲୋକ ପ୍ରାପ୍ତି ହୁଏ; ଏଥିରେ କିଛି ସନ୍ଦେହ ନାହିଁ । ହେ ଧର୍ମଜ୍ଞ ! ତଦନନ୍ତର ମହାତ୍ମା ଦଧୀଚି ମୁନିଙ୍କର ଲୋକବିଖ୍ୟାତ ଓ ପବିତ୍ରକର ପୁଣ୍ୟତମ ତୀର୍ଥକୁ ଗମନ କରିବ । ସେ ସ୍ଥାନରେ ତପୋନିଧି ସାରସ୍ୱତ ଅଙ୍ଗିରା ଜନ୍ମଗ୍ରହଣ କରିଥିଲେ ।୧୮୭। ଏହି ତୀର୍ଥରେ ସ୍ନାନକଲେ ମନୁଷ୍ୟ ଅଶ୍ୱମେଧ ଯଜ୍ଞର ଫଳ ଓ ସାରସ୍ୱତ ଗତିକୁ ମଧ୍ୟ ଲାଭ କରେ; ଏଥିରେ ସଂଶୟ ନାହିଁ ।୧୮୮। ଏଥିଉତ୍ତାରୁ ସ୍ଥିରଚିତ୍ତ ଓ ବ୍ରହ୍ମଚାରୀ ହୋଇ କନ୍ୟାଶ୍ରମକୁ ଗମନ କରିବ । ହେ ରାଜନ୍‌ ! ଉପବାସୀ ହୋଇ ଏହି ତୀର୍ଥରେ ତ୍ରିରାତ୍ର ବାସ କଲେ ଶତକନ୍ୟା ପ୍ରଦାନର ଫଳ ଲାଭ ହୁଏ ଓ ସେ ବ୍ୟକ୍ତି ବ୍ରହ୍ମଲୋକକୁ ଗମନ କରେ ।

 

ହେ ଧର୍ମଜ୍ଞ ! ତଦନନ୍ତର ସନ୍ନିହତୀ ତୀର୍ଥକୁ ଗମନ କରିବ ।୧୯୦। ଏହି ତୀର୍ଥରେ ବ୍ରହ୍ମାଦି ଦେବତା ଓ ତପସ୍ୱୀ ଋଷିମାନେ ମାସକୁ ମାସ ଆଗମନ କରି ମହାପୁଣ୍ୟ ଲାଭ କରନ୍ତି ।୧୯୧। ସୂର୍ଯ୍ୟଗ୍ରହଣ ବେଳେ ଯେଉଁ ବ୍ୟକ୍ତି ଉକ୍ତ ତୀର୍ଥରେ ସ୍ନାନ କରେ, ସେ ଶତସଂଖ୍ୟକ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରେ ଓ ଯେଉଁ ବ୍ୟକ୍ତି ସେଠାରେ ଯଜ୍ଞ କରେ, ସେ ବ୍ୟକ୍ତି ସେହି ଯଜ୍ଞର ଫଳକୁ ଅକ୍ଷୟରୂପେ ଭୋଗ କରେ ।୧୯୨। ହେ ନରାଧିପତେ ! ପୃଥିବୀରେ ବା ଅନ୍ତରୀକ୍ଷରେ ଯେତେ ନଦୀ, ହ୍ରଦ, ତଡ଼ାଗ ଓ ପସ୍ରବଣ, ବାମ୍ଫୀ, କୂପ ଓ ଆୟତନ ତୀର୍ଥ ଅଛି, ସେସବୁ ପ୍ରତିମାସ ଅମାବାସ୍ୟା ତିଥିରେ ସନ୍ନିହତୀ ତୀର୍ଥରେ ନିଶ୍ଚୟ ସଙ୍ଗତ ହୁଏ । ଉକ୍ତ ତୀର୍ଥରେ ସବୁ ତୀର୍ଥ ସନ୍ନିହତ ହୁଅନ୍ତି ବୋଲି ତାହାର ନାମ ସନ୍ନିହତୀ ହୋଇଅଛି ।୧୯୫। ହେ ମହାରାଜ ! ଈଦୃଶ ସନ୍ନିହତୀ ତୀର୍ଥରେ ସ୍ନାନ କଲେ ଓ ତାହାର ଜଳପାନ କଲେ ମନୁଷ୍ୟ ସ୍ୱର୍ଗଲୋକରେ ପୂଜିତ ହୁଏ । ବିଶେଷରେ ଯେଉଁ ମନୁଷ୍ୟ ଅମାବାସ୍ୟା ଦିନ ସୂର୍ଯ୍ୟଗ୍ରହଣ କାଳରେ ସେ ସନ୍ନିହତୀ ତୀର୍ଥରେ ଶ୍ରାଦ୍ଧ କରେ, ତାହାର ପୁଣ୍ୟଫଳ ଶ୍ରବଣ କରନ୍ତୁ । ସମ୍ୟକ୍ ପ୍ରକାରେ ସହସ୍ରେ ଅଶ୍ୱମେଧ ଯଜ୍ଞର ଅନୁଷ୍ଠାନ କଲେ ମନୁଷ୍ୟ ଯେଉଁ ଫଳ ଲାଭ କରିପାରେ, ସୂର୍ଯ୍ୟଗ୍ରହଣ କାଳରେ ସେଠାରେ ସ୍ନାତହୋଇ ପିତୃଲୋକଙ୍କର ଶ୍ରାଦ୍ଧ କଲେ, ମନୁଷ୍ୟ ସେହି ଫଳ ପ୍ରାପ୍ତ ହୁଏ । ସ୍ତ୍ରୀ ଅଥବା ପୁରୁଷ ଯେଉଁ ଗୁରୁତର ଦୁଷ୍କୃତି କରିଥିଲେ ହେଁ ସେଠାରେ ସ୍ନାନ କରିବାମାତ୍ରେ ସେମାନଙ୍କର ସେହି ସମସ୍ତ ପାପ ବିନଷ୍ଟ ହୁଏ; ଏଥିରେ ସଂଶୟ ନାହିଁ । ପରନ୍ତୁ ସେମାନେ ପଦ୍ମବନ ବିମାନରେ ଆରୋହଣ କରି ବ୍ରହ୍ମଲୋକକୁ ଗମନ କରନ୍ତି ।୧୯୯। ତତ୍‍ପରେ ମଚକ୍ରୂକ ନାମକ ଯକ୍ଷ ଦ୍ୱାରପାଳ ହୋଇଅଛନ୍ତି । ତାହାଙ୍କୁ ନମସ୍କାର କରି କୋଟି ତୀର୍ଥରେ ସ୍ନାନ କରିବ । ଏହି କାର୍ଯ୍ୟ କଲେ ମନୁଷ୍ୟ ବହୁସୁବର୍ଣ୍ଣ ଦାନର ଫଳ ପାଏ ।୨୦୦।

 

ହେ ଭରତସତ୍ତମ ! ସେଠାରେ ଗଙ୍ଗାହ୍ରଦ ନାମରେ ଗୋଟିଏ ପ୍ରସିଦ୍ଧ ତୀର୍ଥ ଅଛି । ମନୁଷ୍ୟ ଯେବେ ବ୍ରହ୍ମଚାରୀ ଓ ସମାହିତ ହୋଇ ତହିଁରେ ସ୍ନାନ କରେ, ତେବେ ରାଜସୂୟ ଓ ଅଶ୍ୱମେଧ ଯଜ୍ଞର ଫଳ ଅପେକ୍ଷା ବିଶେଷ ଫଳ ପ୍ରାପ୍ତ ହୁଏ । ନୈମିଷ ତୀର୍ଥ ମର୍ତ୍ତ୍ୟଲୋକରେ ବିଶେଷ ଫଳପ୍ରଦ । ପୁଷ୍କର ତୀର୍ଥ ଅନ୍ତରୀକ୍ଷ ଲୋକରେ ବିଶେଷ ଫଳପ୍ରଦ; କିନ୍ତୁ କୁରୁକ୍ଷେତ୍ର ତୀର୍ଥ ତ୍ରିଲୋକ ମଧ୍ୟରେ ବିଶେଷ ଫଳଜନକ ହୁଏ । ଏହି କୁରୁକ୍ଷେତ୍ରରେ ଧୂଳି, ସୁଦ୍ଧା ବାୟୁଦ୍ୱାରା ଉଦ୍ଧୃତ ହୋଇ ଦୁଷ୍କର୍ମୀମାନଙ୍କୁ ପରମଗତି ଲାଭ କରାଏ । ଯେଉଁମାନେ ଦୁଷବ୍ଦତୀର ଉତ୍ତର ଓ ସରସ୍ୱତୀର ଦକ୍ଷିଣ କୁରୁକ୍ଷେତ୍ରରେ ବାସ କରନ୍ତି, ଅଥବା କଥାରେ କହନ୍ତି ଯେ ଆମ୍ଭେ କୁରୁକ୍ଷେତ୍ରରେ ବାସ କରିବୁ, ସେମାନେ ମଧ୍ୟ ସର୍ବପାପରୁ ବିମୁକ୍ତ ହୋଇପାରନ୍ତି ।୨୦୫। ବ୍ରହ୍ମର୍ଷି ଜନଗଣସେବିତ ପୁଣ୍ୟତମ କୁରୁକ୍ଷେତ୍ର ତୀର୍ଥକୁ ବ୍ରହ୍ମବେଦୀ ବୋଲି କୁହାଯାଏ । ଯେଉଁସବୁ ମନୁଷ୍ୟ ସେଠାରେ ବାସ କରନ୍ତି, ସେମାନେ କଦାପି ଶୋକ କରନ୍ତି ନାହିଁ ।୨୦୭। ତରନ୍ତୁକ, ରାମହ୍ରଦ ସମୂହ ଓ ମଚକ୍ରୂକ, ଏହିସବୁ ସ୍ଥାନର ଅନ୍ତର୍ବର୍ତ୍ତୀ ଯେଉଁ ସ୍ଥାନ, ତାହାକୁ କୁରୁକ୍ଷେତ୍ର ବୋଲାଯାଏ । ତାହାକୁ ମଧ୍ୟ ସମନ୍ତ, ପଞ୍ଚକ ଓ ବ୍ରହ୍ମାଙ୍କର ଉତ୍ତରବେଦୀ ବୋଲି ନିର୍ଣ୍ଣୟ କରାଯାଏ ।୨୦୮।

 

Unknown

॥ ଅଧ୍ୟାୟ – ୮୪ ॥

 

ପୁଲସ୍ତ୍ୟ ଭାଷିଲେ, ହେ ମହାରାଜ ! ତୀର୍ଥସେବୀ ବ୍ୟକ୍ତି ତଦନନ୍ତର ସର୍ବୋତ୍ତମ ଧର୍ମକ୍ଷେତ୍ରକୁ ଗମନ କରିବ । ସେ ସ୍ଥାନରେ ମହାଭାଗ ଧର୍ମ ଉଗ୍ରତମ ତପସ୍ୟାଚରଣ କରିଥିଲେ ।୧। ସେ ତପସ୍ୟା କରିଥିବାରୁ ସେହି ସ୍ଥାନ ପୁଣ୍ୟତୀର୍ଥ ଓ ସ୍ୱନାମବିଖ୍ୟାତ ଧର୍ମତୀର୍ଥ ପଦରେ ବିଖ୍ୟାତ ହେଲା । ହେ ମହାରାଜ ! ଧର୍ମଶୀଳ ମନୁଷ୍ୟ ସମାହିତ ହୋଇ ସେଠାରେ ସ୍ନାନ କଲେ ସପ୍ତମ ପୁରୁଷ ପର୍ଯ୍ୟନ୍ତ ଉଦ୍ଧାର କରେ; ଏଥିରେ ଅଣୁମାତ୍ର ସଂଶୟ ନାହିଁ । ହେ ରାଜେନ୍ଦ୍ର ! ତଦନନ୍ତର ତୀର୍ଥୋତ୍ତମ ଜ୍ଞାନପାବନକୁ ଗମନ କରିବ ।୩। ମନୁଷ୍ୟ ଯେବେ ସେଠାକୁ ଯାଏ, ତେବେ ଅଗ୍ନିଷ୍ଟୋମ ଯଜ୍ଞର ଫଳ ପାଏ । ସେ ବ୍ୟକ୍ତି ଋଷିଲୋକକୁ ଗମନ କରିପାରେ ।

 

ହେ ରାଜନ୍‌ ! ତଦନନ୍ତର ତୈର୍ଥିକ ବ୍ୟକ୍ତି ସୌଗନ୍ଧିକ ବନକୁ ଗମନ କରିବ ।୪। ସେହି ବନରେ ବ୍ରହ୍ମାଦି ଦେବତାମାନେ ଓ ତପୋନିଷ୍ଠ ଋଷିମାନେ, ସିଦ୍ଧ, ଚାରଣ, ଗନ୍ଧର୍ବ, କିନ୍ନର, ମହୋରଗଗଣ ସର୍ବଦା ସନ୍ନିହିତ ଥାନ୍ତି ।୫। ଉକ୍ତ ବନକୁ ପ୍ରବେଶ କଲାକ୍ଷଣି ସର୍ବପାପରୁ ମୁକ୍ତି ହୁଏ-। ତତ୍ସମୀପରେ ବିଖ୍ୟାତା ଦେବୀ ଅଛନ୍ତି । ତାହାଙ୍କ ନାମ ପ୍ଲକ୍ଷା । ସବୁ ନଦୀ ମଧ୍ୟରେ ପ୍ରଧାନା ସେହି ସରସ୍ୱତୀ ନଦୀ, ସବୁ ନଦୀଠାରୁ ଉତ୍କୃଷ୍ଟ ଓ ସବୁ ନଦୀ ଅପେକ୍ଷା ପୁଣ୍ୟଶୀଳା ଅଟେ-। ସେଠାରେ ବାଲ୍ମୀକି ଋଷିଙ୍କ ନିଃସୃତ ଜଳରେ ସ୍ନାନକଲେ ଓ ଦେବ ଏବଂ ପିତୃଗଣଙ୍କର ଅର୍ଚ୍ଚନା କଲେ ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତି ହୁଏ । ବାଲ୍ମୀକିଙ୍କର ଉକ୍ତ ଜଳାଶୟର ଛଅଶମ୍ୟା* ଦୁର ‘ଈଶାନାଧ୍ୟୁଷିତ’ ନାମରେ ଆଉ ଗୋଟିଏ ତୀର୍ଥ ଅଛି । ହେ ନରେନ୍ଦ୍ର ! ସେ ତୀର୍ଥ ଦୁର୍ଲଭ-। ମହାଦେବଙ୍କର ସେଠାରେ ଅଧିଷ୍ଠାନ ଅଛି । ତହିଁରେ ଯେବେ କେହି ସ୍ନାନକରେ, ତେବେ ସେ ଅଶ୍ୱମେଧ ଯଜ୍ଞର ଫଳ ଓ ସହସ୍ରେ କପିଳା ଧେନୁଦାନର ଫଳ ଲାଭ କରେ । ପ୍ରାଚୀନ ବ୍ୟକ୍ତିମାନେ ଏହା ଅବଗତ ହୋଇଥିଲେ ।୯। ହେ ଭାରତ ! ସେଠାରେ ସୁଗନ୍ଧ୍ୟା, ଶତକୁମ୍ଭା ଓ ପଞ୍ଚଯକ୍ଷା ନାମରେ ପ୍ରସିଦ୍ଧ ତିନି ତୀର୍ଥ ଅଛି । ମନୁଷ୍ୟ ହୋଇ ତହିଁରେ ଅବଗାହନ କଲେ ସ୍ୱର୍ଗଲୋକରେ ପୂଜିତ ହୁଏ । ହେ ଭରତନନ୍ଦନ ! ସେହି ସ୍ଥାନରେ ତ୍ରିଶୂଳଖ୍ୟାତ ତୀର୍ଥ ଅଛି । ତହିଁରେ ଅବଗାହନ କରି ପିତୃ ଓ ଦେବଗଣଙ୍କର ଅର୍ଚ୍ଚନା କଲେ, ଦେହାବସାନରେ ଗାଣପତ୍ୟପଦ ଲାଭ ହୁଏ; ସଂଶୟ ନାହିଁ ।୧୨।

 

[*ଖଣ୍ଡିଏ ବାଡ଼ିକୁ ବୁଲାଇ ଖୁବ୍ ବଳରେ ନିକ୍ଷେପ କଲେ ଯେତେ ଦୂରରେ ତାହା ଯାଇ ପଡ଼େ, ସେହି ଦୂରକୁ ଶମ୍ୟା ବୋଲି କହନ୍ତି ।]

 

ହେ ରାଜେନ୍ଦ୍ର ! ସେଠାରୁ ଦେବୀଙ୍କର ଉତ୍କୃଷ୍ଟ ସ୍ଥାନକୁ ଗମନ କରିବ । ସେଠାରେ ସେ ଦେବୀ ଶାକମ୍ବରୀ ବୋଲି ବିଖ୍ୟାତ ଅଛନ୍ତି । ହେ ନରାଧିପତେ ! ସେହି ସ୍ଥାନରେ ଉକ୍ତ ଦେବୀ ଉତ୍ତମ ବ୍ରହ୍ମଚାରିଣୀ ହୋଇ ଦୈବ ପରିମାଣରେ ସହସ୍ରେ ବର୍ଷ ପର୍ଯ୍ୟନ୍ତ ମାସକୁ ମାସ ଶାକମାତ୍ର ଆହାର କରି ରହିଥିଲେ ।୧୪। ହେ ଭାରତ ! ଏକଦା କେତେଗୁଡ଼ିଏ ତପୋଧନ ଋଷି ଦେବୀଙ୍କଠାରେ ଭକ୍ତି କରି ସେଠାରେ ଅଭ୍ୟାଗତ ହୋଇଥିଲେ । ଦେବୀ କେବଳ ଶାକଦ୍ୱାରା ସେମାନଙ୍କର ଆତିଥ୍ୟ ସତ୍କାର କରିଥିଲେ ବୋଲି ସେ ତୀର୍ଥର ନାମ ଶାକମ୍ବରୀ ହୋଇଅଛି । ହେ ଭାରତ ! ଯେଉଁ ମନୁଷ୍ୟ ବ୍ରହ୍ମଚାରୀ ସମାହିତ ଓ ଶୁଚି ହୋଇ ସେହି ଶାକମ୍ବରୀ ତୀର୍ଥକୁ ଗମନ କରି ସେଠାରେ ତ୍ରିରାତ୍ର ଉପବାସ କରି ରହେ, କେବଳ ଶାକମାତ୍ର ଆହାର କରେ, ସେ ତେବେ ଦ୍ୱାଦଶ ବର୍ଷ ଶାକାହାର ବ୍ରତ କରି ରହିଲେ ଯେଉଁ ଫଳ, ତିନି ଦିନରେ ଦେବୀଙ୍କ ଇଚ୍ଛାରୁ ସେହି ଫଳ ଲବ୍ଧ ହୁଏ । ତତ୍‍ପରେ ତ୍ରିଲୋକବିଖ୍ୟାତ ସୁବର୍ଣ୍ଣାଖ୍ୟ ତୀର୍ଥକୁ ଗମନ କରିବ ।୧୮। ପୂର୍ବକାଳରେ ସେହି ସ୍ଥାନରେ ରୁଦ୍ରଙ୍କ ପ୍ରସନ୍ନତା ଲଭିବାକୁ ବିଷ୍ଣୁ ଆରାଧନା କରିଥିଲେ ଓ ତାହାଙ୍କଠାରୁ ଦେବଦୁର୍ଲ୍ଲଭ ବହୁତ ବରଲାଭ କରିଥିଲେ ।୧୯। ହେ ଭାରତ ! ବିଷ୍ଣୁଙ୍କ ପ୍ରତି ପରିତୁଷ୍ଟ ହୋଇ ମହାଦେବ କହିଥିଲେ ଯେ, ହେ କୃଷ୍ଣ ! ତୁମ୍ଭେ ସର୍ବଲୋକରେ ପ୍ରିୟତର ଓ ସଂସାରରେ ସର୍ବପ୍ରାଣୀଙ୍କର ଶ୍ରେଷ୍ଠ ହେବ; ସଂଶୟ ନାହିଁ ।୨୦। ହେ ରାଜେନ୍ଦ୍ର ! ସେହି ତୀର୍ଥକୁ ଗମନ କରି ମହାଦେବଙ୍କ ଅର୍ଚ୍ଚନା କଲେ ମନୁଷ୍ୟ ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତ ହୁଏ । ତହିଁପରେ ଗାଣପତ୍ୟ ପଦଲାଭ କରେ ।୨୧।

 

ତଦନନ୍ତର ଧୂମାବତୀ ତୀର୍ଥକୁ ଗମନ କରିବ । ମନୁଷ୍ୟ ସେଠାରେ ତ୍ରିରାତ୍ର ଉପବାସ କରି ରହିଲେ ମନୋଭିଳଷିତ କାମନା ଲଭିପାରେ; ଏଥିରେ ସଂଶୟ ନାହିଁ । ସେହି ସ୍ଥାନସ୍ଥିତ ଦେବୀଙ୍କ ଦକ୍ଷିଣାର୍ଦ୍ଧରେ ରଥାବର୍ତ୍ତନାମକ ଯେଉଁ ସ୍ଥାନ ଅଛି (୨୩) ହେ ଧର୍ମଜ୍ଞ ! ତହିଁରେ ଯେବେ ମନୁଷ୍ୟ ଶ୍ରଦ୍ଧାନ୍ୱିତ ହୋଇ ଓ ଜିତେନ୍ଦ୍ରିୟ ହୋଇ ଆରୋହଣ କରେ, ତେବେ ସେ ମହାଦେବଙ୍କ ପ୍ରସାଦରୁ ପରମ ଗତି ପ୍ରାପ୍ତ ହୁଏ ।୨୪। ହେ ମହାପ୍ରାଜ୍ଞ ଭରତେନ୍ଦ୍ର ! ସେହି ତୀର୍ଥକୁ ପ୍ରଦକ୍ଷିଣ କରି ସର୍ବପାପ ବିମୋଚନ ଧାରା ତୀର୍ଥକୁ ଗମନ କରିବ ।୨୫। ହେ ନରପାଳ ! ସେହି ଧାରା ତୀର୍ଥରେ ସ୍ନାନକଲେ ଆଉ ଶୋକ କରିବାକୁ ହୁଏ ନାହିଁ ।

 

ହେ ଧର୍ମଜ୍ଞ ! ତଦନନ୍ତର ମହାଗିରି ହିମାଳୟକୁ ନମସ୍କାର କରି ଗଙ୍ଗାଦ୍ୱାରକୁ ଗମନ କରିବ । ସେହି ଗଙ୍ଗାଦ୍ୱାର ଯେ ସ୍ୱର୍ଗଦ୍ୱାର ସମାନ, ଏଥିରେ କିଛି ସଂଶୟ ନାହିଁ । ସେଠାରେ କୋଟିତୀର୍ଥ ଅଛି । ତହିଁରେ ସମାହିତ ହୋଇ ସ୍ନାନ କରିବ । ତାହାହେଲେ ପୁଣ୍ଡରିକ ଯଜ୍ଞର ଫଳ ଲାଭ ହେବ ଓ କୁଳ ଉଦ୍ଧାର କରିପାରିବ । ପରନ୍ତୁ ସେଠାରେ ଯେବେ ଏକରାତ୍ର ବାସ କରିବ, ତେବେ ସହସ୍ର ଗୋଦାନର ଫଳ ଲାଭ କରିବ ।୨୮। ସେହି ସ୍ଥାନରେ ସପ୍ତଗଙ୍ଗ, ତ୍ରିଗଙ୍ଗ ଓ ଶକ୍ରାବର୍ତ୍ତ ଏହି ତିନି ତୀର୍ଥରେ ଦେବ ଓ ପିତୃଗଣଙ୍କର ବିଧିପୂର୍ବକ ତର୍ପଣ କଲେ ମନୁଷ୍ୟ ପୁଣ୍ୟଲୋକରେ ପୂଜିତ ହୁଏ ।୨୯। ତଦନନ୍ତର କଳଖଳକୁ ଗମନ କରିବ । ସେଠାରେ ତ୍ରିରାତ୍ର ଉପବାସ ରହି ତତ୍ରତ୍ୟ ନଦୀଜଳରେ ସ୍ନାନ କରିବ । ତଦ୍ଦ୍ୱାରା ମନୁଷ୍ୟ ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତ ହୁଏ ଓ ସ୍ୱର୍ଗଲୋକକୁ ଯାଇ ବାସ କରେ ।୩୦। ହେ ନରନାଥ ! ତୀର୍ଥସେବୀ ବ୍ୟକ୍ତି ତାହା ପରେ କପିଳାବଟକୁ ଗମନ କରିବ । ସେଠାରେ ଏକ ଦିବସ ଉପବାସ କଲେ ସହସ୍ରେ ଗୋଦାନର ଫଳ ମିଳେ ।୩୧।

 

ହେ ନରନାଥ ! ଅତଃପର ନାଗରାଜା ମହାତ୍ମା କପିଳଙ୍କର ତୀର୍ଥ ଅଛି । ସେ ତୀର୍ଥ ସର୍ବଲୋକରେ ବିଖ୍ୟାତ । ସେଠାରେ ସ୍ନାନ କଲେ ମନୁଷ୍ୟ ସହସ୍ରେ ଗୋଦାନର ଫଳ ପାଇବ ।୩୩। ହେ ରାଜନ୍‌ ! ତତ୍‍ପରେ ତୀର୍ଥକାରୀ ବ୍ୟକ୍ତି ଶାନ୍ତନୁଙ୍କର ଲଳିତକ ତୀର୍ଥକୁ ଗମନ କରିବ । ତହିଁରେ ସ୍ନାନ କଲେ ମନୁଷ୍ୟ ଦୁର୍ଗତି ପାଏ ନାହିଁ ।୩୪। ଯେଉଁ ବ୍ୟକ୍ତି ଗଙ୍ଗା ଓ ଯମୁନାର ସଙ୍ଗମ ସ୍ଥାନରେ ସ୍ନାନ କରେ, ସେ ଦଶ ଅଶ୍ୱମେଧ ଯଜ୍ଞର ଫଳଲାଭ କରେ ଓ ନିଜର କୁଳକୁ ଉଦ୍ଧାର କରିବାରେ ସମର୍ଥ ହୁଏ ।୩୫। ହେ ରାଜେନ୍ଦ୍ର ! ତଦନନ୍ତର ଲୋକବିଖ୍ୟାତ ସୁଗନ୍ଧାତୀର୍ଥକୁ ଗମନ କରିବ । ମନୁଷ୍ୟ ସେଠାକୁ ଗମନ କଲେ ସର୍ବପାପରୁ ବିମୁକ୍ତ ହୁଏ ଓ ଶୁଦ୍ଧ ହୋଇ ବ୍ରହ୍ମଲୋକକୁ ଗମନ କରେ ।୩୬।

 

ହେ ନରବରେନ୍ଦ୍ର ! ତତ୍‍ପରେ ତୀର୍ଥସେବାକାରୀ ବ୍ୟକ୍ତି ରୁଦ୍ରାବର୍ତ୍ତକ ଗମନ କରିବ । ମନୁଷ୍ୟ ସେଠାରେ ସ୍ନାନ କଲେ ଅନ୍ତଃକାଳରେ ସ୍ୱର୍ଗଲୋକ ପ୍ରାପ୍ତ ହୁଏ ।୩୭। ହେ ନରେନ୍ଦ୍ର ! ଯେଉଁ ବ୍ୟକ୍ତି ଗଙ୍ଗା ଓ ସରସ୍ୱତୀର ସଙ୍ଗମ ସ୍ଥାନରେ ସ୍ନାନକରେ, ସେ ଅଶ୍ୱମେଧଯଜ୍ଞର ଫଳପ୍ରାପ୍ତ ହୁଏ ଓ ସ୍ୱର୍ଗଲୋକକୁ ଗମନ କରେ ।୩୮। ଯେଉଁ ବ୍ୟକ୍ତି ଭଦ୍ରକର୍ଣ୍ଣେଶ୍ୱର ତୀର୍ଥକୁ ଗମନ କରି ବିଧାନାନୁସାରେ ସେଠାରେ ଦେବପୂଜା କରେ, ସେ କଦାପି ଦୁର୍ଗତିପ୍ରାପ୍ତ ହୁଏ ନାହିଁ ଓ ସ୍ୱର୍ଗଲୋକରେ ପୂଜିତ ହୁଏ ।୩୯। ହେ ନରପତେ ! ତୀର୍ଥସେବାକାରୀ ବ୍ୟକ୍ତି ତତ୍‍ପରେ କୁବଜାମ୍ର ତୀର୍ଥକୁ ଗମନ କରିବ । ସେଠାକୁ ଗମନ କଲେ ସହସ୍ର ଗୋଦାନର ଫଳ ଓ ସ୍ୱର୍ଗଲୋକ ପ୍ରାପ୍ତି ହୁଏ-।୪୦। ତଦନନ୍ତର ତୀର୍ଥସେବୀ ମନୁଷ୍ୟ ଅରୁନ୍ଧତୀ ବଟକୁ ଗମନ କରିବ । ଯେଉଁ ବ୍ୟକ୍ତି ବ୍ରହ୍ମଚାରୀ ଓ ସମାହିତ ହୋଇ ସେଠାରେ ତ୍ରିରାତ୍ର ଉପବାସ କରେ ଓ ସାମୁଦ୍ରକରେ ସ୍ନାନ କରେ, ସେ ସହସ୍ରେ ଗୋଦାନର ଫଳଲାଭ କରି ନିଜ କୁଳକୁ ଉଦ୍ଧାର କରେ ।୪୨। ତତ୍‍ପରେ ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରି ସମାହିତ ହୋଇ ବ୍ରହ୍ମାବର୍ତ୍ତକୁ ଗମନ କରିବ । ସେଠାକୁ ଗମନ କଲେ ମନୁଷ୍ୟ ଅଶ୍ୱମେଧ ଯାଗର ଫଳ ଲାଭ କରି ସୋମଲୋକକୁ ଗମନ କରେ ।୪୩।

 

ତତ୍‍ପରେ ଯମୁନା ପ୍ରଭବ ତୀର୍ଥକୁ ଗମନ କରିବ । ତତ୍ରସ୍ଥ ଯମୁନା ଜଳରେ ସ୍ନାନକଲେ ଅଶ୍ୱମେଧ ଯଜ୍ଞର ଫଳ ଲାଭକରି ସ୍ୱର୍ଗଲୋକରେ ପୂଜିତ ହୁଏ । ତ୍ରିଲୋକ୍ୟ ପୂଜ୍ୟଦ୍ରବୀ ସ୍ରଂକ୍ରମଣ ତୀର୍ଥକୁ ଗମନ କଲେ ଅଶ୍ୱମେଧର ଫଳ ଓ ସ୍ୱର୍ଗଲୋକ ପ୍ରାପ୍ତି ହୁଏ; ଏଥିରେ ସଂଶୟ ନାହିଁ ।୪୫। ସିଦ୍ଧ ଓ ଗନ୍ଧର୍ବଗଣସେବିତ ସିନ୍ଧୁପ୍ରଭବ ତୀର୍ଥକୁ ଗମନ କରିବ । ସେଠାରେ ପଞ୍ଚରାତ୍ରି ବାସକଲେ ବହୁ ପରିମାଣ ସୁବର୍ଣ୍ଣଦାନର ଫଳ ମିଳେ ।୪୬। ତତ୍‍ପରେ ତୀର୍ଥସେବୀ ମାନବ ବେଦୀନାମକ ପରମ ଦୁର୍ଗମ ତୀର୍ଥକୁ ଗମନ କରିବ । ସେହି ତୀର୍ଥକୁ ଗଲେ ଅଶ୍ୱମେଧ ଯଜ୍ଞର ଫଳ ଓ ସ୍ୱର୍ଗଲୋକ ପ୍ରାପ୍ତି ହୁଏ ।୪୭। ଅତଃପର ଋଷିକୂଲ୍ୟା ଓ ବଶିଷ୍ଠ ତୀର୍ଥକୁ ଗମନ କରିବ । ବଶିଷ୍ଠ ତୀର୍ଥକୁ ଗମନ କଲେ ସବୁ ବର୍ଣ୍ଣ ଦ୍ୱିଜତ୍ୱ ପ୍ରାପ୍ତ ହୋଇପାରନ୍ତି ଓ ଋଷିକୂଲ୍ୟାକୁ ଗମନ କରି ସେଠାରେ ଯେବେ ଏକମାସ ଶାକାହାର କରି ବାସକରେ ଓ ସ୍ନାନକରେ ଅଥଚ ଦେବ ଓ ପିତୃଗଣଙ୍କର ଅର୍ଚ୍ଚନା କରେ, ତେବେ ସେ ପାପରୁ ମୁକ୍ତ ହୋଇ ଋଷିଲୋକ ଲାଭକରେ । ତୀର୍ଥକାରୀ ବ୍ୟକ୍ତି ସେଠାରୁ ଭୃଗୁତୁଙ୍ଗକୁ ଗମନ କରିବ । ଭୃଗୁତୁଙ୍ଗକୁ ଗମନ କଲେ ବାଜିମେଧ ଯଜ୍ଞ କରିବାର ଫଳ ଲାଭ ହୁଏ । ତଦନନ୍ତର ଧୀରପ୍ରମୋକ୍ଷ ଗମନ କରିବ । ସେଠାରେ ମନୁଷ୍ୟ ସର୍ବପାପରୁ ମୁକ୍ତ ହୁଏ ।୫୧।

 

ହେ ଭାରତ ! ମନୁଷ୍ୟ ମଘା ଓ କୃତ୍ତିକା ତୀର୍ଥକୁ ଗମନ କଲେ ଅଗ୍ନିଷ୍ଟୋମ ଓ ଅତିରାତ୍ର ଯଜ୍ଞ କରିବାର ଫଳ ଅପେକ୍ଷା ଅଧିକ ଫଳପ୍ରାପ୍ତ ହୁଏ । ତଦନନ୍ତର ଯେଉଁ ବ୍ୟକ୍ତି ବିଦ୍ୟାତୀର୍ଥକୁ ଗମନ କରି ସନ୍ଧ୍ୟାସମୟରେ ସେଠାରେ ସ୍ନାନ କରେ, ସେ ସର୍ବବିଦ୍ୟାରେ ପାରଦର୍ଶୀ ହୋଇପାରେ-।୫୩। ତତ୍‍ପରେ ସର୍ବପାପ ପ୍ରମୋଚନ ମହାଶ୍ରମ ତୀର୍ଥରେ ଏକାହାରରେ ଏକ ଦିବସ ବାସ କରିବ । ତାହାହେଲେ ସେ ଅନେକ ଶୁଭ ଲୋକରେ ବାସ କରିପାରେ । ପୁନଶ୍ଚ ଯେଉଁ ପ୍ରାଣୀ “ମହାଳୟରେ” ତ୍ରିରାତ୍ର ଉପବାସ କରି ଏକମାସ ପର୍ଯ୍ୟନ୍ତ ବାସକରେ, ସେ ସମସ୍ତ ପାପରୁ ମୁକ୍ତ ହୋଇ ଆପଣାର ପୂର୍ବତନ ଦଶ ପୁରୁଷ ଓ ଅଧସ୍ତନ ଦଶ ପୁରୁଷ ଉଦ୍ଧାର କରେ ଏବଂ ବହୁ ସୁବର୍ଣ୍ଣଦାନର ଫଳଲାଭ କରେ ।୫୫। ତଦନନ୍ତର ବ୍ରହ୍ମାଙ୍କ ବାସସ୍ଥାନ ‘ବେତସିକା’ ତୀର୍ଥକୁ ଗମନ କରିବ । ସେଠାକୁ ଗଲେ ଅଶ୍ୱମେଧର ଫଳ ଲାଭ କରି ଶୁକ୍ରଲୋକ ପ୍ରାପ୍ତ ହେବ ।୫୬। ତଦନନ୍ତର ସିଦ୍ଧଗଣନିଷେବିତ ‘ସୁନ୍ଦରିକା’ ତୀର୍ଥକୁ ଗମନ କରିବ । ପୁରାତନ ଲୋକମାନେ ଦେଖିଅଛନ୍ତି ଯେ ମନୁଷ୍ୟ ସେ ତୀର୍ଥକୁ ଗଲେ ସୁନ୍ଦର ହୁଏ ।୫୭।

 

ତଦନନ୍ତର ବ୍ରହ୍ମଚାରୀ ଓ ଜିତେନ୍ଦ୍ରିୟ ହୋଇ ବ୍ରାହ୍ମଣୀ ତୀର୍ଥକୁ ଗମନ କରିବ । ତୀର୍ଥକାରୀ ସେଠାକୁ ଗଲେ ପଦ୍ମବନ ବିମାନରେ ଆରୋହଣ କରି ବ୍ରହ୍ମଲୋକକୁ ଗମନ କରେ ।୫୮। ତହିଁ ଉତ୍ତାରୁ ପୁଣ୍ୟମୟ ସିଦ୍ଧଗଣ ସେବିତ ନୈମିଷ ତୀର୍ଥକୁ ଗମନ କରିବ । ଦେବଗଣଙ୍କ ସହିତ ବ୍ରହ୍ମା ସେଠାରେ ବାସ କରିଥାନ୍ତି ।୫୯। ନୈମିଷ ତୀର୍ଥକୁ ଯିବାର ଅଭିଳାଷ କଲେ, ଅର୍ଦ୍ଧେ ପାପ ଅନ୍ତର୍ହିତ ହୁଏ ଓ ସେଠାରେ ପ୍ରବିଷ୍ଟ ହେବା ମାତ୍ରେ ସର୍ବପାପରୁ ମନୁଷ୍ୟ ମୁକ୍ତ ହୁଏ ।୬୦। ତୀର୍ଥସେବାକାରୀ ଧୀର ବ୍ୟକ୍ତି ଏକମାସ ନୈମିଷ ତୀର୍ଥରେ ବାସକଲେ ସବୁ ତୀର୍ଥଗମନର ଫଳ ପ୍ରାପ୍ତ ହୁଏ । ହେ ଭାରତ ! ପୃଥିବୀରେ ଯେତେ ତୀର୍ଥ ଅଛନ୍ତି, ସେସବୁ ତୀର୍ଥ ନୈମିଷରେ ଅଛନ୍ତି ।୬୧। ହେ ଭାରତ-! ସେଠାରେ ଯେବେ ମନୁଷ୍ୟ ସ୍ନାନ କରିବ ଓ ନିୟମିତ ଆହାର କରି ମନସ୍ଥିରପୂର୍ବକ ବାସ କରିବ, ତେବେ ଗୋମେଧ ଯଜ୍ଞର ଫଳପ୍ରାପ୍ତ ହେବ ।୬୨। ଓ ତାହାର ସପ୍ତପୁରୁଷ ଉଦ୍ଧାର ହେବେ-। ହେ ଭାରତସତ୍ତମ ! ଯେଉଁ ବ୍ୟକ୍ତି ଉପବାସ ରହି ନୈମିଷ ତୀର୍ଥରେ ପ୍ରାଣତ୍ୟାଗ କରେ, ସେ ସ୍ୱର୍ଗଲୋକରେ ପୂଜା ପାଏ ବୋଲି ପଣ୍ଡିତମାନେ କହିଅଛନ୍ତି । ହେ ନୃପସତ୍ତମ ! ନୈମିଷ ତୀର୍ଥ ସର୍ବଦା ପବିତ୍ର ଓ ପୁଣ୍ୟପ୍ରଦ ।୬୪। ଗଙ୍ଗୋଭେଦକୁ ଗମନ କରି ମନୁଷ୍ୟ ଯେବେ ତ୍ରିରାତ୍ର ଉପବାସ କରିବ, ତାହାହେଲେ ସେ ବାଜପେୟ ଯଜ୍ଞର ଫଳ ପାଏ ଓ ପରିଶେଷରେ ବ୍ରହ୍ମମୟ ହୁଏ-।୬୫। ସରସ୍ୱତୀ ନାମକ ତୀର୍ଥକୁ ଗମନ କରି ପିତୃ ଓ ଦେବଗଣଙ୍କର ତର୍ପଣ କଲେ ସାରସ୍ୱତ ଲୋକକୁ ଗମନ କରେ; ଏଥିରେ ସଂଶୟ ନାହିଁ ।୬୬।

 

ହେ କୌରବ ! ତତ୍‍ପରେ ବହୁଦାକୁ ଗମନ କରି ବ୍ରହ୍ମଚାରୀ ଓ ସ୍ଥିରହୋଇ ଏକରାତ୍ରି ବାସକଲେ ସ୍ୱର୍ଗଲୋକରେ ପୂଜନୀୟ ହୁଏ ।୬୭। ପୁଣ୍ୟବାନ ଲୋକଙ୍କଦ୍ୱାରା ପରିପୂର୍ଣ୍ଣ କ୍ଷୀରବତୀକୁ ଗମନ କରିବ ।୬୮। ସେଠାରେ ପିତୃ ଓ ଦେବତାଙ୍କର ଅର୍ଚ୍ଚନା କଲେ ବାଜପେୟ ଯଜ୍ଞର ଫଳ ଲାଭ ହୁଏ । ବିମଳାଶୋକକୁ ଗମନ କରି ବ୍ରହ୍ମଚାରୀ ସମାହିତ ହୋଇ ଏକ ରାତ୍ର ସେଠାରେ ବାସକଲେ ସ୍ୱର୍ଗଲୋକରେ ପୂଜିତ ହୁଏ ।୬୯। ତାହାପରେ ଗୋପ୍ରତାରକୁ ଗମନ କରିବ । ସେ ତୀର୍ଥ ଅତି ଉତ୍ତମ ଓ ସରଯୁ ନଦୀ ତୀରରେ ଅବସ୍ଥିତ । ହେ ମହାରାଜ ! ସେହି ତୀର୍ଥ ପ୍ରଭାବରେ ଦଶରଥତନୟ ରାମଚନ୍ଦ୍ର ଦେହତ୍ୟାଗ କରି ଆପଣାର ଭୃତ୍ୟ, ସୈନ୍ୟ ଓ ବାହନମାନଙ୍କୁ ସଙ୍ଗରେ ଘେନି ସ୍ୱର୍ଗାରୋହଣ କରିଥିଲେ । ହେ ଭାରତ ! ନରାଧିପ ! ରାମଚନ୍ଦ୍ରଙ୍କ ପ୍ରସାଦରୁ ଓ ନିଜର ବ୍ୟବସାୟ ହେତୁରୁ ମନୁଷ୍ୟ ସେହି ଗୋପ୍ରତାର ତୀର୍ଥରେ ସ୍ନାନକରି ସର୍ବପାପରୁ ମୁକ୍ତ ହୋଇ ସ୍ୱର୍ଗଲୋକରେ ପୂଜନୀୟ ହୁଏ ।୭୨। ହେ କୁରୁନନ୍ଦନ ! ଗୋମତୀ ନଦୀରେ ରାମତୀର୍ଥରେ ସ୍ନାନକଲେ ମନୁଷ୍ୟ ଅଶ୍ୱମେଧ ଯଜ୍ଞର ଫଳ ପାଏ ଓ ଆପଣାର କୁଳକୁ ପବିତ୍ର କରେ । ହେ ଭରତର୍ଷଭ ! ସେହିଠାରେ ଶତ ସହସ୍ର ତୀର୍ଥ ଅଛି ।୭୪। ତହିଁରେ ସ୍ନାନକରି ନିୟତ ଓ ନିୟତାହାରୀ ହେଲେ ସହସ୍ରେ ଗୋଦାନର ଫଳ ମିଳେ ।୭୫।

 

ହେ ରାଜେନ୍ଦ୍ର ! ତଦନନ୍ତର ଅତି ଉତ୍ତମ ଭର୍ତ୍ତୃସ୍ଥାନକୁ ଗମନ କରିବ । ମନୁଷ୍ୟ ସେଠାରେ ଅଶ୍ୱମେଧ ଯଜ୍ଞର ଫଳ ପାଏ ।୭୬। ହେ ନୃପ ! କୋଟି ତୀର୍ଥରେ ଯେବେ ମନୁଷ୍ୟ ସ୍ନାନକରି କାର୍ତ୍ତିକେୟଙ୍କୁ ଅର୍ଚ୍ଚନା କରେ, ତେବେ ସେ ଗୋସହସ୍ର ଦାନର ଫଳ ପାଏ ଓ ତେଜସ୍ୱୀ ହୁଏ ।୭୭। ତତ୍‍ପରେ ବାରଣାସୀକୁ ଗମନ କରି ସେଠାରେ ମହାଦେବ ବୃଷଧ୍ୱଜଙ୍କର ପୂଜା କରିବାକୁ ହୁଏ । କପିଳାହ୍ରଦରେ ମନୁଷ୍ୟ ସ୍ନାନ କଲେ ରାଜସୂୟ ଯଜ୍ଞର ଫଳ ଲାଭହୁଏ ।୭୮। ହେ କୁରୁନାଥ, ତୀର୍ଥସେବୀ ବ୍ୟକ୍ତି ଅବିମୁକ୍ତ ତୀର୍ଥକୁ ଗମନ କରିବ । ସେଠାରେ ମନୁଷ୍ୟ ଦେବଦେବ ମହାଦେବଙ୍କୁ ସନ୍ଦର୍ଶନ କଲେ ବ୍ରହ୍ମହତ୍ୟା ପାପରୁ ମୁକ୍ତ ହୁଏ ।୭୯। ସେହିଠାରେ ଯେବେ ମନୁଷ୍ୟ ପ୍ରାଣତ୍ୟାଗ କରେ, ତେବେ ସେ ମୋକ୍ଷପ୍ରାପ୍ତ ହୁଏ । ହେ ରାଜେନ୍ଦ୍ର ! ମାର୍କଣ୍ଡେୟଙ୍କ ତୀର୍ଥ ଅତି ଦୁର୍ଲ୍ଲଭ ।୮୦। ଲୋକବିଖ୍ୟାତ ସେହି ତୀର୍ଥ ଗୋମତୀ ଓ ଗଙ୍ଗାର ସଙ୍ଗମ ସ୍ଥଳରେ ଅବସ୍ଥିତ ଅଛି । ସେଠାରେ ମନୁଷ୍ୟ ସ୍ନାନକଲେ ଅଗ୍ନିଷ୍ଟୋମ ଫଳ ପାଏ ଓ କୁଳକୁ ଉଦ୍ଧାର କରେ ।୮୧। ତଦନନ୍ତର ଗୟାକୁ ବ୍ରହ୍ମଚାରୀ ଓ ସମାହିତ ହୋଇ ଗମନ କରେ ଅଶ୍ୱମେଧ ଯଜ୍ଞର ଫଳଲାଭ କରେ ଓ ନିଜର ବଂଶକୁ ଉଦ୍ଧାର କରେ ।୮୨। ସେଠାରେ ଅକ୍ଷୟ ବଟ ନାମରେ ତ୍ରିଲୋକବିଖ୍ୟାତ ତୀର୍ଥ ଅଛି । ପିତୃଲୋକଙ୍କ ଉଦ୍ଦେଶ୍ୟରେ ସେଠାରେ ଯେଉଁ ଦାନ କରାଯାଏ, ତାହା ଅକ୍ଷୟ ହୁଏ ।୮୩। ମହାନଦୀରେ ସ୍ନାନକରି ପିତୃ ଓ ଦେବତାମାନଙ୍କୁ ତର୍ପଣ କଲେ ମନୁଷ୍ୟ ଅକ୍ଷୟ ସ୍ୱର୍ଗପ୍ରାପ୍ତ ହୁଏ ଓ କୁଳ ଉଦ୍ଧାର କରେ ।୮୪।

 

ତଦନନ୍ତର ବ୍ରହ୍ମାରଣ୍ୟରେ ଉପଶୋଭିତ ବ୍ରହ୍ମସରକୁ ଗମନ କରିବ । ସେଠାରେ ରହି ରାତ୍ର ପ୍ରଭାତ ହେଲାକ୍ଷଣି ବ୍ରହ୍ମଲୋକ ପ୍ରାପ୍ତ ହେବ ।୮୫। ସେହି ସରୋବରରେ ବ୍ରହ୍ମା ଗୋଟିଏ ବୃହତ୍ ଯୂପ ଉଚ୍ଛ୍ରିତ କରିଥିଲେ । ସେ ଯୂପକୁ ପ୍ରଦକ୍ଷିଣ କଲେ ବାଜପେୟ ଫଳ ଲାଭ କରିବ ।୮୬। ତହିଁ ଉତ୍ତାରୁ ହେ ରାଜେନ୍ଦ୍ର ! ଲୋକବିଖ୍ୟାତ ଧେନୁକ ତୀର୍ଥକୁ ଗମନ କରିବ । ହେ ରାଜନ୍‌ ! ସେଠାରେ ଏକ ରାତ୍ର ବାସକରି ତିଳ ଓ ଧେନୁ ଦାନ କଲେ ନର ସର୍ବପାପରୁ ମୁକ୍ତ ହୁଏ । ଅଥଚ ସୋମଲୋକକୁ ନିଶ୍ଚୟ ଗମନ କରେ । ହେ ରାଜନ୍‌ ! ତତ୍ରତ୍ୟ ପର୍ବତରେ ସୁମହତ ଚିହ୍ନ ଅଛି । କପିଳା ଧେନୁ ସ୍ୱୀୟ ବତ୍ସା ସହ ସେଠାରେ ବିଚରଣ କରୁଥିଲେ । ହେ ଭାରତ ! ତାହାଙ୍କର ପଦଚିହ୍ନ ଅଦ୍ୟାପି ଥିବା ଦେଖାଯାଏ । ହେ ରାଜେନ୍ଦ୍ର ! ସେହିସବୁ ପଦଚିହ୍ନରେ ସ୍ନାନକଲେ ମନୁଷ୍ୟର ଯେଉଁପରି ପାପ ହୋଇଥାଉ ପଛେ ସେ ପାପମାନ ବିନଷ୍ଟ ହୁଏ ।୯୦। ଗୁଧିବଟରେ ମହାଦେବ ଅଛନ୍ତି । ସେହି ତୀର୍ଥରେ ମହାଦେବଙ୍କ ସମ୍ମୁଖରେ ଭସ୍ମଦ୍ୱାରା ସ୍ନାନ କରିବ । ତୀର୍ଥକାରୀ ବ୍ୟକ୍ତି ଯେବେ ବ୍ରାହ୍ମଣ ହୋଇଥାଏ, ତେବେ ସେ ଦ୍ୱାଦଶ ବର୍ଷ ବ୍ରତାଚରଣ କଲେ ଯେଉଁ ଶୁଭଫଳ ହୁଅନ୍ତା, ତାହାର ସେହି ଭସ୍ମସ୍ନାନଦ୍ୱାରା ସେତିକି ଫଳ ହୁଏ । ପୁଣି ସେହି ତୀର୍ଥକାରୀ ଯଦି ଅପର ଜାତୀୟ ହୋଇଥାଏ, ତେବେ ତାହାର ସମୁଦାୟ ପାପ ବିନଷ୍ଟ ହୁଏ ।୯୨।

 

ତତ୍‍ପରେ , ହେ ଭରତର୍ଷଭ ! ଉଦ୍ୟନ୍ତ ପର୍ବତକୁ ଗମନ କରିବ । ସେ ପର୍ବତରେ ସର୍ବଦା ଗୀତର ଶବ୍ଦ ଶୁଣାଯାଏ ଓ ସାବିତ୍ରୀଙ୍କର ପଦ ଚିହ୍ନ ସେଠାରେ ଦୃଶ୍ୟ ହୁଏ । ବ୍ରତାଚାରୀ ବ୍ରାହ୍ମଣ ଯେବେ ସେଠାରେ ଦିନେ ସାନ୍ଧ୍ୟୋପାସନା କରନ୍ତି, ତେବେ ତାହାଙ୍କର ଦ୍ୱାଦଶବର୍ଷ ସାନ୍ଧ୍ୟୋପାସନାର ଫଳ ହୁଏ ।୯୪। ସେହିଠାରେ ଯୋନିଦ୍ୱାର ନାମରେ ଗୋଟିଏ ବିଖ୍ୟାତ ତୀର୍ଥ ଅଛି । ସେ ତୀର୍ଥରେ ସ୍ନାନ କଲେ ମନୁଷ୍ୟ ଯୋନିସଂକଟରୁ ମୁକ୍ତ ହୁଅନ୍ତି; ଅର୍ଥାତ୍ ଜନ୍ମକଷ୍ଟ ତାହାଙ୍କୁ ସହ୍ୟ କରିବାକୁ ହୁଏ ନାହିଁ ।୯୫। ହେ ରାଜନ୍‌ ! ଯେଉଁ ବ୍ୟକ୍ତି ଗୟାକ୍ଷେତ୍ରରେ କୃଷ୍ଣ ଓ ଶୁକ୍ଲ ଦୁଇପକ୍ଷରେ ବାସ କରନ୍ତି, ସେ ଆପଣାର ସପ୍ତପୁରୁଷ ଉଦ୍ଧାର କରନ୍ତି, ଏଥିରେ ସଂଶୟ ନାହିଁ । ଶାସ୍ତ୍ରରେ କଥିତ ଅଛି ଯେ ମନୁଷ୍ୟ ବହୁ ପୁତ୍ର ଲାଭର ଅଭିଳାଷ କରିବ । ତାହାର କାରଣ ଏହି ଯେ ତନ୍ମଧ୍ୟରୁ ଗୋଟିଏ ହେଲେ ଯଦି ଗୟାକୁ ଯାଏ, ତେବେ ବଂଶଯାକ ସମସ୍ତେ ଉଦ୍ଧାର ପାଇବେ, ଅଥବା ସେହି ପୁତ୍ରମାନଙ୍କ ମଧ୍ୟରୁ ଗୋଟିଏ ଯେବେ ଅଶ୍ୱମେଧ ଯାଗ କରେ କିମ୍ବା ନୀଳ ବୃଷଭ* ଦାନ କରେ, ତେବେ ସେ ବଂଶ ଉଦ୍ଧାର କରେ ।୯୭। ହେ ରାଜନ୍‌ ! ନରପତେ ! ତୀର୍ଥସେବୀ ବ୍ୟକ୍ତି ତତ୍‍ପରେ ଫଲ୍‌ଗୁ ତୀର୍ଥକୁ ଗମନ କରିବ । ଫଲ୍‌ଗୁ ତୀର୍ଥକୁ ଗଲେ ମନୁଷ୍ୟ ଅଶ୍ୱମେଧ ଯଜ୍ଞର ଫଳ ଓ ମହତୀ ସିଦ୍ଧି ଲାଭ କରିପାରେ ।୯୮।

 

[*ଯେଉଁ ବୃଷଭ ମୁଖ ଓ ପୁଚ୍ଛ ପାଣ୍ଡୁର ବର୍ଣ୍ଣ, ଖୁର ଓ ଶୃଙ୍ଗ ଶ୍ୱେତବର୍ଣ୍ଣ ଓ ଅନ୍ୟାନ୍ୟ ଅଙ୍ଗ ଲୋହିତ ବର୍ଣ୍ଣ ।]

 

ହେ ରାଜେନ୍ଦ୍ର ! ଯୁଧିଷ୍ଠିର ! ଏଥି ଉତ୍ତାରୁ ସମାହିତ ହୋଇ ଧର୍ମପୃଷ୍ଠକୁ ଗମନ କରିବ, ସେହି ତୀର୍ଥରେ ମହାତ୍ମା ଧର୍ମ ସର୍ବଦା ଅବସ୍ଥାନ କରନ୍ତି ।୯୯। ତତ୍ରତ୍ୟ କୂପୋଦକରେ ସ୍ନାନ ଓ ତାହା ପାନ କଲେ ଶୁଚି ହୋଇ ଦେବ ଓ ପିତୃଲୋକକୁ ତର୍ପଣ କଲେ ମନୁଷ୍ୟ ପାପରୁ ମୁକ୍ତ ହୋଇ ସ୍ୱର୍ଗକୁ ଗମନ କରେ ।୧୦୦। ସେହିଠାରେ ଆତ୍ମରାମ ମହର୍ଷି ମାତଙ୍ଗଙ୍କର ଆଶ୍ରମ ଅଛି । ଶ୍ରମବିନାଶକାରୀ ସେହି ଆଶ୍ରମରେ ପ୍ରବେଶ କଲେ ମନୁଷ୍ୟ ଶୋକ କରେ ନାହିଁ ।୧୦୧। ଅଥଚ ସେ ଗବାନୟନ ଯଜ୍ଞର ଫଳ ପ୍ରାପ୍ତ ହୁଏ । ପୁନଶ୍ଚ ତତ୍ରସ୍ଥିତ ଧର୍ମକୁ ସ୍ପର୍ଶ କଲେ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରେ ।୧୦୨। ହେ ପୁରୁଷଶ୍ରେଷ୍ଠ ! ହେ ରାଜେନ୍ଦ୍ର ! ତତ୍‍ପରେ ଅତି ଉତ୍ତମ ବ୍ରହ୍ମସ୍ଥାନକୁ ଗମନ କରିବ । ତତ୍ରସ୍ଥିତ ବ୍ରହ୍ମାଙ୍କୁ ଦର୍ଶନ କଲେ ରାଜସୂୟ ଓ ଅଶ୍ୱମେଧ ଫଳ ଅପେକ୍ଷା ଅଧିକ ଫଳ ମିଳେ ।

 

ହେ ନରାଧିପତେ ! ତୀର୍ଥସେବୀ ବ୍ୟକ୍ତି ତହିଁ ଉତ୍ତାରୁ ରାଜଗୃହକୁ ଗମନ କରିବ । ସେଠାକୁ ଗମନ କରି ସ୍ନାନ କଲେ କାକ୍ଷୀବାନ୍ ଋଷିଙ୍କ ପ୍ରାୟ ଆନନ୍ଦିତ ହୋଇପାରିବ । ପୁରୁଷ ଶୁଚିହୋଇ ସେହି ସ୍ଥାନରେ ଯକ୍ଷିଣୀ ଦେବୀଙ୍କର ପୂଜା କଲେ ବ୍ରହ୍ମହତ୍ୟା ପାପରୁ ସୁଦ୍ଧା ମୁକ୍ତ ହୁଏ । ତଦନନ୍ତର ଯେଉଁ ବ୍ୟକ୍ତି ମଣିନାଥ ତୀର୍ଥକୁ ଗମନ କରେ, ସେ ସହସ୍ର ଗୋଦାନର ଫଳପ୍ରାପ୍ତ ହୁଏ ।୧୦୬। ହେ ଭାରତ ! ଯେଉଁ ବ୍ୟକ୍ତି ମଣିନାଥ ତୀର୍ଥର କୌଣସି ଦ୍ରବ୍ୟ ଭକ୍ଷଣ କରେ, ତାହାକୁ ସର୍ପଦଂଶନ କଲେ ହେଁ ସେ ବିଷ ତାହା ଦେହରେ ଭେଦେ ନାହିଁ ।୧୦୭। ପୁନଶ୍ଚ ଏକ ରାତ୍ରି ସେଠାରେ ବାସ କଲେ ସହସ୍ର ଗୋଦାନର ଫଳପ୍ରାପ୍ତି ହୁଏ । ହେ ରାଜନ୍‌ ! ତଦନନ୍ତର ମହର୍ଷି ଗୌତମଙ୍କର ପ୍ରିୟତମ ବନକୁ ଗମନ କରିବ ।୧୦୮। ସେଠାରେ ଅହଲ୍ୟା ହ୍ରଦରେ ସ୍ନାନ କଲେ ପରମଗତି ଲାଭହୁଏ ଓ ତତ୍ରସ୍ଥିତ ଶ୍ରୀମୂର୍ତ୍ତି ଦର୍ଶନ କଲେ ଉତ୍କୃଷ୍ଟ ଶ୍ରୀଲାଭ କରି ହୁଏ ।୧୦୯। ହେ ଧର୍ମଜ୍ଞ ! ସେହି ସ୍ଥାନରେ ତ୍ରିଲୋକବିଖ୍ୟାତ ଗୋଟିଏ କୂପ ଅଛି । ତହିଁରେ ସ୍ନାନ କଲେ ମନୁଷ୍ୟ ଅଶ୍ୱମେଧ ଯଜ୍ଞର ଫଳଲାଭ କରିପାରେ ।୧୧୦। ରାଜର୍ଷି ଜନକଙ୍କର ସେହି ତୀର୍ଥରେ ଆଉ ଗୋଟିଏ ପୂଜିତ ତୀର୍ଥ ଅଛି । ତହିଁରେ ସ୍ନାନକଲେ ବିଷ୍ଣୁଲୋକ ଲବ୍ଧ ହୁଏ ।୧୧୧।

 

ତଦନନ୍ତର ସର୍ବପାପ ବିମୋଚନ ବିନାଶନ ତୀର୍ଥକୁ ଗମନ କରିବ । ସେଠାକୁ ଗଲେ ବାଜପେୟ ଯଜ୍ଞର ଫଳ ଓ ସୋମଲୋକ ପ୍ରାପ୍ତି ହୁଏ ।୧୧୨। ଅତଃପର ସର୍ବତୀର୍ଥ ଜଳସମ୍ଭୂତ ଗଣ୍ଡୁକୀଠାକୁ ଗମନ କରିବ । ଗଣ୍ଡୁକୀ ତୀର୍ଥକୁ ଗମନ କଲେ ବାଜପେୟ ଯଜ୍ଞର ଫଳଲାଭ ଓ ସୂର୍ଯ୍ୟଲୋକକୁ ଗତି ହୁଏ ।୧୧୩। ତତ୍‍ପରେ ତ୍ରିଲୋକବିଖ୍ୟାତା ବିଶାଳା ନଦୀକୁ ଗମନ କରିବ । ବିଶାଳାରେ ସ୍ନାନ କଲେ ଅଗ୍ନିଷ୍ଟୋମ ଯଜ୍ଞର ଫଳ ଲାଭ ହୁଏ ଓ ମନୁଷ୍ୟ ସ୍ୱର୍ଗଲୋକ ପ୍ରାପ୍ତ ହୁଏ ।୧୧୪। ହେ ମହାରାଜ ! ତତ୍‍ପରେ ଅଧିବଙ୍ଗ ନାମକ ତପୋବନକୁ ପ୍ରବେଶ କରିବ । ଅଧିବଙ୍ଗରେ ପ୍ରବିଷ୍ଟ ହେଲେ ମନୁଷ୍ୟ ଗୁହ୍ୟକଗଣଙ୍କ ମଧ୍ୟରେ ଆନନ୍ଦିତ ହୋଇ ରହେ; ଏଥିରେ ସଂଶୟ ନାହିଁ ।୧୧୫। ସିଦ୍ଧଗଣନିଷେବିତା କିମ୍ବୁଦା ନଦୀରେ ସ୍ନାନ କଲେ ପୁଣ୍ଡରୀକ ଯଜ୍ଞର ଫଳ ମିଳେ ଓ ଅନ୍ତଃକାଳରେ ସ୍ୱର୍ଗଲୋକକୁ ଗମନ କରେ ।୧୧୬। ହେ ନରନାଥ ! ତଦନନ୍ତର ମାହେଶ୍ୱର ଧାରାକୁ ଗମନ କରିବ । ଏହି ତୀର୍ଥକୁ ଗମନ କଲେ ଅଶ୍ୱମେଧ ଯଜ୍ଞର ଫଳ ଲାଭ ହୁଏ ଓ କୁଳର ଉଦ୍ଧାର ହୁଏ ।୧୧୭।

 

ହେ ନରାଧିପତେ ! ତଦନନ୍ତର ଦେବତାମାନଙ୍କର ପୁଷ୍କରିଣୀକୁ ଯିବ । ସେଠାକୁ ଗଲେ ମନୁଷ୍ୟର ଦୁର୍ଗତି ନାଶ ହୁଏ । ଅଧିକରେ ଅଶ୍ୱମେଧଯଜ୍ଞର ଫଳ ଲାଭ ହୁଏ ।୧୧୮। ତଦନନ୍ତର ବ୍ରହ୍ମଚାରୀ ସମାହିତ ହୋଇ ସୋମପାଦକୁ ଗମନ କରିବ । ସେଠାରେ ମାହେଶ୍ୱର ପାଦରେ ସ୍ନାନ କଲେ ଅଶ୍ୱମେଧ ଯଜ୍ଞର ଫଳ ଲାଭ ହୋଇପାରେ ।୧୧୯। ହେ ଭାରତ ! ରାଜେନ୍ଦ୍ର ! ସେହି ସ୍ଥାନରେ ଲୋକପ୍ରସିଦ୍ଧ ତୀର୍ଥକୋଟୀ ଅଛି । ଗୋଟିଏ ଦୁରାତ୍ମା ଅସୁର କୁର୍ମରୂପୀ ହୋଇ ତୀର୍ଥକୋଟୀକୁ ହରଣ କରି ନେଇଥିଲା । ପ୍ରଭାବଶାଳୀ ବିଷ୍ଣୁ ତାହାଠାରୁ ସମଗ୍ର ତୀର୍ଥକୁ ଛଡ଼ାଇ ଆଣିଥିଲେ । ହେ ଯୁଧିଷ୍ଠିର ! ସେହି ତୀର୍ଥକୋଟୀରେ ଅଭିଷିକ୍ତ ହେଲେ ମନୁଷ୍ୟ ପୁଣ୍ଡରୀକ ଯଜ୍ଞର ଫଳଲାଭ କରେ ଓ ବିଷ୍ଣୁଲୋକକୁ ଗମନ କରେ ।

 

ହେ ଭାରତ ! ରାଜେନ୍ଦ୍ର ! ତାହାପରେ ନାରାୟଣଙ୍କ ସ୍ଥାନକୁ ଗମନ କରିବ ।୧୨୨। ଭଗବାନ ବିଷ୍ଣୁ ସେଠାରେ ସର୍ବଦା ବାସ କରନ୍ତି । ବ୍ରହ୍ମାଦି ଦେବଗଣ, ତପସ୍ୱୀ ଋଷିଗଣ, ଆଦିତ୍ୟଗଣ, ବସୁଗଣ ଓ ରୁଦ୍ରଗଣ ସର୍ବଦା ସେ ସ୍ଥାନରେ ରହି ବିଷ୍ଣୁଙ୍କର ଉପାସନା କରୁଥାନ୍ତି । ପୁନଶ୍ଚ ସେ ସ୍ଥଳରେ ଅଦ୍ଭୁତକର୍ମା ବିଷ୍ଣୁ ଶାଳଗ୍ରାଳ ନାମରେ ବିଖ୍ୟାତ ଅଛନ୍ତି । ଏତାଦୃଶ ନାରାୟଣଙ୍କ କ୍ଷେତ୍ରରେ ତ୍ରିଲୋକେଶ୍ୱର ବରଦାତା ଅବିନାଶୀ ବିଷ୍ଣୁଙ୍କ ସମ୍ମୁଖକୁ ଆଗମନ କଲେ ମନୁଷ୍ୟ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରେ ଓ ବିଷ୍ଣୁଲୋକରେ ବାସ କରେ; ଏକଥା ନିଶ୍ଚିତ ଅଛି ।୧୨୫। ହେ ଧାର୍ମିକ ! ସେହି ସ୍ଥାନରେ ସର୍ବପାପ ପ୍ରଣାଶମ ନାମରେ ଗୋଟିଏ କୂପ ଅଛି । ଚାରିସମୁଦ୍ର ସେହି କୂପରେ ସର୍ବଦା ବାସ କରିଥାନ୍ତି । ହେ ରାଜେନ୍ଦ୍ର ! ସେହି କୂପରେ ସ୍ନାନ କଲେ ମନୁଷ୍ୟ ଦୁର୍ଗତିପ୍ରାପ୍ତ ହୁଏ ନାହିଁ । ଆହୁରି ସେ ସ୍ଥାନରେ ବରଦ ଅବ୍ୟୟ ମହାଦେବ ଅଛନ୍ତି । ଯେ ସେ ରୁଦ୍ରଙ୍କର ଦର୍ଶନ କରେ, ସେହି ବ୍ୟକ୍ତି ମେଘମୁକ୍ତ ନିଶାକରଙ୍କ ପ୍ରାୟ ଉଜ୍ଜ୍ୱଳ ହୋଇ ବିରାଜମାନ ହୋଇଥାଏ ।୧୨୮। ମନୁଷ୍ୟ ଶୁଚି ହୋଇ ମନକୁ ସ୍ଥିର କରି ଜାତିସ୍ମର* ତୀର୍ଥରେ ସ୍ନାନକଲେ, ଜାତିସ୍ମର ହୋଇ ଜନ୍ମ ହୁଏ; ଏଥିରେ କିଛି ସଂଶୟ ନାହିଁ । ମାହେଶ୍ୱରପୁରକୁ ତତ୍‍ପରେ ଗମନ କରିବ, ସେଠାରେ ଉପବାସ ରହି ମହାଦେବଙ୍କୁ ଅର୍ଚ୍ଚନା କଲେ ବାଞ୍ଛିତ ଫଳ ଲାଭହୁଏ; ଏହା ନିଶ୍ଚିତ ।

 

[*ପୂର୍ବଜନ୍ମରେ ତାହାର ଯେଉଁ ଜନ୍ମ ଥିଲା, ତାହା ସେ ଜାଣିପାରେ ।]

 

ତତ୍‍ପରେ ସର୍ବପାପବିମୋଚନ ବାମନ ତୀର୍ଥକୁ ଗମନ କରିବ । ସେଠାରେ ଦେବଦେବ ହରିଙ୍କୁ ଦର୍ଶନ କଲେ ମନୁଷ୍ୟ ଦୁର୍ଗତି ପ୍ରାପ୍ତ ହୁଏ ନାହିଁ । ତାହାପରେ ସର୍ବପାପବିନାଶନ କୁଶିକାଶ୍ରମକୁ ଗମନ କରିବ ।୧୩୧। ସେଠାରେ ମହାପାପ ପ୍ରଣାଶିନୀ କୌଶୁକୀ ନଦୀକୁ ଗମନ କଲେ ମନୁଷ୍ୟ ରାଜସୂୟ ଯଜ୍ଞର ଫଳ ପାଏ ।୧୩୨। ହେ ରାଜେନ୍ଦ୍ର ! ତଦନନ୍ତର ଚମ୍ପକାରଣ୍ୟ ନାମକ ଉତ୍କୃଷ୍ଟ ତୀର୍ଥକୁ ଗମନ କରିବ । ସେଠାରେ ଏକରାତ୍ରି ବାସକଲେ ସହସ୍ରେ ଗୋଦାନର ଫଳ ଲାଭ ହୁଏ ।୧୩୩। ତାହାପରେ ଅତି ଦୁର୍ଲଭ ଜ୍ୟେଷ୍ଠିଳ ତୀର୍ଥକୁ ଗମନ କରିବ, ସେଠାରେ ମଧ୍ୟ ଏକରାତ୍ର ବାସ କଲେ ସହସ୍ରେ ଗୋଦାନର ଫଳପ୍ରାପ୍ତି ହୁଏ ।୧୩୪। ହେ ପୁରୁଷସିଂହ, ସେହି ତୀର୍ଥରେ ଦେବୀଙ୍କ ସହିତ ମହାଦ୍ୟୁତି ବିଶେଶ୍ୱରଙ୍କୁ ଦର୍ଶନ କଲେ ମିତ୍ରାବରୁଣ ଲୋକପ୍ରାପ୍ତି ହୁଏ ।୧୩୫। ପୁନଶ୍ଚ ସେଠାରେ ଯେବେ ତ୍ରିରାତ୍ର ଉପବାସ କରି ରହିବ, ତେବେ ଅଗ୍ନିଷ୍ଟୋମ ଯଜ୍ଞର ଫଳ ଲାଭହୁଏ ।

 

ହେ ପୁରୁଷ ପ୍ରଧାନ ! ଯେଉଁ ମନୁଷ୍ୟ ଚିତ୍ତକୁ ସ୍ଥିର କରି ସ୍ୱଳ୍ପାହାରୀ ହୋଇ କନ୍ୟାସମ୍ବେଦ ତୀର୍ଥକୁ ଗମନ କରିବ ।୧୩୬। ସେହି ବ୍ୟକ୍ତି ପ୍ରଜାପତି ମନ୍ୟୁଙ୍କର ଲୋକକୁ ପ୍ରାପ୍ତ ହୁଏ । ହେ ଭାରତ ! ଶଂସିତବ୍ରତ ଋଷିମାନେ କହନ୍ତି, ଯେଉଁମାନେ କନ୍ୟାତୀର୍ଥରେ ଅନ୍ନ ଅଥବା ଆଉ ଯାହା କିଛି ଦାନ କରନ୍ତି, ସେମାନଙ୍କର ସେହି ଦାନ ଅକ୍ଷୟ ଫଳ ଦିଏ । ଅନନ୍ତର ମନୁଷ୍ୟ ତ୍ରିଲୋକବିଖ୍ୟାତ ନିଶ୍ଚିର (ବା ନିର୍ବୀର) ତୀର୍ଥକୁ ଗମନ କରିବ । ତହିଁରେ ତାହାର ଅଶ୍ୱମେଧ ଯଜ୍ଞର ଫଳ ଲାଭ ହୁଏ; ଅଥଚ ସେ ବିଷ୍ଣୁଲୋକକୁ ଗମନ କରେ । ହେ ନରେନ୍ଦ୍ର ! ଯେଉଁମାନେ ନିର୍ବୀରା ନଦୀର ସଙ୍ଗମରେ ଦାନ କରନ୍ତି, ସେମାନେ ଅନାମେୟ ଇନ୍ଦ୍ରଲୋକକୁ ଗମନ କରନ୍ତି । ସେହି ତୀର୍ଥରେ ତ୍ରିଲୋକବିଖ୍ୟାତ ମହର୍ଷି ବଶିଷ୍ଠଙ୍କର ଆଶ୍ରମ ଅଛି ।୧୪୦। ତତ୍ରତ୍ୟ ତୀର୍ଥଜଳରେ ଅବଗାହନ କଲେ ମନୁଷ୍ୟ ବାଜପେୟ ଯଜ୍ଞର ଫଳପ୍ରାପ୍ତ ହୁଏ । ଅତଃପର ଦେବର୍ଷିଗଣସେବିତ ଦେବକୂଟ ନାମକ ତୀର୍ଥକୁ ଗମନ କରିବ । ଦେବକୂଟକୁ ଗମନ କଲେ ମନୁଷ୍ୟ ଅଶ୍ୱମେଧ ଯଜ୍ଞର ଫଳ ଲାଭକରେ ଓ ନିଜର କୁଳକୁ ଉଦ୍ଧାର କରିପାରେ ।
 

ହେ ରାଜେନ୍ଦ୍ର ! ତହିଁ ଉତ୍ତାରୁ ମନୁଷ୍ୟ କୌଶିକ ମୁନିଙ୍କ ହ୍ରଦକୁ ଗମନ କରିବ ।୧୪୨। ସେଠାରେ କୁଶିକନନ୍ଦନ ମହାତ୍ମା ବିଶ୍ୱାମିତ୍ର ପରମ ସିଦ୍ଧି ଲାଭ କରିଥିଲେ । ହେ ବୀର ଭରତଶ୍ରେଷ୍ଠ-! ସେହି ସ୍ଥାନରେ କୌଶିକୀ ନଦୀ ସନ୍ନିଧାନରେ ଏକମାସ ବାସ କରିବ ।୧୪୩। ଅଶ୍ୱମେଧ ଯଜ୍ଞକଲେ ଯେଉଁ ଫଳ ହୁଏ, ସେହି ସ୍ଥାନରେ ଏକ ମାସ ବାସ କଲେ, ସେହି ଫଳ ହୁଏ-। ପୂର୍ବତନ ପଣ୍ଡିତମାନେ କହିଅଛନ୍ତି ଯେ, ଯେଉଁମାନେ ସର୍ବତୀର୍ଥପ୍ରଧାନ ସେହି ମହାହ୍ରଦରେ ସ୍ନାନ କରିବେ, ସେମାନେ ଦୁର୍ଗତିପ୍ରାପ୍ତ ହେବେ ନାହିଁ; ଅଥଚ ବହୁସ୍ୱର୍ଣ୍ଣ ଦାନକଲେ ଯେଉଁ ଫଳ ହୁଏ, ସେହି ଫଳ ଲାଭ କରିପାରିବେ । ପୁନଶ୍ଚ ବୀରାଶ୍ରମନିବାସୀ କାର୍ତ୍ତିକେୟଙ୍କୁ ସନ୍ଦର୍ଶନ କଲେ ମନୁଷ୍ୟ ଅଶ୍ୱମେଧ ଯଜ୍ଞର ଫଳଭୋଗୀ ହୁଏ; ଏଥିରେ ସଂଶୟ ନାହିଁ । ତ୍ରିଲୋକବିଖ୍ୟାତ ଅଗ୍ନିଧାରା ତୀର୍ଥକୁ ଗମନ କରି ସେଠାରେ ସ୍ନାନ କଲେ ଓ ବରଦାତା ମହାଦେବ ବିଷ୍ଣୁଙ୍କୁ ଦର୍ଶନ କଲେ ଅଗ୍ନିଷ୍ଟୋମ ଯଜ୍ଞର ଫଳ ଲାଭ ହୁଏ; ଏଥିରେ ସଂଶୟ ନାହିଁ ।୧୪୪-୪୭।

 

ତତ୍‍ପରେ ହିମଗିରି ସମୀପବର୍ତ୍ତୀ ପିତାମହ ସରୋବରକୁ ଗମନ କରି ତହିଁରେ ଅବଗାହନ କରିବ । ତାହାହେଲେ ଅଗ୍ନିଷ୍ଟୋମ ଯଜ୍ଞର ଫଳ ହୁଏ ।୧୪୯। ସେହି ପିତାମହ ସରୋବରରୁ ଆଉ ଗୋଟିଏ ତୀର୍ଥ ପ୍ରସ୍ରୂତ ହୋଇଅଛି । ତାହାର ନାମ କୁମାରଧାରା । ସେ ତୀର୍ଥଲୋକ ପବିତ୍ରକାରୀ ଓ ତ୍ରିଲୋକବିଖ୍ୟାତ ।୧୫୦। ଏଥିରେ ସ୍ନାନ କଲାକ୍ଷଣି ମନୁଷ୍ୟ ଆପଣାକୁ କୃତାର୍ଥ ମଣି କହେ, ମୁଁ ଏହି ତୀର୍ଥରେ ସ୍ନାନକରି ପବିତ୍ର ହେଲି । ଏତାଦୃଶ କୁମାରଧାରା ତୀର୍ଥରେ ତ୍ରିରାତ୍ର ଉପବାସ କରି ରହିଲେ ମନୁଷ୍ୟ ବ୍ରହ୍ମହତ୍ୟାପାପରୁ ମୁକ୍ତ ହୁଏ; ଏଥିରେ ସନ୍ଦେହ ନାହିଁ । ହେ ଧର୍ମଜ୍ଞ ନରପାଳ ! ତୀର୍ଥସେବନକାରୀ ପୁରୁଷ ତହିଁପରେ ମହାଦେବ ଗୌରୀଙ୍କର ତ୍ରିଲୋକବିଖ୍ୟାତ ଶିଖରକୁ ଗମନ କରିବ ଓ ତହିଁରେ ଆରୋହଣ କରି ସ୍ତନକୁଣ୍ଡରେ ପ୍ରବେଶ କରିବ । ସେଠାରେ ପ୍ରବେଶ କରି ଉପସ୍ପର୍ଶନ କଲେ ବାଜପେୟ ଯଜ୍ଞର ଫଳ ଲାଭ ହୁଏ । ପୁନଶ୍ଚ ଏହି ଯେ ଯେଉଁ ବ୍ୟକ୍ତି ସ୍ତନକୁଣ୍ଡରେ ସ୍ନାନ କରି ପିତୃ ଓ ଦେବଗଣଙ୍କର ପୂଜା କରେ, ତାହାଙ୍କର ଅଶ୍ୱମେଧ ଯଜ୍ଞର ଫଳ ଲାଭ ହୁଏ । ସେ ବ୍ୟକ୍ତି ଇନ୍ଦ୍ରଲୋକକୁ ଗମନ କରି ସେଠାରେ ବାସ କରନ୍ତି-

 

ଏଥି ଉତ୍ତାରୁ ମନୁଷ୍ୟ ଯେବେ ସମାହିତ ହୋଇ ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରି ତାମ୍ରାରୁଣ ତୀର୍ଥକୁ ଗମନ କରେ, ତାହାର ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କରିବା ଫଳ ଲାଭ ହୁଏ ଓ ସେ ବ୍ୟକ୍ତି ବ୍ରହ୍ମଲୋକରେ ନିବାସ କରେ ।୧୫୩। ହେ ନରପତେ ! ନନ୍ଦିନୀ ତୀରରେ ଦେବସେବିତ ଯେଉଁ କୂପ ଅଛି, ସେଠାକୁ ଗମନ କଲେ ନରମେଧ ଯଜ୍ଞର ପୁଣ୍ୟ ଲାଭ ହୁଏ । କୌଶିକୀ ଓ ଅରୁଣା ସଙ୍ଗରେ କାଳିକା ମିଶିଅଛି । ସେହି ସଙ୍ଗମ ସ୍ଥାନରେ ବିଦ୍ୱାନ ବ୍ୟକ୍ତି ଯେବେ ସଂଯତ ହୋଇ ତ୍ରିରାତ୍ର ଉପବାସ କରେ, ତେବେ ସେ ସର୍ବପାପରୁ ବିମୁକ୍ତ ହୁଏ; ଏଥିରେ ସଂଶୟ ନାହିଁ । ବିଦ୍ୱାନ ବ୍ୟକ୍ତି ଉର୍ବଶୀତୀର୍ଥକୁ ଓ ସୋମାଶ୍ରକୁ ଗମନ କରି କୁମ୍ଭକର୍ଣ୍ଣାଶ୍ରମରେ ସ୍ନାନ କଲେ ଏହି ସଂସାରରେ ପୂଜନୀୟ ହୁଏ ।୧୫୬। ପୁରାତନ ଲୋକେ ଦେଖିଅଛନ୍ତି ଯେ ବ୍ରହ୍ମଚାରୀ ସଂଯତ ହୋଇ କୋକାମୁଖକୁ ଯାଇ ସ୍ନାନ କଲେ ମନୁଷ୍ୟ ଜାତିସ୍ମର ହୁଏ ।୧୫୭। ଯେଉଁ ଦ୍ୱିଜ ପ୍ରାଙ୍‌ନଦୀ ଓ ସକୃନ୍ନନ୍ଦାକୁ ଥରେମାତ୍ର ଗମନ କରେ, ସେ ସର୍ବପାପରୁ ମୁକ୍ତ ହୁଏ ଓ ବିଶୁଦ୍ଧାତ୍ମା ହୋଇ ଇନ୍ଦ୍ରଲୋକକୁ ଗମନ କରେ; ଏଥିରେ ସଂଶୟ ନାହିଁ ।୧୫୮। ମନୁଷ୍ୟ ଯେବେ ସର୍ବଲୋକସେବ୍ୟ କ୍ରୌଞ୍ଚନିସୂଦନ ଋଷଭ ଦ୍ୱୀପକୁ ଗମନ କରେ ଓ ତତ୍ରତ୍ୟ ସରସ୍ୱତୀ ନଦୀରେ ସ୍ନାନ କରେ, ସେ ବିମାନରେ ଆରୋହଣ କରି ପୂଜନୀୟ ହୁଏ ।୧୫୯।

 

ହେ ମହାରାଜ ! ମୁନିଗଣନିଷେବିତ ଔଦାଲକ ତୀର୍ଥକୁ ଗମନ କରି ସେଠାରେ ଅଭିଷିକ୍ତ ହେଲେ ସର୍ବପାପରୁ ମୁକ୍ତ ହୁଏ ।୧୬୦। ମନୁଷ୍ୟ ଯେବେ ପୁଣ୍ୟାକର, ବ୍ରହ୍ମର୍ଷିସେବିତ ଧର୍ମତୀର୍ଥକୁ ଗମନ କରେ, ତେବେ ସେ ବାଜପେୟ ଯଜ୍ଞର ଫଳଭୋଗ କରେ ଓ ବିମାନରେ ବସି ଲୋକରେ ପୂଜନୀୟ ହୁଏ ।୧୬୧। ଅନନ୍ତର ଚମ୍ପାତୀର୍ଥକୁ ଗମନ କରି ଭାଗୀରଥୀରେ ସ୍ନାନକରି ଦଣ୍ଡାର୍ପଣ କଲେ ମନୁଷ୍ୟ ସହସ୍ରେ ଗୋଦାନର ଫଳ ପାଏ ।୧୬୨। ପୁଣ୍ୟବାନ ମନୁଷ୍ୟରେ ସୁଶୋଭିତ ପୁଣ୍ୟମୟୀ ଲଲୀତିକା ତୀର୍ଥକୁ ଗମନ କଲେ ରାଜସୂୟ ଯଜ୍ଞର ଫଳ ଲାଭ ହୁଏ ଓ ଯେଉଁ ବ୍ୟକ୍ତି ଯାଏ, ସେ ବିମାନରେ ବସି ଲୋକମାନଙ୍କଦ୍ୱାରା ପୂଜିତ ହୁଏ ।୧୬୩।

 

॥ ଅଧ୍ୟାୟ – ୮୫ ॥

 

ପୁଲସ୍ତ୍ୟ କହିଲେ, ଅତଃପର ସମ୍ବେଦ୍ୟ ନାମକ ତୀର୍ଥୋତ୍ତମକୁ ଗମନ କରିବ । ସେଠାକୁ ଗମନ କରି ସନ୍ଧ୍ୟା ସମୟରେ ଉପସ୍ପର୍ଶନ କଲେ ମନୁଷ୍ୟ ବିଦ୍ୟାଲାଭ କରେ; ଏଥିରେ ସଂଶୟ ନାହିଁ । ହେ ରାଜନ୍‌ ! ପୂର୍ବକାଳରେ ପରଶୁରାମ ସ୍ୱୀୟ ପ୍ରଭାବାନୁସାରେ ଯେଉଁ ତୀର୍ଥକୁ ସ୍ଥାପନ କରିଥିଲେ, ସେହି ଲୋହିତ୍ୟ ତୀର୍ଥକୁ ଗମନ କଲେ ଅନେକ ସୁବର୍ଣ୍ଣଦାନର ଫଳ ମିଳେ ।୨। କରତୋୟାକୁ ଗମନାନ୍ତର ତ୍ରିରାତ୍ର ଉପବାସ କରି ରହିଲେ ଅଶ୍ୱମେଧ ଯଜ୍ଞର ଫଳ ଲାଭ ହୁଏ । ପ୍ରଜାପତି ବ୍ରହ୍ମା ଏହି ବିଧି କରିଅଛନ୍ତି ।୩। ହେ ରାଜେନ୍ଦ୍ର ! ଯେଉଁଠାରେ ଗଙ୍ଗା ସାଗରସଙ୍ଗମ କରିଅଛନ୍ତି, ସେଠାରେ ସେ ସ୍ନାନ କରନ୍ତି, ସେ ଅଶ୍ୱମେଧ ଯଜ୍ଞର ଶତଗୁଣ ଫଳ ପାଆନ୍ତି; ମନୀଷୀମାନେ ଏକଥା କହିଅଛନ୍ତି ।୪। ଯେଉଁ ମନୁଷ୍ୟ ଗଙ୍ଗା ପାରିହୋଇ ଅପର ପାର୍ଶ୍ୱରେ ସ୍ନାନ କରନ୍ତି ଓ ତ୍ରିରାତ୍ର ସେଠାରେ ବାସ କରନ୍ତି, ସେ ସର୍ବପାପରୁ ବିମୁକ୍ତ ହୁଅନ୍ତି ।

 

ତଦନନ୍ତର ସର୍ବପାପ- ପ୍ରମୋଚନୀ ବୈତରଣୀକୁ ଗମନ କରିବ । ବିରଜାତୀର୍ଥରେ ସ୍ନାନ କଲେ ଚନ୍ଦ୍ରପ୍ରାୟ ଉଜ୍ଜ୍ୱଳ ହୋଇ ବିରାଜିତ ହେବ ।୬। ବୈତରଣୀକୁ ପାରହୋଇ ଅପରପାର୍ଶ୍ୱରେ ସ୍ନାନ କଲେ ସର୍ବପାପ ମୋଚନ ହୁଏ ଓ ସହସ୍ରେ ଗୋଦାନର ଫଳ ମିଳେ; ଅଥଚ ସେ ବ୍ୟକ୍ତି ନିଜର କୁଳକୁ ପବିତ୍ର କରେ ।୭। ଯେଉଁ ସ୍ଥଳରେ ଜ୍ୟୋତିରଥୀ ନଦୀ ସହିତ ଶୋଣ ନଦୀର ସଙ୍ଗମ ହୋଇଅଛି, ମନୁଷ୍ୟ ସେଠାରେ ବାସ କରି ଶୁଚିହୋଇ ଦେବ ଓ ପିତୃଲୋକକୁ ତର୍ପଣ କଲେ ଅଗ୍ନିଷ୍ଟୋମ ଯାଗର ଫଳପ୍ରାପ୍ତ ହୁଏ ।୮। ହେ କୁରୁନନ୍ଦନ ! ଶୋଣ ଓ ନର୍ମଦାର ଉତ୍ପତ୍ତି ସ୍ଥାନ ବଂଶଗୁଳ୍ମରେ ଅବଗାହନ କଲେ ବାଜିମେଧ ଯଜ୍ଞର ଫଳ ଲାଭ ହୁଏ ।୯। ହେ ନରନାଥ ! ମନୁଷ୍ୟ କୋଶଳାଦେଶୀୟ ଋଷଭତୀର୍ଥକୁ ଗମନ କରି ତ୍ରିରାତ୍ର ଉପବାସ କଲେ ବାଜପେୟ ଯଜ୍ଞର ଫଳ ଲାଭ ହୁଏ ।୧୦। ସେହି କୋଶଳାରେ କାଳତୀର୍ଥ ଅଛି । ସେଠାରେ ସ୍ନାନ କଲେ ଏକାଦଶ ବୃଷଦାନର ଫଳ ଲାଭ ହୁଏ; ଏଥିରେ କିଛି ମାତ୍ର ସନ୍ଦେଶ ନାହିଁ ।

 

ହେ ନରନାଥ ! ଯେଉଁ ନର ପୁଷ୍ପବତୀରେ ସ୍ନାନ କରେ ଓ ତ୍ରିରାତ୍ର ଉପବାସ କରି ରହେ, ସେ ସହସ୍ରେ ଗୋଦାନର ଫଳଭୋଗୀ ହୁଏ । ଅଧିକନ୍ତୁ ସ୍ୱୀୟ କୁଳକୁ ପବିତ୍ର କରେ ।୧୨। ତଦନନ୍ତର ବଦରିକା ତୀର୍ଥକୁ ଗମନ କରି ସେଠାରେ ସ୍ନାନ କଲେ, ହେ ଭରତସତ୍ତମ ! ସେ ବ୍ୟକ୍ତି ଦୀର୍ଘାୟୁ ହୁଏ ଓ ସ୍ୱର୍ଗଲୋକକୁ ଯାଏ । ତତ୍‍ପରେ ଚମ୍ପାତୀର୍ଥକୁ ଯାଇ ଭାଗୀରଥୀରେ ତର୍ପଣ କଲେ ଓ ଦଣ୍ଡଦର୍ଶନ କଲେ ସହସ୍ର ଗୋଦାନର ଫଳ ଲାଭ ହୁଏ । ତଦନନ୍ତର ପୁଣ୍ୟଶୀଳ ଜନଗଣରେ ସେବିତ ଓ ପୁଣ୍ୟଜନକ ଲପେଟିକାତୀର୍ଥକୁ ଗମନ କରିବ ।୧୫। ସେଠାରେ ବାଜପେୟ ଯଜ୍ଞର ଫଳ ମିଳେ ଓ ତାହାଙ୍କର ଏପରି ପ୍ରଭାବ ହୁଏ ଯେ ଦେବତାମାନେ ତାହାର ପୂଜା କରନ୍ତି ।୧୬।

 

ତଦନନ୍ତର ପରଶୁରାମଙ୍କ ବାସସ୍ଥାନ ମହେନ୍ଦ୍ର ପର୍ବତକୁ ଗମନ କରିବ । ସେଠାରେ ପରଶୁରାମଙ୍କ ତୀର୍ଥରେ ସ୍ନାନକଲେ ଅଶ୍ୱମେଧ ଯଜ୍ଞର ଫଳ ଲାଭ ହୁଏ । ହେ କୁରୁନନ୍ଦନ ! ସେହି ସ୍ଥାନରେ ମହର୍ଷି ମତଙ୍ଗଙ୍କର କେଦାରତୀର୍ଥ ଅଛି ।୧୭। ସେହି କେଦାରତୀର୍ଥରେ ସ୍ନାନ କଲେ ସହସ୍ର ଗୋଦାନର ଫଳ ଲାଭ ହୋଇପାରେ । ତତ୍‍ପରେ ଶ୍ରୀପର୍ବତକୁ ଗମନ କରି ତତ୍ରସ୍ଥ ନଦୀତୀରରେ ଉପସ୍ପର୍ଶନ କରିବ ।୧୮। ସେଠାରେ ମହାଦେବ ବୃଷଭଧ୍ୱଜଙ୍କୁ ଅର୍ଚ୍ଚନା କଲେ ଅଶ୍ୱମେଧ ଯଜ୍ଞର ଫଳ ଲାଭ ହୁଏ; ଏଥିରେ ସଂଶୟ ନାହିଁ । ସେହି ତୀର୍ଥ ମହାଦ୍ୟୁତି ମହାଦେବଦେବୀଙ୍କ ସହିତ ପ୍ରୀତିପୂର୍ବକ ବାସ କରିଥିଲେ; ତ୍ରିଦଶଗଣ ସହିତ ବ୍ରହ୍ମା ମଧ୍ୟ ସେଠାରେ ଅଧିଷ୍ଠାନ କରିଥିଲେ । ସେଠାରେ ମନକୁ ସଂଯତ କରି ସ୍ନାନ କଲେ ଓ ଶୁଚି ହେଲେ ଅଶ୍ୱମେଧ ଯଜ୍ଞର ଫଳ ମିଳେ ଏବଂ ଉତ୍କୃଷ୍ଟ ସିଦ୍ଧିପ୍ରାପ୍ତ ହୁଏ । ତତ୍‍ପରେ ପାଣ୍ଡ୍ୟ ଦେଶରେ ସୁରପୂଜିତ ଋଷଭ ପର୍ବତକୁ ଯାଇ ବାଜପେୟ ଯାଗର ଫଳ ପାଅ ଓ ସ୍ୱର୍ଗରେ ଆମୋଦପୂର୍ବକ ବାସ କର ।୨୧।

 

ହେ ରାଜନ୍‌ ! ତଦନନ୍ତର କାବେରୀ ତୀର୍ଥକୁ ଗମନ କରିବ । ତାହା ତୀରରେ ଅପ୍‌ସରାମାନେ ବାସ କରିଥାନ୍ତି । ମନୁଷ୍ୟ ଯେବେ ତହିଁରେ ଅବଗାହନ କରେ, ତେବେ ସେ ସହସ୍ରେ ଗୋଦାନର ଫଳ ପ୍ରାପ୍ତ ହୁଏ ।୨୨। ତତ୍‍ପରେ ସମୁଦ୍ରତୀରରେ କନ୍ୟାତୀର୍ଥକୁ ଗମନ କରି ତହିଁରେ ସ୍ନାନ କଲେ ମନୁଷ୍ୟ ସର୍ବପାପରୁ ମୁକ୍ତ ହୁଏ ।୨୩। ଅନନ୍ତର ତ୍ରିଲୋକବିଖ୍ୟାତ ଗୋକର୍ଣ୍ଣ ନାମକ ତୀର୍ଥକୁ ଗମନ କରିବ । ହେ ରାଜେନ୍ଦ୍ର ! ସେ ତୀର୍ଥ ସମୁଦ୍ର ମଧ୍ୟରେ ଶ୍ରେଷ୍ଠ ଓ ସର୍ବଲୋକଙ୍କର ନମସ୍କୃତ । ଯେଉଁଠାରେ ବ୍ରହ୍ମାଦି ଦେବତାମାନେ, ତପୋନିଷ୍ଠ ଋଷିମାନେ, ଭୂତ, ଯକ୍ଷ ଓ ପିଶାଚବର୍ଗ, କିନ୍ନର ଓ ମହୋରଗମାନେ, ସିଦ୍ଧ, ଚାରଣ, ଗନ୍ଧର୍ବ, ମନୁଷ୍ୟ ଓ ନାଗମାନେ ଅଥଚ ସରିତ, ଶୈଳ, ସାଗର ପ୍ରଭୃତି ସମସ୍ତେ ଉମାପତିଙ୍କୁ ଉପାସନା କରନ୍ତି ।୨୬। ସେ ତୀର୍ଥରେ ମହାଦେବଙ୍କୁ ଅର୍ଚ୍ଚନା କରି ତ୍ରିରାତ୍ର ଉପବାସ କଲେ ମନୁଷ୍ୟ ଅଶ୍ୱମେଧ ଯଜ୍ଞର ଫଳ ପାଏ ଓ ଗଣପତି ଲୋକରେ ବସତି କରେ ।୨୭। ପୁନଶ୍ଚ ଏଠାରେ ଯେବେ ତ୍ରିରାତ୍ର ବାସ କରିବ, ତେବେ ମନୁଷ୍ୟର ଆତ୍ମା ପବିତ୍ର ହୁଏ ।

 

ତତ୍‍ପରେ ତ୍ରୈଲୋକ୍ୟପୂଜିତ ଗାୟତ୍ରୀଙ୍କର ସ୍ଥାନ । ସେହି ସ୍ଥାନକୁ ଗମନ କରି ତ୍ରିରାତ୍ର ଉପବାସ କଲେ ମନୁଷ୍ୟ ସହସ୍ରେ ଗୋଦାନର ଫଳ ପ୍ରାପ୍ତ ହୁଏ । ହେ ନରାଧିପତେ ! ଉକ୍ତ ଗାୟତ୍ରୀ ସ୍ଥାନରେ ବ୍ରାହ୍ମଣମାନଙ୍କର ଏହି ଗୋଟିଏ ପ୍ରତ୍ୟକ୍ଷ ନିଦର୍ଶନ ମିଳେ ଯେ ବ୍ରାହ୍ମଣୀର ଗର୍ଭଜାତ ହେଉ ବା ନ ହେଉ, ପିତା ଯେବେ କେବଳ ବ୍ରାହ୍ମଣ ହୋଇଥାଏ, ତେବେ ସେ ଗାୟତ୍ରୀ ପାଠକଲା କ୍ଷଣି ତାହା ସହଜରେ ଗାଥାପ୍ରାୟ ପଠିତ ହୋଇଯାଏ । ତାହାର ଅଭିପ୍ରାୟ ଏହି ଯେ ଗୀତିକା ପାଠ କଲାବେଳେ ଯେପରି ସ୍ୱରର ନିୟମ ଓ ଉଚ୍ଚାରଣର ବିଶେଷ ନିୟମମାନ ଧରାଯାଏ ନାହିଁ, ସେହିପରି ତୀର୍ଥମହାତ୍ମ୍ୟ ହେତୁରୁ ସ୍ୱଇଚ୍ଛାରେ ମୁଖରୁ ତାହା ଗୀତପ୍ରାୟ ଉଚ୍ଚାରିତ ହୋଇ ମୁଖରୁ ନିଃସୃତ ହୁଏ ।୩୦। ପରନ୍ତୁ ଅବ୍ରାହ୍ମଣ ଯେବେ ସାବିତ୍ରୀ ପାଠକରେ, ତେବେ ସେ ବିନାଶପ୍ରାପ୍ତ ହୁଏ ଅର୍ଥାତ୍ ପାଠକାରୀ ସମ୍ୟକ୍‌ରୂପେ ଅଭ୍ୟାସ କରିଥିଲେ ହେଁ ପଢ଼ିବାବେଳେ ତାହା ତୁଣ୍ଡରୁ ଶୁଦ୍ଧ ହୋଇ ବାହାରେ ନାହିଁ । ତତ୍‍ପରେ ମନୁଷ୍ୟ ସମ୍ବର୍ତ୍ତଙ୍କର ଲୋକଦୁର୍ଲ୍ଲଭା ବାପୀକୁ ଗମନ କରିବ ।୩୧। ସେହି ସ୍ଥାନକୁ ଗମନ କଲେ ମନୁଷ୍ୟ ରୂପବାନ ଓ ସୌଭାଗ୍ୟଶାଳୀ ହୁଏ । ତଦନନ୍ତର ବେର୍ଣ୍ଣାତୀର୍ଥକୁ ଗମନ କରି ଦେବତା ଓ ପିତୃଲୋକଙ୍କୁ ତର୍ପଣ କଲେ ମୟୂର ଓ ହଂସଲକ୍ଷଣଯୁକ୍ତ ବିମାନରେ ଆରୋହଣ କରି ଗମନାଗମନ କରେ ।

 

ତତ୍‍ପରେ ନିତ୍ୟ ସିଦ୍ଧଗଣନିଷେବିତ ଗୋଦାବରୀକୁ ଗମନ କଲେ ଗବାୟନ ଯଜ୍ଞର ଫଳ ମିଳେ ଓ ବାୟୁଲୋକକୁ ଗମନ କରିବାର ସାମର୍ଥ୍ୟ ହୁଏ । ଗୋଦାବରୀ ସହିତ ବେର୍ଣ୍ଣାର ସଙ୍ଗମସ୍ଥଳରେ ସ୍ନାନ କଲେ ବାଜପେୟ ଯଜ୍ଞର ଫଳ ମିଳେ ।୩୪। ଯେଉଁଠାରେ ଗୋଦାବରୀ ସହିତ ବରଦା ସଙ୍ଗମ ହୋଇଅଛି, ସେଠାରେ ସ୍ନାନକଲେ ସହସ୍ରେ ଗୋଦାନର ଫଳ ମିଳେ । ବ୍ରହ୍ମସ୍ନାନକୁ ଗମନ କରି ସେଠାରେ ମନୁଷ୍ୟ ଯେବେ ତ୍ରିରାତ୍ର ବାସ କରେ, ତେବେ ତାହାର ସହସ୍ର ଗୋଦାନର ଫଳ ହୁଏ ଓ ସେ ସ୍ୱର୍ଗଲୋକରେ ବାସ କରେ । ମନୁଷ୍ୟ ଯେବେ ବ୍ରହ୍ମଚାରୀ ଓ ସମାହିତ ହୋଇ କୁଶପ୍ଲବନକୁ ଗମନ କରେ ।୩୬। ତ୍ରିରାତ୍ର ସେଠାରେ ରହି ସ୍ନାନ କରେ, ତେବେ ଅଶ୍ୱମେଧ ଯଜ୍ଞର ଫଳ ପାଏ । ତଦନନ୍ତର କୃଷ୍ଣା ଓ ବେର୍ଣ୍ଣା ଜଳସମ୍ଭୂତ ରମଣୀୟ ଦେବ ହ୍ରଦରେ ।୩୭। ସ୍ନାନ କଲେ ମନୁଷ୍ୟ ଜାତିସ୍ମର ହୁଏ । ସେହିଠାରେ ଦେବରାଜ ଇନ୍ଦ୍ର ଶତକ୍ରତୁ କରି ସ୍ୱର୍ଗକୁ ଗମନ କଲେ ।୩୮। ହେ ଭାରତ ! ସେହି ତୀର୍ଥକୁ ମନୁଷ୍ୟ ଯିବାମାତ୍ରେ ଶଏ ଅଗ୍ନିଷ୍ଟୋମ ଯଜ୍ଞର ଫଳ ପାଏ । ତଦନନ୍ତର ସର୍ବଦେବ ହ୍ରଦରେ ସ୍ନାନକରି ନର ସହସ୍ରେ ଗୋଦାନର ଫଳ ପାଏ ।୩୯। ତଦନନ୍ତର ମହାପୁଣ୍ୟା ସର୍ବସରିବ୍ଦରା ପୟୋଷ୍ଣୀନାମ୍ନୀ ବାପୀକୁ ଗମନ କରିବ । ସେଠାରେ ପିତୃ ଓ ଦେବାର୍ଚ୍ଚନ କଲେ ସହସ୍ରେ ଗୋଦାନର ଫଳ ମିଳେ ।୪୦।

 

ହେ ରାଜନ୍‌ ! ପୁଣ୍ୟକ୍ଷେତ୍ର ଦଣ୍ଡକାରଣ୍ୟକୁ ଗମନ କରି ସ୍ନାନ କରିବ । ହେ ଭାରତ ! ସେଠାରେ ସ୍ନାନକଲା ମାତ୍ରେ ସହସ୍ରେ ଗୋଦାନର ଫଳ ମିଳେ ।୪୧। ତଦନନ୍ତର ମହର୍ଷି ଶରଭଙ୍ଗଙ୍କର ଓ ଶୁକଙ୍କର ଆଶ୍ରମକୁ ଗଲେ ମନୁଷ୍ୟ ଦୁର୍ଗତିପ୍ରାପ୍ତ ହୁଏ ନାହିଁ । ଆହୁରି ସେ ଆପଣାର ବଂଶକୁ ଉଦ୍ଧାର କରେ ।୪୨। ତତ୍‍ପରେ ପରଶୁରାମଙ୍କ ନିବସତି ଶୂର୍ପାରକକୁ ଗମନ କରିବ । ରାମତୀର୍ଥରେ ସ୍ନାନକଲେ ମନୁଷ୍ୟ ବହୁ ସୁବର୍ଣ୍ଣଦାନର ଫଳ ପ୍ରାପ୍ତ ହୁଏ ।୪୩। ତଦନନ୍ତର ସପ୍ତ ଗୋଦାବରୀ ତୀରରେ ସମାହିତ ଓ ସ୍ୱଳ୍ପ ଆହାର କରି ସ୍ନାନକଲେ ମହତ ପୁଣ୍ୟଲାଭ ହୁଏ ଓ ସ୍ୱର୍ଗଲୋକକୁ ଗମନ କରିବ ।୪୪। ତତ୍‍ପରେ ସ୍ଥିରବୁଦ୍ଧି ଓ ସ୍ୱଳ୍ପାହାର କରି ଦେବଉଦକୁ ଗମନ କଲେ ଦେବସତ୍ରର ପୁଣ୍ୟଫଳ ଲାଭ ହୁଏ ।୪୫।

 

ବ୍ରହ୍ମଚାରୀ ଓ ଜିତେନ୍ଦ୍ରିୟ ହୋଇ ତୁଙ୍ଗକାରଣ୍ୟକୁ ଗମନ କରିବ । ପୂର୍ବକାଳରେ ମହର୍ଷି ସାରସ୍ୱତ ସେହିଠାରେ ମୁନିମାନଙ୍କୁ ବେଦାଧ୍ୟୟନ କରାଇଥିଲେ ।୪୬। ମୁନିମାନେ ବେଦକୁ ବିସ୍ମୃତ ହେବାରୁ ବେଦ ନଷ୍ଟପ୍ରାୟ ହୋଇଥିଲା । ସେହି ସ୍ଥାନରେ ଅଙ୍ଗିରା ମୁନିଙ୍କ ପୁତ୍ର ସେହି ମୁନିମାନଙ୍କର ଉତ୍ତରୀୟ ବସ୍ତ୍ର ଉପରେ ଉପବେଶନ କଲେ ।୪୭। ଓ ବିଧିପୂର୍ବକ ଓ ସମ୍ୟକ୍‌ରୂପେ ଓଁକାର ଉଚ୍ଚାରଣ କରନ୍ତେ ସେହି ଋଷିମାନଙ୍କ ମଧ୍ୟରୁ ସେ ଯାହା ପୂର୍ବେ ଉଚ୍ଚାରଣ କରିଥିଲେ, ତାହାସବୁ ସେମାନଙ୍କର ସ୍ମରଣ ହେଲା ।୪୮। ତତ୍‍ପରେ ଋଷିମାନେ, ଦେବତାମାନେ, ଦିକ୍‌ପାଳ, ବରୁଣ, ଅଗ୍ନି, ପ୍ରଜାପତି, ନାରାୟଣ, ହରି, ମହାଦେବ ଓ ସମସ୍ତ ଦେବଙ୍କ ସହ ଦ୍ୟୁତିମାନ ପିତାମହ ଯଜନ କର୍ମରେ ଭୃଗୁଙ୍କୁ ନିଯୁକ୍ତ କଲେ ।୫୦। ତତ୍‍ପରେ ଭଗବାନ ଭୃଗୁ ବିଧିବୋଧିତ କର୍ମର ଅନୁଷ୍ଠାନ ଓ ଆଦ୍ୟଭାଗ ପ୍ରଦାନପୂର୍ବକ ଅଗ୍ନିଙ୍କୁ ପରିତୃପ୍ତ କରି ସବୁ ମୁନିଙ୍କର ଅଗ୍ନ୍ୟାଧାନକ୍ରିୟା ଯଥାବିଧି ସଂପନ୍ନ କଲେ । ତଦନନ୍ତର ଦେବଗଣ ଓ ଋଷିଗଣ ନିଜ ନିଜ ଭବନକୁ କ୍ରମେ କ୍ରମେ ପ୍ରୟାଣ କଲେ ।୫୨। ହେ ରାଜସତ୍ତମ ! ସେହି ତୁଙ୍ଗକ ନାମକ ଅରଣ୍ୟକୁ ପ୍ରବେଶ କଲେ ସ୍ତ୍ରୀ ହେଉ ଅଥବା ପୁରୁଷ ହେଉ ତାହାର ସର୍ବପାପ ବିନଷ୍ଟ ହୁଏ ।୫୩। ହେ ରାଜନ୍‌ ! ସେଠାରେ ଏକମାତ୍ର ସ୍ୱଳ୍ପାହାରୀ ଓ ସ୍ଥିରମତି ହୋଇ ବାସକଲେ ମନୁଷ୍ୟ ବ୍ରହ୍ମଲୋକକୁ ଗମନ କରେ ଓ ନିଜର କୁଳକୁ ଉଦ୍ଧାର କରେ ।୫୪।

 

ତତ୍‍ପରେ ମେଧାବିକକୁ ଗମନ କରି ପିତୃ ଓ ଦେବମାନଙ୍କୁ ତର୍ପଣ କରିବ । ତଦ୍ଦ୍ୱାରା ଅଗ୍ନିଷ୍ଟୋମ ଯାଗର ଫଳ ମିଳେ; ଅଥଚ ସ୍ମୃତି ଓ ମେଧା ଲାଭ ହୁଏ ।୫୫। ଏହିଠାରେ କାଳଞ୍ଜୟ ନାମକ ପର୍ବତ ଅଛି । ତାହା ପାର୍ଶ୍ୱରେ ଦେବହ୍ରଦ ଅଛି । ସେଠାରେ ସ୍ନାନକଲେ ସହସ୍ରେ ଗୋଦାନର ଫଳ ଲାଭ ହୁଏ ।୫୬। ହେ ନୃପ ! ସେହି କାଳଞ୍ଜୟରେ ଯେ ସ୍ନାନ ଓ ତର୍ପଣ କରେ, ସେ ସ୍ୱର୍ଗଲୋକରେ ମହନୀୟ ହୁଏ; ଏଥିରେ କିଛି ମାତ୍ର ସଂଶୟ ନାହିଁ ।୫୭। ହେ ରାଜନ୍‌ ! ତତ୍‍ପରେ ଗିରିରାଜ ଶ୍ରେଷ୍ଠ ଚିତ୍ରକୂଟ ପର୍ବତର ନିକଟବର୍ତ୍ତିନୀ ସର୍ବ ପାପପ୍ରଣାଶିନୀ ମନ୍ଦାକିନୀରେ ଅବଗାହନ କଲେ ଓ ପିତୃଗଣଦେବଗଣଙ୍କର ଅର୍ଚ୍ଚନାରେ ନିଯୁକ୍ତ ହେଲେ ମନୁଷ୍ୟର ଅଶ୍ୱମେଧ ଯାଗ କରିବାର ଫଳ ଲାଭ ହୁଏ ଓ ପରମ ଗତି ଲାଭ କରେ ।୫୯। ହେ ଧର୍ମଜ୍ଞ ! ତଦନନ୍ତର ଭର୍ତ୍ତୃସ୍ଥାନକୁ ଗମନ କରିବ । ହେ ନୃପ ! ସେଠାରେ ମହାସେନ କାର୍ତ୍ତିକେୟ ସର୍ବଦା ବାସ କରିଥାନ୍ତି-।୬୦। ହେ ନୃପଶ୍ରେଷ୍ଠ ! ସେଠାକୁ ଗଲାକ୍ଷଣି ମନୁଷ୍ୟ ସିଦ୍ଧିପ୍ରାପ୍ତ ହୁଏ । ତଦନନ୍ତର କୋଟିତୀର୍ଥରେ ସ୍ନାନ କଲେ ସହସ୍ରେ ଗୋଦାନର ଫଳ ମିଳେ ।୬୧। ସେ ତୀର୍ଥକୁ ପ୍ରଦକ୍ଷିଣ କରି ଜ୍ୟେଷ୍ଠସ୍ଥାନକୁ ଯିବ । ସେଠାରେ ମହାଦେବଙ୍କୁ ଦର୍ଶନ କଲେ ମନୁଷ୍ୟ ଚନ୍ଦ୍ରମାପ୍ରାୟ ଦୃଶ୍ୟ ହୁଏ-।୬୨। ହେ ମହାରାଜ ! ଭରତର୍ଷଭ ! ସେଠାରେ ଗୋଟିଏ ବିଖ୍ୟାତ କୂପ ଅଛି । ହେ ଯୁଧିଷ୍ଠିର ! ତହିଁରେ ଚାରି ସମୁଦ୍ର ବାସ କରନ୍ତି ।୬୩। ହେ ରାଜେନ୍ଦ୍ର ! ସେଠାରେ ସ୍ନାନ କରି ପିତୃ ଓ ଦେବାର୍ଚ୍ଚନାରେ ରତ ହୋଇ ପବିତ୍ର ଓ ସମାହିତ ହେଲେ ପରମଗତି ଲାଭ ହୁଏ ।୬୪।

 

ହେ ରାଜେନ୍ଦ୍ର ! ମହାନ ଶୁଙ୍ଗବେରପୁରକୁ ତଦନନ୍ତର ଯିବ । ହେ ମହାରାଜ ! ଦଶରଥ ପୁତ୍ର ରାମଚନ୍ଦ୍ର ଯେଉଁଠାରେ ପାର ହୋଇଥିଲେ, ।୬୫। ମହାବାହୋ ! ସେହିଠାରେ ସ୍ନାନକଲେ ସର୍ବପାପରୁ ମୁକ୍ତ ହେବ । ମନୁଷ୍ୟ ଯେବେ ବ୍ରହ୍ମଚାରୀ ଓ ସମାହିତ ହୋଇ ଗଙ୍ଗାରେ ସ୍ନାନ କରେ, ତେବେ ସେ ସମସ୍ତ ପାପରୁ ମୁକ୍ତ ହୋଇ ବାଜପେୟ ଯଜ୍ଞର ଫଳ ପ୍ରାପ୍ତ ହୁଏ । ତଦନନ୍ତର ବୁଦ୍ଧିମାନ ଦେବଙ୍କର ସ୍ଥାନ ମୁଞ୍ଜବଟକୁ ଗମନ କରିବ ।୬୭। ହେ ଭାରତ ! ସେଠାରେ ମହାଦେବଙ୍କୁ ଦର୍ଶନ କଲେ ଓ ପ୍ରଦକ୍ଷିଣ କରି ନମସ୍କାର କଲେ ଗଣପତିଙ୍କ ଲୋକରେ ବାସ କରିବାକୁ ହୁଏ ।୬୮। ସେହି ତୀର୍ଥରେ ଜାହ୍ଲବୀରେ ସ୍ନାନ କଲେ ସର୍ବପାପରୁ ମୁକ୍ତ ହେବ ।

 

ହେ ରାଜେନ୍ଦ୍ର ! ତଦନନ୍ତର ପ୍ରୟାଗକୁ ଗମନ କରିବ । ଋଷିମାନେ ଏହି ତୀର୍ଥର ଭୂୟସୀ ସ୍ତୁତି କରନ୍ତି ।୬୯। ସେଠାରେ ବ୍ରହ୍ମାଦି ଦେବଗଣ, ଦିଗ ଓ ଦିଗୀଶ୍ୱରମାନେ, ଲୋକପାଳମାନେ, ସାଧ୍ୟଗଣ, ପିତୃଗଣ, ଲୋକପୂଜିତ ସନତ୍‌କୁମାର ପ୍ରଭୃତି ପରମର୍ଷିଗଣ, ଅଙ୍ଗିରା ପ୍ରଭୃତି ମହର୍ଷିଗଣ, ନାଗ ଓ ସୁପର୍ଣ୍ଣଗଣ, ସିଦ୍ଧ ଓ ଉରଗଗଣ, ସରିତ ଓ ସାଗର ସମୂହ, ଗନ୍ଧର୍ବ, ଅପସରାଗଣ ଓ ପ୍ରଜାପତିଙ୍କ ସହ ଭଗବାନ ହରି ସର୍ବଦା ଅଧିଷ୍ଠାନ କରନ୍ତି । ଏତାଦୃଶ ପ୍ରୟାଗତୀର୍ଥରେ ତିନିକୋଟି ଅଗ୍ନିକୁଣ୍ଡ ଅଛି । ସେମାନଙ୍କ ମଧ୍ୟଦେଇ ସର୍ବତୀର୍ଥ ପ୍ରଧାନା ଜହ୍ମୁତନୟା ଗଙ୍ଗା ଅତି ବେଗରେ ବହୁଅଛନ୍ତି । ତ୍ରିଲୋକବିଖ୍ୟାତା, ଲୋକପାବନୀ, ସୂର୍ଯ୍ୟତନୟା ଯମୁନା ସେହି ଗଙ୍ଗାଙ୍କ ସହିତ ମିଳିତ ହୋଇଅଛନ୍ତି । ଏହି ଗଙ୍ଗା ଓ ଯମୁନାର ମଧ୍ୟ ସ୍ଥାନଟି ପୃଥିବୀର ଜଘନ ବୋଲି ବିଖ୍ୟାତ ଅଛି ।୭୫। ଋଷିମାନେ ସେହି ଜଘନ ସ୍ଥାନର ମଧ୍ୟସ୍ଥାନକୁ ଅର୍ଥାତ୍ ପ୍ରୟାଗକୁ ଉପସ୍ଥ ବୋଲି ଜାଣନ୍ତି । ପ୍ରୟାଗ, ପ୍ରତିଷ୍ଠାନ, କମ୍ବଳ, ଅଶ୍ୱତର ଓ ଭୋଗବତୀ, ଏହି ତୀର୍ଥମାନଙ୍କୁ ବ୍ରହ୍ମାଙ୍କର ବେଦୀ ବୋଲାଯାଏ । ସେହିସବୁ ସ୍ଥାନରେ ତପୋଧନ ଋଷିମାନେ, ବେଦ ଓ ଯଜ୍ଞମାନେ ମୂର୍ତ୍ତିମାନ ହୋଇ ପ୍ରଜାପତିଙ୍କର ଉପାସନା କରନ୍ତି । ଦେବତାମାନେ ଓ ଚକ୍ରବର୍ତ୍ତୀ ନରପତିମାନେ ସେଠାରେ ଯଜ୍ଞ କରନ୍ତି ।୭୮।

 

ହେ ଭାରତ ! ଏହି କାରଣରୁ ପୃଥିବୀରେ ସର୍ବତୀର୍ଥ ଅପେକ୍ଷା ପ୍ରୟାଗକୁ ପୁଣ୍ୟତମ ତୀର୍ଥ ବୋଲାନ୍ତି ।୭୯। ସେହି ତୀର୍ଥକୁ ଗଲାକ୍ଷଣି ଅର୍ଥାତ୍ ତାହାର ନାମ କୀର୍ତ୍ତନ କଲାକ୍ଷଣି ଯମଭୟରୁ ଓ ସର୍ବପାପରୁ ମନୁଷ୍ୟ ମୁକ୍ତ ହୁଏ ।୮୦। ଲୋକବିଖ୍ୟାତ ସେହି ସଙ୍ଗମ ସ୍ଥାନରେ ଯେ ଅବଗାହନ କରେ, ସେ ସମସ୍ତ ପୁଣ୍ୟ ଲାଭ କରେ ଓ ରାଜସୂୟ ଏବଂ ଅଶ୍ୱମେଧ ଯଜ୍ଞର ଫଳ ପାଏ ।୮୧। ହେ ଭାରତ ! ଏହି ଦେବଯଜନ ଭୂମିରେ ଯାହାକୁ ଦେବତାମାନେ ସୁଦ୍ଧା ସତ୍କାର କରନ୍ତି, ସେ ସ୍ଥାନରେ ଅଳ୍ପଦାନ କଲେ ହେଁ ସେ ମହାନ ଫଳ ପ୍ରଦାନ କରେ ।୮୨। ହେ ତାତ ! ଦେବବଚନଦ୍ୱାରା ଅଥବା ଲୋକଙ୍କ କହିବାଦ୍ୱାରା କୌଣସି ହେତୁ ପ୍ରଦର୍ଶିତ ହୋଇ ପ୍ରୟାଗ ମରଣରେ ତୁମ୍ଭେ ବୁଦ୍ଧିକୁ ଉତ୍‌କ୍ରାନ୍ତ ନ କର । ଏହି ବିଷୟରେ ସାବଧାନ ଥିବ ।୮୩। ହେ କୁରୁନନ୍ଦନ ! ମୁନିମାନେ କୀର୍ତ୍ତନ କରନ୍ତି ଯେ ଏହି ପ୍ରୟାଗରେ ଷାଠିଏ କୋଟି ଦଶ ସହସ୍ର ତୀର୍ଥର ସାନ୍ନିଧ୍ୟ ଅଛି ।୮୪। ବେଦତ୍ରୟ ଓ ଆତ୍ମବିଦ୍ୟା ପାଠ କଲେ ଯେଉଁ ପୁଣ୍ୟ ହୁଏ ଓ ସତ୍ୟବାଦୀ ହେଲେ ଯେତେ ପୁଣ୍ୟ ଲାଭ ହୁଏ, ଏକା ଗଙ୍ଗା ଓ ଯମୁନା ସଙ୍ଗମରେ ସ୍ନାନ କଲେ, ସେତେ ପୁଣ୍ୟ ହୁଏ ।୮୫। ସେ ସ୍ଥାନରେ ଭୋଗବତୀ ନାମରେ ଗୋଟିଏ ତୀର୍ଥ ଅଛି । ତହିଁରେ ଯେଉଁ ମନୁଷ୍ୟ ଅଭିଷିକ୍ତ ହୁଏ, ସେ ଅଶ୍ୱମେଧ ଯଜ୍ଞର ଫଳ ପାଏ ।୮୬।

 

ପୁନଶ୍ଚ ସେଠାରେ, ହେ କୁରୁନନ୍ଦନ ! ହଂସପ୍ରପଚନ ନାମରେ ତୈଲୋକ୍ୟବିଖ୍ୟାତ ଗୋଟିଏ ତୀର୍ଥ ଅଛି । ସେଠାରେ ଗଙ୍ଗା ସ୍ନାନକଲେ ଦଶଗୋଟି ଅଶ୍ୱମେଧଯଜ୍ଞର ଫଳ ମିଳେ ।୮୭। ଗଙ୍ଗାଙ୍କର ଯେକୌଣସି ସ୍ଥାନରେ ସ୍ନାନ କଲେ ଯେ ଫଳ ମିଳେ, କୁରୁକ୍ଷେତ୍ର ତୀର୍ଥରେ ମଧ୍ୟ ସେହି ଫଳ ପ୍ରାପ୍ତି ହୁଏ । କନଖଳରେ ତଦପେକ୍ଷା ଅଧିକ ଫଳ ଓ ପ୍ରୟାଗରେ ସର୍ବାପେକ୍ଷା ମହତ ଓ ପରମ ଫଳ ପ୍ରାପ୍ତି ହୁଏ ।୮୮। କୌଣସି ବ୍ୟକ୍ତି ଶହେ ଦୁଷ୍କର୍ମ କରି ଯଦି ଗଙ୍ଗାରେ ସ୍ନାନକରେ, ତେବେ ଗଙ୍ଗାଜଳ ତାହାର ସମୁଦାୟ ପାପକୁ ବିନଷ୍ଟ କରେ । ଅଗ୍ନି ଯେପରି କାଷ୍ଠକୁ ଦଗ୍ଧ କରେ, ସେହିପରି ପାପସବୁ ନଷ୍ଟ ହୁଅନ୍ତି ।୮୯। ସତ୍ୟଯୁଗରେ ସବୁ ତୀର୍ଥ ପୁଣ୍ୟଦାୟକ; ତ୍ରେତା ଯୁଗରେ ପୁଷ୍କର ତୀର୍ଥ ସର୍ବପ୍ରଧାନ ବୋଲି ଋଷିମାନେ କହିଅଛନ୍ତି । ଦ୍ୱାପରରେ କୁରୁକ୍ଷେତ୍ର ଶ୍ରେଷ୍ଠ ଓ କଳିଯୁଗରେ ଗଙ୍ଗାନଦୀ ସବୁକ୍ଷେତ୍ର ଅପେକ୍ଷା ପ୍ରଧାନ ବୋଲି ଋଷିମାନେ କହନ୍ତି ।୯୦।

 

ପୁଷ୍କର ତୀର୍ଥରେ ତପସ୍ୟା କରିବାକୁ ହୁଏ । ମହାଳୟା ତୀର୍ଥରେ ଦାନ କରାଯାଏ ମଳୟାଚଳରେ ଅଗ୍ନି ପ୍ରବେଶ କରିବାକୁ । ଭୃଗୁତୁଙ୍ଗ ନାମକ ତୀର୍ଥରେ ଅନଶନ କରିବାର ବିଧି ।୯୧। କିନ୍ତୁ ଯେଉଁ ବ୍ୟକ୍ତି ପୁଷ୍କରରେ, କୁରୁକ୍ଷେତ୍ରରେ, ଗଙ୍ଗାରେ ବା ପ୍ରୟାଗରେ କେବଳ ସ୍ନାନ କରେ, ସେ ଊର୍ଦ୍ଧ୍ୱ ସପ୍ତପୁରୁଷ ଓ ଅଧଃ ସପ୍ତପୁରୁଷ ଉଦ୍ଧାର କରେ ।୯୨। ଯେଉଁ ବ୍ୟକ୍ତି ଗଙ୍ଗାଙ୍କ ନାମ ଉଚ୍ଚାରଣ କରେ, ସେ ପବିତ୍ର ହୁଏ । ଯେ ଗଙ୍ଗାଙ୍କର ଦର୍ଶନ କରେ, ଗଙ୍ଗା ତାହାର ମଙ୍ଗଳ କରନ୍ତି । ଯେ ଗଙ୍ଗାରେ ଅବଗାହନ କରନ୍ତି ଓ ଜଳପାନ କରନ୍ତି, ଗଙ୍ଗା ତାହାର ସପ୍ତପୁରୁଷ ଉଦ୍ଧାର କରନ୍ତି ।୯୩। ଯେପରିକି ପୁଣ୍ୟ ତୀର୍ଥମାନଙ୍କୁ ଓ ପୁଣ୍ୟ ସ୍ଥାନମାନଙ୍କୁ ଉପାସନା କଲେ ମନୁଷ୍ୟ ଅମର ଲୋକରେ ପୂଜନୀୟ ହୁଏ ସେହିପରି ।୯୫। ହେ ରାଜନ୍‌ ! ମନୁଷ୍ୟର ଅସ୍ଥି ଯାବତ୍‍ କାଳ ପର୍ଯ୍ୟନ୍ତ ଗଙ୍ଗାଜଳରେ ସଂଲଗ୍ନ ହୋଇଥାଏ, ତାବଦ୍ ସେ ମନୁଷ୍ୟ ସ୍ୱର୍ଗଲୋକରେ ମାନ୍ୟ ପାଏ ।୯୪। ଗଙ୍ଗାଙ୍କ ସଦୃଶ ଆଉ ତୀର୍ଥ ନାହିଁ; କେଶବଙ୍କୁ ବଳି ଦେବ କେହି ନାହିଁ; ବ୍ରାହ୍ମଣଙ୍କ ଅପେକ୍ଷା ଶ୍ରେଷ୍ଠତର ବର୍ଣ୍ଣ ଆଉ ନାହିଁ; ଏହା ପିତାମହ ବ୍ରହ୍ମା କହିଅଛନ୍ତି ।୯୬।

 

ହେ ମହାରାଜ ! ଯେଉଁ ଦେଶରେ ଗଙ୍ଗା ପ୍ରଭାବିତ ହୋଇଅଛନ୍ତି, ସେ ଦେଶକୁ ତପୋବନ ବୋଲି ଜାଣିବ ଓ ଗଙ୍ଗାତୀରସ୍ଥିତ ଭୂମିକୁ ସିଦ୍ଧିକ୍ଷେତ୍ର ବୋଲି ଜ୍ଞାନ କରିବ ।୯୭। ହେ କୁରୁବଂଶାବତଂସ ! ଗଙ୍ଗାଙ୍କର ଏହି ମହାତ୍ମ୍ୟକୁ ଦ୍ୱିଜାତିମାନଙ୍କୁ କହିବ, ସାଧୁମାନଙ୍କୁ ଓ ନିଜର ପୁତ୍ରଙ୍କୁ ଶୁଣାଇବ, ଆପଣାର ସୁହୃଦ୍‌ବର୍ଗଙ୍କ କର୍ଣ୍ଣରେ ପୁନଃପୁନଃ କହିବ, ଶିଷ୍ୟମାନଙ୍କୁ ଓ ଅନୁଗତ ଜନମାନଙ୍କୁ ଶ୍ରବଣ କରାଇବ ।୯୮। ଏହି ତୀର୍ଥ ସବୁ ତୀର୍ଥ ଅପେକ୍ଷା ଉତ୍ତମ । ଏହି ତୀର୍ଥମହାତ୍ମ୍ୟ ଶ୍ରବଣରେ ପ୍ରଶଂସା ଲାଭ ହୁଏ, ମନୁଷ୍ୟ ପବିତ୍ର ହୁଏ ଓ ସ୍ୱର୍ଗଲାଭ କରେ । ଏହି ତୀର୍ଥ ସବୁ ତୀର୍ଥ ଅପେକ୍ଷା ଉତ୍ତମ । ଏହି ତୀର୍ଥ ପୁଣ୍ୟଜନକ, ରମଣୀୟ, ପବିତ୍ରକାରୀ, ଧର୍ମଜନକ ଓ ସର୍ବୋତ୍ତମ ଅଟେ ।୯୯। ମହର୍ଷିମାନେ ଗୋପନରେ ଏହି ତୀର୍ଥର କୀର୍ତ୍ତନ କରନ୍ତି । ଏହି ତୀର୍ଥକୁ ଗଲେ ସର୍ବପାପ ମୋଚନ ହୁଏ । ଦ୍ୱିଜମାନଙ୍କ ମଧ୍ୟରେ ଯେ ଏହାର ମାହାତ୍ମ୍ୟ ଅଧ୍ୟୟନ କରନ୍ତି, ସେ ନିଷ୍ପାପ ହୋଇ ସ୍ୱର୍ଗ ଗମନ କରନ୍ତି ।୧୦୦। ଏହି ତୀର୍ଥର ମାହାତ୍ମ୍ୟ କୀର୍ତ୍ତନ କଲେ ଲକ୍ଷ୍ମୀ, ସ୍ୱର୍ଗ ଓ ପୁଣ୍ୟ ଲାଭ ହୁଏ; ଶତ୍ରୁମାନେ ନଷ୍ଟ ହୁଅନ୍ତି; ମଙ୍ଗଳ ହୁଏ; ମେଧା ବୃଦ୍ଧି ହୁଏ ଓ ଲୋକ ଅଗ୍ରଗଣ୍ୟ ହୁଏ । ଅପୁତ୍ରକର ପୁତ୍ର ଲାଭ ହୁଏ, ନିର୍ଦ୍ଧନ ବ୍ୟକ୍ତି ଧନ ପାଏ, ଶୂଦ୍ର ସର୍ବକାମନା ପ୍ରାପ୍ତ ହୁଏ । ବ୍ରାହ୍ମଣ ପାଠକଲେ ସର୍ବ ବିଦ୍ୟାରେ ପାରଗ ହୁଏ, ରାଜା ହୋଇଥିଲେ ପୃଥ୍ୱୀ ଜୟ କରେ । ଯେଉଁ ନର ଶୁଚିହୋଇ ନିତ୍ୟ ଏହି ମାହାତ୍ମ୍ୟ ଶ୍ରବଣ କରେ, ସେ ଆପଣାର ଅନେକ ପୂର୍ବଜନ୍ମ କଥା ଜାଣିପାରେ ଓ ସ୍ୱର୍ଗରେ ହୃଷ୍ଟହୋଇ ବାସକରେ ।

 

ଆମ୍ଭେ ଯେତେ ତୀର୍ଥ କୀର୍ତ୍ତନ କଲୁ ତହିଁରେ କେତେକ ଦୁର୍ଗମ ଅଛି ଓ କେତେକ ଅଗମ୍ୟ ଅଛି ।୧୦୪। ଯେ ସର୍ବତୀର୍ଥ ଗମନ କରିବାକୁ ଇଚ୍ଛା କରେ, ସେ ଅଗମ୍ୟ ତୀର୍ଥମାନଙ୍କୁ ମନରେ ହେଲେ ସ୍ମରଣ କରିବ । ଏହି ତୀର୍ଥସମୂହରେ ସୁକୃତାଭିଳାଷୀ ବସୁଗଣ, ସାଧ୍ୟଗଣ, ଆଦିତ୍ୟଗଣ, ମରୁଦ୍‌ଗଣ ଓ ଅଶ୍ୱିନୀକୁମାର ଦ୍ୱୟ ଓ ଦେବସଦୃଶ ଋଷିବୃନ୍ଦ ସ୍ନାନ କରିଅଛନ୍ତି । ଅତଏବ ହେ କୌରବ୍ୟ ! ତୁମ୍ଭେ ମଧ୍ୟ ବ୍ରତାଚାରୀ ହୋଇଥିବାରୁ ବିଧାନାନୁସାରେ ନିୟତ ହୋଇ ତୀର୍ଥମାନଙ୍କୁ ପରିଭ୍ରମଣ କର । ପୁଣ୍ୟକାର୍ଯ୍ୟଦ୍ୱାରା ଆପଣାର ପୁଣ୍ୟକୁ ଆହୁରି ବର୍ଦ୍ଧିତ କର । ସାଧୁମାନଙ୍କର ଇନ୍ଦ୍ରିୟଶୁଦ୍ଧି ଆସ୍ତିକ୍ୟଭାବ ପୂର୍ବରୁ ଥିବାରୁ ତୀର୍ଥସେବା କଲାବେଳେ ସେମାନଙ୍କର ପୁଣ୍ୟଶୀଳ ଓ ଶ୍ରୁତିବିଶାରଦ ମହାତ୍ମାମାନଙ୍କ ସଂଗେ ଦର୍ଶନ ଘଟେ । ବ୍ରତାଚାରୀ ନ ହେଲେ କି ମନଃଶୁଦ୍ଧ ନ ହେଲେ ଓ ଶୁଚି ନ ହେଲେ ଅଥବା ତସ୍କର ହେଲେ କଦାପି ତୀର୍ଥସ୍ନାନ କରିନପାର । ହେ କୌରବ୍ୟ-! ଯାହାର କୁଟିଳ ବୁଦ୍ଧି, ସେ ତୀର୍ଥସ୍ନାନ କରେ ନାହିଁ ।୧୦୮।

 

ହେ ଧର୍ମଜ୍ଞ ନୃପ ! ତୁମ୍ଭେ ଧର୍ମାର୍ଥଦର୍ଶୀ ଓ ତୁମ୍ଭର ଚରିତ୍ର ଅତି ପବିତ୍ର ଅଟେ । ସୁତରାଂ ତୁମ୍ଭେ ସ୍ୱକୀୟ ଧର୍ମଦ୍ୱାରା ପିତୃପିତାମହ ଓ ପ୍ରପିତାମହଗଣଙ୍କୁ, ବ୍ରହ୍ମାଦି ଦେବଗଣଙ୍କୁ ଓ ଋଷିମାନଙ୍କୁ ପରିତୁଷ୍ଟ କରିଅଛ । ହେ ଇନ୍ଦ୍ରସମଭୀଷ୍ମ । ତୁମ୍ଭେ ବସୁଲୋକକୁ ଗମନ କରିବ ଓ ଏହି ମହିମଣ୍ଡଳରେ ଚିରସ୍ଥାୟିନୀ ମହତୀ କୀର୍ତ୍ତି ଲାଭ କରିବ; ଏଥିରେ ସଂଶୟ ନାହିଁ ।୧୧୧। ନାରଦ ବୋଇଲେ ଏହି ପ୍ରକାରେ ଭଗବାନ ଋଷି ପୁଲସ୍ତ୍ୟ ପ୍ରୀତ ହୋଇ ପ୍ରୀତମନରେ ସେହିଠାରେ ଅନ୍ତର୍ହିତ ହେଲେ ।୧୧୨। ହେ କୁରୁଶ୍ରେଷ୍ଠ ! ଭୀଷ୍ମ ଶାସ୍ତ୍ରତତ୍ତ୍ୱାର୍ଥଦର୍ଶୀ ଥିଲେ । ପୁଲସ୍ତ୍ୟଙ୍କ ବଚନ ଶ୍ରବଣ କରି ସେ ପୃଥିବୀକୁ ପରିକ୍ରମଣ କଲେ ।୧୧୩। ହେ ମହାଭାଗ ! ଏହିପ୍ରକାରେ ସେ ମହାପୁଣ୍ୟ ଓ ସର୍ବପାପମୋଚନୀ ତୀର୍ଥଯାତ୍ରାକୁ ପ୍ରୟାଗରେ ପରିସମାପ୍ତ କଲେ ।୧୧୪। ଏହିପରି ବିଧିରେ ଯେ ପୃଥିବୀକୁ ପର୍ଯ୍ୟଟନ କରେ, ସେ ଶତ ଅଶ୍ୱମେଧର ଫଳକୁ ପ୍ରାପ୍ତହୁଏ ଓ ପରଲୋକକୁ ଗମନ କରି ସେହି ଫଳ ଭୋଗ କରେ ।୧୧୫। ହେ ପାର୍ଥ ! ପୂର୍ବେ କୁରୁପ୍ରବର ଭୀଷ୍ମ ଯେଉଁ ପୁଣ୍ୟଫଳ ଉପାର୍ଜନ କରିଥିଲେ, ତୁମ୍ଭେ ତାହାର ଅଷ୍ଟଗୁଣ ଉତ୍ତମ ଧର୍ମ ପ୍ରାପ୍ତ ହେବ ।୧୧୬। ଯେ ହେତୁରୁ ତୁମ୍ଭେ ଆପଣା ସଙ୍ଗରେ ଏତେ ଋଷି ଓ ବ୍ରାହ୍ମଣମାନଙ୍କୁ ଘେନି ଗମନ କରୁଅଛ, ସେହି ହେତୁରୁ ତୁମ୍ଭର ଅଷ୍ଟଗୁଣ ଅଧିକ ଫଳ ଲାଭ ହେବ ।

 

ହେ ଭାରତ ! ଏହି ତୀର୍ଥମାନଙ୍କରେ ଅନେକ ରାକ୍ଷସ ଅଛନ୍ତି । ହେ କୁରୁନନ୍ଦନ ! ତୁମ୍ଭ ବ୍ୟତିରେକେ ଅନ୍ୟ କାହାରି ସେ ସ୍ଥାନମାନଙ୍କୁ ଗମନ କରିବାର ସାମର୍ଥ୍ୟ ନାହିଁ ।୧୧୭। ସର୍ବତୀର୍ଥଙ୍କର ଏହି ବର୍ଣ୍ଣନା ଦେବର୍ଷିଙ୍କ ଚରିତ୍ରରେ କଥିତ ଅଛି । ପ୍ରାତଃକାଳରେ ଉଠି ଯେ ଏହାକୁ ପାଠକରେ ସେ ସର୍ବପାପରୁ ମୁକ୍ତ ହୁଏ ।୧୧୮। ହେ ମହାରାଜ ! ବାଲ୍ମୀକି, କଶ୍ୟପ, ଅତ୍ରେୟ, କୁଣ୍ଡଜଠର, ବିଶ୍ୱାମିତ୍ର, ଗୌତମ, ଅସିତ, ଦେବଳ, ମାର୍କଣ୍ଡେୟ, ଗାଲବ, ଭରଦ୍ୱାଜ, ବଶିଷ୍ଠ, ଉଦ୍ଦାଳକ ମୁନି, ସପୁତ୍ରସୌନକ, ତାପସଶ୍ରେଷ୍ଠ ବ୍ୟାସ, ମୁନିପ୍ରଧାନ ଦୁର୍ବାସା ଓ ମହାତପସ୍ୱୀ ଜାବାଳି ଋଷିମୁଖ୍ୟମାନେ ଆପଣଙ୍କୁ ପ୍ରତୀକ୍ଷା କରି ରହିଅଛନ୍ତି । ଏମାନଙ୍କୁ ଆପଣ ସଙ୍ଗରେ ଘେନି ଉପର୍ଯ୍ୟୁକ୍ତ ତୀର୍ଥମାନଙ୍କୁ ପରିଭ୍ରମଣ କରନ୍ତୁ ।୧୨୨। ଅପରିମିତ ତେଜସ୍ୱୀ ଏହି ଋଷି ଲୋମଶ ତୁମ୍ଭ ନିକଟକୁ ଆଗତ ହେବେ । ହେ ମହାରାଜ ! ତୁମ୍ଭେ ତାହାଙ୍କ ନିକଟକୁ ଅଗ୍ରେ ଗମନ କରନ୍ତୁ ।୧୨୩।

 

ହେ ଧର୍ମଜ୍ଞ ! ତୁମ୍ଭେ ଶାନ୍ତନୁଙ୍କ ରୂପରେ ଅବତୀର୍ଣ୍ଣ ହୋଇଅଛ । ଅତଏବ ମୋତେ ସଙ୍ଗରେ ଘେନି ଏହି ତୀର୍ଥମାନଙ୍କୁ ପରିକ୍ରମ କଲେ ମହତୀ କୀର୍ତ୍ତିକୁ ପ୍ରାପ୍ତ ହେବେ ।୧୨୪। ଧର୍ମାତ୍ମା ଯଯାତି ଓ ରାଜା ପୁରୁରବା ଯେପରି ନିଜନିଜ ଧର୍ମରେ ଶୋଭା ପାଉଥିଲେ, ତଦ୍‌ବତ୍ ହେ ରାଜଶାର୍ଦ୍ଦୁଳ ! ତୁମ୍ଭେ ମଧ୍ୟ ଆପଣା ପୁଣ୍ୟରେ ଶୋଭା ପାଉଅଛ ।୧୨୫। ରାଜା ଭଗରୀଥ ଓ ଦାଶରଥି ରାମଚନ୍ଦ୍ର ଯେପରି ବିଖ୍ୟାତ ଅଛନ୍ତି, ସେହିପରି ସବୁ ରାଜାଙ୍କ ଅପେକ୍ଷା ତୁମ୍ଭେ ରଶ୍ମିବାନ୍ ସୂର୍ଯ୍ୟଙ୍କ ସମ ଦୀପ୍ତିମାନ ହୋଇଅଛ ।୧୨୬। ମନୁ, ଇକ୍ଷ୍ୱାକୁ ମହାଯଶସୀ ପୁରୁ ଓ ବେଣ୍ୟ ଯେପରି ଭୁବନବିଖ୍ୟାତ, ସେହି ପ୍ରାୟ ତୁମ୍ଭେ ମଧ୍ୟ ବିଶ୍ରୁତ ହୋଇଅଛ ।୧୨୭। ଯେପରି ପୂର୍ବକାଳରେ ବୃତ୍ତହନ୍ତା ଦେବରାଜ ଇନ୍ଦ୍ର ଶତ୍ରୁମାନଙ୍କୁ ଦଗ୍ଧ କରି ନିଶ୍ଚିନ୍ତ ହୋଇ ତ୍ରିଲୋକପାଳନ କରୁଥିଲେ, ସେହିପରି ତୁମ୍ଭେ ମଧ୍ୟ ଶତ୍ରୁକ୍ଷୟ କରି ପ୍ରଜାପାଳନ କରିବ; ଏଥିରେ ସନ୍ଦେହ ନାହିଁ । ହେ ରାଜୀବଲୋଚନ ! ତୁମ୍ଭେ ଆପଣା ଧର୍ମବଳରେ ପୃଥିବୀକୁ ଜୟକରି କାର୍ତ୍ତବୀର୍ଯ୍ୟ ଅର୍ଜୁନଙ୍କ ପ୍ରାୟ ସୁଖ୍ୟାତି ଲାଭକରି ଧର୍ମରେ ପ୍ରଜାଙ୍କୁ ପାଳନ କରିବ ।୧୩୦। ଭଗବାନ ଋଷି ନାରଦ ଏହିପରି ଯୁଧିଷ୍ଠିରଙ୍କୁ ଆଶ୍ୱାସନା ଦେଲେ । ବୈଶମ୍ପାୟନ ବୋଇଲେ ଯେ ନାରଦ ସେହିଠାରେ ଅନ୍ତର୍ହିତ ହେଲେ । ଅନନ୍ତର ଧର୍ମାତ୍ମା ରାଜା ଯୁଧିଷ୍ଠିର ତୀର୍ଥଯାତ୍ରାକଥା ମନେ ମନେ ଚିନ୍ତାକରି ଋଷିମାନଙ୍କଠାରେ ତୀର୍ଥଯାତ୍ରାର ପୁଣ୍ୟ ବୃତ୍ତାନ୍ତ ନିବେଦନ କଲେ ।୧୩୨।

 

॥ ଅଧ୍ୟାୟ – ୮୬ ॥

 

ବୈଶମ୍ପାୟନ ବୋଇଲେ, ଭ୍ରାତାମାନଙ୍କର ଓ ବୁଦ୍ଧିମାନ ନାରଦଙ୍କର ଅଭିପ୍ରାୟ ଅବଗତ ହୋଇ ସାକ୍ଷାତ୍ ବ୍ରହ୍ମାଙ୍କ ସଦୃଶ ମହାତେଜସ୍ୱୀ ଧୌମ୍ୟଙ୍କୁ ରାଜା ଯୁଧିଷ୍ଠିର କହିଲେ ।୧। ପୁରୁଷଶ୍ରେଷ୍ଠ, ସତ୍ୟପରାକ୍ରମ, ଅପରିମିତ ବୁଦ୍ଧିଶୀଳ ଅର୍ଜୁନଙ୍କୁ ଅସ୍ତୁ ସଂଗ୍ରହ କରିବା ନିମିତ୍ତ ନିର୍ବାସିତ କଲୁ ।୨। ହେ ତପୋଧନ ! ସେହି ବୀର ଆମ୍ଭର ଅନୁରକ୍ତ ଓ ସମର୍ଥ ଅଟନ୍ତି । ଅସ୍ତ୍ରବିଦ୍ୟାରେ ବାସୁଦେବଙ୍କ ସମାନ କୃତୀ ଓ ପ୍ରଭୁ ଅଟନ୍ତି ।୩।

 

ହେ ବ୍ରହ୍ମନ୍‌ ! ଅର୍ଜୁନ ଓ କୃଷ୍ଣ ଏହି ଦୁଇଜଣଙ୍କୁ ଆମ୍ଭେ ଜାଣୁ ଯେ ସେ ଦୁହେଁ ଶତ୍ରୁବିନାଶୀ ଓ ବିକ୍ରମଶୀଳ; ଅଥଚ ବ୍ୟାସ ମଧ୍ୟ ସେହିପରି ଦୁହିଁଙ୍କୁ ପ୍ରତାପବାନ୍ ବୋଲି ଜାଣନ୍ତି । ପୁଣ୍ଡରୀକାକ୍ଷ ବାସୁଦେବ ଓ ଧନଞ୍ଜୟ ଦୁହିଁଙ୍କୁ ଆମ୍ଭେ ଜାଣୁ ଯେ ସେମାନେ ତିନି ଯୁଗରେ ଥାନ୍ତି ଓ ମୂର୍ତ୍ତିଭେଦରେ ସେ ଦୁହେଁ ବିଷ୍ଣୁ ପ୍ରମାଣ; ଏକଥା ନାରଦ ଆମ୍ଭଙ୍କୁ ସର୍ବଦା କହନ୍ତି ।୫। ଆମ୍ଭେ ମଧ୍ୟ ଏ ଦୁହିଁଙ୍କୁ ନରନାରାୟଣ ଋଷି ବୋଲି ଜାଣୁ । ଅର୍ଜୁନ ଯେ ଅସ୍ତ୍ରସଂଗ୍ରହ କରିବାକୁ ସମର୍ଥ ଅଟନ୍ତି, ଏହି କଥା ଆମ୍ଭେ ଜାଣି ତାହାଙ୍କୁ ସେ କାର୍ଯ୍ୟରେ ପ୍ରେରଣ କଲୁଁ ।୬। ଦେବସୁତ ଅର୍ଜୁନ ଇନ୍ଦ୍ରଙ୍କଠାରୁ ଉଣା ନୁହନ୍ତି । ଏହି ହେତୁରୁ ଆମ୍ଭେ ତାହାଙ୍କୁ ପ୍ରେରଣ କଲୁ ଯେ ସେ ଇନ୍ଦ୍ରଙ୍କୁ ଦର୍ଶନ କରି ତାହାଙ୍କଠାରୁ ଅସ୍ତ୍ରସମୂହ ଆନୟନ କରିବେ ।୭।

 

ଭୀଷ୍ମ ଓ ଦ୍ରୋଣ ଏ ଦୁହିଁଙ୍କୁ ବଳି ରଥୀ ନାହାନ୍ତି । କୃପାଚାର୍ଯ୍ୟ ଓ ଅଶ୍ୱତ୍‌ଥାମା ଦୁର୍ଜୟ ଅଟନ୍ତି । ଧୃତରାଷ୍ଟ୍ରଙ୍କ ପୁତ୍ର ଏହି ମହାରଥୀମାନଙ୍କୁ ଯୁଦ୍ଧ କରିବାକୁ ବରଣ କରିଅଛନ୍ତି । ଏମାନେ ସମସ୍ତେ ବେଦାଧ୍ୟାୟୀ, ଶୂର ଓ ସର୍ବାସ୍ତ୍ରବେତ୍ତା । ସେହି ମହାବଳୀମାନେ ଅର୍ଜୁନଙ୍କ ସହିତ ଯୁଦ୍ଧ କରିବାକୁ ସତତ କାମନା କରନ୍ତି । ସୂତପୁତ୍ର ମହାରଥୀ କର୍ଣ୍ଣ ଦିବ୍ୟାସ୍ତ୍ରବେତ୍ତା ଅଟନ୍ତି । ଆମ୍ଭେ ପୁନଃପୁନଃ ଆଶଙ୍କା କରୁ ଯେ କର୍ଣ୍ଣ କଳାଗ୍ନି ସ୍ୱରୂପ ହୋଇ ତୁଳାସମ ଆମ୍ଭର ସେନାମାନଙ୍କୁ ଦଗ୍ଧ କରିବେ । କର୍ଣ୍ଣଙ୍କର ଶର ସେ ଅଗ୍ନିର ଶିଖା; ଅସ୍ତ୍ରନିକ୍ଷେପ ବାୟୁ, ସେହି ଅଗ୍ନିର ସହାୟକାରୀ ବାୟୁ ଅଟେ । ତଳ ନିଃସ୍ୱନ ସେ ଅଗ୍ନିର ଶବୁଦ ଓ କ୍ରୋଧ ତାହାର ଧୂମ ଅଟେ । ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ସେହି ଅନଳକୁ ଉଦ୍ଦୀପନ କରୁଅଛନ୍ତି ।୧୧। କିନ୍ତୁ ଅର୍ଜୁନଙ୍କର ଶ୍ୱେତ ଅଶ୍ୱମାନେ ବକସମୂହ ହେଲେ । ଗାଣ୍ଡୀବଧନୁ ଇନ୍ଦ୍ରଧନୁ ହେଲା । ଦିବ୍ୟାସ୍ତ୍ରମାନେ ବଜ୍ରାଗ୍ନି ହେଲେ । ଏହିପରି ମହାମେଘ ରୂପକୁ ଅର୍ଜୁନ ଧାରଣ କରି କୃଷ୍ଣସମୀରଣଦ୍ୱାରା ଉଦ୍ଧୂତ ହୋଇ ଉତ୍ସାହ ସହକାରେ ଶରବର୍ଷଣରୂପ ଜଳଧାରାଦ୍ୱାରା ଯୁଦ୍ଧକ୍ଷେତ୍ରରେ ପ୍ରଦୀପ୍ତ କର୍ଣ୍ଣ ଅଗ୍ନିକୁ ନିର୍ବାପିତ କରିବେ; ଏହା ଆମ୍ଭେ ଆଶା କରୁଅଛୁଁ ।୧୩। ଶତ୍ରୁପୁରାନ୍ତକ ଅର୍ଜୁନ ସାକ୍ଷାତ୍ ଇନ୍ଦ୍ରଙ୍କଠାରୁ ସମସ୍ତ ଦିବ୍ୟାସ୍ତ୍ର ଅବଶ୍ୟ ସଂଗ୍ରହ କରିବେ; ଏହା ମଧ୍ୟ ଆମ୍ଭେ ଆଶା କରୁଁ ।୧୪। ଆମ୍ଭର ବୋଧହୁଏ, ସେହିସବୁ ବୀରମାନଙ୍କ ନିକଟରେ ଏକା ଅର୍ଜୁନ ଯୁଦ୍ଧ କରିବାକୁ ସମର୍ଥ ଅଟନ୍ତି । ତାହାଙ୍କ ବ୍ୟତିରେକେ ଅତି କୃତାର୍ଥ ଦୁର୍ଯ୍ୟୋଧନଙ୍କ ପକ୍ଷର ବୀରମାନଙ୍କୁ ପରାସ୍ତ କରିବାର ଅନ୍ୟ ଉପାୟ ନାହିଁ ।୧୫। ଆମ୍ଭେମାନେ ସମସ୍ତେ ସେହି ଅର୍ଜୁନଙ୍କୁ ଦେଖିବୁ ଯେ ସେ ସବୁ ଅସ୍ତ୍ରକୁ ଗ୍ରହଣ କରି ଆସିବେ; ଏଥିରେ ସଂଶୟ ନାହିଁ । କାରଣ ଅର୍ଜୁନ କୌଣସି ବିଷୟର ଭାର ନେଇ କଦାପି ତହିଁରେ ବିଷଣ୍ଣ ହୁଅନ୍ତି ନାହିଁ ।୧୬।

 

ହେ ମନୁଷ୍ୟବର ! ସେହି ବୀରଙ୍କ ବ୍ୟତିରେକେ ଏହି କାମ୍ୟକ ବନରେ ବାସକରି ମନ ସ୍ଥିର ହେଉନାହିଁ । ଦ୍ରୌପଦୀ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି; ତଥାପି ମନ ସ୍ଥିର ହେଉନାହିଁ ।୧୭। ଅତଏବ ଆପଣ ଆଉ ଗୋଟିଏ ଉତ୍ତମାରଣ୍ୟ ଓ ପବିତ୍ର ବନର ନାମ କହନ୍ତୁ, ଯେଉଁଠାରେ ବହୁ ପରିମାଣରେ ଆମ୍ଭମାନଙ୍କୁ ଖାଦ୍ୟ ଦ୍ରବ୍ୟ ପ୍ରାପ୍ତି ହେବ ଓ ଯେଉଁଠାରେ ପୁଣ୍ୟଶୀଳ ଜନମାନେ ବାସ କରୁଥିବେ ।୧୮। ବୃଷ୍ଟିକାମୀ ବ୍ୟକ୍ତି ଯେପରି ମେଘକୁ ଆଶାକରି ରହେ, ସେହିପରି ଆମ୍ଭେମାନେ ସେ ସ୍ଥାନରେ ସତ୍ୟବିକ୍ରମ ବୀର ଅର୍ଜୁନଙ୍କୁ ପ୍ରତୀକ୍ଷାକରି କିଛିକାଳ ରହିପାରିବୁ ।୧୯। ହେ ବ୍ରହ୍ମନ୍‌ ! ଆପଣ ଦ୍ୱିଜାତିମାନଙ୍କ ନିମିତ୍ତ ପ୍ରତିଷ୍ଠିତ ବିବିଧ ଆଶ୍ରମମାନଙ୍କ ନାମ କହନ୍ତୁ । ସେହି ଅର୍ଜୁନଙ୍କ ବିନା ଏହି କାମ୍ୟକ ବନରେ ଆମ୍ଭମାନଙ୍କର ଆଉ ବାସ କରିବାକୁ ଇଚ୍ଛା ହେଉନାହିଁ । ଆମ୍ଭେମାନେ ଅନ୍ୟ ଦିଗକୁ ଗମନ କରିବୁ ।୨୧।

 

॥ ଅଧ୍ୟାୟ – ୮୭ ॥

 

ବୈଶମ୍ପାୟନ ବୋଇଲେ, ବୃହସ୍ପତିଙ୍କ ସମ ଋଷି ଧୌମ ଦେଖିଲେ ଯେ ପାଣ୍ଡବମାନେ ଅର୍ଜୁନଙ୍କ ନିମିତ୍ତ ଅତିଶୟ ଦୁଃଖିତ ହୋଇଅଛନ୍ତି । ଅତଏବ ସେମାନଙ୍କୁ ଆଶ୍ୱାସିତ କରି କହିଲେ, ହେ ଅନଘ ! ଭରତର୍ଷଭ ! ବ୍ରାହ୍ମଣମାନଙ୍କର ଅନୁଗତ, ପୁଣ୍ୟାଶ୍ରମ, ଦିଗ, ତୀର୍ଥ ଓ ପର୍ବତମାନଙ୍କର ନାମ କହୁଅଛୁଁ, ଶ୍ରବଣ କର ।୨। ହେ ରାଜନ୍‌ ! ସେମାନଙ୍କର ନାମକୀର୍ତ୍ତନ ଶ୍ରବଣ କରି ଆପଣ ଓ ଦ୍ରୌପଦୀଙ୍କ ସହିତ ଭ୍ରାତାମାନେ ଶୋକବିହୀନ ହେବେ ।୩। ହେ ପାଣ୍ଡବ ! ସେମାନଙ୍କ ନାମକୁ ଶ୍ରବଣ କରି ସୁଦ୍ଧା ଆପଣ ଅସଂଖ୍ୟ ପୁଣ୍ୟ ଉପାର୍ଜନ କରିବା ହେବେ । ହେ ନରୋତ୍ତମ ! ଯଦି ତୁମ୍ଭେ ସେ ସ୍ଥାନକୁ ଗମନ କରିବ, ତେବେ ତହିଁର ଶତଗୁଣ ପୁଣ୍ୟ ପ୍ରାପ୍ତ ହେବ ।୪।

 

ହେ ଯୁଧିଷ୍ଠିର ! ଆମ୍ଭର ଯେତେ ଦୂର ସ୍ମରଣ ହେଉଅଛି, ଆମ୍ଭେ ସେହି ରାଜର୍ଷିଗଣସେବିତ ପୁଣ୍ୟତୀର୍ଥଙ୍କର ନାମ କହିବୁ । ଅଗ୍ରେ ପ୍ରାଚୀଦିଗକୁ ଗମନ କରିବ ।୫। ସେହି ପୂର୍ବଦିଗରେ ଦେବର୍ଷିଗଣସେବିତ ନୈମିଷ ତୀର୍ଥ ଅଛି । ହେ ଭାରତ ! ଦେବମାନଙ୍କର ସେହି ତୀର୍ଥମାନେ ଅତିଶୟ ପବିତ୍ର । ପୃଥକ୍ ପୃଥକ୍ ସେମାନଙ୍କର ନାମ କହୁଅଛି, ଶ୍ରବଣ କର ।୬। ଯେଉଁମାନେ ସେହି ପୁଣ୍ୟଶୀଳା ଓ ରମଣୀୟା ଗୋମତୀ ନଦୀ ଦେବର୍ଷିଗଣ-ନିଷେବିତ ହୋଇ ରହିଅଛି, ଦେବମାନଙ୍କର ସେ ଯଜ୍ଞଭୂମି ଅଟେ । ସୂର୍ଯ୍ୟଙ୍କ ପୁତ୍ର ଯମଙ୍କର ସେଠାରେ ପଶୁମାରଣ କର୍ମ ନିମିତ୍ତ ଯୂପ ଅଦ୍ୟାପି ରହିଅଛି ।୭। ପୁନଶ୍ଚ ଏହି ପ୍ରାଚୀ ଦିଗରେ ଗୟା ନାମରେ ଗୋଟିଏ ପୁଣ୍ୟଗିରି ଅଛି । ସେଠାରେ ରାଜର୍ଷିମାନେ ବାସକରନ୍ତି । ଯେଉଁଠାରେ ମଙ୍ଗଳମୟ ବ୍ରହ୍ମସର ଅଛି, ତାହା ତଟରେ ଦେବର୍ଷିମାନେ ନିବସତି କରିଥାନ୍ତି । ହେ ପୁରୁଷବ୍ୟାଘ୍ର ! ପୁରାତନ ପଣ୍ଡିତମାନେ କହନ୍ତି ଯେ ମନୁଷ୍ୟ ବହୁପୁତ୍ର ବାଞ୍ଛା କରିବ । ତନ୍ମଧ୍ୟରୁ ଗୋଟିଏ ଯେବେ ଗୟାକୁ ଗମନ କରେ, ତେବେ ସେ ବଂଶ ଉଦ୍ଧାର କରିବ ।୯। ପୁନରପି ସେହି ପୁତ୍ର ମଧ୍ୟରୁ କେହି ଯେବେ ଅଶ୍ୱମେଧ ଯଜ୍ଞ କରେ ଅଥବା ନୀଳବର୍ଣ୍ଣ ବୃଷଭକୁ ଉତ୍ସର୍ଗ କରେ, ତେବେ ତାହାର ପୂର୍ବତନ ଦଶ ପୁରୁଷ ଉଦ୍ଧାର ପ୍ରାପ୍ତ ହେବେ ।୧୦। ସେହି ସ୍ଥାନରେ ଗୋଟିଏ ମହାନଦୀ ଅଛି ଓ ଗୟାର ମସ୍ତକ ଅଛି । ଗୟଶିର ନିକଟରେ ଗୋଟିଏ ବଟବୃକ୍ଷ ଅଛି । ତାହାକୁ ଦର୍ଶନ କଲେ ଅକ୍ଷୟ ପୁଣ୍ୟ ଲାଭ ହୁଏ ।୧୧। ହେ ପ୍ରଭୋ ! ସେଠାରେ ପିତୃଲୋକଙ୍କୁ ଅନ୍ନଦାନ କଲେ, ସେ ଦାନ ଅକ୍ଷୟ ହୁଏ । ତନ୍ନିକଟରେ ଫଲ୍‌ଗୁ ନାମରେ ଗୋଟିଏ ବଡ଼ ନଦୀ ଅଛି ।୧୨। ହେ ଭରତର୍ଷଭ ! ସେଠାରେ କୌଶିକୀ ନଦୀ ଅଛି । ଯାହା ତୀରରେ ନାନାପ୍ରକାର ଫଳମୂଳ ପ୍ରାପ୍ତ ହୁଏ । ସେହି ନଦୀତୀରରେ ବିଶ୍ୱାମିତ୍ର ଋଷି ତପସ୍ୟାଦ୍ୱାରା ବ୍ରାହ୍ମଣତ୍ୱ ଲାଭ କଲେ ।୧୩।
 

ତତ୍‍ପରେ ପୁଣ୍ୟମୟୀ ଗଙ୍ଗାନଦୀ ଅଛି । ଯାହା ତୀରରେ ରାଜା ଭଗୀରଥ ବହୁ ଦକ୍ଷିଣାଯୁକ୍ତ ଅନେକ ଯଜ୍ଞ ଆହରଣ କଲେ ।୧୪। ହେ କୌରବ୍ୟ ! ପାଞ୍ଚାଳ ଦେଶରେ ଉତ୍ପଳାବନ ଅଛି । କୁଶିକପୁତ୍ର ବିଶ୍ୱାମିତ୍ର ଋଷି ଯେଉଁଠାରେ ସୁପୁତ୍ରକୁ ଘେନି ଯଜ୍ଞ କରିଥିଲେ ସେହିଠାରେ ଯମଦଗ୍ନିଙ୍କ ପୁତ୍ର ପରଶୁରାମ ବିଶ୍ୱାମିତ୍ରଙ୍କର ଅତିମାନୁଷୀ ବିଭୂତି ଦର୍ଶନକରି କୀର୍ତ୍ତନ କରିଥିଲେ ।୧୬। କୁଶିକପୁତ୍ର ବିଶ୍ୱାମିତ୍ର କାନ୍ୟକୁବ୍‌ଜରେ ରହି ଇନ୍ଦ୍ରଙ୍କ ସହିତ ସୋମରସ ପାନ କରିଥିଲେ । ତଦନନ୍ତର ସେ କ୍ଷତ୍ରିୟ ଜାତିକୁ ପରିତ୍ୟାଗ କରି ଆମ୍ଭେ ବ୍ରାହ୍ମଣ ବୋଲି କହିଲେ ।୧୭। ହେ ବୀର ! ତଦନନ୍ତର ଲୋକବିଖ୍ୟାତ ଗଙ୍ଗା-ଯମୁନାର ସଙ୍ଗମସ୍ଥାନ ଅତି ପବିତ୍ର, ଋଷିଗଣନିଷେବିତ ଅତି ପବିତ୍ର ପୁଣ୍ୟକ୍ଷେତ୍ରକୁ ଗମନ କରିବ ।୧୮। ଯେଉଁଠାରେ ପିତାମହ ବ୍ରହ୍ମା ପୂର୍ବେ ଯାଗ କରିଥିଲେ, ହେ ଭରତସତ୍ତମ ! ଏହି କାରଣରୁ ସେହି କ୍ଷେତ୍ରର ନାମ ପ୍ରୟାଗ ବୋଲି ଲୋକରେ ବିଖ୍ୟାତ ହେଲା ।୧୯। ହେ ରାଜେନ୍ଦ୍ର ! ନୃପବର ! ସେହିଠାରେ ଅଗସ୍ତ୍ୟ ଋଷିଙ୍କର ଉତ୍ତମ ଆଶ୍ରମ ଅଛି ଓ ତାହା ପାର୍ଶ୍ୱରେ ତପସ୍ୱୀନିଷେବିତ ତପସ୍ୟାରଣ୍ୟ ବର୍ତ୍ତମାନ ଅଛି ।୨୦। କାଳଞ୍ଜର ପର୍ବତରେ ହିରଣ୍ୟଗିରି ନାମରେ ପ୍ରସିଦ୍ଧ ତୀର୍ଥ ଅଛି । ତାହା ସନ୍ନିକଟରେ ରମଣୀୟ ଓ ପୁଣ୍ୟମୟ ଆଗସ୍ତ୍ୟ ପର୍ବତ ଅଛି । ସେହି ଗିରିବର ପୁଣ୍ୟଜନକ ଓ ମଙ୍ଗଳଦାୟୀ ଅଟେ ।୨୧।

 

ହେ କୌରବ୍ୟ ! ମହାତ୍ମା ଭାର୍ଗବଙ୍କର ମହେନ୍ଦ୍ର ନାମରେ ଆଉ ଗୋଟିଏ ପର୍ବତ ଅଛି । ହେ କୌନ୍ତେୟ ! ସେଠାରେ ପୂର୍ବେ ପିତାମହ ବ୍ରହ୍ମା ଯଜ୍ଞ କରିଥିଲେ ।୨୨। ହେ ଯୁଧିଷ୍ଠିର ! ଯେଉଁଠାରେ ପୁଣ୍ୟବତୀ ଭାଗୀରଥୀ ମଣିକର୍ଣ୍ଣିକାରେ ପ୍ରବିଷ୍ଟ ହୋଇଅଛି, ହେ ରାଜନ ! ଯେଉଁଠାରେ ପୁଣ୍ୟଶୀଳା ଓ ବିଶ୍ରୁତା ବ୍ରାହ୍ମଶାଳା ଅଛି ।୨୩। ନିଷ୍ପାପ ବ୍ୟକ୍ତିମାନେ ସେଠାରେ ପରିପୂର୍ଣ୍ଣ ହୋଇ ରହିଅଛନ୍ତି । ତାହାଙ୍କୁ ଦର୍ଶନକଲେ ଅନେକ ପୁଣ୍ୟ ଲାଭ ହୁଏ । ସେହି କ୍ଷେତ୍ର ଅତି ପବିତ୍ର ଓ ମଙ୍ଗଳକର । ମହାତ୍ମାମାନଙ୍କଠାରେ ସେ କ୍ଷେତ୍ର ଅତି ବିଖ୍ୟାତ ।୨୪। ମତଙ୍ଗ ଋଷିଙ୍କର ଏହିଠାରେ ଅତି ଉତ୍ତମ କେଦାର ଓ ଆଶ୍ରମ ଅଛି । ତନ୍ନିକଟରେ କୁଣ୍ଡୋଦ ନାମରେ ଅତି ରମଣୀୟ ପର୍ବତ ଅଛି । ତହିଁରେ ବହୁପ୍ରକାର ଫଳ ଓ ମୂଳ ପ୍ରାପ୍ତି ହୁଏ ।୨୫। ନଳରାଜା ତୃଷାର୍ତ୍ତ ହୋଇଥିଲେ; ସେହିଠାରେ ଜଳପାନ କରି ସୁଖୀ ହେଲେ । ସେହିଠାରେ ତାପସଗଣ ନିଷେବିତ ରମ୍ୟ ଦେବ ବନ ଅଛି ।୨୬। ବହୁଦା ଓ ନନ୍ଦା ନାମକ ଦୁଇଗୋଟି ନଦୀ ସେହି ପର୍ବତଶିଖରରୁ ପ୍ରବାହିତ ହେଉଅଛି । ହେ ମହାରାଜ ! ପ୍ରାଚୀ ଦିଗରେ ଯେତେ ତୀର୍ଥ, ପର୍ବତ, ନଦୀ ଓ ପୁଣ୍ୟସ୍ଥାନ ଅଛି, ତୁମ୍ଭଠାରେ ମୁଁ ସବୁ କୀର୍ତ୍ତନ କଲି । ଏବେ ଅପର ତିନିଦିଗରେ ଯେତେ ତୀର୍ଥ ଅଛି, ଯେତେ ନଦୀପର୍ବତ ଓ ପୁଣ୍ୟାୟତନ ଅଛନ୍ତି ସେମାନଙ୍କ ନାମକୀର୍ତ୍ତନ କରୁଅଛି; ତୁମ୍ଭେ ଶ୍ରବଣ କର ।୧୯।

 

॥ ଅଧ୍ୟାୟ – ୮୮ ॥

 

ଧୌମ୍ୟ ବୋଇଲେ, ହେ ଭାରତ ! ଦକ୍ଷିଣ ଦିଗରେ ଯେତେ ପୁଣ୍ୟତୀର୍ଥ ଅଛି, ମୋର ବୁଦ୍ଧି ଅନୁସାରେ ମୁଁ କୀର୍ତ୍ତନ କରୁଅଛି, ଶ୍ରବଣ କର ।୧। ସେହି ପୁଣ୍ୟ ଦିଗରେ ଗୋଦାବରୀ ନଦୀ ଅଛି । ସେ ନଦୀତୀରରେ ବହୁସଂଖ୍ୟକ ଆଶ୍ରମ ଅଛି, ଯହିଁରେ ଋଷିମାନେ ବାସ କରନ୍ତି । ଗୋଦାବରୀ ନଦୀ ବହୁଜଳା ଓ ସେ ଜଳ ଅତି ଉତ୍ତମ ।୨। ବେର୍ଣ୍ଣା ଓ ଭୋଗବତୀ ବୋଲି ଦୁଇଗୋଟି ନଦୀ ଅଛି । ତହିଁରେ ସ୍ନାନ କଲେ ପାପସବୁ ବିନଷ୍ଟ ହୁଅନ୍ତି । ସେହି ନଦୀଦ୍ୱୟର କୁଳରେ ନାନାବିଧ ପଶୁ ଓ ପକ୍ଷୀ ବାସକରନ୍ତି ଏବଂ ତପସ୍ୱୀମାନଙ୍କ ଆଳୟରେ ତୀରସମୂହ ବିଭୂଷିତ ହୋଇଅଛନ୍ତି ।୩।

 

ହେ ଭରତର୍ଷଭ ! ଏହି ଦକ୍ଷିଣ ଦିଗରେ ରାଜର୍ଷି ନୃପଙ୍କର ପୟୋଷ୍ଣୀ ନାମ୍ନୀ ନଦୀ ଅଛି । ପୟୋଷ୍ଣୀରେ ଅନେକ ଜଳ ଥାଏ ଓ ତାହା ତୀରରେ ବ୍ରାହ୍ମଣାଦି ବର୍ଣ୍ଣମାନଙ୍କର ଅସଂଖ୍ୟ ବସତି ଅଛି ।୪। ଧରଣୀପତି ନୃପଙ୍କର ବଂଶାନୁଚରିତକୁ ମହାତପସ୍ୱୀ, ମହାଯଶସ୍ୱୀ ମାର୍କଣ୍ଡେୟ ଋଷି ବର୍ଣ୍ଣନ କରିଅଛନ୍ତି । ଯଜ୍ଞକାରୀ ନୃପଙ୍କର ଏହି ଗୋଟିଏ ପ୍ରତ୍ୟକ୍ଷ ବିଷୟ ଆମ୍ଭେମାନେ ଶ୍ରବଣ କରିଅଛୁଁ ଯେ ସେ ଯଜ୍ଞରେ ଇନ୍ଦ୍ର ସୋମପାନ କରି ପ୍ରମତ୍ତ ହେଲେ ଓ ବ୍ରାହ୍ମଣମାନେ ବହୁ ଦକ୍ଷିଣା ଗ୍ରହଣକରି ପରମାନନ୍ଦିତ ହେଲେ ।୬। ଯେଉଁଠାରେ ନୃପଯଜ୍ଞ କରିଥିଲେ, ପୟୋଷ୍ଣୀ ନଦୀରୁ ସେହି ସ୍ଥାନରେ ବରାହ ତୀର୍ଥରେ ଜଳ ଆଣି ତହିଁରେ ସ୍ନାନ କଲେ ଅଥବା ବାୟୁସମୀରିତ ସେହି ନଦୀର ଶୀକର ଶରୀର ସଂଲଗ୍ନ ହେଲେ ମନୁଷ୍ୟ ମରଣପର୍ଯ୍ୟନ୍ତ ଯେତେ ପାପ କରେ ତହିଁରେ ସେ ଲିପ୍ତ ହୁଏ ନାହିଁ ।୭। ସେହି ସ୍ଥଳରେ ସ୍ୱର୍ଗରୁ ଅଧିକ ଉଚ୍ଚ ଓ ନିର୍ମଳ ଗୋଟିଏ ବିଶ୍ରାଣକୁ ମହାଦେବ ସ୍ୱୟଂ ନିର୍ମାଣ କରିଅଛନ୍ତି । ତାହାକୁ ଦର୍ଶନ କଲେ ମନୁଷ୍ୟ ଶିବଲୋକକୁ ଗମନ କରେ-।୮। ବହୁ ଜଳପୂର୍ଣ୍ଣ ଗଙ୍ଗାଦି ସର୍ବନଦୀମାନଙ୍କୁ ଏକାଦିଗରେ ଓ ଏକା ପୟୋଷ୍ଣୀକୁ ଏକ ଦିଗରେ କଲେ ମୋ ମତରେ ପୟୋଷ୍ଣୀ ସବୁ ତୀର୍ଥଙ୍କଠାରୁ ଗରିଷ୍ଠ ।୯।

 

ହେ ଭରତଶ୍ରେଷ୍ଠ ! ତତ୍‍ପରେ ମାଠରଙ୍କର ପୁଣ୍ୟାରଣ୍ୟ ଅଛି । ସେହି ମଙ୍ଗଳମୟ ବନରେ ବହୁ ମୂଳ ଓ ଫଳ ପ୍ରାପ୍ତି ହୁଏ । ବରୁଣ ସ୍ରୋତ ଗିରିରେ ଯୂପ ଅଛି । ତାହାର ଉତ୍ତରକୁ ପବିତ୍ର କଣ୍ୱାଶ୍ରମରେ ପ୍ରବେଣମ ବହୁଅଛି । ତପସ୍ୱୀମାନଙ୍କର ଯେତେ ଅରଣ୍ୟ, ତାହା ମୋର ଯେତେ ଦୂର ସ୍ମରଣ ଅଛି, ତାହା କୀର୍ତ୍ତନ କଲି ।୧୧। ହେ ତାତ ! ଭାରତ ! ମହାତ୍ମା ଜମଦଗ୍ନିଙ୍କର ଶୂର୍ପାରକ ତୀର୍ଥରେ ଦୁଇଗୋଟି ରମଣୀୟ ବେଦୀ ଅଛି । ଗୋଟିକର ନାମ ପାଷାଣତୀର୍ଥା ଓ ଆଉ ଗୋଟିକର ନାମ ପୁନଶ୍ଚନ୍ଦ୍ର ।୧୨। ହେ କୌନ୍ତେୟ ! ସେହିଠାରେ ଅଶୋକ ତୀର୍ଥ ଅଛି । ତହିଁରେ ଋଷିମାନଙ୍କର ଅନେକ ଆଶ୍ରମ ଅଛି । ହେ ଯୁଧିଷ୍ଠିର ! ପାଣ୍ଡ୍ୟ ଦେଶରେ ଅଗସ୍ତ୍ୟ ଓ ବାରୁଣ ନାମରେ ଦୁଇଗୋଟି ତୀର୍ଥ ଅଛି ।୧୩। ହେ ନରଶ୍ରେଷ୍ଠ ! ସେହି ପାଣ୍ଡ୍ୟ ଦେଶରେ ପୁଣ୍ୟମୟ କୁମାରୀ ତୀର୍ଥ ଅଛି । ହେ କୁନ୍ତୀସୂତ ! ତତ୍‍ପରେ ମୁଁ ତାମ୍ରପର୍ଣ୍ଣୀ ତୀର୍ଥର ବିବରଣ କହୁଅଛି; ଶ୍ରବଣ କର ।୧୪। ସେହି ସ୍ଥାନର ଆଶ୍ରମରେ ଦେବମାନେ ମୋକ୍ଷକାମନାରେ ତପସ୍ୟା କରିଥିଲେ । ସେହିଠାରେ ତ୍ରିଲୋକବିଖ୍ୟାତ ଗୋକର୍ଣ୍ଣ ନାମକ ହ୍ରଦ ଅଛି । ହେ ତାତ ! ତହିଁରେ ବହୁତର ଜଳ ଅଛି ଓ ସେ ଜଳ ମଙ୍ଗଳମୟ ଶୁଭକାରୀ ଓ ଶୀତଳ ଅଟେ । ଅପୁଣ୍ୟକାରୀ ବ୍ୟକ୍ତି ସେ ତୀର୍ଥକୁ ପ୍ରାପ୍ତ ହୋଇପାରନ୍ତି ନାହିଁ ।୧୬। ସେହି ସ୍ଥାନରେ ଆଗସ୍ତ୍ୟ ଶିଷ୍ୟଙ୍କର ପୁଣ୍ୟାଶ୍ରମ ଓ ଦେବସମ ଗିରି ଅଛି; ଯହିଁରେ ବୃକ୍ଷ, ତୃଣ ପ୍ରଭୃତି ଉଦ୍ଭିତ ଓ ଫଳ ମୂଳ ପ୍ରଭୃତି ଋଷିଙ୍କର ଖାଦ୍ୟଦ୍ରବ୍ୟ ବହୁ ପରିମାଣରେ ସମ୍ପନ୍ନ ହୋଇଥାଏ ।୧୭। ସେହିଠାରେ ଯେଉଁ ବୈଦୂର୍ଯ୍ୟ ପର୍ବତ ଅଛି, ତାହା ଅତି ସୁନ୍ଦର ମଣିମୟ ଓ ସୁଖକର ଅଟେ । ସେହି ବହୁ ମୂଳ ଫଳୋଦକ ତୀର୍ଥକୁ ଅଗସ୍ତିଙ୍କ ଆଶ୍ରମ ବୋଲାଯାଏ ।୧୮। ହେ ନରାଧିପ ! ସୁରାଷ୍ଟ୍ର ଦେଶରେ ଯେତେ ପୁଣ୍ୟାୟତନ ଆଶ୍ରମ, ସରିତ୍ ଓ ସରୋବର ଅଛି ତାହାର ବିବରଣ କହୁଅଛି ତାହା ଶ୍ରବଣ କର ।୧୯।

 

ହେ ଯୁଧିଷ୍ଠିର ! ବ୍ରାହ୍ମଣମାନେ କହନ୍ତି ଯେ ସୁରାଷ୍ଟ୍ର ଦେଶରେ ଚମସୋଭେଦ ଓ ସାଗର ସମୀପରେ ଦେବଗଣସେବିତ ପ୍ରଭାସ ନାମକ ତୀର୍ଥ ଅଛି ।୨୦। ସେହିଠାରେ ତାପସମାନଙ୍କ ବ୍ୟବହୃତ ମଙ୍ଗଳକାରୀପିଣ୍ଡାରକ ତୀର୍ଥ ଅଛି, ହେ ଯୁଧିଷ୍ଠିର ! ଏହି ଅଞ୍ଚଳରେ ଉଜ୍ୱୟନ୍ତନାମକ ଗୋଟିଏ ମହାନ ପର୍ବତ ଅଛି । ଏହି ସ୍ଥାନରେ ରହି ମନୁଷ୍ୟ ଆରାଧନା କଲେ ଶୀଘ୍ର ସିଦ୍ଧି ଲାଭ କରିପାରେ ।୨୧। ବୁଦ୍ଧିଶୀଳ ଦେବର୍ଷି ନାରଦ ତଦ୍‌ବିଷୟରେ ଯେଉଁ ପୁରାତନ ଶ୍ଲୋକ କୀର୍ତ୍ତନ କରିଅଛନ୍ତି; ଶ୍ରବଣ କର ।୨୨। ମନୁଷ୍ୟ ଯେବେ ସ୍ୱରାଷ୍ଟ୍ର ଦେଶରେ ମୃଗ ଓ ପକ୍ଷୀ ପରିପୂର୍ଣ୍ଣ ପୁଣ୍ୟମୟ ଉଜ୍ଜ୍ୱୟନ୍ତ ଗିରିରେ ତପସ୍ୟା କରେ, ତେବେ ସେ ସ୍ୱର୍ଗଲୋକରେ ପୂଜିତ ହୁଏ ।୨୩।

 

ସେହି ପ୍ରଦେଶରେ ପୁଣ୍ୟଜନଙ୍କଦ୍ୱାରାବତୀ ତୀର୍ଥ ଅଛି । ସେଠାରେ ପୁରାଣ ପୁରୁଷ ସାକ୍ଷାତ୍ ମଧୁସୂଦନ ବିରାଜିତ ଅଛନ୍ତି । ସେହି ମଧୁସୂଦନଙ୍କୁ ସ୍ୱୟଂ ସନାତନ ଧର୍ମ ବୋଲି ପଣ୍ଡିତମାନେ କହନ୍ତି ।୨୪। ଯେଉଁ ବ୍ରାହ୍ମଣମାନେ ବେଦବେତ୍ତା ଓ ଯେଉଁ ଜନମାନେ ଅଧ୍ୟାତ୍ମ ବିଦ୍ୟାରେ ନିପୁଣ, ସେମାନେ ଏହି ମହାତ୍ମା କୃଷ୍ଣଙ୍କୁ ସନାତନ ଧର୍ମବୋଲି ବୋଲନ୍ତି ।୨୫। ପବିତ୍ରମାନଙ୍କ ମଧ୍ୟରେ ଗୋବିନ୍ଦ ପରମ ପବିତ୍ର ଅଟନ୍ତି । ପୁଣ୍ୟଦ୍ରବ୍ୟମାନଙ୍କ ଅପେକ୍ଷା ସେ ଅଧିକ ପୁଣ୍ୟଶୀଳ ଓ ଯେତେପ୍ରକାର ମଙ୍ଗଳକାରୀ ଦ୍ରବ୍ୟ ଅଛି, ତନ୍ମଧ୍ୟରେ ସେ ମଙ୍ଗଳକର ।୨୬। ତ୍ରିଲୋକ ମଧ୍ୟରେ ସେହି ପୁଣ୍ଡରୀକାକ୍ଷ ଦେବଗଣଙ୍କର ଦେବ ଓ ସନାତନ ପୁରୁଷ ଅଟନ୍ତି । ସେହି ସେ ଜୀବାତ୍ମା ଓ ପରମାତ୍ମା; ସୁତରାଂ ତାହାଙ୍କୁ ବ୍ୟାୟାତ୍ମା ଓ ଅବ୍ୟୟାତ୍ମା କୁହାଯାଏ । ଅଚିନ୍ତ୍ୟ ଓ ଅପରିମେୟ ହରି ସେହିଦ୍ୱାରାବତୀରେ ଅଧିଷ୍ଠିତ ଅଛନ୍ତି ।

 

॥ ଅଧ୍ୟାୟ – ୮୯ ॥

 

ଧୌମ୍ୟ ବୋଇଲେ– ହେ ଭରତନନ୍ଦନ ! ଏବେ ପଶ୍ଚିମ ଦିଗସ୍ଥିତ ଅବନ୍ତୀରାଜ୍ୟରେ ଯେଉଁ ସମସ୍ତ ପୁଣ୍ୟଜନକ ଓ ପବିତ୍ର ଆୟତନ ଅଛି, ତାହା ମଧ୍ୟ କହୁଅଛି; ଶ୍ରବଣ କରନ୍ତୁ ।୧। ହେ ଭାରତ ! ଏହି ଦିଗରେ ପଶ୍ଚିମ ବାହିନୀ ନର୍ମଦା ନଦୀ ବିଦ୍ୟମାନ ଅଛି । ସେ ନଦୀ ପୁଣ୍ୟବତୀ । ପ୍ରିୟଙ୍ଗୁ ଓ ଆମ୍ବ୍ର ବନରେ ଉପଶୋଭିତା ବେତ୍ରବନ ଶ୍ରେଣୀଭୁକ୍ତ ହୋଇ ତୀରକୁ ମଣ୍ଡନ କରିଅଛି ।୨। ହେ କୁରୁବର ! ତ୍ରିଲୋକ ମଧ୍ୟରେ ଯେତେ ପୁଣ୍ୟତୀର୍ଥ, ପୁଣ୍ୟାୟତନ, ପୁଣ୍ୟସରିତ, ପୁଣ୍ୟପର୍ବତ ଓ ପୁଣ୍ୟବନ ଅଛି, ସେସବୁ ନର୍ମଦାରେ ଅଛି । ବ୍ରହ୍ମାଙ୍କ ସହ ଦେବତାମାନେ ସିଦ୍ଧଗଣ, ଋଷିଗଣ ଓ ଚାରଣଗଣ ଏହି ନର୍ମଦା ଜଳରେ ସ୍ନାନ କରିବାକୁ ସର୍ବଦା ଆଗମନ କରନ୍ତି । ସେହିଠାରେ ବିଶ୍ରବା ମୁନିଙ୍କର ପବିତ୍ର ନିବାସ ଥିବାର ଶୁଣାଯାଏ ଓ ସେହିଠାରେ ନରବାହନ ଧନପତି କୁବେର ଜନ୍ମଗ୍ରହଣ କରିଥିଲେ ।୫।

 

ନର୍ମଦା ନଦୀତଟରେ ବୈଦୂର୍ଯ୍ୟ ଶିଖର ନାମଧେୟ ପୁଣ୍ୟଗିରି ଅଛି । ତଦୁପରି ଯେତେ ବୃକ୍ଷ, ସେମାନେ ସର୍ବଦା ପୁଷ୍ପଫଳ ଓ ହରିଦ୍ ବର୍ଣ୍ଣପତ୍ରରେ ସୁଶୋଭିତ ହୋଇଥାଆନ୍ତି ।୬। ହେ ମହୀପତେ ! ମହାରାଜ ! ସେହି ପର୍ବତରେ ଶିଖର ଦେଶରେ ଗୋଟିଏ ପୁଣ୍ୟ ସରୋବର ଅଛି । ତହିଁରେ ପଦ୍ମ ପ୍ରସ୍ଫୁଟିତ ହୋଇଥାଏ ଓ ଦେବଗନ୍ଧର୍ବାଦିମାନେ ତାହା ତଟରେ ବାସ କରିଥାନ୍ତି ।୭। ହେ ମହାରାଜ ! ସ୍ୱର୍ଗସମ ଓ ଦେବର୍ଷିଗଣ-ସେବିତ, ସେହି ପର୍ବତରେ ଅନେକ ଆଶ୍ଚର୍ଯ୍ୟ ବିଷୟ ଦୃଷ୍ଟ ହୁଏ । ହେ ଶତ୍ରୁପୁର ଜୟିନ୍‌ ! ରାଜନ୍ ଯୁଧିଷ୍ଠିର ! ପୁଣ୍ୟତୀର୍ଥା ବିଶ୍ୱାମିତ୍ର ନଦୀନାମରେ ଗୋଟିଏ ସରିତ୍ ସେହି ପର୍ବତରୁ ପ୍ରବାହିତ ହେଉଅଛି ।୯। ଯାହା ତୀରରେ ରାଜର୍ଷି ନହୁଷଙ୍କର ପୁତ୍ର ଯଯାତି ସଜ୍ଜନମାନଙ୍କ ମଧ୍ୟରେ ସ୍ୱର୍ଗରେ ନିପତିତ ହୋଇଥିଲେ ଓ ପୁନଶ୍ଚ ଧର୍ମବଳରୁ ସନାତନ ଲୋକମାନଙ୍କୁ ଲାଭ କଲେ ।୧୦। ସେହି ସ୍ଥାନରେ ବିଖ୍ୟାତ ଗୋଟିଏ ହ୍ରଦ ଅଛି ଓ ମୈନାକ ନାମରେ ଏକ ଗିରି ଅଛି । ପରନ୍ତୁ ବହୁ ଫଳମୂଳଯୁକ୍ତ ଅସିତ ନାମରେ ପର୍ବତ ଅଛି ।୧୧। ହେ ଯୁଧିଷ୍ଠିର ! କକ୍ଷସେନଙ୍କର ପୁଣ୍ୟାଶ୍ରମ ଅଛି । ହେ ପାଣ୍ଡବ ! ସର୍ବତ୍ର ବିଖ୍ୟାତ ଚ୍ୟବନ ଋଷିଙ୍କର ଆଶ୍ରମ ମଧ୍ୟ ସେହିଠାରେ ଜାଣିବ ।୧୨। ହେ ବିଭୋ ! ମନୁଷ୍ୟମାନେ ଅଳ୍ପ ତପସ୍ୟାରେ ସେଠାରେ ସିଦ୍ଧି ଲାଭ କରନ୍ତି । ହେ ମହାରାଜ ! ଋଷିମାନଙ୍କର ମୃଗ ଓ ପକ୍ଷୀନିଷେବିତ ଆଶ୍ରମସ୍ଥାନ ସେହିଠାରେ ଅଛି । ହେ ଶାନ୍ତଶ୍ରେଷ୍ଠ ! ସେ ସ୍ଥାନର ନାମ ଜମ୍ବୁମାର୍ଗ ।
 

ତତ୍‍ପରେ ହେ ରାଜନ୍‌ ! ପବିତ୍ର କେତୁମାଳା ତୀର୍ଥ ଅଛି । ତାପସମାନେ ସତତ ସେଠାରେ ବାସ କରନ୍ତି । ହେ ଭୂମିପ ! ଗଙ୍ଗାଦ୍ୱାର ସେହିଠାରେ ଜାଣିବ । ବ୍ରାହ୍ମଣମାନଙ୍କର ଆବାସବିଖ୍ୟାତ ସୈନ୍ଧବାରଣ୍ୟ ସେହିଠାରେ ଅଛି ।୧୫। ତତ୍‌ପାର୍ଶ୍ୱରେ ପିତାମହଙ୍କର ପୁଷ୍କର ନାମକ ତୀର୍ଥ ଅଛି । ତହିଁରେ ବାନପ୍ରସ୍ଥ ଓ ସିଦ୍ଧ ଋଷିମାନଙ୍କର ପ୍ରିୟ ଆଶ୍ରମ ଅଛି ।୧୬। ହେ କୁରୁଶ୍ରେଷ୍ଠ ! ଏହି ତୀର୍ଥରେ ବାସ କରିବାକୁ ଉପଦେଶ ପ୍ରଦାନ କରି ପ୍ରଜାପତି ବ୍ରହ୍ମା ଏହି ଗାଥା ଗାୟନ କରିଥିଲେ । ହେ ସୁକୃତିବର ! ବ୍ରହ୍ମା ବୋଇଲେ ଯେ ଯେବେ କେହି ମନ ମଧ୍ୟରେ ହେଲେ ପୁଷ୍କର ତୀର୍ଥକୁ ଗମନ କରିବାର ଅଭିଳାଷ କରେ, ତେବେ ତାହାର ସମସ୍ତ ପାପ ବିନଷ୍ଟ ହୁଏ ଓ ସେ ସ୍ୱୟଂ ମହାମୋଦରେ ସ୍ୱର୍ଗବାସ କରେ ।୧୮।

 

॥ ଅଧ୍ୟାୟ – ୯୦ ॥

 

ଧୌମ୍ୟ ବୋଇଲେ ! ହେ ରାଜଶ୍ରେଷ୍ଠ ! ଉତ୍ତର ଦିଗରେ ଯେତେ ତୀର୍ଥ ଅଛନ୍ତି ଓ ଯେତେ ପୁଣ୍ୟାୟତନ, ତାହା ସବୁ କୀର୍ତ୍ତନ କରୁଅଛି; ଶ୍ରବଣ କର ।୧। ହେ ପ୍ରଭୋ ! ମୁଁ କହୁଅଛି, ତୁମ୍ଭେ ଅବହିତ ହୋଇ ମୋ କଥା ଶ୍ରବଣ କର । ହେ ବୀର ! କଥା ଶ୍ରବଣ କଲେ ପବିତ୍ର ଶ୍ରଦ୍ଧା ଜାତ ହୁଏ-।୨। ମହାପୁଣ୍ୟା ସରସ୍ୱତୀ ଉତ୍ତର ଦିଗରେ ଅଛି । ତାହା ତୀରରେ ଅନେକାନେକ ତୀର୍ଥ ଅଛି-। ହେ ପାଣ୍ଡବ ! ସମୁଦ୍ରଗାମିନୀ ବେଗବତୀ ଯମୁନା ନଦୀ ମଧ୍ୟ ସେହି ଦିଗରେ ଅଛି ।୩। ପ୍ଲାକ୍ଷାବତରଣ ନାମକ ମଙ୍ଗଳମୟ ଓ ପୁଣ୍ୟଜନକ ତୀର୍ଥ ଏହି ଦିଗରେ ଅଛି । ଦ୍ୱିଜଶ୍ରେଷ୍ଠମାନେ ସାରସ୍ୱତ ଯାଗ ସମାପ୍ତ କରି ଅବଭୃଥ ସ୍ନାନ ନିମିତ୍ତ ଏହି ସ୍ଥାନକୁ ଗମନ କରନ୍ତି ।୪।

 

ହେ ଅନଘ ! ଭାରତ ! ଅଗ୍ନିଶିର ନାମକ ବିଖ୍ୟାତ ଓ ମଙ୍ଗଳକାରକ ଓ ପୁଣ୍ୟଜନକ ଗୋଟିଏ ଦିବ୍ୟତୀର୍ଥ ଅଛି; ଯେଉଁ ସ୍ଥାନରେ ସହଦେବ ଯଜ୍ଞ କରିଥିଲେ ।୫। ହେ ଯୁଧିଷ୍ଠିର ! ଏହି ସ୍ଥାନରେ ସହଦେବଙ୍କ ଯଜ୍ଞର ପ୍ରଶଂସା କରି ଇନ୍ଦ୍ର ଏହି ଗାଥା ଗାୟନ କରିଥିଲେ । ସେହି ଗାଥାକୁ ଦ୍ୱିଜମାନେ ଲୋକରେ ବିଖ୍ୟାତ କରିଅଛନ୍ତି ।୬। ହେ କୁରୁଶାର୍ଦ୍ଦୂଳ ! ଯମୁନାତୀରରେ ରାଜା ସହଦେବ ଯେଉଁ ଯଜ୍ଞ କରିଥିଲେ ଓ ଅଗ୍ନିସେବା କରିଥିଲେ ତହିଁରେ ଶତସହସ୍ର ସୁବର୍ଣ୍ଣମୁଦ୍ରା ପ୍ରଦତ୍ତ ହୋଇଥିଲା ।୭। ଏହି ସ୍ଥାନରେ ଚକ୍ରବର୍ତ୍ତୀ ରାଜା ଭରତ ମଧ୍ୟ ପଞ୍ଚବଂଶତି ଅଶ୍ୱମେଧ ଯଜ୍ଞ କରିଥିଲେ ।୮। ହେ ତାତ ! ଏପରି ଶୁଣାଅଛି ଯେ ପୂର୍ବକାଳରେ ଶରଭଙ୍ଗ ଋଷି ଦ୍ୱିଜାତିମାନଙ୍କର କାମନାକୁ ସଂପୂର୍ଣ୍ଣରୂପେ ସଂପାଦନ କରିଥିଲେ । ସେହି ମହାତ୍ମା ଶରଭଙ୍ଗଙ୍କର ବିଖ୍ୟାତ ପୁଣ୍ୟାଶ୍ରମ ଏହି ଉତ୍ତର ଦିଗରେ ଅଛି ।୯। ହେ ମହାରାଜ ! ସେହି ପ୍ରଦେଶରେ ସରସ୍ୱତୀ ନଦୀ ଅଛି । ସାଧୁମାନେ ତାହାର ସେବା କରନ୍ତି ଓ ତାହା ତୀରରେ ପୂର୍ବକାଳରେ ବାଳଖିଲ୍ୟ ଋଷିମାନେ ଯଜ୍ଞ କରିଥିଲେ ।୯।

 

ହେ ମନୁଜଶ୍ରେଷ୍ଠ ! ସେହି ପ୍ରଦେଶରେ ମହାପୁଣ୍ୟଜନନୀ ବୃଷଦ୍‌ବତୀ ନାମକ ବିଖ୍ୟାତ ନଦୀ ଅଛି । ଏହି ଦିଗର ଧରଣୀରେ ନ୍ୟଗ୍ରୋଧାଖ୍ୟ, ପୁଣ୍ୟାଖ୍ୟ, ପାଞ୍ଚାଲ୍ୟ, ଦାଲଭ୍ୟ ଘୋଷ ଓ ଦାଲଭ୍ୟ ନାମରେ ଆନନ୍ଦଯଶା ଋଷିଙ୍କର ତ୍ରିଲୋକବିଖ୍ୟାତ ଆଶ୍ରମ ଅଛି । ହେ କୌନ୍ତେୟ ! ସେହି ଋଷି ସୁବ୍ରତ ଓ ଅପରିମିତ ତେଜସ୍ୱୀ ଥିଲେ । ହେ ମନୁଜାଧିପ ! ଭରତସତ୍ତମ ! ଏତାବର୍ଣ୍ଣ ଓ ଅବତର୍ଣ୍ଣ ନାମରେ ବେଦଜ୍ଞ, ବେଦବିତ୍ ବିଖ୍ୟାତ ଋଷିଦ୍ୱୟ ପୁଣ୍ୟଜନକ ପ୍ରଧାନ ପ୍ରଧାନ ଯଜ୍ଞମାନଙ୍କୁ ଆହରଣ କରିଥିଲେ ।୧୪। ପୂର୍ବକାଳରେ ବରୁଣ ଓ ବାସବ ପ୍ରଭୃତି ଦେବଗଣ ଓ ବେଦବିଦ୍ୟାବିତ୍ ସେହି ଦିଗସ୍ଥ ବିଶାଖ ଯୂପରେ ଆସି ତପସ୍ୟା କରିଥିଲେ । ଏହି କାରଣରୁ ସେହି ବିଶାଖ ଯୂପ ଅତିଶୟ ପୁଣ୍ୟତୀର୍ଥ ବୋଲି ବିଖ୍ୟାତ ହୋଇଅଛି ।୧୫। ମହାଯଶା, ମହାଭାଗ, ମହାଋଷି ଜମଦଗ୍ନି ସୁରମ୍ୟ ପଲାଶକରେ ଯଜ୍ଞ କରିଥିଲେ ।୧୬। ଯେଉଁଠାରେ ସବୁ ପ୍ରଧାନ ପ୍ରଧାନ ନଦୀମାନେ ସ୍ୱ ସ୍ୱ ଜଳ ଘେନି ଋଷିଙ୍କ ସମୀପରେ ଉପସ୍ଥିତ ହୋଇ ତାହାକୁ ବେଷ୍ଟନ କରି ଉପାସନା କରିଥିଲେ ।୧୭। ହେ ମହାରାଜ ! ଏହି ସ୍ଥଳରେ ସ୍ୱୟଂ ବିଶ୍ୱାବସୁ, ମହାତ୍ମା ଜମଦଗ୍ନିଙ୍କର ତାତକାଳିକ ଦୀକ୍ଷା ଦେଖି ଏହି ରୂପ ଶାଖାକୁ ଗାୟନ କରିଥିଲେ ।୧୮। ନଦୀମାନେ ଯାଜ୍ଞିକ ଶ୍ରେଷ୍ଠ ମହାତ୍ମା ଜମଦଗ୍ନିଙ୍କ ଅଭ୍ୟାସକୁ ଆସି ବିପ୍ରଗଣଙ୍କୁ ମଧୁଦ୍ୱାରା ପରିତର୍ପଣ କରିଥିଲେ ।୧୯।

 

ହେ ଯୁଧିଷ୍ଠିର ! ଗଙ୍ଗାଦେବୀ ଯେଉଁ ସ୍ଥାନରେ ହିମାଳୟ ପର୍ବତକୁ ଭେଦ କରି ନିର୍ଗତ ହୋଇଅଛନ୍ତି ଓ ଯେଉଁଠାରେ ଗନ୍ଧର୍ବ, ଯକ୍ଷ, ରାକ୍ଷସ, କିନ୍ନର, ଅପ୍‌ସରା ପ୍ରଭୃତି ଗଣଦେବତା ଓ ଉପଦେବତାମାନେ ତାହାଙ୍କର ସେବା କରୁଥାନ୍ତି, ସେହି ସ୍ଥାନକୁ ଗଙ୍ଗାଦ୍ୱାର ବୋଲି କହନ୍ତି । ହେ ରାଜନ୍‌ ! କୁରୁନନ୍ଦନ ! ସନତ୍‌କୁମାର ଓ ବ୍ରହ୍ମର୍ଷିଗଣସେବିତ ଏହି ପବିତ୍ର ସ୍ଥାନକୁ ଓ କନଖଳ ତୀର୍ଥକୁ ପବିତ୍ର ସ୍ଥାନ ବୋଲାଯାଏ । ଏହି ସ୍ଥାନ ନିକଟରେ ପୁରୁ ନାମକ ପର୍ବତ ଅଛି । ଯେଉଁଠାରେ ପୁରୁରବା ଜନ୍ମଗ୍ରହଣ କରିଥିଲେ ।୨୨। ମହର୍ଷିଗଣସେବିତ ଯେଉଁ ପର୍ବତରେ ମହାତ୍ମା ଭୃଗୁ ତପସ୍ୟା କରିଥିଲେ, ହେ ରାଜନ୍‌ ! ସେ ଆଶ୍ରମର ନାମ ଭୃଗୁତୁଙ୍ଗ ବୋଲି ବିଖ୍ୟାତ ।୨୩। ହେ ଭରତର୍ଷଭ ! ଯେଉଁ ବିଷ୍ଣୁ, ଭୂତ, ଭବିଷ୍ୟତ୍ ଓ ବର୍ତ୍ତମାନ କାଳସ୍ୱରୂପ, ଯେ ବିଶ୍ୱବ୍ୟାପକ, ନାରାୟଣ ଓ ପୁରୁଷୋତ୍ତମ ତାହାଙ୍କର ବିଶାଳା ନାମକ ଆଶ୍ରମ, ଏହି ବଦରିକାଶ୍ରମ ପାର୍ଶ୍ୱରେ ଅବସ୍ଥିତ ଅଛି । ସେହି ପୁଣ୍ୟାଶ୍ରମ ତିନିଲୋକରେ ବିଖ୍ୟାତ ।୨୫। ହେ ରାଜନ୍‌ ! ଏହି ବିଶାଳା ବଦରିକାଶ୍ରମରେ ପୂର୍ବକାଳରେ ଗଙ୍ଗାଙ୍କର ଉଷ୍ଣ ଓ ଶୀତଳ ହୋଇ ଦୁଇପ୍ରକାର ପ୍ରବାହ ଥିଲା ଓ ନଦୀର ବାଲୁକାମାନେ ସୁବର୍ଣ୍ଣମୟ ଥିଲେ ।୨୬। ଯେଉଁଠାରେ ମହାଭାଗ ଓ ମହାତପସ୍ୱୀ ଋଷି ଓ ଦେବତାମାନେ ପ୍ରଭୁ ନାରାୟଣଙ୍କୁ ନିତ୍ୟ ନମସ୍କାର କରୁଥିଲେ ।୨୭। ଯେଉଁ ସ୍ଥାନରେ ସନାତନଦେବ ପରମାତ୍ମା ନାରାୟଣ ବିରାଜମାନ ହୋଇଥାନ୍ତି, ସେହି ସ୍ଥାନରେ ପୃଥିବୀର ସମଗ୍ର ତୀର୍ଥ, ସର୍ବ ଆୟତନ ଓ ସମସ୍ତ ଜଗତ୍ ଆବିର୍ଭୂତ ହୋଇଥାନ୍ତି ।୨୮। ଯେହେତୁ ସେହି ନାରାୟଣ ପରମବ୍ରହ୍ମ ଅଟନ୍ତି; ସେହି ସେ ତୀର୍ଥ ଓ ସେହି ତପୋବନ ଅଟନ୍ତି । ସେହି ବିଷ୍ଣୁ ସକଳ ଦେବଙ୍କର ଉତ୍କୃଷ୍ଟ ଦେବ ଓ ସର୍ବଭୂତଙ୍କର ପରମ ଈଶ୍ୱର ।୨୯। ସେହି ବିଷ୍ଣୁ ନିତ୍ୟ, ପରମ, ବିଧାତା ଓ ପରମପଦ ଅଟନ୍ତି; ଶାସ୍ତ୍ରଜ୍ଞ ଓ ବିଦ୍ୱାନ ବ୍ୟକ୍ତି ଯାହାକୁ ବିଦିତ ହୋଇ ଆଉ ଶୋକ କରନ୍ତି ନାହିଁ ।୩୦। ଆଦିଦେବ ମହାଯୋଗୀ ମଧୁସୂଦନ ଯେଉଁଠାରେ ଥାନ୍ତି, ସେହିଠାରେ ଦେବର୍ଷି, ସିଦ୍ଧ ଓ ତପୋଧନମାନେ ବାସକରନ୍ତି ।୩୧। ହେ ରାଜନ୍‌ ! ଯେଉଁଠାରେ ସେ ଥାନ୍ତି, ସେହି ସ୍ଥାନ ପୁଣ୍ୟ ଅପେକ୍ଷା ପୁଣ୍ୟତର; ଏଥିରେ ଯେପରି ତୁମ୍ଭର ସଂଶୟ ନ ହେଉ ।

 

ହେ ପୃଥିବୀପତେ । ଆମ୍ଭେ ଯେଉଁ ତୀର୍ଥମାନଙ୍କୁ କୀର୍ତ୍ତନ କଲୁ ସେମାନେ ଅତି ପବିତ୍ର । ହେ ନରଶ୍ରେଷ୍ଠ ! ପୃଥିବୀସ୍ଥିତ ଏହି ପୁଣ୍ୟତୀର୍ଥ ଓ ପୁଣ୍ୟାୟତନମାନଙ୍କୁ ବସୁସାଧ୍ୟ, ଆଦିତ୍ୟ, ମରୁତ୍ ପ୍ରଭୃତି ଗଣଦେବମାନେ ଓ ଅଶ୍ୱିନୀକୁମାର ଦ୍ୱୟ ଓ ଦେବକଳ୍ପ ମହାତ୍ମା ଋଷିବୃନ୍ଦ ସର୍ବଦା ସେବା କରନ୍ତି । ହେ କୌନ୍ତେୟ ! ଆପଣ ବ୍ରାହ୍ମଣମାନଙ୍କ ସହ ମହାଭାଗ ଭ୍ରାତାମାନଙ୍କୁ ସଙ୍ଗରେ ଘେନି ଏହି ତୀର୍ଥମାନଙ୍କୁ ପର୍ଯ୍ୟଟନ କଲେ ଆପଣଙ୍କର ଉତ୍କଣ୍ଠା ବିଦୁରିତ ହେବ ।୩୪।

 

॥ ଅଧ୍ୟାୟ – ୯୧ ॥

ଲୋମଶ-ଯୁଧିଷ୍ଠିର ସମ୍ବାଦ

ବୈଶମ୍ପାୟନ ବୋଇଲେ– ହେ କୌରବପୁତ୍ର ! ଜନମେଜୟ ! ମହର୍ଷି ଧୌମ୍ୟ ଏହିପରି କହୁଅଛନ୍ତି, ଏମନ୍ତ ସମୟରେ ଲୋମଶ ଋଷି ସେଠାରେ ଉପସ୍ଥିତ ହେଲେ । ଅମରମାନେ ଯେପରି ଇନ୍ଦ୍ରଙ୍କ ସମୀପରେ ଉପସ୍ଥିତ ହୁଅନ୍ତି; ସେହିପରି ପାଣ୍ଡବରାଜ ରାଜା ଯୁଧିଷ୍ଠିର ଆପଣାର ପରିଷଦ, ଭ୍ରାତା ଓ ବ୍ରାହ୍ମଣସମୂହଙ୍କ ସହିତ ମହାଭାଗ ଲୋମଶ ଋଷିଙ୍କ ସମୀପସ୍ଥ ହେଲେ । ଅନନ୍ତର ଧର୍ମପୁତ୍ର ରାଜା ଯୁଧିଷ୍ଠିର ତାହାଙ୍କର ଯଥୋଚିତ ପୂଜାକରି ଆଗମନର କାରଣ ଓ ପର୍ଯ୍ୟଟନର ପ୍ରୟୋଜନ ପଚାରିଲେ ।୩। ମହାମନା ମୁନିବରଙ୍କୁ ପାଣ୍ଡୁପୁତ୍ର ପଚାରନ୍ତେ ସେ ପ୍ରସନ୍ନ ଚିତ୍ତରେ ଓ ମଧୁର ବଚନରେ ପାଣ୍ଡବମାନଙ୍କର ହର୍ଷୋତ୍ପାଦନ କରି କହିଲେ ।୪। ହେ କୌନ୍ତେୟ ! ଆମ୍ଭେ ସ୍ୱେଚ୍ଛାନୁସାରେ ସର୍ବଲୋକରେ ସଞ୍ଚରଣ କରୁ । ସମ୍ପ୍ରତି ଆମ୍ଭେ ଭ୍ରମଣ କରୁ କରୁ ଇନ୍ଦ୍ରଙ୍କ ଭବନରେ ଉପନୀତ ହେଲୁ । ସେଠାରେ ଦେବରାଜ ସ୍ୱକୀୟ ସିଂହାସନରେ ବସିଅଛନ୍ତି ଓ ତୁମ୍ଭର ଭ୍ରାତା ବୀର ସବ୍ୟସାଚୀ ତାହାଙ୍କ ଅର୍ଦ୍ଧାସନରେ ଉପବିଷ୍ଟ ହୋଇଅଛନ୍ତି । ପାର୍ଥଙ୍କୁ ଇନ୍ଦ୍ରାସନରେ ବସିଥିବାର ଦେଖି ତତ୍କାଳରେ ଆମ୍ଭର ମହାବିସ୍ମୟ ଜାତ ହୋଇଥିଲା । ଅନନ୍ତର ଅମରରାଜ ଆମ୍ଭଙ୍କୁ କହିଲେ, ତୁମ୍ଭେ ପାଣ୍ଡବମାନଙ୍କ ନିକଟକୁ ଗମନ କର ।୭। ହେ ପୁରୁଷେନ୍ଦ୍ର ! ଆମ୍ଭେ ମଧ୍ୟ ଆପଣଙ୍କର ଓ ଆପଣଙ୍କ ଭ୍ରାତାମାନଙ୍କ ସହିତ ସାକ୍ଷାତ୍ କରିବା ନିମିତ୍ତ ମହାତ୍ମା ଇନ୍ଦ୍ରଙ୍କର ଓ ଆପଣଙ୍କ ଭ୍ରାତାଙ୍କ ଆଦେଶନୁସାରେ ପ୍ରଚାର ଆଗମନ କଲୁ । ହେ ତାତ ! ଆମ୍ଭେ ଆପଣଙ୍କର ଅତିମାତ୍ର ପ୍ରୀତିଜନକ ଓ ଶୁଭସମ୍ବାଦ କହୁଅଛୁ । ଅନୁବର୍ଗ ଓ ଦ୍ରୁପଦ ରାଜନନ୍ଦିନୀଙ୍କ ସହିତ ଶ୍ରବଣ କରନ୍ତୁ ।୯।

 

ହେ ମହାରାଜ ! ଆପଣ ଯେଉଁ ଅସ୍ତ୍ର ନିମିତ୍ତ ମହାବାହୁ ଅର୍ଜୁନଙ୍କୁ ପ୍ରେରଣ କରିଥିଲେ, ତାହା ସଫଳ ହୋଇଅଛି । ଧନଞ୍ଜୟ ରୁଦ୍ରଙ୍କଠାରୁ ଅନୁପମ ବ୍ରହ୍ମଶିର ନାମରେ ରୌଦ୍ରାସ୍ତ୍ର ଲାଭ କରିଅଛନ୍ତି, ସାଗରମନ୍ଥନବେଳେ ଅମୃତ ଉତ୍ପନ୍ନ ହେଲାପରେ ସେହି ଅସ୍ତ୍ର ଉତ୍ପନ୍ନ ହୋଇଥିଲା । ରୁଦ୍ରଦେବ ତପସ୍ୟା କରି ଏହି ଅସ୍ତ୍ର ଲାଭ କରିଥିଲେ ।୧୧। ସବ୍ୟସାଚୀ ସେହି ରୌଦାସ୍ତ୍ର, ମନ୍ତ୍ର, ଉପସଂହାର ଓ ମଙ୍ଗଳକର ପ୍ରାୟଶ୍ଚିତ୍ତ ସହ ଶିକ୍ଷା କରିଅଛନ୍ତି । ହେ ଯୁଧିଷ୍ଠିର ! ବିକ୍ରମଶାଳୀ ପାର୍ଥ, ଇନ୍ଦ୍ର, ଯମ, ବରୁଣ, କୁବେର ପ୍ରଭୃତିଙ୍କ ନିକଟରୁ ମଧ୍ୟ ବଜ୍ର ଓ ଦଣ୍ଡପ୍ରଭୃତି ଅନ୍ୟାନ୍ୟ ଦିବ୍ୟାସ୍ତ୍ରମାନଙ୍କୁ ଲାଭ କରିଅଛନ୍ତି । ସେ ବିଶ୍ୱାବସୁ ତନୟଙ୍କଠାରୁ ନୃତ୍ୟ, ଗୀତ, ବାଦ୍ୟ ଓ ସାମଗାନ ଯଥାରୀତି ଯଥାବିଧାନରେ ଶିକ୍ଷା କରିଅଛନ୍ତି । ଆପଣଙ୍କର ଅନୁଜର ଅନୁଜ ସେହି ବିଭତ୍ସୁ ଏହିରୂପେ କୃତାସ୍ତ୍ର ହୋଇ ଗାନ୍ଧର୍ବ ବେଦ ଲାଭକରି ଅମରାବତୀରେ ସୁଖରେ ବାସ କରୁଅଛନ୍ତି ।୧୫। ହେ ଯୁଧିଷ୍ଠିର ! ଯେଉଁ ହେତୁରୁ ସୁରପତି ଇନ୍ଦ୍ର ଆମ୍ଭଙ୍କୁ ଏହିପରି କହିଅଛନ୍ତି, ତାହାର କାରଣ କହୁଅଛୁ; ଶ୍ରବଣ କର-।୧୬।

 

ହେ ଦ୍ୱିଜୋତ୍ତମ ! ବୋଧହୁଏ, ଆପଣ ମନୁଷ୍ୟଲୋକକୁ ମଧ୍ୟ ଗମନ କରନ୍ତି । ସେଠାରେ ଆପଣ ଆମ୍ଭ ବଚନାନୁସାରେ ଯୁଧିଷ୍ଠିରଙ୍କୁ କହିବା ହେବେ । ଆପଣଙ୍କ ଭ୍ରାତା ଅର୍ଜୁନ କୃତାସ୍ତ୍ର ହୋଇ ଶୀଘ୍ର ଆଗମନ କରିବେ । ଦେବତାମାନଙ୍କଦ୍ୱାରା ଯେଉଁ କାର୍ଯ୍ୟ ଅସାଧ୍ୟ, ତାହାକୁ ମଧ୍ୟ ସେ ସିଦ୍ଧ କରିବେ । ଏହିପରି ମହତ ଦେବକାର୍ଯ୍ୟ ସମାପ୍ତ କରି ଆପଣଙ୍କ ସମୀପକୁ ଆଗତ ହେବେ ।୧୮। ଆପଣ ମଧ୍ୟ ଭ୍ରାତାମାନଙ୍କୁ ଘେନି ତପସ୍ୟାରେ ନିରତ ହୁଅନ୍ତୁ । ତପସ୍ୟାଠାରୁ ଅଧିକ କିଛି ନାହିଁ ଓ ତପସ୍ୟାଦ୍ୱାରା ବ୍ରହ୍ମପ୍ରାପ୍ତି ହୁଏ ।୧୯। ହେ ଭରତର୍ଷଭ । ଆମ୍ଭେ ମଧ୍ୟ କର୍ଣ୍ଣଙ୍କୁ ଉତ୍ତମରୂପେ ଜାଣୁ । ସେ ସତ୍ୟସନ୍ଧ, ମହୋତ୍ସାହୀ, ମହାପରାକ୍ରମୀ ଓ ମହାବଳଶାଳୀ ଅଟନ୍ତି । ଘୋର ଯୁଦ୍ଧରେ ସେ ଅପ୍ରତିମ ଅର୍ଥାତ୍ ତାହାଙ୍କ ସମାନ କେହି ଯୁଦ୍ଧ କରିପାରନ୍ତି ନାହିଁ । ମହାଯୁଦ୍ଧ କରିବାରେ ସେ ବିଶାରଦ । ସେ ମହାଧନୁର୍ଦ୍ଧାରୀ, ବୀର ଓ ମହାସ୍ତ୍ର ପ୍ରୟୋଗରେ ନିପୁଣ; ବର୍ମାଧାରୀଙ୍କ ମଧ୍ୟରେ ପ୍ରଧାନ । ଆଦିତ୍ୟଙ୍କ ତନୟ କର୍ଣ୍ଣ କାର୍ତ୍ତିକେୟଙ୍କ ସମାନ ଯୋଦ୍ଧା; କିନ୍ତୁ ବିଶାଳସ୍କନ୍ଧ ଅର୍ଜୁନଙ୍କର ଯେଉଁ ସ୍ୱାଭାବିକ ଉତ୍କୃଷ୍ଟ ପୌରୁଷ, ତାହା ମଧ୍ୟ ଆମ୍ଭଙ୍କୁ ଅବଗତ ଅଛି । ସଂଗ୍ରାମରେ ସେ କର୍ଣ୍ଣ ଅର୍ଜୁନଙ୍କର ଷୋଡ଼ଶ କଳାରୁ ଏକ କଳା ତୁଲ୍ୟ ନୁହନ୍ତି ।

 

ହେ ଅରିନ୍ଦମ ! ଆପଣଙ୍କ ଚିତ୍ତରେ କର୍ଣ୍ଣଠାରୁ ଯେଉଁ ଭୟ ଅଛି, ସବ୍ୟସାଚୀ ଏ ସ୍ଥାନରୁ ଗମନ କଲେ ଆମ୍ଭେ ସେ ଭୟକୁ ତୁମ୍ଭ ଚିତ୍ତରୁ ହରଣ କରିବୁ । ହେ ବୀର ! ତୀର୍ଥଯାତ୍ରା ପ୍ରତି ତୁମ୍ଭର ଯେଉଁ ମାନସ ହୋଇଅଛି, ତଦ୍ ବିଷୟରେ ଲୋମଶ ଋଷି ତୁମ୍ଭଙ୍କୁ କହିବେ, ସଂଶୟ ନାହିଁ ।୨୪। ହେ ଭାରତ ! ତୀର୍ଥସେବାରେ ଯେଉଁ ଫଳ ପ୍ରାପ୍ତି ହୁଏ, ଏହି ବ୍ରହ୍ମର୍ଷି ତାହା ସବୁ ତୁମ୍ଭଙ୍କୁ କହିବେ; ତୁମ୍ଭେ ତହିଁରେ ଶ୍ରଦ୍ଧା କରିବ, ଅନ୍ୟଥା କରିବ ନାହିଁ ।୨୫।

 

॥ ଅଧ୍ୟାୟ – ୯୨ ॥

 

ଲୋମଶ ବୋଇଲେ– ହେ ଯୁଧିଷ୍ଠିର ! ଧନଞ୍ଜୟ ଯାହା କହିଅଛନ୍ତି, ତାହା ଶୁଣ । ହେ ତପୋଧନ ! ଆପଣ ପରମଧାର୍ମିକ । ଉତ୍କୃଷ୍ଟ ଧର୍ମମାନଙ୍କୁ ଆପଣ ଅବଗତ ଅଛନ୍ତି । ଶ୍ରୀବନ୍ତ ରାଜାମାନଙ୍କର ଯେଉଁ ସନାତନ ଧର୍ମ, ତାହା ମଧ୍ୟ ଆପଣ ଅବଗତ ଅଛନ୍ତି । ତୀର୍ଥପର୍ଯ୍ୟଟନରେ ଯେଉଁ ପୁଣ୍ୟ, ତାହା ମଧ୍ୟ ଆପଣ ଅବଗତ ଅଛନ୍ତି । ଅତଏବ ଆପଣ ପାଣ୍ଡବମାନଙ୍କୁ ତୀର୍ଥପୁଣ୍ୟରେ ସଂଯୁକ୍ତ କରିବେ ।୩। ମହାରାଜ ଯୁଧିଷ୍ଠିର ଯହିଁରେ ତୀର୍ଥପର୍ଯ୍ୟଟନ ଓ ଗୋଦାନ କରନ୍ତି, ତଦ୍ ବିଷୟରେ ଆପଣ ସର୍ବତୋଭାବେ ଚେଷ୍ଟା କରିବେ । ଆପଣ ଯେବେ ମହାରାଜାଙ୍କୁ ରକ୍ଷା କରିବେ, ତେବେ ସେ ରାକ୍ଷସମାନଙ୍କଠାରୁ ସୁରକ୍ଷିତ ହୋଇ ବିଷମ ଓ ଦୁର୍ଗମ ସର୍ବପ୍ରକାର ତୀର୍ଥ ପରିଭ୍ରମଣ କରିବାକୁ ସମର୍ଥ ହେବେ । ଅତଏବ ଆପଣ ତାହାଙ୍କୁ ରକ୍ଷା କରିବେ ।୫।

 

ହେ ଦ୍ୱିଜସତ୍ତମ ! ଦଧୀଚି ମୁନି ଯେପରି ଦେବେନ୍ଦ୍ରଙ୍କୁ ଓ ଅଙ୍ଗିରା ଋଷି ଯେପରି ରବିଙ୍କୁ ରକ୍ଷା କରନ୍ତି, ସେହି ରୂପେ ଆପଣ ମଧ୍ୟ ପାଣ୍ଡବମାନଙ୍କୁ ରାକ୍ଷସଙ୍କଠାରୁ ରକ୍ଷା କରିବା ହେବେ ।୬। ପଥ ମଧ୍ୟରେ ପର୍ବତାକାର ବହୁସଂଖ୍ୟକ ରାକ୍ଷସ ଅଛନ୍ତି । ଆପଣ ଯେବେ ପାଣ୍ଡବମାନଙ୍କୁ ରକ୍ଷା କରିବେ, ତେବେ ସେମାନେ ପାଖକୁ ମଧ୍ୟ ଆସିପାରିବେ ନାହିଁ ।୭। ଆମ୍ଭେ ଇନ୍ଦ୍ରଙ୍କ ବଚନାନୁସାରେ ଓ ଅର୍ଜୁନଙ୍କ ନିୟୋଗକ୍ରମେ ଆପଣମାନଙ୍କୁ ଭୟରୁ ରକ୍ଷାକରି ଆପଣମାନଙ୍କ ସହିତ ତୀର୍ଥ ଭ୍ରମଣ କରିବୁ ।୮। ହେ କୁରୁନନ୍ଦନ ! ପୂର୍ବେ ଆମ୍ଭେ ଦୁଇଥର ତୀର୍ଥଭ୍ରମଣ କରିଅଛୁଁ । ଏବେ ଆପଣଙ୍କ ସହିତ ତୃତୀୟଥର ତୀର୍ଥ ଭ୍ରମଣ କରିବୁଁ ।୯। ହେ ଯୁଧିଷ୍ଠିର ! ପୁଣ୍ୟକାରୀ ମନ୍ତ୍ରାଦିଦର୍ଶନ ରାଜର୍ଷିମାନେ ତୀର୍ଥଭ୍ରମଣ କରିଥିଲେ । ହେ ମହାରାଜ ! ତୀର୍ଥଯାତ୍ରା ଭୟବିନାଶକାରୀ ।୧୦। ହେ କୌରବ୍ୟ ! କପଟୀ, ବକ୍ରମତି, ଅଜ୍ଞାନୀ, ଅପଣ୍ଡିତ ଓ ପାପକାରୀମାନେ ତୀର୍ଥସ୍ନାନ କରିବାକୁ ଯୋଗ୍ୟ ନୁହନ୍ତି ।୧୧। ଆପଣ ନିତ୍ୟ ଧର୍ମମତି, ଧର୍ମଜ୍ଞ ଓ ସତ୍ୟରିତ କୁସଙ୍ଗରୁ ବିମୁକ୍ତ ହୋଇଅଛନ୍ତି ଓ ଆହୁରି ମଧ୍ୟ ଆପଣ ଅଧିକ ଧାର୍ମିକ ହେବେ ।୧୨। ହେ କୌନ୍ତେୟ ! ରାଜା ଭଗୀରଥ ଯେପରି, ଗୟାଦି ରାଜାମାନେ ଯେପରି, ଯଯାତି ଯେପରି, ହେ ପାଣ୍ଡବ ! ଆପଣ ମଧ୍ୟ ସେହିପରି ।୧୩।

 

ଯୁଧିଷ୍ଠିର ଉତ୍ତରିଲେ– ଆପଣଙ୍କ କଥା ଶୁଣି ମୁଁ ଏକପ୍ରକାର ଆହ୍ଲାଦିତ ହୋଉଅଛି ଯେ ଆପଣଙ୍କୁ କି ଉତ୍ତର ଦେବି ତାହା ମୋ ବୁଦ୍ଧିକୁ ଦୃଶ୍ୟ ହେଉନାହିଁ । ଦେବରାଜ ଯାହାକୁ ସ୍ମରଣ କରୁଅଛନ୍ତି, ତାହାଠାରୁ ଅଧିକ ସେ ମନୁଷ୍ୟର କଣ ହୋଇପାରେ ।୧୪। ଆପଣଙ୍କ ସହିତ ଯାହାର ସାକ୍ଷାତ୍ ହେଲା ଓ ଯାହାର ଭ୍ରାତା ଧନଞ୍ଜୟ ଅଟନ୍ତି, ତାହାର ଆଉ କି ଅଧିକ ମଙ୍ଗଳକର ବିଷୟ ଅଛି ।୧୫। ଆପଣ ଯେଉଁ ତୀର୍ଥଭ୍ରମଣ ବିଷୟ ଆମ୍ଭଙ୍କୁ ବୋଲିବା ହେଲେ ଧୌମ୍ୟଙ୍କ ବଚନାନୁସାରେ ପୂର୍ବରୁ ଆମ୍ଭେ ସେ ବିଷୟ ସ୍ଥିର କରିଅଛୁଁ । ସେ ବ୍ରହ୍ମନ୍‌ ! ଆପଣ ଯେତେବେଳେ ତୀର୍ଥଦର୍ଶନ ନିମିତ୍ତ ଗମନ କରିବେ, ଆମ୍ଭେ ଆପଣଙ୍କ ସଙ୍ଗରେ ସେହି ସମୟରେ ପ୍ରସ୍ଥାନ କରିବୁ । ଆମ୍ଭର ଏହି ପ୍ରତିଜ୍ଞା ।୧୭।

 

ବୈଶମ୍ପାୟନ ବୋଇଲେ, ଯୁଧିଷ୍ଠିରଙ୍କୁ ତୀର୍ଥଭ୍ରମଣ ନିମିତ୍ତ ଉଦ୍ୟତ ଦେଖି ଲୋମଶ ଋଷି କହିଲେ, ହେ ମହାରାଜ ! ଆପଣ ଲଘୁ ହେଉନ୍ତୁ । ସଙ୍ଗରେ ଯେତେ ମନୁଷ୍ୟ ଅଛନ୍ତି, ସେମାନଙ୍କୁ ସବୁ ପରିତ୍ୟାଗ କରନ୍ତୁ । ଲଘୁ ହେଲେ ସୁଖରେ ଗମନ କରିପାରିବେ ।୧୮। ଯୁଧିଷ୍ଠିର ବୋଇଲେ– ଯେଉଁ ବ୍ରାହ୍ମଣ ଓ ଯତିମାନେ ଭିକ୍ଷାଜୀବୀ ଓ ଯେଉଁମାନେ କ୍ଷୁଧା, ତୃଷ୍ଣା, ପଥଶ୍ରମ, ଆୟାସଭୀତାର୍ତ୍ତୀ ଓ ଶ୍ରମ ସହ୍ୟ କରିବାକୁ ଅସମର୍ଥ, ସେମାନେ ନିବୃତ୍ତ ହେଉନ୍ତୁ ।୧୯। ଯେଉଁ ଦ୍ୱିଜମାନେ ମିଷ୍ଟଭୋଜୀ, ଯେଉଁମାନେ ପକ୍ୱାନ୍ନ ଭୋଜୀ, ଲେହ୍ୟ ପେୟାଦି ଓ ମାଂସର ବିବିଧ ପ୍ରକାର ପାକକୁ ଇଚ୍ଛା କରନ୍ତି, ସେମାନେ ଏହିଠାରେ ଥାଆନ୍ତୁ ।୨୦। ଯେଉଁମାନେ ଭଲମନ୍ଦ ବୁଝି ଭୋଜନ କରନ୍ତି, ଯେଉଁମାନେ ଉତ୍ତମ ପାକକାରୀଙ୍କର ଅନୁଗତ, ସେମାନେ ସମସ୍ତେ ଆମ୍ଭ ସହିତ ଗମନ କରିବାରୁ ନିବୃତ୍ତ ହୁଅନ୍ତୁ । ସେମାନଙ୍କ ନିମିତ୍ତ ଆମ୍ଭେ ଏହିଠାରେ ବୃତ୍ତି ଖଞ୍ଜାକରି ଦେଉଅଛୁଁ-।୨୧। ଯେଉଁ ପୌରଜନମାନେ ରାଜଭକ୍ତି ହେତୁରୁ ଆମ୍ଭ ସଙ୍ଗରେ ଅଛନ୍ତି, ସେମାନେ ମହାରାଜ ଧୃତରାଷ୍ଟ୍ରଙ୍କ ସମୀପକୁ ଗମନ କରନ୍ତୁ ।୨୨। ଯାହାଙ୍କର ଯାହା ଆବଶ୍ୟକ ଓ ପ୍ରାପ୍ୟ, ସେ ତାହାଙ୍କୁ ତାହା ଦେବେ । ସେହି ମନୁଜେଶ୍ୱର ଧୃତରାଷ୍ଟ୍ର ଯେବେ ଆପଣମାନଙ୍କୁ ଯଥୋଚିତ ସମ୍ମାନ ଓ ଦାନ ନ କରନ୍ତି, ତେବେ ଆମ୍ଭମାନଙ୍କର ପ୍ରିୟ ଓ ହିତ ନିମିତ୍ତ ପାଞ୍ଚାଳ ରାଜା ଆପଣମାନଙ୍କୁ ଦାନ କରିବେ ।୨୪।

 

ବୈଶମ୍ପାୟନ ବୋଇଲେ– ତଦନନ୍ତର ପୌରଜନମାନେ, ବିପ୍ରମାନେ ଓ ଯତିମାନେ ଅନିଚ୍ଛୁକ ହୋଇ ଭାରରେ ପୀଡ଼ିତ ହେଲା ପ୍ରାୟ ହସ୍ତୀନାନଗରୀକୁ ଗମନ କଲେ ।୨୪। ରାଜା ଅମ୍ବିକାସୁତ ସେମାନଙ୍କୁ ଯୁଧିଷ୍ଠିରଙ୍କ ପ୍ରତି ପ୍ରେମବଶରୁ ଆଦରପୂର୍ବକ ରଖି ଯଥାବିଧି ଧନ ପ୍ରଦାନ କଲେ ।୨୫। ତଦନନ୍ତର କୁନ୍ତୀସୁତ ରାଜା ଯୁଧିଷ୍ଠିର ଅଳ୍ପସଂଖ୍ୟକ ବ୍ରାହ୍ମଣଙ୍କୁ ଘେନି ପ୍ରୀତମନରେ ଲୋମଶ ଋଷିଙ୍କ ସହ ତ୍ରିରାତ୍ର ସେହି କାମ୍ୟକ ବନରେ ବାସ କଲେ ।୨୬।

 

॥ ଅଧ୍ୟାୟ – ୯୩ ॥

 

ବୈଶମ୍ପାୟନ ବୋଇଲେ– ମହାରାଜ ! ତଦନନ୍ତର ବନବାସୀ ବ୍ରାହ୍ମଣମାନେ ଦେଖିଲେ ଯେ ରାଜା ଯୁଧିଷ୍ଠିର ଗମନୋନ୍ମୁଖ ହୋଇଅଛନ୍ତି । ତହୁଁ ସେମାନେ ସମସ୍ତେ ତାହାଙ୍କ ସମ୍ମୁଖକୁ ଆସି ବୋଇଲେ– ହେ ରାଜନ୍‌ ! ଆପଣ ମହାତ୍ମା ଲୋମଶଙ୍କୁ ଓ ଭ୍ରାତାମାନଙ୍କୁ ସଙ୍ଗରେ ଘେନି ପବିତ୍ର ତୀର୍ଥଭ୍ରମଣ କରିବାକୁ ଯାତ୍ରା କରୁଅଛନ୍ତି । ଅତଏବ ଆମ୍ଭମାନଙ୍କୁ ମଧ୍ୟ ସଙ୍ଗରେ ନିଅନ୍ତୁ । ହେ କୌରବ ! ତୁମ୍ଭ ସଙ୍ଗ ବ୍ୟତିରେକେ ଆମ୍ଭମାନଙ୍କର ସେ ତୀର୍ଥଦର୍ଶନ ଅସମ୍ଭବ ଅଟେ ।୩। ହେ ମନୁଜେଶ୍ୱର ! ହିଂସ୍ର ଜନ୍ତୁମାନେ ସେ ତୀର୍ଥରେ ସମାକୀର୍ଣ୍ଣ, ଅଥଚ ସେ ତୀର୍ଥମାନେ ଦୁର୍ଗମ, ବିଷମ ଓ ଅଗମ୍ୟ ଅଟନ୍ତି ।୪। ଆପଣଙ୍କ ଭ୍ରାତାମାନେ ଶୂର ଓ ଧନୁର୍ଦ୍ଧର ଅଟନ୍ତି । ସେମାନଙ୍କଦ୍ୱାରା ପାଳିତହୋଇ ଆମ୍ଭେମାନେ ମଧ୍ୟ ଗମନ କରିବୁ ।୫। ଆପଣମାନଙ୍କ ପ୍ରସାଦରୁ ଆମ୍ଭେମାନେ ପରମ ସୁଖ ଲାଭ କରିବୁ । ହେ ନୃପ ! ଆପଣଙ୍କ ବଳରେ ପରିତ୍ରାତ ହୋଇ ଶୁଦ୍ଧ ତୀର୍ଥ ସମୂହରେ ଅବଗାହନ କରିବୁ; ତୀର୍ଥସନ୍ଦର୍ଶନ କରି ପାପମାନଙ୍କରୁ ବିମୁକ୍ତ ହେବୁ ।୭।

 

ହେ ଭାରତ ! ଆପଣ ମଧ୍ୟ ତୀର୍ଥସମୂହରେ ପରିପ୍ଲୂତ ହୋଇ ରାଜର୍ଷି ଅଷ୍ଟକ, ରାଜା କୀର୍ତ୍ତବୀର୍ଯ୍ୟ, ନରପାଳ, ଲୋମପାଦ, ବୀରଶ୍ରେଷ୍ଠ ସାର୍ବଭୌମ ଭରତଙ୍କର ଲୋକଦୁର୍ଲଭ ଗତିକୁ ପ୍ରାପ୍ତ ହେବେ ।୯। ହେ ମହୀପାଳ ! ଆପଣଙ୍କ ସଙ୍ଗରେ ଯାଇ ଆମ୍ଭେମାନେ ପ୍ରଭାସାଦି ତୀର୍ଥ, ମହେନ୍ଦ୍ରାଦି ପର୍ବତ, ଗଙ୍ଗାଦି ନଦୀ ଓ ପ୍ଲାକ୍ଷାଦି ବନସ୍ପତିମାନଙ୍କୁ ଦର୍ଶନ କରିବା ନିମିତ୍ତ ଅତ୍ୟନ୍ତ ଅଭିଳାଷୀ ହୋଇଅଛୁଁ । ହେ ଜନାଧିପ ! ଯଦି ଆପଣଙ୍କର ବ୍ରାହ୍ମଣମାନଙ୍କ ପ୍ରତି ପ୍ରୀତି ଥାଏ, ତେବେ ଆମ୍ଭମାନଙ୍କର ବଚନ ଶୀଘ୍ର ରକ୍ଷା କରନ୍ତୁ । ଏଥିରେ ଆପଣଙ୍କର ଅବଶ୍ୟ ଶ୍ରେୟ ହେବ । ହେ ମହୋବାହୋ ! ତୀର୍ଥସ୍ଥଳରେ ତପସ୍ୟାର ବିଘ୍ନକାରୀ ରାକ୍ଷସମାନେ ବାସ କରନ୍ତି । ଆପଣ ସେମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଅନାୟାସରେ ରକ୍ଷା କରିପାରିବା ହେବେ । ଧୌମ୍ୟ ଯେଉଁ ତୀର୍ଥକୁ କହିଲେ, ବୁଦ୍ଧିମାନ ନାରଦ ଯାହାର କୀର୍ତ୍ତନ କଲେ ଓ ମହାତପା ଦେବର୍ଷି ଲୋମଶ ଯେଉଁ ତୀର୍ଥମାନଙ୍କର ନାମ ଉଚ୍ଚାରଣ କଲେ, ଆପଣ ବିଧିପୂର୍ବକ ସେହି ତୀର୍ଥମାନଙ୍କୁ ପର୍ଯ୍ୟଟନ କରନ୍ତୁ ।୧୪। ଆମ୍ଭେମାନେ ସମସ୍ତେ ସଙ୍ଗରେ ଥିବୁଁ ଓ ଲୋମଶ ଋଷି ଆପଣଙ୍କୁ ରକ୍ଷା କରିବେ । ପାଣ୍ଡବଶ୍ରେଷ୍ଠ ସେହି ରାଜା ବ୍ରାହ୍ମଣମାନଙ୍କ ସେହି ବଚନ ଶ୍ରବଣ କରି ହର୍ଷରେ ଅଶ୍ରୁମୋଚନପୂର୍ବକ ଭୀମାଦି ଭ୍ରାତାମାନଙ୍କଦ୍ୱାରା ବେଷ୍ଟିତ ହୋଇ ତହିଁରେ ସ୍ୱୀକୃତ ହେଲେ ଓ ହେଉ ବୋଲି କହିଲେ । ଲୋମଶଙ୍କ ଓ ପୁରୋହିତ ଧୌମ୍ୟଙ୍କର ବଚନାନୁସାରେ ପାଣ୍ଡବଶ୍ରେଷ୍ଠ ଭ୍ରାତାମାନଙ୍କୁ ଦ୍ରୌପଦୀଙ୍କ ସଙ୍ଗରେ ଘେନି ଗମନ ନିମିତ୍ତ ଉନ୍ମନା ହେଲେ ।

 

ଏହି ସମୟରେ ମହାଭାଗ ବ୍ୟାସ, ତପୋବ୍ରତ ଓ ନାରଦ କାମ୍ୟକ ବନରେ ପାଣ୍ଡବଙ୍କୁ ଦର୍ଶନ କରିବାକୁ ଆଗତ ହେଲେ । ରାଜା ଯୁଧିଷ୍ଠିର ସେମାନଙ୍କର ବିଧିପୂର୍ବକ ପୂଜାବିଧାନ କଲେ । ସେ ମହାଭାଗମାନେ ସତ୍‌କୃତ ହୋଇ ଯୁଧିଷ୍ଠିରଙ୍କୁ ବୋଇଲେ ।୧୯। ଋଷିମାନେ ବୋଇଲେ ହେ ଯୁଧିଷ୍ଠିର ! ହେ ନକୁଳ ସହଦେବ ! ହେ ଭୀମ ! ତୁମ୍ଭେମାନେ ମନକୁ ନିର୍ମଳ କର । ମନଦ୍ୱାରା ବିଶୁଦ୍ଧ ହେଲେ ତୀର୍ଥଗମନ କରିବ । ଶରୀର ନିୟମକୁ ବ୍ରାହ୍ମଣମାନେ ବ୍ରତ ବୋଲି କହନ୍ତି ଓ ମନଦ୍ୱାରା ବୁଦ୍ଧିକୁ ବିଶୁଦ୍ଧ କରିବାର ନାମ ଦେବବ୍ରତ ବୋଲାଯାଏ ।୨୧। ହେ ନରାଧିପ ! ମନ ନିର୍ମଳ ହେଲେ ଶୌଚ ହେଲ ବୋଲି ଜାଣିବ । ସମସ୍ତଙ୍କଠାରେ ମିତ୍ରବୁଦ୍ଧିକରି ତୀର୍ଥଦର୍ଶନ କରିବ ।୨୨। ତୁମ୍ଭେମାନେ ଶରୀରବ୍ରତ ଓ ଦେବବ୍ରତକୁ ଆଧାର କରି ଯଥୋକ୍ତ ଫଳଲାଭ କରିବ ।୨୩। ଦ୍ରୌପଦୀଙ୍କ ସହ ପାଣ୍ଡବମାନେ ତଥାସ୍ତୁ ବୋଲି ପ୍ରତିଜ୍ଞା କରି ଦିବ୍ୟ ଓ ମାନୁଷ ଋଷିମାନଙ୍କଦ୍ୱାରା କୃତସ୍ୱସ୍ତ୍ୟୟନ ହେଲେ । ଲୋମଶ, ଦ୍ୱୈପାୟନ, ନାରଦ ଓ ଦେବର୍ଷି ପର୍ବତଙ୍କ ପାଦବନ୍ଦନା କରି ଧୌମ୍ୟଙ୍କ ସହ ବ୍ରାହ୍ମଣମାନଙ୍କୁ ସଙ୍ଗରେ ଘେନି ଅଗ୍ରହାୟଣ ପୌର୍ଣ୍ଣମାସୀପୁର ପୁଷ୍ୟାନକ୍ଷତ୍ରଯୁକ୍ତ ଦିବସରେ ତୀର୍ଥାଟନ ପାଇଁ ଯାତ୍ରା କଲେ ।୨୬। ସେମାନେ ଚୀର ଅର୍ଜନ ଓ ଜଟାଧାରୀ ହୋଇ ଅଭେଦ୍ୟ କବଚ ପରିଧାନ କରି ଦଣ୍ଡ ଓ କମଣ୍ଡଳୁ ଗ୍ରହଣ ପୂର୍ବକ ତୀର୍ଥଦର୍ଶନାର୍ଥ ବହିର୍ଗତ ହେଲେ ।୨୭। ହେ ଜନମେଜୟ ! ସେହି ବୀରମାନେ ବର୍ମପିନ୍ଧି ଶରଶରାସନ ଓ ତୂଣ ଘେନି ଇନ୍ଦ୍ରସେନ ପ୍ରଭୃତି ଭୃତ୍ୟ, ପଞ୍ଚଦଶରଥ, ସୂପକାର ଓ ଅନ୍ୟାନ୍ୟ ପରିଚରଙ୍କ ସହିତ ପ୍ରଥମରେ ପୂର୍ବାଭିମୁଖେ ପ୍ରସ୍ଥାନ କଲେ ।୨୯।

 

॥ ଅଧ୍ୟାୟ – ୯୪ ॥

 

ଯୁଧିଷ୍ଠିର ବୋଇଲେ– ହେ ଦେବର୍ଷିଶ୍ରେଷ୍ଠ ! ମୁଁ ଯେ ଉତ୍ତମ ଗୁଣହୀନ, ଏହା ମୋତେ ବୋଧ ହେଉ ନାହିଁ; କିନ୍ତୁ ତଥାପି ମୋତେ ଏତେ କ୍ଲେଶ ସହ୍ୟ କରିବାକୁ ହେଉଅଛି ଯେ ଅନ୍ୟ ରାଜାମାନେ କଦାପି ତଦ୍ରୂପ ଦୁଃଖଭୋଗ କରି ନାହାନ୍ତି । ବିପକ୍ଷମାନଙ୍କୁ ନିର୍ଗୁଣ ଓ ଅଧର୍ମରତ ଦେଖୁଅଛି । ତଥାପି ସେମାନେ ଇହଲୋକରେ ସମୃଦ୍ଧିଶୀଳ ହେଉଅଛନ୍ତି । ଏହାର କାରଣ କଅଣ-?୨।

 

ଲୋମଶ ବୋଇଲେ ହେ ରାଜନ୍‌ ! ଅଧାର୍ମିକ ମନୁଷ୍ୟମାନେ ଯେ ଅଧର୍ମଦ୍ୱାରା ବୁଦ୍ଧିପ୍ରାପ୍ତ ହୁଅନ୍ତି, ତାହା ଦେଖି ଆପଣ ନିଜ ମନରେ ଦୁଃଖ କରିବେ ନାହିଁ ।୩। ମନୁଷ୍ୟ ଅଧର୍ମଦ୍ୱାରା ଉନ୍ନତ ହୁଏ, ଅଭ୍ୟୁଦୟ ଲାଭ କରେ ଓ ଶତ୍ରୁମାନଙ୍କୁ ବଶୀଭୂତ କରେ । ଏହା ସତ୍ୟ; କିନ୍ତୁ ପରିଶେଷରେ ସେମାନେ ସମୂଳେ ବିନଷ୍ଟ ହୁଅନ୍ତି ।୪। ହେ ମହୀପତେ ! ଆମ୍ଭେ ପ୍ରତ୍ୟକ୍ଷ ଦେଖିଅଛୁ, ଦୈତ୍ୟ ଓ ଦାନବମାନେ ପ୍ରଥମେ ଅଧର୍ମଦ୍ୱାରା ବର୍ଦ୍ଧମାନ ହୋଇ ପରିଶେଷରେ କ୍ଷୟପ୍ରାପ୍ତ ହୋଇଅଛନ୍ତି । ହେ ବିଭୋ ! ପୂର୍ବେ ସତ୍ୟଯୁଗରେ ଆମ୍ଭେ ଏହାସବୁ ଦେଖିଅଛୁ । ସେ ସମୟରେ ଦେବତାମାନେ ଧର୍ମରତ ଥିଲେ । ଅସୁରମାନେ ଧର୍ମକୁ ତ୍ୟାଗ କରିଥିଲେ, ଦେବତାମାନେ ତୀର୍ଥସ୍ନାନାଦି କରୁଥିଲେ-। ଅସୁରମାନେ ତାହା କରୁ ନ ଥିଲେ । ସେହି ଅଧାର୍ମିକ ଦୈତ୍ୟମାନଙ୍କୁ ପ୍ରଥମେ ଦର୍ପ ଆଶ୍ରୟ କରିଥିଲା । ଅନନ୍ତର ସେମାନଙ୍କର ଅଭିମାନ ଜାତ ହେଲା । ଅଭିମାନ ହେତୁରୁ ସେମାନଙ୍କର କ୍ରୋଧ ହେଲା । କ୍ରୋଧର ଅଧୀନ ହୋଇ ସେମାନେ କୌଣସି ନିନ୍ଦ୍ୟକର୍ମ କରିବାକୁ ସଙ୍କୁଚିତ ହେଲେ ନାହିଁ । ସେହି ଅସଙ୍କୋଚତା ହେତୁରୁ ସେମାନଙ୍କ ଚିତ୍ତରୁ ଲଜ୍ଜାବୃତ୍ତି ବିଦୂରତି ହେଲା-। ସୁତରାଂ ସେମାନଙ୍କର ସଚ୍ଚରିତ୍ରତା ଏକାବେଳକେ ବିନଷ୍ଟ ହୋଇଗଲା । ନିର୍ଲଜ୍ଜ, ହୀନକର୍ମକାରୀ ଓ ବୃଥାକର୍ମରେ ରତ ହେବାରୁ କ୍ଷମା, ଲକ୍ଷ୍ମୀ ଓ ଧର୍ମ ସେମାନଙ୍କୁ ଅଚିରେ ପରିତ୍ୟାଗ କଲେ ଓ ଅସୁରଙ୍କଠାରୁ ଅଲକ୍ଷ୍ମୀ ଗଲେ । ଅଲକ୍ଷ୍ମୀଦ୍ୱାରା ସମାବିଷ୍ଟ ହେବାରୁ ଓ ଦର୍ପରେ ଚିତ୍ତ ଦୂଷିତ ହେବାରୁ ଦୈତ୍ୟେୟ ଓ ଦାନବଙ୍କ ମଧ୍ୟରେ କଳି ପ୍ରବିଷ୍ଟ ହେଲା ।

 

ହେ କୌନ୍ତେୟ ! ଅଲକ୍ଷ୍ମୀଯୁକ୍ତ ଦାନବମାନେ କଳିଦ୍ୱାରା ହତ ହୋଇ ଦର୍ପରେ ଅଭିଭୂତ ହେଲେ । କ୍ରିୟାହୀନ, କ୍ରୂର ଓ ମାନୀ ହେବାରୁ ଶୀଘ୍ର ବିନାଶ ଆସି ଉପସ୍ଥିତ ହେଲା ।୧୨। ଦୈତ୍ୟମାନେ ଯଶୋହୀନ ହୋଇ ସର୍ବ ପ୍ରକାରେ ବିଲୟପ୍ରାପ୍ତ ହେଲେ । ହେ ପାଣ୍ଡବ ! କିନ୍ତୁ ଧର୍ମଶୀଳ ଦେବମାନେ ସାଗର, ସରିତ, ସରୋବର ଓ ପୁଣ୍ୟାୟତନରେ ବିଚରଣ କରି, ତପସ୍ୟା ଯଜ୍ଞ ଓ ଦାନଦ୍ୱାରା ଆଶୀର୍ବାଦ ଲଭି, ସର୍ବପାପରୁ ବିମୁକ୍ତ ହୋଇ ଶ୍ରେୟ ଲାଭ କଲେ । ଏହି ପ୍ରକାରେ ସତ୍‌କାର୍ଯ୍ୟରେ ଆଦାନ ଓ ଅସତ୍କାର୍ଯ୍ୟ ପରିତ୍ୟାଗ କରି ବିବୁଧମାନେ ଉତ୍ତମ ଐଶ୍ୱର୍ଯ୍ୟ ଲାଭ କଲେ । ହେ ରାଜେନ୍ଦ୍ର ! ତୁମ୍ଭେ ମଧ୍ୟ ଅନୁଜମାନଙ୍କ ସହ ତୀର୍ଥସମୂହରେ ସ୍ନାନକରି ପୁନର୍ବାର ସେହି ଲକ୍ଷ୍ମୀଙ୍କୁ ଲାଭ କରିବ । ଉନ୍ନତିର ଏହା ସନାତନ ପନ୍ଥା ଅଟେ । ଯେପରି ରାଜା ନୃଗ, ଶିବି, ଐଶୀନର, ଭଗୀରଥ, ବସୁମନା, ଗୟ, ପୁରୁ ଓ ପୁରୁରବା–ଏମାନେ ତୀର୍ଥଗମନ, ତୀର୍ଥୋଦକରେ ସ୍ନାନ, ମହାତ୍ମାମାନଙ୍କ ଦର୍ଶନ ଓ ନିତ୍ୟ ତପସ୍ୟାଚରଣ କରି ପବିତ୍ର ହୋଇ ପୁଣ୍ୟ, ଯଶଃ ଓ ଧନ ଲାଭ କରିଥିଲେ ।୧୯। ହେ ରାଜେନ୍ଦ୍ର ! ତୁମ୍ଭେ ମଧ୍ୟ ଅତି ବିପୁଳଲକ୍ଷ୍ମୀ ଲାଭ କରି ଇକ୍ଷ୍ୱାକୁ ଯେପରି ପୁତ୍ର, ଆତ୍ମଜନ ଓ ବାନ୍ଧବଙ୍କ ସହିତ ବୃଦ୍ଧି ଲାଭ କରିଥିଲେ, ମୁଚୁକୁନ୍ଦ, ମାନଧାତା ଓ ମହୀପତି ମରୁତ ତପୋବଳରେ ଯେପରି ପୁଣ୍ୟକୀର୍ତ୍ତି ଲାଭ କରିଥିଲେ, ନିଖିଳ ଦେବର୍ଷିମାନେ ଯେପରି ହୋଇଥିଲେ, ସେହିପ୍ରାୟ ତୁମ୍ଭେ ମଧ୍ୟ ହେବ । ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ଅଧର୍ମଦ୍ୱାରା ଓ ମୋହରେ ବଶୀଭୂତ ହୋଇ ଅଚିରେ ଦୈତ୍ୟମାନଙ୍କ ସଦୃଶ ବିନାଶ ପ୍ରାପ୍ତ ହେବେ । ଏଥିରେ ସଂଶୟ ନାହିଁ ।୨୨।

 

Unknown

॥ ଅଧ୍ୟାୟ – ୯୫ ॥

 

ବୈଶମ୍ପାୟନ ବୋଇଲେ–ହେ ପୃଥିବୀପାଳ ! ସେହି ବୀର ପାଣ୍ଡବମାନେ ଅନୁଗାମୀଜନଙ୍କଦ୍ୱାରା ବେଷ୍ଟିତ ହୋଇ ସ୍ଥାନେ ସ୍ଥାନେ ରହି ରହି କ୍ରମଶଃ ନୈମିଷାରଣ୍ୟରେ ଉପସ୍ଥିତ ହେଲେ ।୧। ହେ ଭାରତ ! ତଦନନ୍ତର ସେମାନେ ଗୋମତୀ ନଦୀର ପୁଣ୍ୟ ତୀର୍ଥସମୂହରେ ଅବଗାହନ କରି ହିରଣ୍ୟ ଓ ଧେନୁ ଦାନ କଲେ ।୨। ଦେବ, ପିତୃ ଓ ବିପ୍ରମାନଙ୍କୁ ପୁନଃପୁନଃ ତର୍ପଣ କଲେ । ହେ ଭାରତ ! ତଦନନ୍ତର କଳାତୀର୍ଥ, ଅଶ୍ୱମେଧ ଓ ଗୋତୀର୍ଥରେ ମଧ୍ୟ ତଦ୍ରୂପ ଦେବ ଓ ପିତୃଙ୍କର ତର୍ପଣ କଲେ । ତତ୍‍ପରେ କାଳକୋଟୀସ୍ଥିତ ବିଷପ୍ରସ୍ଥ ନାମକ ଗିରିରେ କୌରବମାନେ ବାସକରି, ହେ ମହୀପାଳ ! ସେମାନେ ବାହୁଦା ନଦୀରେ ସ୍ନାନ କଲେ ।

 

ହେ ପୃଥିବୀପତେ ! ତତ୍‍ପରେ ସେମାନେ ଦେବତାଙ୍କ ଯଜନସ୍ଥାନ ପ୍ରୟାଗରେ ବାସ କଲେ । ସେଠାରେ ସେହି ସତ୍ୟନିଷ୍ଠ ବୀରମାନେ ଗଙ୍ଗା ଯମୁନାର ସଙ୍ଗମରେ ସ୍ନାନାଦି କରି ଉତ୍ତମ ତପସ୍ୟାରେ ରତ ହେଲେ ।୫। ସେ ମହାତ୍ମାମାନେ ନିଷ୍ପାପ ହୋଇ ବିପ୍ରମାନଙ୍କୁ ଧନଦାନ କଲେ । ତତ୍‍ପରେ ତପସ୍ୱୀଜନଯୁକ୍ତା ପ୍ରଜାପତିଙ୍କ ବେଦୀକୁ ଗମନ କଲେ ।୬। ସେହି ବୀରମାନେ ସେଠାରେ ବାସକରି ନିତ୍ୟ ବନ୍ୟ ଫଳମୂଳ ଓ ହବିଦ୍ୱାରା ଦ୍ୱିଜାତିମାନଙ୍କୁ ପରିତୃପ୍ତ କରି ତପାନୁଷ୍ଠାନ କଲେ । ତତ୍‍ପରେ ସେମାନେ ଧର୍ମଜ୍ଞ ରାଜର୍ଷି ଗୟଙ୍କର ସଂସ୍କୃତ ମହୀଧରକୁ ଗମନ କଲେ । ସେଠାରେ ଗୟଶିର ନାମକ ପର୍ବତ ଓ ପୁଣ୍ୟବତୀ ମହାନଦୀ ଅଛି । ରମଣୀୟ ବେତ୍ରବନରାଜି ନଦୀପୁଳିନର ଓ ପବିତ୍ର ଶୃଙ୍ଗମାନେ ଧରଣୀଧରର ଶୋଭା ସମ୍ପାଦନ କରୁଅଛନ୍ତି ।୧୦। ତତ୍‍ପରେ ଋଷିଜୁଷ୍ଟ ସୁପୁଣ୍ୟ ବ୍ରହ୍ମସର ନାମକ ତୀର୍ଥ ଅଛି । ଯେଉଁଠାରେ ଭଗବାନ ଆଗସ୍ତ୍ୟ ମୁନି ଯୋଗବଳରେ ସୂର୍ଯ୍ୟଲୋକକୁ ଗମନ କରିଥିଲେ ।୧୧। ସନାତନ ଧର୍ମରାଜ ସ୍ୱୟଂ ଯେଉଁଠାରେ ବାସ କରିଥିଲେ । ହେ ରାଜନ୍‌ ! ସବୁ ନଦୀଙ୍କର ଯେଉଁଠାରୁ ଉତ୍ପତ୍ତି ହୋଇଅଛି, ଯେଉଁଠାରେ ପିନାକଧାରୀ ମହାଦେବ ସର୍ବଦା ସନ୍ନିହିତ ହୋଇଥାନ୍ତି, ସେହିଠାରେ ବୀର ପାଣ୍ଡବମାନେ ଚାତୁର୍ମାସ୍ୟ ବ୍ରତ ଓ ଋଷିଯଜ୍ଞ ସମାଧାନ କଲେ ।୧୩। ଯେଉଁଠାରେ ମହାନ ଅକ୍ଷୟ ବଟ ଅଛି, ଅକ୍ଷୟଦେବ ଯଜନରେ ଯେଉଁଠାରେ ଅକ୍ଷୟଫଳ ଲାଭ ହୁଏ, ସେହିଠାରେ ପାଣ୍ଡବମାନେ ନିଶ୍ଚିନ୍ତମନା ହୋଇ ଉପବାସାଦି ବ୍ରତାଚରଣ କଲେ । ତପୋଧନ ବ୍ରାହ୍ମଣମାନେ ଶତ ଶତ ସେଠାକୁ ଆଗତ ହେଲେ ।୧୫। ଋଷିଙ୍କ ବିଧାନାନୁସାରେ ଚାତୁର୍ମାସ୍ୟ ବ୍ରତ କଲେ । ଏହି ପୁଣ୍ୟଧାମରେ ବିଦ୍ୟାବୃଦ୍ଧ, ତପୋବୃଦ୍ଧ, ବେଦପାରଗ ବ୍ରାହ୍ମଣମାନେ ପାଣ୍ଡବମାନଙ୍କର ସଭାରେ ଉପସ୍ଥିତ ହୋଇ ମହାତ୍ମାମାନଙ୍କର ନାନାପ୍ରକାର ପୁଣ୍ୟକଥା କହିବାକୁ ଆରମ୍ଭ କଲେ ।୧୬। ହେ ରାଜନ୍‌ ! ତନ୍ମଧ୍ୟରୁ ବିଦ୍ୟାବ୍ରତ ପବିତ୍ର ଓ କୌମାର ବ୍ରତାବଲମ୍ବୀ ଶମଠ ନାମକ ଗୋଟିଏ ଋଷି ଏକଦା ପ୍ରସଙ୍ଗରେ ଅମୂର୍ତ୍ତିଭୟଙ୍କର ପୁତ୍ର ଗୟଙ୍କର ଉପାଖ୍ୟାନ କହି ବସିଲେ ।୧୭।

 

ଶମଠ ବୋଇଲେ–ହେ ଭରତ ! ଅମୂର୍ତ୍ତିଭୟଙ୍କର ପୁତ୍ର ରାଜର୍ଷିଶ୍ରେଷ୍ଠ ଗୟଙ୍କର ପୁଣ୍ୟକର୍ମ କଥା କହୁଅଛୁ, ଶ୍ରବଣ କରନ୍ତୁ ।୧୮। ମହାରାଜ ! ଏହି ସ୍ଥାନରେ ସେ ଯେଉଁ ଯଜ୍ଞ କରିଥିଲେ, ତହିଁରେ ବହୁ ପରିମାଣରେ ଭକ୍ଷ୍ୟ ଦ୍ରବ୍ୟ ଆହୂତ ହୋଇଥିଲା ଓ ବ୍ରାହ୍ମଣମାନଙ୍କୁ ସେ ବିପୁଳ ଦକ୍ଷିଣା ଦେଇଥିଲେ । ହେ ରାଜନ୍‌ ! ଶତ ଶତ ଓ ସହସ୍ର ସହସ୍ର ଅନ୍ନର ପର୍ବତ ସଞ୍ଚିତ ହୋଇଥିଲା । ବହୁ ଶତ ଘୃତର ପ୍ରଣାଳୀ ଓ ଦଧିର ନଦୀ ଓ ସହସ୍ର ସହସ୍ର ଅତି ମୂଲ୍ୟବାନ ବ୍ୟଞ୍ଜନମାନଙ୍କର ପ୍ରବାହ ସଂଘଟିତ ହୋଇଥିଲା ।୨୦। ହେ ମହାରାଜ ! ଏହି ରୂପେ ଆହରୀୟ ଦ୍ରବ୍ୟ ପ୍ରତିଦିନ ପ୍ରସ୍ତୁତ ହୋଇ ଯାଚକମାନଙ୍କୁ ପ୍ରଦତ୍ତ ହେଉଥିଲା । ଏପରେ ବ୍ରାହ୍ମଣମାନେ ସୁସଂସ୍କୃତ ଅନ୍ନ ଭୋଜନ କରୁଥିଲେ ।୨୧। ଦକ୍ଷିଣା ପ୍ରଦାନ ବେଳେ ବେଦଧ୍ୱନିରେ ଆକାଶ ପରିପୂର୍ଣ୍ଣ ହେଉଥିଲା । ହେ ଭାରତ ! ବେଦର ପ୍ରଘୋଷରେ ଆଉ କିଛି ମାତ୍ର ଜଣା ପଡ଼ୁ ନ ଥିଲା । ହେ ରାଜନ୍‌ ! ଏହି ପୁଣ୍ୟକର୍ମ କରିବା ସମୟରେ ଏପରି ମହତ ଶବ୍ଦ ଉତ୍‌ଥିତ ହେଉଥିଲା ଯେ; ଭୂମି, ଆକାଶ, ଦିଗ କି ନଭୋମଣ୍ଡଳ କିଛି ଜଣା ପଡ଼ୁ ନ ଥିଲା । ଏ ବଡ଼ ଆଶ୍ଚର୍ଯ୍ୟର ବିଷୟ ।୨୩।

 

ହେ ଭରତଶ୍ରେଷ୍ଠ ! ମନୁଷ୍ୟମାନେ ଏହି ତେଜସ୍ୱୀ ଗୟ ରାଜାଙ୍କ ପ୍ରଦତ୍ତ ଶୁଭ ଅନ୍ନପାନରେ ପରିତୃପ୍ତ ହୋଇ ଦେଶଦେଶରେ ଏହି ରୂପେ ଗୟ ରାଜାଙ୍କର ଯଜ୍ଞରେ ଆଉ କିଏ ଭୋଜନ କରିବାକୁ ଇଚ୍ଛା କରୁଅଛ ବୋଲି ପ୍ରଶ୍ନ କଲେ । ସମସ୍ତେ ଭୋଜନ ସାରି ସୁଦ୍ଧା ଅଦ୍ୟାପି ସେଠାରେ ପଞ୍ଚବିଂଶତି ଅନ୍ନର ପର୍ବତ ଅଛି ।୨୫। ଅପରିମିତ ପରାକ୍ରମୀ ରାଜର୍ଷି ଗୟ ଯଜ୍ଞରେ ଯାହା କରିଅଛନ୍ତି, ପୂର୍ବେ ଆଉ କେହି ଏପରି କରି ନ ଥିଲେ କି ଭବିଷ୍ୟତରେ କେହି ଏପରି କରିବେ ନାହିଁ ।୨୬। ଦେବତାମାନେ ଗୟଙ୍କ ପ୍ରଦତ୍ତ ଆଜ୍ୟଦ୍ୱାରା ଏପରି ପରିତର୍ପିତ ହୋଇଥିଲେ ଯେ ତତ୍କାଳରେ ବୋଧହେଲା ଯେ ଅନ୍ୟ କେହି କିଛି ପ୍ରଦାନ କଲେ ସେମାନେ ତାହା ଗ୍ରହଣ କରିବାକୁ ସମର୍ଥ ହେବେ ନାହିଁ ।୨୭। ପୃଥିବୀରେ ଯେତେ ବାଲୁକା ଅଛି ଓ ଆକାଶରେ ଯେତେ ତାରା ଅଛନ୍ତି, ବୃଷ୍ଟି କାଳରେ ଯେତେ ଜଳଧାରା ପତନ ହୁଏ, ତାହାର ସଂଖ୍ୟା କେହି ହେଲେ କରିପାରନ୍ତି; କିନ୍ତୁ ଗୟଙ୍କ ଯଜ୍ଞରେ ଯେତେ ଦକ୍ଷିଣା ପ୍ରଦତ୍ତ ହେଲା, ତାହା କେହି ଗଣନା କରିପାରିବେ ନାହିଁ । ହେ କୁରୁନନ୍ଦନ ! ମହୀପତି ଗୟଙ୍କର ଉକ୍ତ ପ୍ରକାର ବହୁସଂଖ୍ୟକ ଯଜ୍ଞ ଏହି ବ୍ରହ୍ମସରୋବର ସମୀପରେ ଆହୂତ ହୋଇଥିଲା ।୨୯।

 

॥ ଅଧ୍ୟାୟ – ୯୬ ॥

 

ବୈଶମ୍ପାୟନ ବୋଇଲେ–ଭୂରି ଦକ୍ଷିଣାଦାତା କୁନ୍ତୀସୁତ ରାଜା ଯୁଧିଷ୍ଠିର ସେ ସ୍ଥାନରୁ ଯାଇ ଆଗସ୍ତ୍ୟଙ୍କ ଆଶ୍ରମରେ ଉପସ୍ଥିତ ହେଲେ ଓ ଦୁର୍ଜୟାରେ ବାସ କଲେ ।୧। ସେ ସ୍ଥାନରେ ଲୋମଶଙ୍କୁ ବକ୍ତୃବର ସେହି ରାଜା ପଚାରିଲେ–ଭଗବାନ ଆଗସ୍ତ୍ୟ ଋଷିଙ୍କ ପରେ କି ନିମିତ୍ତ ବାତାପି ନାମକ ଅସ୍ମରକୁ ସଂହାର କରିଥିଲେ ? ମାନବ ଭକ୍ଷଣକାରୀ ସେହି ଦୈତ୍ୟର କିପରି ପ୍ରଭାବ ଥିଲା ଓ ମହାତ୍ମା ଆଗସ୍ତ୍ୟଙ୍କର କି ନିମିତ୍ତ ମନୁଷ୍ୟାଦି ପ୍ରତି ମନ୍ୟୁ ଜାତ ହେଲା ।୩।

 

ଲୋମଶ ଉତ୍ତର ଦେଲେ, ହେ କୌରବନନ୍ଦନ ! ପୂର୍ବକାଳରେ ମଣିବତୀ ପୁରୀରେ ଇଲ୍ୱଳ ନାମରେ ଗୋଟାଏ ଦୈତ୍ୟ ଥିଲା । ତାହାର ଅନୁଜର ନାମ ବାତାପି । ସେ ଦିତିନନ୍ଦନ କୌଣସି ଗୋଟିଏ ତପୋଯୁକ୍ତ ବ୍ରାହ୍ମଣକୁ ବୋଇଲା, ହେ ଭଗବନ୍‌ ! ମୋତେ ଇନ୍ଦ୍ରଙ୍କ ସମାନ ଗୋଟିଏ ପୁତ୍ର ଦିଅନ୍ତୁ ।୫। କିନ୍ତୁ ସେ ବ୍ରାହ୍ମଣ ତାହାକୁ ବାସବଙ୍କ ସମ ପୁତ୍ର ପ୍ରଦାନ କଲେ ନାହିଁ । ତହୁଁ ସେ ଅସୁର ବ୍ରାହ୍ମଣଙ୍କ ପ୍ରତି ଅତିଶୟ କ୍ରୁଦ୍ଧ ହେଲା ।୬। ହେ ରାଜେନ୍ଦ୍ର ! ତଦବଧି ସେହି ବ୍ରହ୍ମହତ୍ୟାକାରୀ ମାୟାବୀ ଅସୁର ଇଲ୍ୱଳ କ୍ରୋଧର ବଶୀଭୂତ ହୋଇ ଅନୁଜକୁ ଛାଗ କଲେ ।୭। କାମରୂପୀ ବାତାପି କ୍ଷଣକ ମଧ୍ୟରେ ମେଷରୂପ ଧଇଲା । ଇଳ୍ୱଳ ତାହାକୁ ବଧକରି ପାକକରି ବ୍ରାହ୍ମଣଙ୍କୁ ଭୋଜନ କରାଇଲା । ମୃତଭ୍ରାତାଙ୍କୁ ଇଳ୍ୱଳ ଆହ୍ୱାନ କରନ୍ତେ, ସେ ସ୍ୱୀୟ ରୂପ ଧାରଣ କରି ବ୍ରାହ୍ମଣର କୁକ୍ଷି ବିଦାରଣପୂର୍ବକ ଭ୍ରାତା ସମୀପରେ ଉପସ୍ଥିତ ହେଲା ।୯। ଦିତିସୁତ ଇଲ୍ୱଳଙ୍କର ଏହି ଅସାଧାରଣ କ୍ଷମତା ଥିଲା ଯେ ସେ କୌଣସି ମୃତବ୍ୟକ୍ତିଙ୍କୁ ଡାକିଲେ ସେ ତତ୍‌କ୍ଷଣାତ ଜୀବିତହୋଇ ତାହା ସମୀପରେ ଉପସ୍ଥିତ ହେଉଥିଲା ।୧୦। ଏହିପରି ଶକ୍ତି ଥିବାରୁ ଦୁରାତ୍ମା ଇଳ୍ୱଳ ଆପଣାର ଅନୁଜ ବାତାପିକୁ ମେଷ କରି ତାହାର ସୁନ୍ଦର ମାଂସ ପାକକରି ଉପସ୍ଥିତ ବ୍ରାହ୍ମଣଙ୍କୁ ଭୋଜନ କରାଇ ପୁନର୍ବାର ସେହି ବାତାପିକୁ ଡାକିଲା । ବ୍ରାହ୍ମଣକଣ୍ଟକ ଅତି ମାୟାବୀ ବାତାପି ନିଜର ଜ୍ୟେଷ୍ଠଭ୍ରାତାର ଉଚ୍ଚ ଡାକ ଶୁଣି ବ୍ରାହ୍ମଣର ପାର୍ଶ୍ୱ ଭେଦକରି ହସି ହସି ବାହାରି ଆସିଲା ।୧୨।

 

ହେ ରାଜନ୍‌ ! ଏହି ଦୁର୍ବୁଦ୍ଧି ଇଲ୍ୱଳ ଏହି ପ୍ରକାର ବ୍ରାହ୍ମଣମାନଙ୍କୁ ପୁନଃପୁନଃ ଭୋଜନ କରାଇ ସେମାନଙ୍କୁ ହିଂସା କରେ । ଏହି ସମୟରେ ଭଗବାନ ଅଗସ୍ତୀ ଦେଖିଲେ ଯେ ତାହାଙ୍କର ପିତୃଗଣ ଅଧୋମୁଖୀ ହୋଇ ଗୋଟାଏ ଗର୍ତ୍ତରେ ଲମ୍ବମାନ ହୋଇଅଛନ୍ତି ।୧୪। ଏହା ଦେଖି ସେ ପଚାରିଲେ, ଆପଣମାନେ କିଏ ଓ କି ହେତୁରୁ ଏପରି ଲମ୍ବମାନ ଓ କମ୍ପିତ ହେଉଅଛନ୍ତି ? ସେ ବ୍ରହ୍ମବାଦୀମାନେ ଉତ୍ତର କଲେ, ସନ୍ତାନ ଅଭାବରୁ ଆମ୍ଭେମାନେ ଏପରି ଦୁରବସ୍ଥା ପ୍ରାପ୍ତ ହୋଇଅଛୁଁ-।୧୫। ଆହୁରି ସେମାନେ କହିଲେ, ଆମ୍ଭେମାନେ ତୁମ୍ଭର ନିଜର ପିତୃଗଣ ଅଟୁଁ । ବଂଶଧର ସନ୍ତାନ ଅଭାବରୁ ଆମ୍ଭେମାନେ ଏହି ଗର୍ତ୍ତରେ ଲମ୍ବମାନ ହୋଇ ରହିଅଛୁଁ ।୧୬। ହେ ପୁତ୍ର ଅଗସ୍ତ୍ୟ, ଯଦି ତୁମ୍ଭେ ଆମ୍ଭମାନଙ୍କ ନିମିତ୍ତ ଗୋଟିଏ ଉତ୍ତମ ପୁତ୍ର ଜନ୍ମ କରିବ, ତେବେ ଆମ୍ଭେମାନେ ନରକରୁ ଉଦ୍ଧାର ପାଇବୁ ଓ ତୁମ୍ଭେ ମଧ୍ୟ ସଦ୍‌ଗତି ଲାଭ କରିବ ।୧୭। ସତ୍ୟଧର୍ମପରାୟଣ ତେଜସ୍ୱୀ ଅଗସ୍ତ୍ୟ ସେମାନଙ୍କୁ କହିଲେ, ଆମ୍ଭେ ଆପଣମାନଙ୍କର କାମନା ପୂର୍ଣ୍ଣ କରିବୁ । ଆପଣମାନେ ମନୋଦୁଃଖ ପରିତ୍ୟାଗ କରନ୍ତୁ । ତଦନନ୍ତର ଭଗବାନ ଆଗସ୍ତ୍ୟ ଋଷି ସନ୍ତାନ ଚିନ୍ତା କଲେ; କିନ୍ତୁ ଆପଣାର ସଦୃଶୀ ଭାର୍ଯ୍ୟା କିଏ ହେବ, ତାହା ସ୍ଥିର କରିପାରିଲେ ନାହିଁ ।୧୯। ପରେ ସେ ଯେଉଁ ଯେଉଁ ପ୍ରାଣୀର ଯେଉଁ ଯେଉଁ ଅଙ୍ଗ ସୁନ୍ଦର ଦେଖିଥିଲେ, ସେହି ସେହି ପ୍ରାଣୀର ଅଙ୍ଗଦ୍ୱାରା ଗୋଟିଏ ବାରାଙ୍ଗନାକୁ ନିର୍ମାଣ କଲେ ।୨୦। ତତ୍‍ପରେ ବିଦର୍ଭ ଦେଶର ନରପତି ପୁତ୍ରଲାଭ ନିମିତ୍ତ ତପସ୍ୟା କରୁଥିଲେ । ମହାତପା ମୁନି ଆଗସ୍ତ୍ୟ ଆପଣା ନିମିତ୍ତ ସେହି କନ୍ୟାକୁ ସେ ରାଜାଙ୍କୁ ପ୍ରଦାନ କଲେ-।୨୧। ଶୁଭାନନା ଓ ସୁଭଗା ସେ କନ୍ୟା ରାଜଗୃହରେ ଜନ୍ମଗ୍ରହଣ କରି ଶରୀର-ସୌନ୍ଦର୍ଯ୍ୟରେ ବିଜୁଳିପ୍ରାୟ କାନ୍ତିମତୀ ହୋଇ ବଢ଼ିଲେ ।୨୨।

 

ହେ ଭାରତ ! ସେହି କନ୍ୟା ଜନ୍ମହେଲା କ୍ଷଣି ପୃଥିବୀପ୍ରତି ବିଦର୍ଭରାଜ ତାହାକୁ ବିଲୋକନ କରି ଦୃଷ୍ଟାନ୍ତଃକରଣରେ ବ୍ରାହ୍ମଣମାନଙ୍କୁ ନିବେଦନ କଲେ ।୨୩। ହେ ବସୁଧାଧିପ ! ବ୍ରାହ୍ମଣମାନେ ସମସ୍ତେ ସେ କନ୍ୟାକୁ ପ୍ରାପ୍ତ ହୋଇ ଅତିଶୟ ଆନନ୍ଦିତ ହେଲେ ଓ ଲୋପାମୁଦ୍ରା ବୋଲି ତାହାର ନାମ ଦେଲେ ।୨୪। ହେ ମହାରାଜ ! ସରୋବରରେ ଉତ୍ପଳିନୀ ବଢ଼ିଲା ପ୍ରାୟ ଅଗ୍ନିର ଶିଖାସଦୃଶ ସେହି କନ୍ୟା ଉତ୍ତମରୂପିଣୀ ହୋଇ ଶୀଘ୍ର ପରିବର୍ଦ୍ଧିତ ହେଲେ ।୨୫। ହେ ରାଜେନ୍ଦ୍ର ! ଲୋପାମୁଦ୍ରାର ଯୌବନାବସ୍ଥା ହେଲାକ୍ଷଣି ଅଳଙ୍କୃତା ଶହେକନ୍ୟା ଓ ଶହେ ଦାସୀ ତାହାଙ୍କର ପରିଚର୍ଯ୍ୟାରେ ରହିଲେ ।୨୬। ଗଗନରେ ତାରାମାନଙ୍କ ମଧ୍ୟରେ ରୋହିଣୀ ଯେପରି ଶୋଭାନ୍ୱିତ ଦିଶନ୍ତି, ସେହିପରି ଲୋପାମୁଦ୍ରା ଶତସଂଖ୍ୟକ ପରିଚାରିଣୀଙ୍କ ମଧ୍ୟରେ ପରିଶୋଭିତା ହେଲେ ।୨୭। ଲୋପାମୁଦ୍ରା ଯୌବନାପ୍ରାପ୍ତା ହେଲେହେଁ ତାହାଙ୍କର ଶୀଳତା ଓ ଉଦାରତା ଗୁଣହେତୁରୁ ଓ ତାହାଙ୍କ ପିତା ମହାତ୍ମା ବିଦର୍ଭପତିଙ୍କ ଭୟରୁ କୌଣସି ପୁରୁଷ ତାହାଙ୍କୁ ଯାଚଜ୍ଞା କଲେ ନାହିଁ । ଅପ୍‌ସରା ସଦୃଶୀ ରୂପବତୀ ସେହି କନ୍ୟା ଆପଣାର ଶୀଳତାଦ୍ୱାରା ପିତାଙ୍କୁ ଓ ସ୍ୱଜନମାନଙ୍କୁ ଅତିଶୟ ପରିତୃଷ୍ଟ କଲେ ।୨୯। ବିଦର୍ଭାଧିପତି ଆପଣାର ଦୁହିତାଙ୍କୁ ତାଦୃଶୀ ରୂପବତୀ ଓ ଯୁବତୀ ହେବାର ଦେଖି ସେ କନ୍ୟାକୁ କାହାକୁ ଦେବେ ବୋଲି ମନ ମଧ୍ୟରେ ଚିନ୍ତା କଲେ ।୩୦।

 

॥ ଅଧ୍ୟାୟ – ୯୭ ॥

 

ଲୋମଶ ବୋଇଲେ–ଗାର୍ହସ୍ଥ୍ୟ କର୍ମରେ ଯେତେବେଳେ ଲୋପାମୁଦ୍ରାଙ୍କୁ ଯୋଗ୍ୟ ହେବାର ଦେଖିଲେ, ତେତେବେଳେ ଅଗସ୍ତ୍ୟ ଋଷି ଆଗମନ କରି ବିଦର୍ଭପତିଙ୍କୁ କହିଲେ, ହେ ରାଜନ୍‌ ! ପୁତ୍ର କାମନାରେ ଗୃହସ୍ଥାଶ୍ରମୀ ହେବା ଆମ୍ଭର ଅଭିଳାଷ ହୋଇଅଛି । ଅତଏବ ହେ ମହୀପାଳ ! ଆମ୍ଭେ ବରଣ କରୁଅଛୁଁ, ତୁମ୍ଭେ ଲୋପାମୁଦ୍ରାକୁ ଆମ୍ଭଙ୍କୁ ପ୍ରଦାନ କର ।୨। ମୁନିଙ୍କର ଏହି ବାକ୍ୟ ଶ୍ରବଣ କରି ମହୀପାଳ ବିଦର୍ଭରାଜ ଚେତନରହିତ ହେଲେ; ପ୍ରତ୍ୟାଖ୍ୟାନ କରିବାକୁ ଅସମର୍ଥ ହେଲେ ଓ ଦାନ କରିବାକୁ ମଧ୍ୟ ଇଚ୍ଛା କଲେ ନାହିଁ ।୩। ତଦନନ୍ତର ସେହି ପୃଥିବୀପତି ରାଣୀଙ୍କୁ ଯାଇ କହିଲେ, ହେ ଶୁଭାନନେ ! ତୁମ୍ଭେ କ’ଣ କହୁଅଛ କହ । ଆଗସ୍ତ୍ୟ ଋଷି ଲୋପାମୁଦ୍ରାଙ୍କୁ ଯାଚଜ୍ଞା କରୁଅଛନ୍ତି । ଯଦି ତାହାଙ୍କୁ ପ୍ରତ୍ୟାଖ୍ୟାନ କରାଯିବ, ତେବେ ସେ କ୍ରୁଦ୍ଧହୋଇ ଆମ୍ଭଙ୍କୁ ଦହନ କରିବେ । ତାହାଙ୍କର ସେହି ବଚନ ଶ୍ରବଣକରି ରାଜ୍ଞୀ ହଁ କି ନା କିଛି ଉତ୍ତର ଦେଲେ ନାହିଁ । ପିତା ମାତାଙ୍କୁ ତାଦୃଶ ଦୁଃଖିତ ଦେଖି ଲୋପାମୁଦ୍ରା ଆସି କହିଲେ ।୫। ହେ ମହୀପାଳ ! ମୋ ନିମିତ୍ତ ଆପଣ ଚିନ୍ତାଗ୍ରସ୍ତ ହୁଅନ୍ତୁ ନାହିଁ । ହେ ପିତଃ ! ମୋତେ ଆଗସ୍ତ୍ୟ ମୁନିଙ୍କୁ ପ୍ରଦାନକରି ଆତ୍ମରକ୍ଷା କରନ୍ତୁ ।୬।

 

ହେ ରାଜନ୍‌ ! ଲୋପାମୁଦ୍ରାଙ୍କ ବଚନାନୁସାରେ ମହାତ୍ମା ଆଗସ୍ତ୍ୟ ମୁନିଙ୍କୁ ବିଧିପୂର୍ବକ ସେହି କନ୍ୟାକୁ ପ୍ରଦାନ କଲେ । ଭାର୍ଯ୍ୟା ପ୍ରାପ୍ତ ହୋଇ ସେହି ଆଗସ୍ତ୍ୟ ଋଷି ଲୋପାମୁଦ୍ରାଙ୍କୁ କହିଲେ–ଏହି ମହାମୂଲ୍ୟ ବସନ ଓ ଅଳଙ୍କାରଗୁଡ଼ିକୁ ପରିତ୍ୟାଗ କର । ତାହା ଶୁଣି ସେହି ବିଶାଳନୟନା କନ୍ୟା ଆପଣାର ଦେହର ଅତି ସୁନ୍ଦର ସୂକ୍ଷ୍ମବସନ ଓ ମୂଲ୍ୟବାନ ଆଭରଣଗୁଡ଼ିକୁ ବିସର୍ଜନ କଲେ ।୯। ତଦନନ୍ତର ସେ ରମ୍ଭୋରୁ ବଳ୍‌କଳ, ଅଜୀନ ଓ ଚିରା ବସ୍ତ୍ରକୁ ପରିଧାନ କରି ସ୍ୱାମୀଙ୍କ ସମନ ବ୍ରତଚାରିଣୀ ହେଲେ ।୧୦। ଗଙ୍ଗାକୂଳକୁ ଗମନ କରି ଅନୁକୂଳା ପତ୍ନୀ ସହିତ ଉଗ୍ର ତପସ୍ୟାରେ ରତ ହେଲେ । ପତିଙ୍କଠାରୁ ମାନ ପ୍ରାପ୍ତହୋଇ ସେ କନ୍ୟା ପ୍ରୀତମନରେ ପତିଙ୍କର ସୁନ୍ଦର ପରିଚର୍ଯ୍ୟା କଲେ । ଆଗସ୍ତ୍ୟ ମଧ୍ୟ ଭାର୍ଯ୍ୟାଙ୍କ ସହିତ ପରମ ପ୍ରୀତି ଲାଭକରି ତାହାଙ୍କ ପ୍ରତି ସମୁଚିତ ବ୍ୟବହାର କଲେ ।୧୨।

 

ହେ ରାଜନ୍‌ ! ତଦନନ୍ତର ବହୁକାଳ ପରେ ଆଗସ୍ତ୍ୟ ଦେଖିଲେ ଯେ ଲୋପାମୁଦ୍ରା ତପସ୍ୟାରେ ଦ୍ୟୁତିମତୀ ଓ ସ୍ନାତା ହୋଇଅଛନ୍ତି ।୧୩। ଲୋପାମୁଦ୍ରାଙ୍କର ତପସ୍ୟାରେ, ଶୌଚପଣରେ, ଇନ୍ଦ୍ରିୟନିଗ୍ରହରେ ଓ ସୌନ୍ଦର୍ଯ୍ୟଦ୍ୱାରା ପ୍ରୀତହୋଇ ଆଗସ୍ତ୍ୟ ମୁନି ତାହାଙ୍କୁ ସଙ୍ଗମ ନିମିତ୍ତ ଆହ୍ୱାନ କଲେ ।୧୪। ସେ ଭାବବତୀ ତାହା ଜାଣିପାରି ସଲଜ୍ଜ ହୋଇ କରଯୋଡ଼ି ପ୍ରଣୟପୂର୍ଣ୍ଣ ବାକ୍ୟରେ ମହର୍ଷି ଆଗସ୍ତ୍ୟଙ୍କୁ କହିଲେ ।୧୫। ପୁତ୍ର ହେତୁରୁ ଭାର୍ଯ୍ୟାକୁ ପତି ଗ୍ରହଣ କରନ୍ତି । ଏ କଥା ସତ୍ୟ; ଏଥିରେ ସଂଶୟ ନାହିଁ । କିନ୍ତୁ ହେ ଋଷେ ! ତୁମ୍ଭଠାରେ ମୋର ଯାଦୃଶୀ ପ୍ରୀତି ଅଛି, ତୁମ୍ଭର ମଧ୍ୟ ମୋଠାରେ ତାଦୃଶୀ ପ୍ରୀତି କରିବାର ବିଧେୟ ।୧୬। ମୋର ପିତ୍ରାଳୟରେ ହେ ବିପ୍ର, ଯେପରି ପ୍ରାସାଦ ଉପରେ ଶଯ୍ୟାଦି ଥିଲା, ସେହି ପ୍ରକାର ଏଠାରେ ମଧ୍ୟ ତୁମ୍ଭେ ଆମ୍ଭ ସହିତ ସମ୍ମିଳିତ ହୁଅ ।୧୭। ମୁଁ ଇଚ୍ଛାକରେ ଯେ ତୁମ୍ଭେ ବହୁମୂଲ୍ୟ ମାଳାଧାରୀ ହୋଇ ବିଭୂଷଣରେ ଭୂଷିତ ହେବ । ମୁଁ ମଧ୍ୟ ଦିବ୍ୟାଭରଣରେ ଭୂଷିତ ହେବି । ତତ୍‍ପରେ ତୁମ୍ଭେ ଇଚ୍ଛାନୁରୂପ ଉପଗତ ହେବ ।୧୮। ତାହା ନ ହେଲେ ଏପରି ଚିରା ଓ କଷାୟବସନା ହୋଇ ତୁମ୍ଭ ସମୀପରେ ଉପସ୍ଥିତ ହେବି ନାହିଁ । ହେ ବିପ୍ରର୍ଷେ ! ଭୂଷଣ କଦାପି ଅପବିତ୍ର ନୁହେଁ ।୧୯।

 

ଆଗସ୍ତ୍ୟ ବୋଇଲେ–ହେ ଲୋପାମୁଦ୍ରେ ! ତୁମ୍ଭ ପିତାଙ୍କର ଯେପରି ଧନ ଅଛି, ସେପରି ତୁମ୍ଭର ନାହିଁ କି ମୋର ମଧ୍ୟ ନାହିଁ ।୨୦। ଲୋପାମୁଦ୍ରା ବୋଇଲେ–ହେ ତପୋଧନ ! ତୁମ୍ଭେ ପ୍ରଭୁ ଅଟ । ଏହି ଲୋକରେ ଯେତେ ଧନ ଅଛି, ତାହା ତୁମ୍ଭେ କ୍ଷଣକ ମଧ୍ୟରେ ଆହରଣ କରିବାକୁ ସମର୍ଥ ଅଛ ।୨୧। ଆଗସ୍ତ୍ୟ ବୋଇଲେ, ତୁମ୍ଭେ ଯାହା ବୋଇଲ ଏ କଥା ସତ୍ୟ, କିନ୍ତୁ ତଦ୍ଦ୍ୱାରା ତପସ୍ୟାର କ୍ଷୟ ହୁଏ । ଯହିଁରେ ତପସ୍ୟାର ହାନି ନ ହୁଏ, ଏପରି କାର୍ଯ୍ୟରେ ମୋତେ ପ୍ରବର୍ତ୍ତିତ କର ।୨୨। ଲୋପାମୁଦ୍ରା ଭାଷିଲେ, ହେ ତପୋଧନ ! ମୋର ଋତୁକାଳର ଅଳ୍ପଦିବସ ଅବଶିଷ୍ଟ ଅଛି । ମୁଁ ଯାହା କହିଲି, ତାହାର ଅନ୍ୟଥା ହେଲେ ତୁମ୍ଭ ସହିତ ଉପଗତ ହେବି ନାହିଁ ।୨୩। ତୁମ୍ଭର ଧର୍ମ ଲୋପ କରିବାକୁ ମୁଁ କଦାପି ଇଚ୍ଛା କରେ ନାହିଁ; କିନ୍ତୁ ମୋର କାମନାକୁ ଆପଣଙ୍କର ସମ୍ପାଦନ କରିବା ଉଚିତ ।୨୪। ଆଗସ୍ତ୍ୟ କହିଲେ ! ହେ ସୁଭଗେ ! ତୁମ୍ଭେ ଯଦି ଏପରି ମନମଧ୍ୟରେ ପାଞ୍ଚିଅଛ, ତେବେ ତୁମ୍ଭେ ଏଠାରେ ଥାଅ, ଆମ୍ଭେ ଧନାହରଣ କରିବା ନିମିତ୍ତ ପ୍ରସ୍ଥାନ କରୁଅଛୁ ।୨୫।

 

॥ ଅଧ୍ୟାୟ – ୯୮ ॥

 

ଲୋମଶ ବୋଇଲେ–ହେ କୁରୁନନ୍ଦନ ! ତଦନନ୍ତର ଆଗସ୍ତ୍ୟ ଋଷି ବିଚାରିଲେ ଯେ ରାଜା ଶ୍ରୁତବ୍‌ର୍ବା ସବୁ ମହୀପାଳଙ୍କ ଅପେକ୍ଷା ଶ୍ରେଷ୍ଠ । ଏହା ବୋଧକରି ସେ ମୁନି ଧନଭିକ୍ଷା କରିବା ନିମିତ୍ତ ତାହାଙ୍କ ସମୀପକୁ ଗମନ କଲେ ।୧। କୁମ୍ଭୋଦ୍ଭବ ଆଗସ୍ତ୍ୟ ଋଷି ତାହାଙ୍କ ରାଜ୍ୟସୀମାକୁ ଆସିବାର ଶ୍ରବଣ କରି ରାଜା ଶ୍ରୁତର୍ବା ଆପଣାର ଅମାତ୍ୟ ଓ ଅନୁଚରଙ୍କ ସହିତ ପ୍ରତ୍ୟୁଦ୍‌ଗମନ କରି ତାହାଙ୍କୁ ନିଜ ସଦନକୁ ସମାଦରପୂର୍ବକ ଘେନି ଆସିଲେ । ଅଥଚ ଯଥାବିଧି ପାଦ୍ୟ, ଅର୍ଘ୍ୟ ପ୍ରଭୃତି ଦେଇ ତାହାଙ୍କର ପୂଜା କରି ପ୍ରାଞ୍ଜଳ ହୋଇ ଆଗମନର କାରଣ ପଚାରିଲେ ।୩।

 

ଆଗସ୍ତ୍ୟ କହିଲେ–ହେ ପୃଥ୍ୱୀନାଥ ! ଆମ୍ଭେ ଧନାର୍ଥୀ ହୋଇ ଆପଣଙ୍କ ସମୀପକୁ ଆଗମନ କରିଅଛୁଁ । ଅପର ବ୍ୟକ୍ତିଙ୍କୁ ହିଂସା ନ କରି ଶକ୍ତି ଅନୁରୂପ ଧନ ଆମ୍ଭଙ୍କୁ ପ୍ରଦାନ କର ।୪। ଲୋମଶ ବୋଇଲେ, ତାହା ଶୁଣି ରାଜା ନିବେଦନ କଲେ ଯେ ତାହାଙ୍କର ଆୟବ୍ୟୟ ଦୁହେଁ ସମାନ-। ଅତଏବ ହେ ବିଦ୍ୱାନ୍‌ ! ଆପଣଙ୍କର ଯାହା ଇଚ୍ଛା ହୁଏ, ତାହା ଏତନ୍ମଧ୍ୟରୁ ଗ୍ରହଣ କରନ୍ତୁ-।୫। ସମମତି ଦ୍ୱିଜ ଦେଖିଲେ ଯେ ସେ ରାଜାଙ୍କର ଆୟବ୍ୟୟ ଦୁହେଁ ସମାନ ଓ ତହିଁରୁ ଅର୍ଥ ଗ୍ରହଣ କଲେ ପ୍ରାଣୀମାନଙ୍କର ପୀଡ଼ା ହେବ ।୬। ତତ୍‍ପରେ ସେ ଋଷି ଶ୍ରୁତର୍ଦ୍ଦାଙ୍କୁ ସଙ୍ଗରେ ଘେନି ବ୍ରଧ୍ମଶ୍ୱ ରାଜାଙ୍କ ନିକଟକୁ ପ୍ରସ୍ଥାନ କଲେ । ବ୍ରଧ୍ମଶ୍ୱଙ୍କ ବିଷୟ ସୀମାରେ ପ୍ରବେଶ କରନ୍ତେ, ସେ ନରପତି ଦୁଇଜଣଙ୍କର ଯଥାବିଧି ସମ୍ମାନ କଲେ । ଦୁହିଁଙ୍କୁ ପାଦ୍ୟ, ଅର୍ଘ୍ୟ ଦେଇ ବ୍ରଧ୍ମଶ୍ନ ପଚାରିଲେ, ଆପଣମାନଙ୍କର ଆଗମନର ପ୍ରୟୋଜନ କଅଣ ? ୮। ଅଗସ୍ତୀ ବୋଇଲେ– ହେ ପୃଥିବୀପତେ-! ବିତ୍ତ କାମନାରେ ଆମ୍ଭେ ଦୁହେଁ ଆପଣଙ୍କ ନିକଟରେ ଉପଗତ ହୋଇଅଛୁଁ । ଅନ୍ୟ ପ୍ରାଣୀମାନଙ୍କୁ ପୀଡ଼ା ନ ଦେଇ ବିଭକ୍ତ କରି ଆପଣାର ଶକ୍ତି ଅନୁସାରେ ଧନ ଦାନ କରନ୍ତୁ ।୯।

 

ଲୋମଶ ବୋଇଲେ, ତଦନନ୍ତର ସେ ରାଜା ନିବେଦନ କଲେ ଯେ ତାହାଙ୍କର ଆୟବ୍ୟୟ ଦୁହେଁ ସମାନ । ରାଜା କହିଲେ, ତନ୍ମଧ୍ୟରୁ ଆପଣ ଯାହା ଇଚ୍ଛା କରନ୍ତି, ତାହା ଗ୍ରହଣ କରନ୍ତୁ ।୧୦। ତତ୍‍ପରେ ସମଦର୍ଶୀ ସେହି ଋଷି ଦେଖିଲେ ଯେ ସେ ଅର୍ଥ ଗ୍ରହଣ କଲେ ଅବଶ୍ୟ ପ୍ରାଣୀମାନଙ୍କର ପୀଡ଼ା ଘଟିବ ।୧୧। ତହିଁପରେ ଅଗସ୍ତୀ, ଋଷି, ରାଜା ଶ୍ରୁତର୍ବା ଓ ବ୍ରଧ୍ମଶ୍ୱ ତିନିହେଁ ଏକତ୍ର ହୋଇ ପୁରୁକୁତ୍ସଙ୍କ ସୁତ ତ୍ରସଦସ୍ୟୁ ନାମକ ମହାଐଶ୍ୱର୍ଯ୍ୟଶାଳୀ ଧନୀ ନରପତିଙ୍କ ସମୀପକୁ ପ୍ରୟାଣ କଲେ-।୧୨। ହେ ମହାରାଜ ! ଆପଣାର ବିଷୟ ସୀମା ମଧ୍ୟରେ ସେମାନଙ୍କୁ ପ୍ରବେଶ ହେବାର ଜାଣି ମହାମନା ଇକ୍ଷ୍ୱାକୁବଂଶୀୟ ରାଜା ତ୍ରସଦସ୍ୟୁ ଯଥାବିଧି ସମସ୍ତଙ୍କର ଅର୍ଚ୍ଚନା କଲେ ଓ ତତ୍‍ପରେ ସମସ୍ତଙ୍କର ଆଗମନର କାରଣ ପ୍ରଶ୍ନ କଲେ ।୧୪। ସେମାନେ ଉତ୍ତର ଦେଲେ ଯେ ସେ ସମସ୍ତେ ଧନାର୍ଥୀ ହୋଇ ଉପଗତ ହୋଇଅଛନ୍ତି । ଆହୁରି କହିଲେ ଯେ ଅନ୍ୟ ପ୍ରାଣୀମାନଙ୍କୁ କଷ୍ଟ ନ ଦେଇ ବିଭାଗାନୁସାରେ ଯଥାଶକ୍ତି ଧନ ପ୍ରଦାନ କରନ୍ତୁ । ଲୋମଶ ଭାଷିଲେ, ରାଜା ତ୍ରସଦସ୍ୟୁ ମଧ୍ୟ ସେମାନଙ୍କୁ କହିଲେ ଯେ ତାହାଙ୍କର ଆୟବ୍ୟୟ ସମାନ । ଏହା ଜାଣି ଆପଣମାନଙ୍କର ଯାହା ଇଚ୍ଛା, ତାହା ଗ୍ରହଣ କରନ୍ତୁ ।୧୬। ସମଦର୍ଶୀ ଋଷି ଅଗସ୍ତୀ ଦେଖିଲେ ଯେ ସେ ରାଜାଙ୍କର ଆୟବ୍ୟୟ ସମାନ । ତାହାଙ୍କଠାରୁ ଧନ ଗ୍ରହଣ କଲେ ସର୍ବଥା ପ୍ରାଣୀମାନଙ୍କର କଷ୍ଟ ହେବ-।୧୭।

 

ତତ୍‍ପରେ ହେ ମହାରାଜ ! ରାଜାମାନେ ସମବେତ ହୋଇ ପରସ୍ପର ଏ ତାହା ମୁଖକୁ ଓ ସେ ତାହା ମୁଖକୁ ବିଲୋକନ କରି ମହାମୁନି ଅଗସ୍ତିଙ୍କୁ କହିଲେ ।୧୮। ହେ ବ୍ରହ୍ମନ୍‌ ! ପୃଥିବୀ ମଧ୍ୟରେ ଇଲ୍ୱଳ ଦାନବଠାରେ ଅତିରିକ୍ତ ଧନ ଅଛି । ଅତଏବ ଚାଲ, ଆମ୍ଭେମାନେ ତାହାଙ୍କଠାରୁ ଧନପ୍ରାର୍ଥନା କରିବା ।୧୯। ଲୋମଶ କହିଲେ–ହେ ରାଜନ୍‌ ! ତତ୍କାଳରେ ସେମାନଙ୍କର ବୋଧହେଲା ଯେ, ଇଳ୍ୱଳଙ୍କୁ ଧନ ଭିକ୍ଷା କରିବା ସେମାନଙ୍କର କର୍ତ୍ତବ୍ୟ । ତତ୍‍ପରେ ସେମାନେ ସମସ୍ତେ ସଙ୍ଗ ହୋଇ ଇଳ୍ୱଳ ଦାନବଠାକୁ ଶୀଘ୍ର ପ୍ରସ୍ଥାନ କଲେ ।

 

॥ ଅଧ୍ୟାୟ – ୯୯ ॥

 

ଲୋମଶ ବୋଇଲେ–ମହର୍ଷି ଅଗସ୍ତୀ ଓ ନରପତିମାନଙ୍କୁ ସ୍ୱୀୟ ରାଜ୍ୟ ସୀମାରେ ଉପଗତ ହେବାର ଜାଣି ଦାନବ ଇଳ୍ୱଳ ଆପଣାର ଅମାତ୍ୟ ଓ ଅନୁଚରବର୍ଗଙ୍କୁ ସଙ୍ଗରେ ଘେନି ସେମାନଙ୍କୁ ସମାଦରପୂର୍ବକ ସ୍ୱସଦନକୁ ଆଣି ଯଥାବିଧାନରେ ସେମାନଙ୍କର ଅର୍ଚ୍ଚନା କଲେ ।୧। ହେ କୁରୁନନ୍ଦନ ! ପରେ ଅସୁରଶ୍ରେଷ୍ଠ ଇଳ୍ୱଳ ଆପଣାର ଭ୍ରାତା ବାତାପିକୁ ସୁସଂସ୍କୃତ କରି ଅତିଥିସତ୍କାର କରିବାର ଉଦ୍ୟୋଗ କଲେ ।୨। ତତ୍‍ପରେ ରାଜର୍ଷିମାନେ ସମସ୍ତେ ଦେଖିଲେ ଯେ, ମେଷରୂପୀ ବାତାପିର ମାଂସ ସଂସ୍କୃତ ହେଉଅଛି । ଏହା ଦେଖି ସମସ୍ତେ ବିଷଣ୍ଣ ଓ ଗତଚେତନ ହେଲେ ।୩।

 

ଅନନ୍ତର ଋଷିଶ୍ରେଷ୍ଠ ଅଗସ୍ତୀ ସେହି ରାଜର୍ଷିମାନଙ୍କୁ ବିଷାଦଯୁକ୍ତ ଦେଖି କହିଲେ, ତୁମ୍ଭେମାନେ ବିଷଣ୍ଣ ହୁଅ ନାହିଁ । ଆମ୍ଭେ ଏକାକୀ ଏହି ମହାସୁରକୁ ଭକ୍ଷଣ କରିବୁ ।୪। ତତ୍‍ପରେ ମହର୍ଷି ଅଗସ୍ତୀ ଭୋଜନ ନିମିତ୍ତ ଗୋଟିଏ ଉତ୍କୃଷ୍ଟ ଆସନ ଗ୍ରହଣ କରି ତହିଁରେ ଉପବେଶନ କଲେ-। ଦୈତ୍ୟେନ୍ଦ୍ର ଇଲ୍ୱଳ ହର୍ଷମୁଖ ହୋଇ ତାହାଙ୍କୁ ପରଷି ବସିଲେ । ଅଗସ୍ତୀ ଋଷି କ୍ରମେ କ୍ରମେ ମେଷରୂପୀ ବାତାପିର ସବୁ ମାଂସକୁ ଭକ୍ଷଣ କଲେ । ଭକ୍ଷଣ କଲା ପରେ ଇଲ୍ୱଳ ଉଚ୍ଚୈଃସ୍ୱରରେ ନିଜର ଭ୍ରାତା ବାତାପିକୁ ଆହ୍ୱାନ କଲା । ତହିଁରେ ସେ ମହାତ୍ମାଙ୍କର ଅଧୋଦେଶରୁ ମେଘଗର୍ଜନ କଲାପ୍ରାୟ ମହାଶବ୍ଦ କରି ଗୋଟାଏ ବାୟୁ ପ୍ରାଦୁର୍ଭୂତ ହେଲା ।୭। ହେ ବାତାପେ ! ନିଷ୍କ୍ରାନ୍ତ ହୁଅ, ଏହା ବୋଲି ଇଲ୍ୱଳ ବାରମ୍ବାର ଡାକଦେଲା । ହେ ରାଜନ୍‌ ! ଋଷିସତ୍ତମ ଅଗସ୍ତୀ ତାହାଙ୍କୁ ହସି ହସି କହିଲେ ।୮। ନିଷ୍କ୍ରାମଣ କରିବାର ତାହାର ସାମର୍ଥ୍ୟ ନାହିଁ । ସେ ଅସୁର ମୋର ଉଦରରେ ଜୀର୍ଣ୍ଣ ହୋଇଅଛି । ସେ ମଦ୍ରାସୁର ଜୀର୍ଣ୍ଣ ହୋଇଥିବାର ବିଲୋକନ କରି ଇଲ୍ୱଳ ଅତିଶୟ ବିଷଣ୍ଣ ହେଲା-।୯। ଓ ଅମାତ୍ୟବର୍ଗଙ୍କ ସହିତ କରଯୋଡ଼ି ଏହି ବଚନ କହିଲା; ଆପଣମାନେ କି ନିମିତ୍ତ ଉପଗତ ହୋଇଅଛନ୍ତି ? ଆପଣମାନଙ୍କର ମୁଁ କି କାର୍ଯ୍ୟ କରିବି, ଆଜ୍ଞା କରନ୍ତୁ ।୧୦। ତାହା ଶୁଣି ଋଷି ଅଗସ୍ତୀ ସହାସ୍ୟ ମୁଖରେ ଇଲ୍ୱଳଙ୍କୁ ଏହି ପ୍ରତ୍ୟୁତ୍ତର ଦେଲେ, ହେ ଅସୁର ! ଆମ୍ଭେମାନେ ସମସ୍ତେ ତୁମ୍ଭଙ୍କୁ ବିପୁଳ ଧନର ଈଶ୍ୱର ବୋଲି ଜାଣୁ । * ଅଗସ୍ତୀ ବୋଇଲେ–ହେ ମହାସୁର ! ଏହି ପ୍ରତ୍ୟେକ ନରପତିଙ୍କୁ ଦଶ ସହସ୍ର ଗୋ, ଦଶ ସହସ୍ର ସୁବର୍ଣ୍ଣ ତୁମ୍ଭର ଦେବାର ଇଚ୍ଛା ହୋଇଅଛି । ଏହା ପରେ ଆମ୍ଭଙ୍କୁ ତାହାର ଦ୍ୱିଗୁଣ ଗୋ ଓ ସୁବର୍ଣ୍ଣମୁଦ୍ରା, ମନୋଜବ ଅଶ୍ୱଯୁକ୍ତ ହିରଣ୍ମୟ ରଥ ଦାନ କରିବାକୁ ବାଞ୍ଛା କରିଅଛନ୍ତି ।୧୫। ଯଦି ତୁମ୍ଭେ ଆମ୍ଭ ବଚନ ସତ୍ୟ କି ମିଥ୍ୟା ଜାଣିବାକୁ ଇଚ୍ଛା କର, ତେବେ ଏହି ରଥକୁ ପରୀକ୍ଷା କରି ଦେଖ, ହିରଣ୍ମୟ ଅଟେ କି ନା । ତଦନନ୍ତର ସେ ଦୈତ୍ୟ ବ୍ୟଥିତ ହୋଇ ଋଷିଙ୍କୁ ଅଧିକ ଧନ ଦାନ କଲେ ।୧୬। ବିରାବ ଓ ସୁରାବ ନାମକ ଅଶ୍ୱଦ୍ୱୟଯୁକ୍ତ ସେହି ସୁବର୍ଣ୍ଣମୟ ରଥକୁ ପ୍ରଦାନ କଲେ । ତହିଁରେ ସଧନ ଋଷି ବସି ଆଶ୍ରମକୁ ଗମନ କଲେ ।୧୭।

 

[*ଆମ୍ଭ ସହିତ ଏହି ଯେଉଁ ରାଜାମାନେ ଆଗତ ହୋଇଅଛନ୍ତି, ସେମାନେ ଅତିଶୟ ଧନୀ ନୁହନ୍ତି । ଆମ୍ଭର ଅତ୍ୟନ୍ତ ଅଧିକ ଧନର ପ୍ରୟୋଜନ ହୋଇଅଛି ।]

 

ହେ ଭରତ ! ନିମିଷକ ମଧ୍ୟରେ ସବୁ ରାଜା ଓ ଅଗସ୍ତୀ ତାହାଙ୍କ ଆଶ୍ରମରେ ଉପଗତ ହେଲେ । ଋଷିଙ୍କ ଅନୁଜ୍ଞା ଗ୍ରହଣ କରି ରାଜର୍ଷିମାନେ ସମସ୍ତେ ସ୍ୱ ସ୍ୱ ନଗରକୁ ପ୍ରତିଗମନ କଲେ । ଲୋପାମୁଦ୍ରାଙ୍କର ଯାହା ଅଭିଳାଷ ଥିଲା, ଋଷି ତାହା ସମସ୍ତ ପରିପୂର୍ଣ୍ଣ କଲେ । ଲୋପାମୁଦ୍ରା ବୋଇଲେ, ହେ ଭଗବନ୍‌ ! ଆପଣ ମୋର ଅଭିଳାଷ ପୂର୍ଣ୍ଣ କଲେ । ଏବେ ଥରେ ମୋ ଗର୍ଭରେ ଗୋଟିଏ ଅତି ବୀର୍ଯ୍ୟଶାଳୀ ପୁତ୍ର ଉତ୍ପାଦନ କରନ୍ତୁ ।୧୯। ଅଗସ୍ତୀ ବୋଇଲେ– ହେ କଲ୍ୟାଣି ! ତୁମ୍ଭର ସଦାଚାରଦ୍ୱାରା ଆମ୍ଭେ ପରିତୃପ୍ତ ହେଲୁ । ତୁମ୍ଭର ଅପତ୍ୟ ବିଷୟ ବିଚାର୍ଯ୍ୟ ଅଛି; ତାହା ମୁଁ କହୁଅଛି ଶ୍ରବଣ କର ।୨୦। ତୁମ୍ଭର ସହସ୍ରେ ପୁତ୍ର ହେବେ କି ପ୍ରତ୍ୟେକ ଦଶ ଜଣର ବଳ ଘେନି ଶତପୁତ୍ର ହେବେ ଅଥବା ଶତ ବ୍ୟକ୍ତିର ପରାକ୍ରମ ଘେନି ଦଶ ଗୋଟି ପୁତ୍ର ହେବେ କିମ୍ବା ସହସ୍ରେ ବ୍ୟକ୍ତିର ପରାକ୍ରମ ଘେନି ଗୋଟିଏ ପୁତ୍ର ହେବେ, ତୁମ୍ଭର ଯେପରି ଇଚ୍ଛା ତାହା କହ ।୨୧।

 

ଲୋପାମୁଦ୍ରା ବୋଇଲେ–ହେ ତପୋଧନ ! ସହସ୍ରେ ପୁତ୍ରର ସମ୍ମିଳିତ ଗୋଟିଏ ପୁତ୍ର ହେଉ । ଅସାଧୁ ବହୁପୁତ୍ର ଅପେକ୍ଷା ବିଦ୍ୱାନ୍ ଗୋଟିଏ ପୁତ୍ର ଶ୍ରେୟସ୍କର ।୨୨। ଋଷି ତଥାସ୍ତୁ ବୋଲି ପ୍ରତିଜ୍ଞା କରି ଶ୍ରଦ୍ଧାନ୍ୱିତ ହୋଇ ଯଥାସମୟରେ ଶ୍ରଦ୍ଧାବତୀ ଲୋପାମୁଦ୍ରାଙ୍କ ସହିତ ସଙ୍ଗମ କଲେ ।୨୩। ତଦନନ୍ତର ଗର୍ଭାଧାନ କରି ଅଗସ୍ତୀ ଋଷି ବନଗମନ କଲେ । ବନକୁ ଗମନ କଲା ପରେ ସାତ ବର୍ଷ ପର୍ଯ୍ୟନ୍ତ ସେ ଗର୍ଭ ବୃଦ୍ଧି ଲଭିଲା ।୨୪। ହେ ଭାରତ ! ସପ୍ତମ ବର୍ଷ ଅତୀତ ହୁଅନ୍ତେ ପ୍ରଭାବରେ ଦ୍ୟୋତମାନ ହୋଇ ମହାକବି ଦୃଢ଼ସ୍ୟୁ ନାମରେ ଗୋଟିଏ ପୁତ୍ର ଜନ୍ମ ଗ୍ରହଣ କଲେ ।୨୫। ଅଗସ୍ତୀ ଋଷିଙ୍କର ସେହି ତେଜସ୍ୱୀପୁତ୍ର ମହାଦ୍ୱିଜ ଓ ମହାତପା ହୋଇ ବେଦ ଓ ବେଦାଙ୍ଗ ପାଠ କରି ଭୂମିଷ୍ଠ ହେଲେ ।୨୬। ସେ ତେଜସ୍ୱୀପୁତ୍ର ବାଲ୍ୟାବସ୍ଥାରେ ସୁଦ୍ଧା ପିତୃଗୃହରେ ଇନ୍ଧନ ଭାର ଆହରଣ କଲେ ବୋଲି ଲୋକେ ତାହାଙ୍କର ନାମ ଇଧ୍ମବାହ ବୋଲି ଆହ୍ୱାନ କଲେ ।୨୭। ହେ ଭାରତ ! ଅଗସ୍ତୀମୁନି ସେହି ଗୁଣଯୁକ୍ତ ପୁତ୍ରକୁ ଦେଖି ଆହ୍ୱାଦିତ ହେଲେ ।

 

ହେ ମହାରାଜ ! ମହର୍ଷି ଅଗସ୍ତୀ ଏହିରୂପେ ଉତ୍କୃଷ୍ଟ ଅପତ୍ୟୋତ୍ପାଦନ କରନ୍ତେ, ତାହାଙ୍କର ପିତୃଲୋକେ ବାଞ୍ଛିତ ସ୍ୱର୍ଗଲୋକକୁ ଗମନ କଲେ । ହେ ରାଜନ୍‌ ! ସେହି ଅବଧି ଏହି ସ୍ଥାନକୁ ଅଗସ୍ତ୍ୟାଶ୍ରମ କହନ୍ତି ।୨୯। ହେ ରାଜନ୍‌ ! ପ୍ରହ୍ଲାଦଙ୍କ ବଂଶରେ ଜାତ ବାତାପିଙ୍କୁ ଯେଉଁ ମହାତ୍ମା ଉପଶମିତ କରିଥିଲେ, ସେହି ମହର୍ଷି ଅଗସ୍ତ୍ୟଙ୍କର ଏହି ରମଣୀୟ ଗୁଣଯୁକ୍ତ ଆଶ୍ରମ ଲୋକରେ ବିଖ୍ୟାତ ଅଛି ।୩୦। ଦେବଗନ୍ଧର୍ବସେବିତା ଆକାଶଗଙ୍ଗା ଏହି ଭାଗୀରଥୀ-ବାତ-ସଞ୍ଚାଳିତ ପତାକାପ୍ରାୟ ନଭୋମଣ୍ଡଳରେ ବିରାଜିତା ହୋଇଅଛନ୍ତି ।୩୧। ଏହି ନଦୀ କ୍ରମଶଃ ନିମ୍ନ ଗିରିଶୃଙ୍ଗ ସମୂହରେ ପ୍ରତାରିତ ହୋଇ ନାଗବଧୂ ପ୍ରାୟ ଇତସ୍ତତଃ ଲୁକ୍‌କାୟିତା ହୋଇ ପ୍ରବାହିତ ହେଉଅଛନ୍ତି-।୩୨। ସମୁଦ୍ରଙ୍କର ଏହି ପ୍ରିୟା ମହିଷୀ ମହାଦେବଙ୍କର ଜଟାରୁ ପରିଭ୍ରଷ୍ଟା ହୋଇ ଦକ୍ଷିଣଦିଗକୁ ପ୍ଳାବିତ କରି ମାତାପ୍ରାୟ ତାହାର ଶ୍ରୀବୃଦ୍ଧି କରୁଅଛି । ଏହି ପୁଣ୍ୟମୟୀ ନଦୀରେ ଆପଣ ଯଥେଷ୍ଟ ଅବଗାହନ କରନ୍ତୁ ।୩୩। ଲୋମଶ ବୋଇଲେ, ହେ ମହାରାଜ ଯୁଧିଷ୍ଠିର ! ତିନି ଲୋକରେ ଏହି ଭୃଗୃଙ୍କ ତୀର୍ଥ ବିଖ୍ୟାତ ଅଛି । ମହର୍ଷିମାନେ ଏଠାରେ ବାସ କରନ୍ତି ।୩୪। ଏହିଠାରେ ଭୃଗୁନନ୍ଦନ ରାମ ଅବଗାହନ କରି ଆପଣାର ହୁତତେଜ ପୁନର୍ବାର ପ୍ରାପ୍ତ ହୋଇଥିଲେ । ହେ ପାଣ୍ଡବ-! ଏହିଠାରେ ତୁମ୍ଭେ ଭ୍ରାତାମାନଙ୍କୁ ଘେନି କୃଷ୍ଣଙ୍କ ସହିତ ସ୍ନାନ କର ! ଯେ ପ୍ରକାର ପରଶୁରାମ ଦାଶରଥୀ ରାମଙ୍କ ସହ ବୈରତା କରି ସ୍ୱକୀୟ ତେଜକୁ ହରାଇ ପୁନର୍ବାର ଏହିଠାରୁ ସେ ତେଜକୁ ପ୍ରାପ୍ତ ହୋଇଥିଲେ, ସେହିପରି ଦୁର୍ଯ୍ୟୋଧନ ତୁମ୍ଭର ଯେଉଁ ତେଜକୁ ହରଣ କରିଅଛି, ସେହି ତେଜକୁ ତୁମ୍ଭେ ପୁନର୍ବାର ଏହିଠାରେ ଆଦାନ କରିବ ।୩୬।

 

ବୈଶମ୍ପାୟନ ବୋଇଲେ–ହେ ଭାରତ ! ରାଜା ଯୁଧିଷ୍ଠିର ସେହିଠାରେ ଭ୍ରାତାମାନଙ୍କୁ ଘେନି କୃଷ୍ଣାଙ୍କ ସହିତ ସ୍ନାନ କରି ଦେବ ଓ ପିତୃଗଣଙ୍କର ଅର୍ଚ୍ଚନା କଲେ ।୩୭। ହେ ନରଶ୍ରେଷ୍ଠ ! ମହାରାଜ ପାଣ୍ଡୁନନ୍ଦନଙ୍କର ରୂପ ଓ କାନ୍ତି ସେହି ତୀର୍ଥସେବନଦ୍ୱାରା ଦୀପ୍ତରୁ ଦୀପ୍ତତର ହେଲା । ସେ ଶତ୍ରୁମାନଙ୍କର ଅଧୃଷ୍ୟ ହେଲେ ।୩୮। ହେ ରାଜେନ୍ଦ୍ର ! ଲୋମଶକୁ ପାଣ୍ଡୁନନ୍ଦନ ପଚାରିଲେ, ହେ ଭଗବନ୍‌ ! କି ହେତୁ ରାମଙ୍କ ତେଜ ଅପହୃତ ହୋଇଥିଲା । ହେ ପ୍ରଭୋ ! ପୁନର୍ବାର ସେ ତେଜକୁ କି ପ୍ରକାରେ ସେ ଆଦାନ କଲେ ? ମୁଁ ପଚାରୁଅଛି କହିବା ହୁଅନ୍ତୁ ।୩୯। ଲୋମଶ ବୋଇଲେ–ହେ ରାଜେନ୍ଦ୍ର ! ବୁଦ୍ଧିମାନ ଭାର୍ଗବଙ୍କର ପରଶୁରାମ ନାମରେ ପୁତ୍ର ଥିଲେ ଓ ମହାତ୍ମା ଦଶରଥଙ୍କର ରାମ ନାମରେ ପୁତ୍ର ଜାତ ହୋଇଥିଲେ । ଏ ଦୁହିଁଙ୍କ ଉପାଖ୍ୟାନ ଶୁଣିବା ହେଉନ୍ତୁ । ରାବଣକୁ ବଧ କରିବା ନିମିତ୍ତ ଭଗବାନ ବିଷ୍ଣୁ ଦଶରଥଙ୍କ ପୁତ୍ର ହୋଇ ଅଯୋଧ୍ୟାରେ ଜନ୍ମ ହୋଇଥିଲେ । ଆମ୍ଭେମାନେ ସେଠାକୁ ଯାଇ ତାହାଙ୍କୁ ଦର୍ଶନ କରିଥିଲୁଁ ।୪୧। ରୁଚୀକଙ୍କ ପୁତ୍ର ରେଣୁକା ଗର୍ଭରୁ ଯେ ଜାତ ହୋଇଥିଲେ, ତାହାଙ୍କର ନାମ ପରଶୁରାମ । ସେ ଶୁଣିଲେ ଯେ ଦଶରଥଙ୍କର ପୁତ୍ର ରାମ ଅତିଶୟ ବଳଶାଳୀ । ଏହା ଶୁଣି ତାହାଙ୍କର ବଳବୀର୍ଯ୍ୟ ପରୀକ୍ଷା କରିବା ନିମିତ୍ତ କୌତୂହଳାକ୍ରାନ୍ତ ହୋଇ ଅଯୋଧ୍ୟାକୁ ଗମନ କଲେ । ପରଶୁରାମଙ୍କ ହସ୍ତରେ କ୍ଷତ୍ରିୟମାନଙ୍କର ବିନାଶକାରୀ ଦିବ୍ୟ ଧନୁ ଥିଲା । ସେହି ଧନୁ ଧରି ପରଶୁରାମ ପଚାରିଲେ ଯେ ଦାଶରଥି ରାମଙ୍କର କେତେ ବଳ ଅଛି, ତାହା ପରୀକ୍ଷା କରିବେ । ଦଶରଥ ଶୁଣିଲେ ଯେ ତାହାଙ୍କ ରାଜ୍ୟ ପ୍ରାନ୍ତରେ ପରଶୁରାମ ଉପଗତ ହୋଇଅଛନ୍ତି । ଏହା ଶୁଣି ସେ ନିଜ ପୁତ୍ରଙ୍କୁ ସେନାମାନଙ୍କର ଅଗ୍ରେ କରି ପରଶୁରାମଙ୍କୁ ଆଗେଇ ଆଣିବାକୁ ପ୍ରେରଣ କଲେ ।

 

ହେ କୌନ୍ତେୟ ! ପରଶୁରାମ ଦେଖିଲେ ଯେ, ଦାଶରଥି ରାମ ହସ୍ତରେ ଅସ୍ତ୍ରଧାରଣ କରି ସମ୍ମୁଖରେ ଅବସ୍ଥିତ ଅଛନ୍ତି । ତହୁଁ ପରଶୁରାମ ହାସ୍ୟକରି ତାହାଙ୍କୁ କହିଲେ, ହେ ରାଜେନ୍ଦ୍ର ! ଏହି ଧନୁକୁ ଆମ୍ଭେ କ୍ଷତ୍ରିୟମାନଙ୍କର କାଳସ୍ୱରୂପ କରିଅଛୁଁ ।୪୬। ହେ ପାର୍ଥିବ ! ଯଦି ତୁମ୍ଭର ସାମର୍ଥ୍ୟ ଥାଏ, ତେବେ ଏ ଧନୁରେ ଗୁଣକୁ ଆରୋପିତ କର ! ଦାଶରଥି ଉତ୍ତର ଦେଲେ, ହେ ଭଗବନ୍‌ ! ମତେ ଏପରି ଅବମାନନା କରିବା ଆପଣଙ୍କର ଉଚିତ ନୁହେଁ ।୪୭। ଦ୍ୱିଜାତିମାନଙ୍କ ମଧ୍ୟରେ ଓ କ୍ଷତ୍ରିୟମାନଙ୍କ ମଧ୍ୟରେ ଆମ୍ଭେ ଅଧମ ନୋହୁଁ । ବିଶେଷରେ ଇକ୍ଷ୍ୱାକୁ ବଂଶର ବାହୁବଳର ପ୍ରଶଂସା ପ୍ରସିଦ୍ଧ ।୪୮। ଦାଶରଥି ରାମଙ୍କର ବଚନ ଶ୍ରବଣ କରି ପରଶୁରାମ କହିଲେ, ହେ ରାଘବ ! ବାକ୍ୟ ବ୍ୟୟ କରିବାର ପ୍ରୟୋଜନ ନାହିଁ । ଏହି ଧନୁକୁ ଗ୍ରହଣ କର ।୪୯। ତଦନନ୍ତର କ୍ଷତ୍ରିୟଶ୍ରେଷ୍ଠମାନଙ୍କର ବିନାଶକାରୀ ସେହି ଦିବ୍ୟଧନୁକୁ ଦାଶରଥି ରାମ ରୋଷରେ ପରଶୁରାମଙ୍କ ହସ୍ତରୁ ଗ୍ରହଣ କଲେ ।୫୦। ହେ ଭାରତ ! ଅବଲୀଳାକ୍ରମେ ସେହି ଧନୁରେ ଗୁଣ ଦେଇ ପରାକ୍ରମଶାଳୀ ଦାଶରଥି ରାମଚନ୍ଦ୍ର ସ୍ମିତମୁଖରେ ଗୁଣର ଟଙ୍କାର ଶବ୍ଦ କଲେ । ବଜ୍ରଶବ୍ଦ ପ୍ରାୟ ସେହି ଜ୍ୟାଶବ୍ଦକୁ ଶ୍ରବଣ କରି ପ୍ରାଣୀମାନେ ସଂତ୍ରସ୍ତ ହେଲେ । ଅନନ୍ତର ଦାଶରଥି ରାମ ପରଶୁରାମଙ୍କୁ ଭାଷିଲେ ।୫୨। ହେ ବ୍ରହ୍ମନ୍‌ ! ଏହି ଧନୁରେ ଗୁଣାରୋପଣ କଲି; ଆଉ ଆପଣଙ୍କର କ’ଣ କରିବି କହିବା ହେଉନ୍ତୁ । ଜମଦଗ୍ନିଙ୍କ ସୁତ ରାମ ମହାତ୍ମା ଦାଶରଥି ରାମଙ୍କୁ ଗୋଟିଏ ଦିବ୍ୟଶର ପ୍ରଦାନ କରି ବୋଇଲେ ତୁମ୍ଭେ ଏହି ଶରଟିକୁ କର୍ଣ୍ଣ ପର୍ଯ୍ୟନ୍ତ ଆକର୍ଷଣ କର ।୫୩।

 

ଲୋମଶ ବୋଇଲେ–ଏହା ଶ୍ରବଣ କରି ମନ୍ୟୁରେ ପ୍ରଦୀପ୍ତ ହେଲା ପ୍ରାୟ ରାମଚନ୍ଦ୍ର ଏହି ବଚନକୁ କହିଲେ । ଆପଣ ଯାହା ବୋଇଲେ ତାହା ଶ୍ରବଣ କଲୁ ଓ କ୍ଷମା ମଧ୍ୟ କଲୁ । ହେ ଭାର୍ଗବ-! କିନ୍ତୁ ତୁମ୍ଭେ ଦର୍ପରେ ପରିପୂର୍ଣ୍ଣ ହୋଇଅଛ ।୫୪। ତୁମ୍ଭେ ବ୍ରହ୍ମାଙ୍କ ପ୍ରସାଦରୁ କ୍ଷତ୍ରିୟଙ୍କ ଅପେକ୍ଷା ଅଧିକ ତେଜପ୍ରାପ୍ତ ହୋଇଅଛ ବୋଲି ଆମ୍ଭଙ୍କୁ ଏତାଦୃଶ ଅବମାନନା କରୁଅଛ ।୫୫। ଯାହାହେଉ ତୁମ୍ଭଙ୍କୁ ଦିବ୍ୟଚକ୍ଷୁ ପ୍ରଦାନ କରୁଅଛୁଁ । ତୁମ୍ଭେ ଆମ୍ଭର ପ୍ରକୃତ ରୂପକୁ ବିଲୋକନ କର । ତଦନନ୍ତର ଦାଶରଥି ରାମଙ୍କ ଶରୀର ମଧ୍ୟରେ ପରଶୁରାମ ଦେଖିଲେ ଯେ, ଆଦିତ୍ୟଗଣ, ବସୁ, ରୁଦ୍ର, ସାଧ୍ୟ, ମରୁତ, ପିତୃଗଣ ଅବସ୍ଥାନ କରୁଅଛନ୍ତି । ହୁତାଶନ, ନକ୍ଷତ୍ର, ଗ୍ରହ, ଗନ୍ଧର୍ବ, ରାକ୍ଷସ, ଯକ୍ଷ, ନଦୀ ଓ ସମସ୍ତ ତୀର୍ଥ ତାହାଙ୍କ ଦେହରେ ଅଛନ୍ତି । ଋଷିମାନେ ଓ ସନାତନ ବାଳଖିଲ୍ୟମାନେ ବ୍ରହ୍ମତ୍ୱ ପ୍ରାପ୍ତ ହୋଇ ତାହାଙ୍କଠାରେ ବର୍ତ୍ତମାନ ଅଛନ୍ତି । ହେ ଭାରତ ! ଦେବର୍ଷିମାନେ, ସମସ୍ତ ସମୁଦ୍ର ଓ ପର୍ବତାଦି, ଉପନିଷଦ ସହ ବେଦମାନେ ଓ ବଷଟ୍‌କାର ସହ ସମଗ୍ର ଯଜ୍ଞମାନେ, ସ୍ୱରୂପଧାରୀ ସାମବେଦ ଓ ନିଖିଳ ଧନୁର୍ବେଦ ତାହାଙ୍କ ଠାରେ ପରିଦୃଶ୍ୟ ହେଲେ । ହେ ଯୁଧିଷ୍ଠିର ! ଆହୁରି ମେଘବୃନ୍ଦ, ବୃଷ୍ଟି, ବିଦ୍ୟୁତ୍ ଏମାନେ ମଧ୍ୟ ରାମଚନ୍ଦ୍ରଙ୍କ କଳେବରରେ ଦୃଶ୍ୟ ହେଲେ ।୬୦। ହେ ଭାରତ ! ତଦନନ୍ତର ଭଗବାନ ବିଷ୍ଣୁ ସେହି ବାଣକୁ ମୋଚନ କଲେ । ରାମଚନ୍ଦ୍ରଙ୍କ ବାହୁବଳରେ ଉତ୍ତେଜିତ ହୋଇ ସେହି ବାଣ ନିକ୍ଷିପ୍ତ ହୁଅନ୍ତେ ଭୂତଳରେ ବିନାମେଘରେ ବଜ୍ରପାତ ହେଲା-। ଉଲ୍‌କାପାତରେ ଭୂମି ସମାକୀର୍ଣ୍ଣ ହେଲା । ମେଘବୃନ୍ଦ ଦୃଶ୍ୟ ହୋଇ ବୃଷ୍ଟିଧାରୀ ନିପତିତ ହେଲା । ଭୂମିକମ୍ପ ସହିତ ମହାନ ନିର୍ଘାତ ଶ୍ରୁତିଗୋଚର ହେଲା ।୬୨। ସେ ଶର ସ୍ୱତେଜରେ ପରଶୁରାମଙ୍କୁ ବିହ୍ୱଳ ଓ ପରାସ୍ତ କରି ଜ୍ୱଳନ୍ତ ହୁତାଶନ ସଦୃଶ ହୋଇ ରାମଚନ୍ଦ୍ରଙ୍କ ସମୀପରେ ଉପଗତ ହେଲା ।୬୩। କିୟତ୍‌କାଳ ପରେ ପରଶୁରାମ ଚେତନାପ୍ରାପ୍ତ ହୋଇ ପ୍ରାଣଲାଭ କରି ବିଷ୍ଣୁତେଜ ସ୍ୱରୂପ ରାମଚନ୍ଦ୍ରଙ୍କୁ ପ୍ରଣାମ କଲେ ଓ ତାହାଙ୍କ ଆଜ୍ଞାନୁସାରେ ମହେନ୍ଦ୍ର ପର୍ବତକୁ ଗମନ କଲେ । ମହାତପସ୍ୱୀ ପରଶୁରାମ ଭୀତ ଓ ଲଜ୍ଜିତ ହୋଇ ସେହି ପର୍ବତରେ ଅବସ୍ଥାନ କଲେ ।୬୫।

 

ତଦନନ୍ତର ଏକ ବର୍ଷ ଅତୀତ ହୁଅନ୍ତେ, ପରଶୁରାମଙ୍କୁ ତାହାଙ୍କର ପିତୃଗଣ ଦେଖିଲେ ଯେ ସେ ଦର୍ପଶୂନ୍ୟ, ଦୁଃଖିତ, ତେଜୋହୀନ ହୋଇ ରହିଅଛନ୍ତି । ତହୁଁ ତାହାଙ୍କୁ ପିତୃମାନେ ବୋଇଲେ, ହେ ପୁତ୍ର ! ତୁମ୍ଭେ ବିଷ୍ଣୁଙ୍କଠାରେ ଯେପରି ବ୍ୟବହାର କରିଅଛ, ତାହା ଅତିଶୟ ଅନ୍ୟାୟ ହୋଇଅଛି । ତିନି ଲୋକରେ ସେ ସର୍ବଦା ପୂଜ୍ୟ ଓ ମାନ୍ୟ ଅଟନ୍ତି ।୬୭। ହେ ପୁତ୍ର ! ବଧୂସର ନାମ୍ନୀ ପୁଣ୍ୟା ନଦୀକୁ ଗମନ କର । ସେହି ତୀର୍ଥରେ ସ୍ନାନ କଲେ ତୁମ୍ଭେ ପୁନର୍ବାର ଆପଣାର ତେଜ ପ୍ରାପ୍ତ ହେବ ।୬୮। ହେ ପୁତ୍ର ! ସେହି ସ୍ଥାନରେ ଦୀପ୍ତୋଦ ନାମରେ ଗୋଟିଏ ତୀର୍ଥ ଅଛି । ଯେଉଁଠାରେ ତୁମ୍ଭର ପିତା ମହାଭୃଗୃ ସତ୍ୟଯୁଗରେ ଅତି ଉଗ୍ର ତପସ୍ୟା କରିଥିଲେ ।୬୯। ହେ କୌନ୍ତେୟ ! ପିତୃଗଣଙ୍କ ବଚନାନୁସାରେ ପରଶୁରାମ ଏହି ତୀର୍ଥରେ ସ୍ନାନକରି ପୁନର୍ବାର ସ୍ୱତେଜକୁ ପ୍ରାପ୍ତ ହେଲେ ।୭୦। ହେ ମହାରାଜ ! ପୂର୍ବକାଳରେ ଅକ୍ଳିଷ୍ଟକର୍ମା ରାମଚନ୍ଦ୍ରଙ୍କଠାକୁ ପରଶୁରାମ ଗମନ କରି ଇଦୃଶ ଅବସ୍ଥାକୁ ପ୍ରାପ୍ତ ହୋଇଥିଲେ ।୭୧।

 

॥ ଅଧ୍ୟାୟ – ୧୦୦ ॥

 

ଯୁଧିଷ୍ଠିର ବୋଇଲେ–ହେ ଦ୍ୱିଜୋତ୍ତମ ! ମହର୍ଷି ଅଗସ୍ତ୍ୟ ଅତି ବୁଦ୍ଧିମାନ । ବିସ୍ତାରପୂର୍ବକ ତାହାଙ୍କ କର୍ମାବଳୀର ବର୍ଣ୍ଣନା ଶ୍ରବଣ କରିବାକୁ ଆମ୍ଭେ ଇଚ୍ଛା କରୁଅଛୁଁ ।୧। ଲୋମଶ ବୋଇଲେ, ହେ ରାଜନ୍‌ ! ଅଗସ୍ତ୍ୟଙ୍କ କଥା ଅଦ୍ଭୁତ, ଦିବ୍ୟ ଓ ଅତିମାନୁଷୀ ଅଟେ । ହେ ମହାରାଜ ! ତାହାଙ୍କ ପ୍ରଭାବ ଅପରିମିତ । ସତ୍ୟଯୁଗରେ କାଳକେୟଗଣ ନାମକ ଯୁଦ୍ଧଦୁର୍ମଦ ଦାନବମାନେ ଅତିଶୟ ଉପଦ୍ରବ କରୁଥିଲେ ଓ ସେମାନେ ଦାରୁଣ ଥିଲେ । ବୃତ୍ତ୍ରାସୁରକୁ ଆଶ୍ରୟ କରି ଉଦ୍ୟତାସ୍ତ୍ର ହୋଇ ଇନ୍ଦ୍ରଙ୍କୁ ସର୍ବଦା ବାଧା ଦେବାରୁ ତ୍ରିଦିବବାସୀମାନେ ବୃତ୍ତ୍ରାସୁରକୁ ବଧ କରିବାର ଉପାୟ ଅନ୍ୱେଷଣ କଲେ । ପୁରନ୍ଦରଙ୍କୁ ପୁରୋବର୍ତ୍ତୀ କରି ସର୍ବ ଦେବମାନେ ବ୍ରହ୍ମାଙ୍କ ନିକଟକୁ ଗମନ କରି କୃତାଞ୍ଜଳି ହୋଇ ଦଣ୍ଡାୟମାନ ହେଲେ ।୫। ଦେବତାମାନଙ୍କୁ ତଦ୍ରୂପ ଅବସ୍ଥାଗତ ଦେଖି ବ୍ରହ୍ମା କହିଲେ, ହେ ଦେବଗଣ ! ତୁମ୍ଭେମାନେ ଯହିଁ ନିମିତ୍ତ ଆଗତ ହୋଇଅଛ, ତାହା ଆମ୍ଭଙ୍କୁ ବିଦିତ ଅଛି ।୬। ସମ୍ପ୍ରତି ତୁମ୍ଭେମାନେ ଯେଉଁ ଉପାୟରେ ବୃତ୍ତ୍ରକୁ ବଧ କରିପାରିବ, ସେହି ଉପାୟ ତୁମ୍ଭଙ୍କୁ କହୁଅଛି, ଶ୍ରବଣ କର ।

 

ଦଧୀଚି ନାମରେ ଗୋଟିଏ ଉଦାର ବୃଦ୍ଧ ଋଷି ଅଛନ୍ତି ।୭। ତୁମ୍ଭେମାନେ ସମସ୍ତେ ମିଳିତ ହୋଇ ତାହାଙ୍କ ନିକଟକୁ ଗମନ କରି ଏହି ବର ପ୍ରାର୍ଥନା କରିବ । ସେହି ଧର୍ମାତ୍ମା ପ୍ରୀତ ହୋଇ ତୁମ୍ଭଙ୍କୁ ବର ପ୍ରଦାନ କରିବେ । ବର ଦେବା ବେଳେ ତୁମ୍ଭେମାନେ ସମସ୍ତେ ସମବେତ ଓ ଜୟାକାଂକ୍ଷୀ ହୋଇ କହିବ, ଆପଣ ତ୍ରିଲୋକହିତାର୍ଥ ନିଜର ଅସ୍ଥି ପ୍ରଦାନ କରନ୍ତୁ ।୯। ସେ ଋଷି ଶରୀର ତ୍ୟାଗ କରି ନିଜର ଅସ୍ଥି ପ୍ରଦାନ କରିବେ । ସେହି ଅସ୍ଥିଦ୍ୱାରା ବଜ୍ରନାମକ ମହାଭୟଙ୍କର ଦୃଢ଼ ଅସ୍ତ୍ରକୁ ନିର୍ମାଣ କରିବ ।୧୦। ଷଟ କୋଣାକାର ସେହି ବଜ୍ରାସ୍ତ୍ର ଭୟାନକ ଶବ୍ଦ କରେ । ତଦ୍ଦ୍ୱାରା ଶତକ୍ରତୁ ବୃତ୍ତ୍ରକୁ ବଧ କରିବେ ।୧୧। ଏହିସବୁ ବିବରଣ ଆମ୍ଭେ ତୁମ୍ଭମାନଙ୍କୁ କହିଲୁ, ତୁମ୍ଭେମାନେ ସତ୍ୱର ସେହି କାର୍ଯ୍ୟ ସମ୍ପନ୍ନ କର । ପିତାମହଙ୍କ ବଚନାନୁସାରେ ଦେବମାନେ ତାହାଙ୍କଠାରୁ ବିଦାୟ ଗ୍ରହଣ କରି ନାରାୟଣଙ୍କୁ ଅଗ୍ରେ କରି ଦଧୀଚିଙ୍କ ଆଶ୍ରମକୁ ଗମନ କଲେ । ସରସ୍ୱତୀ ନଦୀର ପର ପାରରେ ସେହି ଆଶ୍ରମ ନାନା ପ୍ରକାର ଦ୍ରୁମ ଓ ଲତାରେ ଆବୃତ୍ତ ଥିଲା ।୧୩। ସାମଗାତାଙ୍କ ପ୍ରାୟ ଷଟ୍‌ପଦମାନେ ତହିଁରେ ନାଦ କରୁଥିଲେ । ପୁଂଷ୍କୋକିଳମାନଙ୍କ ନିଃସ୍ୱନରେ ଓ ଚକୋରଙ୍କ ନିନାଦରେ ସେହି ଆଶ୍ରମ ପ୍ରତିଧ୍ୱନିତ ହେଉଥିଲା । ମହିଷ, ବରାହ, ମୃଗ ଓ ଚମରଗଣ ଶାର୍ଦ୍ଦୂଳମାନଙ୍କୁ ଭୟ ନ କରି ବିଚରଣ କରୁଥିଲେ ।୧୫। ମହାସ୍ରାବୀ ମାତଙ୍ଗମାନେ କରିଣୀ ଓ କରେଣୁମାନଙ୍କ ସହିତ ସରୋବରେ କ୍ରୀଡ଼ା କରୁଥିଲେ ଓ ବୃହିଂତଦ୍ୱାରା ଚତୁର୍ଦ୍ଦିଗକୁ ଅନୁନାଦିତ କରୁଥିଲେ ।୧୬। ବିଚରଣକାରୀ ସିଂହ ଓ ବ୍ୟାଘ୍ରମାନଙ୍କର ନିନାଦରେ ଆଶ୍ରମ ପ୍ରତିଧ୍ୱନିତ ହେଉଥିଲା । କେହି କେହି ଗୁହା ଓ କନ୍ଦରରେ ଲୀନ ହୋଇ ସେ ସ୍ଥାନର ଶୋଭା ସମ୍ପାଦନ କରୁଥିଲେ । ଏହି ପ୍ରକାରେ ସ୍ୱର୍ଗପ୍ରାୟ ରମଣୀୟ ସେହି ଦଧୀଚିଙ୍କ ଆଶ୍ରମରେ ଦେବମାନେ ଉପନୀତ ହେଲେ ।୧୮। ସେଠାରେ ଦେଖିଲେ ଯେ ସୂର୍ଯ୍ୟଙ୍କ ସମ ତେଜସ୍ୱୀ ଦଧୀଚି ମୁନି ବ୍ରହ୍ମାଙ୍କ ପ୍ରାୟ ଶୋଭାନ୍ୱିତ ହୋଇ ବିରାଜିତ ଅଛନ୍ତି ।୧୯। ସୁରମାନେ ତାହାଙ୍କ ପାଦ ବନ୍ଦନାକରି ପ୍ରଣାମପୂର୍ବକ ସମସ୍ତେ ଏକତ୍ର ହୋଇ ଯେପରି ବ୍ରହ୍ମା କହି ଦେଇଥିଲେ, ସେହିପରି ବର ଯାଚ୍‌ଜ୍ଞା କଲେ ।୨୦।

 

ତଦନନ୍ତର ଦଧୀଚି ମୁନି ପରମ ପ୍ରୀତ ହୋଇ ସୁରୋତ୍ତମମାନଙ୍କୁ କହିଲେ, ହେ ଦେବମାନେ ! ତୁମ୍ଭର ଯହିଁରେ ହିତ ହେବ ତାହା ଆମ୍ଭେ ଅଦ୍ୟ ନିଷ୍ପନ୍ନ କରିବୁ । ଆପଣାର ଦେହକୁ ମଧ୍ୟ ସ୍ୱୟଂ ବିସର୍ଜନ କରିବୁ ।୨୧। ମନୁଷ୍ୟଶ୍ରେଷ୍ଠ ଜିତେନ୍ଦ୍ରିୟ ଦଧୀଚି ଏହା କହି ତତ୍‌କ୍ଷଣାତ ପ୍ରାଣମାନଙ୍କୁ ଦଗ୍ଧ କଲେ । ତତ୍‍ପରେ ବ୍ରହ୍ମା ଯହିଁପାଇଁ ଉପଦେଶ ଦେଇଥିଲେ ତନ୍ନିମିତ୍ତ ସେହି ସୁରମାନେ ଋଷିଙ୍କର ଅସ୍ଥିମାନଙ୍କୁ ଗ୍ରହଣ କଲେ ।୨୨। ଦେବମାନେ ହୃଷ୍ଟ ହୋଇ ବିଶ୍ୱକର୍ମାଙ୍କଠାକୁ ଗମନ କରି ତାହାଙ୍କୁ ଯାହା କହିବାର ତାହା କହିଲେ । ବିଶ୍ୱକର୍ମା ମଧ୍ୟ ସେମାନଙ୍କର ବଚନ ଶ୍ରବଣ କରି ହୃଷ୍ଟ ହୋଇ ଯତ୍ନପୂର୍ବକ ସେହି ଅସ୍ତ୍ର ନିର୍ମାଣ କଲେ ।୨୩। ବିଶ୍ୱକର୍ମା ଅତ୍ୟନ୍ତ ଉଗ୍ରରୂପୀ ବଜ୍ରକୁ ନିର୍ମାଣ କରି ଇନ୍ଦ୍ରଙ୍କୁ କହିଲେ, ହେ ଦେବଗଣ ! ଅସ୍ତ୍ରଶ୍ରେଷ୍ଠ ଏହି ବଜ୍ରଦ୍ୱାରା ତୁମ୍ଭେମାନେ ଅଦ୍ୟ ତୁମ୍ଭର ଉଗ୍ର ଶତ୍ରୁଙ୍କୁ ଭସ୍ମ କର ।୨୪। ହେ ଇନ୍ଦ୍ର, ତତ୍‍ପରେ ତୁମ୍ଭେ ଶତ୍ରୁଙ୍କୁ ବିନାଶ କରି ଦେବଗଣଙ୍କ ସହ ସୁଖରେ ନିଖିଳ ତ୍ରିଭୁବନକୁ ପାଳନ କର । ବିଶ୍ୱକର୍ମାଙ୍କ ବଚନ ଶ୍ରବଣ କରି ଇନ୍ଦ୍ର ହୃଷ୍ଟ ହୋଇ ସେହି ବଜ୍ରକୁ ଯତ୍ନପୂର୍ବକ ଗ୍ରହଣ କଲେ ।୨୫।

 

॥ ଅଧ୍ୟାୟ – ୧୦୧ ॥

 

ଲୋମଶ ବୋଇଲେ–ତଦନନ୍ତର ବଳଶାଳୀ ଦେବତାବୃନ୍ଦରେ ପରିରକ୍ଷିତ ହୋଇ ବଜ୍ର ଗ୍ରହଣ କରି ଇନ୍ଦ୍ର ବୃତ୍ତ୍ରାସୁରଙ୍କ ପ୍ରତି ଗମନ କଲେ । ବୃତ୍ତ୍ରାସୁର ତତ୍କାଳରେ ସ୍ୱର୍ଗ ଓ ମର୍ତ୍ତ୍ୟକୁ ଆବରଣ କରି ମହାକାୟ କାଳକେୟଗଣଙ୍କଦ୍ୱାରା ଚତୁଃପାର୍ଶ୍ୱରେ ଅଭିରକ୍ଷିତ ହୋଇଥିଲେ । ପର୍ବତମାନେ ଶୃଙ୍ଗରେ ଶୋଭିତ ହେଲା ପ୍ରାୟ ସେହି ଅସୁରମାନେ ସ୍ୱ ସ୍ୱ ପ୍ରହରଣଦ୍ୱାରା ପରିଶୋଭିତ ହେଉଥିଲେ । ହେ ଭରତଶ୍ରେଷ୍ଠ ! ତଦନନ୍ତର ମୁହୂର୍ତ୍ତେ ପର୍ଯ୍ୟନ୍ତ ଦେବ ଓ ଦାନବମାନଙ୍କର ଏପରି ଯୁଦ୍ଧ ହେଲା ଯେ ତଦ୍ଦ୍ୱାରା ଲୋକମାନେ ତ୍ରାସପ୍ରାପ୍ତ ହେଲେ ।୩। ବୀରମାନଙ୍କ ବାହୁଦ୍ୱାରା ପ୍ରତିପକ୍ଷ ଭଟଙ୍କ ଦେହରେ ଖଡ଼୍‌ଗାଘାତର ସୁତୁମୁଳ ଶବ୍ଦ ସମୁତ୍‌ଥିତ ହେଲା ।୪।

 

ହେ ମହାରାଜ ! ତାଳଫଳ ସବୁ ବୃନ୍ତଚ୍ୟୁତ ହୋଇ ପତିତ ହେଲେ ଯେରୂପ ଦୃଶ୍ୟ ହୁଏ, ସେହି ରୂପ ଆକାଶରୁ ଅସୁରଙ୍କ ମସ୍ତକମାନ ଭୂତଳରେ ନିପତିତ ହେବାର ଦେଖାଗଲା ।୫। ସେହିସବୁ ମହାକାୟ ଅସୁରମାନେ କାଞ୍ଚନକବର ପରିଧାନ କରି ପରିଘନିଚୟ ଉତ୍ତୋଳନ ପୂର୍ବକ ତ୍ରିଦଶଗଣଙ୍କ ପ୍ରତି ଧାବମାନ ହେଲାବେଳେ ବୋଧହେଲା ଯେ ଦାବାନଳ ପ୍ରଜ୍ୱଳିତ ଭୂଧରମାନେ ଅତି ବେଗରେ ସଞ୍ଚରୁ ଅଛନ୍ତି ।୬। ଗର୍ବ କରି ଯେତେବେଳେ ସେହି ଦୈତ୍ୟମାନେ ଦେବତାମାନଙ୍କ ପ୍ରତି ଧାବିତ ହେଲେ, ତେତେବେଳେ ଦେବନିଚୟ ସେହି ବେଗକୁ ସହ୍ୟ କରି ନ ପାରି ରଣଭଙ୍ଗ ଦେଇ ଭୟରେ ପଳାୟନ କଲେ ।୭। ତତ୍‍ପରେ ବିବୁଧମାନଙ୍କୁ ଭୟରେ ପଳାୟନ କରିବାର ଓ ବୃତ୍ତ୍ରାସୁରକୁ ବର୍ଦ୍ଧମାନ ହେବାର ଦେଖି ସହସ୍ରଲୋଚନ ଇନ୍ଦ୍ର ମହାନ କଶ୍ମଳ ପ୍ରାପ୍ତ ହେଲେ ।୮। ସାକ୍ଷାତ୍ ଦେବପୁରନ୍ଦର କାଳକେୟଗଣଙ୍କଠାରୁ ଭୀତ ହୋଇ ଶୀଘ୍ର ପ୍ରଭୁ ନାରାୟଣଙ୍କର ଶରଣାପନ୍ନ ହେଲେ ।୯। ଇନ୍ଦ୍ରଙ୍କୁ ମୋହାବିଷ୍ଟ ଦେଖି ସନାତନ ପ୍ରଭୁ ବିଷ୍ଣୁ ସ୍ୱକୀୟ ତେଜକୁ ଶକ୍ରଙ୍କ ଦେହରେ ନିହିତ କରି ତାହାଙ୍କ ବଳକୁ ପରିବର୍ଦ୍ଧିତ କଲେ । ଦେବଗଣ ଓ ନିର୍ମଳାତ୍ମା ବ୍ରହ୍ମର୍ଷିମାନେ ଶତ୍ରୁଙ୍କୁ ବିଷ୍ଣୁରକ୍ଷିତ ଦେଖି ସେମାନେ ମଧ୍ୟ ସ୍ୱ ସ୍ୱ ତେଜଦ୍ୱାରା ଇନ୍ଦ୍ରଙ୍କ ବଳକୁ ବର୍ଦ୍ଧିତ କଲେ । ଦେବଗଣଙ୍କ ସହ ବିଷ୍ଣୁଙ୍କଦ୍ୱାରା ଓ ମହାଭାଗ ଋଷିମାନଙ୍କଦ୍ୱାରା ଆପ୍ୟାୟିତ ହୋଇ ଇନ୍ଦ୍ର ଅତିଶୟ ବଳବାନ ହେଲେ ।୧୨। ତ୍ରିଦଶାଧିପତିଙ୍କୁ ବଳବାନ ହେବାର ଜାଣି ବୃତ୍ତ୍ର ଅସୁର ମହାନ ନିନାଦ କଲେ । ତାହାଙ୍କର ସେହି ପ୍ରଣଦାଦ୍ୱାରା ଆକାଶ, ପୃଥିବୀ, ନଗ ଓ ଦିଗମାନେ ସମସ୍ତେ ପ୍ରକମ୍ପିତ ହେଲେ ।୧୩।

 

ହେ ରାଜନ୍‌ ! ତତ୍‍ପରେ ବୃତ୍ତ୍ରଙ୍କର ଘୋରତର ଆରାବ ଶ୍ରବଣ କରି ଭୟରେ ନିମଗ୍ନ ହୋଇ ମହେନ୍ଦ୍ର ଅତ୍ୟନ୍ତ ଅଭିଭକ୍ତ ହୋଇ ଶୀଘ୍ର ବୃତ୍ତ୍ରାଙ୍କର ବଧ ନିମିତ୍ତ ମହାନ ବଜ୍ରକୁ ନିକ୍ଷେପ କଲେ ।୧୪। କାଞ୍ଚନମାଲ୍ୟଧାରୀ ସେହି ମହାସୁର ଶକ୍ରଙ୍କର ବଜ୍ରଦ୍ୱାରା ଅଭିହିତ ହୋଇ ବିଷ୍ଣୁଙ୍କ ହସ୍ତରୁ ମୁକ୍ତ ହୋଇ ମହା ଶୈଳବର ମନ୍ଦର ପତିତ ହେଲା ପ୍ରାୟ ନିପତିତ ହେଲେ ।୧୫। ସେହି ଦୈତ୍ୟବର ନିହତ ହୋଇଥିଲେ ହେଁ ଇନ୍ଦ୍ର ଭୟରେ ଆର୍ତ୍ତ ହୋଇ ଗୋଟାଏ ସରୋବର ମଧ୍ୟରେ ଲୁଚିଲେ । ସେ ଜାଣିଲେ ଯେ ତାହାଙ୍କ କରରୁ ବଜ୍ର ମୁକ୍ତ ହୋଇ ନାହିଁ କି ବୃତ୍ତ୍ର ହତ ହୋଇ ନାହିଁ ।୧୬। ଦେବମାନେ ସମସ୍ତେ ଓ ମହର୍ଷିମାନେ ପ୍ରମୁଦିତ ଓ ପ୍ରହୃଷ୍ଟ ହୋଇ ଇନ୍ଦ୍ରଙ୍କୁ ସ୍ତୁତି କଲେ । ବୃତ୍ତ୍ରବଧରେ ସନ୍ତପ୍ତ ଓ ଏକତ୍ର ଦୈତ୍ୟମାନଙ୍କୁ ସତ୍ୱର ହନନ କଲେ ।୧୭। ସମବେତ ତ୍ରିଦଶଗଣଙ୍କଠାରୁ ଅସୁରମାନେ ସନ୍ତ୍ରସ୍ତ ହୋଇ ଓ ଭୀତରେ ଆର୍ତ୍ତ ହୋଇ ଝସନକ୍ରାକୁଳିତ ଅମେୟ ସମୁଦ୍ର ମଧ୍ୟରେ ପ୍ରବେଶ କଲେ ।୧୮।

 

ତତ୍‍ପରେ ଅସୁରମାନେ ତ୍ରିଲୋକ ବିନାଶ ନିମିତ୍ତ ଏକତ୍ର ହୋଇ ମନ୍ତ୍ରଣା କଲେ । ତନ୍ମଧ୍ୟରୁ କେହି କେହି ବୁଦ୍ଧିମନ୍ତ ଅସୁର ନାନାବିଧ ଉପାୟ ବର୍ଣ୍ଣନା କଲେ । କାଳକ୍ରମେ ଉକ୍ତ ପ୍ରକାରେ ଚିନ୍ତାଦ୍ୱାରା ସେମାନଙ୍କର ଏତାଦୃଶ ଦୁର୍ମତି ଉପସ୍ଥିତ ହେଲା ଯେ ଯେଉଁମାନେ ବିଦ୍ୟା ଓ ତପଃସମ୍ପନ୍ନ, ସେହିମାନଙ୍କୁ ଅଗ୍ରେ ବିନାଶ କରିବାର ବିଧେୟ ବୋଲି ସ୍ଥିର କଲେ । ତପସ୍ୟାଦ୍ୱାରା ଲୋକମାନେ ସମସ୍ତେ ଧୃତ ହୋଇ ରହିଅଛନ୍ତି; ଅତଏବ ପ୍ରଥମେ ତପସ୍ୟାର କ୍ଷୟକୁ ସତ୍ୱର ସାଧିତ କର । ବସୁନ୍ଧରାରେ ଯେଉଁମାନେ ଧର୍ମଜ୍ଞ ଓ ଧାର୍ମିକ ଅଟନ୍ତି, ସେହିମାନଙ୍କୁ ଅଗ୍ରେ ଶୀଘ୍ର ବଧ କର । ସେମାନେ ପ୍ରଣଷ୍ଟ ହେଲେ ଜଗତ ପ୍ରଣଷ୍ଟ ହେବ । ଏହି ପ୍ରକାର ଦୁର୍ବୁଦ୍ଧିଦ୍ୱାରା ସେମାନେ ଜଗତର ବିନାଶ କାର୍ଯ୍ୟରେ ଦୃଷ୍ଟାନ୍ତଃକରଣରେ ପ୍ରବୃତ୍ତ ହେଲେ ଓ ମହୋର୍ମିମାଳିନୀ ବରୁଣଙ୍କ ଆଳୟ ରତ୍ନାକରକୁ ଦୁର୍ଗସ୍ୱରୂପ ଆଶ୍ରୟ କଲେ ।୨୩।

 

॥ ଅଧ୍ୟାୟ – ୧୦୨ ॥

 

ଲୋମଶ ବୋଇଲେ–ହେ ମହାରାଜ ! କାଳେୟ ଦୈତ୍ୟଗଣ ସମୁଦ୍ରକୁ ଆଶ୍ରୟ କରି ରହି ତ୍ରିଲୋକ ବିନାଶରେ ପ୍ରବୃତ୍ତ ହେଲେ ।୧। ରାତ୍ରିରେ ସେମାନେ କ୍ରୁଦ୍ଧ ହୋଇ ସର୍ବଦା ମୁନିମାନଙ୍କୁ ଭକ୍ଷଣ କରନ୍ତି । ଯେଉଁମାନେ ଆଶ୍ରମରେ ଥାନ୍ତି ଅଥବା ପୁଣ୍ୟକ୍ଷେତ୍ରରେ ଥାଆନ୍ତି, ସେମାନଙ୍କୁ ଭକ୍ଷଣ କରନ୍ତି । ସେହି ଦୁରାତ୍ମାମାନେ ବଶିଷ୍ଠଙ୍କ ଆଶ୍ରମରେ ଏକ ଶତ ଅଶୀ ବିପ୍ରଙ୍କୁ ଓ ନଅ ଜଣ ତପସ୍ୱୀଙ୍କୁ ଭକ୍ଷଣ କଲେ ।୩। ଦ୍ୱିଜଗଣନିଷେବିତ ଚ୍ୟବନ ମୁନିଙ୍କର ପୁଣ୍ୟାଶ୍ରମକୁ ଗମନ କରି ସେଠାରୁ ଫଳମୂଳାହାରୀ ଏକ ଶତ ମୁନିଙ୍କୁ ଭକ୍ଷଣ କଲେ । ଏହି ପ୍ରକାର ରାତ୍ରିକାଳରେ ଋଷିମାନଙ୍କୁ ଭକ୍ଷଣ କରି ଦିବସରେ ଅର୍ଣ୍ଣବ ମଧ୍ୟରେ ପ୍ରବେଶ କଲେ । ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ନିୟତାହାରୀ ବ୍ରହ୍ମଚାରୀମାନେ ବାସ କରୁଥିଲେ । ସେମାନେ ବାୟୂ ଆହାର କରିଥାନ୍ତି, କେହି ଅବା ଜଳପାନ କରିଥାନ୍ତି । ତନ୍ମଧ୍ୟରୁ ବିଂଶତି ଜଣଙ୍କୁ ସେମାନେ ବିନଷ୍ଟ କଲେ । ଏହି ପ୍ରକାରେ ଭୁଜବଳରେ ଦର୍ପିତ ଓ ମତ୍ତହୋଇ ରାତ୍ରିରେ କ୍ରମରେ ସେହି ଦାନବମାନେ ସବୁ ଆଶ୍ରମକୁ ଧାବମାନ ହେଲେ । କାଳେୟମାନେ କାଳପ୍ରେରିତ ହୋଇ ଏହି ପ୍ରକାରେ ବହୁସଂଖ୍ୟକ ଦ୍ୱିଜଙ୍କୁ ବିନଷ୍ଟ କଲେ ।୭।

 

ହେ ମନୁଜୋତ୍ତମ ! ଦୈତ୍ୟମାନେ ଯେ ତପୋବନକୁ ଗମନ କରି ତାପସମାନଙ୍କ ପ୍ରତି ଏତାଦୃଶ ବ୍ୟବହାର କରନ୍ତି, ଏହା କେହି ଜାଣିପାରନ୍ତି ନାହିଁ ।୮। ପ୍ରଭାତ ହେଲେ ମନୁଷ୍ୟମାନେ ଦେଖନ୍ତି ଯେ ଅନାହାର ଓ ନିୟତାହାରବଶତଃ ଋଷିମାନଙ୍କର ମାଂସହୀନ ରକ୍ତଲିପ୍ତ କୃଶ ମୃତଦେହ ଇତସ୍ତତଃ ନିପତିତ ହୋଇଥାଏ । ସ୍ଥାନେ ସ୍ଥାନେ ଭଗ୍ନ ସନ୍ଧି, ମଜ୍ଜା, ଅନ୍ତ୍ର ଓ ରୁଧିରରହିତ ମୃତ ଶରୀର ପଡ଼ିଥାଏ । ଶଙ୍ଖରାଶି ପ୍ରାୟ ଅସ୍ଥିସଂଘ ଭୂତଳକୁ ଧବଳିତ କରିଥାଏ, ଯଜ୍ଞକୁଣ୍ଡମାନ ଭଗ୍ନ ହୋଇଥାଏ ଓ କଳଶ, ସ୍ରୁବ, ସୃଚ–ଏମାନେ ମଧ୍ୟ ଭଗ୍ନ ହୋଇ ହୋମସ୍ଥାନକୁ ସମାବୃତ କରିଥାନ୍ତି ।୧୧। କାଳେୟଗଣଙ୍କଦ୍ୱାରା ପୀଡ଼ିତ ହୋଇ ସମସ୍ତ ଜଗତ ନିରୁତ୍ସାହ ହେଲା । ସ୍ୱାଧ୍ୟାୟ, ବଷଟ୍‌କାର, ଯଜେ୍ଞାତ୍ସବ ଓ କ୍ରିୟାକଳାପ ଏକାବେଳକେ ବିଲୁପ୍ତ ହେଲା ।୧୨। ହେ ମନୁଜେଶ୍ୱର ! ଏହିରୂପେ ମନୁଷ୍ୟମାନେ କ୍ଷୟପ୍ରାପ୍ତ ହେଲେ । ଅବଶିଷ୍ଟ ମାନବମାନେ ଭୀତ ହୋଇ ଆତ୍ମରକ୍ଷା ନିମିତ୍ତ ଦିଗଦିଗନ୍ତକୁ ପଳାୟନ କଲେ । କେହି କେହି ଗୁହା ମଧ୍ୟରେ ପ୍ରବେଶ କଲେ । କେହି ନିର୍ଝରଣୀ ନିକଟରେ ଲୁକ୍‌କାୟିତ ହୋଇ ରହିଲେ । କେହି କେହି ଏପରି ଯାତନା ଭୟରେ ସ୍ତ୍ରୀୟ ପ୍ରାଣ ତ୍ୟାଗ କଲେ ।୧୪। କେହି କେହି ଧନୁର୍ଦ୍ଧାରୀ ବୀରପୁରୁଷମାନେ ହର୍ଷାନ୍ୱିତ ହୋଇ ଦାନବମାନଙ୍କୁ ବଧ କରିବା ନିମିତ୍ତ ଅତି ଯତ୍ନପୂର୍ବକ ସେମାନଙ୍କୁ ଅନ୍ୱେଷଣ କଲେ ।୧୫। କିନ୍ତୁ ସେମାନେ ସମୁଦ୍ରକୁ ଆଶ୍ରୟ କରିଥିବାରୁ ସେମାନଙ୍କର ସାକ୍ଷାତ୍ ପ୍ରାପ୍ତ ନ ହୋଇ କେବଳ ମାତ୍ର ଶ୍ରାନ୍ତ ହୋଇ ସ୍ୱକୀୟ ନିକେତନକୁ ପ୍ରତିଗତ ହେଲେ ।୧୬।

 

ହେ ମନୁଜେଶ୍ୱର ! ଏହି ରୂପେ ଜଗତ ଶୂନ୍ୟ ହୁଅନ୍ତେ ଯଜ୍ଞ ଓ କ୍ରିୟା ପ୍ରଭୃତି ଲୁପ୍ତ ହୁଅନ୍ତେ, ଦେବମାନେ ପରମ ଶୋକ ପ୍ରାପ୍ତ ହେଲେ ।୧୭। ମହେନ୍ଦ୍ର ପ୍ରଭୃତି ସମସ୍ତ ଦେବତାମାନେ ସମବେତ ହୋଇ ଭୟରେ ଗୋପନ ମନ୍ତ୍ରଣା କରି ଶରଣାଗତ ଜନଙ୍କ ରକ୍ଷାକର୍ତ୍ତା ଦେବ ଓ ପ୍ରଭୁ ନାରାୟଣଙ୍କ ସମୀପକୁ ଗମନ କଲେ ।୧୮। ସେମାନେ ସମସ୍ତେ ବୈକୁଣ୍ଠକୁ ଗମନ କରି ଅପରାଜିତ ସେହି ବୈକୁଣ୍ଠନାଥ ମଧୁସୂଦନଙ୍କୁ ନମସ୍କାରପୂର୍ବକ ନିବେଦନ କଲେ ।୧୯। ହେ ପ୍ରଭୋ ! ଆପଣ ଆମ୍ଭମାନଙ୍କର ସୃଷ୍ଟିକାରୀ ଓ ଜଗତର ହର୍ତ୍ତା ଏବଂ କର୍ତ୍ତା ଅଟନ୍ତି । ଆପଣ ଅସ୍ଥାବର ଓ ଜଙ୍ଗମ ସହିତ ଏହି ବିଶ୍ୱକୁ ସର୍ଜନା କରିଅଛନ୍ତି ।୨୦। ହେ ପଦ୍ମନେତ୍ର ! ପୂର୍ବକାଳରେ ଏହି ଜଗତ ଜଳମଗ୍ନ ହୋଇଥିଲା । ଆପଣ ବାରାହ ତନୁ ଧାରଣ କରି ଏହାକୁ ଉଦ୍ଧାର କରିଥିଲେ-।୨୧। ହେ ପୁରୁଷୋତ୍ତମ ! ପୂର୍ବକାଳରେ ମହାବଳଶାଳୀ ହିରଣ୍ୟକଶିପୁ ନାମକ ଆଦିଦୈତ୍ୟକୁ ଆପଣ ନରସିଂହବପୁ ଧାରଣ କରି ନିହତ କରିଥିଲେ ।୨୨। ସର୍ବ ପ୍ରାଣୀଙ୍କର ଅବଧ୍ୟ ମହାସୁର ବଳିକୁ ବାମନ ବପୁ ଧାରଣ କରି ଛଳି ତ୍ରିଲୋକ୍ୟାଧିପତ୍ୟରୁ ଭ୍ରଂଶିତ କରୁଥିଲେ-।୨୩। ମହାଧନୁର୍ଦ୍ଧାରୀ ଜମ୍ଭ ନାମକ ଅସୁର ଥିଲା । ଶୁଣାଅଛି ଯେ ସେହି ଯଜ୍ଞକ୍ଷୋଭକାରୀ କ୍ରୂର ଦୈତ୍ୟ ଆପଣଙ୍କଦ୍ୱାରା ବିନିପାତିତ ହୋଇଥିଲା ।୨୪। ଏହି ପ୍ରକାରେ ଯେ ଅନେକ କର୍ମ ଆପଣ କରିଅଛନ୍ତି, ତାହାର ସଂଖ୍ୟା ନାହିଁ । ଏବେ ଆମ୍ଭେମାନେ ଭୟାର୍ତ୍ତ ହୋଇଅଛୁଁ । ହେ ମଧୁସୂଦନ-! ଆପଣ ଆମ୍ଭମାନଙ୍କର ଗତି ଅଟନ୍ତି ।୨୫। ମହାଦେବ ଦେବେଶ ! ଏହି କାରଣରୁ ଆମ୍ଭେମାନେ ଲୋକର ହିତ ନିମିତ୍ତ ଜଣାଉଅଛୁଁ ଯେ ଆପଣ ଏହି ଲୋକମାନଙ୍କୁ, ଦେବଗଣଙ୍କୁ ଓ ଇନ୍ଦ୍ରଙ୍କୁ ମହାଭୟରୁ ରକ୍ଷା କରନ୍ତୁ ।୨୬।

 

॥ ଅଧ୍ୟାୟ – ୧୦୩ ॥

 

ଦେବତାମାନେ କହିଲେ–ହେ ଜଗତପତେ ! ଆପଣଙ୍କ ପ୍ରସାଦରୁ ଜରାୟୁଜ, ଅଣ୍ଡଜ, ସ୍ୱେଦଜ ଓ ଉଭିଜ୍ଜ ଚତୁର୍ବିଧ ପ୍ରଜାମାନେ ପରିବର୍ଦ୍ଧିତ ହୋଇଅଛନ୍ତି । ଏକା ଆପଣଙ୍କ ପ୍ରସାଦରୁ ସେହି ପ୍ରଜାମାନେ ବର୍ଦ୍ଧିତ ହୋଇ ହବ୍ୟକବ୍ୟଦ୍ୱାରା ଦେବଗଣଙ୍କୁ ଓ ପିତୃଗଣଙ୍କୁ ବର୍ଦ୍ଧିତ କରନ୍ତି ଓ ଦେବତାମାନେ ମଧ୍ୟ ପରିତୃପ୍ତ ହୋଇ ତାହା ପରିବର୍ତ୍ତରେ ବୃଷ୍ଟି ପ୍ରଭୃତିଦ୍ୱାରା ସେମାନଙ୍କର ପାଳନ କରନ୍ତି । ସ୍ୱର୍ଗ ଓ ମର୍ତ୍ତ୍ୟ ଉଭୟ ଲୋକ ଏହି ରୂପେ ପରସ୍ପର ସହାୟଦ୍ୱାରା ପରସ୍ପରର ଆଶ୍ରୟ ହୋଇ ଓ ଆପଣଙ୍କଦ୍ୱାରା ପରିରକ୍ଷିତ ହୋଇ ନିରୁଦ୍‌ବିଗ୍ନ ଭାବରେ ବର୍ଦ୍ଧିତ ହୋଇଅଛନ୍ତି ।୨। ସମ୍ପ୍ରତି ଗୋଟିଏ ମହାଭୟ ଉପସ୍ଥିତ ହୋଇଅଛି ଯେ ରାତ୍ରିରେ କିଏ ଆସି ବ୍ରାହ୍ମଣମାନଙ୍କୁ ବଧ କରୁଅଛି, ତାହା ଆମ୍ଭେମାନେ ଜାଣିପାରୁ ନାହୁଁ ।୩। ବ୍ରାହ୍ମଣମାନଙ୍କର କ୍ଷୟ ହେଲେ ପୃଥିବୀ କ୍ଷୟପ୍ରାପ୍ତ ହେବ-।୪। ହେ ମହାବାହୋ ! ଆପଣ ଜଗତର ପତି ଅଟନ୍ତି । ଆପଣଙ୍କର ପ୍ରସାଦରୁ ଏହି ଲୋକମାନେ ପରିରକ୍ଷିତ ହୋଇଅଛନ୍ତି । ସେମାନେ ଯେପରି ବିନାଶ ପ୍ରାପ୍ତ ନ ହୁଅନ୍ତି, ତହିଁର ଯତ୍ନ କରନ୍ତୁ ।୫।

 

ବିଷ୍ଣୁ ବୋଇଲେ, ହେ ସୁରଗଣ ! ପ୍ରଜାମାନେ ଯେଉଁ କାରଣରୁ କ୍ଷୟିତ ହେଉଅଛନ୍ତି, ତାହା ଆମ୍ଭଙ୍କୁ ପୂର୍ବରୁ ଜଣାଅଛି । ଆପଣମାନଙ୍କୁ କହୁଅଛି, ଦୁଃଖିତ ନ ହୋଇ ଶ୍ରବଣ କରନ୍ତୁ ।୬। କାଳକେୟ ନାମରେ ଅତିଶୟ ଦାରୁଣ ଦୈତ୍ୟ ଅଛନ୍ତି । ରାତ୍ରି ହେଲେ ସେମାନେ ଆସି ଜଗତକୁ ପ୍ରମଥିତ କରୁଅଛନ୍ତି ।୭। ବୁଦ୍ଧିମାନ ସହସ୍ଣାକ୍ଷଙ୍କଦ୍ୱାରା ବୃତ୍ତ୍ରାସୁର ବଧ ହୁଅନ୍ତେ, ସେମାନେ ପ୍ରାଣ ରକ୍ଷା କରି ବରୁଣାଳୟରେ ଆଶ୍ରୟ ଗ୍ରହଣ କରିଅଛନ୍ତି ।୮। ନକ୍ର, ଗ୍ରାହ ପ୍ରଭୃତି ଭୟଙ୍କର ଜଳଜନ୍ତୁଦ୍ୱାରା ସମାକୁଳିତ ଘୋର ସମୁଦ୍ରରେ ରହି ଲୋକମାନଙ୍କ ବିନାଶାର୍ଥେ ରାତ୍ରିରେ ଏହିଠାକୁ ଆସି ମୁନିମାନଙ୍କୁ ଆହାର କରୁଅଛନ୍ତି ।୯। ଯେଣୁ ସେମାନେ ସମୁଦ୍ରର ଆଶ୍ରୟ ନେଇଅଛନ୍ତି, ତେଣୁ ତୁମ୍ଭେମାନେ ସେହି ଅସୁରଙ୍କୁ ବିନଷ୍ଟ କରିପାରିବ ନାହିଁ । ଏବେ ଯହିଁରେ ସମୁଦ୍ର କ୍ଷୟପ୍ରାପ୍ତ ହୁଏ, ଅଗ୍ରେ ତହିଁର ଯତ୍ନ କର ।୧୦। ଅର୍ଣ୍ଣବକୁ ଶୋଷଣ କରିବାକୁ ଆଗସ୍ତ୍ୟ ମୁନିଙ୍କ ବ୍ୟତିରେକେ ଆଉ କେହି ସମର୍ଥ ନୁହନ୍ତି ଓ ସାଗର ଶୋଷଣ ନ କଲେ ସେହି ଅସୁରମାନେ ବିନଷ୍ଟ ହେବେ ନାହିଁ-

 

ବିଷ୍ଣୁଙ୍କ କଥାକୁ ଶ୍ରବଣ କରି ଦେବତାମାନେ ସମସ୍ତେ ପରମେଷ୍ଠୀ ବ୍ରହ୍ମାଙ୍କଠାରୁ ବିଦାୟ ହୋଇ ଅଗସ୍ତୀଙ୍କ ଆଶ୍ରମକୁ ଗମନ କଲେ ।୧୨। ସେଠାରେ ଯାଇ ଦେଖିଲେ ଯେ ଦେବତାମାନେ ସମସ୍ତେ ଯେପରି ବ୍ରହ୍ମାଙ୍କୁ ବେଷ୍ଟନ କରି ଉପାସନା କରନ୍ତି, ସେହିପରି ଦୀପ୍ତତେଜା ମହାତ୍ମା ଅଗସ୍ତୀଙ୍କୁ ଋଷିମାନେ ଉପାସନା କରୁଅଛନ୍ତି ।୧୩। ମିତ୍ରାବରୁଣନନ୍ଦନ ମହାତ୍ମା ଅଗସ୍ତୀଙ୍କୁ ଆଶ୍ରମରେ ଅବସ୍ଥିତ ହେବାର ଦେଖି ଦେବତାମାନେ ସମସ୍ତେ ତାହାଙ୍କ କୃତ ପ୍ରଶଂସନୀୟ କର୍ମର ଉଲ୍ଲେଖ କରି ସ୍ତୁତି ଆରମ୍ଭ କଲେ ।୧୪। ଦେବତାମାନେ କହିଲେ, ହେ ମୁନେ ! ପୁର୍ବେ ଯେତେବେଳେ ଲୋକମାନେ ନହୁଷଦ୍ୱାରା ସଂତପ୍ତ ହୋଇଥିଲେ, ତେତେବେଳେ ଆପଣ ସେମାନଙ୍କର ଗତି ସ୍ୱରୂପ ହୋଇ ଲୋକକଣ୍ଟକ ସେହି ନହୁଷଙ୍କୁ ସ୍ୱର୍ଗଚ୍ୟୁତ କରି ତାହାଙ୍କୁ ସୁରୋଚିତ ଐଶ୍ୱର୍ଯ୍ୟରୁ ଭ୍ରଂଶିତ କରିଥିଲେ ।୧୫। ଭୂଧରଶ୍ରେଷ୍ଠ ବିନ୍ଧ୍ୟଗିରି ରୋଷ କରି ସୂର୍ଯ୍ୟଙ୍କ ଗତିରୋଧ ନିମିତ୍ତ ବର୍ଦ୍ଧିତ ହେଉଥିଲେ । ତେତେବେଳେ ସେହି ଗିରିବର ଆପଣଙ୍କ ବଚନକୁ ଅତିକ୍ରମ ନ କରିପାରି ବୃଦ୍ଧିରୁ ବିରତ ହେଲେ ।୧୭। ତତ୍କାଳରେ ସୂର୍ଯ୍ୟଙ୍କ ଅଭାବରୁ ଏହି ଜଗତ ଅନ୍ଧକାରରେ ଆବୃତ ହୋଇଥିଲା । ସେହି ହେତୁରୁ ପ୍ରଜାମାନେ ଦୁଃଖରେ ଅତିଶୟ ପୀଡ଼ିତ ହୋଇଥିଲେ । କିନ୍ତୁ ପରିଶେଷରେ ଆପଣଙ୍କୁ ନାଥସ୍ୱରୂପ ପ୍ରାପ୍ତ ହୋଇ ପରମଶାନ୍ତି ଲାଭ କଲେ ।୧୭। ଅତଏବ ହେ ଭଗବନ୍‌ ! ଆମ୍ଭେ ଯେତେବେଳେ, ଭୟଭୀତ ଓ ଆର୍ତ୍ତହୋଇ ବର ପ୍ରାର୍ଥନା କରୁଅଛୁ, ତେତେବେଳେ ଆପଣ ଆମ୍ଭମାନଙ୍କର ଗତିସ୍ୱରୂପ ହୋଇ ଅଭିଷ୍ଟ ବର ପ୍ରଦାନ କରନ୍ତୁ ।୧୮।

 

॥ ଅଧ୍ୟାୟ – ୧୦୪ ॥

 

ଯୁଧିଷ୍ଠିର ପଚାରିଲେ, ହେ ମହାମୁନେ ! କି ହେତୁରୁ ବିନ୍ଧ୍ୟଗିରି ସହସା କ୍ରୋଧାନ୍ଧ ହୋଇ ବଦ୍ଧ ତ ହେଲେ, ତାହା ଆମ୍ଭେ ବିସ୍ତାରପୂର୍ବକ ଶ୍ରବଣ କରିବାକୁ ଇଚ୍ଛା କରୁଅଛୁ ।୧। ଲୋମଶ ଉତ୍ତର କଲେ, ଅଦ୍ରିରାଜ ମହାଶୈଳ ମେରୁ ନାମକ କନକ ପର୍ବତକୁ ସୂର୍ଯ୍ୟ ପ୍ରଦକ୍ଷିଣ କରି ଉଦୟାସ୍ତ ସମ୍ପାଦନ କରୁଥିଲେ । ବିନ୍ଧ୍ୟଶୈଳ ଏହା ଦେଖି ସୂର୍ଯ୍ୟଙ୍କୁ ବୋଇଲେ, ଆପଣ ଯେପରି ନିତ୍ୟନିତ୍ୟ ମେରୁ ପର୍ବତକୁ ପରିଭ୍ରମଣ କରନ୍ତି, ସେହିପରି ହେ ଭାସ୍କର ! ମୋତେ ପ୍ରଦକ୍ଷିଣ କରନ୍ତୁ । ଏହି ବଚନ ଶ୍ରବଣ କରି ସୂର୍ଯ୍ୟ ଶୈଳବରଙ୍କୁ ପ୍ରତିଭାଷଣ କଲେ–ହେ ଶୈଳ ! ଆମ୍ଭେ ଆପଣା ଇଚ୍ଛାରେ ମେରୁ ପର୍ବତକୁ ପ୍ରଦକ୍ଷିଣ କରୁ ନାହୁଁ; ଯେଉଁମାନେ ଏହି ଜଗତକୁ ନିର୍ମାଣ କରିଅଛନ୍ତି, ସେମାନେ ଆମ୍ଭର ମାର୍ଗକୁ ନିର୍ଦ୍ଦେଶ କରିଅଛନ୍ତି ।୫। ଏହି ବଚନ ଶ୍ରବଣ କରି ବିନ୍ଧ୍ୟାଚଳ କ୍ରୋଧପୂର୍ବକ ସହସା ପ୍ରବୃଦ୍ଧ ହେବାକୁ ଆରମ୍ଭ କଲା । ହେ ପରନ୍ତପ ! ବିନ୍ଧ୍ୟଶୈଳ ଇଚ୍ଛା କଲେ ଯେ ସେ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ଗତିକୁ ଅବରୋଧ କରିବେ ।୬। ତଦନନ୍ତର ଦେବମାନେ ସମସ୍ତେ ଏକତ୍ର ହୋଇ ମହାଗିରିରାଜ ବିନ୍ଧ୍ୟଙ୍କ ସମୀପରେ ଉପସ୍ଥିତ ହୋଇ ବିନୟପୂର୍ବକ ତାହାଙ୍କୁ ନିବାରଣ କଲେ । କିନ୍ତୁ ବିନ୍ଧ୍ୟାଚଳ ସେମାନଙ୍କ ବଚନକୁ ପ୍ରତିପାଳନ କଲେ ନାହିଁ ।୭।

 

ତତ୍‍ପରେ ଦେବତାମାନେ ଧାର୍ମିକଶ୍ରେଷ୍ଠ ତପସ୍ୱୀବର ଅତିଶୟ ପରାକ୍ରମଶାଳୀ ଅଗସ୍ତୀ ମୁନିଙ୍କ ଆଶ୍ରମକୁ ଅଭିଗମନ କଲେ ।୮। ଦେବତାଗଣ ବୋଇଲେ, ଏହି ଶୈଳଶ୍ରେଷ୍ଠ ବିନ୍ଧ୍ୟ କୋପର ବଶୀଭୂତ ହୋଇ ସୂର୍ଯ୍ୟ ଓ ଚନ୍ଦ୍ରଙ୍କର ମାର୍ଗକୁ ଓ ନକ୍ଷତ୍ରମାନଙ୍କ ଗତିକୁ ଆବରଣ କରୁଅଛି-।୯। ହେ ଦ୍ୱିଜୋତ୍ତମ ! ମହାଭାଗ ! ଆପଣଙ୍କ ବ୍ୟତିରେକେ ଅନ୍ୟ କେହି ତାହାଙ୍କୁ ନିବାରଣ କରିବାକୁ ସମର୍ଥ ନୁହେ । ଏହି ହେତୁରୁ ଆପଣ ତାହାଙ୍କୁ ନିବୃତ୍ତ କରନ୍ତୁ ।୧୦। ଅଗସ୍ତୀ ମୁନି ଏହି ବଚନ ଶ୍ରବଣ କରି ଶୈଳ ସମୀପକୁ ଗମନ କଲେ । ସହଧର୍ମିଣୀଙ୍କୁ ସଙ୍ଗରେ ଘେନି ଅଗସ୍ତୀ ମୁନି ବିନ୍ଧ୍ୟଗିରିଙ୍କୁ କହିଲେ ।୧୧। ହେ ନଗେନ୍ଦ୍ର ! ଆମ୍ଭେ କୌଣସି କାର୍ଯ୍ୟ ଉପଲକ୍ଷରେ ଦକ୍ଷିଣ ଦିଗକୁ ଗମନ କରିବୁ । ଅତଏବ ଆମ୍ଭେ ଅଭିଳାଷ କରିଅଛୁଁ ଯେ ତୁମ୍ଭେ ଆମ୍ଭଙ୍କୁ ପଥ ପ୍ରଦାନ କର ଓ ଯାବତ୍କାଳ ପ୍ରତ୍ୟାଗମନ ନ କରିବୁ, ତାବତ୍‍କାଳ ତୁମ୍ଭେ ଆମ୍ଭର ଏହି ବଚନ ପ୍ରତିପାଳନ କରିବ-। ଆମ୍ଭେ ପ୍ରତ୍ୟାବର୍ତ୍ତନ କଲେ ପଛେ ତୁମ୍ଭେ ସ୍ୱେଚ୍ଛାନୁସାରେ ବର୍ଦ୍ଧିତ ହେବ ।୧୩। ହେ ଶତ୍ରୁକର୍ଷଣ-! ବିନ୍ଧ୍ୟଗିରିଙ୍କ ସହିତ ମିତ୍ରାବରୁଣନନ୍ଦନ ଅଗସ୍ତ୍ୟ ଏହି ରୂପ ନିୟମ କରି ଦକ୍ଷିଣ ଦିଗକୁ ଗମନ କଲେ-। ଅଦ୍ୟପି ଏହି ଦିଗରୁ ସେ ପ୍ରତ୍ୟାଗତ ହୋଇ ନାହାନ୍ତି ।୧୪। ହେ ରାଜନ୍‌ ! ଯେଉଁ କାରଣରୁ ଅଗସ୍ତୀମୁନିଙ୍କ ପ୍ରଭାବରୁ ବିନ୍ଧ୍ୟଗିରି ବର୍ଦ୍ଧିତ ନ ହେଲେ ଆପଣ ଯାହା ପ୍ରଶ୍ନ କରିଥିଲେ, ତାହା ସମୁଦାୟ କଥିତ ହେଲା ।୧୫। ହେ ମହାରାଜ ! ଦେବତାମାନେ ଅଗସ୍ତୀଙ୍କଠାରୁ ବରପ୍ରାପ୍ତ ହୋଇ ଯେରୂପେ ଅସୁର କାଳେୟଗଣଙ୍କୁ ନିସୃଦିତ କରିଥିଲେ, ତାହାର ବୃତ୍ତାନ୍ତ ଆମ୍ଭଠାରୁ ଶ୍ରବଣ କରନ୍ତୁ ।୧୭।

 

ମିତ୍ରାବରୁଣଙ୍କ ପୁତ୍ର ଅଗସ୍ତୀମୁନି ତ୍ରିଦଶଗଣଙ୍କ ବାକ୍ୟ ଶ୍ରବଣ କରି କହିଲେ, ତୁମ୍ଭେମାନେ କି ନିମିତ୍ତ ଆଗମନ କରିଅଛ ଓ ଆମ୍ଭଠାରୁ ତୁମ୍ଭର କି ପ୍ରାର୍ଥନା ଅଛି ? ଦେବଗଣଙ୍କୁ ଋଷି ଏହି ରୂପେ କହନ୍ତେ ଦେବତାମାନେ କହିଲେ ।୧୭। ହେ ମହାତ୍ମନ୍‌ ! ଆମ୍ଭେମାନେ ଇଚ୍ଛା କରୁଁ ଯେ ଆପଣ ମହାସାଗରକୁ ପାନ କରନ୍ତୁ । ତାହାହେଲେ ସୁରଦ୍ୱେଷୀ ଦୁରାତ୍ମା କାଳେୟଗଣ ଅସୁରମାନେ ଅନୁଚରବର୍ଗଙ୍କ ସହିତ ବିନାଶପ୍ରାପ୍ତ ହେବେ । ତ୍ରିଦଶମାନଙ୍କର ସେହି ବଚନକୁ ଶ୍ରବଣ କରିବାମାତ୍ରେ ଋଷି ତଥାସ୍ତୁ ବୋଲି ସ୍ୱୀକାର କଲେ ଓ କହିଲେ, ଲୋକସୁଖଜନକ ଏହି ମହତ କାର୍ଯ୍ୟକୁ ତୁମ୍ଭେମାନେ ଅଭିଳାଷ କରିଅଛ । ଏହି ମୁହୂର୍ତ୍ତରେ ତାହା ସମ୍ପାଦନ କରିବୁ ।୧୯। ହେ ସୁବ୍ରତ ! ଅଗସ୍ତୀ ଋଷି ଏହି କଥା କହି ତପଃସିଦ୍ଧ ମୁନି ଅମରବୃନ୍ଦଙ୍କଦ୍ୱାରା ପରିବୃତ୍ତ ହୋଇ ସର୍ବ ସରିତ୍‌ପତି ସାଗରଙ୍କ ଅଭିମୁଖକୁ ଯାତ୍ରା କଲେ ।୨୦। ସେହି ସମୟରେ ମନୁଷ୍ୟ, ଗନ୍ଧର୍ବ, ଉରଗ, ଯକ୍ଷ ପ୍ରଭୃତି ଉପଦେବତାମାନେ ସେହି ଅଦ୍ଭୁତ ବ୍ୟାପାରକୁ ଦର୍ଶନ କରିବା ନିମିତ୍ତ ଅତି ଉତ୍ସୁକ ଚିତ୍ତରେ ମହାତ୍ମା ଆଗସ୍ତ୍ୟଙ୍କ ପଛେ ପଛେ ଗମନ କଲେ ।୨୧। ଅନନ୍ତର ସେମାନେ ମିଳିତ ହୋଇ ସମୁଦ୍ର ସମୀପକୁ ଗମନ କରି ଦେଖିଲେ ଯେ ସରିତ୍‌ପତି ପବନାହତ ହୋଇ ତରଙ୍ଗମାଳାରେ ଆନ୍ଦୋଳିତ ହେଉଅଛି ଓ ଭୀଷଣ ଶବ୍ଦ କରି ନୃତ୍ୟ କରୁଅଛି । ଫେନ ସମୂହଦ୍ୱାରା ତାହାର ହାସ୍ୟ ପ୍ରକାଶିତ ହେଉଅଛି; କୌଣସି କୌଣସିଠାରେ ପର୍ବତ କନ୍ଦରରେ ସ୍ଖଳିତ ହୋଇ ପଡ଼ୁଅଛି । ନାନାବିଧ ଗ୍ରାହମାନଙ୍କଦ୍ୱାରା ସମାକୀର୍ଣ୍ଣ ହେଉଅଛି । ନାନାବିଧ ପକ୍ଷୀଙ୍କଦ୍ୱାରା ଶୋଭିତ ହୋଇଅଛି । ଈଦୃଶ ମହୋଦଧି ତୀରରେ ଅଗସ୍ତ୍ୟ ପ୍ରଭୃତି ଋଷିମାନେ ଦେବଗନ୍ଧର୍ବ ଓ ମହୋରଗମାନେ ଉପସ୍ଥିତ ହେଲେ ।୨୪।

 

॥ ଅଧ୍ୟାୟ – ୧୦୫ ॥

 

ଲୋମଶ ବୋଇଲେ–ମିତ୍ରାବରୁଣପୁତ୍ର ଭଗବାନ ଅଗସ୍ତ୍ୟଋଷି ସମୁଦ୍ର କୂଳକୁ ଗମନ କରି ସମାଗତ ଓ ଏକତ୍ରୀଭୂତ ଦେବମାନଙ୍କୁ ଓ ଋଷିମାନଙ୍କୁ ଉଦ୍ଦେଶ୍ୟ କରି କହିଲେ, ଲୋକହିତାର୍ଥ ଆମ୍ଭେ ଏହି ବରୁଣାଳୟକୁ ପାନ କରିବୁ । ଆପଣମାନଙ୍କର ଯାହା ବିଧେୟ, ତାହା ସମ୍ପାଦନ କରନ୍ତୁ-।୨। ଏହି ବଚନ କହି ମିତ୍ରାବରୁଣନନ୍ଦନ ଅଚ୍ୟୁତ ଅଗସ୍ତ୍ୟ ସର୍ବଲୋକଙ୍କ ସମକ୍ଷରେ କ୍ରୁଦ୍ଧ ହୋଇ ସମୁଦ୍ରକୁ ପାନକଲେ ।୩। ଇନ୍ଦ୍ରଙ୍କ ସହିତ ଅମରଗଣ ସମୁଦ୍ରକୁ ପୀୟମାନ ହେବାର ଦେଖି ପରମ ବିସ୍ମୟରେ ଅଭିଭୂତ ହେଲେ ଓ ଋଷିପ୍ରଭାବକୁ ସ୍ତୁତି କରିବାକୁ ଆରମ୍ଭ କଲେ-।୪। ଆପଣ ଆମ୍ଭମାନଙ୍କର ତ୍ରାଣକର୍ତ୍ତା ଓ ଲୋକମାନଙ୍କର ବିଧାତା ଅଟନ୍ତି । ହେ ଲୋକଭାବନ-! ଆପଣଙ୍କ ପ୍ରସାଦରୁ ଅମରଗଣ ସହିତ ଏହି ଜଗତ ଉଚ୍ଛେଦପ୍ରାପ୍ତ ହୋଇ ନାହିଁ ।୫।

 

ମହାତ୍ମା ଅଗସ୍ତ୍ୟ ତ୍ରିଦଶଗଣଙ୍କଦ୍ୱାରା ପୂଜିତ ହୋଇ ଦିବ୍ୟପୁଷ୍ପରେ ଅବକୀର୍ଯ୍ୟମାଣ ହୋଇ ମହାର୍ଣ୍ଣବକୁ ନିର୍ଜଳ କଲେ । ଏହା ଦେଖି ଗନ୍ଧର୍ବମାନେ ସର୍ବଦିଗରେ ତୂର୍ଯ୍ୟନାଦ କଲେ ।୬। ମହାର୍ଣ୍ଣବକୁ ଜଳଶୂନ୍ୟ ଦେଖି ସୁରଗଣ ପରମ ତୁଷ୍ଟ ହେଲେ ଅଥଚ ଦିବ୍ୟ ଉତ୍କୃଷ୍ଟ ଆୟୁଧମାନଙ୍କୁ ଘେନି ବଳପୂର୍ବକ ଦାନବମାନଙ୍କୁ ନିହତ କଲେ ।୭। ମହାତ୍ମା ମହାବଳ ବେଗଶାଳୀ ଉନ୍ମାଦକାରୀ ତ୍ରିଦଶଗଣଙ୍କଦ୍ୱାରା ଅସୁରମାନେ ବଧ୍ୟମାନ ହେଲେ ଓ ସେହି କାଳରେ ମହାତ୍ମା ଦେବଗଣଙ୍କର ବେଗକୁ ନିବାରଣ କରିବାକୁ କୌଣସି ପ୍ରକାରେ ସମର୍ଥ ହେଲେ ନାହିଁ ।୮। ହେ ଭାରତ ! ତ୍ରିଦଶଗଣଙ୍କଦ୍ୱାରା ଦାନବମାନେ ବଧ୍ୟମାନ ହୋଇ ଭୟଙ୍କର ନିନାଦପୂର୍ବକ ମୁହୂର୍ତ୍ତେ ପର୍ଯ୍ୟନ୍ତ ତୁମୁଳ ଯୁଦ୍ଧ କଲେ ।୯। ଆତ୍ମାରାମ ମୁନିମାନଙ୍କର ତପସ୍ୟାଦ୍ୱାରା ସେହି ଦାନବମାନେ ପୂର୍ବରୁ ଦଗ୍ଧ ହୋଇଥିଲେ । ଅଧୁନା ତ୍ରିଦଶବୃନ୍ଦଙ୍କ ପରମ ଶକ୍ତିଦ୍ୱାରା ନିସୂଦିତ ହେଲେ ।୧୦। ସୁବର୍ଣ୍ଣନିଷ୍କଧାରୀ କୁଣ୍ଡଳ ଓ ଅଙ୍ଗଦାଦି ଆଭରଣଧାରୀ ଦାନବମାନେ ନିହତ ହୁଅନ୍ତେ ପଲାଶ ପୁଷ୍ପପ୍ରାୟ ଶୋଭାଯୁକ୍ତ ହେଲେ ।୧୧। ହେ ମନୁଜୋତ୍ତମ ! ହତଶେଷ କାଳେୟ ଦାନବଗଣ ବସୁଧାକୁ ବିଦୀର୍ଣ୍ଣକରି ପାତାଳ ତଳେ ଆଶ୍ରୟ ନେଲେ ।୧୨। ଦାନବମାନଙ୍କୁ ନିହତ ହେବାର ଦେଖି ମୁନିଶ୍ରେଷ୍ଠ ଅଗସ୍ତ୍ୟଙ୍କୁ ବିବିଧ ବାକ୍ୟଦ୍ୱାରା ଦେବତାମାନେ ତୁଷ୍ଟକରି ଏହି ବଚନ ବୋଇଲେ ।୧୩।

 

ହେ ମହାବାହୋ ! ଆପଣଙ୍କ ପ୍ରସାଦରୁ ଲୋକମାନେ ମହତ ସୁଖ ପ୍ରାପ୍ତ ହେଲେ; କ୍ରୂର ଓ ବିକ୍ରମଶାଳୀ କାଳେୟଗଣ ଆପଣଙ୍କ ତେଜଦ୍ୱାରା ନିହତ ହେଲେ ।୧୪। ହେ ମହାବାହୋ ! ହେ ଲୋକଭାବନ ! ଏବେ ସମୁଦ୍ରକୁ ପୂରଣ କର । ଯେଉଁ ଜଳକୁ ତୁମ୍ଭେ ପାନ କରିଅଛ, ତାହାକୁ ପୁନର୍ବାର ପରିତ୍ୟାଗ କର ।୧୫। ଏହି ବଚନ ଶ୍ରବଣ କରି ମୁନିଶ୍ରେଷ୍ଠ ଭଗବାନ ଅଗସ୍ତ୍ୟ ପ୍ରତ୍ୟୁତ୍ତର ଦେଲେ, ଯେଉଁ ଜଳ ଆମ୍ଭେ ପାନ କରିଥିଲୁ, ସେ ଜୀର୍ଣ୍ଣ ହୋଇଅଛି । ବର୍ତ୍ତମାନ ତୁମ୍ଭେ ଅନ୍ୟ ଉପାୟ ଚିନ୍ତାକର । ସମୁଦ୍ର ପୂରଣ ନିମିତ୍ତ ତୁମ୍ଭେମାନେ ଯତ୍ନ କର । ଭାବିତାତ୍ମା ମହର୍ଷିଙ୍କର ଏହି ବଚନ ଶ୍ରବଣ କରି ସମସ୍ତ ସୁରଗଣ ବିସ୍ମିତ ଓ ବିଷଣ୍ଣ ହେଲେ । ତତ୍‍ପରେ ହେ ମହାରାଜ ! ଦେବାଦି ଋଷି, ମନୁଷ୍ୟ ଓ ଗନ୍ଧର୍ବ ପ୍ରଭୃତି ସମସ୍ତେ ମୁନିବରଙ୍କୁ ପ୍ରଣାମ କରି ପରସ୍ପରଙ୍କଠାରୁ ଅନୁଜ୍ଞା ଘେନି ଯେ ଯେଉଁ ଦିଗରୁ ଆସିଥିଲେ, ସେ ସେହି ଦିଗକୁ ପ୍ରତିଗମନ କଲେ । ବିଷ୍ଣୁଙ୍କ ସହିତ ତ୍ରିଦଶମାନେ ପିତାମହଙ୍କ ସମୀପକୁ ଗମନ କଲେ ।୧୯। ସମୁଦ୍ର ପୂରଣ ନିମିତ୍ତ ପୁନଃପୁନଃ ମନ୍ତ୍ରଣା କରି କର ଯୋଡ଼ି ସମସ୍ତେ ପିତାମହଙ୍କୁ ସାଗର ପୂରଣ କରିବାକୁ ପ୍ରାର୍ଥନା କଲେ ।୨୦।

 

॥ ଅଧ୍ୟାୟ – ୧୦୬ ॥

 

ଲୋମଶ ବୋଇଲେ–ଦେବମାନେ ସମସ୍ତେ ସମବେତ ହୋଇଥିଲେ । ସେମାନଙ୍କୁ ବ୍ରହ୍ମା କହିଲେ ହେ ଦେବଗଣ ! ତୁମ୍ଭେମାନେ ନିଶ୍ଚିନ୍ତ ହୋଇ ସ୍ୱ ସ୍ୱ ସ୍ଥାନକୁ ଗମନ କର । ବହୁ କାଳ ପରେ ମହାରାଜା ଭଗୀରଥଙ୍କର ଜ୍ଞାତିବର୍ଗଙ୍କ ନିମିତ୍ତ ସମୁଦ୍ର ପୂର୍ବପ୍ରାୟ ପରିପୂର୍ଣ୍ଣ ହେବ ।୨। ପିତାମହଙ୍କ ବଚନ ଶ୍ରବଣ କରି ଦେବତାମାନେ ସେହି କାଳଯୋଗକୁ ପ୍ରତୀକ୍ଷା କରି ନିଜ ନିଜ ସ୍ଥାନକୁ ଗମନ କଲେ ।୩। ଯୁଧିଷ୍ଠିର ପ୍ରଶ୍ନ କଲେ, ହେ ବ୍ରହ୍ମନ୍‌ ! ଭଗୀରଥଙ୍କ ଜ୍ଞାତିବର୍ଗଙ୍କ ନିମିତ୍ତ କି ହେତୁରୁ ସାଗର ପରିପୂରିତ ହେଲେ, ସେହି କାରଣ କହନ୍ତୁ । କି ପ୍ରକାରେ ସେ ମହତ କାର୍ଯ୍ୟ ସମ୍ପନ୍ନ ହେଲା, ତାହା ମଧ୍ୟ ବୋଲିବା ହେଉନ୍ତୁ । ହେ ତପୋଧନ ! ସେହି ରାଜନ୍ୟବର୍ଗଙ୍କ ବୃତ୍ତାନ୍ତ ଆମ୍ଭେ ଆନୁପୂର୍ବିକ ଶୁଣିବାକୁ ଅଭିଳାଷ କରୁଅଛୁଁ; ଆପଣ ତାହା ବର୍ଣ୍ଣନା କରନ୍ତୁ ।୫।

 

ବୈଶମ୍ପାୟନ ବୋଇଲେ, ମହାତ୍ମା ଧର୍ମରାଜ ଦ୍ୱିଜବର ଲୋମଶଙ୍କୁ ଏହି ରୂପ ପଚାରନ୍ତେ, ସେ ପ୍ରଥମେ ସଗରରାଜାଙ୍କ ଚରିତ୍ର ବର୍ଣ୍ଣନା କରିବାକୁ ଆରମ୍ଭ କଲେ ।୬। ଲୋମଶ ବୋଇଲେ, ଇକ୍ଷ୍ୱାକୁବଂଶରେ ସଗର ନାମରେ ଜଣେ ଭୂପତି ଜନ୍ମଗ୍ରହଣ କରିଥିଲେ । ସେ ରୂପବାନ, ତେଜସ୍ୱୀ, ବଳଶାଳୀ, ପ୍ରତାପାନ୍ୱିତ; କିନ୍ତୁ ନିଃସନ୍ତାନ ଥିଲେ । ସେ ହୈହୟ ଓ ତାଳଜଙ୍ଘମାନଙ୍କୁ ଉତ୍ସାହିତ କରି ଅନ୍ୟାନ୍ୟ ରାଜାମାନଙ୍କୁ ବଶୀଭୂତ କରି ସ୍ୱରାଜ୍ୟକୁ ଶାସନ କଲେ । ହେ ଭାରତ ! ତାହାଙ୍କର ବୈଦର୍ଭୀ ଓ ଶୈବ୍ୟା ନାମରେ ଦୁଇଟି ରାଣୀ ଥିଲେ । ସେ ଦୁହେଁ ନିଜର ରୂପ ଓ ଯୌବନ ହେତୁରୁ ଦର୍ପ କରୁଥିଲେ । ଏକଦା ସେହି ରାଜା ଦୁଇ ସହଧର୍ମିଣୀଙ୍କୁ ସଙ୍ଗରେ ଘେନି କୈଳାସ ପର୍ବତର ଶିଖରଦେଶରେ ସୁମହତୀ ତପସ୍ୟା ଆରମ୍ଭ କଲେ । କିଛି କାଳ ପରେ ସେହି ରାଜା ତପସ୍ୟା ପ୍ରଭାବରୁ ମହାତ୍ମା ତ୍ରିଲୋଚନ ତ୍ରିପୁରମର୍ଦ୍ଦନ ମହାଦେବଙ୍କର ଦର୍ଶନପ୍ରାପ୍ତ ହେଲେ ।୧୧। ରାଜା ଓ ତାହାଙ୍କର ଦୁଇ ଭାର୍ଯ୍ୟା ଭବଈଶାନ, ପିନାକୀ ଶୂଳପାଣି, ତ୍ର‌୍ୟମ୍ବକ, ଉଗ୍ରଈଶ ଓ ବରପ୍ରଦ ଉମାପତିଙ୍କୁ ଦର୍ଶନ କରି ପ୍ରଣିପାତ ପୁରସରପୂର୍ବକ ପୁତ୍ର ପ୍ରାର୍ଥନା କଲେ ।୧୩। ସଭାର୍ଯ୍ୟା ନରପତିଙ୍କ ପ୍ରତି ଶଙ୍କର ପ୍ରୀତ ହୋଇ କହିଲେ, ହେ ନୃପ ! ତୁମ୍ଭେ ଯେଉଁ ଲଗ୍ନରେ ବର ପ୍ରାର୍ଥନା କଲ, ତହିଁରେ ତୁମ୍ଭର ଗୋଟିଏ ପତ୍ନୀଠାରୁ ଦର୍ପିତ ଷଷ୍ଠ ସହସ୍ର ଶୂରପୁତ୍ର ଜନ୍ମିବେ । ସେମାନେ ସମସ୍ତେ ଏକତ୍ର ହୋଇ ଏକାବେଳକେ ନିଧନପ୍ରାପ୍ତ ହେବେ । ପରନ୍ତୁ ଅନ୍ୟ ଭାର୍ଯ୍ୟାଙ୍କଠାରୁ ବଂଶଧର ଗୋଟିଏ ମାତ୍ର ପୁତ୍ର ଜାତ ହେବ । ସେ ପୁତ୍ର ମଧ୍ୟ ଶୌର୍ଯ୍ୟସମ୍ପନ୍ନ ଓ ବଳବାନ ହେବ ।୧୬। ରାଜାଙ୍କୁ ଏହିପରି କହି ମହାଦେବ ରୁଦ୍ର ସେହି ମୁହୂର୍ତ୍ତରେ ସେ ସ୍ଥାନରୁ ଅନ୍ତର୍ହିତ ହେଲେ । ରାଜା ମଧ୍ୟ ଦୁଇ ପତ୍ନୀଙ୍କୁ ସଙ୍ଗରେ ଘେନି ହୃଷ୍ଟ ହୋଇ ସ୍ୱଭବନକୁ ପ୍ରତ୍ୟାଗମନ କଲେ ।

 

ହେ ମନୁଜାଧିପ ! ପଦ୍ମମୁଖୀ ବୈଦର୍ଭୀ ଓ ଶୈବ୍ୟା ଦୁହେଁ ଅନ୍ତଃସତ୍ତ୍ୱା ହେଲେ । ତତ୍‍ପରେ ଯଥାସମୟରେ ବୈଦର୍ଭୀ ଗୋଟିଏ ଲାଉ ପ୍ରସବ କଲେ । ଶୈବ୍ୟା ମଧ୍ୟ କାର୍ତ୍ତିକେୟଙ୍କ ପ୍ରାୟ ସୁନ୍ଦର ଓ ଦେବରୂପୀ ଗୋଟିଏ ପୁତ୍ର ପ୍ରସବ କଲେ । ଅନନ୍ତର ମହୀପତି ସଗର ବିଚାରିଲେ ଯେ ସେହି ଅଲାବୁକୁ ପକାଇ ଦେବେ ।୨୫। ଅଲାବୁକୁ ଜଳରେ ନିକ୍ଷେପ କରିବାର ଇଚ୍ଛା କଲାବେଳେ ଗମ୍ଭୀର ସ୍ୱରରେ ଗୋଟାଏ ଆକାଶବାଣୀ ହେଲା, ହେ ରାଜନ୍‌ ! ତୁମ୍ଭେ ଏପରି ଦୁଃସାହସ କର ନାହିଁ । ପୁତ୍ରମାନଙ୍କୁ ପରିତ୍ୟାଗ କରିବା ତୁମ୍ଭର କର୍ତ୍ତବ୍ୟ ନୁହେଁ । ତୁମ୍ଭେ ଅଲାବୁ ମଧ୍ୟରୁ ବୀଜମାନଙ୍କୁ ଗୋଟି ଗୋଟି ବାହାର କରି ଯତ୍ନପୂର୍ବକ ପୃଥକ୍ ପୃଥକ୍ ଘୃତପୂର୍ଣ୍ଣ ଉଷ୍ଣପାତ୍ରରେ ରକ୍ଷାକର । ତାହାହେଲେ ତୁମ୍ଭେ ଷାଠିଏ ସହସ୍ର ପୁତ୍ର ପ୍ରାପ୍ତ ହେବ । ହେ ନରାଧିପ ! ଦେବାଧିଦେବ ମହାଦେବ ଏହି ପ୍ରକାରେ ତୁମ୍ଭର ପୁତ୍ରଜନ୍ମ ହେବାର ନିର୍ଦ୍ଦେଶ କରିଅଛନ୍ତି । ତୁମ୍ଭେ ଏଥିର ଅନ୍ୟଥା କର ନାହିଁ ।୨୦।

 

॥ ଅଧ୍ୟାୟ – ୧୦୭ ॥

 

ଲୋମଶ ବୋଇଲେ, ହେ ଭାରତ ! ସଗର ରାଜା ରାଜାଙ୍କ ମଧ୍ୟରେ ସତ୍ତମ ଅଟନ୍ତି । ଅନ୍ତରୀକ୍ଷବାଣୀ ଗ୍ରହଣ କରି ସେ ତଦ୍ରୂପ କାର୍ଯ୍ୟ କଲେ ।୧। ଲାଉ ମଧ୍ୟରୁ ମଞ୍ଜିକୁ ବାହାର କରି ଗୋଟିଏ ମଞ୍ଜିକୁ ଗୋଟିଏ ଘୃତପୂର୍ଣ୍ଣ କୁମ୍ଭ ମଧ୍ୟରେ ନିକ୍ଷେପ କଲେ ।୨। ଗୋଟିଏ ଗୋଟିଏ ଘୃତକୁମ୍ଭର ରକ୍ଷାନିମିତ୍ତ ଜଣେ ଲେଖାଏଁ ଧାତ୍ରୀ ନିଯୁକ୍ତ କଲେ । ତଦନନ୍ତର ବହୁକାଳ ଉତ୍ତାରୁ ମହାବଳ ପୁତ୍ରମାନେ ସେହିସବୁ କୁମ୍ଭରୁ ବିନିର୍ଗତ ହେଲେ ।୪। ହେ ରାଜନ୍‌ ! ଏହିରୂପେ ରୁଦ୍ରଦେବଙ୍କ କୃପାରୁ ସେହି ତେଜସ୍ୱୀ ନରପତିଙ୍କର ଷଷ୍ଠି ସହସ୍ର ପୁତ୍ର ଜାତ ହେଲେ । ସେମାନେ ସମସ୍ତେ ସମରଶାଳୀ ଶୂର, ଭୀଷଣରୂପୀ, କ୍ରୂରକର୍ମା, ଗଗନମାର୍ଗରେ ଗମନଶୀଳ ଓ ବହୁସଂଖ୍ୟକ ହେବାରୁ ଅମରମାନଙ୍କୁ ସୁଦ୍ଧା ଅବଜ୍ଞା କଲେ । କି ଦେବ, କି ମନୁଷ୍ୟ, କି ଗନ୍ଧର୍ବ, କି ରାକ୍ଷସ, ଯାହାକୁ ଦେଖିଲେ ତାହାକୁ ଆକ୍ରମଣ କଲେ ।୬। ସଗର ରାଜାଙ୍କ ପୁତ୍ରସମୂହଦ୍ୱାରା ପ୍ରପୀଡ଼ିତ ହେବାରୁ ଦେବମାନଙ୍କ ସହ ସମସ୍ତ ଲୋକେ ବ୍ରହ୍ମାଙ୍କ ଶରଣାପନ୍ନ ହେଲେ । ସର୍ବଲୋକ ପିତାମହ ମହାଭାଗ ବ୍ରହ୍ମା ଦେବତାମାନଙ୍କୁ କହିଲେ– ହେ ଦେବଗଣ ! ତୁମ୍ଭେମାନେ ସମସ୍ତେ ସ୍ୱ ସ୍ୱ ସ୍ଥାନକୁ ଗମନ କର । ଯେ ଯେଉଁଠାରୁ ଆସିଛ, ସେଠାକୁ ଯାଅ । ଅଳ୍ପଦିନ ମଧ୍ୟରେ ସଗରସୁତମାନେ ସ୍ୱକୃତ ଦୋଷରୁ ମହାଘୋର ବିନାଶ ପ୍ରାପ୍ତ ହେବେ ।୯। ହେ ମନୁଜପତେ ! ଦେବଗଣଙ୍କୁ ବ୍ରହ୍ମା ଏହିରୂପେ କହନ୍ତେ, ସେମାନେ ସମସ୍ତ ଲୋକଙ୍କ ସହ ସ୍ୱ ସ୍ୱ ସ୍ଥାନକୁ ପ୍ରତ୍ୟାଗମନ କଲେ ।୧୦।

 

ହେ ଭରତର୍ଷଭ ! ଅନନ୍ତର ବହୁକାଳ ବାହାରିଗଲା । ପ୍ରତାପଶାଳୀ ସଗରରାଜା ଅଶ୍ୱମେଧ ଯଜ୍ଞରେ ଦୀକ୍ଷିତ ହେଲେ । ଯଜ୍ଞୀୟ ଅଶ୍ୱକୁ ତାହାଙ୍କର ପୁତ୍ରମାନେ ରକ୍ଷାକଲେ । ଯତ୍ନପୂର୍ବକ ରକ୍ଷିତ ହେଲେ ହେଁ ସେ ଅଶ୍ୱ ଜଳବିହୀନ ସମୁଦ୍ର ମଧ୍ୟକୁ ଯାଇ ଅନ୍ତର୍ହିତ ହେଲା । ତତ୍‍ପରେ ରାଜକୁମାରମାନେ ପିତାଙ୍କ ନିକଟକୁ ଆସି ଜଣାଇଲେ ଯେ ତାହାଙ୍କର ଅଶ୍ୱକୁ କିଏ ହରଣ କରି ଘେନିଗଲା । ଏହା ଶ୍ରବଣ କରି ରାଜା ସେମାନଙ୍କୁ କହିଲେ, ତୁମ୍ଭେମାନେ ସମସ୍ତେ ଅନ୍ୱେଷଣ କର । ଯେଉଁଠାରେ ଅଶ୍ୱ ଥିବ, ସେହିଠାରୁ ଆଣିବ ।୧୪। ହେ ମହାରାଜ ! ତଦନନ୍ତର ପୁତ୍ରମାନେ ପିତାଙ୍କ ଆଜ୍ଞାପ୍ରାପ୍ତ ହୋଇ ସର୍ବତ୍ର ପରିଭ୍ରମଣ କଲେ । କିନ୍ତୁ ଅଶ୍ୱକୁ ପାଇଲେ ନାହିଁ କି ତାହାକୁ କିଏ ହରଣ କରିନେଲା ତାହା ମଧ୍ୟ ଜାଣିପାରିଲେ ନାହିଁ । ପରିଶେଷରେ ସମସ୍ତେ ପରସ୍ପର ମନ୍ତ୍ରଣା କରି ପୁନର୍ବାର ପିତାଙ୍କ ନିକଟକୁ ଆଗମନ କରି ତାହାଙ୍କୁ କରଯୋଡ଼ି ଜଣାଇଲେ, ହେ ରାଜନ୍‌ ! ଆପଣଙ୍କ ଆଜ୍ଞାକ୍ରମେ ଆମ୍ଭେମାନେ ସମସ୍ତେ ସମୁଦ୍ର, ନଦ, ନଦୀ, ଦ୍ୱୀପ, ପର୍ବତ, କନ୍ଦର, ବନ ଓ ଉପବନ ସମସ୍ତ ଭୂମଣ୍ଡଳକୁ ଅନ୍ୱେଷଣ କଲୁ, କିନ୍ତୁ ଅଶ୍ୱକୁ ଅଥବା ଅଶ୍ୱର ଅପହର୍ତ୍ତାକୁ ପାଇଲୁ ନାହିଁ ।

 

ହେ ମହାରାଜ ! ଏହା ଶୁଣି ସଗର ରାଜା କ୍ରୋଧାନ୍ଧ ହେଲେ ।୧୯। ଦୈବଦୁର୍ବିପାକ ହେତୁରୁ ସେମାନଙ୍କୁୁ କହିଲେ, ହେ ପୁତ୍ରଗଣ ! ତୁମ୍ଭେମାନେ ପୁନର୍ବାର ଯାଇ ଅଶ୍ୱକୁ ଅନ୍ୱେଷଣ କର-।୨୦। ସେହି ଅଶ୍ୱ ଯଜ୍ଞୀୟ । ଅତଏବ ଅଶ୍ୱକୁ ନ ଆଣିଲେ ତୁମ୍ଭେମାନେ ଆସିବ ନାହିଁ-। ସେହି ବୀରମାନେ ପୃଥିବୀକୁ ପର୍ଯ୍ୟଟନ କରୁ କରୁ ଦେଖିଲେ ଯେ ସମୁଦ୍ର ମଧ୍ୟରେ ଏକ ସ୍ଥାନରେ ପୃଥିବୀ ବିଦାରିତ ହୋଇଅଛି ।୨୨। ଏହା ଦେଖି ସଗର ପୁତ୍ରମାନେ କୋଡ଼ି କାଙ୍କ ଘେନି ଯତ୍ନପୂର୍ବକ ସେହି ଗର୍ତ୍ତଠାରେ ଖୋଳିବାକୁ ଆରମ୍ଭ କଲେ ।୨୩। ସେମାନଙ୍କଦ୍ୱାରା ବିଦାରିତ ହେବାରୁ ସମୁଦ୍ର ଅତିଶୟ ଆକୁଳିତ ହେଲା । ପରନ୍ତୁ, ଅସୁର, ପନ୍ନଗ, ରାକ୍ଷସାଦି ପ୍ରାଣୀମାନେ ସୁଦ୍ଧା ବଧ ହେବାରୁ ଆର୍ତ୍ତନାଦ ପରିତ୍ୟାଗ କଲେ ।୨୫। ଶତ ଶତ ଓ ସହସ୍ର ସହସ୍ର ପ୍ରାଣୀମାନଙ୍କର ମସ୍ତକ ଛିନ୍ନ ହେଲା । କାହାର ଦେହ ଭଗ୍ନ ହେଲା, କାହାର ଅବା ଅସ୍ଥି, ଚର୍ମ ଓ ସନ୍ଧିସ୍ଥଳ ଛିନ୍ନ ହେଲା-।୨୬। ଏହି ପ୍ରକାରେ ସଗରସୁତମାନେ ବହୁକାଳ ପର୍ଯ୍ୟନ୍ତ ସାଗର ଖନନ କରିବାରେ ପ୍ରବୃତ୍ତ ହେଲେ-। ତଥାପି ଅଶ୍ୱର କୌଣସି ସନ୍ଧାନ ପାଇଲେ ନାହିଁ ।୨୭। ତତ୍‍ପରେ ସେମାନେ କ୍ରୁଦ୍ଧ ହୋଇ ସମୁଦ୍ରର ପୂର୍ବ ଓ ଉତ୍ତର ପ୍ରଦେଶ ବିଦାରଣ କରି ପାତାଳ ତଳରେ ପ୍ରବିଷ୍ଟ ହୋଇ ଦେଖିଲେ ଯେ ଅଶ୍ୱ ଭୂପୃଷ୍ଠରେ ବିଚରଣ କରୁଅଛି । ଆହୁରି ଦେଖିଲେ ଯେ ତେଜୋରାଶି ସ୍ୱରୂପ କପିଳମୁନି ସେଠାରେ ଅଛନ୍ତି ଓ ପ୍ରଦୀପ୍ତପାବକ ସଦୃଶ ଦେଦୀପ୍ୟମାନ ହେଉଅଛନ୍ତି ।୨୯। ହେ ମହୀପତେ ! ରାଜତନୟମାନେ ସେହି ଅଶ୍ୱକୁ ଦେଖିଲାକ୍ଷଣି ହର୍ଷରେ ଲୋମାଞ୍ଚିତ ହେଲେ । ଅଥଚ କ୍ରୋଧରେ ମହାତ୍ମା କପିଳଙ୍କୁ ଅବଜ୍ଞା କରି ଅଶ୍ୱକୁ ଗ୍ରହଣ ନିମିତ୍ତ ଧାବିତ ହେଲେ ।

 

ହେ ମହାରାଜ ! ଯେଉଁ କପିଳ ମୁନିଙ୍କୁ ପୁରାତନ ଋଷିମାନେ ବାସୁଦେବ ବୋଲି କୀର୍ତ୍ତନ କରନ୍ତି, ସେହି ମହାତେଜସ୍ୱୀ କପିଳ ଦେବ ଭ୍ରୂକୁଟିଦ୍ୱୟକୁ ବିକୃତ କରି ଚକ୍ଷୁଦ୍ୱୟରୁ ତେଜଃପୁଞ୍ଜ ବାହାର କରି ତଦ୍ଦ୍ୱାରା ଅପରାଧୀ ସଗରପୁତ୍ରମାନଙ୍କୁ ଦଗ୍ଧ କରି ପକାଇଲେ । ମହାତପୀ ଦେବର୍ଷି ନାରଦ ସେମାନଙ୍କୁ ଭସ୍ମୀଭୂତ ହେବାର ଦେଖି ସଗର ରାଜାଙ୍କ ସମୀପରେ ସେହି ବାର୍ତ୍ତା କହିଲେ ।୩୦। ନାରଦଙ୍କ ମୁଖରୁ ଏହି ନିଦାରୁଣ ବାର୍ତ୍ତା ଶ୍ରବଣ କରି ରାଜା ମୁହୂର୍ତ୍ତେ ଚିନ୍ତାପରବଶ ହେଲେ । ତତ୍‍ପରେ ମହାଦେବଙ୍କ ବାକ୍ୟକୁ ସ୍ମରଣ କରି ଆପେ ଆପଣଙ୍କୁ ଆଶ୍ୱାସ ପ୍ରଦାନ କଲେ । କିୟତ୍‌କ୍ଷଣ ପରେ ରାଜା ସଗର ଅଶ୍ୱମେଧ ଯଜ୍ଞ ବିଷୟ ଧ୍ୟାନ କରି ଅସମଞ୍ଜା ପୁତ୍ର ଓ ଆପଣାର ପୌତ୍ର ଅଂଶୁମାନଙ୍କୁ ଆହ୍ୱାନ କରି ଏହି କଥା କହିଲେ, ବତ୍ସ ! ଅପରିମିତ ତେଜସ୍ୱୀ ମୋର ଷାଠିଏ ସହସ୍ର ପୁତ୍ର ମୋ ନିମିତ୍ତ ଯାଇ କପିଳ ଦେବଙ୍କ ତେଜଦ୍ୱାରା ନିଧନପ୍ରାପ୍ତ ହେଲେ । ମୁଁ ମଧ୍ୟ ଆପଣାର ଧର୍ମରକ୍ଷାର୍ଥ ପୁରବାସୀଙ୍କ ହିତାଭିଳାଷରେ ତୁମ୍ଭର ପିତାଙ୍କୁ ପରିତ୍ୟାଗ କଲି ।୩୭।

 

ଏହି ଅବସରରେ ରାଜା ଯୁଧିଷ୍ଠିର ପ୍ରଶ୍ନ କଲେ– ହେ ତପୋଧନ ! ସଗରରାଜାଙ୍କ ପୁତ୍ରମାନେ ଶୂର ଓ ତେଜସ୍ୱୀ । ସେମାନଙ୍କୁ କି ହେତୁରୁ ରାଜା ପରିତ୍ୟାଗ କଲେ, ଆପଣ ଆମ୍ଭ ନିକଟରେ କୀର୍ତ୍ତନ କରିବା ହେଉନ୍ତୁ । ଲୋମଶ ବୋଇଲେ, ସଗର ରାଜାଙ୍କର ଅସମଞ୍ଜା ନାମରେ ଗୋଟିଏ ପୁତ୍ର ଥିଲେ । ସେହି ପୁତ୍ରଟି ଶୈବ୍ୟାଙ୍କ ଗର୍ଭରୁ ଜନ୍ମ ହୋଇଥିଲେ । ସେ ଏପରି ଦୁଷ୍ଟ ଥିଲେ ଯେ ନଗରବାସୀମାନଙ୍କର ଦୁର୍ବଳ ପୁତ୍ରମାନଙ୍କର କଣ୍ଠଧରି ନଦୀମଧ୍ୟରେ ଏକ କ୍ରୋଶ ଦୂରରେ ନିକ୍ଷେପ କରୁଥିଲେ । ବହୁତ ଥର ଏହିପରି କାର୍ଯ୍ୟ କରିବାରୁ ନଗରବାସୀମାନେ ଭୟ ଓ ଶୋକରେ କାତର ହୋଇ ସଗରଙ୍କ ନିକଟରେ ଆସି ଉପସ୍ଥିତ ହେଲେ ।୪୦। ସେମାନେ କୃତାଞ୍ଜଳିପୁଟରେ ଦଣ୍ଡାୟମାନ ହୋଇ ପ୍ରାର୍ଥନା କଲେ, ହେ ମହାରାଜ ! ଆପଣ ଆମ୍ଭମାନଙ୍କୁ ପରରାଜ୍ୟ ଭୟରୁ ରକ୍ଷା କରୁଅଛନ୍ତି ।୪୧। କିନ୍ତୁ ଅଧୁନା ଆପଣ ଅସମଞ୍ଜାଙ୍କର ଦାରୁଣ ଭୟରୁ ପରିତ୍ରାଣ କରିବା ହେଉନ୍ତୁ । ପୁରବାସୀମାନଙ୍କର ଏହି ଭୟାନକ ବାକ୍ୟ ଶ୍ରବଣ କରି ସଗର ରାଜା ମୁହୂର୍ତ୍ତେ ପର୍ଯ୍ୟନ୍ତ ବିମନା ହୋଇ ରହିଲେ । ତତ୍‍ପରେ ଆତ୍ମୀୟମାନଙ୍କୁ ଡାକି କହିଲେ, ତୁମ୍ଭେମାନେ ଅଦ୍ୟ ଆମ୍ଭର ପୁତ୍ର ଅସମଞ୍ଜାଙ୍କୁ ନଗରରୁ ନିର୍ବାସିତ କର ।୪୩। ଆମ୍ଭର ପ୍ରିୟକାର୍ଯ୍ୟ କରିବା ଯଦି ତୁମ୍ଭର କର୍ତ୍ତବ୍ୟ ହୁଏ, ତେବେ ଶୀଘ୍ର ଆମ୍ଭର ଆଦେଶ ପାଳନ କର । ହେ ନରାଧିପ ! ସଗର ରାଜାଙ୍କ ଆଦେଶକୁ ତାହାଙ୍କର ସଶବମାନେ ତତ୍‌କ୍ଷଣାତ ପ୍ରତିପାଳନ କଲେ ।

 

ହେ ନରପତେ ! ପୌରଜନମାନଙ୍କ ହିତ କାମନାରେ ସଗର ରାଜା ଯେପରି ନିଜପୁତ୍ର ଅସମଞ୍ଜାଙ୍କୁ ପରିତ୍ୟାଗ କରିଥିଲେ, ତାହା ଆପଣଙ୍କ ନିକଟରେ ବର୍ଣ୍ଣନା କଲୁଁ । ପୁନଶ୍ଚ ସଗରରାଜା ମହାଧନୁର୍ଦ୍ଧାରୀ ଅଂଶୁମାନଙ୍କୁ ଯାହା କହିଥିଲେ, ତାହା ଆମ୍ଭେ କୀର୍ତ୍ତନ କରୁଅଛୁଁ, ଆପଣ ଶ୍ରବଣ କରନ୍ତୁ ।୪୬। ସଗର କହିଲେ, ହେ ବତ୍ସ ! ଆମ୍ଭେ ତୁମ୍ଭର ପିତାଙ୍କୁ ପରିତ୍ୟାଗ କଲୁ-। ଅପର ପୁତ୍ରମାନେ ନିଧନପ୍ରାପ୍ତ ହେଲେ; ଅଶ୍ୱ ପ୍ରାପ୍ତ ହେଲା ନାହିଁ । ଏହିସବୁ କାରଣରୁ ଆମ୍ଭେ ପରିତୃପ୍ତ ହେଉଅଛୁଁ । ଏକେ ପୁତ୍ରଶୋକରେ ସନ୍ତପ, ତହିଁରେ ଯଜ୍ଞର ବିଘ୍ନ । ଏହି କାରଣରୁ ଆମ୍ଭେ ମୋହିତ ହୋଇଅଛୁଁ । ଅତଏବ ତୁମ୍ଭେ ସେହି ଯଜ୍ଞର ଅଶ୍ୱକୁ ଆଣି ଆମ୍ଭଙ୍କୁ ନରକରୁ ଉଦ୍ଧାର କର-।୪୮। ପିତାମହଙ୍କର ଏହିପରି ବାକ୍ୟ ଶ୍ରବଣ କରି ଯେଉଁଠାରେ ମହୀ ବିଦାରିତା ହୋଇଥିଲା, ସେହିଠାକୁ ଅଂଶୁମାନ ଦୁଃଖାର୍ତ୍ତ ଚିତ୍ତରେ ଗମନ କଲେ ।୪୯। ଯେଉଁଠାରେ ସମୁଦ୍ର ମଧ୍ୟରେ ଗର୍ତ୍ତ ହୋଇଥିଲା, ସେହି ଗର୍ତ୍ତଦ୍ୱାରା ପ୍ରବେଶ କରି ମହାତ୍ମା କପିଳ ମୁନିଙ୍କୁ ଓ ଅଶ୍ୱକୁ ଦେଖିଲେ-।୫୦। ତେଜଃପୁଞ୍ଜ ପ୍ରାଚୀନତମ ଋଷିଶ୍ରେଷ୍ଠ କପିଳ ଦେବଙ୍କୁ ଦେଖି ଅଂଶୁମାନ ଭୂମିଷ୍ଠ ପ୍ରଣାମ କରି ସ୍ୱକୀୟ କାର୍ଯ୍ୟ ନିବେଦନ କଲେ ।୫୧। ହେ ମହାରାଜ ! ଅଂଶୁମାନଙ୍କ ପ୍ରତି ମହାତ୍ମା କପିଳ ଦେବ ପ୍ରସନ୍ନ ହୋଇ କହିଲେ, ଆମ୍ଭେ ତୁମ୍ଭଙ୍କୁ ବର ଦେବାକୁ ଉଦ୍ୟତ ଅଛୁଁ ।୫୨।

 

ହେ ଭାରତ ! ରାଜକୁମାର ପ୍ରଥମ ବରରେ ଯଜ୍ଞ ସମ୍ପାଦନ ନିମିତ୍ତ ଅଶ୍ୱ ପ୍ରାର୍ଥନା କଲେ । ତତ୍‍ପରେ ଦ୍ୱିତୀୟ ବରଦ୍ୱାରା ପିତୃଗଣ କିପରି ଉଦ୍ଧାର ପାଇବେ, ସେ ବର ଯାଚ୍‌ଞ୍ଜା କଲେ ।୫୩। ମୁନିପୁଙ୍ଗବ ମହାତେଜା କପିଳ ଦେବ ଅଂଶୁମାନଙ୍କୁ କହିଲେ–ହେ ଅନଘ ! ତୁମ୍ଭର ମଙ୍ଗଳ ହେଉ । ତୁମ୍ଭେ ଯେଉଁ ଯେଉଁ ବର ପ୍ରାର୍ଥନା କଲ, ଆମ୍ଭେ ତାହାସବୁ ତୁମ୍ଭଙ୍କୁ ପ୍ରଦାନ କଲୁ ।୫୪। କ୍ଷମା, ଧର୍ମ, ସତ୍ୟ ତୁମ୍ଭଠାରେ ପ୍ରତିଷ୍ଠିତ ଅଛି । ତୁମ୍ଭ ହେତୁରୁ ସଗର ରାଜା କୃତାର୍ଥ ହେଲେ ଓ ତୁମ୍ଭ ପିତା ମଧ୍ୟ ତୁମ୍ଭ ହେତୁରୁ ଚରିତାର୍ଥ ହେଲେ । ସଗରସୁତମାନେ ତୁମ୍ଭରି ପ୍ରଭାବରୁ ସ୍ୱର୍ଗଗାମୀ ହେବେ । ତୁମ୍ଭର ପୌତ୍ର ସଗରପୁତ୍ରମାନଙ୍କୁ ପବିତ୍ର କରିବା ନିମିତ୍ତ ମହାଦେବ ତ୍ରିପୁରାରୀଙ୍କୁ ପରିତୁଷ୍ଟ କରି ସ୍ୱର୍ଗରୁ ତ୍ରିପଥଗାମିନୀ ସୁରତରଙ୍ଗିଣୀ ଗଙ୍ଗାକୁ ଆନୟନ କରିବେ । ହେ ବତ୍ସ ! ନରପୁଙ୍ଗବ ! ତୁମ୍ଭର ମଙ୍ଗଳ ହେଉ । ଏହି ଯଜ୍ଞୀୟ ଅଶ୍ୱକୁ ତୁମ୍ଭେ ଘେନିଯାଅ । ମହାତ୍ମା ସଗରଙ୍କ ଯଜ୍ଞ ସମ୍ପାଦନ କର ।୫୮। କପିଳ ମୁନିଙ୍କର ସେହି ବଚନକୁ ଶ୍ରବଣ କରି ଅଂଶୁମାନ ଅଶ୍ୱକୁ ଘେନି ସଗର ରାଜାଙ୍କ ଯଜ୍ଞବାଟିକାରେ ଉପସ୍ଥିତ ହେଲେ । ସେ ଆଗମନ କରି ପ୍ରଥମେ ମହାତ୍ମା ସଗରଙ୍କର ଚରଣ ବନ୍ଦନା କଲେ । ସଗର ମଧ୍ୟ ତାହାଙ୍କ ମସ୍ତକକୁ ଆଘ୍ରାଣ କଲେ । ତଦନନ୍ତର ଅଂଶୁମାନ ସେଠାରେ ଯାହା ଯାହା ଦେଖିଥିଲେ ଓ ଶୁଣିଥିଲେ, ସଗରଙ୍କ ପୁତ୍ରମାନେ ଯେପରି ବିନଷ୍ଟ ହୋଇଥିଲେ, ସେ ସମସ୍ତ ବୃତ୍ତାନ୍ତ ଆନୁପୂର୍ବିକ ତାହାଙ୍କ ନିକଟରେ ନିବେଦନ କଲେ । ଅଶ୍ୱ ଯେ ଯଜ୍ଞସ୍ଥାନକୁ ଆସିଅଛି, ତାହା ମଧ୍ୟ ବିଜ୍ଞାପନ କଲେ । ରାଜା ସେହି ବୃତ୍ତାନ୍ତମାନ ଶ୍ରବଣ କରି ଓ ଅଂଶୁମାନଙ୍କୁ ପ୍ରତ୍ୟାଗତ ହେବାର ଦେଖି ପୁତ୍ରନାଶ ଦୁଃଖକୁ ମନରୁ ଦୂର କଲେ ଓ ଅଂଶୁମାନଙ୍କୁ ଯଥୋଚିତ ସତ୍କାର କରି ଆରବ୍‌ଧ ଅଶ୍ୱମେଧ ଯଜ୍ଞକୁ ସମାପନ କଲେ ।

 

ଯଜ୍ଞ ସମାପ୍ତ ହୁଅନ୍ତେ ଦେବତାମାନେ ଆସି ସଗରରାଜାଙ୍କୁ ବିଶେଷ ସମାଦର କଲେ ।୬୨। ରାଜୀବଲୋଚନ ସଗରରାଜା ବହୁକାଳ ପର୍ଯ୍ୟନ୍ତ ରାଜ୍ୟ ଶାସନ କରି ବରୁଣାଳୟ ସମୁଦ୍ରକୁ ପୁତ୍ର ରୂପେ କଳ୍ପନା କଲେ ।୬୩। ଓ ପୌତ୍ରଙ୍କଠାରେ ରାଜ୍ୟଭାର ଅର୍ପଣ କରି ସ୍ୱର୍ଗଯାତ୍ରା କଲେ । ହେ ମହାରାଜ ! ଧର୍ମାତ୍ମା ଅଂଶୁମାନ ମଧ୍ୟ ସ୍ୱକୀୟ ପିତାମହଙ୍କ ସଦୃଶ ସାଗରାନ୍ତା ପୃଥିବୀକୁ ଶାସନ କରିଥିଲେ । ତାଙ୍କର ଦିଲ୍ଲୀପ ନାମରେ ଗୋଟିଏ ପୁତ୍ର ଥିଲେ । ଅଂଶୁମାନ ମଧ୍ୟ ଦିଲ୍ଲୀପଙ୍କ ପ୍ରତି ରାଜ୍ୟଭାର ସମାଧାନ କରି ଲୋକାନ୍ତର ଗମନ କଲେ । ଅନନ୍ତର ରାଜା ଦିଲ୍ଲୀପ ଶୁଣିଲେ ଯେ ତାହାଙ୍କର ପିତୃଗଣ ଭୟଙ୍କର ପ୍ରକାରେ ନିଧନ ହୋଇଅଛନ୍ତି । ଏହା ଶୁଣି ସେ ଦୁଃଖରେ ସନ୍ତପ୍ତ ହୋଇ ସେମାନଙ୍କର କି ଗତି ହେବ, ଏହି ବିଷୟରେ ଚିନ୍ତାପର ହେଲେ । ଗଙ୍ଗାଙ୍କ ଅବତରଣ ନିମିତ୍ତ ସେ ଅନେକ ଯତ୍ନ କରିଥିଲେ; କିନ୍ତୁ କୃତକାର୍ଯ୍ୟ ହୋଇପାରିଲେ ନାହିଁ । ହେ ଭରତର୍ଷଭ ! ଦିଲ୍ଲୀପଙ୍କର ଭଗୀରଥ ନାମରେ ଗୋଟିଏ ବିଖ୍ୟାତ ସତ୍ୟବାଦୀ ଓ ଧର୍ମପରାୟଣ ପୁତ୍ର ଥିଲେ । ହେ ଭାରତ ! ଦିଲ୍ଲୀପ ଆପଣାର ସେହି ଶାନ୍ତ ଓ ସୁଲକ୍ଷଣସମ୍ପନ୍ନ ପୁତ୍ର ଭଗୀରଥଙ୍କୁ ରାଜ୍ୟରେ ଅଭିଷିକ୍ତ କରି ସ୍ୱୟଂ ଅରଣ୍ୟରେ ଆଶ୍ରୟ ନେଲେ । କିଛି କାଳ ପରେ ସେ ସୁଦ୍ଧା ତପଃସିଦ୍ଧ ହୋଇ ଯୋଗାବଲମ୍ବନ କରି ଅରଣ୍ୟ ମଧ୍ୟରୁ ସ୍ୱର୍ଗକୁ ଆରୋହଣ କଲେ ।

 

॥ ଅଧ୍ୟାୟ – ୧୦୮ ॥

 

ଲୋମଶ କହିଲେ, ହେ ନରନାଥ ! ସେହି ମହଧନ୍ୱୀ, ମହାରଥ ଭଗୀରଥ ରାଜଚକ୍ରବର୍ତ୍ତୀ ହୋଇ ସମସ୍ତ ପ୍ରାଣୀଙ୍କର ମନ ଓ ନୟନର ପ୍ରୀତି ବର୍ଦ୍ଧନ କଲେ । କିଛି କାଳ ପରେ ସେହି ମହାବାହୁ ମହାତ୍ମା ଭଗୀରଥ କପିଳ ଦେବଙ୍କଠାରୁ ଶ୍ରବଣ କଲେ ଯେ ତଦୀୟ କୋପାନଳରେ ଦଗ୍ଧ ସଗରସୁତଙ୍କର ସ୍ୱର୍ଗରେ ଅଧିକାର ନାହିଁ । ଏହା ଶୁଣି ସେ ଅତିଶୟ ଦୁଃଖିତ ହୋଇ ସଚିବଙ୍କଠାରେ ରାଜ୍ୟଭାର ନ୍ୟସ୍ତକରି ତପସ୍ୟାଚରଣ କରିବା ନିମିତ୍ତ ସ୍ୱୟଂ ହିମାଳୟ ପାଖକୁ ପ୍ରସ୍ଥାନ କଲେ ।୩।

 

ହେ ନରେନ୍ଦ୍ର ! ରାଜା ଭଗୀରଥ ତପସ୍ୟାଦ୍ୱାରା ନିଷ୍ପାପ ହେଲେ । ତତ୍‍ପରେ ଗଙ୍ଗାଙ୍କ ଆରାଧନାରେ ଅଭିଳାଷୀ ହୋଇ ପର୍ବତରାଜ ହିମଗିରି ନିକଟକୁ ଯାଇ ଦେଖିଲେ ଯେ ବହୁବିଧ ଧାତୁ ସମନ୍ୱିତ ଶିଖର ଶ୍ରେଣୀରେ ସେହି ଗିରିରାଜ ମଣ୍ଡିତ ହୋଇଅଛି ।୫। ପବନାବଲମ୍ବୀ ମେଘସମୂହଦ୍ୱାରା ସେହି ଗିରିରାଜ ଚତୁଃପାର୍ଶ୍ୱରେ ପରିଷିକ୍ତ ହୋଇଅଛି । ତାହାର ନିତମ୍ବଦେଶ ନଦୀପୁଞ୍ଜ ଓ ଦେବାଳୟ ପ୍ରଭୃତିଦ୍ୱାରା ଉପଶୋଭିତ ହୋଇଅଛି । ସିଂହବ୍ୟାଘ୍ରାଦି ବନ୍ୟପଶୁମାନେ ତଦୀୟ ଗହ୍ୱର ମଧ୍ୟରେ ଲୀନ ହୋଇ ରହିଅଛନ୍ତି ।୭। ଭୃଙ୍ଗରାଜ, ହଂସ, ଦାୟୁହ, ଜଳକୁକ୍‌କୁଟ, ମୟୂର ଶତପତ୍ର, ଜୀବଞ୍ଜୀବ କୋକିଳ, ପୁତ୍ରପ୍ରିୟ, ଅସିତାପାଙ୍ଗ, ଚକୋର ପ୍ରଭୃତି ବିହଙ୍ଗମାନେ ବିବିଧ ସ୍ୱରରେ ରବ କରୁଅଛନ୍ତି । ମନୋରମ ଜଳସ୍ଥାନମାନ ପଦ୍ମିନୀଦଳରେ ସମାଚ୍ଛନ୍ନ ହୋଇଅଛନ୍ତି । ସାରସ ପକ୍ଷୀମାନଙ୍କର ସୁମଧୁର ସ୍ୱର କର୍ଣ୍ଣର ରମ୍ୟ ହୋଇଅଛି । କିନ୍ନର ଓ ଅପ୍‌ସରାମାନେ ଶିଳାତଳରେ ବାସ କରୁଅଛନ୍ତି । ଚତୁର୍ଦ୍ଦିଗସ୍ଥିତ ପାଦପ ଶ୍ରେଣୀରେ ଦନ୍ତାବଳମାନେ ଘର୍ଷିତ ହେଉଅଛନ୍ତି । ବିଦ୍ୟାଧରଗଣ ଇତସ୍ତତଃ ସଞ୍ଚରଣ କରୁଅଛନ୍ତି । କୌଣସି କୌଣସି ସ୍ଥାନରେ ବିଷୋଲ୍ୱଣ ଭୁଜଙ୍ଗମାନେ ସମାବୃତ୍ତ ହୋଇଅଛନ୍ତି ।୧୧। କୌଣସି କୌଣସି ସ୍ଥଳ କନକବର୍ଣ୍ଣତୁଲ୍ୟ ବର୍ଣ୍ଣରେ ପ୍ରକାଶ ପାଉଅଛି । କୌଣସି କୌଣସି ସ୍ଥାନ ରଜତପ୍ରାୟ ଆଭା ବିସ୍ତାର କରୁଅଛି ଓ କୌଣସି କୌଣସି ସ୍ଥାନ ଅଞ୍ଜନପୁଞ୍ଜର ପ୍ରତିଭା ପ୍ରକାଶ କରୁଅଛି । ହେ ନରସତ୍ତମ ! ରାଜା ଭଗୀରଥ ଯାଇ ତାଦୃଶ ଅପୂର୍ବ ଦର୍ଶନୀୟ ନାନା ରତ୍ନସମାକୁଳିତ ହିମଗିରିରେ ଉପନୀତ ହେଲେ ।୧୨। ସେଠାରେ ଫଳମୂଳ ଜଳାହାରୀ ହୋଇ ସହସ୍ର ବର୍ଷ ପର୍ଯ୍ୟନ୍ତ ଉଗ୍ର ତପସ୍ୟା କଲେ-।୧୩।

 

ଦୈବ ପରିମାଣର ସହସ୍ର ବର୍ଷ ସମାପ୍ତ ହୁଅନ୍ତେ ମହାନଦୀ ଗଙ୍ଗାଦେବୀ ମୂର୍ତ୍ତିମତୀ ହୋଇ ଭଗୀରଥଙ୍କ ସମ୍ମୁଖରେ ଦୃଶ୍ୟ ହେଲେ ।୧୪। ଗଙ୍ଗାନଦୀ ଭଗୀରଥଙ୍କୁ କହିଲେ, ମହାରାଜ-! ତୁମ୍ଭେ ଆମ୍ଭ ନିକଟରୁ କି ଅଭିଳାଷ କରୁଅଛ ? ହେ ନରବର ! ଆମ୍ଭେ ତୁମ୍ଭଙ୍କୁ କ’ଣ ଦେବୁ, କହ; ତୁମ୍ଭେ ଯାହା ମାଗିବ ଆମ୍ଭେ ତୁମ୍ଭଙ୍କୁ ତାହା ଦେବୁ ।୧୫। ଗଙ୍ଗାଙ୍କର ଏହି ବଚନ ଶ୍ରବଣ କରି ଭଗୀରଥ ତାହାଙ୍କୁ କହିଲେ, ହେ ବରଦେ ! ହେ ମହାନଦି ! ଆମ୍ଭର ପିତାମହଗଣ ଅଶ୍ୱ ଅନ୍ୱେଷଣ କରୁଥିଲେ, ଇତ୍ୟବସରେ କପିଳଦେବ ସେମାନଙ୍କୁ ଯମସଦନକୁ ପ୍ରେରଣ କଲେ-।୧୭। ଷଷ୍ଟିସହସ୍ର ସଂଖ୍ୟକ ମହାତ୍ମା ସଗରରାଜ ସନ୍ତାନମାନେ କ୍ଷଣକାଳ ମଧ୍ୟରେ କପିଳଦେବଙ୍କଦ୍ୱାରା ନିହତ ହେଲେ । ଏହି ପ୍ରକାରେ ନିଧନପ୍ରାପ୍ତ ହେବାରୁ ସେମାନେ ସ୍ୱର୍ଗାରୋହଣରୁ ବଞ୍ଚିତ ହେଲେ-।୧୮। ହେ ମହାନଦି ! ଯେଉଁ କାଳ ପର୍ଯ୍ୟନ୍ତ ଆପଣ ସ୍ୱକୀୟ ଜଳଦ୍ୱାରା ସେମାନଙ୍କ ପ୍ରଜ୍ୱଳିତ ଶରୀରକୁ ଅଭିଷିକ୍ତ ନ କରିବେ, ସେତେକାଳ ପର୍ଯ୍ୟନ୍ତ ସେମାନଙ୍କର ସଦ୍‌ଗତି ହେବ ନାହିଁ-।୧୯। ହେ ମହାଭାଗେ ! ହେ ମହାନଦି ! ଆମ୍ଭେ ଆପଣଙ୍କ ନିକଟରେ ଏହି ପ୍ରାର୍ଥନା କରୁଅଛୁଁ ଯେ ଆପଣ ଆମ୍ଭର ପିତାମହମାନଙ୍କୁ ଅର୍ଥାତ୍ ସଗରପୁତ୍ରମାନଙ୍କୁ ସୁରଲୋକଗାମୀ କରନ୍ତୁ-।୨୦।

 

ଲୋମଶ କହିଲେ, ସର୍ବଲୋକ-ନମସ୍ତୁତା ଗଙ୍ଗା ଭଗୀରଥଙ୍କ ଉକ୍ତି ଶ୍ରବଣ କରି ପ୍ରୀତ ମନରେ ତାହାଙ୍କୁ କହିଲେ, ମହାଭାଗ ! ଆମ୍ଭେ ଅବଶ୍ୟ ତୁମ୍ଭର ପ୍ରାର୍ଥନା ବାକ୍ୟକୁ ସଫଳ କରିବୁ; କିନ୍ତୁ ଆମ୍ଭେ ଯେତେବେଳେ ଆକାଶରୁ ପୃଥିବୀରେ ନିପତିତ ହେବୁଁ, ତେତେବେଳେ ଆମ୍ଭର ବେଗକୁ କିଏ ସମ୍ଭାଳିବ ?୨୨। ହେ ରାଜନ୍‌ ! ତ୍ରିଲୋକ ମଧ୍ୟରେ ଦେବାଦିଦେବ ମହେଶ୍ୱରଙ୍କ ବ୍ୟତିରେକେ ମୋର ବେଗକୁ ଧାରଣ କରିବାର ଆଉ କାହାରି ସାମର୍ଥ୍ୟ ନାହିଁ ।୨୩। ଅତଏବ ହେ ମହାବାହୋ ! ତୁମ୍ଭେ ସେହି ବରପ୍ରଦ ହରଙ୍କୁ ତପସ୍ୟାଦ୍ୱାରା ପରିତୁଷ୍ଟ କର । ଏହା ହେଲେ ସେ ଆମ୍ଭଙ୍କୁ ମସ୍ତକରେ ଧାରଣ କରିବେ ।୨୪। ତୁମ୍ଭର ପିତୃଲୋକଙ୍କ ହିତାର୍ଥ ସେ ତୁମ୍ଭର କାମନା ପୂର୍ଣ୍ଣ କରିବେ; ଏଥିରେ ସଂଶୟ ନାହିଁ । ହେ ରାଜନ୍‌ ! ଗଙ୍ଗାଦେବୀଙ୍କର ଏହି ପ୍ରକାର ଉପଦେଶବାକ୍ୟ ଶ୍ରବଣ କରି ମହାରାଜ ଭଗୀରଥ କୈଳାସ ପର୍ବତକୁ ଗମନ କଲେ । କିୟତ୍‌କାଳ ତୀବ୍ର ତପସ୍ୟାଦ୍ୱାରା ସେଠାରେ ଶଙ୍କରଙ୍କୁ ସନ୍ତୁଷ୍ଟ କଲେ । ପିତୃଗଣଙ୍କର ସ୍ୱର୍ଗବାସ ନିମିତ୍ତ ମହାରାଜା ଭଗୀରଥ ମହାଦେବଙ୍କୁ ଗଙ୍ଗାଙ୍କର ବେଗ ଧରିବାର ବର ମାଗିଲେ ।୨୬।

 

॥ ଅଧ୍ୟାୟ – ୧୦୯ ॥

 

ଲୋମଶ ବୋଇଲେ, ଭଗୀରଥଙ୍କର ପ୍ରାର୍ଥନା ଶ୍ରବଣ କରି ଓ ଦେବତାମାନଙ୍କର ପ୍ରିୟକାର୍ଯ୍ୟ ହେବ ବୋଲି ବିବେଚନା କରି ଭଗବାନ ଶୂଳପାଣି ତାହାଙ୍କୁ କହିଲେ, ହେ ନୃପସତ୍ତମ ! ତୁମ୍ଭେ ଯାହା କହିଲ, ତାହା ହେବ । ହେ ମହାବାହୋ, ଯେତେବେଳେ କଲ୍ୟାଣଦାୟିନୀ ପୁଣ୍ୟଜନିକା ଗଙ୍ଗା ଗଗନରୁ ପ୍ରଚ୍ୟୁତ ହେବେ, ତେତେବେଳେ ଆମ୍ଭେ ତୁମ୍ଭ ନିମିତ୍ତ ତାହାଙ୍କୁ ଧାରଣ କରିବୁ ।୨। ହେ ମହାବାହୋ ! ଭଗୀରଥଙ୍କୁ ଉକ୍ତ ପ୍ରକାର ବଚନ କହି ଶଙ୍କର ହିମାଚଳକୁ ଗମନ କଲେ । ନାନାବିଧ ଆୟୁଧଧାରୀ ଭୟଙ୍କର ପାରିଷଦବର୍ଗ ମଧ୍ୟ ତାହାଙ୍କୁ ବେଷ୍ଟନ କରି ସଙ୍ଗରେ ପ୍ରସ୍ଥାନ କଲେ ।୩। ସେଠାରେ ଥାଇ ନରପୁଙ୍ଗବ ଭଗୀରଥଙ୍କୁ ମହାଦେବ କହିଲେ, ହେ ମହାବାହୋ ! ଏବେ ତୁମ୍ଭେ ଶୈଳରାଜନନ୍ଦିନୀ ସ୍ୱର୍ନବୀଙ୍କ ନିକଟକୁ ଗମନ କରି ଅଭିପ୍ରେତ ବିଷୟ ବିଜ୍ଞାପିତ କର । ତ୍ରିପିଷ୍ଟପରୁ ଯେତେବେଳେ ସେ ନିପତିତା ହେବେ, ତେତେବେଳେ ଆମ୍ଭେ ତାହାଙ୍କୁ ଧାରଣ କରିବୁ । ଶଙ୍କରଙ୍କ କଥିତ ଉକ୍ତ ବାକ୍ୟକୁ ଶ୍ରବଣ କରି ରାଜା ଭଗୀରଥ ତାହାଙ୍କୁ ପ୍ରଣାମ କରି ଗଙ୍ଗାକୁ ଆରାଧନା କଲେ ।

 

ଅନନ୍ତର ପୁଣ୍ୟଜଳା ଅତି ରମଣୀୟା ଗଙ୍ଗାନଦୀ ଆରାଧିତା ହୋଇ ଓ ମହାଦେବଙ୍କୁ ଅବସ୍ଥିତ ଦେଖି ସହସା ଗଗନରୁ ସ୍ଖଳିତ ହେବାକୁ ଆରମ୍ଭ କଲେ ।୭। ଗଙ୍ଗାଙ୍କର ଅବତରଣ ଦେଖିବା ନିମିତ୍ତ ଦେବ, ମହର୍ଷି, ଗନ୍ଧର୍ବ ଓ ଉରଗଗଣ, ଯକ୍ଷ ଓ ରକ୍ଷୋଗଣ ସମାଗତ ହେଲେ । ଅତଃପର ହିମଗିରିନନ୍ଦିନୀ ଗଙ୍ଗା ଆବର୍ତ୍ତସମୂହରେ ଘୂର୍ଣ୍ଣାୟମାନ ହୋଇ ମୀନ ଓ ଗ୍ରାହ ପ୍ରଭୃତି ଜଳଜନ୍ତୁଙ୍କଦ୍ୱାରା ଆକୁଳିତା ହୋଇ ଆକାଶରୁ ଅବତରଣ କଲେ । ସୁରତରଙ୍ଗିଣୀ ଗଙ୍ଗାନଦୀ ଗଗନମଣ୍ଡଳର ମେଖଳା ସ୍ୱରୂପ ଦୃଶ୍ୟ ହେଲେ । ମୁକ୍ତାମୟୀ ମାଳାପ୍ରାୟ ମହାଦେବ ତାହାଙ୍କୁ ସ୍ୱକୀୟ ଲଲାଟରେ ଧାରଣ କଲେ । ତତ୍‍ପରେ ଗଙ୍ଗା ତ୍ରିଧା ବିଭକ୍ତ ହୋଇ ସମୁଦ୍ର ଅଭିମୁଖକୁ ଧାବିତ ହେଲେ ।୧୦। ତାହାଙ୍କ ଜଳରାଶି ପରେ ଫେନପୁଞ୍ଜ ସବୁ ହଂସପଙ୍‌କ୍ତି ପ୍ରାୟ ଦୃଶ୍ୟ ହେଲେ । କୌଣସି କୌଣସି ସ୍ଥାନରେ ସେ ସର୍ପ ଦେହପ୍ରାୟ କୁଟିଳ ଗତିରେ ଗମନ କଲେ । କୌଣସି ସ୍ଥାନରେ ସ୍ଖଳିତ ହୋଇ ପଡ଼ିଲେ ।୧୧। କୌଣସିଠାରେ ଅବା ଜଳର ପତନ ନିନାଦରେ ଦିଗମାନଙ୍କୁ ପରିପୂର୍ଣ୍ଣ କଲେ । ଫେନପଟଳରେ ଆବୃତ୍ତ ହୋଇ ଗତି କଲାବେଳେ ମଦାଳସୀ ପ୍ରମଦା ପ୍ରାୟ ଦୃଶ୍ୟମାନା ହେଲେ ।୧୨।

 

ସୁରନଦୀ ଏହିପରି ବହୁବିଧ ଭାବ ପ୍ରକାଶ କରି ଗଗନତଳରୁ ଧରାତଳରେ ଅବତୀର୍ଣ୍ଣ ହୋଇ ଭଗୀରଥଙ୍କୁ କହିଲେ, ହେ ମହାରାଜ, ପୃଥିବୀପାଳ ! ତୁମ୍ଭ ନିମିତ୍ତ ଆମ୍ଭେ ପୃଥିବୀରେ ଅବତୀର୍ଣ୍ଣା ହେଲୁ । ଏବେ କେଉଁ ପଥରେ ଗମନ କରିବୁ ? ପଥପ୍ରଦର୍ଶନ କର ।୧୪। ରାଜା ଭଗୀରଥ ଏହି କଥା ଶୁଣି ଯେଉଁ ଦିଗରେ ସଗରରାଜାଙ୍କ ପୁତ୍ରମାନଙ୍କର ଭସ୍ମୀକୃତ ଶରୀର ଥିଲା, ସେହି ଦିଗକୁ ଏହି ଅଭିପ୍ରାୟରେ ପ୍ରସ୍ଥାନ କଲେ ଯେ ପୁଣ୍ୟଜଳରେ ସେହି ଦିଗ ପ୍ଳାବିତ ହେବ ।୧୫। ଏଣେ ଲୋକବନ୍ଦ୍ୟ ମହାଦେବ ଗଙ୍ଗାଙ୍କୁ ଧାରଣ କରି ଦେବଗଣଙ୍କ ସହିତ କୈଳାସ ପର୍ବତକୁ ଗମନ କଲେ ।୧୬। ରାଜା ଭଗୀରଥ ଅମର ନଦୀକୁ ସଙ୍ଗରେ ଘେନି ଅତି ବେଗରେ ଆସି ସମୁଦ୍ରତୀରରେ ଉପସ୍ଥିତ ହେଲେ ଓ ତାହାଙ୍କର ଜଳଦ୍ୱାରା ସମୁଦ୍ରକୁ ପରିପୂର୍ଣ୍ଣ କଲେ । ସେଠାରେ ଗଙ୍ଗାଙ୍କୁ କନ୍ୟା ବୋଲି କଳ୍ପନା କରି ତଦୀୟ ଜଳରେ ଦଗ୍ଧ ପିତୃଗଣଙ୍କ ଉଦ୍ଦେଶ୍ୟରେ ଉଦକକ୍ରିୟା ନିଷ୍ପନ୍ନ କରି ନିଜର ମନସ୍କାମନା ପରିପୂର୍ଣ୍ଣ କଲେ । ହେ ମହାରାଜ ! ତ୍ରିପଥଗାମିନୀ ସୁରନଦୀ ଗଙ୍ଗା ଯେ ରୂପେ ସମୁଦ୍ର ପୂରଣ କରିବା ନିମିତ୍ତ ପୃଥିବୀରେ ଅବତାରିତ ହୋଇଥିଲେ ଓ ଯେଉଁ କାରଣରୁ ଅଗସ୍ତ୍ୟମୁନି ସମୁଦ୍ରକୁ ପାନକରି ବ୍ରହ୍ମଘାତୀ ବାତାପିକୁ ସଂହାର କରିଥିଲେ, ଆପଣଙ୍କ ପ୍ରଶ୍ନାନୁସାରେ ଆମ୍ଭେ ସମୁଦାୟ କୀର୍ତ୍ତନ କଲୁଁ ।୨୧।

 

॥ ଅଧ୍ୟାୟ – ୧୧୦ ॥

 

ବୈଶମ୍ପାୟନ ବୋଇଲେ–ହେ ଭରତକୁଳତିଳକ ! ତଦନନ୍ତର କୁନ୍ତୀନନ୍ଦନ ଧର୍ମରାଜ ନନ୍ଦା ଓ ଅପରନନ୍ଦା ନାମ୍ନୀ ନଦୀଦ୍ୱୟ ସନ୍ନିକଟକୁ ଗମନ କରି ଅନାମୟ ହେମକୂଟ ଶିଖରୀକୁ ଯାଇ ସେଠାରେ ଅଚିନ୍ତନୀୟ ଅଦ୍ଭୁତ ପଦାର୍ଥମାନଙ୍କୁ ଦେଖିବାକୁ ପାଇଲେ ।୧। ଧର୍ମରାଜ ଦେଖିଲେ ଯେ ସେଠାରେ ମେଘମାନେ ବାୟୁଦ୍ୱାରା ଆବଦ୍ଧ ହୋଇ ରହିଅଛନ୍ତି । ସେଠାରେ ଅଳ୍ପମାତ୍ର ଶବ୍ଦ କଲାକ୍ଷଣି ସହସ୍ର ସହସ୍ର ଉପଳଖଣ୍ଡ ସହସା ନିପତିତ ହୁଏ । ହେ ମହାରାଜ ! ଯେଉଁମାନଙ୍କ ଅନ୍ତଃକରଣ ବିଷଣ୍ଣ, ସେମାନେ ସେହି ଶିଖରୀ ପରେ ଆରୋହଣ କରିବାକୁ ସମର୍ଥ ହୁଅନ୍ତି ନାହିଁ । ସେଠାରେ ପବନ ସର୍ବଦା ପ୍ରବାହିତ ହେଉଥାଏ । ବାରିଧର ସର୍ବଦା ବୃଷ୍ଟି କରିଥାନ୍ତି । ବେଦପାଠଧ୍ୱନି ସର୍ବଦା ସେଠାରେ ଶ୍ରବଣ କୁହରରେ ପ୍ରବେଶ କରୁଥାଏ । କିନ୍ତୁ କିଏ ଅଧ୍ୟୟନ କରେ, ତାହା ଜ୍ଞାତ ହୁଏ ନାହିଁ । ସ୍ୱାୟଂ ଓ ପ୍ରଭାତକାଳ ଉପସ୍ଥିତ ହେଲେ ଭଗବାନ ଅଗ୍ନି ଦୃଶ୍ୟ ହୁଅନ୍ତି । ମକ୍ଷିକାମାନେ ତପସ୍ୟାର ବିଘ୍ନକାରୀ ହୋଇ ମନୁଷ୍ୟମାନଙ୍କୁ ଦଂଶନ କରନ୍ତି । ତଦ୍ଦ୍ୱାରା ମନୁଷ୍ୟମାନେ ତପସ୍ୟାରେ ପ୍ରବୃତ୍ତ ନ ହୋଇ ସ୍ତ୍ରୀପୁତ୍ରଗୃହାଦିମାନଙ୍କୁ ସ୍ମରଣ କରନ୍ତି । ଏହିପରି ବହୁବିଧ ବିସ୍ମୟଜନକ ବ୍ୟାପାର ସନ୍ଦର୍ଶନ କରି ପାଣ୍ଡୁନନ୍ଦନ ଯୁଧିଷ୍ଠିର ପୁନର୍ବାର ଲୋମଶ ଋଷିଙ୍କୁ ଅଦ୍ଭୁତ ବିଷୟର ବୃତ୍ତାନ୍ତ ପ୍ରଶ୍ନ କଲେ ।୬।

 

ଲୋମଶ କହିଲେ, ହେ ଶତ୍ରୁକର୍ଷଣ ! ପୂର୍ବେ ଆମ୍ଭେମାନେ ଏହି ସବୁ ବିଷୟର ବୃତ୍ତାନ୍ତ ଯେପରି ଶ୍ରବଣ କରିଅଛୁଁ, ଆପଣ ମନୋଯୋଗ ପୂର୍ବକ ଶ୍ରବଣ କରନ୍ତୁ ।୭। ହେ ମହାରାଜ ! ଏହି ପର୍ବତର ନାମ ଋଷଭକୁଟ । ଏହି ପର୍ବତରେ ବହୁ ଶତବର୍ଷର ବର୍ଷୀୟାନ ଋଷଭ ନାମରେ ଜଣେ ତପସ୍ୱୀ ଥିଲେ ।୮। ସେ ଅତିଶୟ କୋପ ସ୍ୱଭାବବିଶିଷ୍ଟ; ସର୍ବଦା ସେ ତପସ୍ୟାର ଅନୁଷ୍ଠାନରେ ଥାଆନ୍ତି । ଅନ୍ୟାନ୍ୟ ବ୍ୟକ୍ତି ତାହାଙ୍କୁ କଥା ନ କହିବେ ବୋଲି ସେ ପର୍ବତକୁ ଆଦେଶ କଲେ ଯେକୌଣସି ବ୍ୟକ୍ତି ଏଠାରେ କଥା କହିଲେ, ତତ୍‌କ୍ଷଣାତ ତାହା ଉପରେ ପ୍ରସ୍ତର ଖଣ୍ଡ ନିକ୍ଷେପ କରିବ । ପବନକୁ ଆହ୍ୱାନ କରି କହିଲେ ଯେ, ତୁମ୍ଭେ ଏଠାରେ ଶବ୍ଦ କର ନାହିଁ ଓ ଯଦି କୌଣସି ମନୁଷ୍ୟ ଏଠାରେ କଥା କହେ, ତେବେ ତାହାକୁ ମେଘସଦୃଶ ଶବ୍ଦ କରି ନିବାରଣ କରିବ ।୧୦। ହେ ରାଜନ୍‌ ! କ୍ରୋଧ ହେତୁରୁ ସେହି ମହର୍ଷି କୌଣସି କାର୍ଯ୍ୟକୁ ବିହିତ ଓ କୌଣସି କାର୍ଯ୍ୟକୁ ନିଷିଦ୍ଧ ବୋଲି କହିଯାଇ ଅଛନ୍ତି ।୧୧।

 

ମହାରାଜ ! ପୂର୍ବେ ଆମ୍ଭେମାନେ ଏପରି ଶୁଣିଅଛୁ ଯେ ଦେବତାମାନେ ନନ୍ଦା ନଦୀର ଅଭିମୁଖକୁ ଗମନ କରୁଥିଲେ । କେତେଗୁଡ଼ିଏ ମନୁଷ୍ୟ ସେମାନଙ୍କୁ ଦେଖିବା ନିମିତ୍ତ ତାହାଙ୍କ ପଛେ ପଛେ ଗମନ କଲେ ।୧୨। କିନ୍ତୁ ଦେବତାମାନେ ସେମାନଙ୍କୁ ଦର୍ଶନ ଦେବାକୁ ଆନିଚ୍ଛୁକ ହୋଇ ଏହି ପ୍ରଦେଶକୁ ପର୍ବତପରିଧିଦ୍ୱାରା ଦୁର୍ଗାକାରରେ ନିର୍ଦ୍ଦିଷ୍ଟ କଲେ । ଦେବଧି ମନୁଷ୍ୟମାନେ ସେହି ପର୍ବତକୁ ଆରୋହଣ କରିବା ଦୂରେ ଥାଉ, ତାହାକୁ ଉତ୍ତମରୂପେ ଚାହିଁବାକୁ ସୁଦ୍ଧା ସମର୍ଥ ହୁଅନ୍ତି ନାହିଁ ।୧୪। ହେ କୌନ୍ତେୟ ! ଯେଉଁମାନେ ତପସ୍ୟା କରିନଥାନ୍ତି, ସେମାନେ ଏହି ପର୍ବତରେ ଆରୋହଣ କରିପାରନ୍ତି ନାହିଁ । ଅତଏବ ଆପଣ ଏହିଠାରେ ରହନ୍ତୁ ।୧୫। ହେ ଭାରତ-! ସେହି ସ୍ଥାନରେ ଦେବତାମାନେ ପ୍ରଧାନ ପ୍ରଧାନ ଯଜ୍ଞାନୁଷ୍ଠାନ କରିଥିଲେ । ଅଦ୍ୟାପି ତାହାର ଚିହ୍ନ ପରିଦୃଶ୍ୟ ହୁଏ ।୧୬। ଦେଖନ୍ତୁ, ଏହି ଦୂର୍ବାମାନ କୁଶ ସଦୃଶ ଦିଶୁଅଛନ୍ତି । ଏହି ସ୍ଥାନଟି ଯଜ୍ଞବେଦୀ ପ୍ରାୟ ଦିଶୁଅଛି । ଏହିସବୁ ବୃକ୍ଷ ଯୂପାକାର ହୋଇ ରହିଅଛି ।୧୭। ଦେବତାମାନେ ଓ ଋଷିମାନେ ଏହି ସ୍ଥାନରେ ଅଦ୍ୟାପି ବାସ କରିଥାନ୍ତି । ସେମାନଙ୍କ ଅଗ୍ନିହୋତ୍ରୀୟ ଅଗ୍ନି ସାୟଂକାଳରେ ଓ ପ୍ରାତଃକାଳରେ ଦୃଶ୍ୟ ହୁଏ ।୧୮। ହେ କୌନ୍ତେୟ ! ଏହି ସ୍ଥାନରେ ଯେଉଁମାନେ ଅବଗାହନ କରନ୍ତି, ସେମାନେ ସ୍ନାନ କଲାକ୍ଷଣି ତାହାଙ୍କର ପାପମାନ କ୍ଷୟପ୍ରାପ୍ତ ହୁଅନ୍ତି । ଅତଏବ ମନୁଜମାନଙ୍କ ସହ ଆପଣ ଏଠାରେ ଅବଗାହନ କରନ୍ତୁ । ନନ୍ଦା ଜଳରେ ଅଭିଷିକ୍ତ ହୋଇ ପରେ କୌଶିକୀ ନଦୀକୁ ଗମନ କରିବା ହେବେ, ଯେଉଁଠାରେ କି ବିଶ୍ୱାମିତ୍ର ଋଷି ଉତ୍କୃଷ୍ଟ ଓ ଉଗ୍ର ତପସ୍ୟାଚରଣ କରିଥିଲେ ।୨୦। ତଦନନ୍ତର ଧର୍ମରାଜ ନିଜର ଅନୁଚରବର୍ଗସହ ନନ୍ଦା ଜଳରେ ଆପ୍ଳୁତ ହୋଇ କୌଶିକୀ ନଦୀକୁ ପ୍ରସ୍ଥାନ କରି ତାହାର ପବିତ, ଶୀତଳ ଓ ରମଣୀୟ ଜଳରେ ଅବଗାହନ କଲେ ।

 

ଲୋମଶ ବୋଇଲେ, ହେ ଭାରତବର ! ଏଠାରେ ଦେଖନ୍ତୁ, ପୁଣ୍ୟନଦୀ କୌଶିକୀ ଓ ବିଶ୍ୱାମିତ୍ରଙ୍କର ଆଶ୍ରମ ଦୃଶ୍ୟ ହେଉଅଛି ।୨୨। ଓ ଆଉ ଗୋଟିଏ ଆଶ୍ରମ ଦୃଶ୍ୟ ହେଉଅଛି । ତାହା କାଶ୍ୟପଙ୍କର, ତାହାଙ୍କର ପୁତ୍ର ଋଷ୍ୟଶୃଙ୍ଗ; ସେ ମହାତପା ଓ ଜିତେନ୍ଦ୍ରିୟ ଥିଲେ ।୨୩। ସେହି ମହାତ୍ମା ନିଜ ତପସ୍ୟାପ୍ରଭାବରେ ଇନ୍ଦ୍ରଙ୍କୁ ବୃଷ୍ଟି କରିବାକୁ ବାଧ୍ୟ କରିଥିଲେ । ବଳସୂଦନ ବୃତ୍ତ୍ରହନ୍ତା ଇନ୍ଦ୍ର ତାହାଙ୍କ ତପସ୍ୟାରେ ଭୟରେ ଅନାବୃଷ୍ଟି ବେଳେ ଜଳ ବର୍ଷଣ କରିଥିଲେ ।୨୪। ସେହି ତେଜସ୍ୱୀ ଋଷ୍ୟଶୃଙ୍ଗ କାଶ୍ୟପମୁନିଙ୍କ ଔରସରୁ ଗୋଟିଏ ମୃଗୁଣୀର ଗର୍ଭରୁ ଜନ୍ମିଥିଲେ । ଲୋମପାଦ ରାଜାଙ୍କ ରାଜ୍ୟରେ ସେ ମହତ ଅଦ୍ଭୁତ କାର୍ଯ୍ୟ କରିଥିଲେ ।୨୫। ବୃଷ୍ଟି ହୁଅନ୍ତେ ଶସ୍ୟମାନେ ଜାତ ହେଲେ । ତହୁଁ ରାଜା ଲୋମପାଦ ପରିତୁଷ୍ଟ ହୋଇ ନିଜ ଦୁହିତାଙ୍କୁ ସେ ଋଷିଙ୍କୁ ପ୍ରଦାନ କଲେ । ସୂର୍ଯ୍ୟ ଯେପରି ନିଜ କନ୍ୟା ସାବିତ୍ରୀଙ୍କୁ ବ୍ରହ୍ମାଙ୍କୁ ପ୍ରଦାନ କରିଥିଲେ, ସେହିପରି ଏ ରାଜା ନିଜ ପୁତ୍ରୀ ଶାନ୍ତାଙ୍କୁ ମହର୍ଷି ଋଷ୍ୟଶୃଙ୍ଗଙ୍କୁ ସମ୍ପ୍ରଦାନ କଲେ ।୨୬। ଯୁଧିଷ୍ଠିର ବୋଇଲେ, କାଶ୍ୟପଙ୍କ ଔରସରୁ ମୃଗୀଗର୍ଭରୁ କିପରି ଋଷ୍ୟଶୃଙ୍ଗ ଜନ୍ମଗ୍ରହଣ କଲେ ? ବିରୁଦ୍ଧ ଯୋନିରୁ ଜନ୍ମହୋଇ କି ପ୍ରକାରେ ଏତାଦୃଶ ତପସ୍ୟାର ଅଧିକାରୀ ହେଲେ ? ବଳହନ୍ତା ଓ ବୃତ୍ତହନ୍ତା ବାସବ କିପରି ଏହି ବୁଦ୍ଧିଶୀଳ ବାଳକଠାରୁ ଭୟପ୍ରାପ୍ତ ହୋଇ ଅନାବୃଷ୍ଟିରେ ଜଳବର୍ଷଣ କଲେ ? ବ୍ରତଚାରିଣୀ ରାଜପୁତ୍ରୀ ଶାନ୍ତା କି ପ୍ରକାରେ ମୃଗ ଗର୍ଭଜାତ ଋଷିଙ୍କ ଚିତ୍ତକୁ ମୋହିତ କଲେ ? ୨୯। ରାଜା ଲୋମପାଦ ମହର୍ଷି ଥିଲେ ଓ ଶୁଣାଅଛି ଯେ ସେ ବଡ଼ ଧାର୍ମିକ ଥିଲେ । ତାହାଙ୍କ ରାଜ୍ୟରେ ଇନ୍ଦ୍ର କିପରି ବର୍ଷା ନ କଲେ ? ୩୦। ହେ ଭଗବନ୍‌ ! ଏହି ସବୁ ବିଷୟ ମୋତେ ବିସ୍ତାର କରି କହିବା ହେଉନ୍ତୁ । ଋଷ୍ୟଶୃଙ୍ଗଙ୍କ ବୃତ୍ତାନ୍ତ ମୋର ଶୁଣିବାକୁ ଅତ୍ୟନ୍ତ ଇଚ୍ଛା ହେଉଅଛି ।୩୧।

 

ଲୋମଶ ବୋଇଲେ, ତପଃସିଦ୍ଧ ବିଭାଣ୍ଡକ ଋଷିଙ୍କର ପ୍ରତାପ ବ୍ରହ୍ମାଙ୍କ ପ୍ରତାପ ସଦୃଶ । ବିଭାଣ୍ଡକ ଅମୋଘବୀର୍ଯ୍ୟ । ତାହାଙ୍କ ଔରସରୁ ପ୍ରତାପଶାଳୀ ଋଷ୍ୟଶୃଙ୍ଗ ଯେପରି ଜନ୍ମ ଗ୍ରହଣ କଲେ ଓ ସେ ବାଳକ ହୋଇ ସୁଦ୍ଧା ଯେପରି ସ୍ଥବିରଙ୍କ ସମ ମାନନୀୟ ହେଲେ, ତାହା ମୁଁ କହୁଅଛି, ଶ୍ରବଣ କର ।୩୩। କଶ୍ୟପଙ୍କ ସନ୍ତାନ ବିଭାଣ୍ଡକ ଋଷି ଗୋଟି ମହା ହ୍ରଦରେ ପ୍ରବେଶ କରି ଦୀର୍ଘକାଳ ବହୁ ଶ୍ରମରେ ତପସ୍ୟାଦ୍ୱାରା ଦେବସଦୃଶ ତେଜସ୍ୱୀ ହୋଇଥିଲେ ।୩୪। ସେ ସ୍ନାନ କରୁ କରୁ ଏକଦା ଉର୍ବଶୀ ନାମ୍ନୀ ଅପ୍‌ସରାକୁ ଦର୍ଶନ କରିବାରୁ ତାହାଙ୍କର ରେତ ସ୍ଖଳନ ହେଲା । ହେ ରାଜନ୍‌ ! ତତ୍କାଳରେ ଗୋଟିଏ ହରିଣୀ ଜଳପାନ କରିବାକୁ ଆସି ଜଳରେ ନିପତିତ ସେହି ରେତକୁ ଜଳ ସହିତ ପାନ କଲା । ମୃଗୀ ଋତୁମତୀ ହେଲା । ତହୁଁ ସେ ତତ୍କାଳରେ ଅନ୍ତଃସତ୍ତ୍ୱା ହେଲା । ସେ ମୃଗୀ ପୂର୍ବେ ଦେବକନ୍ୟା ଥିଲା । ଲୋକକର୍ତ୍ତା ଭଗବାନ ବ୍ରହ୍ମା ତାହାଙ୍କୁ କହିଥିଲେ, ତୁମ୍ଭେ ମୃଗୀ ହୋଇ ମୁନିଙ୍କୁ ପ୍ରସବ କଲେ ଶାପରୁ ମୁକ୍ତ ହେବ । ବିଧାତାଙ୍କ ବଚନ ଅନ୍ୟଥା ହେବାର ନୁହେଁ । ତହିଁକି ଦୈବ ଅନୁକୂଳ ହୋଇ ହରିଣୀଗର୍ଭରୁ ବିଭାଣ୍ଡକ ଋଷିଙ୍କ ଔରସରୁ ଋଷ୍ୟଶୃଙ୍ଗ ଜାତ ହେଲେ-। ପଶ୍ଚାତ୍ ସେ ମହର୍ଷି ପରମ ତେଜସ୍ୱୀ ହେଲେ । ହେ ରାଜନ୍‌ ! ସେ ମହାତ୍ମା ଋଷିଙ୍କ ମସ୍ତକରେ ଶୃଙ୍ଗ ଜାତ ହୋଇଥିଲା । ଏହି ନିମିତ୍ତ ତାହାଙ୍କର ନାମ ଋଷ୍ୟଶୃଙ୍ଗ ହୋଇଥିଲା-।୩୯। ସ୍ୱକୀୟ ପିତାଙ୍କ ଭିନ୍ନ ଅନ୍ୟ କୌଣସି ମନୁଷ୍ୟକୁ ସେ ଦେଖିନଥିଲେ । ଅତଏବ ବାଲ୍ୟକାଳରୁ ତାହାଙ୍କର ତପସ୍ୟା ଓ ବ୍ରହ୍ମଚର୍ଯ୍ୟରେ ପ୍ରବୃତ୍ତି ହେଲା ।୪୦। ଏହି ସମୟରେ ଦଶରଥ ରାଜାଙ୍କ ମିତ୍ର ବିଖ୍ୟାତ ଲୋମପାଦ ଅଙ୍ଗ ଦେଶର ନରପତି ଆସନ ପ୍ରାପ୍ତ ହେଲେ ।୪୧। ଆମ୍ଭେମାନେ ଶୁଣିଅଛୁଁ ଯେ ସେ ରାଜା ବ୍ରାହ୍ମଣମାନଙ୍କଠାରେ ମିଥ୍ୟା ବ୍ୟବହାର କଲେ । ତହିଁରେ ତାହାଙ୍କ ପୁରୋହିତଙ୍କର ମଧ୍ୟ ଦୋଷ ଥିଲା । ଏହି ନିମିତ୍ତ ବ୍ରାହ୍ମଣମାନେ ତାହାଙ୍କୁ ପରିତ୍ୟାଗ କଲେ । ଲୋମପାଦ ଓ ତାହାଙ୍କ ପୁରୋହିତଙ୍କଦ୍ୱାରା ବ୍ରାହ୍ମଣମାନଙ୍କର ଏତାଦୃଶ ଅବମାନନା ହେବାରୁ ଇନ୍ଦ୍ର ଏହା ଦେଖି ଲୋମପାଦଙ୍କ ରାଜ୍ୟରେ ଜଳ ବର୍ଷଣ କଲେ ନାହିଁ ।୪୩।

 

ହେ ପୃଥିବୀପାଳ ! ଦେବରାଜ ଇନ୍ଦ୍ର ଯହିଁରେ ବର୍ଷା କରିବେ, ତାହାର ଉପାୟ ଉଦ୍ଭାବନ କରିବା ନିମିତ୍ତ ତପଃସମ୍ପନ୍ନ ମନୀଷୀ ବ୍ରାହ୍ମଣମାନଙ୍କୁ ଆହ୍ୱାନ କରି ଅନୁରୋଧ କଲେ । ରାଜାଙ୍କ ଅନୁରୋଧରେ ସେହି ବ୍ରାହ୍ମଣମାନେ ବୃଷ୍ଟିର ଉପାୟମାନ ଉଭାବନ କରି କହିଲେ ।୪୫। ତନ୍ମଧ୍ୟରେ ଜଣେ ପ୍ରଧାନ ମୁନି କହିଲେ, ହେ ରାଜେନ୍ଦ୍ର ! ଆପଣଙ୍କ ପ୍ରତି ବ୍ରାହ୍ମଣମାନେ କୁପିତ ହୋଇଅଛନ୍ତି । ଅତଏବ ଆପଣ ତହିଁରୁ ଉଦ୍ଧାର ପାଇବାର ଯତ୍ନ କରନ୍ତୁ ।୪୬। ଋଷିପୁତ୍ର ଋଷ୍ୟଶୃଙ୍ଗକୁ ଆଣିବାର ଉପାୟ କରନ୍ତୁ । ଋଷ୍ୟଶୃଙ୍ଗଙ୍କର ସ୍ୱଭାବ ଅତି ସରଳ । ସେ ବନ ମଧ୍ୟରେ ଜାତ ହୋଇ ବନରେ ବାସ କରୁଅଛନ୍ତି । ସୁତରାଂ ନାରୀମାନେ କିପରି, ତାହା ସେ ଜାଣନ୍ତି ନାହିଁ ।୪୭। ସେହି ମହାତପା ଋଷ୍ୟଶୃଙ୍ଗ ଯେବେ ତୁମ୍ଭ ରାଜ୍ୟ ମଧ୍ୟରେ ପ୍ରବେଶ କରନ୍ତି, ତେବେ ସେ ପଦାର୍ପଣ କଲାକ୍ଷଣି ପର୍ଜନ୍ୟ ବର୍ଷଣ କରିବେ; ଏଥିରେ କିଛିମାତ୍ର ସଂଶୟ ନାହିଁ ।୪୮। ହେ ଧରଣୀନାଥ ! ଲୋମପାଦ ରାଜା ଏହି କଥା ଶ୍ରବଣ କରି ଆତ୍ମନିଷ୍କୃତି ଲାଭ ନିମିତ୍ତ ଦ୍ୱିଜାତିଗଣଙ୍କ ନିକଟକୁ ଗମନ କଲେ ଓ ସେମାନଙ୍କୁ ପରିତୃଷ୍ଟ କରି ପୁନରାଗତ ହେଲେ ।୪୯। ରାଜାଙ୍କର ଆସିବା ଶୁଣି ପ୍ରଜାମାନେ ସନ୍ତୁଷ୍ଟ ହେଲେ । ତଦନନ୍ତର ଅଙ୍ଗଦେଶାଧିପତି ଲୋମପାଦ ମନ୍ତ୍ରଣା ବିଶାରଦ ମନ୍ତ୍ରୀମାନଙ୍କୁ ଆହ୍ୱାନ କରି କି ଉପାୟରେ ଋଷ୍ୟଶୃଙ୍ଗ ଆସିବେ, ତହିଁର ମନ୍ତ୍ରଣା ଓ ଯତ୍ନ କଲେ ।

 

ହେ ଅଚ୍ୟୁତ ! ସେ ରାଜା ବିଷୟକର୍ମରେ ଅତ୍ୟନ୍ତ ନିପୁଣ; ନୀତି ବିଦ୍ୟାରେ କୁଶଳ ଓ ଶାସ୍ତ୍ରଜ୍ଞ । କି ଉପାୟରେ ଋଷ୍ୟଶୃଙ୍ଗ ଆସିବେ, ତାହାର ଉପାୟ ଅବଧାରଣ କଲେ । ତତ୍‍ପରେ ସର୍ବ ବିଷୟରେ ସୁଚତୁରା କେତେଗୁଡ଼ିଏ ବେଶ୍ୟାମାନଙ୍କୁ ଅଣାଇଲେ ।୫୨। ସେମାନଙ୍କୁ ରାଜା କହିଲେ, ଶୋଭାବତୀଗଣ ! ଋଷିପୁତ୍ର ଋଷ୍ୟଶୃଙ୍ଗ ଯହିଁରେ ଆମ୍ଭ ଦେଶକୁ ଆଗମନ କରନ୍ତି, ତୁମ୍ଭେମାନେ ତାହାଙ୍କୁ ପ୍ରଲୋଭନ ଦେଖାଇ ଘେନି ଆସ । ବାରାଙ୍ଗନାମାନେ ବିଚାରିଲେ, ରାଜାଙ୍କ ଆଜ୍ଞା ପ୍ରତିପାଳନ ନ କଲେ ରାଜଦଣ୍ଡରେ ଦଣ୍ଡିତ ହେବେ । ଏହି ଭୟରେ ସେମାନେ ଭୀତାହୋଇ ପୁନଶ୍ଚ ଋଷି ଯେବେ କୁପିତ ହୋଇ ଅଭିଶାପ ଦିଅନ୍ତି, ତେବେ ମଧ୍ୟ ଏମାନଙ୍କର ଦୁର୍ଦ୍ଦଶାର ସୀମା ରହିବ ନାହିଁ, ଏହି ଉଭୟ ପ୍ରକାର ଭୟରେ ସେମାନେ ବ୍ୟାକୁଳିତା ହେଲେ । ତତ୍‍ପରେ ରାଜାଙ୍କଠାରେ ଜଣାଇଲେ ଯେ ସେ କାର୍ଯ୍ୟ ତାହାଙ୍କର ଅସାଧ୍ୟ; କିନ୍ତୁ ତନ୍ମଧ୍ୟରୁ ଗୋଟିଏ ବୃଦ୍ଧା ବାରାଙ୍ଗନା ନିବେଦନ କଲା ।୫୭। ହେ ମହାରାଜ ! ମୁଁ ସେହି ତପୋନିଧି ଋଷ୍ୟଶୃଙ୍ଗକୁ ଆଣିବାକୁ ଯତ୍ନ କରିବି । ଯଦି ଆପଣ ମୋର ଅଭିଳଷିତ ବିଷୟମାନଙ୍କୁ ସମ୍ପାଦନ କରନ୍ତି, ତେବେ ମୁଁ ସେ ଋଷିପୁତ୍ରଙ୍କୁ ଆଣିଦେବି । ରାଜା ବୋଇଲେ, ତୁମ୍ଭର ଯାହା ଅଭିପ୍ରେତ, ତାହା ତୁମ୍ଭେ କହ; ଆମ୍ଭେ ପ୍ରଦାନ କରିବୁ । ଏହା କହି ରାଜା ତାହାଙ୍କୁ ଅନେକ ଧନ ଓ ବିବିଧ ରତ୍ନ ପ୍ରଦାନ କଲେ । ତଦନନ୍ତର ସେହି ବୃଦ୍ଧା ବାରନାରୀ କେତେଗୁଡ଼ିଏ ଯୁବତୀ ରମଣୀଙ୍କୁ ସଙ୍ଗରେ ଘେନି ସେହି ଅରଣ୍ୟ ଉଦ୍ଦେଶ୍ୟରେ ଯାତ୍ରା କଲା ।୫୮।

 

॥ ଅଧ୍ୟାୟ – ୧୧୧ ॥

 

ଲୋମଶ କହିଲେ–ହେ ଭରତକୁଳପାଳକ । ଶ୍ରବଣ କର, ସେହି ବୃଦ୍ଧା ଜରତା ରାଜକାର୍ଯ୍ୟ ସିଦ୍ଧିନିମିତ୍ତ ରାଜାଙ୍କ ଆଜ୍ଞାକ୍ରମେ ସ୍ୱକୀୟ ବୁଦ୍ଧି ଅନୁସାରେ ନୌକା ମଧ୍ୟରେ ଗୋଟିଏ ଆଶ୍ରମ ପ୍ରସ୍ତୁତ କଲା । ନୌକା ମଧ୍ୟରେ ସେହି ଆଶ୍ରମଟି ନାନାବିଧ ଗୁଳ୍ମ ଓ ଲତାରେ ନିର୍ମିତ ହୋଇଥିଲା । ବିବିଧ ପୁଷ୍ପ ଓ ଫଳରେ ଉପଶୋଭିତ ହୋଇଥିଲା । ସୁସ୍ୱାଦୁ ଫଳ ଓ କୃତ୍ରିମ ବୃକ୍ଷରେ ମଧ୍ୟ ସେହି ଆଶ୍ରମ ରମଣୀୟ ହୋଇଥିଲା । ଏହିପରି ସେହି କୃତ୍ରିମ ଆଶ୍ରମ ଅଦ୍ଭୁତ ରୂପେ ରଞ୍ଜିତ ହୋଇଥିଲା । ବୃଦ୍ଧା ଜରତା ସେହି ନୌକାକୁ ବାହିତ କରାଇ ବିଭାଣ୍ଡକ ଋଷିଙ୍କ ଆଶ୍ରମ ନିକଟରେ ବନ୍ଧାଇଲା ଓ କେତେବେଳେ ସେ ଋଷି ଆଶ୍ରମରେ ନ ଥାନ୍ତି, ଏକଥା ଅନୁଚର ବର୍ଗଙ୍କଦ୍ୱାରା ଅବଗତ ହେଲା ।୪। ତତ୍‍ପରେ ଯାହା କର୍ତ୍ତବ୍ୟ, ତାହା ସ୍ଥିର କରି ବିଭାଣ୍ଡକ ଋଷି ଆଶ୍ରମରେ ନ ଥିବା ସମୟରେ ନିଜ ଦୁହିତାଙ୍କୁ ପ୍ରେରଣ କଲା ।

 

ସେ ବୁଦ୍ଧିମତୀ ଓ ପୃଂଶ୍ଚଳୀ ।୫। ଗଣିକାର ସେହି ଦୁହିତା ଅତିଶୟ ଚତୁରା । ଆଶ୍ରମଠାକୁ ଗମନ କରି ତପୋନିଷ୍ଠ ସେହି ଋଷିକୁମାରଙ୍କୁ ଦେଖି ତାହାଙ୍କୁ କହିଲା, ।୬। ହେ ମୁନେ ! ସମ୍ପ୍ରତି ମୁଁ ଆସିଅଛି, ଆପଣଙ୍କ ସହିତ ସାକ୍ଷାତ୍ କରିବା ନିମିତ୍ତ; ତପସ୍ୱୀମାନଙ୍କର ସବୁ କୁଶଳ ତ ? ଏଠାରେ ଆପଣମାନଙ୍କ ଫଳମୂଳ ସବୁ ମିଳେ ତ ? ଏହି ଆଶ୍ରମଟି ଆପଣଙ୍କୁ ଭଲ ବୋଧହୁଏ ତ ? ୭। ହେ ବିପ୍ର ! ତପସ୍ୱୀମାନଙ୍କର ତପସ୍ୟାର ବୃଦ୍ଧି ହେଉଅଛି ତ ? ଆପଣଙ୍କ ପିତାଙ୍କ ବ୍ରହ୍ମତେଜ ହୀନ ହୋଇ ନାହିଁ ତ ? ଆପଣଙ୍କ ଅନ୍ତଃକରଣ ପରିତୃପ୍ତ ଅଛି ତ ? ହେ ଋଷ୍ୟଶୃଙ୍ଗ ! ଆପଣ ବେଦାଧ୍ୟୟନ କରନ୍ତି ତ ? ଋଷ୍ୟଶୃଙ୍ଗ କହିଲେ–ଆପଣ ଜ୍ୟୋତିର୍ମୟୀ ପଦାର୍ଥ ପ୍ରାୟ ପ୍ରକାଶ ପାଉଅଛନ୍ତି । ଆପଣ ସମୃଦ୍ଧିଶୀଳ ଓ ଆମ୍ଭର ନମସ୍ୟ ପ୍ରାୟ ବୋଧ ହେଉଅଛନ୍ତି । ଅତଏବ ଅତିଥି ଧର୍ମାନୁସାରେ ଆମ୍ଭେ ଆପଣଙ୍କୁ ପାଦ୍ୟ, ଅର୍ଘ୍ୟ ଓ ଫଳମୂଳାଦି ସମର୍ପଣ କରୁଅଛୁଁ; ଆପଣ ଗ୍ରହଣ କରନ୍ତୁ । କୁଶାସନ ପରେ କୃଷ୍ଣସାର ମୃଗଚର୍ମ ଆବୃତ ହୋଇଅଛି । ଏହି କୋମଳ ଆସନ ଉପରେ ଉପବେଶନ କରନ୍ତୁ ।

 

ହେ ବ୍ରହ୍ମନ୍‌ ! ଆପଣଙ୍କ ଆଶ୍ରମ କେଉଁଠାରେ ? ଆପଣ ଦେବସମ ହୋଇ ଏହି ଯେଉଁ ବ୍ରତାଚରଣ କରୁଅଛନ୍ତି, ଏହା କି ବ୍ରତ ଅଟେ ? ଏହାର ନାମ କଅଣ ? ବେଶ୍ୟା କହିଲା–ହେ କଶ୍ୟପପୁତ୍ର ! ଏହି ପର୍ବତ ତିନି ଯୋଜନ; ଏହାର ପ୍ରାନ୍ତରେ ଆମ୍ଭର ରମଣୀୟ ଆଶ୍ରମ ଅଛି । ଆମ୍ଭର ଧର୍ମ ଏହି ଯେ ଆମ୍ଭେ କାହାରିଠାରୁ ଅଭିବାଦନ ଗ୍ରହଣ କରୁନାହିଁ କି ଆମ୍ଭଙ୍କୁ କେହି ପାଦ୍ୟ, ଅର୍ଘ୍ୟ ଦେଲେ ଆମ୍ଭେ ନେଉ ନାହିଁ । ଏହା ଆମ୍ଭର ବ୍ରତ । ଅତଏବ ଆପଣ ଆମ୍ଭଙ୍କୁ ଅଭିବାଦନ କରିବେ ନାହିଁ । ଆମ୍ଭେ ଆପଣଙ୍କୁ ଅବିବାଦନ କରିବୁ ଓ ଆଲିଙ୍ଗନ କରିବୁ ।୧୨। ଋଷ୍ୟଶୃଙ୍ଗ ବୋଇଲେ, ଆପଣଙ୍କୁ ଆମ୍ଭେ ପକ୍କ ଭଲ୍ଲାତକ, ଆମଳକ, କରୁଷକ, ଇଙ୍ଗୁଦ ଓ ଧନ୍ୱନ ଫଳମାନଙ୍କୁ ଦେଉଅଛୁ । ଆପଣ ଗ୍ରହଣ କରି ଇଚ୍ଛାନୁରୂପ ବ୍ୟବହାର କରନ୍ତୁ ।୧୩।

 

ଲୋମଶ ବୋଇଲେ, ବେଶ୍ୟା ସେହି ଫଳସବୁକୁ ପରିତ୍ୟାଗ କରି ଉପାଦେୟ ଭକ୍ଷ୍ୟଦ୍ରବ୍ୟମାନଙ୍କୁ ନେଇ ସେହି ଋଷିକୁମାରଙ୍କୁ ପ୍ରଦାନ କଲେ । ଋଷିମାନେ ଯାହାକୁ ନ ଖାଆନ୍ତି, ଏପରି ସୁରସାନ୍ୱିତ, ସୁସ୍ୱାଦୁ ଓ ସୁଦୃଶ୍ୟ ଭକ୍ଷ୍ୟ ଦ୍ରବ୍ୟମାନଙ୍କୁ ଆହାର କରି ଋଷ୍ୟଶୃଙ୍ଗ ପ୍ରୀତ ହେଲେ-।୧୪। ସେହି ବାରନାରୀ ଉତ୍ତମୋତ୍ତମ ବସନ, ସୁସ୍ୱାଦୁ ପେୟ ଓ ଭକ୍ଷ ଓ ସୁଗନ୍ଧମାଲ୍ୟଦ୍ୱାରା ଋଷ୍ୟଶୃଙ୍ଗଙ୍କୁ ପରିତୃପ୍ତ କଲେ । ତତ୍‍ପରେ ହାସ୍ୟ ପରିହାସ ଓ ଆମୋଦପ୍ରମୋଦଦ୍ୱାରା କ୍ରୀଡ଼ା କରିବାକୁ ଆମ୍ଭେ କଲେ ।୧୫। ତରୁ ସମୀପରେ ଫଳ ଭରାଲତା ପ୍ରାୟ ସେହି ବେଶ୍ୟା ଋଷ୍ୟଶୃଙ୍ଗଙ୍କ ପାର୍ଶ୍ୱରେ ମଦାର୍ତ୍ତା ଓ ଲଜ୍ଜାନ୍ୱିତା ହୋଇ ଦେହକୁ ଦେହ ଘର୍ଷଣ କରି କନ୍ଦୁକକ୍ରୀଡ଼ାରେ ରତ ହେଲା । ବାରମ୍ବାର ତାହାଙ୍କୁ ଆଲିଙ୍ଗନ କଲା । ପୁଷ୍ପିତ ସର୍ଜ ଅଶୋକ ଓ ତିଳକ ବୃକ୍ଷମାନଙ୍କୁ ଅବନତ କରି ପୁଷ୍ପଗୁଚ୍ଛ ଭଗ୍ନକରି ଋଷିପୁତ୍ରଙ୍କୁ ପ୍ରଲୋଭିତ କଲା ।୧୭। ତତ୍‍ପରେ ଋଷ୍ୟଶୃଙ୍ଗଙ୍କ ମନରେ ବିକାର ଜାତ ହେବାର ଦେଖି ତାହାଙ୍କ ଶରୀରକୁ ଆଲିଙ୍ଗନଦ୍ୱାରା ପୀଡ଼ନ କରି ସେହି ବେଶ୍ୟା ସେଠାରୁ ଅନ୍ତରିତା ହେଲା । ଯିବାବେଳେ ଋଷିଙ୍କ ପ୍ରତି ଦୃଷ୍ଟିପାତ କରି କରି ତାହାଙ୍କଠାରେ ଶ୍ରଦ୍ଧା ପ୍ରକାଶ କଲା ଓ କହିଲା ଯେ ତାହାର ଅଗ୍ନିହୋତ୍ର ବେଳ ଅତୀତ ହେଉଅଛି । ସେ ଆଉ ସେଠାରେ ରହିପାରିବ ନାହିଁ ।୧୮।

 

ଅନନ୍ତର କ୍ଷଣକାଳ ପରେ ବିଭାଣ୍ଡକ ଋଷି ସମାଗତ ହେଲେ । ସିଂହର ନେତ୍ରପ୍ରାୟ ତାହାଙ୍କର ନେତ୍ର ଆରକ୍ତ ବର୍ଣ୍ଣ ହୋଇଅଛି । ନଖ ଅବଧି ମସ୍ତକ ପର୍ଯ୍ୟନ୍ତ ସମସ୍ତ ଦେହ ଲୋମରେ ଆବୃତ । ଦୃଢ଼ ସମାଧିନିଷ୍ଠ ବେଦାଧ୍ୟୟନସମ୍ପନ୍ନ ଓ ସେହି ପୁତ୍ର ପାଖରେ ଉପବିଷ୍ଟ ହୋଇ ଦେଖିଲେ ଯେ ତାହାଙ୍କ ପୁତ୍ରର ଚିତ୍ତ ଅନ୍ୟପ୍ରକାର ହୋଇଅଛି । ସେ ଦୁଃଖିତ ହୋଇ ବସି ଉପରକୁ ଚାହିଁ ମୁହୁର୍ମୁହୁଃ ଦୀର୍ଘ ନିଃଶ୍ୱାସ ପରିତ୍ୟାଗ କରୁଅଛି । ବୋଧହେଲା ଯେ ସେ କୌଣସି ବିଷୟ ଚିନ୍ତା କରୁଅଛି । ଏହା ଦେଖି ଋଷି କହିଲେ, ହେ ବତ୍ସ ! ତୁମ୍ଭେ ଅଦ୍ୟ କି ନିମିତ୍ତ ସମିଧ ସଞ୍ଚୟ କରି ନାହିଁ-? କି ନିମିତ୍ତ ଅଗ୍ନିହୋତ୍ର ହୋମ କରି ନାହିଁ ? ସୃଚ ଓ ସ୍ରୁବ କି ନିମିତ୍ତ ପରିଷ୍କୃତ ହୋଇ ନାହିଁ-? କି ହେତୁରୁ ହୋମଧେନୁ ଦୁହାଁ ହୋଇ ନାହିଁ ? ହେ ପୁତ୍ର ! ପୂର୍ବେ ତୁମ୍ଭଙ୍କୁ ଯେପରି ଦେଖିଥିଲି, ଅଦ୍ୟ ତୁମ୍ଭଙ୍କୁ ସେପରି ଦେଖୁ ନାହିଁ । କି ନିମିତ୍ତ ତୁମ୍ଭେ ଚିନ୍ତାନ୍ୱିତ, ବିଚେତନ ଓ ଅତିମାତ୍ର ଦୀନ ଭାବାପନ୍ନ ହୋଇଅଛ ? ଆମ୍ଭେ ପଚାରୁଅଛୁଁ, ଅଦ୍ୟ ଏଠାକୁ କିଏ ଆସିଥିଲା ?

 

॥ ଅଧ୍ୟାୟ – ୧୧୨ ॥

 

ଋଷ୍ୟଶୃଙ୍ଗ କହିଲେ, ଏଠାକୁ ଜଣେ ମନସ୍ୱୀ ଓ ଜଟିଳ ବ୍ରହ୍ମଚାରୀ ଆସିଥିଲେ । ସେ ବାଙ୍ଗର ନୁହନ୍ତି କି ଉଚ୍ଚକାୟ ନୁହନ୍ତି । ଦେବତାମାନଙ୍କ ପ୍ରାୟ ସୁନ୍ଦର ଦିଶୁଥାନ୍ତି । ତାହାଙ୍କର ବର୍ଣ୍ଣ ସୁବର୍ଣ୍ଣ ସଦୃଶ । ଚକ୍ଷୁ କମଳ ଦଳ ସଦୃଶ ଆୟତ ।୧। ସୂର୍ଯ୍ୟଙ୍କ ପ୍ରାୟ ସେ ପ୍ରଦୀପ୍ତ ଓ ସମୃଦ୍ଧିଶାଳୀ ଅଟନ୍ତି । ତାହାଙ୍କର ଜଟାମାନ ହିରଣ୍ୟ ରଜ୍ଜୁଦ୍ୱାରା ଗ୍ରଥିତ, ସୁଦୀର୍ଘ କୃଷ୍ଣ ବର୍ଣ୍ଣ, ଚିକ୍‌କଣ ଓ ସୁଗନ୍ଧମୟ । ସେହି ବ୍ରହ୍ମଚାରୀ ଅତିଶୟ ଗୌରବର୍ଣ୍ଣ ଓ ତାଙ୍କର ନୟନଦ୍ୱୟ ମନୋହର କୃଷ୍ଣବର୍ଣ୍ଣ ।୨। କଣ୍ଠଦେଶରେ ବିଜୁଳିର ଆଳବାଳ ଶୋଭା ପାଉଥିଲା । କଣ୍ଠର ନିମ୍ନ ଭାଗରେ ଲୋମଶୂନ୍ୟ ଦିଓଟି ମନୋହର ପିଣ୍ଡ ଦୃଶ୍ୟ ହେଉଥିଲା ।୩। ମଧ୍ୟଦେଶ ଏପରି କ୍ଷୀଣ ଯେ ନାଭିମଣ୍ଡଳରେ ସଂଲଗ୍ନ ହେଲାପ୍ରାୟ ଦୃଶ୍ୟ ହେଉଥିଲା । ତାଙ୍କର କଟୀଦେଶ ଅତିଶୟ କ୍ଷୀଣ । ଆମ୍ଭର ଏହି ମେଖଳା ଯେପରି, ସେହିପରି ତାହାଙ୍କର ବସନ ମଧ୍ୟରୁ ହିରଣ୍ମୟ ମେଖଳା ଫୁଟି ଦୃଶ୍ୟ ହେଉଥିଲା-। ତାହାଙ୍କର ପାଦ ଯୁଗଳରେ ଅପୂର୍ବଦର୍ଶନ ସ୍ୱନକାରୀ ପଦାର୍ଥ ଦୃଶ୍ୟ ହେଉଥିଲା । ପୁନଶ୍ଚ ତାହାଙ୍କ କରଦ୍ୱୟରେ ସୁଦ୍ଧା ଆମ୍ଭର ବକ୍ଷମାଳା ସଦୃଶ ସ୍ୱନବତ୍ କରାଳଙ୍କାର ନିବଦ୍ଧ ହୋଇଥିଲା-।୫।

 

ସେ ଯେତେବେଳେ ଅଙ୍ଗ ଚାଳନା କରନ୍ତି, ତେତେବେଳେ ତାହାଙ୍କ ପରିହିତ ସେହିସବୁ ଦ୍ରବ୍ୟ ମନୋହର ଶବ୍ଦ କରନ୍ତି । ଯେପରି କି ସରୋବର ମଧ୍ୟରେ ହଂସମାନେ ମତ୍ତ ହୋଇ ଶବ୍ଦ କରନ୍ତି, ସେହିପରି ତାହାଙ୍କର ଅଳଙ୍କାରମାନଙ୍କର ମନୋହର ଶବ୍ଦ ଶ୍ରୁତିଗୋଚର ହେଉଥିଲା । ତାହାଙ୍କର ବସନ ଅପୂର୍ବ ସୁନ୍ଦର । ଆମ୍ଭମାନଙ୍କ ଏହିସବୁ ବସ୍ତୁ ତାଦୃଶ ସୁନ୍ଦର, ରୂପାନ୍ୱିତ ନୁହେଁ ।୬। ଅନ୍ତରୀକ୍ଷରେ ବିଜୁଳି ଶୋଭା ପ୍ରାୟ ସେ ବାକ୍ୟ କହିବା ବେଳେ ତାହାଙ୍କର ମୁଖ ଏତେ ସୁନ୍ଦର ଦୃଶ୍ୟ ହେଲା ଯେ ତାହା ଦେଖି ଆମ୍ଭର ମନ ଆହ୍ଲାଦିତ ହେଲା । ପୁଂଷ୍କୋକିଳ ଶବ୍ଦ ପ୍ରାୟ ତାହାଙ୍କର ବାଣୀ ଶ୍ରବଣ କରି ଆମ୍ଭ ମନ ହୃଷ୍ଟ ହେଲା ଓ ବ୍ୟଥିତ ହେଲା । ମାଧବ ମାସରେ ପବନ ବହିଲେ ଯେପରି ବନ ଶୋଭାନ୍ୱିତ ହୁଏ, ସେହିପରି ସେ ବ୍ରହ୍ମଚାରୀ ସୁନ୍ଦର ଓ ମନୋରମ, ପୁଣ୍ୟ ଗନ୍ଧରେ ଭାସମାନ ହୋଇ ବିରାଜିତ ହେଲେ ।୮। ତାହାଙ୍କର ଲଲାଟରେ କେତେଗୁଡ଼ିଏ ଜଟା ସୁସଂଯତ ହୋଇ ଦ୍ୱିଧା କରା ହୋଇଅଛି । ତାହାଙ୍କର କର୍ଣ୍ଣ ଦିଓଟି ମଧ୍ୟ ସ୍ୱରୂପ ଦ୍ରବ୍ୟାବଳୀରେ ପ୍ରତିଭୂଷିତ ହୋଇ ଚକ୍ରବାକ ମିଥୁନ ପ୍ରାୟ ସୁନ୍ଦର ରୂପାନ୍ୱିତ ହୋଇଅଛି । ଗୋଲାକୃତି ଗୋଟିଏ ଫଳକୁ ସେ ଦକ୍ଷିଣ ହସ୍ତରେ ଘେନି ଆସିଥିଲେ । ସେହି ଫଳଟି ଭୂମିରେ ନିପାତିତ ହୁଅନ୍ତେ ଆଶ୍ଚର୍ଯ୍ୟ ରୂପେ ପୁନଃ ପୁନଃ ଉପରକୁ ଉତ୍‌ଥିତ ହେଉଥାଏ ।୧୦। ହେ ତାତ ! ସେହି ବ୍ରହ୍ମଚାରୀ ଫଳଟିକୁ ଭୂମିରେ ଅଭିଘାତ କରି ବାତସଦୃଶ, ବୃକ୍ଷସଦୃଶ ଘୂର୍ଣ୍ଣାୟମାନ ହୋଇ ପରିବର୍ତ୍ତିତ ହେଲେ । ଦେବପୁତ୍ର ପ୍ରାୟ ତାହାଙ୍କର ସୌନ୍ଦର୍ଯ୍ୟ ଦେଖି ତାହାଙ୍କ ପ୍ରତି ମୋର ଆସକ୍ତି ଜାତ ହୋଇଅଛି ।୧୧। ଆମ୍ଭଙ୍କୁ ସେ ଆଲିଙ୍ଗନ କରି ଓ ଜଟା ଗ୍ରହଣ କରି, ମୁଖକୁ ଅବତରଣ କରି, ମୁଖ ପରେ ମୁଖକୁ ଥୋଇ ଏକପ୍ରକାର ଯେଉଁ ଶବ୍ଦ କରିଥିଲେ ତହିଁରେ ଆମ୍ଭର ହର୍ଷୋଦୟ ହୋଇଥିଲା ।୧୨। ତାହାଙ୍କ ସମ୍ମାନାର୍ଥ ଆମ୍ଭେ ପାଦ୍ୟ ଓ ଫଳ ଆଣିଥିଲୁ, କିନ୍ତୁ ସେ ତାହା ଗ୍ରହଣ ନ କରି କହିଲେ, ଆମ୍ଭର ଏହା ବ୍ରତ ଅଟେ । ଆମ୍ଭେ ଅନ୍ୟର ଆହୃତ ପାଦ୍ୟାଦି ଗ୍ରହଣ କରୁନାହିଁ । ଏହା କହି ସେ ମୋତେ କେତେଗୁଡ଼ିଏ ଫଳ ଦେଲେ ।୧୩।

 

ଆମ୍ଭେ ସେହି ଫଳକୁ ଭକ୍ଷଣ କରିଅଛୁଁ; କିନ୍ତୁ ସେ ଫଳର ସାରାଂଶ ଯେପରି ସୁସ୍ୱାଦୁ, ଆମ୍ଭର ଏହି ଫଳର ରସ, ତ୍ୱକ୍ ଓ ସାରଭାଗ ସେପରି ଉତ୍ତମ ନୁହେଁ ।୧୪। ଉଦାରରୂପୀ ସେହି ବ୍ରହ୍ମଚାରୀ ଆମ୍ଭର ପାନ ନିମିତ୍ତ ଯେଉଁ ଜଳ ପ୍ରଦାନ କରିଥିଲେ, ତାହା ଅତି ସୁରସ । ତାହାକୁ ପାନ କଲା କ୍ଷଣି ଆମ୍ଭେ ପୁଲକରେ ପରିପୂର୍ଣ୍ଣ ହେଲୁ ଓ ପୃଥିବୀ ବୁଲିଲା ପ୍ରାୟ ଆମ୍ଭଙ୍କୁ ବୋଧହେଲା ।୧୫। ତପସ୍ୟାରେ ପ୍ରଦୀପ୍ତ ସେହି ବ୍ରହ୍ମଚାରୀ ପଟ୍ଟସୂତ୍ରରେ ଗ୍ରଥିତ ସୁଗନ୍ଧଯୁକ୍ତ ଏହି ବିଚିତ୍ର ମାଲ୍ୟମାନଙ୍କୁ ଏଠାରେ ବିକୀର୍ଣ୍ଣ କରି ନିଜ ଆଶ୍ରମକୁ ଗମନ କରିଅଛନ୍ତି ।୧୬। ସେ ଏଠାରୁ ଗମନ କରନ୍ତେ ଆମ୍ଭେ ବିଚେତନ ହୋଇଅଛୁଁ ଓ ଆମ୍ଭର ଶରୀର ଦଗ୍ଧ ହେଲାପ୍ରାୟ ବୋଧ ହେଉଅଛି । ଆମ୍ଭର ଇଚ୍ଛା ହେଉଅଛି ଯେ ଆମ୍ଭେ ଶୀଘ୍ର ତାହାଙ୍କ ନିକଟକୁ ଗମନ କରିବୁଁ, ଅଥବା ସେ ଆମ୍ଭ ନିକଟରେ ସର୍ବଦା ଥାଆନ୍ତୁ ।୧୭। ହେ ପିତଃ ! ଆମ୍ଭେ ତାହାଙ୍କ ନିକଟକୁ ଗମନ କରିବୁ । ତାହାଙ୍କର ସେହି ବ୍ରତଚର୍ଯ୍ୟାର ନାମ କି ବ୍ରତ ? ଆମ୍ଭର ଅଭିଳାଷ ହୋଇଅଛି ଯେ ଆମ୍ଭେ ତାହାଙ୍କ ସଙ୍ଗରେ ବିଚରଣ କରିବୁ । ସେ ଆର୍ଯ୍ୟଧର୍ମୀ ଯେଉଁପରି ତପଶ୍ଚର୍ଯ୍ୟା କରନ୍ତି, ଆମ୍ଭେ ମଧ୍ୟ ତଦ୍ରୂପ ତପସ୍ୟା କରିବୁଁ । ଯଦି ତାହାଙ୍କ ଦର୍ଶନ ନ ପାଏ, ତେବେ ମୋର ଅନ୍ତଃକରଣ ଅତିଶୟ ବ୍ୟଥିତ ହେବ ।୧୯।

 

॥ ଅଧ୍ୟାୟ – ୧୧୩ ॥

 

ବିଭାଣ୍ଡକ କହିଲେ, ପୁତ୍ର ! ଏମାନେ ରାକ୍ଷସ ଅନୁପମ ପରାକ୍ରମଶାଳୀ । ସେମାନେ ତାଦୃଶ ଅଦ୍ଭୁତ ରୂପ ଧାରଣ କରି ତପସ୍ୟାରେ ବିଘ୍ନ କରିବା ମାନସରେ ସର୍ବଦା ସଞ୍ଚରଣ କରୁଥାଆନ୍ତି ।୧। ହେ ବତ୍ସ ! ସେମାନେ ବିବିଧ ରୂପକୁ ଧାରଣ କରି ବିବିଧ ଉପାୟଦ୍ୱାରା ପ୍ରଲୋଭନ ପ୍ରଦର୍ଶନ କରି ଭ୍ରମୁଥାନ୍ତି । କେତେବେଳେ ଅବା ସେମାନେ ଉଗ୍ର ରୂପଧାରୀ ହୋଇ ବନ ମଧ୍ୟରେ ମୁନିମାନଙ୍କୁ ସୁଖରୁ ଓ ଶୁଭଲୋକଲାଭରୁ ନିପାତିତ କରନ୍ତି ।୨। ସଂଯତଚିତ୍ତ ମୁନିମାନେ ଯେ କି ସଜ୍ଜନଲଭ୍ୟ ଲୋକମାନଙ୍କୁ କାମନା କରନ୍ତି, ସେମାନେ କଦାପି ଏହି ରାକ୍ଷସମାନଙ୍କୁ ସେବା କରନ୍ତି ନାହିଁ । ସେହି ପାପାଚାରୀମାନେ ତପସ୍ୱୀମାନଙ୍କର ବିଘ୍ନ କରି କ୍ରୀଡ଼ା କରୁଥାନ୍ତି । ଯେଉଁମାନେ ତପୋନିଷ୍ଠ ବ୍ୟକ୍ତି, ସେମାନଙ୍କର ଏହାଙ୍କୁ ଚାହିଁବା ଉଚିତ ନୁହେ ।୩। ହେ ପୁତ୍ର ! ଅସଜ୍ଜନମାନେ ସେହି ମଧୁପାନ କରନ୍ତି । ତପସ୍ୱୀମାନଙ୍କର ତାହା ପାନର ଯୋଗ୍ୟ ନୁହେଁ । ପରନ୍ତୁ ଯେଉଁ ମାଲ୍ୟ କଥା କହିଲ, ସେହି ବିଚିତ୍ର ଉଜ୍ଜ୍ୱଳ ଓ ସୁଗନ୍ଧିଯୁକ୍ତ ମାଲ୍ୟମାନ ମୁନିମାନଙ୍କର ବ୍ୟବହାର କରିବା ଦୂରେ ଥାଉ ସେମାନଙ୍କୁ ମନେ କରିବାର ସୁଦ୍ଧା କର୍ତ୍ତବ୍ୟ ନୁହେଁ । ଲୋମଶ କହିଲେ, ବିଭାଣ୍ଡକ ଋଷି ପୁତ୍ରକୁ ଉକ୍ତ ପ୍ରକାରେ ଉପଦେଶ ଦେଇ ସେମାନେ ରାକ୍ଷସ ଥିବାର କହି ସ୍ୱୟଂ ସେମାନଙ୍କର ଅନ୍ୱେଷଣରେ ପ୍ରସ୍ଥାନ କଲେ । କିନ୍ତୁ ତିନି ଦିନ ପର୍ଯ୍ୟନ୍ତ ଖୋଜି କୌଣସି ଅନୁସନ୍ଧାନ ନ ପାଇ ସ୍ୱକୀୟ ଆଶ୍ରମକୁ ପ୍ରତ୍ୟାଗମନ କଲେ । ତତ୍‍ପରେ କଶ୍ୟପବଂଶୀୟ ସେହି ବିଭାଣ୍ଡକ ମୁନି ବେଦବିଧାନାନୁସାରେ ପୁନର୍ବାର ଫଳାହରଣ ନିମିତ୍ତ ଆଶ୍ରମରୁ ନିର୍ଗତ ହେଲେ । ତେତେବେଳେ ସେହି ବାରଯେଷା ପ୍ରଲୋଭନ କରିବା ନିମିତ୍ତ ଋଷ୍ୟଶୃଙ୍ଗଙ୍କ ନିକଟକୁ ଆଗତ ହେଲେ ।୬। ତାହାଙ୍କୁ ଋଷ୍ୟଶୃଙ୍ଗ ଦେଖିବାମାତ୍ରେ ଆହ୍ଲାଦିତ ହୋଇ ତାହାଙ୍କ ପାଶ୍ୱର୍କୁ ଦଉଡ଼ିଗଲେ ଓ କହିଲେ, ପିତା ଆଶ୍ରମକୁ ନ ଆସୁଣୁ ତୁମ୍ଭ ଆଶ୍ରମକୁ ଦୁହେଁ ଯିବା ।୭।

 

ତଦନନ୍ତର କଶ୍ୟପଙ୍କର ସେହି ଏକମାତ୍ର ପୁତ୍ର ଋଷ୍ୟଶୃଙ୍ଗଙ୍କୁ ସେହି ବେଶ୍ୟାମାନେ ତରଣୀରେ ପ୍ରବିଷ୍ଟ କରାଇ କୌଶଳପୂର୍ବକ ସେ ନୌକାକୁ ଚଳାଇଦେଲେ ଓ ବିବିଧ ଉପାୟଦ୍ୱାରା ତାହାଙ୍କର ସୁଖ ସମ୍ପାଦନ କରି ଅଙ୍ଗଦେଶାଧିପତିଙ୍କ ସମୀପରେ ଉପସ୍ଥିତ ହେଲେ ।୮। ଅତି ଶୁଭ୍ର ସେହି ନୌକାକୁ ଜଳରେ ରଖି ଆଶ୍ରମ ଦର୍ଶନ କରାଇବା ସକାଶେ ବ୍ୟପଦେଶରେ ଋଷ୍ୟଶୃଙ୍ଗଙ୍କୁ ଘେନିଯାଇ ସେହି ନୌକାଶ୍ରମ ସଦୃଶ ଆଉ ଗୋଟିଏ ବିଚିତ୍ର ଆଶ୍ରମ ସ୍ଥଳଭାଗରେ ନିର୍ମିତ ହୋଇଥିଲା । ସେହିଠାରେ ତାହାଙ୍କୁ ରଖାଇଲେ ।୯। ବିଭାଣ୍ଡକ ମୁନିଙ୍କର ଗୋଟିଏ ମାତ୍ର ସେହି ପୁତ୍ରକୁ ନେଇ ରାଜା ଅନ୍ତଃପୁରରେ ରଖିଲାକ୍ଷଣି ଦେଖିଲେ ଯେ, ସହସା ବୃଷ୍ଟି ଜଳରେ ଜଗତ୍ ପରିପୂର୍ଣ୍ଣ ହେଲା ।୧୦। ରାଜା ଲୋମପାଦଙ୍କର ମନୋରଥ ସିଦ୍ଧ ହେବାରୁ ସେ ଆପଣାର ଶାନ୍ତାନାମ୍ନୀ କନ୍ୟାଙ୍କୁ ଋଷ୍ୟଶୃଙ୍ଗଙ୍କୁ ପ୍ରଦାନ କଲେ । ଆହୁରି ବିଭାଣ୍ଡକଙ୍କ କ୍ରୋଧ ଶାନ୍ତି ନିମିତ୍ତ ଉପାୟମାନ ଅବଲମ୍ବନ କଲେ । ତାହାଙ୍କ ଆଗମନ ପଥରେ କୃଷିକାର୍ଯ୍ୟର ଉପଯୋଗୀ ଦ୍ରବ୍ୟମାନଙ୍କୁ ଅର୍ଥାତ୍ ଗୋମହିଷ ପ୍ରଭୃତି ପଶୁ ଓ ପଶୁପାଳକ, ବୀର ପୁରୁଷମାନଙ୍କୁ ରଖାଇଲେ । ସେମାନଙ୍କୁ କହିଦେଲେ ଯେ ମହର୍ଷି ବିଭାଣ୍ଡକ ତେତେବେଳେ ପୁତ୍ରଙ୍କୁ ନେବାକୁ ଆସିବେ, ସେତେବେଳେ ତୁମ୍ଭେମାନେ ସମସ୍ତେ କରଯୋଡ଼ି ଜଣାଇବ, ହେ ମହର୍ଷେ ! ଏହି ସମସ୍ତ ପଶୁ, କର୍ଷଣ ଦ୍ରବ୍ୟ ଆପଣଙ୍କ ପୁତ୍ରଙ୍କର । ଆମ୍ଭେମାନେ ସମସ୍ତେ ଆପଣଙ୍କ ପୁତ୍ରଙ୍କର ଆଜ୍ଞାଧୀନ ଦାସ । ଅତଏବ ଆପଣଙ୍କର କି ପ୍ରିୟ କାର୍ଯ୍ୟ କରିବୁ ଆଜ୍ଞା କରନ୍ତୁ ।୧୨।

 

ଏଣେ ପ୍ରଚଣ୍ଡକୋପୀ ଋଷି ବିଭାଣ୍ଡକ ଆଶ୍ରମକୁ ଫଳମୂଳାଦି ଘେନି ଆସି ଦେଖିଲେ ଯେ ପୁତ୍ର ନାହିଁ । ଅନ୍ୱେଷଣ କରି ସୁଦ୍ଧା ପୁତ୍ରକୁ ପାଇଲେ ନାହିଁ । ତହୁଁ ସେ କ୍ରୋଧରେ ପ୍ରଜ୍ୱଳିତ ହେଲେ-।୧୪। କୋପରେ ଛିନ୍ନ ଭିନ୍ନ ହୋଇ ସେ ବିଚାରିଲେ ଯେ ଏ କାର୍ଯ୍ୟ ରାଜାଙ୍କ କୃତ । ଏହି ଆଶଙ୍କା କରି ଅଙ୍ଗରାଜାଙ୍କୁ ତାହାଙ୍କ ନଗର ସହ ଭସ୍ମସାତ୍ କରିବା ମାନସରେ ଚମ୍ପାନଗରୀକୁ ପ୍ରସ୍ଥାନ କଲେ-।୧୫। କଶ୍ୟପନନ୍ଦନ ପଥ ମଧ୍ୟରେ କ୍ଷୁଧିତ ଓ ଶ୍ରାନ୍ତ ହୋଇ ସମୃଦ୍ଧିଶୀଳ ସେହି ଘୋଷବାସୀଙ୍କ ସମୀପରେ ଉପନୀତ ହେଲେ । ସେହି ଗୋପମାନେ ଋଷିଙ୍କର ଯଥୋଚିତ ସମାଦର ଓ ସତ୍କାର କଲେ । ମହର୍ଷି ସେହି ରାତ୍ରିରେ ସେଠାରେ ରାଜସୁଖରେ କାଳାତିପାତ କଲେ-।୧୬। ସେହି ସତ୍କାର ଲାଭ କରି ମହର୍ଷି ପଚାରିଲେ, ହେ ଗୋପମାନେ ! ତୁମ୍ଭଙ୍କୁ କିଏ ଏଠାକୁ ପଠାଇଅଛି ? ତାହା ଶୁଣି ସମସ୍ତେ ଏକତ୍ର ଉପଗତ ହୋଇ ନିବେଦନ କଲେ, ଏହି ସମସ୍ତ ଧନ ଆପଣଙ୍କ ପୁତ୍ରଙ୍କର ।୧୭। ଏହି ପ୍ରକାରେ ଋଷି ସେହି ଦେଶରେ ସର୍ବତ୍ର ପୂଜିତ ହୋଇ ଓ ପ୍ରଜାମାନଙ୍କର ମଧୁରବାଣୀ ଶ୍ରବଣରେ ପରିତୁଷ୍ଟ ହୋଇ କ୍ରୋଧ ତ୍ୟାଗ କରି ପୁରୀ ମଧ୍ୟରେ ଅଙ୍ଗପତିଙ୍କ ସାକ୍ଷାତ୍‌ରେ ଉପନୀତ ହେଲେ । ଅଙ୍ଗନୃପତି ତାହାଙ୍କର ଯଥେଷ୍ଟ ପୂଜାବିଧାନ କଲେ-। ଋଷି ଦେଖିଲେ ଯେ, ଅମରାବତୀରେ ଇନ୍ଦ୍ର ଯେପରି ଥାନ୍ତି, ସେହିପରି ତାହାଙ୍କର ପୁତ୍ର ସୁଖରେ ସମାସୀନ ହୋଇଅଛନ୍ତି । ପୁନଶ୍ଚ ପୁତ୍ରବଧୂ ରାଜକୁମାରୀ ଶାନ୍ତା ଉଚ୍ଚରନ୍ତୀ ସୌଦାମିନୀ ପ୍ରାୟ ବିରାଜିତ ହୋଇଅଛନ୍ତି ।୧୯।

 

ହେ ନରେନ୍ଦ୍ର ! ଗ୍ରାମ, ନଗରୀ, ଆଭୀର, ପଲ୍ଲୀ ପ୍ରଭୃତି ଓ ରାଜକନ୍ୟା ଶାନ୍ତା ସମସ୍ତେ ତାହାଙ୍କ ପୁତ୍ରଙ୍କର ହୋଇଥିବା ଦେଖି ବିଭାଣ୍ଡକ ମୁନିଙ୍କର ସେହି ନିରତିଶୟ କୋପ ଉପଶମ ପ୍ରାପ୍ତ ହେଲା ଓ ସେ ରାଜାଙ୍କ ପ୍ରତି ଅତିଶୟ ପ୍ରସନ୍ନ ହେଲେ ।୨୦। ସୂର୍ଯ୍ୟ ଓ ଅଗ୍ନିସମ ତେଜସ୍ୱୀ ମହର୍ଷି ବିଭାଣ୍ଡକ ପୁତ୍ରକୁ ସେଠାରେ ରଖି କହିଲେ, ହେ ପୁତ୍ର ! ତୁମ୍ଭେ ରାଜାଙ୍କର ସମୁଦାୟ ପ୍ରିୟ କାର୍ଯ୍ୟ କରିବ ଓ ତୁମ୍ଭର ପୁତ୍ର ଜାତ ହେଲେ ବନକୁ ପ୍ରତ୍ୟାଗମନ କରିବ ।୨୧। ହେ ରାଜନ୍‌ ! ତଦନନ୍ତର ଋଷ୍ୟଶୃଙ୍ଗ ମଧ୍ୟ ପିତାଙ୍କ ନିର୍ଦ୍ଦେଶାନୁସାରେ ସମସ୍ତ କାର୍ଯ୍ୟ ସମ୍ପାଦନ କରି ଯଥାସମୟରେ ଯେଉଁ ଅରଣ୍ୟରେ ତାହାଙ୍କ ପିତା ତପସ୍ୟା କରୁଥିଲେ, ସେହି ସ୍ଥାନକୁ ଗମନ କଲେ ।

 

ହେ ନରେନ୍ଦ୍ର ! ଆକାଶରେ ରୋହିଣୀ ଯେପରି ଚନ୍ଦ୍ରଙ୍କୁ ଅନୁସରଣ କରନ୍ତି, ସେହିପରି ରାଜଦୁହିତା ଶାନ୍ତା ଋଷ୍ୟଶୃଙ୍ଗଙ୍କର ପରିଚର୍ଯ୍ୟା କଲେ ।୨୨। ହେ ଆଜମୀଢ଼ ! ଶୁଭଗା ଅରୁନ୍ଧତୀ ଯେପରି ବଶିଷ୍ଠଙ୍କର ଥିଲେ, ଅଗସ୍ତ୍ୟ ଋଷିଙ୍କୁ ଲୋପାମୁଦ୍ରା ଯେପରି ସେବା କରୁଥିଲେ, ଦମୟନ୍ତୀ ଯେପରି ନଳରାଜାଙ୍କର ଅନୁବର୍ତ୍ତିନୀ ଥିଲେ, ଇନ୍ଦ୍ରଙ୍କର ଯେପରି ଶଚୀ, ନାରାୟଣୀ ଇନ୍ଦ୍ରସେନା ଯେପରି ମୁଦ୍‌ଗଲ ଋଷିଙ୍କର ସେବା କରିଥିଲେ, ସେହିପରି ଶାନ୍ତା ପ୍ରୀତିପୂର୍ବକ ଋଷ୍ୟଶୃଙ୍ଗଙ୍କର ପରିଚର୍ଯ୍ୟା କରିଥିଲେ ।୨୪। ହେ ମହାରାଜ ! ପୁଣ୍ୟକୀର୍ତ୍ତି ସେହି ମହର୍ଷିଙ୍କର ଏହି ଆଶ୍ରମ ଦୃଶ୍ୟ ହେଉଅଛି । ମହାହ୍ରଦକୁ ଶୋଭାନ୍ୱିତ କରି ସେହି ଆଶ୍ରମ ପ୍ରକାଶିତ ହେଉଅଛି । ଆପଣ ଏହି ହ୍ରଦରେ ସ୍ନାନ କରି ବିଶୁଦ୍ଧ ଓ କୃତକୃତ୍ୟ ହୋଇ ପରେ ଅନ୍ୟାନ୍ୟ ତୀର୍ଥକୁ ଗମନ କରିବା ହେବେ ।୨୫।

 

॥ ଅଧ୍ୟାୟ – ୧୧୪ ॥

 

ବୈଶମ୍ପାୟନ ବୋଇଲେ–ହେ ରାଜନ୍‌ ! ଜନମେଜୟ ! ତତ୍‍ପରେ ରାଜା ଯୁଧିଷ୍ଠିର କୌଶିକୀଠାରୁ କ୍ରମରେ ସମସ୍ତ ତୀର୍ଥାୟତନମାନଙ୍କୁ ପରିଦର୍ଶନ କଲେ ।୧। ଯେଉଁଠାରେ ଗଙ୍ଗାସାଗର ସଙ୍ଗମ ହୋଇଅଛି, ସେହିଠାରେ ପଞ୍ଚଶତ ନଦୀ ମଧ୍ୟରେ ଅବଗାହନ କଲେ ।୨। ହେ ଭାରତ ! ତତ୍‍ପରେ ସେହି ବୀର ବସୁଧାଧିପତି ସ୍ୱୀୟ ଭ୍ରାତାମାନଙ୍କ ସହିତ ସମୁଦ୍ର କୂଳେ କୂଳେ କଳିଙ୍ଗ ଦେଶମାନଙ୍କୁ ପ୍ରସ୍ଥାନ କଲେ ।୩।

 

ଲୋମଶ ବୋଇଲେ–ହେ କୌନ୍ତେୟ ! ଯେଉଁଠାରେ ବୈତରଣୀ ନଦୀ ପ୍ରବାହିତ ହୋଇଅଛି, ସେହି ଦେଶମାନଙ୍କୁ କଳିଙ୍ଗ ବୋଲାଯାଏ । ଯେଉଁଠାରେ ଦେବତାମାନଙ୍କର ଶରଣାଗତ ହୋଇ ଧର୍ମ ଯଜ୍ଞ କରିଥିଲେ ।୪। ସେହି ବୈତରଣୀ ନଦୀର ଉତ୍ତର ତୀର ଗିରିନିକରଦ୍ୱାରା ଉପଶୋଭିତ ଋଷିମାନଙ୍କ ନିବାସରେ ସର୍ବତ୍ର ସଂଯୁକ୍ତ ଓ ବ୍ରାହ୍ମଣମାନଙ୍କର ବାସସ୍ଥାନ ଅଟେ ।୫। ଏହି ସ୍ଥାନଟି ସ୍ୱର୍ଗଗାମୀ ବ୍ୟକ୍ତିଙ୍କର ଦେବଯାନ ପଥ ସ୍ୱରୂପ । ଏଠାରେ ପୂର୍ବକାଳରେ ଋଷି ଓ ମହାତ୍ମାମାନେ ଯଜ୍ଞ କରିଥିଲେ । ହେ ରାଜେନ୍ଦ୍ର ! ଏହି ସ୍ଥାନରେ ରୁଦ୍ରଦେବ ପଶୁ ଗ୍ରହଣ କରି କହିଥିଲେ ଯେ ଏ ଭାଗଟି ଆମ୍ଭର ।୭। ହେ ଭରତର୍ଷଭ ! ରୁଦ୍ରଦେବ ପଶୁ ହରଣ କରନ୍ତେ, ସବୁ ଦେବତାମାନେ ତାହାଙ୍କୁ କହିଲେ, ଆପଣ ପର ଧନକୁ ଇଚ୍ଛା କରିବେ ନାହିଁ, ସମଗ୍ର ଯଜ୍ଞଭାଗକୁ ଅଭିଳାଷ କରିବେ ନାହିଁ ।୮। ପରେ ସେମାନେ ସମସ୍ତେ କଲ୍ୟାଣରୂପା ବାଣୀଦ୍ୱାରା ଶିବଙ୍କୁ ସ୍ତବ କଲେ । ଅଥଚ ଇଷ୍ଟଦ୍ୱାରା ତାହାଙ୍କୁ ସମ୍ମାନ କଲେ ।୯। ହେ ଯୁଧିଷ୍ଠିର ! ତଦନନ୍ତର ସେ ପଶୁକୁ ପରିତ୍ୟାଗ କରି ଦେବଯାନରେ ଆରୋହଣ କରି ପ୍ରସ୍ଥାନ କଲେ । ଏହି ସମ୍ବନ୍ଧରେ ରୁଦ୍ରଙ୍କର ଯେଉଁ ଗାଥା ଅଛି, ତାହା ଶ୍ରବଣ କରନ୍ତୁ ।୧୦। ଦେବତାମାନେ ରୁଦ୍ରଦେବଙ୍କ ଭୟରେ ସବୁ ଭାଗ ଅପେକ୍ଷା ଉତ୍ତମ ଓ ସଦ୍ୟୋଜାତ ଭାଗଟିକୁ ତାହାଙ୍କୁ ଚିରକାଳ ଦେବାର ସଙ୍କଳ୍ପ କଲେ ।୧୧। ଏହି ଗାଥାକୁ ଗାୟନ କରି ଯେ ସେହି ତୀର୍ଥରେ ଅବଗାହନ କରେ, ତାହାକୁ ଦେବଯାନ ଓ ତାହାର ଗମନର ପଥ ଦୃଶ୍ୟ ହୁଏ ।୧୨।

 

ବୈଶମ୍ପାୟନ ବୋଇଲେ–ତଦନନ୍ତର ମହାଭାଗ ପାଣ୍ଡବମାନେ ଓ ଦ୍ରୌପଦୀ ବୈତରଣୀରେ ଅବତରଣ କରି ପିତୃଗଣଙ୍କର ତର୍ପଣ କଲେ ।୧୩। ଯୁଧିଷ୍ଠିର ବୋଇଲେ–ହେ ଲୋମଶ ! ଦେଖିବା ହେଉନ୍ତୁ, ତପୋବଳରେ ଆମ୍ଭେ ବିଧିପୂର୍ବକ ଏହି ନଦୀରେ ଅବଗାହନ କରି ମନୁଷ୍ୟତ୍ୱରୁ ଉଦ୍ଧାର ପାଇଲୁ ।୧୪। ହେ ସୁବ୍ରତ ! ଆପଣଙ୍କ ପ୍ରସାଦରୁ ଆମ୍ଭେ ସର୍ବଲୋକଙ୍କୁ ଦର୍ଶନ କରିବାକୁ ସମର୍ଥ ହେଉଅଛୁଁ । ମହାତ୍ମା ବୈଖାନସଗଣଙ୍କର ଜପ ଶବ୍ଦ ଆମ୍ଭର ଶ୍ରୁତିଗୋଚର ହେଉଅଛି ।୧୫। ଲୋମଶ ବୋଇଲେ–ହେ ମହାରାଜ ଯୁଧିଷ୍ଠିର ! ଆପଣ ଯେଉଁ ଶବ୍ଦ ଶ୍ରବଣ କରୁଅଛନ୍ତି, ଏଠାରୁ ତିରିଶ ସହସ୍ର ଯୋଜନ ଅନ୍ତରରେ ତାହା ଜାତ ହେଉଅଛି । ଆପଣ ତୁନି ହେଉନ୍ତୁ ।୬। ହେ ରାଜେନ୍ଦ୍ର ! ଏହି ଯେଉଁ ଦିବ୍ୟ ଅରଣ୍ୟ ଦୃଶ୍ୟ ହେଉଅଛି, ସେ ସ୍ୱୟମ୍ଭୂ ବ୍ରହ୍ମାଙ୍କର ବନ ଅଟେ । ଏହି ସ୍ଥାନରେ ପ୍ରତାପଶାଳୀ ବିଶ୍ୱକର୍ମା ଯଜ୍ଞାଚରଣ କରିଥିଲେ ।୧୭। ସେହି ଯଜ୍ଞରେ ଦକ୍ଷିଣା ସ୍ୱରୂପ ଗିରିକାନନ ସହ ସମଗ୍ର ବସୁନ୍ଧରାଙ୍କୁ ବ୍ରହ୍ମା କଶ୍ୟପଙ୍କୁ ପ୍ରଦାନ କରିଥିଲେ ।୧୮।

 

ହେ କୌନ୍ତେୟ ! ତତ୍କାଳରେ ପୃଥିବୀ ସ୍ୱୟମ୍ଭୁଙ୍କଦ୍ୱାରା ପ୍ରଦତ୍ତ ହୁଅନ୍ତେ ବିଷାଦଗ୍ରସ୍ତା ହୋଇ କ୍ରୋଧପୂର୍ବକ ଲୋକେଶ୍ୱର ପିତାମହଙ୍କୁ କହିଲେ ।୧୯। ହେ ଭଗବନ୍‌ ! ମୋତେ କୌଣସି ମର୍ତ୍ତ୍ୟକୁ ଦାନ କରିବା ଆପଣଙ୍କର ଉଚିତ ନୁହେଁ । ଆପଣଙ୍କର ଦାନ ବ୍ୟର୍ଥ ହେବ । ଆମ୍ଭେ ରସାତଳକୁ ଗମନ କରିବୁ ।୨୦। ହେ ପ୍ରଜାନାଥ ! ଏଥିଉତ୍ତାରୁ ଭଗବାନ କଶ୍ୟପ ଋଷି ବସୁଧାକୁ ବିଷଣ୍ଣା ଜାଣି ତାହାଙ୍କୁ ପ୍ରସନ୍ନା କରିବା ନିମିତ୍ତ ତପସ୍ୟା ଆରମ୍ଭ କଲେ ।୨୧। ହେ ପାଣ୍ଡବ ! ତତ୍‍ପରେ ତାହାଙ୍କ ତପସ୍ୟାଦ୍ୱାରା ପୃଥିବୀ ପ୍ରସନ୍ନା ହୋଇ ଜଳରୁ ଉନ୍ମଜ୍ଜନ କରି ବେଦୀପ୍ରାୟ ରୂପ ଧରିଲେ ।୨୨। ହେ ରାଜନ୍‌ ! ଏହି ସେ ପୃଥିବୀ ବେଦୀପ୍ରାୟ ହୋଇଅଛି । ତୁମ୍ଭେ ତହିଁରେ ଆରୋହଣ କଲେ ବଳବାନ ହେବ ।୨୩। ହେ ମହାରାଜ ! ଏହି ବେଦୀ ସମସ୍ତଙ୍କୁ ଆଶ୍ରୟ କରି ରହିଅଛି । ତହିଁରେ ଆରୋହଣ କରିବା ନିମିତ୍ତ ଆପଣ ଏକାକୀ ସମୁଦ୍ର ମଧ୍ୟରେ ଅବତରଣ କରନ୍ତୁ ।୨୪। ହେ ଅଜମୀଢ଼ କୁଳାବତଂସ ! କୌଣସି ମନୁଷ୍ୟ ଯେବେ ଏହି ବେଦୀକୁ ସ୍ପର୍ଶ କରିବ, ତେବେ ସେ ବେଦୀ ତତ୍‌କ୍ଷଣାତ ସମୁଦ୍ରରେ ନିମଗ୍ନ ହେବ । ଅତଏବ ଅଦ୍ୟ ଯେପରି ଆପଣ ତଦୁପରି ଆରୋହଣ କରିବାକୁ ସମର୍ଥ ହେବେ, ମୁଁ ଆପଣଙ୍କ ନିମିତ୍ତ ସ୍ୱସ୍ତ୍ୟୟନ କରିବି ।

 

ହେ ପାଣ୍ଡବ ! ତୁମ୍ଭେ ଏହିପରି ସ୍ତବ କରି ଶୀଘ୍ର ବେଦୀ ଉପରେ ଆରୋହଣ କର । ହେ ଦେବେଶ ! ତୁମ୍ଭେ ଏହି ବିଶ୍ୱର ରକ୍ଷାକର୍ତ୍ତା । ଏହି ବିଶ୍ୱ ତୁମ୍ଭଠାରେ ପ୍ରତିଷ୍ଠିତ । ତୁମ୍ଭେ କୃପାପୂର୍ବକ ଏହି ଲବଣ-ସମୁଦ୍ରରେ ସନ୍ନିହିତ ହୁଅ । ହେ ସମୁଦ୍ର ! ଯେଉଁ ଜଳ ଅଗ୍ନିରୁ ଉତ୍ପନ୍ନ ହୋଇଅଛି, ସୂର୍ଯ୍ୟଙ୍କଠାରୁ ମଧ୍ୟ ଯେଉଁ ଜଳ ଜାତ, ଯେଉଁ ଜଳ ବିଷ୍ଣୁଙ୍କର ରେତଃ ସ୍ୱରୂପ ଓ ଅମୃତ ନାଭି ସ୍ୱରୂପ, ତୁମ୍ଭେ ସେହି ଜଳର ଆଧାର ହୋଇଅଛ; ତୁମ୍ଭଙ୍କୁ ନମସ୍କାର ।୨୭। ହେ ସମୁଦ୍ର ! ତୁମ୍ଭ ଉତ୍ପତ୍ତି ସ୍ଥାନ ଅଗ୍ନି ଓ ଯଜ୍ଞ । ତୁମ୍ଭେ ସର୍ବବ୍ୟାପୀ ଆତ୍ମାଙ୍କର ରେତୋଧାରଣକାରୀ ଦେହ । ତୁମ୍ଭେ ଅମୃତର ଉତ୍ପତ୍ତିର ସ୍ଥାନ । ଏହିପରି ହେ ପାଣ୍ଡବ ! ସ୍ତବ କରି ଓ ସତ୍ୟବଚନକୁ ଉଚ୍ଚାରଣ କରି ଆପଣ ସମୁଦ୍ରରେ ସ୍ନାନ କରନ୍ତୁ ।୨୮। ହେ କୁରୁଶ୍ରେଷ୍ଠ କୁନ୍ତୀନନ୍ଦନ ! ଆମ୍ଭେ ଯେପରି ସତ୍ୟବଚନ କହିଲୁ ଏହାକୁ ପାଠ ନ କରି କୁଶ ଅଗ୍ରରେ ସୁଦ୍ଧା ସମୁଦ୍ରଜଳକୁ ସ୍ପର୍ଶ କରିବା ବିହିତ ନୁହେଁ ।୨୯। ବୈଶମ୍ପାୟନ ବୋଇଲେ, ତଦନନ୍ତର ମହାତ୍ମା ଯୁଧିଷ୍ଠିରଙ୍କର ସ୍ୱସ୍ତ୍ୟୟନ ହୁଅନ୍ତେ, ସେ ସମୁଦ୍ରକୁ ଗମନ କଲେ ଓ ଋଷିଙ୍କର ଆଦେଶାନୁସାରେ ସମସ୍ତ କାର୍ଯ୍ୟ ସମାଧାନ କରି ମହେନ୍ଦ୍ର ପର୍ବତକୁ ଗମନ କରି ସେଠାରେ ଯାମିନୀ ଯାପନ କଲେ ।

 

॥ ଅଧ୍ୟାୟ – ୧୧୫ ॥

 

ବୈଶମ୍ପାୟନ ବୋଇଲେ–ପୃଥିବୀପତି ଯୁଧିଷ୍ଠିର ସେଠାରେ ଏକ ରାତ୍ରି ବାସ କରି ଭ୍ରାତୃଗଣଙ୍କ ସହ ତାପସମାନଙ୍କର ଯଥୋଚିତ ସମାଦର କଲେ ।୧। ଲୋମଶ ଋଷି ଧର୍ମରାଜଙ୍କୁ ନେଇ ଭୃଗୁ, କଶ୍ୟପ, ଅଙ୍ଗିରା ଓ ବଶିଷ୍ଠବଂଶୀୟ ତପସ୍ୱୀମାନଙ୍କ ସହିତ ପରିଚିତ କରାଇଲେ ।୨। ରାଜର୍ଷି ଯୁଧିଷ୍ଠିର ସେମାନଙ୍କର ସମୀପବର୍ତ୍ତୀ ହୋଇ କୃତାଞ୍ଜଳିପୁଟରେ ଅଭିବାଦନ କଲେ ଓ ପରଶୁରାମଙ୍କର ଅନୁଚର ବୀର ଅକୃତବ୍ରଣଙ୍କୁ ପଚାରିଲେ ।୩। ହେ ଭଗବନ୍‌ ! ଭୃଗୁସୁତ ରାମ କେଉଁ ସମୟରେ ତାପସମାନଙ୍କୁ ଦର୍ଶନ ଦେବେ ? ଆମ୍ଭେ ତାହାଙ୍କୁ ସେହି ସମୟରେ ଦର୍ଶନ କରିବାକୁ ଅଭିଳାଷ କରୁଅଛୁଁ ? ୪। ଅକୃତବ୍ରଣ ଉତ୍ତରିଲେ, ଆପଣ ଯେ ଏଠାକୁ ଆଗମନ କରିଅଛନ୍ତି, ଏକଥା ଆତ୍ମଦର୍ଶୀ ରାମ ବିଦିତ ହୋଇଅଛନ୍ତି । ଆପଣଙ୍କ ପ୍ରତି ମଧ୍ୟ ତାହାଙ୍କର ପ୍ରୀତି ଅଛି । ଅତଏବ ସେ ଶୀଘ୍ର ଆପଣଙ୍କୁ ଦର୍ଶନ ଦେବେ । ତାପସମାନେ ଚତୁର୍ଦ୍ଦଶୀ ଓ ଅଷ୍ଟମୀରେ ତାହାଙ୍କର ଦର୍ଶନ ପାଆନ୍ତି । ଏହି ରାତ୍ରି ଅତୀତ ହେଲେ ଚନ୍ଦ୍ରଙ୍କର ଚତୁର୍ଦ୍ଦଶୀ କଳା ଉପସ୍ଥିତ ହେବ । ଏହି ଚତୁର୍ଦ୍ଦଶୀ ତିଥିରେ ଆପଣ କୃଷ୍ଣାଜିନଧାରୀ ଜଟିଳ ରାମଙ୍କୁ ଦର୍ଶନ କରିବା ହେବେ ।୭। ଯୁଧିଷ୍ଠିର ବୋଇଲେ, ଆପଣ ମହାବଳ ଜାମଦଗ୍ନିଙ୍କର ଅନୁଚର ଅଟନ୍ତି । ବିଶେଷରେ ଆପଣ ତାହାଙ୍କର ପୂର୍ବାଚରିତ କର୍ମମାନଙ୍କୁ ପ୍ରତ୍ୟକ୍ଷ କରିଅଛନ୍ତି । ଅତଏବ ସେ ଯେଉଁ କାରଣରୁ ଯେ ପ୍ରକାରେ ସମୁଦାୟ କ୍ଷତ୍ରିୟମାନଙ୍କୁ ଯୁଦ୍ଧରେ ପରାଜିତ କରିଅଛନ୍ତି, ତାହା ଆପଣ କୀର୍ତ୍ତନ କରନ୍ତୁ ।୮।

 

ଅକୃତବ୍ରଣ କହିଲେ ! ହେ ଭାରତ ! ରାଜଶାର୍ଦ୍ଦୁଳ, ଭୃଗୁବଂଶଜାତ ଜମଦଗ୍ନି ନନ୍ଦନଙ୍କର ଓ ହୈହୟାଧିଗତି କାର୍ତ୍ତବୀର୍ଯ୍ୟ ଅର୍ଜୁନଙ୍କର ଦେବସମ୍ମିତ ଉତ୍କୃଷ୍ଟ ଚରିତ୍ର ଓ ମହଦୁପାଖ୍ୟାନକୁ ଆପଣଙ୍କଠାରେ କହୁଅଛୁଁ, ଶ୍ରବଣ କରନ୍ତୁ ।୧୦। ହେ ପାଣ୍ଡବ ! ଭୃଗ୍ନକୁଳନନ୍ଦନ ରାମ ହୈହୟଦେଶାଧିପତି ଅର୍ଜୁନ ନାମକ ନରପତିଙ୍କୂ ଯେ ବିନାଶ କରିଥିଲେ, ତାହାଙ୍କର ସହସ୍ର ବାହୁ ଥିଲା । ଦତ୍ତାତ୍ରେୟଙ୍କ ପ୍ରସାଦରୁ ତାହାଙ୍କର କାଞ୍ଚନବିମାନ ଥିଲା ଓ ପୃଥିବୀ ମଧ୍ୟରେ ସମସ୍ତ ପ୍ରାଣୀଙ୍କ ପ୍ରତି ଆଧିପତ୍ୟ ଥିଲା ।୧୨। ହେ ପୃଥ୍ୱୀନାଥ । ବରଲାଭ ହେତୁରୁ ସେହି ବଳବାନ ରାଜାଙ୍କର ରଥର ଗତି ଅବ୍ୟାହତ ହେଲା । ଏହି ହେତୁରୁ ସେ ସର୍ବଦା ସେହି ରଥରେ ଆରୋହଣ କରି ଗତି କରୁଥିଲେ । ଦେବ, ଯକ୍ଷଋଷି ଓ ସମସ୍ତ ପ୍ରାଣୀଙ୍କୁ ପୀଡ଼ିତ କରୁଥିଲେ । ଏହା ଦେଖି ଦେବମାନେ ଓ ମହାବ୍ରତୀ ଋଷିମାନେ ଦେବଦେବ ବିଷ୍ଣୁଙ୍କ ନିକଟକୁ ଗମନ କଲେ । ଯେଉଁ ବିଷ୍ଣୁ ଏହି ଅସୁରମାନଙ୍କର ବିନାଶକାରୀ ସତ୍ୟପରାକ୍ରମ ଅଟନ୍ତି ।୧୫। ସେହି ବିଷ୍ଣୁଙ୍କୁ ସମ୍ବୋଧନ କରି କହିଲେ–ହେ ଭଗବନ୍‌ ! ଆପଣ ପ୍ରାଣୀମାନଙ୍କ ରକ୍ଷାନିମିତ୍ତ ହୈହୟାଧିପତି ଅର୍ଜୁନଙ୍କୁ ବିନାଶ କରନ୍ତୁ । ସେ ଦିବ୍ୟ ବିମାନରେ ଆରୋହଣପୂର୍ବକ ଶଚୀପତି ବାସବଙ୍କୁ ସୁଦ୍ଧା ନିଜ ବଳ ପ୍ରଭାବରେ ବଶୀଭୂତ କରନ୍ତି ।

 

ହେ ଭାରତ ! ତଦନନ୍ତର ଭଗବାନ ନାରାୟଣ କାର୍ତ୍ତବୀର୍ଯ୍ୟଙ୍କ ବିନାଶାର୍ଥ ଇନ୍ଦ୍ରଙ୍କ ସହିତ ମନ୍ତ୍ରଣା କଲେ ।୧୭। ଅମରଜ ଭଗବାନଙ୍କୁ କହିଲେ, ଯହିଁରେ ପ୍ରାଣୀମାନଙକର ହିତ ହୁଏ, ତାହା ଆପଣ ବିଚାର କରନ୍ତୁ । ଲୋକପୂଜିତ ଭଗବାନ ନାରାୟଣ ନିବେଦିତ ବିଷୟରେ ସମ୍ମତ ହୋଇ ନିଜର ରମଣୀୟ ଆଶ୍ରମ ବଦରିକାକ୍ଷେତ୍ରକୁ ପ୍ରସ୍ଥାନ କଲେ । ହେ ଭରତ ! ସେହି ସମୟରେ ପୃଥିବୀ ମଧ୍ୟରେ କାନ୍ୟକୁବ୍‌ଜ ଦେଶରେ ମହାବଳପରାକ୍ରାନ୍ତ ଗାଧି ନାମରେ ଜଣେ ରାଜା ଥିଲେ । ସୈବନବାସାର୍ଥ ଗମନ କଲେ ।୨୦। ହେ ଭାରତ ! ସେହି ବନବାସୀ ରାଜାଙ୍କର ଅପ୍‌ସରା ପ୍ରାୟ ସୁନ୍ଦରୀ ଗୋଟିଏ ଦୁହିତା ଥିଲେ । ଭୃଗୁବଂଶୀୟ ଋଚୀକ ନାମରେ ଋଷି ସେହି କନ୍ୟାକୁ ବିବାହ କରିବା ପାଇଁ ପ୍ରାର୍ଥନା କଲେ । ଗାଧି ରାଜା ସେହି ମହାବ୍ରତୀ ଋଷିପ୍ରବରଙ୍କୁ କହିଲେ, ଆମ୍ଭମାନଙ୍କ କୁଳରେ ପୂର୍ବପୁରୁଷମାନେ ଯେଉଁ ନିୟମ ପ୍ରଚଳନ କରିଅଛନ୍ତି, ତାହା ରକ୍ଷା କରିବା ଆପଣଙ୍କର ଉଚିତ ।୨୨। ହେ ଦ୍ୱିଜୋତ୍ତମ ! ଆମ୍ଭମାନଙ୍କର କନ୍ୟା ବିବାହ କାଳରେ ସହସ୍ରେ ଅଶ୍ୱ ପଣ ଗ୍ରହଣ କରୁଁ । ସେ ଅଶ୍ୱଙ୍କର ସମସ୍ତ ଶରୀର ପାଣ୍ଡୁରବର୍ଣ୍ଣ । କର୍ଣ୍ଣ ମଧ୍ୟରେ ରକ୍ତବର୍ଣ୍ଣ ଓ କର୍ଣ୍ଣର ବହିର୍ଭାଗ କୃଷ୍ଣବର୍ଣ୍ଣ, ବେଗଶାଳୀ–ଏହିପରି ଅଶ୍ୱରୁ ସହସ୍ରେ ପଣ ଦେବାକୁ ହେବ । ହେ ଭଗବନ୍‌ ! ଆପଣ ଭୃଗୁକୁଳରୁ ଜାତ ! ଅତଏବ ଆପଣଙ୍କୁ ଏହି କଥା କହିବା ଉଚିତ ନୁହେଁ । ପରନ୍ତୁ ଭବାଦୃଶ ବ୍ୟକ୍ତିଙ୍କୁ ଦୁହିତା ପ୍ରଦାନ କରିବା ଉଚିତ ।୨୪। ଋଚୀକ କହିଲେ, ସମସ୍ତ ଶରୀର ପାଣ୍ଡୁର ବର୍ଣ୍ଣ, କର୍ଣ୍ଣର ଅଭ୍ୟନ୍ତର ଲୋହିତ ଓ ବହିର୍ଭାଗ ଶ୍ୟାମବର୍ଣ୍ଣ, ଏତାଦୃଶ ଆକୃତିବିଶିଷ୍ଟ ଅଥଚ ବେଗଶୀଳ ସହସ୍ରେ ଅଶ୍ୱ ପଣ ଦେବୁ । ତୁମ୍ଭର କନ୍ୟା ଆମ୍ଭର ଭାର୍ଯ୍ୟା ହେଉନ୍ତୁ ।୨୫।

 

ଅକୃତବ୍ରଣ କହିଲେ–ହେ ରାଜନ୍‌ ! ଋଚୀକ ଋଷି ଉକ୍ତ ପ୍ରକାରେ ସ୍ୱକୀୟ ନିବନ୍ଧନ କରି ବରୁଣଙ୍କ ନିକଟକୁ ଗମନ କଲେ ଓ କହିଲେ–କର୍ଣ୍ଣର ଏକପାର୍ଶ୍ୱ କୃଷ୍ଣବର୍ଣ୍ଣ, ସମସ୍ତ ଦେହ ପାଣ୍ଡୁରବର୍ଣ୍ଣ, ଅଥଚ ବେଗଶାଳୀ ଏପରି ସହସ୍ରେ ଅଶ୍ୱ ଆମ୍ଭଙ୍କୁ ପ୍ରଦାନ କର । ବରୁଣ ସେହି ଯାଚ୍‌ଞା ଅନୁସାରେ ସହସ୍ରେ ଅଶ୍ୱ ପ୍ରଦାନ କଲେ ।୨୭। ଯେଉଁଠାରେ ସେହି ଅଶ୍ୱମାନେ ସମୁଦ୍ର ମଧ୍ୟରୁ ଉତ୍‌ଥିତ ହୋଇଥିଲେ, ତାହାକୁ ଅଶ୍ୱତୀର୍ଥ ବୋଲାଯାଏ । ତଦନନ୍ତର ଦେବମାନେ ଋଷିଙ୍କର ବରଯାତ୍ରୀ ହୋଇ ଆସିଲେ । ରାଜା ଗାଧି ସହସ୍ରେ ଅଶ୍ୱ ପାଇ କାନ୍ୟକୁବ୍‌ଜଠାରେ ଗଙ୍ଗାଙ୍କ ତଟରେ ଦେବତାମାନଙ୍କୁ ସଂଦର୍ଶନ କରି ସତ୍ୟବତୀଙ୍କୁ ସମ୍ପ୍ରଦାନ କଲେ ।୨୯। ଦ୍ୱିଜସତ୍ତମ ଋଚୀକ ଧର୍ମଭାର୍ଯ୍ୟା ଲାଭକରି ଯଥାଭିଳାଷରେ ଓ ଯଥାସୁଖରେ ସେହି ସୁମଧ୍ୟମା ରାଜକୁମାରୀଙ୍କ ସହିତ କ୍ରୀଡ଼ା କଲେ ।୩୦।

 

ହେ ରାଜନ୍‌ ! ଋଚୀକଙ୍କ ବିବାହକାର୍ଯ୍ୟ ସମାପ୍ତ ହୁଅନ୍ତେ ତାହାଙ୍କ ପିତା ଭୃଗୁ ତାହାଙ୍କୁ ଦେଖିବା ନିମିତ୍ତ ଆଗମନ କଲେ । ପୁତ୍ରଶ୍ରେଷ୍ଠ ଋଚୀକଙ୍କୁ ସପତ୍ନୀକ ଦେଖି ଅତ୍ୟନ୍ତ ଆହ୍ଲାଦିତ ହେଲେ ।୩୧। ସୁରଗଣଙ୍କ ପୂଜିତ ଭୃଗୁ ଉପବିଷ୍ଟ ହୁଅନ୍ତେ ପୁତ୍ର ଓ ପୁତ୍ରବଧୂ ଦୁହେଁ ତାହାଙ୍କର ପୂଜାକରି କୃତାଞ୍ଜଳି ହୋଇ ତାହାଙ୍କ ସମୀପରେ ଉପବେଶନ କଲେ ।୩୨। ତଦନନ୍ତର ହୃଷ୍ଟଚିତ୍ତରେ ଭଗବାନ ଭୃଗୁ ପୁତ୍ରବଧୂଙ୍କୁ କହିଲେ–ସୁଭଗେ ! ତୁମ୍ଭେ ଆମ୍ଭଠାରୁ ବର ପ୍ରାର୍ଥନା କର । ଆମ୍ଭେ ତୁମ୍ଭଙ୍କୁ ଅଭିଳଷିତ ବର ପ୍ରଦାନ କରିବୁ । ଏହା ଶୁଣି ସତ୍ୟବତୀ ଆପଣାର ଓ ଆପଣା ମାତାଙ୍କର ପୁତ୍ର ନିମିତ୍ତ ତାହାଙ୍କୁ ପ୍ରସନ୍ନ କଲେ ।୩୪। ଭୃଗୁ ବୋଇଲେ, ଭଦ୍ରେ ! ତୁମ୍ଭେ ଓ ତୁମ୍ଭର ମାତା ଦୁହେଁ ଋତୁସ୍ନାତା ହେଲେ ପୁଂସବନ ନିମିତ୍ତ ଦୁହେଁ ଦୁଇଗୋଟି ପୃଥକ୍ ବୃକ୍ଷ ଆଲିଙ୍ଗନ କରିବ-। ତୁମ୍ଭେ ଉଦୁମ୍ବର ବୃକ୍ଷକୁ ଓ ତୁମ୍ଭର ମାତା ଅଶ୍ୱତ୍‌ଥ ବୃକ୍ଷକୁ ଆଲିଙ୍ଗନ କରିବେ । ଆମ୍ଭେ ଏହି ସମସ୍ତ ବିଶ୍ୱକୁ ଆବର୍ତ୍ତନ କରି ତୁମ୍ଭ ନିମିତ୍ତ ଓ ତୁମ୍ଭ ମାତାଙ୍କ ନିମିତ୍ତ ଦୁଇଗୋଟି ଚରୁ ସାଧନ କରିଅଛୁ-।୩୬। ତୁମ୍ଭେମାନେ ଏହାକୁ ଯତ୍ନପୂର୍ବକ ଭକ୍ଷଣ କରିବ । ଭୃଗୁ ଉକ୍ତ ରୂପେ ଆଦେଶ କରି ତିରୋହିତ ହେଲେ ।

 

ମହାରାଜ ! ରାଜଦୁହିତା ଓ ରାଜ୍ଞୀ ଦୁହେଁ ବିପରୀତ ଭାବରେ ବୃକ୍ଷକୁ ଆଲିଙ୍ଗନ କଲେ ଓ ଚରୁକୁ ଭକ୍ଷଣ କଲେ ।୩୭। ତଦନନ୍ତର ବହୁକାଳ ପରେ ମହାତେଜା ଭଗବାନ ଭୃଗୁ ଧ୍ୟାନଦ୍ୱାରା ସେ ବିଷୟ ଅବଗତ ହେଲେ ଓ ପୁତ୍ରବଧୂଙ୍କ ନିକଟକୁ ପୁନରାଗମନ କଲେ ।୩୮। ଭଦ୍ରେ ! ତୁମ୍ଭେମାନେ ଚରୁ ଭକ୍ଷଣ କରୁଅଛ, ବୃକ୍ଷକୁ ଆଲିଙ୍ଗନ କରୁଅଛ; କିନ୍ତୁ ହେ ଶୁଭ୍ରେ ! ତୁମ୍ଭର ଜନନୀ ବିପରୀତ କାର୍ଯ୍ୟଦ୍ୱାରା ତୁମ୍ଭଙ୍କୁ ବଞ୍ଚିତ କରିଅଛନ୍ତି ।୩୯। ଏହି କାରଣରୁ ତୁମ୍ଭର ପୁତ୍ର ବ୍ରାହ୍ମଣ ହୋଇ ସୁଦ୍ଧା କ୍ଷତ୍ରିୟ ବୃତ୍ତିକୁ ଅବଲମ୍ବନ କରିବ ଓ ତୁମ୍ଭ ମାତାଙ୍କର ପୁତ୍ର ମହାବୀର୍ଯ୍ୟବାନ ଓ ମହାନ କ୍ଷତ୍ରିୟ ହୋଇ ସୁଦ୍ଧା ସାଧୁଜନଙ୍କ ପଥାବଲମ୍ବୀ ହୋଇ ବ୍ରାହ୍ମଣାଚାରୀ ହେବେ ।୪୧। ତତ୍‍ପରେ ଶ୍ୱଶୁରଙ୍କୁ ସତ୍ୟବତୀ ପୁନଃପୁନଃ ପ୍ରସନ୍ନ କରି ପ୍ରାର୍ଥନା କଲେ, ଆମ୍ଭର ପୁତ୍ର ଏପରି ନ ହୋଇ ମୌତ୍ର ତାଦୃଶ ହେଉ ।୪୨। ହେ ପାଣ୍ଡୁନନ୍ଦନ ! ଭୃଗୁ ତଥାସ୍ତୁ ବୋଲି କହି ସତ୍ୟବତୀଙ୍କୁ ଅଭିନନ୍ଦିତ କଲେ । ତଦନନ୍ତର ଯଥାକାଳରେ ସତ୍ୟବତୀ ତେଜପୁଞ୍ଜମୟ କାନ୍ତିଯୁକ୍ତ ଜମଦଗ୍ନି ନାମକ ପୁତ୍ରକୁ ପ୍ରସବ କଲେ । ସେହି ପୁତ୍ର ଭୃଗୁବଂଶର ଆନନ୍ଦବର୍ଦ୍ଧନ କଲେ ଓ ସେହି ତେଜସ୍ୱୀ ଜମଦଗ୍ନି ବର୍ଦ୍ଧମାନ ହୋଇ ବେଦାଧ୍ୟୟନରେ ଅନେକାନେକ ଋଷିମାନଙ୍କୁ ଅତିକ୍ରମ କଲେ । ହେ ପାଣ୍ଡବେୟ ! ଭାସ୍କରତୁଲ୍ୟ ତେଜସ୍ୱୀ ସେହି ଜମଦଗ୍ନିଙ୍କ ପ୍ରତି ସମସ୍ତ ଧନୁର୍ବେଦ ଓ ଚତୁର୍ବିଧ ଅସ୍ତ୍ର ପ୍ରତିଭାତ ହେଲେ ।୪୫।

 

Unknown

॥ ଅଧ୍ୟାୟ – ୧୧୬ ॥

 

ଅକୃତବ୍ରଣ କହିଲେ–ମହାତେଜା ଜମଦଗ୍ନି ବେଦାଧ୍ୟୟନରେ ନିଯୁକ୍ତ ହୋଇ ସୁଦ୍ଧା ତପସ୍ୟା କଲେ । ତହିଁରେ ସମଗ୍ର ବେଦ ତାହାଙ୍କର ଆୟତ୍ତ ହେଲା ।୧। ତତ୍‍ପରେ ସେ ପ୍ରସନ୍ନଜିତ୍ ନରପତିଙ୍କ ସନ୍ନିଧାନରେ ଉପସ୍ଥିତ ହୋଇ ତାହାଙ୍କର ରେଣୁକାନାମ୍ନୀ କନ୍ୟାକୁ ପ୍ରାର୍ଥନା କଲେ । ନୃପତି ମଧ୍ୟ ତାହାଙ୍କୁ ସ୍ୱକୀୟା କନ୍ୟା ରେଣୁକାକୁ ପ୍ରଦାନ କଲେ । ରେଣୁକାକୁ ଭାର୍ଯ୍ୟା ସ୍ୱରୂପ ପ୍ରାପ୍ତ ହୋଇ ଭାର୍ଗବନନ୍ଦନ ଆଶ୍ରମରେ ରହି ତାହାଙ୍କ ସହିତ ତପସ୍ୟା କଲେ ।

 

ହେ ରାଜନ୍‌ ! କ୍ରମରେ ଅନୁକୂଳା ରେଣୁକାଙ୍କ ଗର୍ଭରୁ ପାଞ୍ଚ ଗୋଟି ସନ୍ତାନ ଜାତ ହେଲେ-। ତନ୍ମଧ୍ୟରୁ ପଞ୍ଚମ ପୁତ୍ର ରାମ । ସବୁ ଭାଇଙ୍କଠାରୁ ସେ କନିଷ୍ଠ ହୋଇ ସୁଦ୍ଧା ଶ୍ରେଷ୍ଠ ଗୁଣସମ୍ପନ୍ନ ହୋଇଥିବାରୁ ଯବୀୟାନ ହୋଇଥିଲେ ।୪। ଦିନେ ପୁତ୍ରମାନେ ଫଳ ଆହରଣ କରିବାକୁ ଅରଣ୍ୟ ମଧ୍ୟକୁ ଯାଇଥିଲେ । ତାହାଙ୍କର ଜନନୀ ରେଣୁକା ସ୍ନାନାର୍ଥ ଗମନ କଲେ । ଇଚ୍ଛାନୁପୂର୍ବକ ସ୍ନାନକରି ଆସୁ ଆସୁ ଦେଖିଲେ ଯେ ମାର୍ତ୍ତିକା ଦେଶର ଅଧିପତି ସମୃଦ୍ଧିସମ୍ପନ୍ନ ରାଜା ଚିତ୍ରରଥ ପଦ୍ମମାଲ୍ୟରେ ବିଭୂଷିତ ହୋଇ ଭାର୍ଯ୍ୟାଙ୍କ ସହିତ ଜଳକ୍ରୀଡ଼ା କରୁଥିଲେ । ସ୍ୱରୂପ ଓ ଐଶ୍ୱର୍ଯ୍ୟଶୀଳ ଚିତ୍ରରଥଙ୍କୁ ଦେଖି ତାହାଙ୍କର କାମସ୍ପୃହା ହେଲା ।୭। ସେହି ବ୍ୟଭିଚାର ହେତୁରୁ ରେଣୁକା ବିଚେତନା ହୋଇ ଜଳରେ କ୍ଳିନ୍ନାହୋଇ ଆଶ୍ରମରେ ପ୍ରବେଶ କଲେ । ତାହାଙ୍କୁ ଦେଖି ତାହାଙ୍କର ସ୍ୱାମୀ ତଦୀୟଭାବ ବୁଝିପାରିଲେ ।୮। ଜମଦଗ୍ନି ଋଷି ମହା ତେଜସ୍ୱୀ ଓ ବୀର୍ଯ୍ୟବାନ୍ । ସେ ଦେଖିଲେ ଯେ ରେଣୁକା ଧୈର୍ଯ୍ୟଚ୍ୟୁତ ହୋଇଅଛନ୍ତି ଓ ବାହ୍ମୀ ଲକ୍ଷ୍ମୀରୁ ବିହୀନ ହୋଇଅଛନ୍ତି । ଏହା ଦେଖି ଧିକ୍‌କାର ବଚନଦ୍ୱାରା ତାହାଙ୍କୁ ତିରସ୍କାର କଲେ ।୯। ଅନନ୍ତର ରୁମଣ୍ୱାନ ନାମରେ ତାହାଙ୍କର ଜ୍ୟେଷ୍ଠ ପୁତ୍ର ଆଗମନ କଲେ । କ୍ରମରେ ଅନ୍ୟ ତିନି ପୁତ୍ର ସୁଷେଣ, ବସୁ ଓ ବିଶ୍ୱାବସୁ ସମାଗତ ହେଲେ ।୧୦। ଭଗବାନ ଜମଦଗ୍ନି ସେମାନଙ୍କୁ କହିଲେ ଯେ, ତୁମ୍ଭେମାନେ ମାତୃବଧ କର । କିନ୍ତୁ ସେମାନେ ସମସ୍ତେ ସ୍ନେହରେ ଜଡ଼ୀଭୂତ ଓ ବିଚେତନ ହୋଇ ପିତାଙ୍କ ଆଜ୍ଞା ପ୍ରତିପାଳନ କଲେ ନାହିଁ । ପରେ ଜମଦଗ୍ନି କୁପିତ ହୋଇ ସେମାନଙ୍କୁ ଅଭିଶାପ ପ୍ରଦାନ କଲେ । ଅଭିଶପ୍ତ ହୋଇ ସେମାନେ ତତ୍‌କ୍ଷଣାତ ହତଚେତନ ହେଲେ ଓ ଜଡ଼ ହୋଇ ପଶୁପକ୍ଷୀମାନଙ୍କ ପ୍ରାୟ ହେଲେ ।୧୨। ଏହି ଅବସରରେ ଶତ୍ରୁହନ୍ତା ରାମ ଆସି ଆଶ୍ରମରେ ଉପସ୍ଥିତ ହେଲେ । ତାହାଙ୍କୁ ଦେଖି ମହାତପା ମହାବାହୁ ଜମଦଗ୍ନି କହିଲେ, ହେ ପୁତ୍ର ! ତୁମ୍ଭର ଏହି ପାପୀୟସୀ ମାତାଙ୍କୁ ହନନ କର । ତନ୍ମିମିତ୍ତ ତୁମ୍ଭେ ଦୁଃଖ କର ନାହିଁ ।୧୪। ପରେ ରାମ ପରଶୁ ଗ୍ରହଣ କରି ମାତାଙ୍କର ଶିରଶ୍ଛେଦନ କଲେ ।

 

ହେ ମହାରାଜ ! ପିତାଙ୍କର ଆଜ୍ଞାନୁସାରେ ରାମ ମାତାଙ୍କର ମସ୍ତକ ଛେଦନ କରନ୍ତେ ଜମଦଗ୍ନିଙ୍କର କ୍ରୋଧ ଶାନ୍ତ ହେଲା । ସେ ପ୍ରସନ୍ନ ହୋଇ ରାମଙ୍କୁ କହିଲେ ।୧୫। ହେ ବତ୍ସ ! ଧର୍ମଜ୍ଞ-! ତୁମ୍ଭେ ଆମ୍ଭ ଆଦେଶରେ ଏହି ଦୁଷ୍କର୍ମ କଲ । ଅତଏବ ତୁମ୍ଭ ମନରେ ଯେଉଁ ଅଭିଳାଷ ହେଉଅଛି, ତାହା ପ୍ରାର୍ଥନା କର ।୧୬। ହେ ଭାରତ ! ପରଶୁରାମ ଏହି ବର ପ୍ରାର୍ଥନା କଲେ, “ଆମ୍ଭର ମାତା ପୁନର୍ଜୀବିତ ହେଉନ୍ତୁ । ତାହାଙ୍କର ବଧ ହେବା ସ୍ମରଣ ନ ହେଉ । ମାତୃବଧଜନିତ ପାପ ମୋର ନ ହେଉ । ଭ୍ରାତାମାନେ ମୋର ଯଥାବସ୍ଥା ହୁଅନ୍ତୁ । ଯୁଦ୍ଧରେ ମୋର କେହି ପ୍ରତିଦ୍ୱନ୍ଦ୍ୱୀ ନ ହେଉ ଓ ମୋର ପରମାୟୁ ଦୀର୍ଘ ହେଉ ।” ମହତପା ଜମଦଗ୍ନି ମଧ୍ୟ ଉକ୍ତ ବରମାନଙ୍କୁ ପ୍ରଦାନ କଲେ-।୧୮।

 

ହେ ପ୍ରଭୋ ! ଏକଦା ଜମଦଗ୍ନିଙ୍କ ପୁତ୍ରମାନେ ପୂର୍ବପ୍ରାୟ ଆଶ୍ରମରୁ ବାହାରିଗଲେ । ଅନୁପ ଦେଶାଧିପତି ବୀର କାର୍ତ୍ତବୀର୍ଯ୍ୟ ଜମଦଗ୍ନିଙ୍କ ଆଶ୍ରମକୁ ସମାଗତ ହେଲେ ।୧୯। ତାହାଙ୍କର ଭାର୍ଯ୍ୟା ରେଣୁକା ସମାଗତ ନୃପତିଙ୍କର ଯଥୋଚିତ ଅର୍ଚ୍ଚନା କଲେ; କିନ୍ତୁ ସେ ଯୁଦ୍ଧମତ୍ତରେ ମତ୍ତ ହୋଇ ପୂଜା ଗ୍ରହଣ କଲେ ନାହିଁ । ବଳପୂର୍ବକ ଆଶ୍ରମକୁ ପ୍ରମଥନ କରି ବୃହତ୍ ବୃହତ୍ ବୃକ୍ଷମାନଙ୍କୁ ଭଗ୍ନ କଲେ । ହୋମଧେନୁର ବତ୍ସାକୁ ହରଣ କରିନେଲେ । ହୋମଧେନୁ ତହିଁରେ ରୋଦନ କଲେ ।୨୧। ତତ୍‍ପରେ ରାମ ଆଶ୍ରମକୁ ଆସିଲେ । ପିତାଙ୍କଠାରୁ ସମୁଦାୟ ବୃତ୍ତାନ୍ତ ଶୁଣିଲେ । ସ୍ୱୟଂ ହୋମଧେନୁଙ୍କୁ ରୋଦନ କରିବାର ଦେଖି କ୍ରୋଧରେ ପରିପୂର୍ଣ୍ଣ ହେଲେ ।୨୨। ତତ୍‍ପରେ ବୀର ଶତ୍ରୁହନ୍ତା ରାମ ମରଣାପନ୍ନ କାର୍ତ୍ତବୀର୍ଯ୍ୟଙ୍କ ପ୍ରତିଧାବିତ ହେଲେ । ହେ ରାଜନ୍‌ ! ସେ ମନୋହର ଧନୁ ଗ୍ରହଣ କରି କାର୍ତ୍ତବୀର୍ଯ୍ୟଙ୍କର ପରିଘୋପମ ସହସ୍ର ବାହୁକୁ ଖଡ୍‌ଗଦ୍ୱାରା ଛେଦନ କଲେ ।୨୪। କାର୍ତ୍ତବୀର୍ଯ୍ୟ କାଳଧର୍ମାନୁସାରେ ରାମଙ୍କଦ୍ୱାରା ପରାଭୂତ ହେଲେ ।

 

ତଦନନ୍ତର ତାହାଙ୍କର ଦାୟାଦମାନେ କୁପିତ ହୋଇ ଯେଉଁ ସମୟରେ ଆଶ୍ରମରେ ରାମ ନ ଥାଆନ୍ତି, ସେହି ଅବସରରେ ଆଶ୍ରମସ୍ଥିତ ଜମଦଗ୍ନିଙ୍କୁ ଆକ୍ରମଣ କରି ତପଃପରାୟଣ ମହାତେଜା ସେ ଋଷିଙ୍କ ପ୍ରତି ଅସ୍ତ୍ର ନିକ୍ଷେପ କଲେ । ଯମଦଗ୍ନି ଯୁଦ୍ଧରେ ପ୍ରବୃତ୍ତ ନ ହୋଇ କେବଳ ରାମ ରାମ ବୋଲି ଉଚ୍ଚୈଃସ୍ୱରରେ ଆହ୍ୱାନ କଲେ । ହେ ଯୁଧିଷ୍ଠିର ! ଅତଃପର ଅରିନ୍ଦମ କାର୍ତ୍ତବୀର୍ଯ୍ୟଙ୍କ ପୁତ୍ରମାନେ ଶତଶତ ଶରଦ୍ୱାରା ବିଦ୍ଧକରି ଜମଦଗ୍ନିଙ୍କର ପ୍ରାଣବିନାଶପୂର୍ବକ ସ୍ୱ ସ୍ୱ ସ୍ଥାନକୁ ପ୍ରତ୍ୟାଗମନ କଲେ । ସେମାନେ ପଳାଇବା ପରେ ଓ ଜମଦଗ୍ନିଙ୍କର ପ୍ରାଣବିନାଶ ହୁଅନ୍ତେ, ଭୃଗୁନନ୍ଦନ ରାମ ସମିଧ ଘେନି ଆଶ୍ରମକୁ ଆଗମନ କଲେ । ବୀର ପରଶୁରାମ ପିତାଙ୍କର ତାଦୃଶ ଅଯୋଗ୍ୟ ଦଶାପ୍ରାପ୍ତି ଦେଖି ଅତିଶୟ ଦୁଃଖିତ ଅନ୍ତଃକରଣରେ ବିଳାପ କରିବାକୁ ଲାଗିଲେ ।୨୯।

 

॥ ଅଧ୍ୟାୟ – ୧୧୭ ॥

 

ହେ ପିତ ! ଆମ୍ଭ ଅପରାଧ ହେତୁରୁ ଅର୍ଜୁନର ମୂର୍ଖ ଦାୟାଦମାନେ ବନମଧ୍ୟରେ ମୃଗକୁ ବଧ କଲାପ୍ରାୟ ଆପଣଙ୍କୁ ନିହତ କଲେ ।୧। ହେ ତାତ ! ଯେଉଁ ପୁରୁଷ ଆଜନ୍ମ ସତ୍‌ପଥରେ ଚାଲୁଅଛନ୍ତି ଓ ସର୍ବପ୍ରାଣୀଙ୍କ ପ୍ରତି ଯାହାଙ୍କର କଦାପି କୌଣସି ଅପରାଧ କରିବାର ନାହିଁ, ତାହାଙ୍କର କି ଏ ପ୍ରକାର ମୃତ୍ୟୁ ହେବାର ଯୋଗ୍ୟ ? ଆପଣ ତପସ୍ୟାରେ ଅବସ୍ଥିତ, ବୃଦ୍ଧ ଓ ସମରରେ ପ୍ରବୃତ୍ତ ହୋଇନଥିଲେ; ତଥାପି ଯେଉଁମାନେ ଶତ ଶତ ତୀକ୍ଷ୍‌ଣ ଶରଦ୍ୱାରା ଆପଣଙ୍କୁ ବଧ କରିଅଛନ୍ତି, ସେମାନେ କି ପାପ ନ କଲେ ? ୩। ସେହି ନିର୍ଲଜ୍ଜମାନେ ଧର୍ମନିଷ୍ଠ, ଯୁଦ୍ଧରେ ଆପ୍ରବୃତ୍ତ ସହାୟହୀନ ବ୍ୟକ୍ତିଙ୍କୁ ହତ୍ୟା କରି ସୁହୁତ୍ ଓ ସଶବଙ୍କ ସମକ୍ଷରେ କଅଣ କହିବେ ? ୪। ଏହିପରି ମହାତପା ରାମ ବହୁବିଧ ବିଳାପ କରି ପିତାଙ୍କର ପ୍ରେତକାର୍ଯ୍ୟମାନଙ୍କୁ ସମ୍ପାଦନ କଲେ ।୫। ଶତ୍ରୁପୁରଜୟୀ ରାମ ଅଗ୍ନିରେ ପିତାଙ୍କର ଶରୀରକୁ ଦହନ କଲେ ।

 

ହେ ଭାରତ ! ତତ୍‌କ୍ଷଣେ ସେ ସର୍ବ କ୍ଷତ୍ରିୟଙ୍କୁ ବଧ କରିବା ପାଇଁ ପ୍ରତିଜ୍ଞା କଲେ ।୬। ଅତିଶୟ ବଳଶାଳୀ କୃତାନ୍ତସମ ପରଶୁରାମ ପରମ କ୍ରୁଦ୍ଧ ହୋଇ ଶସ୍ତ୍ରଗ୍ରହଣପୂର୍ବକ ଏକାକୀ କାର୍ତ୍ତବୀର୍ଯ୍ୟର ପୁତ୍ରମାନଙ୍କୁ ସଂଗ୍ରାମରେ ସଂହାର କଲେ ।୭। ହେ କ୍ଷତ୍ରିୟବର ! ଯେଉଁସବୁ କ୍ଷତ୍ରିୟମାନେ କାର୍ତ୍ତବୀର୍ଯ୍ୟଙ୍କର ଅନୁଗତ ଥିଲେ, ସେମାନଙ୍କୁ ମଧ୍ୟ ଯୁଦ୍ଧକାରୀ ପ୍ରଧାନ ରାମ ବିମର୍ଦ୍ଦନ କଲେ ।୮। ଏହି ରୂପେ ସେ କ୍ରମରେ ଏକବିଂଶତି ବାର ପୃଥିବୀକୁ ନିକ୍ଷତ୍ରିୟ କରି ସମନ୍ତ ପଞ୍ଚକ ନାମକ ରକ୍ତମୟ ପାଞ୍ଚଗୋଟି ହ୍ରଦ ନିର୍ମିତ କରିଥିଲେ ଓ ସେହି ହ୍ରଦରେ ପିତୃଗଣଙ୍କର ତର୍ପଣ କରି ତାହାଙ୍କର ପିତାମହ ଋଚୀକଙ୍କୁ ସାକ୍ଷାତ୍ ସନ୍ଦର୍ଶନ କରିଥିଲେ । ସେହି ଅବଧି ଋଚୀକ ନିଷେଧ କଲେ, ହେ ରାମ ! ତୁମ୍ଭେ ଆଉ କ୍ଷତ୍ରିୟ ବଧ କର ନାହିଁ ।୧୦। ପ୍ରତାପଶାଳୀ ରାମ ସୁମହତ ଯଜ୍ଞ କରି ଦେବେନ୍ଦ୍ରଙ୍କୁ ପରିତୃପ୍ତ କଲେ ଓ ଋତ୍ୱିକଗଣଙ୍କୁ ପୃଥିବୀକୁ ଦାନ କଲେ ।୧୫। ହେ ନରପତେ ! ପରଶୁରାମ ଗୋଟିଏ ସୁବର୍ଣ୍ଣର ବେଦୀ ନିର୍ମାଣ କରି ମହାତ୍ମା କଶ୍ୟପଙ୍କୁ ପ୍ରଦାନ କରିଥିଲେ । ସେ ବେଦୀର ବିସ୍ତାର ଚାଳିଶ ହସ୍ତ ଓ ଉଚ୍ଛ୍ରାୟ ଛବିଶ ହସ୍ତ ।୧୨। ବ୍ରାହ୍ମଣମାନେ ସେହି ବେଦୀକୁ ଖଣ୍ଡ ଖଣ୍ଡ କରି ପ୍ରତିଗ୍ରହ କରିଥିଲେ ବୋଲି ସେମାନେ ଖାଣ୍ଡବାୟକ ନାମରେ ବିଖ୍ୟାତ ହୋଇଅଛନ୍ତି ।୧୩। ହେ ନରନାଥ ! କ୍ଷତ୍ରିୟାନ୍ତକାରୀ ଅମିତ ବିକ୍ରମ ରାମ ମହାତ୍ମା କଶ୍ୟପଙ୍କୁ ପୃଥିବୀକୁ ଦାନ କରି ଏହି ମହେନ୍ଦ୍ର ନାମକ ଶୈଳବରକୁ ଆସି ସେଠାରେ ସୁମହତ ତପସ୍ୟାଚରଣ କରି ବାସ କରୁଅଛନ୍ତି । ହେ ରାଜନ୍‌ ! ରାମ ଅପରିମିତ ତେଜସ୍ୱୀ; ସେ ଏହିରୂପେ ଧରାମଣ୍ଡଳକୁ ଜୟ କରିଥିଲେ । ତହିଁରେ ତାହାଙ୍କ ସହିତ କ୍ଷତ୍ରିୟମାନଙ୍କର ଉକ୍ତ ରୂପ ବିରୋଧ ହୋଇଥିଲା ।୧୫।

 

ବୈଶମ୍ପାୟନ ବୋଇଲେ, ତଦନନ୍ତର ମହାମନା ରାମ ଚତୁର୍ଦ୍ଦଶୀ ଦିନ ସେହି ବ୍ରାହ୍ମଣମାନଙ୍କୁ ଧର୍ମରାଜ ଯୁଧିଷ୍ଠିରଙ୍କୁ ଓ ତାହାଙ୍କର ଅନୁଜମାନଙ୍କୁ ଦର୍ଶନ ଦେଲେ ।୧୬। ନୃପସତ୍ତମ ଯୁଧିଷ୍ଠିର ଭ୍ରାତାମାନଙ୍କୁ ସଙ୍ଗରେ ଘେନି ଭୃଗୁବଂଶୋଦ୍ଭବ ରାମଙ୍କର ବିଧିପୂର୍ବକ ଅର୍ଚ୍ଚନା କଲେ ଓ ଦ୍ୱିଜମାନଙ୍କର ପରମ ପୂଜା ବିଧାନ କଲେ ।୧୭। ଜମଦଗ୍ନିସୁତ ରାମଙ୍କୁ ଅର୍ଚ୍ଚନା କରି ଓ ତାହାଙ୍କଦ୍ୱାରା ଅନୁଜ୍ଞାତ ହୋଇ ଯୁଧିଷ୍ଠିର ସେହି ରାତ୍ରରେ ମହେନ୍ଦ୍ର ଶୈଳରେ ବାସକରି ପ୍ରଭାତରେ ଦକ୍ଷିଣାଭିମୁଖକୁ ଗମନ କଲେ ।୧୮।

 

॥ ଅଧ୍ୟାୟ – ୧୧୮ ॥

 

ବୈଶମ୍ପାୟନ ବୋଇଲେ–ହେ ଭରତକୁଳଜାତ ପରୀକ୍ଷିତ ନନ୍ଦନ ! ଶ୍ରବଣ କର–ପିତୃପିତାମହକ୍ରମେ ସଚ୍ଚରିତ୍ର ରାଜାଙ୍କ କୂଳରେ ଯୁଧିଷ୍ଠିର ଜାତ ହୋଇଥିଲେ । ସାଗରସନ୍ନିହିତ ପୁଣ୍ୟତୀର୍ଥମାନଙ୍କୁ ସେ ମହାଭାଗ ସନ୍ଦର୍ଶନ କରି ଚଳିଲେ । ଅନୁଜମାନଙ୍କୁ ସଙ୍ଗରେ ଘେନି ସେହି ତୀର୍ଥ ସମୂହରେ ଅବଗାହନ କରି ପ୍ରଶସ୍ତା ନାମ୍ନୀ ନଦୀକୁ ଗମନ କଲେ ।୨। ସେଠାରେ ସ୍ନାନ କରି ଦେବ ଓ ପିତୃଗଣଙ୍କର ତର୍ପଣ କରି ମୁଖ୍ୟ ମୁଖ୍ୟ ବ୍ରାହ୍ମଣମାନଙ୍କୁ ଧନ ଦାନ କଲେ । ସେଠାରୁ ସେମାନେ ସାଗରଗାମିନୀ ଗୋଦାବରୀ ନଦୀକୁ ପ୍ରସ୍ଥାନ କଲେ ।୩।

 

ହେ ରାଜନ୍‌ ! ସେହି ବୀରନରପତି ଗୋଦାବରୀ ତୀର୍ଥରେ ପାପଶୂନ୍ୟ ହୋଇ ସେଠାରେ ଅତି ପବିତ୍ର ଦ୍ରାବିଡ଼ ଦେଶର ସମୁଦ୍ର ସନ୍ନିଧାନକୁ ଗମନ କଲେ । ସେଠାରେ ଅଗସ୍ତ୍ୟତୀର୍ଥ ଓ ନାରୀତୀର୍ଥ ଦର୍ଶନ କଲେ ।୪। ପରମର୍ଷିମାନେ ସେହି ସବୁ ତୀର୍ଥରେ ଯୁଧିଷ୍ଠିରଙ୍କର ବିଶେଷ ପୂଜା କଲେ । ଧନୁର୍ଦ୍ଧରଙ୍କର ଅଗ୍ରଗଣ୍ୟ ଅର୍ଜୁନଙ୍କର ଅମାନୁଷିକ କର୍ମର ଭୂୟସୀ ପ୍ରଶଂସା ଶ୍ରବଣ କରି ସେହି ସ୍ଥାନରେ ପାଣ୍ଡୁନନ୍ଦନ ପରମାନନ୍ଦ ଲାଭ କଲେ ।୫। ହେ ମହୀପାଳ ! ପୃଥିବୀପତି ଯୁଧିଷ୍ଠିର ନିଜର ଅନୁଜବର୍ଗ ଓ ପତ୍ନୀଙ୍କ ସଙ୍ଗରେ ସେହି ସବୁ ତୀର୍ଥରେ ଅବଗାହନ କରି ପବିତ୍ର କଳେବର ହୋଇ ଅର୍ଜୁନଙ୍କର ବିକ୍ରମ ଶ୍ରବଣରେ ପରମାହ୍ଲାଦିତ ହେଲେ ।୬। ସେହି ସମୁଦ୍ରତୀର୍ଥରେ ଅର୍ଜୁନ ବହୁ ସହସ୍ର ଯେଉଁ ଗୋଦାନ କରିଥିଲେ, ସେ ବିଷୟ ମଧ୍ୟ କୀର୍ତ୍ତନ କଲେ ।୭।

 

ହେ ରାଜନ୍‌ ! ସାଗର-ସନ୍ନିହିତ ଉକ୍ତ ପୁଣ୍ୟତୀର୍ଥ ଓ ଅପରାପର ତୀର୍ଥମାନଙ୍କୁ ସନ୍ଦର୍ଶନ କରି ଯୁଧିଷ୍ଠିର କ୍ରମରେ ସୂର୍ପାରକ ନାମକ ପରମ ପବିତ୍ର ତୀର୍ଥକୁ ଗମନ କଲେ ।୮। ସେଠାରେ ସମୁଦ୍ରଠାରୁ ଅଳ୍ପ ଦୂରକୁ ଯାଇ ଗୋଟିଏ ଅରଣ୍ୟରେ ପ୍ରବିଷ୍ଟ ହେଲେ । ସେଠାରେ ପୂର୍ବକାଳରେ ଦେବଗଣ ଓ ତପୋନିଷ୍ଠ ନରପତିମାନେ ଯଜ୍ଞ କରିଥିଲେ ।୯। ପୀନବାହୁ ରାଜା ଯୁଧିଷ୍ଠିର ସେହି ବନ ମଧ୍ୟରେ ପ୍ରଧାନ ଧନୁର୍ଦ୍ଧାରୀ ଋଚୀକସନ୍ତାନ ରାମଙ୍କର ବେଦୀ ଦର୍ଶନ କଲେ । ସେଠାରେ ଯେଉଁ ତପସ୍ୱୀମାନେ ଓ ପୁଣ୍ୟାତ୍ମାମାନେ ବାସ କରୁଥିଲେ, ସେମାନଙ୍କୁ ମଧ୍ୟ ଦର୍ଶନ କଲେ ।୧୦।

 

ହେ ରାଜନ୍‌ ! ତଦନନ୍ତର ବସୁଧାଧିପତି ମହାତ୍ମା ଯୁଧିଷ୍ଠିର, ବସୁଗଣ, ମରୁତ୍‌ଗଣ, ଅଶ୍ୱିନୀକୁମାର ଦ୍ୱୟ, ବୈବସ୍ୱତ, ଆଦିତ୍ୟ, କୁବେର, ଇନ୍ଦ୍ର, ବିଷ୍ଣୁ, ବିଭୁ ସବିତା, ଶିବ, ଚନ୍ଦ୍ର, ଦିବାକର, ବରୁଣ, ସାଧ୍ୟଗଣ, ବ୍ରହ୍ମା, ପିତୃଗଣ, ପୂଷା ଓ ତଦଭିନ୍ନ ଆଉ ଯେଉଁ ଦେବତାମାନେ ଅଛନ୍ତି, ସେମାନଙ୍କର ସୁମନୋହର ପୁଣ୍ୟାୟତନମାନଙ୍କୁ ଦର୍ଶନ କଲେ ଓ ସେହି ସେହି ସ୍ଥାନରେ ସମୟ ସମୟରେ ଉପବାସ ଓ ପଣ୍ଡିତମାନଙ୍କୁ ବହୁମୂଲ୍ୟ ରତ୍ନରାଶି ବିତରଣ କଲେ । ସେଠାରୁ ପୁନଶ୍ଚ ସୂର୍ପାରକ ତୀର୍ଥକୁ ପ୍ରତ୍ୟାଗମନ କଲେ ।୧୪। ଯୁଧିଷ୍ଠିର ସୋଦରଙ୍କ ସଙ୍ଗରେ ସାଗର ନିକଟସ୍ଥ ସୂର୍ପାରକ ଓ ଅନ୍ୟାନ୍ୟ ତୀର୍ଥ ଦେଇ ପୃଥିବୀବିଖ୍ୟାତ ପ୍ରଭାସ ତୀର୍ଥରେ ଉପନୀତ ହେଲେ-।୧୫। ଲୋହିତ ଓ ଆୟତ୍ତ ନେତ୍ର ରାଜା ଯୁଧିଷ୍ଠିର, ତାହାଙ୍କର ଭ୍ରାତୃଗଣ, ଦ୍ରୌପଦୀ ଓ ବିପ୍ରଗଣ ଲୋମଶ ଋଷିଙ୍କ ସମଭିବ୍ୟାହାରରେ ସେଠାରେ ଅଭିଷିକ୍ତ ହୋଇ ଦେବ ଓ ପିତୃଗଣଙ୍କର ତର୍ପଣ କଲେ ।୧୬। ଧାର୍ମିକଶ୍ରେଷ୍ଠ ଧର୍ମନନ୍ଦନ ସେହି ସ୍ଥାନରେ ଦ୍ୱାଦଶ ଦିବସ ଅହର୍ନିଶ ଜଳ ଓ ବାୟୁମାତ୍ର ଭକ୍ଷଣ କରି ଅଭିଷିକ୍ତ ହୋଇ ଚତୁର୍ଦ୍ଦିଗରେ ଅଗ୍ନି ଜାଳି ତପସ୍ୟା କଲେ ।୧୭।

 

ଏହି ସମୟରେ ବୃଷ୍ଣିବଂଶଙ୍କର ଅଗ୍ରଗଣ୍ୟ ବଳରାମ ଓ କୃଷ୍ଣ ଶ୍ରବଣ କଲେ ଯେ ଯୁଧିଷ୍ଠିର ପ୍ରଭାସକୁ ଆସି ଉଗ୍ରତପଶ୍ଚରଈ କରୁଅଛନ୍ତି । ଏହା ଶୁଣିଲାକ୍ଷଣି ସେମାନେ ସୈନ୍ୟ ସମଭିବ୍ୟାହାରରେ ଆଜମୀଢ଼ବଂଶୀୟ ରାଜା ଯୁଧିଷ୍ଠିରଙ୍କ ସମୀପକୁ ଆଗମନ କଲେ ।୧୮। ବୃଷ୍ଣିବଂଶୀୟମାନେ ଦେଖିଲେ ଯେ, ପାଣ୍ଡୁ ସୁତମାନେ ଭୂତଳରେ ଶୟନ କରିଅଛନ୍ତି । ଧୂଳିରେ ସେମାନଙ୍କ ଅଙ୍ଗ ବିଲିପ୍ତ ହୋଇଅଛି । ଦ୍ରୌପଦୀ ମଧ୍ୟ ତଦ୍ରୂପ ହୋଇଅଛନ୍ତି । ଏହା ଦେଖି ସେମାନେ ଉଚ୍ଚୈଃସ୍ୱରରେ ରୋଦନ କଲେ ।୧୯। ତଦନନ୍ତର ମହାମନା ରାଜା ଯୁଧିଷ୍ଠିର, ବଳରାମ, ଜନାର୍ଦ୍ଦନ କୃଷ୍ଣ ତନୟ ଶ୍ୟାମ, ଶନିଙ୍କର ପୁତ୍ର ସାତ୍ୟକି ଓ ଅନ୍ୟାନ୍ୟ ବୃଷ୍ଣି ସନ୍ତାନଙ୍କ ସମୀପକୁ ଗମନ କରି ଯଥାଧର୍ମ ସେମାନଙ୍କର ମର୍ଯ୍ୟାଦା କଲେ ।୨୦। ହେ ରାଜନ୍‌ ! ସେହି ବୃଷ୍ଣିସନ୍ତାନମାନେ ମଧ୍ୟ ପାଣ୍ଡୁସୁତଙ୍କୁ ପ୍ରତିପୂଜା କଲେ । ବୃଷ୍ଣିବଂଶୀୟମାନେ ଯୁଧିଷ୍ଠିରଙ୍କର ପ୍ରତି ପୂଜାକରି ଇନ୍ଦ୍ରଙ୍କୁ ଦେବତାମାନେ ଘେରି ବସିଲା ପ୍ରାୟ ଯୁଧିଷ୍ଠିରଙ୍କର ଚତୁଃପାର୍ଶ୍ୱରେ ଉପବେଶନ କଲେ ।୨୧। ପରେ ରାଜା ଯୁଧିଷ୍ଠିର ସେମାନଙ୍କୁ ବିଶ୍ୱାସପୂର୍ବକ ଶତ୍ରୁମାନଙ୍କର ସମସ୍ତ ଚରିତ୍ର ନିଜର ଯେପରି ବନବାସ ହେଲା, ତାହା ଓ ଅର୍ଜୁନ ଯେପରି ଅସ୍ତ୍ର ଆଣିବା ନିମିତ୍ତ ଇନ୍ଦ୍ରଙ୍କ ସମୀପକୁ ଗମନ କରିଥିଲେ, ସେ ସମୁଦାୟ ବୃତ୍ତାନ୍ତ କୀର୍ତ୍ତନ କଲେ ।୨୨। ମହାଭାଗ ବୃଷ୍ଣିବୀରମାନେ ଯୁଧିଷ୍ଠିରଙ୍କର ବିଶ୍ୱାସ ବଚନ ଶ୍ରବଣ କରି ଓ ସେମାନଙ୍କର ଅତି କୃଶ କଳେବର ଦଶନ କରି ଦୁଃଖ ଓ ଶୋକନିତ ନେତ୍ରଜଳ ମୋଚନ କଲେ ।୨୩।

 

॥ ଅଧ୍ୟାୟ – ୧୧୯ ॥

 

ଜନମେଜୟ ବୋଇଲେ–ହେ ତପୋଧନ ! କୃଷ୍ଣ ବଂଶୀୟମାନେ ଓ ପାଣ୍ଡୁ ନନ୍ଦନମାନେ ପ୍ରଭାସତୀର୍ଥରେ ସମାଗମ ହୋଇ ସେମାନେ କି କି କାର୍ଯ୍ୟ କଲେ, କି କି କଥୋପକଥନ କଲେ ଓ ସେଠାରେ ଆଉ କିଏ କିଏ ଥିଲେ, ତାହା ଆମ୍ଭଙ୍କୁ କହିବା ହେଉନ୍ତୁ ।୧। ବୃଷ୍ଣି ଓ ପାଣ୍ଡବମାନେ ସମସ୍ତେ ମହାତ୍ମା, ସର୍ବଶାସ୍ତ୍ରବିଶାରଦ ଓ ପରସ୍ପର ସୁହୃଦ୍‌ ! ଅତଏବ ସେମାନଙ୍କ କଥା କୀର୍ତ୍ତନ କରନ୍ତୁ ।୨।

 

ବୈଶମ୍ପାୟନ ବୋଇଲେ, ହେ ମହାରାଜ ! ବୃଷ୍ଣି ବୀରମାନେ, ମହୋଦଧି-ସନ୍ନିହିତ ପୁଣ୍ୟତମ ପ୍ରଭାସତୀର୍ଥରେ ଉପନୀତ ହୋଇ ପାଣ୍ଡବମାନଙ୍କୁ ବେଷ୍ଟନ କରି ସମୀପରେ ଉପବେଶନ କଲେ ।୩। ତଦନନ୍ତର ଗୋକ୍ଷୀର, କୁନ୍ଦକୁସୁମ, ଇନ୍ଦ୍ର, ମୃଣାଳ ଓ ରଜତସଦୃଶ ପ୍ରଭାନ୍ୱିତ, ବନମାଳାଧାରୀ, ହଳଧର ରାମ ପୁଷ୍କରଲୋଚନ କୃଷ୍ଣଙ୍କୁ କହିଲେ ।୪। ହେ କୃଷ୍ଣ, ଯେଉଁ ସ୍ଥଳରେ ମହାତ୍ମା ଯୁଧିଷ୍ଠିର ଜଟାଧାରୀ ଓ ଚୀର ପରିଧାୟୀ ହୋଇ ବନବାସ କ୍ଳେଶ ସହ୍ୟ କରୁଅଛନ୍ତି, ସେ ସ୍ଥଳେ ଧର୍ମାନୁଷ୍ଠାନ କଲେ ମନୁଷ୍ୟର ଅଭ୍ୟୁଦୟ ହୁଏ ଓ ଅଧର୍ମାଚରଣ କଲେ ପରାଭବ ହୁଏ, ଏକଥା ଅସତ୍ୟ ।୫। ଦୁର୍ଯ୍ୟୋଧନ ପୃଥିବୀ ଶାସନ କରୁଅଛନ୍ତି, ଏଥିରେ ପୃଥିବୀ ଯେ ଫାଟିଯାଇ ତାହାଙ୍କୁ ଗର୍ଭସ୍ଥ କରୁ ନାହିଁ, ତହିଁରେ ଧର୍ମାଚରଣ ଅପେକ୍ଷା ଅଧର୍ମାଚରଣ ଯେ ଶ୍ରେୟସ୍କର, ଏହା ଅଳ୍ପବୁଦ୍ଧି ଲୋକେ ସ୍ଥିର କରିପାରନ୍ତି ।୬। ଦୁର୍ଯ୍ୟୋଧନ ଅଧର୍ମପରାୟଣ ହୋଇ ରାଜ୍ୟ ଲାଭ କରି ସମୃଦ୍ଧିଶାଳୀ ହୋଇଅଛନ୍ତି ଓ ଯୁଧିଷ୍ଠିର ଧର୍ମପରାୟଣ, ହୃତରାଜ୍ୟ ଓ ଦୁଃଖଗ୍ରସ୍ତ ହୋଇ ବନବାସୀ ହୋଇଅଛନ୍ତି । ଏହା ଦେଖି ପ୍ରଜାମାନଙ୍କର ଅଧର୍ମ କର୍ମ କରିବା ଉଚିତ କି ଧର୍ମ କର୍ମ କରିବା ଉଚିତ ? ମନୁଷ୍ୟମାନଙ୍କ ମଧ୍ୟରେ ଏତାଦୃଶ ସଂଶୟ ଜନ୍ମିଅଛି ।୭।

 

ଧର୍ମନନ୍ଦନ ରାଜା ଯୁଧିଷ୍ଠିର ଧର୍ମନିଷ୍ଠ, ସତ୍ୟପରାୟଣ ଓ ଦାତା । ରାଜ୍ୟରୁ ଓ ସୁଖରୁ ସେ ବିଚ୍ୟୁତ ହୋଇପାରନ୍ତି; କିନ୍ତୁ ଧର୍ମକୁ ପରିତ୍ୟାଗ କରି ସେ ଋଦ୍ଧିମନ୍ତ ହୋଇ ନ ପାରନ୍ତି । ହାୟ ! ଭୀଷ୍ମ, ଦ୍ରୋଣ, କୃପ ଓ କୁଳବୃଦ୍ଧ ରାଜା ଧୃତରାଷ୍ଟ୍ର ଯୁଧିଷ୍ଠିରଙ୍କୁ ବନବାସାର୍ଥ ନିର୍ବାସିତ କରି ସ୍ୱୟଂ କି ପ୍ରକାର ସୁଖରେ କାଳକ୍ଷେପଣ କରୁଅଛନ୍ତି । ସେହି ପାପମତି ଭରତକୁଳବାସୀଙ୍କୁ ଧିକ୍ ।୯। ପାପାତ୍ମା ଧୃତରାଷ୍ଟ୍ର ନିର୍ଦ୍ଦୋଷ ପୁତ୍ରମାନଙ୍କୁ ରାଜ୍ୟରୁ ତଡ଼ିଦେଇ ପରଲୋକକୁ ଗମନ କଲେ । ସେଠାରେ ସେ କଅଣ ପିତୃଗଣଙ୍କୁ କହିପାରିବେ ଯେ ସେ ପୁତ୍ରମାନଙ୍କ ପ୍ରତି ସଦ୍‌ବ୍ୟବହାର କରୁଅଛନ୍ତି ? ଯୁଧିଷ୍ଠିରଙ୍କୁ ତାହାଙ୍କ ରାଜ୍ୟରୁ ବାହାର କରିଦେଇ ଧୃତରାଷ୍ଟ୍ର ନିଜର ପ୍ରଜ୍ଞାଚକ୍ଷୁରେ ଦେଖିପାରୁ ନାହାନ୍ତି ଯେ ସେ କି ଦୋଷ କରି ନରପତିମାନଙ୍କ ମଧ୍ୟରେ ଅନ୍ଧ ହୋଇ ଜନ୍ମଗ୍ରହଣ କରିଅଛନ୍ତି ! ୧୧। କିନ୍ତୁ ପୁତ୍ରଙ୍କ ପ୍ରତି ସେ ଏପରି ନୃଶଂସ କର୍ମ କରିଥିବାରୁ ଯେତେବେଳେ ସେ ପିତୃଲୋକକୁ ଗମନ କରିବେ, ତେତେବେଳେ ସେ ମନୁଷ୍ୟମାନଙ୍କୁ ସେଠାରେ ଦେଖିବେ ଯେ ସେମାନଙ୍କର କାନ୍ତି ସୁବର୍ଣ୍ଣ କାନ୍ତି ପ୍ରାୟ । ସେମାନଙ୍କର ଲୋଚନ ପୃଥୁ ଓ ଲୋହିତ ବର୍ଣ୍ଣ । ସେମାନଙ୍କର ସ୍କନ୍ଧ ଉନ୍ନତ ଓ ମାଂସଳ । ସେ ଲୋକେ ସମୃଦ୍ଧିସମ୍ପନ୍ନ ଓ ପ୍ରଫୁଲ୍ଲ । ଯୁଧିଷ୍ଠିର ଓ ତାହାଙ୍କର ଅନୁଜମାନେ ସମସ୍ତେ ଗୃହୀତାସ୍ତ୍ର; ସେମାନଙ୍କୁ ବନବାସୀ କରି ଧୃତରାଷ୍ଟ୍ର ଯେତେବେଳେ ଯମାଳୟକୁ ଗମନ କରିବେ, ତେତେବେଳେ ସେ ଉକ୍ତ ସୁପୁରୁଷମାନଙ୍କୁ ଦେଖି ପଚାରିଲେ ସେମାନେ କହିବେ ଯେ ସେ ଏପରି ଦୁଷ୍କର୍ମ କରିଥିବାରୁ ଅନ୍ଧ ହୋଇ ଜନ୍ମିଥିଲେ । ତେତେବେଳେ ତାହାଙ୍କର ଶଙ୍କା ବିଦୂରିତ ହେବ । ବର୍ତ୍ତମାନ ସେ ତାହା ଜାଣୁ ନାହାନ୍ତି ।୧୩।

 

ଏହି ଦୀର୍ଘଭୁଜ ଓ ବଳଶାଳୀ ବୃକୋଦର, ଯେ ନିରାୟୁଧ ହୋଇ ସୁଦ୍ଧା ଶତ୍ରୁମାନଙ୍କର ସମୃଦ୍ଧ ସୈନ୍ୟମାନଙ୍କୁ ବିନାଶ କରିପାରନ୍ତି, ସୈନ୍ୟମାନେ ଯାହାଙ୍କର ନାମ ଶ୍ରବଣ ମାତ୍ରେ ମଳମୂତ୍ର ପରିତ୍ୟାଗ କରନ୍ତି, ସେହି ବୃକୋଦର କ୍ଷୁଧା, ତୃଷ୍ଣା ଓ ପଥଶ୍ରମରେ କୃଶ ହୋଇଅଛନ୍ତି । ଆମ୍ଭର ନିଶ୍ଚୟ ବୋଧ ହେଉଅଛି ଯେ ଏହି ବଳବାନ ପୁରୁଷ ନିଜର ବନବାସଜନିତ ଦାରୁଣ କ୍ଳେଶକୁ ସ୍ମରଣ କରି ନାନା ଅସ୍ତ୍ର ଓ ଶସ୍ତ୍ର ହସ୍ତରେ ଗ୍ରହଣ କରି ଋଣଭୂମିରେ ପ୍ରବୃତ୍ତ ହୋଇ ସେମାନଙ୍କର କିଛିମାତ୍ର ଅବଶେଷ ରଖିବେ ନାହିଁ ।୧୫। ଭୂମଣ୍ଡଳରେ ବଳବୀର୍ଯ୍ୟରେ ଏହାଙ୍କ ସମାନ ଆଉ କେହି ନାହିଁ । ଏହି ଶୀତ, ବାତ ଓ ଆତପ ସହ୍ୟ କରି ଏ ଯେତେବେଳେ କର୍ଷିତାଙ୍ଗ ହେଉଅଛନ୍ତି, ତେତେବେଳେ ଯୁଦ୍ଧ ସ୍ଥଳରେ ସେ କଅଣ ଶତ୍ରୁମାନଙ୍କର ଅବଶେଷ ରଖିବେ ? ୧୬। ଅହହ ! ଯେଉଁ ବୃକୋଦର ଏକାକୀ ରଥାରୋହଣ କରି ପ୍ରାଚୀଦିଗର ସମସ୍ତ ନରପତିମାନଙ୍କୁ ଓ ତାହାଙ୍କର ଅନୁଚରବର୍ଗଙ୍କୁ ପରାଭୂତ କରି ଅକ୍ଷୁଣ୍ଣ ଭାବରେ ପ୍ରତ୍ୟାଗମନ କରିଥିଲେ, ସେ ବର୍ତ୍ତମାନ ବନ ମଧ୍ୟରେ ଚୀରଖଣ୍ଡ ପିନ୍ଧି କ୍ଳେଶ ପାଉଅଛନ୍ତି ।୧୭।

 

ହାୟ ! ଯେ ସିନ୍ଧୁକୂଳରେ ସମାଗତ ଦାକ୍ଷିଣାତ୍ୟ ନରପତିମାନଙ୍କୁ ଜୟ କରିଥିଲେ, ସେହି ସହଦେବଙ୍କୁ ଦେଖ; ସେ ତପସ୍ୱୀ ବେଶଧରି ବନରେ ବାସ କରୁଅଛନ୍ତି ।୧୮। ଯେଉଁ ନକୁଳ ସମରମତ୍ତ ହୋଇ ପଶ୍ଚିମଦେଶୀୟ ନରପତିମାନଙ୍କୁ ଏକ ରଥରେ ଜୟ କରିଥିଲେ, ସେହି ନକୁଳ ବନ ମଧ୍ୟରେ ବର୍ତ୍ତମାନ ଫଳମୂଳାହାରୀ ଓ ଜଟାଧାରୀ ହୋଇ ମଳିନାଙ୍ଗରେ ଭ୍ରମଣ କରୁଅଛନ୍ତି ।୧୯। ଯେଉଁ ଯାଜ୍ଞସେନୀ ସାତିଶୟ ସମୃଦ୍ଧ ଯଜ୍ଞରେ ବେଦୀ ମଧ୍ୟରୁ ଉତ୍‌ଥିତ ହୋଇଥିଲେ, ଏତାଦୃଶ କଷ୍ଟ ପାଇବାର ଅନୁପଯୁକ୍ତା । ଅତିରଥ ଦ୍ରୂପଦ ରାଜାଙ୍କର ସେହି ସତୀ ଦୁହିତା ବନବାସ ଦୁଃଖ ଭୋଗ କରୁଅଛନ୍ତି । ଧର୍ମାର୍ଥ କାମର ଉପଯୁକ୍ତ ଓ ସମୀର, ଇନ୍ଦ୍ର ଏବଂ ଅଶ୍ୱିନୀକୁମାରଦ୍ୱୟଙ୍କର ସୁତମାନେ ବନରେ ଭ୍ରମଣ କରି ଏତାଦୃଶ ଦୁଃଖ ପାଇବା ପାଇଁ ଯୋଗ୍ୟ ଅଟନ୍ତି କି ? ୨୧। ଭାର୍ଯ୍ୟାଙ୍କ ସହିତ ଧର୍ମରାଜ ପରାସ୍ତ ହୁଅନ୍ତେ ଓ ତାହାଙ୍କର ଅନୁଜ, ଅନୁଚରମାନେ ଅପସାରିତ ହୁଅନ୍ତେ, ଦୁର୍ଯ୍ୟୋଧନ ଯେ ସମୃଦ୍ଧିଶୀଳ ହୋଇ ରାଜ୍ୟ ଶାସନ କରୁଅଛି, ପୃଥିବୀ ଏହା କିପରି ସହ୍ୟ କରୁଅଛି ? ପର୍ବତ ସହ ଏହି ଧରା କଅଣ ପାତାଳଗାମୀ ହେଉ ନାହିଁ ? ୨୨।

 

॥ ଅଧ୍ୟାୟ – ୧୨୦ ॥

 

ସାତ୍ୟକି ବୋଇଲେ–ହେ ରାମ ! ବର୍ତ୍ତମାନ ଶୋଚନା କରିବାର ସମୟ ନୁହେଁ । ଯୁଧିଷ୍ଠିର କିଛି କହୁ ନାହାନ୍ତି ସତ୍ୟ, ତଥାପି ଆମ୍ଭର କର୍ତ୍ତବ୍ୟ ଯେ ଏହି ସମୟରେ ଯେଉଁ କାର୍ଯ୍ୟ କରିବା ଉଚିତ ସେହି କାର୍ଯ୍ୟ କରିବା ।୧। ଶିବି ପ୍ରଭୃତି ରାଜାମାନେ ଯେପରି ଯଯାତିଙ୍କର ସବୁ କାର୍ଯ୍ୟ କରୁଥିଲେ ସେହିପରି ଏହି ଜଗତରେ ଯେଉଁମାନେ ସହାୟକ ଥାଆନ୍ତି, ସେହି ସହାୟକମାନେ ସବୁ କର୍ମ କରନ୍ତି । ସେମାନେ ସ୍ୱୟଂ କିଛି କରନ୍ତି ନାହିଁ । ଯାହାଙ୍କର ସହାୟକମାନେ ଜନମତାନୁସାରେ ଓ ନିଜ ମତାନୁସାରେ କାର୍ଯ୍ୟ କରନ୍ତି, ସେହି ସହାୟବନ୍ତ ବୀରପୁରୁଷମାନେ କଦାପି ଅନାଥପ୍ରାୟ କଷ୍ଟ ଭୋଗ କରନ୍ତି ନାହିଁ ।୩। ଆମ୍ଭେ ରାମ, ଜନାର୍ଦ୍ଦନ, ପ୍ରଦ୍ୟୁମ୍ନ ଓ ଶାମ୍ବ ସମସ୍ତେ ଅଛୁଁ । ଆମ୍ଭେମାନେ ଇଚ୍ଛାକଲେ ତ୍ରିଲୋକରେ ଆଧିପତ୍ୟ କରିପାରୁଁ । ଅତଏବ ଆମ୍ଭମାନଙ୍କୁ ପାଇ ସୁଦ୍ଧା ଯୁଧିଷ୍ଠିର ଓ ତାହାଙ୍କର ଅନୁଜମାନେ କି କାରଣରୁ ଅରଣ୍ୟରେ ଏତାଦୃଶ କଷ୍ଟ ଭୋଗ କରିବେ ? ୪। ଦାଶାର୍ହ ସେନାମାନେ ଅଦ୍ୟ ବିଚିତ୍ର ବର୍ମ ଧାରଣ କରି ଓ ନାନାପ୍ରକାର ଆୟୁଧ ସଂଗ୍ରହ କରି ଯୁଦ୍ଧାର୍ଥ ନିର୍ଗତ ହେଉନ୍ତୁ । ସବାନ୍ଧବ ଧୃତରାଷ୍ଟ୍ର ପୁତ୍ରମାନେ ବୃଷ୍ଣିସେନାଙ୍କଦ୍ୱାରା ପରାଭୂତ ହୋଇ ଯମାଳୟକୁ ପ୍ରେରିତ ହେଉନ୍ତୁ ।୫।

 

ହେ ରାମ ! ଶାଙ୍ର୍ଗଧନ୍ୱା କୃଷ୍ଣ ତେଣିକି ଥାଆନ୍ତୁ । ଆପଣ ଏକାକୀ ଯଦି କୁପିତ ହୁଅନ୍ତି ତେବେ ଏହି ପୃଥିବୀକୁ ପରିବେଷ୍ଟନ କରିପାରନ୍ତି । ଅତଏବ ଯେଉଁ ପ୍ରକାରେ ଦେବରାଜ ମହେନ୍ଦ୍ର ବୃତ୍ତ୍ରାସୁରକୁ ନିହତ କରିଥିଲେ, ସେହିପରି ଆପଣ ମଧ୍ୟ ସୈନ୍ୟସାମନ୍ତ ସହ ଦୁର୍ଯ୍ୟୋଧନକୁ ସଂହାର କରନ୍ତୁ ! ହେ ରାମ ! ମନୁଷ୍ୟମାନେ ଉତ୍ତମ କର୍ମସାଧନ ନିମିତ୍ତ ସତ୍‌ପୁତ୍ର ଇଚ୍ଛା କରନ୍ତି । ତଦ୍ରୂପ ଗୁରୁମାନେ ମଧ୍ୟ ଅପ୍ରତିକୁଳବାଦୀ ସଚ୍ଛିଷ୍ୟ ଇଚ୍ଛା କରନ୍ତି । ଜନାର୍ଦ୍ଦନ ଆମ୍ଭର ଭ୍ରାତା, ସଖା ଓ ଗୁରୁ । ଅର୍ଜୁନ ତାହାଙ୍କର ପ୍ରାଣପ୍ରାୟ ପ୍ରିୟ । ତାହାଙ୍କୁ ବର୍ତ୍ତମାନ ଆହ୍ୱାନ କରିବାର ପ୍ରୟୋଜନ ନାହିଁ । ସେ ତପସ୍ୟାରେ ଅନୁଷ୍ଠାନ କରୁଅଛନ୍ତି ଓ କରନ୍ତୁ । ଶତ୍ରୁବିନାଶ ନିମିତ୍ତ ସମସ୍ତେ ଗୁରୁତର ଓ ଦୁରୂହ କର୍ମରେ ପ୍ରବୃତ୍ତ ହୁଅନ୍ତି । ସର୍ପବିଷ ଓ ଅଗ୍ନି ସମାନ ନିଶିତ ଶସ୍ତ୍ର ପ୍ରୟୋଗ କରି ଶତ୍ରୁପକ୍ଷର ଶରବର୍ଷଣକୁ ନିରାକରଣ କରି ଆମ୍ଭେ ସେମାନଙ୍କର ଶିରଶ୍ଛେଦନ କରିବୁ । ତଦନନ୍ତର ଶାଣିତ ଖଡ଼୍‌ଗାଘାତଦ୍ୱାରା ଦୁର୍ଯ୍ୟୋଧନ ଓ ତାହାଙ୍କର ଅନୁଚରବର୍ଗ ପ୍ରଭୃତି ସମସ୍ତ କୌରବକୁଳକୁ ନିର୍ମୂଳ କରିବୁ । ଯୁଦ୍ଧକ୍ଷେତ୍ରରେ ବଳପୂର୍ବକ ସେମାନଙ୍କର ବାହୁ ଛେଦନ କରିବୁ ।

 

ହେ ରୋହିଣେୟ ! ଯେଉଁମାନେ ଯୁଦ୍ଧରେ ଭୟାନକ କାର୍ଯ୍ୟ କରନ୍ତି ଓ ଯୁଦ୍ଧକ୍ଷେତ୍ରରେ ଯେଉଁମାନଙ୍କର ହର୍ଷ ଜାତ ହୁଏ, ସେମାନେ ଆମ୍ଭଙ୍କୁ ଦେଖନ୍ତୁ । ଆମ୍ଭେ ଅସ୍ତ୍ରଧାରୀ ହୋଇ କିପରି ଶତ୍ରୁମାନଙ୍କୁ ବିନାଶ କରିବୁ ।୧୦। ଅନ୍ତଃକାଳରେ ପ୍ରଳୟାନଳ ଯେପରି ସଂସାରକୁ ଭସ୍ମସାତ୍ କରେ, କୌରବ ଯୋଦ୍ଧାମାନଙ୍କୁ ଆମ୍ଭେ ତଦ୍ରୂପ ଭସ୍ମ କରିବୁଁ । ମହାବୀରମାନେ ତତ୍କାଳରେ ଆମ୍ଭଙ୍କୁ ଦର୍ଶନ କରି ହୁଷ୍ଟ ହେଉଥିବେ ଓ ସେମାନଙ୍କର କଳେବର ସାତ୍ତ୍ୱିକ ଭାବରେ ଲୋମାଞ୍ଚିତ ହେଉଥିବ-। କୃପ, ଦ୍ରୋଣ, କର୍ଣ୍ଣ ଓ ବିକର୍ଣ୍ଣ ଏମାନେ କଦାପି ପ୍ରଦ୍ୟୁମ୍ନଙ୍କର ନିକ୍ଷିପ୍ତ ନିଶିତ ଶରବର୍ଷଣକୁ ସହ୍ୟ କରିପାରିବେ ନାହିଁ । ଅର୍ଜୁନଙ୍କର ପୁତ୍ର ଅଭିମନ୍ୟୁଙ୍କର ଓ ପ୍ରଦ୍ୟୁମ୍ନଙ୍କର ବଳବୀର୍ଯ୍ୟ ଓ ପରାକ୍ରମକୁ ଉତ୍ତମ ରୂପେ ଜାଣୁ । କୃଷ୍ଣଙ୍କ ପୁତ୍ର ଶାମ୍ବ ରଣରେ ପ୍ରବୃତ୍ତ ହୋଇ ଯେପରି କାର୍ଯ୍ୟ କରନ୍ତି, ତାହା ମଧ୍ୟ ଆମ୍ଭଙ୍କୁ ବିଦିତ ଅଛି । ଦୁଃଶାସନକୁ, ତାହାର ସାରଥିକୁ ଓ ରଥକୁ ଶାମ୍ବ ବଳପୂର୍ବକ ବାହୁଦ୍ୱାରା ନିଗ୍ରହ କରିପାରିବେ ।୧୨। ଜାମ୍ବବତୀଙ୍କର ରଣମତ୍ତ ସୁତଙ୍କର ଯୁଦ୍ଧକ୍ଷେତ୍ରରେ କିଛି ମାତ୍ର ଅସହ୍ୟ ନାହିଁ । ଶମ୍ବର ଦୈତ୍ୟର ଅସଂଖ୍ୟ ସେନାକୁ ସେହି ବାଳକଟି ସହସା ବିନଷ୍ଟ କରିଥିଲା-।୧୩। ଶାମ୍ବଙ୍କର ଉରୁବୃତ୍ତ ବାହୁଦ୍ୱୟ ଦୀର୍ଘ ଓ ପୃଥୁଳ । ଯୁଦ୍ଧରେ ସେ ଅଶ୍ୱଚକ୍ରକୁ ବିନାଶ କରିଥିଲେ-। ସମର ଭୂମିରେ ଏହି ମହାରଥୀଙ୍କର ରଥ ସମକ୍ଷରେ ଆଉ କିଏ ରଥ ଘେନି ଉଦିତ ହୋଇପାରେ-?୧୪।

 

ପରମାୟୁ ଶେଷରେ ମନୁଷ୍ୟ ଯେପରି ଯମାଳୟରେ ପ୍ରବେଶ କଲେ ଆଉ ସେଠାରୁ ନିର୍ଗତ ହୋଇନପାରେ, ତଦ୍ରୂପ ରଣଭୂମିରେ ଏହାଙ୍କର ଥରେ କରଗତ ହେଲେ କିଏ ପୁଣି ଜୀବିତ ଥାଇ ନିଷ୍କ୍ରାନ୍ତ ହୋଇପାରେ ? ଭୀଷ୍ମ, ଦ୍ରୋଣ, ସପୁତ୍ର ସୋମଦତ୍ତ ଓ ଅନ୍ୟାନ୍ୟ ସମସ୍ତ ସୈନ୍ୟ କୃଷ୍ଣଙ୍କ ଶରାଗ୍ନିଦ୍ୱାରା ଭସ୍ମୀଭୂତ ହେବେ ।୧୬। ଅପ୍ରତିଦ୍ୱନ୍ଦ୍ୱୀ କୃଷ୍ଣ ଚକ୍ର ଘେନି ସମରକ୍ଷେତ୍ରରେ ଅବସ୍ଥିତ ହେଲେ ଦେବ ଓ ଉପଦେବଗଣ ପ୍ରଭୃତିଙ୍କ ମଧ୍ୟରେ ତ୍ରିଲୋକରେ ଏପରି କି ଦ୍ରବ୍ୟ ଅଛି, ଯାହାକି ସେ କୃଷ୍ଣ ସହି ନ ପାରିବେ ? ୧୭। ଅନିରୁଦ୍ଧ ଯେବେ ଅସ୍ଥିଚର୍ମ ଘେନି ରଣରେ ଉପସ୍ଥିତ ହେବେ, ତେବେ ସେ ଧୃତରାଷ୍ଟ୍ରପୁତ୍ରମାନଙ୍କୁ ହତଚେତନ କରିପାରିବେ ଓ ଯଜ୍ଞ ଶେଷରେ ବେଦୀ ଉପରେ ସାନୁଚର ଧୃତରାଷ୍ଟ୍ର ପୁତ୍ରଙ୍କର ଛିନ୍ନ ମସ୍ତକ ସବୁ ବିକୀର୍ଣ୍ଣ କରିବେ । ଗଦ, ଉଲ୍ଲୁକ, ବାହୁକ, ଭାନୁନାଥ, କୁମାର ନିଷଠ, ରଣୋତ୍କଟ ସାରଣ ଓ ଚାରୁଦେଷ୍ଣ, ଏମାନେ ଅବଶ୍ୟ କୁଳୋଚିତ ସୁଖ୍ୟାତି ରକ୍ଷା କରିବେ । ଭୋଜ, ବୃଷ୍ଣି ଓ ଅନ୍ଧକ ବଂଶଜାତ ପ୍ରଧାନ ପ୍ରଧାନ ଯୋଦ୍ଧାମାନେ ଧୃତରାଷ୍ଟ୍ର ପୁତ୍ରମାନଙ୍କୁ ଯୁଦ୍ଧରେ ବିନାଶ କରି ବିଶାଳ ଯଶକୁ ଉପାର୍ଜନ କରିବେ; ଏଥିରେ ସଂଶୟ ନାହିଁ ।୨୦। କୁରୁସତ୍ତମ ଧାର୍ମିକପ୍ରବର ଯୁଧିଷ୍ଠିର ଦ୍ୟୂତକ୍ରୀଡ଼ାରେ ଯାହା ଅଙ୍ଗୀକାର କରିଅଛନ୍ତି, ତାହା ସେ ପ୍ରତିପାଳନ କରି ନ ସାରିବା ପର୍ଯ୍ୟନ୍ତ ଅଭିମନ୍ୟୁ ରାଜ୍ୟ ଶାସନ କରନ୍ତୁ ।୨୧। ଆମ୍ଭମାନଙ୍କ ଅସ୍ତ୍ର ପ୍ରୟୋଗଦ୍ୱାରା ପୃଥିବୀରୁ ଧୃତରାଷ୍ଟ୍ରପୁତ୍ରମାନେ ବିନଷ୍ଟ ହେଉନ୍ତୁ ଓ କର୍ଣ୍ଣ ମଧ୍ୟ ନିହତ ହେଉ । ଧର୍ମରାଜ ଯେତେବେଳେ ରାଜ୍ୟ ଶାସନ କରିବେ, ତେତେବେଳେ ପୃଥିବୀ ଶତ୍ରୁଶୂନ୍ୟା ହୋଇଥିବ ଓ ସେ ନିର୍ବିରୋଧରେ ଧରଣୀପତି ହେବେ । ସମ୍ପ୍ରତି ଏହି କାର୍ଯ୍ୟ ଆମ୍ଭମାନଙ୍କ ପକ୍ଷରେ ଯଶସ୍କର ଅଟେ ।୨୨। କୃଷ୍ଣ କହିଲେ, ହେ ମଧୁବଂଶର ଆନନ୍ଦବର୍ଦ୍ଧନ ! ହେ ମହାସତ୍ୱ ! ତୁମ୍ଭେ ଯାହା କହିଲ, ତାହାସବୁ ସତ୍ୟ, ଏଥିରେ ସଂଶୟ ନାହିଁ ।

 

ତୁମ୍ଭର ଏହି ଉପଦେଶ ଆମ୍ଭମାନଙ୍କର ଗ୍ରହଣୀୟ ଅଟେ । କିନ୍ତୁ ଯେଉଁ ଭୂମିକୁ କୁରୁକୁଳପ୍ରଧାନ ଯୁଧିଷ୍ଠିର ସ୍ୱୟଂ ଉପାର୍ଜନ ନ କରିବେ, ତାହାକୁ ସେ ଶାସନ କରିବାକୁ ଇଚ୍ଛା କରନ୍ତି ନାହିଁ ।୨୩। ଯୁଧିଷ୍ଠିର, ଅତିରଥ ଭୀମାର୍ଜୁନ ଓ ଯମଜ ନକୁଳ ସହଦେବ ଅଥବା ଦ୍ରୁପଦ ରାଜନନ୍ଦିନୀ କୃଷ୍ଣା-ଏମାନେ କାମ, ଲୋଭ ଓ ଭୟର ବଶବର୍ତ୍ତୀ ହୋଇ କଦାପି ସ୍ୱଧର୍ମ ତ୍ୟାଗ କରିବେ ନାହିଁ ।୨୪। ଯାହାଙ୍କର ଭ୍ରାତା ବୃକୋଦର ଓ ଧନଞ୍ଜୟ, ଯାହାଙ୍କ ସଦୃଶ ପ୍ରତିଯୋଦ୍ଧା ପୃଥିବୀରେ କେହି ନାହିଁ, ମାଦ୍ରୀସୁତ ନକୁଳ ଓ ସହଦେବ ଯାହାଙ୍କର ଅଗ୍ରଗାମୀ ସେ କି ହେତୁରୁ ସମଗ୍ର ବସୁନ୍ଧରାକୁ ଶାସନ କରିବାକୁ ସମର୍ଥ ନ ହେବେ ? ୨୫। ମହାତ୍ମା ପଞ୍ଚାଳ ଦେଶାଧିପତି, କେକୟରାଜ, ଚେଦିରାଜ ଓ ଆମ୍ଭେମାନେ ସମସ୍ତେ ସମବେତ ହୋଇ ଯେତେବେଳେ ସମରକ୍ଷେତ୍ରରେ ସ୍ୱ ସ୍ୱ ବିକ୍ରମ ପ୍ରକାଶ କରି ଯୁଦ୍ଧ କରିବୁ, ତେତେବେଳେ ଶତ୍ରୁପକ୍ଷର ଆଉ କେହି ଜୀବିତ ରହିପାରିବେ ନାହିଁ ।୨୬।

 

ଯୁଧିଷ୍ଠିର କହିଲେ, ହେ ମଧୁବଂଶନନ୍ଦନ ! ସାତ୍ୟକିନ୍‌ ! ତୁମ୍ଭେ ଯାହା କହିଲ; ତାହା ତୁମ୍ଭମାନଙ୍କ ପକ୍ଷରେ ଆଶ୍ଚର୍ଯ୍ୟ ନୁହେଁ; କିନ୍ତୁ ଆମ୍ଭ ନିକଟରେ ସତ୍ୟ ଯେପରି ରକ୍ଷଣୀୟ, ରାଜ୍ୟ ତାଦୃଶ ନୁହେଁ । କୃଷ୍ଣ ମୋତେ ଯଥାର୍ଥରୂପେ ଜାଣନ୍ତି ଓ ମୁଁ କୃଷ୍ଣଙ୍କୁ ପ୍ରକୃତରୂପେ ଅବଗତ ଅଛି ।୨୭। ହେ ଶିନିପ୍ରବୀର ! ଏହି ପୁରୁଷପ୍ରବୀର କୃଷ୍ଣ ଯେତେବେଳେ ବିକ୍ରମ ପ୍ରକାଶର ଉପଯୁକ୍ତ ସମୟ ହେଲା ବୋଲି ବିବେଚନା କରିବେ, ତେତେବେଳେ ତୁମ୍ଭେ ଓ କୃଷ୍ଣ ସୁଯୋଧନକୁ ଜୟ କରିବ ।୨୮। ହେ ଦଶାର୍ହ ବୀରବୃନ୍ଦ ! ଆପଣମାନଙ୍କର ସଦ୍‌ଗୁଣାବଳୀର ଉପମା ଦେଇ ହେବ ନାହିଁ । ଆପଣମାନେ ନରଲୋକର ନାଥ । ବିଶେଷରେ ଆମ୍ଭର ନାଥ; ଅତଏବ ଅଦ୍ୟ ଆପଣମାନେ ପ୍ରତ୍ୟାଗମନ କରନ୍ତୁ । ଧର୍ମ ବିଷୟରେ ଆପଣମାନଙ୍କର ଯେପରି ଅନବଧାନତା ନ ଥାଏ । ଅଦ୍ୟ ଯେପରି ଆପଣମାନଙ୍କ ସହିତ ସାକ୍ଷାତ୍ କରି ଆମ୍ଭେ ସୁଖୀ ହେଲୁଁ, ପୁନର୍ବାର ଆପଣମାନଙ୍କୁ ସମବେତ ହେବାର ଦେଖି ସୁଖୀ ହେବୁ ।୨୯।

 

ଏଥିଉତ୍ତାରୁ ଯଦୁବୀରମାନେ ଓ ପାଣ୍ଡବମାନେ ପରସ୍ପରଠାରୁ ବିଦାୟ ନେଲେ । ବୃଦ୍ଧମାନେ ଅଭିବନ୍ଦିତ ଓ ଶିଶୁମାନେ ଆଲିଙ୍ଗିତ ହେଲେ । ଯଦୁବୀରମାନେ ସ୍ୱ ସ୍ୱ ଗୃହକୁ ଗମନ କଲେ ଓ ପାଣ୍ଡବମାନେ ତୀର୍ଥାନ୍ତରକୁ ଗମନ କଲେ ।୩୦। ଶ୍ରୀକୃଷ୍ଣ ଗମନ କରନ୍ତେ ଭ୍ରାତା, ଭୃତ୍ୟ ଓ ଲୋମଶ ଋଷିଙ୍କ ସମଭିବ୍ୟାହାରରେ ଧର୍ମରାଜ ବିଦର୍ଭ ରାଜାଙ୍କ ପରିବର୍ଦ୍ଧିତ ସୁତୀର୍ଥ ପୁଣ୍ୟସରିତ ପୟୋଷ୍ଣୀକୁ ଗମନ କଲେ ।୩୧। ଏଥି ଉତ୍ତାରୁ ମହାତ୍ମା ଧର୍ମନନ୍ଦନ ପୟୋଷ୍ଣୀ ନଦୀକୂଳରେ ହୃଷ୍ଟ ଚିତ୍ତରେ ବାସ କଲେ । ସେଠାରେ ବ୍ରାହ୍ମଣମୁଖ୍ୟମାନେ ତାହାଙ୍କର ବିଶେଷ ସ୍ତୁତି କଲେ । ଯଜ୍ଞ ପରେ ସୋମରସ ପାନ କଲାପ୍ରାୟ ତାହାର ଜଳ ପାନ କଲେ ।

 

॥ ଅଧ୍ୟାୟ – ୧୨୧ ॥

 

ଲୋମଶ ବୋଇଲେ–ହେ ରାଜନ୍‌ ! ଶୁଣାଅଛି ଯେ ଏହି ସ୍ଥାନରେ ନୃଗ ନରପତି ଯଜ୍ଞ କରି ପୁରନ୍ଦରଙ୍କର ବିଶେଷ ତୃପ୍ତି ସାଧିଥିଲେ । ପୁରନ୍ଦର ତୃପ୍ତ ହୋଇ ଆନନ୍ଦିତ ହୋଇଥିଲେ ।୧। ଇନ୍ଦ୍ରଙ୍କ ସହିତ ଦେବତାମାନେ ଓ ପ୍ରଜାପତିବର୍ଗ ଏହି ସ୍ଥାନରେ ଭୂରିଦକ୍ଷିଣ ବହୁବିଧ ଯଜ୍ଞ କରିଥିଲେ-। ଅମୂର୍ତ୍ତରୟଙ୍କର ପୁତ୍ର ଗୟରାଜା ସପ୍ତ ଅଶ୍ୱମେଧ ଯଜ୍ଞ କରି ସୋମରସଦ୍ୱାରା ଇନ୍ଦ୍ରଙ୍କର ତୃପ୍ତି ସାଧନ କରିଥିଲେ । ଯଜ୍ଞକାର୍ଯ୍ୟରେ ଯେଉଁସବୁ ଦ୍ରବ୍ୟ ନିୟତ ମୃତ୍ତିକା ଓ କାଷ୍ଠରେ ନିର୍ମିତ ହୋଇଥାଏ, ଗୟରାଜାଙ୍କର ସେହି ସପ୍ତଯଜ୍ଞରେ ସେହିସବୁ ଦ୍ରବ୍ୟ ସୁବର୍ଣ୍ଣରେ ନିର୍ମିତ ହୋଇଥିଲା-। ଚଷାଳ, ଯୂପ, ଚମସ ସ୍ଥାଳୀ, ପାତ୍ରୀ, ସ୍ରୁଚ ଓ ସ୍ରୁବ ଏହି ସାତଗୋଟି ପ୍ରୟୋଗ ତାହାଙ୍କର ସପ୍ତ ଯଜ୍ଞରେ ବିଖ୍ୟାତ ହୋଇଥିଲା ।୫। ତାହାଙ୍କର ସେହି ସବୁ ଯଜ୍ଞରେ ଗୋଟିଏ ଗୋଟିଏ ଯୂପ ଉପରେ ସାତ ଗୋଟି ଲେଖାଏଁ ଚଷାଳ ଥିଲା । ହେ ଯୁଧିଷ୍ଠିର ! ତାହାଙ୍କର ସେହିସବୁ ଯଜ୍ଞରେ ଉଜ୍ଜ୍ୱଳ ସୁବର୍ଣ୍ଣମୟ ଯୂପମାନଙ୍କୁ ଇନ୍ଦ୍ରାଦି ଦେବତାମାନେ ସ୍ୱୟଂ ଉତ୍‌ଥାପିତ କରିଥିଲେ । ପୃଥିବୀପତି ଗୟଙ୍କର ସେହିସବୁ ଯଜ୍ଞରେ ଇନ୍ଦ୍ର ପ୍ରଚୁର ସୋମରସ ପାନ କରି ଓ ବ୍ରାହ୍ମଣମାନେ ବିଶେଷ ଦକ୍ଷିଣା ଗ୍ରହଣ କରି ମତ୍ତପ୍ରାୟ ହୋଇଥିଲେ । ଯେଉଁ ପରିମାପକ ପାତ୍ରଦ୍ୱାରା ଅନେକ ସୁବର୍ଣ୍ଣ ମୁଦ୍ରା ଏକାବେଳେକେ ପରିମିତ ହୁଏ, ତାଦୃଶ ଅସଂଖ୍ୟ ପାତ୍ର ପରିମିତ ସୁବର୍ଣ୍ଣ ଦକ୍ଷିଣାକୁ ବ୍ରାହ୍ମଣମାନେ ପ୍ରତିଗ୍ରହ କରିଥିଲେ ।୮।

 

ହେ ମହାରାଜ ! ଯେ ପ୍ରକାର ପୃଥିବୀସ୍ଥିତ ବାଲୁକା ଗଣି ନ ହୁଏ ଓ ଆକାଶସ୍ଥିତ ତାରକା ଏବଂ ବୃଷ୍ଟିର ବାରିଧାରା ସଂଖ୍ୟାତ ନ ହୁଏ, ତଦ୍ରୂପ ଗୟ ରାଜା ସେହି ସାତ ଗୋଟି ଯଜ୍ଞରେ ଯେତେ ଧନ ଦାନ କରିଥିଲେ, ତାହାର ମଧ୍ୟ ସଂଖ୍ୟା ହୋଇନପାରେ । କଦାଚିତ୍ ହେଲେ ଅବା ବାଲି ଗଣି ହେବ କି ତାରାମାନେ ଗଣି ହେବେ କି ବୃଷ୍ଟି ଧାରାସବୁ ଗଣି ହେବ; କିନ୍ତୁ ଗୟଙ୍କ ପ୍ରଦତ୍ତ ଧନ କଦାପି ଗଣି ହେବ ନାହିଁ ।୧୧। ଯେଉଁସବୁ ବ୍ରାହ୍ମଣମାନେ ଦିଗଭାଗରୁ ଆଗମନ କରିଥିଲେ, ବିଶ୍ୱକର୍ମା ନିର୍ମାଣ କରିଥିବା ହିରଣ୍ମୟ ଗାଭୀସବୁ ତାହା ସେମାନଙ୍କୁ ଦିଆଯାଇ ସନ୍ତୁଷ୍ଟ କରା ହୋଇଥିଲା ।୧୨।

 

ହେ ରାଜନ୍‌ ! ସେହି ମହାତ୍ମା ଗୟ ଏତେ ସ୍ଥାନରେ ଯଜ୍ଞ କରିଥିଲେ ଯେ ପୃଥିବୀରେ ଯଜ୍ଞ ନୋହିଥିବା ସ୍ଥାନ ଅତି ଅଳ୍ପ ଅବଶିଷ୍ଟ ଥିଲା । ହେ ଭାରତ ! ସେହି କର୍ମ ଫଳରୁ ଗୟ ଇନ୍ଦ୍ରଲୋକକୁ ଗମନ କରିଥିଲେ । ଯେଉଁ ବ୍ୟକ୍ତି ଏହି ପୟୋଷ୍ଣୀରେ ସ୍ନାନ କରେ, ସେହି ବ୍ୟକ୍ତି ମଧ୍ୟ ଗୟ ଯେଉଁ ଲୋକକୁ ଗମନ କରିଥିଲେ, ସେହି ଲୋକକୁ ଗମନ କରେ ।୧୪। ଅତଏବ, ହେ ରାଜେନ୍ଦ୍ର ! ଆପଣଙ୍କ ଭ୍ରାତାମାନଙ୍କ ସହିତ ଏହି ପୟୋଷ୍ଣୀରେ ସ୍ନାନ କରି ନିଷ୍ପାପ ହେଉନ୍ତୁ ।୧୫। ବୈଶମ୍ପାୟନ ବୋଇଲେ, ହେ ବିଶୁଦ୍ଧମନା ! ନରଶ୍ରେଷ୍ଠ ତପସ୍ୱୀ ଯୁଧିଷ୍ଠିର ଭ୍ରାତାମାନଙ୍କୁ ସଙ୍ଗରେ ଘେନି ପୟୋଷ୍ଣୀ ଜଳରେ ଅବଗାହନ କରି ବୈଦୂର୍ଯ୍ୟ ପର୍ବତ ଓ ମହାନଦୀ ନର୍ମଦାକୁ ଆଗମନ କଲେ । ସେଠାରେ ଭଗବାନ ଲୋମଶ ଋଷି ସେହି ତୀର୍ଥର ମହାତ୍ମ୍ୟ ବର୍ଣ୍ଣନ କଲେ । ତାହା ଶୁଣି ଯୁଧିଷ୍ଠିର ଭ୍ରାତାମାନଙ୍କ ସହିତ ସେହି ରମଣୀୟ ତୀର୍ଥରେ ଓ ପୁଣ୍ୟାୟତନ ସମୂହରେ ପ୍ରୀତିପୂର୍ବକ ଗମନ କରି ସେହି ସ୍ଥାନରେ ବ୍ରାହ୍ମଣମାନଙ୍କୁ ସହସ୍ର ସହସ୍ର ବିତ୍ତ ପ୍ରଦାନ କଲେ ।୧୮।

 

ଅନନ୍ତର ଲୋମଶ ଋଷି କହିଲେ, ହେ କୁନ୍ତୀନନ୍ଦନ ! ମନୁଷ୍ୟ ଯେବେ ବୈଦୂର୍ଯ୍ୟ ପର୍ବତକୁ ଗମନ କରେ ଓ ତାହାକୁ ଦର୍ଶନ କରେ ଏବଂ ଏହି ନଦୀରେ ଅବତରଣ କରେ, ତେବେ ଦେବତାମାନେ ଓ ପ୍ରଧାନ ପ୍ରଧାନ ରାଜାମାନେ ଯେଉଁ ଲୋକକୁ ଗମନ କରନ୍ତି, ସେହି ଲୋକକୁ ଏହି ମନୁଷ୍ୟମାନେ ଗମନ କରନ୍ତି ।୧୯। ହେ ନରନାଥ ! ଏହି ପ୍ରଦେଶ ତ୍ରେତା ଓ ଦ୍ୱାପରର ସନ୍ଧିସ୍ଥଳ; ଅର୍ଥାତ୍ ଯେଉଁ ମାନବ ଆସି ଏଠାରେ ସ୍ନାନ କରେ, ତାହାକୁ କଳି ସ୍ପର୍ଶ କରେ ନାହିଁ ।୨୦। ହେ ବତ୍ସ ! ଦେଖ ଶର୍ଯ୍ୟାତିରାଜା ଏହିଠାରେ ଯଜ୍ଞ କରିଥିଲେ । ଇନ୍ଦ୍ର ଆସି ଏଠାରେ ଅଶି୍ୱନୀକୁମାର ଦ୍ୱୟଙ୍କ ସହିତ ସୋମରସ ପାନ କରିଥିଲେ । ମହାତପା ଭୃଗୁନନ୍ଦନ ଚ୍ୟବନ କ୍ରୁଦ୍ଧ ହୋଇ ଇନ୍ଦ୍ରଙ୍କୁ ସ୍ପନ୍ଦରହିତ କରିଥିଲେ । ସେହି ଚ୍ୟବନ ଋଷି ଏଠାରେ ସୁକନ୍ୟା ନାମ୍ନୀ ରାଜସୁତାଙ୍କୁ ବିବାହ କରିଥିଲେ ।୨୭। ଯୁଧିଷ୍ଠିର ବୋଇଲେ, ହେ ଭଗବନ୍‌ ! ମହାତପସ୍ୱୀ ଭାର୍ଗବ କି କାରଣରୁ କ୍ରୋଧାପନ୍ନ ହୋଇଥିଲେ ଓ କି ନିମିତ୍ତ ସେ ଇନ୍ଦ୍ରଙ୍କୁ ସ୍ତମ୍ଭିତ କରିଥିଲେ ଅଥଚ କି ହେତୁରୁ ସେ ଅଶ୍ୱିନୀକୁମାର ଦ୍ୱୟଙ୍କୁ ସୋମରସ ପାନ କରାଇଥିଲେ, ଆପଣ ଅନୁଗ୍ରହ କରି ଏହିସବୁ ବୃତ୍ତାନ୍ତ ଯେପରି ହୋଇଥିଲା, ତଦ୍ରୂପ ଅବିକଳ ବର୍ଣ୍ଣନା କରିବା ହେଉନ୍ତୁ ।

 

॥ ଅଧ୍ୟାୟ – ୧୨୨ ॥

 

ଲୋମଶ ବୋଇଲେ, ହେ ଭାରତ ! ମହର୍ଷି ଭୃଗୃଙ୍କର ଚ୍ୟବନ ନାମରେ ଗୋଟିଏ ପୁତ୍ର ଥିଲେ । ମହାଦ୍ୟୁତି ଚ୍ୟବନ ଏହି ସରୋବର ପାର୍ଶ୍ୱରେ ବାସ କରୁଥିଲେ । ହେ ପାଣ୍ଡୁନନ୍ଦନଙ୍କ ନାଥ-! ସେହି ମହାତେଜସ୍ୱୀ ଚ୍ୟବନ ବହୁକାଳ ଏକ ସ୍ଥାନରେ ବୀରାସନରେ ସ୍ଥାଣୁପ୍ରାୟ ବସି ତପସ୍ୟା କରୁଥିଲେ । ଅନେକ ଦିନ ନିଶ୍ଚେଷ୍ଟ ହୋଇ ରହିବାରୁ ତାହାଙ୍କର ଶରୀର ବଲ୍ମୀକ ଓ ଲତାଦ୍ୱାରା ଆଚ୍ଛନ୍ନ ହୋଇଥିଲା । ପିପିଲିକାମାନେ ଦେହରେ ବାସ କରିଥିଲେ ।୩। ସେହି ବୁଦ୍ଧିମାନ ଋଷି ତାଦୃଶ ବଲ୍ମୀକାବୃତ୍ତ ହୋଇ ଗୋଟିଏ ମୃତ୍ତିକାର ପିଣ୍ଡସ୍ୱରୂପ ହୋଇ ଉଗ୍ରତର ତପସ୍ୟାରେ ମନୋନିବେଶ କଲେ ।୪। ଏକଦା ଶର୍ଯ୍ୟାତି ନାମରେ ରାଜା ସେହି ସରୋବରରେ ବିହାର କରିବା ନିମିତ୍ତ ଗମନ କରିଥିଲେ ।୫।

 

ହେ ଭାରତ ! ସେହି ରାଜାଙ୍କ ସଙ୍ଗରେ ତାହାଙ୍କର ଚାରିସହସ୍ର ପତ୍ନୀ ଗମନ କରିଥିଲେ ଓ ସୁନ୍ଦର ଭ୍ରୂଯୁକ୍ତା ଗୋଟିଏ ଦୁହିତା ମଧ୍ୟ ସଙ୍ଗରେ ଥିଲେ । ସେ ଦୁହିତାର ନାମ ସୁକନ୍ୟା ।୬। ସେହି ରାଜକନ୍ୟା ଦିବ୍ୟାଭରଣରେ ବିଭୂଷିତା ହୋଇ ଓ ସଖୀମଣ୍ଡଳୀରେ ପରିବୃତ୍ତା ହୋଇ ଭ୍ରମଣ କରୁଁ କରୁଁ ଯେଉଁଠାରେ ସେହି ଋଷି ବଲ୍ମୀକରେ ଆଚ୍ଛନ୍ନ ହୋଇଥିଲେ; ସେଠାରେ ଉପଗତ ହେଲେ-।୭। ସେ ସ୍ଥାନର ସୌନ୍ଦର୍ଯ୍ୟ ଦେଖି ବୃକ୍ଷରୁ ଫଳପୁଷ୍ପ ପ୍ରଭୃତି ଚୟନ କଲେ ।୮। ଏକେ ରାଜକନ୍ୟା, ତହିଁରେ ବୟସର ତରୁଣତା, ରୂପ ଓ ବିଭବର ଅହଙ୍କାର ଅଥଚ ମଦନାବେଶରେ ମତ୍ତାହୋଇ ଅନେକ ବନ୍ୟ ବୃକ୍ଷର ସୁପୁଷ୍ପିତ ଶାଖାମାନଙ୍କୁ ଭଗ୍ନ କଲେ ଓ ପତ୍ରପୁଷ୍ପ ସବୁ ନିୟୋଜନରେ ଅବଚୟନ କଲେ ।୯। ତନ୍ମଧ୍ୟରେ ତପସ୍ୱୀ ଚ୍ୟବନ ଋଷି ସେହି ରାଜସୁତାଙ୍କୁ ଦେଖିଲେ ଯେ ସେ ଖଣ୍ଡିଏ ବସନ ପିନ୍ଧି ଏକାକିନୀ ବୁଲୁଅଛନ୍ତି । ଅଳଙ୍କୃତା ହୋଇ ସୌଦାମିନୀ ପ୍ରାୟ ଇତସ୍ତତଃ ସଞ୍ଚରଣ କରୁଅଛନ୍ତି । ପରମତପସ୍ୱୀ ସେହି ବିପ୍ରର୍ଷି ତପସ୍ୟାରତ ହୋଇଥିଲେହେଁ ରାଜକନ୍ୟାଙ୍କୁ ସେ ନିର୍ଜନବନରେ ବିଲୋକନ କରି କ୍ରୀଡ଼ାଭିଳାଷୀ ହେଲେ । ପରନ୍ତୁ କ୍ଷୀଣକଣ୍ଠ ଥିବାରୁ ମୃଦୁ ସ୍ୱରରେ ସେହି କନ୍ୟାଙ୍କୁ ସମ୍ଭାଷିଲେ, କିଏ କିଏ କହୁଅଛି ଜାଣିନପାରି, ସେହି କନ୍ୟା ଦେଖିଲେ ଯେ ବଲ୍ମୀକ ମଧ୍ୟରେ ଦୁଇଗୋଟି ଉଜ୍ଜ୍ୱଳ ଜ୍ୟୋତିର୍ମୟ ଦ୍ରବ୍ୟ ଦିଶୁଅଛି । ସେ ଦିଓଟି ଯେ ଋଷିଙ୍କର ଚକ୍ଷୁ, ତାହା ସେ କନ୍ୟା ଜାଣିପାରିନଥିଲା । ପରନ୍ତୁ ବୁଦ୍ଧିଭ୍ରଂଶ ହେତୁରୁ କି ପଦାର୍ଥ ତଦ୍ରୂପ ଦିଶୁଅଛି, ଏହା ଜାଣିବା ନିମିତ୍ତ କୌତୂହଳାକ୍ରାନ୍ତ ହୋଇ ଗୋଟିଏ କଣ୍ଟକ ନେଇ ଦିଓଟି ଚକ୍ଷୁକୁ ବିଦ୍ଧ କଲା ।୧୩। ଲୋଚନଦ୍ୱୟ ବିଦ୍ଧ ହେବାରୁ ଋଷି ଅତ୍ୟନ୍ତ ବ୍ୟଥିତ ଓ କ୍ରୁଦ୍ଧ ହେଲେ । ତାହାଙ୍କ କୋପରୁ ରାଜାଙ୍କର ସମଭିବ୍ୟାହାରୀ ସମସ୍ତ ସେନା ଓ ଅନୁଯାୟୀମାନଙ୍କର ମଳମୂତ୍ର ରୋଧ ହେଲା ।୧୪। ଋଷିଙ୍କ କୋପରେ ଶର୍ଯ୍ୟାତିଙ୍କ ସେନା ପ୍ରଭୃତିଙ୍କର ମଳମୂତ୍ର ରୋଧ* ହେବାରୁ ରାଜା ସେହି ଅନାହତ ରୋଗର କାରଣ ଜାଣିବାକୁ ଇଚ୍ଛାକଲେ ।୧୫। ସେ ପଚାରିଲେ, କିଏ ଅଦ୍ୟ ସେହି ତପସ୍ୱୀ ଭାର୍ଗବଙ୍କର ଅପକାର କଲା ? କହ ! ସେହି ତପସ୍ୱୀ ବୃଦ୍ଧ ଓ କୋପୀ; ସେହି ମହାତ୍ମା ଭାର୍ଗବଙ୍କର କିଏ ଅପକାର କଲା ? ୧୬। ତୁମ୍ଭେମାନେ ଜାଣ କି ନା ଶୀଘ୍ର କହ, ବିଳମ୍ବ କର ନାହିଁ-

 

[* ମଳମୂତ୍ର ରୋଧ ହେବା ରୋଗର ନାମ ‘ଅନାହ’ ।]

 

ସୈନିକମାନେ ସମସ୍ତେ କହିଲେ, ଆମ୍ଭେମାନେ କେହି କୌଣସି ଅପରାଧ କରିନାହୁଁ । ଆପଣ ଇଚ୍ଛାନୁସାରେ ଯେଉଁ ପ୍ରକାରେ ହେଉ, ସେହି ପ୍ରକାରେ ତାହାର ଉପାୟ ଅନୁସନ୍ଧାନ କରନ୍ତୁ-। ରାଜା ଭୟ ଦେଖାଇ ଓ ମିତ୍ରବର୍ଗଙ୍କୁ କୋମଳ ଭାବରେ ପଚାରିଲେ; କିନ୍ତୁ କେହି କିଛି ଜାଣିନଥିବାର କହିଲେ । ତତ୍‍ପରେ ସୁକନ୍ୟା ଦେଖିଲେ ଯେ ସୈନ୍ୟମାନେ ସମସ୍ତେ ଅନାହ ରୋଗରେ ପୀଡ଼ିତ ଓ ଦୁଃଖାର୍ତ୍ତ ହୋଇଅଛନ୍ତି; ପିତା ବିଷଣ୍ଣ ହୋଇଅଛନ୍ତି । ଏହା ଦେଖି ସେ ପିତାଙ୍କୁ କହିଲେ, “ପିତଃ ! ଏହି ଅରଣ୍ୟ ମଧ୍ୟରେ ଭ୍ରମଣ କରୁଁ କରୁଁ ଆମ୍ଭେ ଗୋଟିଏ ବଲ୍ମୀକ (ଉଇହୁଙ୍କା) ଦେଖିଲୁଁ । ତନ୍ମଧ୍ୟରେ ଉଜ୍ଜ୍ୱଳ ହେଇ କୌଣସି ଦ୍ରବ୍ୟ ଦେଖିବାରୁ ତାହାକୁ କଣ୍ଟକରେ ବିଦ୍ଧ କରିଅଛୁଁ । ଏହି କଥା ଶ୍ରବଣ କରି ରାଜା ତତ୍‌କ୍ଷଣାତ ସେହି ନିର୍ଦ୍ଦିଷ୍ଟ ବଲ୍ମୀକ ସମୀପରେ ଉପନୀତ ହେଲେ । ସେଠାରେ ବୟସରେ ବୃଦ୍ଧ ଓ ତପସ୍ୟାଦ୍ୱାରା ବୃଦ୍ଧ ଭାର୍ଗବଙ୍କୁ ଦର୍ଶନ କଲେ-। ସୈନ୍ୟମାନଙ୍କ ଉଦ୍ଧାରାର୍ଥ ସେହି ପୃଥିବୀପତି କରଯୋଡ଼ି ଋଷିଙ୍କୁ କହିଲେ ।୨୨। ହେ ପ୍ରଭୋ-! ଆମ୍ଭର କନ୍ୟା ବାଳିକା, ଅଜ୍ଞାନପ୍ରଯୁକ୍ତା, ସେ ଆପଣଙ୍କ ନିକଟରେ ମନ୍ଦ କାର୍ଯ୍ୟ କରିଅଛି; ଅତଏବ ଆପଣ ସେ ବିଷୟ କ୍ଷମା କରିବା ହେଉନ୍ତୁ ।୨୩।

 

ଭୃଗୁନନ୍ଦନ ଚ୍ୟବନ କହିଲେ, ହେ ମହୀପାଳ ! ତୁମ୍ଭର ଏହି କନ୍ୟା ସୁନ୍ଦରୀ ଓ ଉଦାରଗୁଣସମ୍ପନ୍ନା ହେଲେ ହେଁ ଦର୍ପରେ ପରିପୂର୍ଣ୍ଣା, ଲୋଭ ଓ ମୋହର ବଶୀଭୂତା ହୋଇ ଆମ୍ଭଙ୍କୁ ଅବଜ୍ଞା କରି ବିଦ୍ଧ କରିଅଛି ।୨୪। ଏଥି ନିମିତ୍ତ ଆମ୍ଭେ ତୁମ୍ଭର ସେହି କନ୍ୟାକୁ ପ୍ରତିଗ୍ରହ ନ କରି କ୍ଷମା କରିବୁ ନାହିଁ । ଆମ୍ଭେ ଏହିକଥା ତୁମ୍ଭଠାରେ ସତ୍ୟ କରି କହିଲୁ ।୨୫। ଲୋମଶ ବୋଇଲେ, ରାଜା ଶର୍ଯ୍ୟାତି ସେହି ଚ୍ୟବନ ଋଷିଙ୍କର ବଚନ ଶ୍ରବଣ କରି କୌଣସି ବିଚାର ନ କରି ଋଷିଙ୍କୁ କନ୍ୟା ସମ୍ପ୍ରଦାନ କଲେ । ଭଗବାନ ଚ୍ୟବନ ମଧ୍ୟ ସେହି କନ୍ୟାକୁ ଗ୍ରହଣ କରି ପ୍ରସନ୍ନ ହେଲେ । ରାଜା ମଧ୍ୟ ଋଷିଙ୍କର କୃପାପ୍ରାପ୍ତ ହୋଇ ସୈନ୍ୟ ସହିତ ସ୍ୱୀୟ ନଗରୀକୁ ପ୍ରତିଗମନ କଲେ ।୨୭। ଅନନ୍ଦିତା ନୃପସୁତା ସୁକନ୍ୟା ମଧ୍ୟ ତପସ୍ୱୀଙ୍କୁ ପତିସ୍ୱରୂପ ଲାଭ କରି ଶୁଦ୍ଧଚିତ୍ତରେ ସର୍ବଦା ସେ ଋଷିଙ୍କର ପରିଚର୍ଯ୍ୟା କଲେ । ଅତିଥି ଓ ଅଗ୍ନିଙ୍କର ଶୁଶ୍ରୂଷା କରି ନିରନ୍ତର ଋଷିଙ୍କର ସେବା କଲେ ।୨୯।

 

॥ ଅଧ୍ୟାୟ – ୧୨୩ ॥

 

ଲୋମଶ ବୋଇଲେ, ହେ ମହାରାଜ ! କିଛି କାଳ ଅନ୍ତେ ଦେବତାଙ୍କର ବୈଦ୍ୟ ଅଶ୍ୱିନୀକୁମାର ଦୁହେଁ ସୁକନ୍ୟାଙ୍କୁ ଦେଖିଲେ । ସେତେବେଳେ ସେ ସ୍ନାନ କରୁଥାନ୍ତି ଓ ତାହାଙ୍କ ଶରୀରରେ ଆଚ୍ଛାଦନ ବସ୍ତ୍ର ନ ଥାଏ ।୧। ଦେବରାଜଙ୍କ କନ୍ୟା ପ୍ରାୟ ସୁକନ୍ୟା ସୁନ୍ଦରୀ ଥିଲେ ଓ ତାହାଙ୍କର ଅଙ୍ଗ ପ୍ରତ୍ୟଙ୍ଗମାନ ଅତିଶୟ ସୁଗଠିତ । ଏହି ହେତୁରୁ ତାହାଙ୍କୁ ସାକ୍ଷାତ୍ କରିବା ନିମିତ୍ତ ଅଶ୍ୱିନୀକୁମାର ଦୁହେଁ ତାହାଙ୍କ ସମୀପରେ ଉପସ୍ଥିତ ହେଲେ ଓ ପଚାରିଲେ–ହେ ବାମୋରୁ ! ଭଦ୍ରେ-! ତୁମ୍ଭେ କାହାର କନ୍ୟା ? ଏହି ବନ ମଧ୍ୟରେ ତୁମ୍ଭେ କାହିଁକି ଅଛ ? ଆମ୍ଭେମାନେ ତାହା ଜାଣିବାକୁ ଇଚ୍ଛାକରୁଁ । ତୁମ୍ଭେ ପ୍ରକାଶ କରି ଆମ୍ଭଙ୍କୁ କହ ?୩।

 

ତଦନନ୍ତର ସୁକନ୍ୟା ଲଜ୍ଜାନ୍ୱିତା ହୋଇ ସେହି ସୁରୋତ୍ତମ ଦ୍ୱୟଙ୍କୁ କହିଲେ, ଆମ୍ଭେ ଶର୍ଯ୍ୟାତି ରାଜାଙ୍କର ଦୁହିତା ଓ ଚ୍ୟବନ ଋଷିଙ୍କର ଭାର୍ଯ୍ୟା ।୪। ଏହା ଶୁଣି ସେମାନେ ହାସ୍ୟ କରି ପୁନର୍ବାର ପଚାରିଲେ, ତୁମ୍ଭର ପିତା କି କାରଣରୁ ମରଣାପନ୍ନ ବ୍ୟକ୍ତିଙ୍କୁ ତୁମ୍ଭଙ୍କୁ ପ୍ରଦାନ କଲେ ? ହେ ଭୀରୁ ! ତୁମ୍ଭେ କାହିଁକି ଏହି ବନ ମଧ୍ୟରେ ବିଜୁଳିପ୍ରାୟ ପ୍ରକାଶ ପାଉଅଛ ? ହେ ଭବାନି ! ତୁମ୍ଭ ସଦୃଶୀ ରୂପବତୀ ଦେବଲୋକରେ ସୁଦ୍ଧା ଆମ୍ଭମାନଙ୍କର ଦୃଷ୍ଟିଗୋଚର ହୁଅନ୍ତି ନାହିଁ ।୬। ହେ ଭଦ୍ରେ ! ତୁମେ ଆଭରଣ ଓ ଉତ୍ତମ ବସନ ନ ଘେନି ସୁଦ୍ଧା ଏହି ବନକୁ ଅତିଶୟ ଶୋଭାନ୍ୱିତ କରୁଅଛ ?୭। ହେ ଅନିନ୍ଦିତାଙ୍ଗି ! ତୁମ୍ଭେ ଯେବେ ଉତ୍ତମ ଆଭରଣ ଓ ବସନ ପିନ୍ଧିବ, ତେବେ ତୁମ୍ଭର ଯାଦୃଶ ଶୋଭା ହେବ, ତାହାକି ଏପରି ମଳିନାଙ୍ଗୀ ହେଲେ ହେବ ? ୮। କଲ୍ୟାଣି ! ଶୁଚିସ୍ମିତେ ! ତୁମ୍ଭେ ଏପରି ରୂପବତୀ ହୋଇ ଏପରି ଜରାଗ୍ରସ୍ତ କାମଭୋଗବିରହିତ, ପରିତ୍ରାଣ ଓ ଭରଣପୋଷଣ କରିବାକୁ ଅକ୍ଷମ, ଅସମର୍ଥ ପତିଙ୍କର ଉପାସନା କରୁଅଛ ? ଅତଏବ, ହେ ଦେବସଦୃଶ କାନ୍ତିମତି, ତୁମ୍ଭେ ଚ୍ୟବନଙ୍କୁ ପରିତ୍ୟାଗ କରି ଆମ୍ଭ ଦୁଇ ଜଣଙ୍କ ମଧ୍ୟରୁ ଜଣକୁ ପତିତ୍ୱରେ ବରଣ କର; ବୃଥାରେ ଯୌବନ ଯାପନ କର ନାହିଁ ।

 

ଅଶ୍ୱିନୀକୁମାର ଦୁହେଁ ସୁକନ୍ୟାଙ୍କୁ ଉକ୍ତ ପ୍ରକାରେ କହିବାରେ ସୁକନ୍ୟା ସେମାନଙ୍କୁ ପ୍ରତ୍ୟୁତ୍ତର ଦେଲେ, ଆମ୍ଭର ପତି ମହର୍ଷି ଚ୍ୟବନ । ଆମ୍ଭେ ତାହାଙ୍କଠାରେ ଅନୁରକ୍ତା ଅଟୁ । ଅତଏବ ଆପଣମାନେ ଆମ୍ଭଙ୍କୁ ଉକ୍ତ ପ୍ରକାରେ ବଚନ କହିବେ ନାହିଁ । ସୁକନ୍ୟାଙ୍କର ତାଦୃଶ ବଚନ ଶ୍ରବଣ କରି ଦେବମାନେ କହିଲେ, ଆମ୍ଭେ ଦୁହେଁ ପ୍ରଧାନ ଦେବବୈଦ୍ୟ, ଅତଏବ ତୁମ୍ଭ ପତିଙ୍କୁ ଆମ୍ଭେମାନେ ଯୁବା ଓ ରୂପବନ୍ତ କରିପାରିବୁ । ପରେ ତୁମ୍ଭେ ଚ୍ୟବନ ଋଷିଙ୍କୁ ଅଥବା ଆମ୍ଭ ଦୁହିଁଙ୍କ ମଧ୍ୟରୁ ଜଣକୁ ବରଣ କରିବ ।୧୩। ହେ ଶୁଭେ ! ତୁମ୍ଭେ ଏହି ପ୍ରତିଜ୍ଞା କରି ତୁମ୍ଭର ପତିଙ୍କୁ ଆହ୍ୱାନ କର ।

 

ହେ ମହାରାଜ ! ରାଜସୁତା ସୁକନ୍ୟା ସେମାନଙ୍କର ବାକ୍ୟ ପ୍ରମାଣେ ଭାର୍ଗବ ଋଷିଙ୍କ ସମୀପକୁ ଗମନ କରି ଏହି ଦେବତାମାନେ ଯାହା କହିଥିଲେ, ତାହା ଜଣାଇଲେ । ଚ୍ୟବନ ଋଷି ସେହି ବଚନ ଶ୍ରବଣ କରି କହିଲେ–ହେଉ, ସେମାନେ ଯେପରି କହୁଅଛନ୍ତି, ତଦ୍ରୂପ କର । ସେ ଏହି ଅନୁମତି ଦେଲେ ।୧୫। ଭର୍ତ୍ତାଙ୍କଠାରୁ ଅନୁଜ୍ଞା ପ୍ରାପ୍ତହୋଇ ସୁକନ୍ୟା ଯାଇ ଅଶ୍ୱିନୀକୁମାର ଦ୍ୱୟଙ୍କ ସମୀପରେ ଉପନୀତ ହେଲେ ଓ କହିଲେ, ଆପଣମାନେ ଯାହା କହିଲେ, ତାହା ନିଷ୍ପାଦନ କରନ୍ତୁ ।

 

ଅଶ୍ୱିନୀକୁମାର ଦୁହେଁ ଉତ୍ତର ଦେଲେ–ତୁମ୍ଭର ପତି ଜଳ ମଧ୍ୟରେ ପ୍ରବେଶ କରନ୍ତୁ । ହେ ରାଜନ୍‌ ! ଚ୍ୟବନ ଋଷି ରୂପଲାଭ ଆଶାରେ ଶୀଘ୍ର ଜଳ ମଧ୍ୟରେ ପ୍ରବେଶ କଲେ ।୧୬। ଅଶ୍ୱିନୀକୁମାର ଦୁହେଁ ମଧ୍ୟ ସେହି କ୍ଷଣି ଜଳମଧ୍ୟରେ ପ୍ରବେଶ କଲେ । କ୍ଷଣକାଳ ପରେ ସେମାନେ ସମସ୍ତେ ରୂପବାନ ଓ ଯୁବା ହୋଇ ସରୋବରରୁ ନିର୍ଗତ ହେଲେ । କର୍ଣ୍ଣରେ କୁଣ୍ଡଳଧାରୀ ହୋଇଥିଲେ । ସମସ୍ତେ ସମାନ ବେଶଧାରୀ, ସମବୟସ୍କ ଓ ଅଳଙ୍କାର ସମସ୍ତଙ୍କର ସମାନ । ସେମାନେ ତିନି ଜଣ ଏକତ୍ର ହୋଇ ସୁକନ୍ୟାଙ୍କୁ କହିଲେ, ହେ ଶୁଭେ ! ତୁମ୍ଭେ ଆମ୍ଭ ମଧ୍ୟରୁ ଜଣଙ୍କୁ ବରଣ କର ।୧୮। ହେ ବରବର୍ଣ୍ଣିନି ! ଶଚିସ୍ମିତେ ! ଆମ୍ଭ ତିନି ଜଣଙ୍କ ମଧ୍ୟରେ ତୁମ୍ଭର ଯାହାଙ୍କୁ ଇଚ୍ଛାହୁଏ, ତାହାଙ୍କୁ ବରଣ କର । ଦେବୀ ସୁକନ୍ୟା ସମସ୍ତଙ୍କୁ ସମାନ ଆକାର ଥିବାର ଦେଖିଲେ ହେଁ ମନମଧ୍ୟରେ ଆପଣା ବୁଦ୍ଧିଦ୍ୱାରା ବିଚାର କରି ନିଜ ପତି ଚ୍ୟବନଙ୍କୁ ବରଣ କଲେ । ଅନନ୍ତର ମହାତେଜସ୍ୱୀ ଚ୍ୟବନ ସୁନ୍ଦର ରୂପ ଯୌବନପ୍ରାପ୍ତ ହୋଇ ଅଶ୍ୱିନୀକୁମାର ଦ୍ୱୟଙ୍କ ପ୍ରତି ପ୍ରୀତ ହୋଇ ସେମାନଙ୍କୁ କହିଲେ, “ଆମ୍ଭେ ବୃଦ୍ଧହୋଇ ସୁଦ୍ଧା ଯେ ହେତୁରୁ ତୁମ୍ଭ କୃପାରୁ ରୂପ ଓ ଯୌବନ ସମ୍ପନ୍ନ ହେଲୁଁ ଓ ଭାର୍ଯ୍ୟାକୁ ଲାଭକଲୁ, ସେହି ହେତୁରୁ ଆମ୍ଭେ ସତ୍ୟ କରି କହୁଅଛୁଁ ଯେ ଦେବରାଜଙ୍କ ସମକ୍ଷରେ ତୁମ୍ଭମାନଙ୍କୁ ସୋମପାୟୀ କରିବୁଁ ।୨୩। ଅଶ୍ୱିନୀକୁମାର ଦ୍ୱୟ ଋଷିଙ୍କର ସେହି ବଚନ ଶ୍ରବଣ କରି ପରମାହ୍ଲାଦିତ ହୋଇ ସ୍ୱର୍ଗକୁ ପ୍ରତିଗମନ କଲେ । ଋଷିସତ୍ତମ ଚ୍ୟବନ ଦେବତାଙ୍କ ପ୍ରାୟ ସେଠାରେ ରହି ଭାର୍ଯ୍ୟାଙ୍କ ସହିତ ବିହାର କଲେ ।୨୪।

 

॥ ଅଧ୍ୟାୟ – ୧୨୪ ॥

 

ଲୋମଶ ବୋଇଲେ, ତଦନନ୍ତର ରାଜା ଶର୍ଯ୍ୟାତି ଶ୍ରବଣ କଲେ ଯେ ମହର୍ଷି ଚ୍ୟବନ ଯୌବନାବସ୍ଥା ପ୍ରାପ୍ତ ହୋଇଅଛନ୍ତି । ଏହା ଶ୍ରବଣ କରି ଆନନ୍ଦିତ ହୋଇ ସେହି ରାଜା ସୈନ୍ୟ ସାମନ୍ତଙ୍କ ସମଭିବ୍ୟାହାରରେ ଭାର୍ଗବଙ୍କ ଆଶ୍ରମକୁ ସମାଗମନ କଲେ ।୧। ଭାର୍ଯ୍ୟାଙ୍କ ସହିତ ରାଜା ଶର୍ଯ୍ୟାତି ଆଶ୍ରମରେ ଉପନୀତ ହୋଇ ଜାମାତା ଓ କନ୍ୟାଙ୍କୁ ଦେବକୁମାର ଓ ଦେବକୁମାରୀ ପ୍ରାୟ ଉପବେଶନ କରିଥିବାର ବିଲୋକନ କରି ସସାଗରା ଧରା ଲାଭ କଲା ପ୍ରାୟ ଆନନ୍ଦ ଲାଭ କଲେ-। ଚ୍ୟବନ ଋଷି ଆସି ରାଜା ଓ ତାହାଙ୍କ ମହିଷୀଙ୍କର ଯଥାବିହିତ ସତ୍କାର କଲେ । ସତ୍କାର ଲାଭ କରି ସେହି ରାଜା ସେଠାରେ ଉପବେଶନ କଲେ ଓ ବିବିଧ ପ୍ରକାର ମନୋରମ କଥୋପକଥନରେ ପ୍ରବୃତ୍ତ ହେଲେ । ହେ ମହାରାଜ ! ଦିନେ ଚ୍ୟବନ ଋଷି ରାଜାଙ୍କର ଅବସର ଦେଖି ମଧୁର ବାକ୍ୟରେ ତାହାଙ୍କୁ ପରିତୁଷ୍ଟ କରି କହିଲେ, ହେ ରାଜନ୍‌ ! ଆମ୍ଭେ ଆପଣଙ୍କର ଯାଜକ ହେବୁ-। ଆପଣ ଯଜ୍ଞୀୟ ଦ୍ରବ୍ୟ ସମସ୍ତ ଆହରଣ କରନ୍ତୁ ।୪।

 

ରାଜା ପରମ ହୃଷ୍ଟ ହୋଇ ଋଷିଙ୍କ ବାକ୍ୟକୁ ସମାଦରପୂର୍ବକ ଗ୍ରହଣ କଲେ ।୫। ଅନନ୍ତର ରାଜା ଯଜ୍ଞ ଦିନ ସ୍ଥିର କରି ସର୍ବ ସମୃଦ୍ଧିଯୁକ୍ତ ଗୋଟିଏ ଯଜ୍ଞାୟତନ ନିର୍ମାଣ କରାଇଲେ । ହେ ମହାରାଜ ! ସେହି ଯଜ୍ଞରେ ଯେଉଁସବୁ ଅଦ୍ଭୁତ ଘଟଣା ହୋଇଥିଲା, ତାହା ଆମ୍ଭଠାରୁ ଶ୍ରବଣ କରନ୍ତୁ-। ଯଜ୍ଞ ସମୟରେ ଅଶ୍ୱିନୀକୁମାର ଦ୍ୱୟଙ୍କ ନିମିତ୍ତ ଚ୍ୟବନ ଋଷି ସୋମରସ ଗ୍ରହଣ କଲେ-। ଏହା ଦେଖି ଦେବରାଜ ଇନ୍ଦ୍ର ଋଷିଙ୍କୁ ନିବାରଣ କଲେ ଓ କହିଲେ, ଆପଣ ଅଶ୍ୱିନୀକୁମାରଙ୍କ ନିମିତ୍ତ ସୋମରସ ଗ୍ରହଣ କରନ୍ତୁ ନାହିଁ । ହେ ମୁନେ ! ଆମ୍ଭ ବିବେଚନାରେ ଅଶ୍ୱିନୀକୁମାର ଦୁହେଁ ସୋମରସ ପାନର ଯୋଗ୍ୟ ନୁହନ୍ତି, ଯେହେତୁ ଏମାନେ ସ୍ୱର୍ଗର ଦେବତା ହୋଇ ଚିକିତ୍ସାବୃତ୍ତି ଅବଲମ୍ବନ କରିଅଛନ୍ତି । ଚ୍ୟବନ କହିଲେ, ହେ ମଘବନ୍‌ ! ଏ ଦୁହେଁ ମହାତ୍ମା । ମହୋତ୍ସାହୀ ଓ ସୌନ୍ଦର୍ଯ୍ୟସମ୍ପତ୍ତି ସମ୍ପନ୍ନ ଅଟନ୍ତି । ବିଶେଷରେ ଏମାନେ ଆମ୍ଭଙ୍କୁ ଅମର ପ୍ରାୟ ଅଜର କରିଅଛନ୍ତି ।୧୦। ହେ ଦେବେନ୍ଦ୍ର ! କେବଳ ଆପଣ ଓ ଅନ୍ୟାନ୍ୟ ଦେବତାମାନେ କି କାରଣରୁ ସୋମରସ ପାନର ଯୋଗ୍ୟ ହେବେ ? ଏ କାହିଁକି ନ ହେବେ ? ଏହି ଅଶ୍ୱିନୀକୁମାର ଦୁହେଁ କାହିଁକି କେବଳ ଅଯୋଗ୍ୟ ହୋଇ ରହିବେ ? ହେ ପୁରନ୍ଦର ! ଆପଣ ଅଶ୍ୱିନୀକୁମାରଙ୍କୁ ଦେବତା ବୋଲି ଜାଣନ୍ତୁ । ଇନ୍ଦ୍ର ବୋଇଲେ, ଏ ଦୁହେଁ ଚିକିତ୍ସାଦ୍ୱାରା ଜୀବିକା ନିର୍ବାହ କରନ୍ତି ଓ ଭିଷକ୍ ଅଟନ୍ତି । ଏମାନେ ଇଚ୍ଛାନୁରୂପ ରୂପ ଧାରଣ କରି ମର୍ତ୍ତ୍ୟଲୋକରେ ପରିଭ୍ରମଣ କରନ୍ତି । ଅତଏବ ଏମାନେ କି ପ୍ରକାର ସୋମରସ ପାନର ଯୋଗ୍ୟ ହେବେ ?

 

ଲୋମଶ ବୋଇଲେ, ମହାରାଜ ! ଦେବରାଜ ଇନ୍ଦ୍ର ବାରମ୍ବାର ଉକ୍ତ ପ୍ରକାର କହିଲେ; କିନ୍ତୁ ଚ୍ୟବନ ତାହାଙ୍କ ବାକ୍ୟରେ ଅନସ୍ଥା ପ୍ରଦର୍ଶନ କରି ଅଶ୍ୱିନୀତନୟଙ୍କ ନିମିତ୍ତ ସୋମ ଗ୍ରହଣ କରିବାକୁ ଉଦ୍ୟମ କଲେ ।୧୩। ତତ୍କାଳରେ ବଳଭିତ୍ ଇନ୍ଦ୍ର ଦେଖିଲେ ଯେ ଅଶ୍ୱିନୀତନୟଙ୍କ ନିମିତ୍ତ ଋଷି ଉତ୍ତମ ସୋମରସ ଗ୍ରହଣ କରିବାକୁ ଉଦ୍ୟତ ହେଲେ । ଏହା ଦେଖି ଇନ୍ଦ୍ର କହିଲେ, ଯେବେ ଏହାଙ୍କ ନିମିତ୍ତ ସୋମରସ ଗ୍ରହଣ କର, ତେବେ ଆପଣଙ୍କୁ ଘୋରରୂପ ବଜ୍ର ପ୍ରହାର କରିବୁଁ ।୧୫। ତ୍ରିଦଶାଧିପତି ଋଷିଙ୍କ ପ୍ରତି ଉକ୍ତ ପ୍ରକାର ବଚନ ପ୍ରୟୋଗ କଲେ । ତଥାପି ଋଷି ତାହାଙ୍କ ପ୍ରତି ନେତ୍ରପାତ କରି ଈଷଦ୍ଧାସ୍ୟପୂର୍ବକ ଅଶ୍ୱିନୀକୁମାରଙ୍କ ନିମିତ୍ତ ଉତ୍ତମ ସୋମରସ ଗ୍ରହଣ କଲେ । ଏହା ଦେଖି ଶଚୀପତି ଋଷିଙ୍କ ପ୍ରତି ଘୋରରୂପ ଅଶନି ନିକ୍ଷେପ କରିବାକୁ ଉଦ୍ୟତ ହେଲେ । ଋଷି ତାହାଙ୍କର ବାହୁ ସ୍ତମ୍ଭିତ କଲେ ।୧୭। ସୁମହା ତେଜସ୍ୱୀ ଚ୍ୟବନ ଦେବରାଜଙ୍କର ବାହୁଦ୍ୱୟ ସ୍ତମ୍ଭିତ କରି ତାହାଙ୍କୁ ହିଂସା କରିବାକୁ ଉଦ୍ୟତ ହୋଇ କୃତ୍ୟାର* ଉତ୍ପତ୍ତି ନିମିତ୍ତ ମନ୍ତ୍ରପାଠ କରି ପ୍ରଜ୍ୱଳିତ ହୁତାଶନରେ ଆହୁତି ପ୍ରଦାନ କଲେ ।୧୮।

 

[* ଅଭିଚାର ଦ୍ୱାରା ଉତ୍ପନ୍ନ ମାରକ ଦେବତା ।]

 

ଅନନ୍ତର ଚ୍ୟବନ ଋଷିଙ୍କର ତପସ୍ୟା ବଳରେ ମହାବୀର୍ଯ୍ୟ ବୃହଦ୍‌କାୟ ମଦ ନାମକ ଗୋଟିଏ ମହାଅସୁର ରୂପ କୃତ୍ୟା ଉତ୍ପନ୍ନ ହେଲା ।୧୯। ତାହାର ଶରୀର ସୀମା ନିର୍ଦ୍ଦେଶ କରିବା ସୁର ବା ଅସୁରଙ୍କର ସୁଦ୍ଧା ସାଧ୍ୟ ନୁହେଁ । ତାହାର ମୁଖ ଅତି ବୃହତ୍ ଓ ଭୟଙ୍କର । ଦନ୍ତର ଅଗ୍ରଭାଗ ସୁତୀକ୍ଷ୍‌ଣ ଓ ତାହାର ଗୋଟିଏ ହନୁ ପୃଥିବୀରେ ସଂଲଗ୍ନ ଓ ଉପର ହନୁ ଆକାଶରେ ପରିବ୍ୟାପ୍ତ । ଚାରିଟା ଦନ୍ତ ତାହାର ଶତ ଯୋଜନ ବିସ୍ତୃତ । ତତ୍‍ପରେ ଅପରାପର ଦନ୍ତମାନେ ପ୍ରତ୍ୟେକ ଦଶ ଯୋଜନ ପରିମିତ ଦୀର୍ଘ ଓ ପ୍ରାସାଦଶିଖରାକାର ।୨୧। ସେହି ଦନ୍ତାବଳୀର ଅଗ୍ରଭାଗକୁ ଚାହିଁଲେ ଶୂଳର ଅଗ୍ର ସଦୃଶ ଦୃଶ୍ୟ ହୁଏ । ବାହୁ ଦୁଇଟି ପର୍ବତ ସମାନ ଓ ଅୟୁତ ଯୋଜନ ପ୍ରତ୍ୟେକର ବିସ୍ତୃତି ଅଟେ । ତାହାର ନେତ୍ର ଦୁଇଟି ଚନ୍ଦ୍ର ଓ ସୂର୍ଯ୍ୟ ସମ ଉଜ୍ଜ୍ୱଳ । ତାହାର ମୁଖମଣ୍ଡଳ ପ୍ରଳୟକାଳର ଅନଳ ପ୍ରାୟ ତେଜସ୍କର । ସେହି ମହାସୁର ବିଦ୍ୟୁତ୍ ସଦୃଶ ଲୋଳ ଜିହ୍ୱାଦ୍ୱାରା ମୁଖପ୍ରାନ୍ତକୁ ଲେହନ କରି ଭୀଷଣ ନେତ୍ରଦ୍ୱାରା ଦୃଷ୍ଟିପାତ କରି ଓ ମୁଖକୁ ବିସ୍ତାର କରି ଜଗତକୁ ଗ୍ରାସ କଲା ପ୍ରାୟ ସମୁଦ୍ୟତ ହେଲା ।୨୪। ଈଦୃଶ କଟାକ୍ଷାକାର ଓ ବୃହତ୍ ସେହି ପୁରୁଷ ଗଭୀର ଗର୍ଜନଦ୍ୱାରା ଲୋକତ୍ରୟ ନିନାଦିତ କରି ଇନ୍ଦ୍ରଙ୍କୁ ଭକ୍ଷଣ କରିବା ନିମିତ୍ତ ଧାବିତ ହେଲା ।୨୫।

 

॥ ଅଧ୍ୟାୟ – ୧୨୫ ॥

 

ଲୋମଶ ବୋଇଲେ–ସେହି ଭୀଷଣାନନ ମହାସୁର ମୁଖ ବ୍ୟାଦାନ କରି ଅନ୍ତକ ପ୍ରାୟ ଭକ୍ଷଣ କରିବାକୁ ଆସୁଥିବାର ଦେଖି ଇନ୍ଦ୍ର ଭୟାର୍ତ୍ତ ହୋଇ ମୁନିଙ୍କର ଶରଣାର୍ଥୀ ହୋଇ କହିଲେ, ହେ ବିପ୍ର ! ହେ ଭୃଗୁନନ୍ଦନ ! ଆପଣ ଆମ୍ଭ ପ୍ରତି ପ୍ରସନ୍ନ ହୁଅନ୍ତୁ । ଆମ୍ଭେ ସତ୍ୟ କହୁଅଛୁଁ, ଅଦ୍ୟାବଧି ଅଶ୍ୱିନୀକୁମାର ଦୁହେଁ ସୋମପାନର ଅଧିକାରୀ ହେବେ । ଆପଣଙ୍କର ସଂକଳ୍ପ ସତ୍ୟ ହେଉ । ଅଦ୍ୟାବଧି ଏହି ପରମ ବିଧି ହେଲା । ହେ ବିପ୍ରର୍ଷେ ! ଆପଣ ଯାହା କରିବାକୁ ଇଚ୍ଛା କରିବେ ତାହା ଅନ୍ୟଥା ହେବାର ନୁହେଁ; ଏହା ଆମ୍ଭେ ଜାଣୁ । କିନ୍ତୁ ହେ ଭାର୍ଗବ ! ଅଦ୍ୟ ଆପଣଙ୍କ ତପୋବୀର୍ଯ୍ୟଦ୍ୱାରା ଅଶ୍ୱିନୀତନୟଙ୍କୁ ସୋମପାୟୀ କରିବା ହେଲେ ଏଥିରେ ଆପଣଙ୍କର ଯଶ ସର୍ବତ୍ର ବ୍ୟାପ୍ତ ହେଲା । ଏଥିରୁ ଅଧିକ ପରିମାଣରେ ଆପଣଙ୍କର ଯଶଃ ପ୍ରକାଶିତ ହେବ । ଏହି ନରପତି ଶର୍ଯ୍ୟାତିଙ୍କର ମଧ୍ୟ କୀର୍ତ୍ତି ଜଗତ୍ ବ୍ୟାପିନୀ ହେବ । ଏହିସବୁ ଘଟାଇବା ନିମିତ୍ତ ଆମ୍ଭେ ବଜ୍ରପ୍ରହାର ପାଇଁ ଉଦ୍ୟତ ହୋଇଥିଲୁ ।୬। ଅତଏବ ଆପଣ ଆମ୍ଭ ପ୍ରତି ପ୍ରସନ୍ନ ହେଉନ୍ତୁ । ଆପଣ ଯାହା ଅଭିଳାଷ କରିଅଛନ୍ତି, ତାହା ହେଉ ।

 

ଦେବରାଜ ଇନ୍ଦ୍ର ଏହିପରି ଭାର୍ଗବଙ୍କୁ କହନ୍ତେ ତାହାଙ୍କର କୋପ ତତ୍‌କ୍ଷଣାତ ଶାନ୍ତ ହେଲା-। ଅତଃପର ଚ୍ୟବନ ଋଷି ଇନ୍ଦ୍ରଙ୍କୁ ପରିତ୍ରାଣ କଲେ । ଅଭିଚାରସୃଷ୍ଟ ମହାସୁରକୁ ସ୍ତ୍ରୀ, ପାନ, ଅକ୍ଷ ଓ ମୃଗୟାରେ ଚାରି ଭାଗରେ ବଣ୍ଟନ କରି ରଖିଲେ । ଅଶ୍ୱିନୀକୁମାରଙ୍କ ସହିତ ସମସ୍ତ ଦେବତା ଓ ଇନ୍ଦ୍ରଙ୍କୁ ସୋମରସଦ୍ୱାରା ପରିତୁଷ୍ଟ କରି ଶର୍ଯ୍ୟାତି ରାଜାଙ୍କର ଯଜ୍ଞ ସମ୍ପନ୍ନ କଲେ-। ସମସ୍ତ ଲୋକରେ ଋଷିଙ୍କର ଯଶ ବିସ୍ତୃତ ହେଲା ଓ ସେ ସୁକନ୍ୟାନାମ୍ନୀ ଭାର୍ଯ୍ୟାକୁ ଘେନି ବନ ମଧ୍ୟରେ ସୁଖରେ ବିହାର କଲେ ।

 

ହେ ମହାରାଜ ! ସେହି ଅସୀମ କ୍ଷମତାଶାଳୀ ଋଷି ଚ୍ୟବନଙ୍କର ସରୋବର ଦୃଶ୍ୟ ହେଉଅଛି ।୧୧। ଆପଣ ସୋଦରଗଣଙ୍କୁ ସଙ୍ଗରେ ଘେନି ଏହି ସ୍ଥାନରେ ଦେବ ଓ ପିତୃଗଣଙ୍କର ତର୍ପଣ କରନ୍ତୁ । ଏହି ସରୋବର ଓ ମହାଦେବଙ୍କୁ ଦର୍ଶନ କରି ସୈନ୍ଧବାରଣ୍ୟକୁ ଗମନ କରିବେ । ସେଠାରେ କୁଲ୍ୟାମାନଙ୍କୁ ଦର୍ଶନ କରିବେ । ହେ ମହାରାଜ ! ତଦନନ୍ତର ପୁଷ୍ପୋଦକ ସ୍ପର୍ଶ କରି ଶିବମନ୍ତ୍ର ଜପପୂର୍ବକ ସିଦ୍ଧି ଲାଭ କରିବେ । ହେ ରାଜନ୍‌ ! ଏହି ତ୍ରେତା ଓ ଦ୍ୱାପରର ସନ୍ଧିସ୍ଥଳ ଦୃଶ୍ୟ ହେଉଅଛି । ଏହି ତୀର୍ଥରେ ସବୁ ପାପ ବିନଷ୍ଟ ହୁଏ । ଅତଏବ ଆପଣ ଏହି ସର୍ବପାପନାଶନ ତୀର୍ଥରେ ଅବଗାହନ କରନ୍ତୁ ।୧୫। ଏହି ପର୍ବତର ନାମ ଆର୍ଚ୍ଚବ । ଜ୍ଞାନୀମାନଙ୍କର ଏହା ବାସସ୍ଥଳ-। ଏହି ସ୍ଥଳରେ ସର୍ବଦା ବୃକ୍ଷଲତାରେ ଫଳ ଥାଏ ଓ ନିର୍ଝରାଦିରେ ଜଳ ପ୍ରବାହିତ ହେଉଥାଏ । ଏହି ପର୍ବତ ମରୁଦ୍‌ଗଣଙ୍କର ଉତ୍କୃଷ୍ଟ ସ୍ଥାନ ।୧୬।

 

ହେ ଯୁଧିଷ୍ଠିର ! ଦେବଗଣଙ୍କର ଏହିସବୁ ନାନାବିଧ ଚୈତ୍ୟ ବିଦ୍ୟମାନ ଅଛି । ଏହିଟି ଚନ୍ଦ୍ରଙ୍କ ତୀର୍ଥ; ପାବକସଦୃଶ ଉଜ୍ଜ୍ୱଳ । ବାୟୁଭକ୍ଷ ବୈଶାନସ ବାଲଖିଲ୍ୟ ଋଷିନିକର ଏହାର ଉପାସନା କରନ୍ତି ।୧୭। ହେ ନରାଧିପତେ ! ଏହି ଯେ ତିନିଗୋଟି ଗିରିଶୃଙ୍ଗ ଓ ତିନିଗୋଟି ପ୍ରସ୍ରବଣ ଦେଖୁଅଛନ୍ତି, ଆପଣ ସେମାନଙ୍କୁ ପ୍ରଦକ୍ଷିଣ କରି ଅଭିଳାଷାନୁରୂପ ଅବଗାହନ କରନ୍ତୁ ।୧୮। ହେ ରାଜେନ୍ଦ୍ର ! ଏହି ଆର୍ଚ୍ଚିକ ପର୍ବତରେ ରାଜା ଶାନ୍ତନୁ, ଶୁନକ ଓ ନରନାରାୟଣ ଋଷି ବାସ କରି ସନାତନ ସ୍ଥାନ ପ୍ରାପ୍ତ ହୋଇଅଛନ୍ତି ।୧୯। ହେ ଯୁଧିଷ୍ଠିର ! ଦେବଗଣ, ପିତୃଗଣ ଓ ମହର୍ଷିନିଚୟ ଏହି ଆର୍ଚ୍ଚିକ ପର୍ବତରେ ନିତ୍ୟ ସନ୍ନିହିତ ଥାଇ ତପସ୍ୟାଚରଣ କରିଥିଲେ ।୨୦। ଏହି ସ୍ଥାନରେ ସେହିସବୁ ଋଷିମାନେ ଚରୁ ଭକ୍ଷଣ କରିଥିଲେ । ଅକ୍ଷୟ ସ୍ରୋତା ଯମୁନା ଓ କୃଷ୍ଣ ଏମାନେ ଏଠାରେ ତପଶ୍ଚରଣ କରିଥିଲେ ।

 

ହେ ଶତ୍ରୁନାଶନ ! ଭୀମ, ନକୁଳ, ସହଦେବ, କୃଷ୍ଣା, ଆମ୍ଭେ ସମସ୍ତେ ଆପଣଙ୍କ ସହିତ ସେହି ସ୍ଥାନକୁ ଗମନ କରିବୁ ।୨୨। ହେ ମନୁଜେଶ୍ୱର ! ଏହା ଇନ୍ଦ୍ରଙ୍କର ପୁଣ୍ୟ ପ୍ରସ୍ରବଣ । ଏହି ସ୍ଥାନରେ ଧାତା, ବିଧାତା ଓ ବରୁଣ ଊର୍ଦ୍ଧ୍ୱଗତି ଲାଭ କରିଥିଲେ ଏବଂ ସେମାନେ ଏହି ସ୍ଥାନରେ ପରମଧର୍ମାବଲମ୍ବନପୂର୍ବକ କ୍ଷମାଶୀଳ ହୋଇ ବାସ କରିଥିଲେ । ସରଳ ସ୍ୱଭାବ ମୈତ୍ରୀଗଣଙ୍କ ପକ୍ଷରେ ଏହି ଗିରିବର ଶୁଭଦାୟକ ଅଟେ ।୨୪। ହେ ରାଜନ୍‌ ! ଏହି ଯମୁନାନଦୀ, ପାପଭୟନାଶିନୀ, ମହର୍ଷିମାନେ ଏହା ତୀରରେ ବାସ କରିଥିଲେ ଓ ସେମାନେ ଏହି ତୀରରେ ରହି ନାନାବିଧ ବୃହତ୍ ଯଜ୍ଞମାନଙ୍କୁ ସମ୍ପାଦନ କରିଥିଲେ । ଏହି ସ୍ଥଳରେ ପ୍ରଧାନ ଧାନୁଷ୍କୀ ରାଜା ମାନ୍ଧାତା, ସଞ୍ଜୟଙ୍କ ପୁତ୍ର ଓ ଦାନୀମାନଙ୍କ ମଧ୍ୟରେ ପ୍ରଧାନ ସୋମକ ସ୍ୱୟଂ ଯଜ୍ଞାଚରଣ କରିଥିଲେ-।୨୬।

 

॥ ଅଧ୍ୟାୟ – ୧୨୬ ॥

 

ଯୁଧିଷ୍ଠିର କହିଲେ–ହେ ମହାବ୍ରହ୍ମନ୍‌ ! ତ୍ରିଲୋକବିଶ୍ରୁତ ଯୁବନାଶ୍ୱ ରାଜାଙ୍କର ପୁତ୍ର ରାଜଶାର୍ଦ୍ଦୂଳ ମାନ୍ଧାତାଙ୍କର ଜନ୍ମ କିପରି ହେଲା, କହିବା ହେଉନ୍ତୁ । ଏହି ତ୍ରିଲୋକ ଯେପରି ବିଷ୍ଣୁଙ୍କର ବଶବର୍ତ୍ତୀ, ତଦ୍ରୂପ ମାନ୍ଧାତାଙ୍କର ମଧ୍ୟ ବଶୀଭୂତ ହୋଇଥିଲା । ଅପରିମିତ ତେଜସ୍ୱୀ ସେହି ମହାରାଜା କି ରୂପେ ଯଜ୍ଞାଚରଣଦ୍ୱାରା ପୁଣ୍ୟର ପରାକାଷ୍ଠା ଲାଭ କରିଥିଲେ, ତାହା କହିବା ହେଉନ୍ତୁ ।୨। କି କାରଣରୁ ସେହି ଇନ୍ଦ୍ରସମ ତେଜସ୍ୱୀ ବୁଦ୍ଧିମାନ ପୁରୁଷ ମାନ୍ଧାତାଙ୍କର ନାମ ଖ୍ୟାତ ହୋଇଥିଲା, ଏହିସବୁ ବିବରଣ ଆପଣଙ୍କ ନିକଟରୁ ଶ୍ରବଣ କରିବା ନିମିତ୍ତ ଆମ୍ଭର ଅତିଶୟ ଅଭିଳାଷ ହୋଇଅଛି । ଆପଣ ମଧ୍ୟ ସେହି ଅଦ୍ୱିତୀୟ ବୀର୍ଯ୍ୟଶାଳୀ ରାଜାଙ୍କ ଚରିତ ବର୍ଣ୍ଣନା କରିବା ବିଷୟରେ କୁଶଳୀ ଅଟନ୍ତି ।୩।

 

ଲୋମଶ ବୋଇଲେ, ହେ ରାଜନ୍‌ ! ଯେପରି ସେ ମହାତ୍ମାଙ୍କର ନାମ ମାନ୍ଧାତା ବୋଲି ଜଗତରେ ପରିଚିତ ହେଲା, ତାହା ଆପଣ ଅବହିତ ହୋଇ ଶ୍ରବଣ କରନ୍ତୁ । ଆମ୍ଭେ କହୁଅଛୁଁ, ଇକ୍ଷ୍ୱାକୁଙ୍କ ବଂଶରେ ଯୁବନାଶ୍ୱ ନାମରେ ଜଣେ ରାଜା ଥିଲେ । ହେ ମହୀପାଳ ! ସେ ବହୁସଂଖ୍ୟକ ଯଜ୍ଞ କରି ବହୁ ପରିମାଣରେ ଦକ୍ଷିଣା ଦାନ କରିଥିଲେ । ଧର୍ମନିଷ୍ଠାରେ ଅଗ୍ରଗଣ୍ୟ ସେହି ନରପତି ସହସ୍ର ଅଶ୍ୱମେଧ ଯଜ୍ଞ ନିଷ୍ପାଦନ କରି ପରେ ଅପରାପର ପ୍ରଧାନ ପ୍ରଧାନ ବହୁ ଦକ୍ଷିଣା ବହୁ ପ୍ରକାର ବହୁ ସଂଖ୍ୟକ ଯଜ୍ଞମାନଙ୍କୁ ନିଷ୍ପାଦନ କରିଥିଲେ ।୬। ସେହି ମହାତ୍ମା ନରପତିଙ୍କର ଅପତ୍ୟ ନ ଥିଲେ । ତନ୍ନିମିତ୍ତ ସେ କିଛି କାଳ ପରେ ଅମାତ୍ୟମାନଙ୍କଠାର ରାଜ୍ୟଭାର ଅର୍ପଣ କରି ସଂଯତ ଚିତ୍ତରେ ଶାସ୍ତ୍ରୋକ୍ତ ବିଧି ଅନୁସାରେ ପରମାତ୍ମାଙ୍କଠାରେ ଜୀବାତ୍ମାର ସଂଯୋଗ କରି ବନବାସୀ ହେଲେ ।

 

ହେ ରାଜନ୍‌ ! ଏକଦା ସେହି ରାଜା ଯୁବନାଶ୍ୱ ଉପବାସରେ ଅତିଶୟ ପୀଡ଼ିତ ହୋଇ ପିପାସାରେ ଶୁଷ୍କକଣ୍ଠ ହୋଇ ଭାର୍ଗବଙ୍କ ଆଶ୍ରମରେ ଉପନୀତ ହେଲେ । ହେ ରାଜେନ୍ଦ୍ର ! ସେହି ରଜନୀରେ ମହର୍ଷି ମହାତ୍ମା ଭୃଗୁନନ୍ଦନ ଯୁବନାଶ୍ୱ ରାଜାଙ୍କର ସନ୍ତାନୋତ୍ପତ୍ତି ନିମିତ୍ତ ଯଜ୍ଞ ନିର୍ବାହ କରିଥିଲେ । ସେହି ଯଜ୍ଞରେ ପୂର୍ବରୁ ଗୋଟିଏ ବୃହତ୍ କଳଶରେ ଋଷିମାନେ ମନ୍ତ୍ରପୂତ ଜଳ ସଞ୍ଚିତ କରିଥିଲେ । ସେହି ଜଳପାନ କଲେ ମହିଷୀଙ୍କର ଇନ୍ଦ୍ରତୁଲ୍ୟ ପୁତ୍ର ଜାତ ହୁଅନ୍ତା ।୧୧। ଯଜ୍ଞକାରୀ ମହାଋଷିମାନେ ସେହି କଳଶକୁ ବେଦୀ ମଧ୍ୟରେ ରଖି ରାତ୍ରି ଜାଗରଣରେ ଶ୍ରାନ୍ତ ହୋଇ ଶୟନ କରିଥିଲେ । ହେ ନୃପ ! ଏହି ଅବସରରେ ଯୁବନାଶ୍ୱ ପିପାସାରେ ଆର୍ତ୍ତ ହୋଇ ଶୁଷ୍କକଣ୍ଠ ଓ ଶ୍ରାନ୍ତ ହୋଇ ସୁପ୍ତ ଋଷିମାନଙ୍କୁ ଅତିକ୍ରମ କରି ଆଶ୍ରମରେ ପ୍ରବେଶପୂର୍ବକ ପାନୀୟ ପ୍ରାର୍ଥନା କଲେ ।୧୩। କିନ୍ତୁ ଯେତେବେଳେ ତାହାଙ୍କର ଶ୍ରାନ୍ତି ଓ ଶୋଷ ହେତୁରୁ କଣ୍ଠସ୍ୱର ଅତି କ୍ଷୀଣ ପକ୍ଷୀସ୍ୱର ପ୍ରାୟ ମୃଦୁ ହୋଇଥିବାରୁ କେହି ତାହାଙ୍କର କଥାକୁ ଶ୍ରବଣ କରିପାରିଲେ ନାହିଁ ।୧୪। ପରନ୍ତୁ ରାଜା ସେହି ଜଳପୂର୍ଣ୍ଣ କଳଶକୁ ଦେଖିବାକୁ ପାଇ ତନ୍ନିକଟକୁ ଦ୍ରୁତ ଗମନ କରି ତତ୍ରସ୍ଥିତ ଜଳକୁ ଆକଣ୍ଠ ପାନ କରି ଅବଶିଷ୍ଟ ଯାହା ରହିଲା, ତାକୁ ଫିଙ୍ଗି ଦେଲେ ।୧୫। ନରପତି ବୁଦ୍ଧିମାନ ହୋଇଥିଲେ ହେଁ ପିପାସାତୁର ହୋଇଥିବାରୁ ସେହି ଶୀତଳ ଜଳକୁ ପାନ କରି ପରମ ପରିତୁଷ୍ଟ ହେଲେ ।୧୬।

 

କିୟତ୍‌କ୍ଷଣ ପରେ ତପୋଧନ ମୁନିଗଣ ଜାଗରିତ ହେଲେ ଓ ସେମାନେ ସମସ୍ତେ ଆସି ଦେଖିଲେ ଯେ କଳଶରେ ଜଳ ନାହିଁ, ଏହା ଶୂନ୍ୟ ହୋଇଅଛି ।୧୭। ଅନନ୍ତର ପରସ୍ପର ମିଳିତ ହୋଇ ପଚାରିଲେ, ଏ କର୍ମ କିଏ କଲା ? ଯୁବନାଶ୍ୱ ସତ୍ୟ ପ୍ରତିପାଦନ କରି କହିଲେ, ଏହି କର୍ମକୁ ଆମ୍ଭେ କରିଅଛୁଁ ।୧୮। ତାହା ଶୁଣି ଭଗବାନ ଭାର୍ଗବ କହିଲେ, ଏ କାର୍ଯ୍ୟଟି ନିତାନ୍ତ ଅଯୁକ୍ତ ହୋଇଅଛି । ସନ୍ତାନ ନିମିତ୍ତ କଳଶ ମଧ୍ୟରେ ସେହି ଜଳ ତପସ୍ୟାଦ୍ୱାରା ସମ୍ଭୂତ ହୋଇଥିଲା ।୧୯। ହେ ରାଜର୍ଷେ ! ତୁମ୍ଭେ ମହାବଳ ପରାକ୍ରାନ୍ତ ଅଟ । ଆପଣଙ୍କ ପୁତ୍ର ହେବା ନିମିତ୍ତ ଆମ୍ଭେ ଦାରୁଣ ତପସ୍ୟା କରି ଏହି କଳଶ ମଧ୍ୟରେ ବ୍ରହ୍ମକୁ ଆହିତ କରିଥିଲୁ ।୨୦। ସ୍ୱକୀୟ ବୀର୍ଯ୍ୟଦ୍ୱାରା ଏହି ବୀର୍ଯ୍ୟ ଇନ୍ଦ୍ରଙ୍କୁ ସୁଦ୍ଧା ଯମାଳୟକୁ ପ୍ରେରଣ କରିପାରନ୍ତି । ଏପରି ମହାବଳବୀର୍ଯ୍ୟସମ୍ପନ୍ନ ଓ ତପୋବଳସମନ୍ୱିତ ପୁତ୍ର ଯାହାଦ୍ୱାରା ଉତ୍ପନ୍ନ ହୁଅନ୍ତା, ତାଦୃଶ ବିଧି ଅନୁସାରେ ସେ ଜଳକୁ ଉପପାଦିତ କରିଥିଲୁ । କିନ୍ତୁ ଅଦ୍ୟ ଆପଣ ସେହି ଜଳକୁ ଭକ୍ଷଣ କରିବାରୁ ନିତାନ୍ତ ଅଯୁକ୍ତ କର୍ମ କରିଅଛନ୍ତି ।୨୨। ଯାହା ହୋଇଅଛି, ତାହା ଅନ୍ୟଥା କରିବାକୁ ଆମ୍ଭମାନଙ୍କର ସାଧ୍ୟ ନାହିଁ । ଆପଣ ଯେ ଏହି କର୍ମ କରିଅଛନ୍ତି, ଏହା ଯେ ଦୈବକୃତ, ତାହା ଅବଶ୍ୟ ସ୍ୱୀକାର କରିବାକୁ ହେବ ।୨୩।

 

ହେ ମହାରାଜ ! ଆପଣ ପିପାସିତ ହୋଇ ମଦୀୟ ତପସ୍ୟା ପ୍ରଭାବଦ୍ୱାରା ସମ୍ଭୂତ ଓ ବିବିଧ ମନ୍ତ୍ରଦ୍ୱାରା ପବିତ୍ରୀକୃତ ଯେଉଁ ଉଦକକୁ ଆପଣ ପାନ କରିଅଛନ୍ତି, ତଦ୍ଦ୍ୱାରା ଆପଣ ତାଦୃଶ ବଳବୀର୍ଯ୍ୟଶାଳୀ ପୁତ୍ର ଉତ୍ପନ୍ନ କରିବା ହେବେ । ଯଦ୍ଦ୍ୱାରା ଆପଣ ତାଦୃଶ ପୁତ୍ର ଉତ୍ପାଦନ କରିପାରିବେ, ତଦ୍ ବିଷୟରେ ଆମ୍ଭେମାନେ ପରମ ଅଦ୍ଭୁତ ଇଷ୍ଟିବିଧାନ କରିବୁ । ତଦ୍ଦ୍ୱାରା ଆପଣ ଗର୍ଭଧାରଣକଷ୍ଟ ପ୍ରାପ୍ତ ହେବେ ନାହିଁ ।୨୬।

 

ପରେ ଶତ ବର୍ଷ ପୂର୍ଣ୍ଣ ହୁଅନ୍ତେ, ସୂର୍ଯ୍ୟଙ୍କ ପ୍ରାୟ ଗୋଟିଏ ମହାତେଜସ୍ୱୀ ପୁତ୍ର ମହାତ୍ମା ଯୁବନାଶ୍ୱଙ୍କ ବାମପାର୍ଶ୍ୱ ଭେଦ କରି ନିର୍ଗତ ହେଲେ । ଏଥିରେ ଆଶ୍ଚର୍ଯ୍ୟର କଥା ଏହି ଯେ ତଦ୍ଦ୍ୱାରା ଯୁବନାଶ୍ୱଙ୍କର ମୃତ୍ୟୁ ହେଲା ନାହିଁ ।୨୮। ଅତଃପର ମହାତେଜା ମହେନ୍ଦ୍ର ସେହି ଶିଶୁକୁ ଦେଖିବାକୁ ଆଗମନ କଲେ । ଦେବତାମାନେ ସମସ୍ତେ ଏକତ୍ର ହୋଇ ପ୍ରଶ୍ନ କଲେ, ଏହି ଶିଶୁଟି କଅଣ ପାନ କରି ଜୀବନଧାରଣ କରିବ ? ୨୯। ଦେବଗଣଙ୍କ ବାକ୍ୟ ଶ୍ରବଣ କରି ଇନ୍ଦ୍ର ସେହି ବାଳକର ମୁଖରେ ପ୍ରଦେଶିନୀ ଅଙ୍ଗୁଳିକୁ ନିହିତ କରି କହିଲେ, ମାନ୍ଧାସ୍ୟତି ମୋତେ ଦାନ କରିବେ । ଏହା କହନ୍ତେ ଦେବତାମାନେ ସମସ୍ତେ ଓ ଇନ୍ଦ୍ର ମଧ୍ୟ ସେହି ଶିଶୁର ନାମ ମାନ୍ଧାତା ରଖିଲେ ।୩୦।

 

ହେ ରାଜନ୍‌ ! ସେହି ଶିଶୁ ଇନ୍ଦ୍ରଙ୍କ ପ୍ରଦତ୍ତ ତର୍ଜନୀ ଅଙ୍ଗୁଳିକୁ ଆସ୍ୱାଦନ କରି ମହାତେଜସ୍ୱୀ ହେଲେ ଓ ତାହାଙ୍କର ପରିମାଣ ତ୍ରୟୋଦଶ କିଷ୍କୁ * ହେଲା ।୩୨। ହେ ମହାରାଜ ! ସେ ଧ୍ୟାନ କଲାକ୍ଷଣି ଧନୁର୍ବେଦମାନେ ତାହାଙ୍କୁ ସ୍ଫୁରିଲେ ଓ ସର୍ବପ୍ରକାର ଦେବ ଅସ୍ତ୍ର ସ୍ୱୟଂ ଆସି ଉପସ୍ଥିତ ହେଲେ ।୩୩। ଆଜଗବ ଧନୁ, ଶୃଙ୍ଗୋଦ୍ଭବ ଶର ଓ ଅଭେଦ୍ୟ କବଚ ତାହାଙ୍କର ଆଶ୍ରୟ ନେଲେ ।୩୪। ହେ ଭାରତ ! ବିଷ୍ଣୁ ଯେପରି ତ୍ରିଭୁବନକୁ ଜୟ କରନ୍ତି, ସେହିପରି ମାନ୍ଧାତାଙ୍କୁ ଇନ୍ଦ୍ର ଅଭିଷିକ୍ତ କରିବାରୁ ସେ ତ୍ରିଲୋକକୁ ଜୟ କଲେ ।୩୫। ସେ ମହାତ୍ମାଙ୍କର ଆଜ୍ଞା ଅପ୍ରତିହତ ହୋଇ ତିନି ଲୋକରେ ପ୍ରଚାରିତ ହେଲା । ରତ୍ନମାନେ ଆସି ସେହି ରାଜର୍ଷିଙ୍କୁ ଉପାସନା କଲେ ।୩୬। ହେ ବସୁଧାଧିପତେ ! ଏହି ବସୁପୂର୍ଣ୍ଣା ବସୁନ୍ଧରା ତାହାଙ୍କର ହେଲା । ଅପରିମିତ ତେଜସ୍ୱୀ ସେହି ରାଜର୍ଷି ଭୂରି ଦକ୍ଷିଣା ସହିତ ବହୁସଂଖ୍ୟକ ଯଜ୍ଞ ସମ୍ପାଦନ କରିଥିଲେ । ସେହି ହେତୁରୁ ପୁଣ୍ୟବଳରେ ସେ ଇନ୍ଦ୍ରଙ୍କର ଅର୍ଦ୍ଧାସନ ଲାଭ କଲେ ।୩୮। ହେ ମହାରାଜ ! ସେହି ଧର୍ମିଷ୍ଠ ଧୀମାନ ମହୀପାଳ ଏକାଦିନକେ ସାଗର ଓ ନଗରସମୂହ ସହିତ ସମଗ୍ର ଧରାମଣ୍ଡଳକୁ ଜୟ କରିଥିଲେ ।୩୯। ହେ ମହାରାଜ ! ସେ ଦକ୍ଷିଣାଯୁକ୍ତ ଯଜ୍ଞସମ୍ପନ୍ନ କରି ଚୈତ୍ୟମାନଙ୍କୁ ରୋପଣ କରିଥିଲେ, ତଦ୍ଦ୍ୱାରା ପୃଥିବୀର ଚତୁଃପାର୍ଶ୍ୱ ପରିପୂର୍ଣ୍ଣ ହୋଇ ଆଉ ଅନାବୃତ୍ତ ସ୍ଥାନ ନ ଥିଲା ।୪୦। ଲୋକରେ କହନ୍ତି ଯେ ସେ ମହାତ୍ମା ଦଶ ସହସ୍ର ପଦ୍ମସଂଖ୍ୟକ ଗୋଦାନ କରିଥିଲେ ।୪୧। ଏକଦା ଦ୍ୱାଦଶ ବର୍ଷ ଅନାବୃଷ୍ଟି ହେଲା । ସେ ମହାତ୍ମା ଇନ୍ଦ୍ରଙ୍କ ସାକ୍ଷାତ୍‌ରେ ଶସ୍ୟବୃଦ୍ଧି ନିମିତ୍ତ ବାରି ବର୍ଷଣ କଲେ ।୪୨। ସୋମବଂଶୋଦ୍ଭବ ଗାନ୍ଧାର ଦେଶର ଅଧିପତି ତାହାଙ୍କ ଶରାଘାତରେ ମେଘସଦୃଶ ଗର୍ଜନ କରି ପ୍ରାଣ ବିସର୍ଜନ କଲେ ।୪୩। ଅପରିମିତ ତେଜସ୍ୱୀ ସେହି ମହାରାଜ ମାନ୍ଧାତା ଯତ୍ନପୂର୍ବକ ଚାରି ବର୍ଣ୍ଣର ପ୍ରଜାମାନଙ୍କର ରକ୍ଷଣାବେକ୍ଷଣ କରିଥିଲେ ଓ ନିଜ ତପସ୍ୟାର ପ୍ରଭାବରେ ଲୋକମାନଙ୍କୁ ସଂସ୍ଥାପନା କରିଥିଲେ ।୪୪। ହେ ମହାରାଜ ! ଦେଖିବା ହେଉନ୍ତୁ, ଏହି କୁରୁକ୍ଷେତ୍ର ମଧ୍ୟବର୍ତ୍ତୀ ପୁଣ୍ୟତମ ଦେଶରେ ସେହି ସୂର୍ଯ୍ୟ ସଦୃଶ ତେଜସ୍ୱୀ ମହାରାଜ ମାନ୍ଧାତାଙ୍କର ଯଜନ ସ୍ଥାନ ଦୃଶ୍ୟ ହେଉଅଛି ।୪୫। ଆପଣ ମାନ୍ଧାତାଙ୍କର ଜନ୍ମବୃତ୍ତାନ୍ତ ଯାହା ପଚାରିବା ହୋଇଥିଲେ, ତାହା ଆମ୍ଭେ ସମୁଦାୟ କୀର୍ତ୍ତନ କଲୁ ।୪୬। ବୈଶମ୍ପାୟନ ବୋଇଲେ, ହେ ଭାରତ ! ମହର୍ଷି ଲୋମଶ ଯୁଧିଷ୍ଠିରଙ୍କୁ ଏହି ପ୍ରକାରେ କହନ୍ତେ ଯୁଧିଷ୍ଠିର ପୁନର୍ବାର ଲୋମଶଙ୍କୁ ସୋମକ ରାଜାଙ୍କର ବୃତ୍ତାନ୍ତ ପ୍ରଶ୍ନ କଲେ ।

 

[* କିଷ୍କୁହସ୍ତେ ବିତସ୍ତୌଚ ଇତି ଅମରକୋଷ । ହାତ ଅଥବା ବିତସ୍ତିକୁ କିଷ୍କୁ କୁହାଯାଏ । ବିତସ୍ତିର ନାମ ଖଣ୍ଡେ ବା ଅର୍ଦ୍ଧହାତ । ଶିଶୁର ଉଚ୍ଚ ୧୩ ଖଣ୍ଡ ଅଥବା ସାର୍ଦ୍ଧ ଛଅ ହସ୍ତ ।]

 

॥ ଅଧ୍ୟାୟ – ୧୨୭ ॥

 

ଯୁଧିଷ୍ଠିର ବୋଇଲେ–ହେ କଥକମଣି ! ରାଜା ସୋମକଙ୍କର ବଳ କିପରି ଥିଲା ? ତାହାଙ୍କର କୀର୍ତ୍ତି ଓ ପ୍ରଭାବ ବିସ୍ତାରପୂର୍ବକ ବର୍ଣ୍ଣନା କରନ୍ତୁ । ଆମ୍ଭର ଶ୍ରବଣ କରିବା ପାଇଁ ଇଚ୍ଛା ହୋଇଅଛି ।

 

ଲୋମଶ ବୋଇଲେ–ହେ ମହାରାଜ ! ତାହାଙ୍କର ଆତ୍ମା ସଦୃଶୀ ଏକ ଶତ ଧର୍ମପତ୍ନୀ ଥିଲେ ।୨। ବହୁ କାଳରେ ଓ ବହୁ ଯତ୍ନରେ ସୁଦ୍ଧା ସେହି ଭାର୍ଯ୍ୟାଙ୍କଠାରୁ ଗୋଟିଏ ହେଲେ ପୁତ୍ର ଜାତ ହୋଇନଥିଲେ । ବହୁଦିନ ଅନ୍ତେ ସେହି ଶତ ପତ୍ନୀଙ୍କଠାରୁ ତାହାଙ୍କର ଗୋଟିଏ ମାତ୍ର ପୁତ୍ର ଜାତ ହେଲା । ତାହାର ନାମ ଜନ୍ତୁ ।୪। ରାଣୀମାନେ ନିଜ ନିଜ ଭୋଗବିଳାସ ପ୍ରତି ମନୋଯୋଗୀ ନ ହୋଇ ସର୍ବଦା ସେହି ପୁତ୍ରଟିର ଲାଳନପାଳନ କରିବାରେ ପ୍ରବୃତ୍ତ ଥିଲେ । ଏକଦା ସେହି ବାଳକର ନିତମ୍ବ ଦେଶରେ ଗୋଟିଏ ପିପିଲିକା ଦଂଶନ କଲା । ତହିଁରେ ସେ ବାଳକ ବ୍ୟଥିତ ହୋଇ ରୋଦନ କଲା । ରାଜମହିଷୀମାନେ ପୁତ୍ରର କ୍ଳେଶ ଦେଖି ଅତିଶୟ ଦୁଃଖିତ ହୋଇ ସେହି ବାଳକକୁ ବେଷ୍ଟନ କରି ଏପରି ଶବ୍ଦରେ ରୋଦନ କଲେ ଯେ ସେହି ମିଳିତ ଶବ୍ଦ ଅତିଶୟ ହେଲା ।୭। ମହୀପତି ସୋମକ ସଭା ମଧ୍ୟରେ ମନ୍ତ୍ରୀ ଓ ପୁରୋହିତଙ୍କଦ୍ୱାରା ପରିବୃତ୍ତ ହୋଇ ବସିଥିଲେ; ହଠାତ୍ ସେହି ଆର୍ତ୍ତସ୍ୱର ଶ୍ରବଣ କରି ତାହାର କାରଣ ଅବଗତ ହେବା ନିମିତ୍ତ ଦ୍ୱାରୀକୁ ପ୍ରେରଣ କଲେ । ଦ୍ୱାରୀ ତାହା ଜାଣି ଆସି କହିଲା ଯେ ରାଜକୁମାରଙ୍କୁ ପିମ୍ପୁଡ଼ି କାମୁଡ଼ିବାରୁ ରାଣୀମାନେ ତାଦୃଶ ଚିତ୍କାର ସ୍ୱରରେ ରୋଦନ କରିଥିଲେ ।୯। ଅରିହନ୍ତା ରାଜର୍ଷି ସୋମକ ତାହା ଶୁଣି ସତ୍ୱର ଗାତ୍ରୋତ୍‌ଥାନ କରି ଅମାତ୍ୟମାନଙ୍କ ସହିତ ଅନ୍ତଃପୁରରେ ପ୍ରବେଶ କରି ପୁତ୍ରଙ୍କୁ ସାନ୍ତ୍ୱନା ଦେଲେ ।୧୦।

 

ହେ ମହୀପାଳ ! ତତ୍‍ପରେ ଅନ୍ତଃପୁରରୁ ନିଷ୍କ୍ରାନ୍ତ ହୋଇ ପୁରୋହିତ ଓ ଅମାତ୍ୟଙ୍କ ସହ ପୁନର୍ବାର ରାଜସଭାରେ ଉପବିଷ୍ଟ ହେଲେ ।୧୧। ତଦନନ୍ତର ଋତ୍ୱିକଙ୍କୁ ସମ୍ବୋଧନ କରି କହିଲେ, ହେ ବ୍ରହ୍ମନ୍‌ ! ଏହି ସଂସାରରେ ଯାହାର ଗୋଟିଏ ପୁତ୍ର ଥାଏ, ତାହାକୁ ଧିକ୍‌ ! ବରଂ ପୁତ୍ର ନ ହେବା ଭଲ; କିନ୍ତୁ ଏକ ପୁତ୍ର ହେବା ଭଲ ନୁହେଁ । ତାହାର କାରଣ ଏହି ଯେ ପ୍ରାଣୀମାନେ ପ୍ରାୟ ସର୍ବଦା ଆତୁର ହୁଅନ୍ତି । ଅତଏବ ଯାହାର ଗୋଟିଏ ପୁତ୍ର, ସେ ଅବଶ୍ୟ ଶୋକଭାଜନ ହୁଏ ।୧୨। ହେ ପ୍ରଭୋ ! ପୁତ୍ରାଭିଳାଷରେ ଆମ୍ଭେ ଉତ୍ତମ ରୂପେ ବାଛିକରି ଆମ୍ଭର ଯୋଗ୍ୟ ଏକଶତ ଭାର୍ଯ୍ୟାଙ୍କୁ ବିବାହ କରିଥିଲୁ; କିନ୍ତୁ ସେମାନଙ୍କର ସନ୍ତାନ ହେଲା ନାହିଁ ।୧୩। ହେ ଦ୍ୱିଜସତ୍ତମ ! ପୁତ୍ର ନିମିତ୍ତ ସେହି ରାଣୀମାନେ ବିଶେଷ ଯତ୍ନ କଲେ ହେଁ ଏହି ଗୋଟିଏ ମାତ୍ର ସନ୍ତାନ ହେଲା; ଆଉ ହେଲା ନାହିଁ । ଏବେ ଆମ୍ଭର ଓ ଆମ୍ଭ ସ୍ତ୍ରୀମାନଙ୍କର ବୟସ ଅତୀତ ହୋଇଅଛି । ସୁତରାଂ ଏହି ଗୋଟିଏ ପୁତ୍ର ପ୍ରତି ଆମ୍ଭ ସମସ୍ତଙ୍କର ଜୀବନ ନିର୍ଭର କରୁଅଛି । ଅତଏବ ଏପରି ଯଦି କୌଣସି କର୍ମ ଥାଏ, ଯଦ୍ଦ୍ୱାରା ଆମ୍ଭର ଏକ ଶତ ପୁତ୍ର ହୁଏ, ତେବେ ସେ କର୍ମ ସାନ ହେଉ ବା ବଡ଼ ହେଉ ସୁକର ହେଉ ବା ଦୁଷ୍କର ହେଉ, ସେହି କର୍ମ ଆମ୍ଭର କର୍ତ୍ତବ୍ୟ ।୧୬।

 

ଋତ୍ୱିକ କହିଲେ–ହେ ସୋମକ ! ଯେଉଁ କର୍ମଦ୍ୱାରା ତୁମ୍ଭର ଏକ ଶତ ପୁତ୍ର ଜନ୍ମିପାରେ,ଏପରି କର୍ମ ଅଛି । ଯଦି ଆପଣ ତାହା ନିର୍ବାହ କରିପାରିବେ, ତେବେ ଆମ୍ଭେ ତାହା କୀର୍ତ୍ତନ କରିବୁଁ । ସୋମକ କହିଲେ– ଭଗବନ୍‌ ! ସୁସାଧ୍ୟ ହେଉ ବା ଦୁସାଧ୍ୟ ହେଉ, ଯେଉଁ କର୍ମଦ୍ୱାରା ଶତପୁତ୍ର ଜନ୍ମିବେ, ସେ କର୍ମ ଆମ୍ଭେ ନିଶ୍ଚୟ କଲୁ ବୋଲି ଜାଣିବା ହେଉନ୍ତୁ । ଏହା ବୋଧ କରି ଆପଣ ଆମ୍ଭଙ୍କୁ ତାହାର ବୃତ୍ତାନ୍ତ କହିବା ହେଉନ୍ତୁ ।୧୮। ଋତ୍ୱିକ କହିଲେ–ହେ ରାଜନ୍‌-! ଆମ୍ଭେ ଯଜ୍ଞର ଅନୁଷ୍ଠାନ କଲେ ଆପଣ ସ୍ୱୀୟ ପୁତ୍ର ଜନ୍ତୁଙ୍କଦ୍ୱାରା ଯଜନ କରାଇବା ହେବେ-। ତାହାହେଲେ ଅଳ୍ପକାଳ ମଧ୍ୟରେ ଆପଣଙ୍କର ଶତପୁତ୍ର ଜନ୍ମିବେ ଓ ସେ ପୁତ୍ରମାନେ ମଧ୍ୟ ଶ୍ରୀସମ୍ପନ୍ନ ହେବେ । ଜନ୍ତୁଙ୍କର ମେଦଦ୍ୱାରା ହୋମ କଲେ ରାଣୀମାନେ ସେ ଧୂମ ଆଘ୍ରାଣ କରି ଆପଣଙ୍କୁ ଔରସରେ ବଳଶାଳୀ ଶତପୁତ୍ର ଜନ୍ମ କରିବେ ଓ ଆପଣଙ୍କର ଆତ୍ମଜ ଜନ୍ତୁ ପୁନର୍ବାର ସ୍ୱକୀୟ ଜନନୀଙ୍କ ଗର୍ଭରେ ଜାତ ହେବେ । ତାହାଙ୍କ ବାମ ପାର୍ଶ୍ୱରେ ଗୋଟିଏ ସୁବର୍ଣ୍ଣଘଟିତ ଚିହ୍ନ ଲକ୍ଷିତ ହେବ ।୨୧।

 

॥ ଅଧ୍ୟାୟ – ୧୨୮ ॥

 

ସୋମକ କହିଲେ–ହେ ବ୍ରହ୍ମନ୍‌ ! ଯେଉଁ କର୍ମ ଯେପରି କରିବାକୁ ହେବ, ତାହା ଆପଣ ଅନୁଷ୍ଠାନ କରନ୍ତୁ । ପୁତ୍ର କାମନାରେ ଆମ୍ଭେ ଆପଣଙ୍କର ସବୁ ଆଦେଶ ପ୍ରତିପାଳନ କରିବୁଁ ।୧।

 

ଲୋମଶ ବୋଇଲେ–ତଦନନ୍ତର ସୋମକଙ୍କର ପୁତ୍ର ଜନ୍ତୁଦ୍ୱାରା ଋତ୍ୱିକ ଯାଜନ କରିବାକୁ ପ୍ରବୃତ୍ତ ହେଲେ । ତାହା ଦେଖି ଜନ୍ତୁଙ୍କର ମାତାମାନେ ତୀବ୍ର ଶୋକରେ ଆର୍ତ୍ତହୋଇ ଆମ୍ଭେ ମଲୁ ବୋଲି କହି ଉଚ୍ଚ ସ୍ୱରରେ ରୋଦନ କଲେ ଓ ପୁତ୍ରର ଦକ୍ଷିଣହସ୍ତ ଧାରଣ କରି ଆକର୍ଷଣ କଲେ ।୩। ଯାଜକ ପୁରୋଧା ମଧ୍ୟ ସେହି ବାଳକର ବାମହସ୍ତ ଧରି ଟାଣିଲେ । କିନ୍ତୁ ପରିଶେଷରେ ପୁରୋଧା ସେହି ପୁତ୍ରକୁ ରାଜପତ୍ନୀଙ୍କ ନିକଟରୁ ବଳପୂର୍ବକ ଟାଣିଆଣି ବିଧିପୂର୍ବକ ବଧ କରି ତାହାର ମେଦଦ୍ୱାରା ହୋମକାର୍ଯ୍ୟ ସମ୍ପାଦନ କଲେ ।

 

ହେ କୁରୁନନ୍ଦନ ! ପୁତ୍ରର ମେଦ ହୋମ ହୁଅନ୍ତେ, ତାହାର ଗନ୍ଧକୁ ରାଣୀମାନେ ଆଘ୍ରାଣ କରି ଦୁଃଖରେ କାତରା ହୋଇ ସହସା ପୃଥ୍ୱୀତଳରେ ନିପତିତ ହେଲେ । ତଦନନ୍ତର ସେହି ରାଣୀମାନେ ଗର୍ଭବତୀ ହେଲେ ।୬। ହେ ନରନାଥ ! ଦଶ ମାସ ସମ୍ପୂର୍ଣ୍ଣ ହୁଅନ୍ତେ, ରାଜପତ୍ନୀମାନେ ଶତପୁତ୍ର ଜାତ କଲେ ।୭। ତନ୍ମଧ୍ୟରେ ଜନ୍ତୁ ନାମକ ପୁତ୍ର ତାହାର ପୂର୍ବ ଜନନୀଠାରୁ ଉତ୍ପନ୍ନ ହେଲା-। ଜନ୍ତୁ ସେହି ମାତାମାନଙ୍କର ଯେପରି ପ୍ରିୟ ହେଲେ, ତାହାଙ୍କର ନିଜ ନିଜ ପୁତ୍ରମାନେ ତାଦୃଶ ପ୍ରିୟ ହେଲେ ନାହିଁ ।୮। ଋଷିଙ୍କର ପୂର୍ବୋକ୍ତ ବଚନାନୁସାରେ ଜନ୍ତୁଙ୍କର ବାମ ପାର୍ଶ୍ୱରେ ଗୋଟିଏ ସୁବର୍ଣ୍ଣର ଚିହ୍ନ ମଧ୍ୟ ଦୃଶ୍ୟ ହେଲା । ଗୁଣରେ ମଧ୍ୟ ସେ ଶତପୁତ୍ରଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇଥିଲେ ।

 

ମହାରାଜ ! ତତ୍‍ପରେ ସେମାନଙ୍କର ଗୁରୁ ଯଥାସମୟରେ ପରଲୋକ ଗମନ କଲେ । ତତ୍‍ପରେ ସୋମକ ସୁଦ୍ଧା ପରଲୋକ ପ୍ରାପ୍ତ ହେଲେ ।୧୦। ସୋମକ ଯାଇ ଦେଖିଲେ ଯେ ଗୁରୁ ଘୋର ନରକରେ ନିପତିତ ହୋଇ ଯନ୍ତ୍ରଣା ଭୋଗ କରୁଅଛନ୍ତି । ଏହା ଦେଖି ସେ ଗୁରୁଙ୍କୁ ପଚାରିଲେ, ହେ ଦ୍ୱିଜ ! ଆପଣ କି ନିମିତ୍ତ ଏହି ନିରୟ ମଧ୍ୟରେ ପଚ୍ୟମାନ ହେଉଅଛନ୍ତି ? ୧୧। ନରକାଗ୍ନିରେ ଅତିଶୟ ପଚ୍ୟମାନ ସେହି ବ୍ରାହ୍ମଣ ଉତ୍ତର କଲେ, ହେ ରାଜନ୍‌ ! ଆମ୍ଭେ ଯେ ଆପଣଙ୍କର ଯାଜନ କର୍ମ କରିଥିଲୁ, ଏହା ସେହି କର୍ମର ଫଳ ।

 

ରାଜର୍ଷି ସୋମକ ଏହି କଥା ଶ୍ରବଣ କରି ଧର୍ମରାଜଙ୍କୁ କହିଲେ–ଏହି ମହାଭାଗ ଆମ୍ଭର ଯାଜକ ! ଆମ୍ଭ ନିମିତ୍ତ ଏ ନରକାଗ୍ନିରେ ଦଗ୍ଧ ହେଉଅଛନ୍ତି । ଅତଏବ ଏହାଙ୍କ ପରିବର୍ତ୍ତେ ଆମ୍ଭେ ନରକାନଳରେ ପ୍ରବେଶ କରିବୁ, ଏହାଙ୍କୁ ଆପଣ ମୁକ୍ତ କରନ୍ତୁ । ଧର୍ମରାଜ ଉତ୍ତର ଦେଲେ– ହେ ବକ୍ତୃବର ! କର୍ତ୍ତାର କର୍ମଫଳ ଅପର ବ୍ୟକ୍ତି କଦାପି ଉପଭୋଗ କରେ ନାହିଁ । ତୁମ୍ଭର ସତ୍‌କର୍ମର ଫଳସ୍ୱରୂପ ଏହିସବୁ ଶୁଭଲୋକ ପରିଦୃଶ୍ୟ ହେଉଅଛନ୍ତି । ଏହି ସମସ୍ତ ତୁମ୍ଭଙ୍କୁ ଅବଶ୍ୟ ଭୋଗ କରିବାକୁ ହେବ ।୧୪। ସୋମକ ବୋଇଲେ, ହେ ଧର୍ମରାଜ ! ଏହି ବ୍ରାହ୍ମଣକୁ ସଙ୍ଗରେ ନ ନେଇ ପୁଣ୍ୟଲୋକରେ ବାସ କରିବାକୁ ଆମ୍ଭର ଅଭିଳାଷ ନାହିଁ । ସ୍ୱର୍ଗରେ ହେଉ ବା ନରକରେ ହେଉ, ଆମ୍ଭେ ଏହାଙ୍କ ସହିତ ବାସ କରିବାକୁ ଇଚ୍ଛା କରୁଁ । ଯେହେତୁରୁ ଏହାଙ୍କର ଓ ଆମ୍ଭର କର୍ମ ସମାନ-। ଅତଏବ ଆମ୍ଭ ଦୁଇ ଜଣଙ୍କର ପୁଣ୍ୟାପୁଣ୍ୟ ଫଳ ସମାନ ହେଉ ।୧୬। ଧର୍ମରାଜ ବୋଇଲେ, ହେ ରାଜନ୍‌ ! ତୁମ୍ଭର ଯଦି ଏପରି ଅଭିଳାଷ ହୋଇଥାଏ, ତେବେ ତୁମ୍ଭର ଦୁହେଁ ଏକତ୍ର ହୋଇ ଏହି ଫଳକୁ ସମଦିବସାଧି ଭୋଗ କର । ପଶ୍ଚାତ୍ ଏହି ଯାଜକଙ୍କ ସହିତ ସଦ୍‌ଗତି ପ୍ରାପ୍ତ ହେବ-।୧୭। ଲୋମଶ ବୋଇଲେ–ମହାରାଜ ! ଶ୍ରବଣ କରନ୍ତୁ । ଗୁରୁପ୍ରିୟ ରାଜା ସୋମକ ଗୁରୁଙ୍କ ସହିତ ଧର୍ମରାଜଙ୍କ ବଚନାନୁସାରେ ସବୁ ସମ୍ପାଦନ କଲେ । ପରେ କ୍ଷୀଣପାପ ହୋଇ ନରକରୁ ବିମୁକ୍ତ ହେଲେ ଓ ସ୍ୱକୀୟ ସତ୍କର୍ମାର୍ଜିତ ଶୁଭଲୋକମାନଙ୍କୁ ସେହି ବ୍ରହ୍ମବାଦୀ ଗୁରୁଙ୍କ ସହିତ ଭୋଗ କଲେ ।୧୯। ହେ ମହାଭାଗ ! ସମ୍ମୁଖରେ ଏହି ଯେଉଁ ଆଶ୍ରମ ଦୃଶ୍ୟ ହେଉଅଛି, ତାହା ତାଙ୍କର ପୁଣ୍ୟାଶ୍ରମ-। ତହିଁରେ ମନୁଷ୍ୟ ଯେବେ କ୍ଷମାଶୀଳ ହୋଇ ଛଅ ରାତ୍ରି ବାସ କରିବ, ତେବେ ସେ ସଦ୍‌ଗତି ଲାଭ କରିବ । ହେ ରାଜେନ୍ଦ୍ର ! କୁରୁନନ୍ଦନ ! ସେଠାରେ ଆମ୍ଭେମାନେ ମଧ୍ୟ ଛଅ ରାତ୍ରି ସଂଯତ ହୋଇ ସୁସ୍ଥ ଚିତ୍ତରେ ବାସ କରିବା । ଅତଏବ ଆପଣ ସୁସଜ୍ଜିତ ହେଉନ୍ତୁ ।୨୧।

 

॥ ଅଧ୍ୟାୟ – ୧୨୯ ॥

 

ଲୋମଶ କହିଲେ–ମହାରାଜ ! ଏହି ସ୍ଥାନରେ ସ୍ୱୟଂ ପ୍ରଜାପତି ସହସ୍ର ବର୍ଷସାଧ୍ୟ ଇଷ୍ଟୀକୃତ ନାମକ ଯଜ୍ଞକୁ ସମ୍ପାଦନ କରିଥିଲେ । ନାଭାଗ ରାଜାଙ୍କ ତନୟ ଅମ୍ବରୀଷ ମଧ୍ୟ ଏହି ସ୍ଥାନରେ ଯମୁନା ସମୀପରେ ଯଜ୍ଞ କରିଥିଲେ । ଦକ୍ଷିଣାସ୍ୱରୂପ ସେହି ରାଜା ସଦସ୍ୟମାନଙ୍କୁ ଦଶ ପଦ୍ମ ସଂଖ୍ୟକ ଗୋଦାନ କରିଥିଲେ । ରାଜର୍ଷି ଅମ୍ବରୀଷ ଯଜ୍ଞ ଓ ତପସ୍ୟାଦ୍ୱାରା ପରମ ସିଦ୍ଧି ଲାଭ କରିଥିଲେ । ହେ କୌନ୍ତେୟ ! ଏହି ଦେଶ ନହୁଷପୁତ୍ର ଯଯାତି ରାଜାଙ୍କର । ସେ ଅପରିମିତି ତେଜସ୍ୱୀ ସମ୍ରାଟ୍ ଯାଗଶୀଳ ପୁଣ୍ୟକର୍ମା ଥିଲେ ଓ ଯେ ଇନ୍ଦ୍ରଙ୍କ ସହିତ ସତତ ସ୍ପର୍ଦ୍ଧା କରୁଥିଲେ, ତାହାଙ୍କର ଯଜ୍ଞଭୂମି ଏହିଠାରେ ।୪। ଏହି ସ୍ଥାନ ଯଯାତିରାଜାଙ୍କ ଯଜ୍ଞ କର୍ମରେ ସମାକ୍ରାନ୍ତ ହୋଇଥିଲା । ଅଦ୍ୟାବଧି ସେହି ସ୍ଥାନ ଯଜ୍ଞସମ୍ବନ୍ଧୀୟ ଇଷ୍ଟକନିର୍ମିତ ନାନାବିଧାକାର ସ୍ଥଣ୍ଡିଳଦ୍ୱାରା ପରିପୂର୍ଣ୍ଣ ହୋଇ ମଗ୍ନହେଲା ପ୍ରାୟ ରହିଅଛି ।୫। ଏହି ଗୋଟିଏ ଏକପତ୍ରା ଶମୀ ବୃକ୍ଷ ଓ ଏଠାରେ ଗୋଟିଏ ଉତ୍ତମ ସୁରାଗ୍ରହଣ ପାତ୍ର ପତିତ ଅବସ୍ଥାରେ ରହିଅଛି ।

 

ମହାରାଜ ! ପୁନଶ୍ଚ ଦେଖନ୍ତୁ, ରାମହ୍ରଦମାନେ ଓ ନାରାୟଣଙ୍କର ଆଶ୍ରମ ଦୃଷ୍ଟ ହେଉଅଛି-।୬। ଯେ ଯୋଗବଳରେ ପୃଥିବୀ ପର୍ଯ୍ୟଟନ କରନ୍ତି, ସେହି ଅପରିମିତ ତେଜସ୍ୱୀ ଋଚିକ ପୁତ୍ରଙ୍କର ସଞ୍ଚରଣ ଭୂମି ରୌପ୍ୟବର୍ଣ୍ଣ ନଦୀ ସମୀପରେ ବିଦ୍ୟମାନ ରହିଅଛି, ଦୃଷ୍ଟିପାତ କରନ୍ତୁ ।୭। ହେ କୁରୁନନ୍ଦନ ! ଏହି ସ୍ଥାନର ପରମ୍ପରାଗତ ଗୋଟିଏ ଆଖ୍ୟାନ ଅଛି, ଶୁଣନ୍ତୁ । ଏଠାରେ ଗୋଟିଏ ପିଶାଚୀ ଥିଲା । ତାହାର କର୍ଣ୍ଣଭୂଷଣ ଉଲ୍ୱଖଳ ସଦୃଶ । ଗୋଟିଏ ବ୍ରାହ୍ମଣୀ ପୁତ୍ରକୁ ସଙ୍ଗରେ ଘେନି ସେ ତୀର୍ଥରେ ସ୍ନାନ କରିବାକୁ ଆସିଥିଲା । ସେ ବ୍ରାହ୍ମଣୀକୁ ପିଶାଚୀ ଯାହା କହିଥିଲା, ତାହା ଆମ୍ଭେ କହୁଅଛୁଁ, ଶ୍ରବଣ କରନ୍ତୁ ।

 

ଯେଉଁ ସ୍ଥାନରେ ଉଷ୍ଟ୍ରୀ ଅଥବା ଗର୍ଦ୍ଦଭୀର ଦୁଗ୍ଧରେ ଦଧି ହୋଇଥାଏ, ସେହି ସ୍ଥାନର ଦଧି ତୁମ୍ଭେ ଭକ୍ଷଣ କରିଅଛ ? ଯେଉଁ ଗ୍ରାମରେ ସଙ୍କର ଜାତିର ବାସ, ସେ ଗ୍ରାମରେ କ’ଣ ତୁମ୍ଭେ ବାସ କର ଅଥବା ଯେଉଁ ନଦୀରେ ଦସ୍ୟୁମାନେ ମନୁଷ୍ୟକୁ ବଧକରି ଅଗ୍ନିରେ ଦଗ୍ଧ ନ କରି ନିକ୍ଷେପ କରନ୍ତି, ସେ ନଦୀରେ କ’ଣ ତୁମ୍ଭେ ସ୍ନାନ କରିଅଛ ? ଯଦି ଏହିସବୁ ଦୋଷ କରିଥାଅ, ତେବେ ସେ ପାପ କ୍ଷୀଳନାର୍ଥ ଏଠାରେ ବାସ କରିପାର । ସେହିସବୁ ଦୋଷ କରି ନ ଥିଲେ ଏଠାରେ ଏକ ରାତ୍ରିରୁ ଅଧିକ କାଳ ବାସ କରିବାର ଅଧିକାର ନାହିଁ । ଅତଏବ ତୁମ୍ଭେ ଯେବେ ଉକ୍ତ ଦୋଷତ୍ରୟ କରି ନ ଥାଅ ଓ ଏକ ରାତ୍ରି ବାସକରି ଦ୍ୱିତୀୟ ରାତ୍ରି ବାସ କର, ତେବେ ଦିବସରେ ଯେଉଁ ଅନିଷ୍ଟ କଲି ରାତ୍ରିରେ ତହିଁରୁ ଅଧିକ ଅନ୍ୟ ପ୍ରକାର ଅନିଷ୍ଟ କରିବି* ।୧୦। ଅତଏବ ! ହେ ଭରତ ସତ୍ତମ ! ଆମ୍ଭେମାନେ ଏଠାରେ ଅଦ୍ୟ ଏକ ରାତ୍ର ବାସ କରିବା ।

 

[*ଯେଉଁମାନେ ପବିତ୍ର ସେମାନଙ୍କ ପକ୍ଷରେ ଏଠାରେ ଏକ ରାତ୍ରି ବାସ କରିବା ଯଥେଷ୍ଟ-। ଏହି ଉଦେ୍ଦଶ୍ୟରେ ସେ ଆଖ୍ୟାୟିକା ପ୍ରସିଦ୍ଧ ଅଛି । କୌଣସି ସମୟରେ ଗୋଟିଏ ବ୍ରାହ୍ମଣୀ ଆପଣାର ସେହି ଗୋଟିକ ପୁତ୍ରକୁ ସଙ୍ଗରେ ଘେନି ସ୍ନାନ କରିବାକୁ ଆସିଥିଲା, ସେହି ସମୟରେ ଗୋଟିଏ ପିଶାଚୀ ସେ ତୀର୍ଥର ରକ୍ଷଣାବେକ୍ଷଣ କରୁଥିଲା । ବ୍ରାହ୍ମଣୀକୁ ଦେଖି ପିଶାଚୀ ଉକ୍ତ ପ୍ରକାର କହିଲା, କିନ୍ତୁ ବ୍ରାହ୍ମଣୀ ତାହା କଥାର କୌଣସି ଉତ୍ତର ନ ଦେଇ ସ୍ନାନାଦି କଲା । ଏଥିରେ କ୍ରୋଧକରି ବ୍ରାହ୍ମଣୀର ଘଟକଳସୀ ଭାଙ୍ଗି ପକାଇଲା ଓ କହିଲା, ତୁମ୍ଭେ ଏ ତୀର୍ଥରେ ବାସ କରିବାର ଅନୁପଯୁକ୍ତା ହୋଇ ଯେବେ ଏଠାରେ ଦ୍ୱିତୀୟ ରାତ୍ରି ବାସ କର, ତେବେ ତୁମ୍ଭର ଓ ତୁମ୍ଭ ପୁଅର ପ୍ରାଣ ସଂହାର କରିବି । ଏହି କାରଣରୁ ଏ ତୀର୍ଥରେ ଏକ ରାତ୍ରିରୁ ଅଧିକ ଦିନ ବାସ କରିବାର ନୁହେଁ ।]

 

ହେ କୁରୁନନ୍ଦନ ! ଏହି ତୀର୍ଥଟି କୁରୁକ୍ଷେତ୍ରର ଦ୍ୱାରସ୍ୱରୂପ ।୧୨। ଏହି ସ୍ଥାନରେ ରାଜା ଯଯାତି ଗୋଟିଏ ବୃହତ୍ ଯଜ୍ଞ କରିଥିଲେ, ଯହିଁରେ ସେ ଭୂରି ପରିମାଣରେ ରତ୍ନ ଦକ୍ଷିଣା ଦେଇଥିଲେ । ସେହି ଯଜ୍ଞଦ୍ୱାରା ଇନ୍ଦ୍ରଙ୍କର ଅତିଶୟ ହର୍ଷ ଜାତ ହୋଇଥିଲା । ହେ ବସ୍ତ୍ର ! ଏହି ଯମୁନାତୀର୍ଥ ପ୍ଳକ୍ଷାବତରଣ ଅତି ଉତ୍କୃଷ୍ଟ ତୀର୍ଥ । ମନୀଷୀମାନେ ଏହି ସ୍ଥାନକୁ ସ୍ୱର୍ଗର ଦ୍ୱାର ବୋଲି ବୋଲନ୍ତି ।୧୩। ପରମର୍ଷିମାନେ ଏହି ସ୍ଥାନରେ ସାରସ୍ୱତ ଯଜ୍ଞ ନିଷ୍ପାଦନ କରି ଯୂପ ଓ ଉଲ୍ୱଖଲ ଗ୍ରହଣ କରି ଅବହୁତ ସ୍ନାନ କରନ୍ତି ।୧୪। ଭରତରାଜା ଧର୍ମଦ୍ୱାରା ପୃଥ୍ୱୀଲାଭ କରି ଏହି ତୀର୍ଥରେ ବହୁସଂଖ୍ୟକ ଯଜ୍ଞ ବିଧାନ କରିଥିଲେ । ସେ ବାରମ୍ବାର ଅଶ୍ୱମେଧ ଯଜ୍ଞ କରିଥିଲେ । କୃଷ୍ଣସାର ମୃଗପ୍ରାୟ କୃଷ୍ଣବର୍ଣ୍ଣ ଅଶ୍ୱକୁ ସେହି ଯଜ୍ଞରେ ଛାଡ଼ୁଥିଲେ ।୧୫। ପୁନର୍ବାର ମରୁତରାଜା ମଧ୍ୟ ସମ୍ବର୍ତ୍ତ ଋଷିଙ୍କଦ୍ୱାରା ପରିପାଳିତ ହୋଇ ସେଠାରେ ଉତ୍ତମ ଯଜ୍ଞମାନଙ୍କୁ ଆହରଣ କରିଥିଲେ । ହେ ରାଜେନ୍ଦ୍ର ! ମନୁଷ୍ୟ ଯେବେ ଏହି ସ୍ଥାନରେ ସ୍ନାନ କରେ, ତେବେ ସେ ସବୁଲୋକକୁ ଦର୍ଶନ କରିପାରେ ଓ ସର୍ବପାପରୁ ବିମୁକ୍ତ ହୋଇପାରେ । ଅତଏବ ଆପଣ ଏହି ସ୍ଥାନରେ ଅବଗାହନ କରନ୍ତୁ ।୧୭।

 

ବୈଶମ୍ପାୟନ ବୋଇଲେ–ପାଣ୍ଡବଶ୍ରେଷ୍ଠ ଯୁଧିଷ୍ଠିର ଭ୍ରାତାମାନଙ୍କୁ ସଙ୍ଗରେ ଘେନି ସେଠାରେ ସ୍ନାନ କଲେ । ତତ୍କାଳରେ ମହର୍ଷିମାନେ ଆସି ତାହାଙ୍କର ସ୍ତବ କଲେ ଓ ଲୋମଶଙ୍କୁ କହିଲେ, “ହେ ସତ୍ୟପ୍ରଭାବ ! ମହର୍ଷେ ! ଆମ୍ଭେ ଏହି ସ୍ଥାନରେ ଥାଇ ସବୁ ଭୁବନକୁ ଦେଖୁଅଛୁଁ । ପାଣ୍ଡବଶ୍ରେଷ୍ଠ ଅର୍ଜୁନକୁ ମଧ୍ୟ ନୟନଗୋଚର କରୁଅଛୁଁ ।୧୯। ଲୋମଶ ବୋଇଲେ, ହେ ମହାବାହୋ ! ପରମର୍ଷିମାନେ ମଧ୍ୟ ଏହିଠାରେ ଥାଇ ଏହିପରି ପରୋକ୍ଷ ଦର୍ଶନ କରନ୍ତି । ହେ ନରଶ୍ରେଷ୍ଠ ! ଏହି ପୁଣ୍ୟାନଦୀ ସରସ୍ୱତୀଙ୍କୁ ଦର୍ଶନ କରନ୍ତୁ । ସରସ୍ୱତୀଙ୍କର ସମାଶ୍ରିତ ଜନମାନେ ଏହିଠାରେ ଉପସ୍ଥିତ ହୋଇଅଛନ୍ତି ।୨୦। ଏହି ସରସ୍ୱତୀରେ ସ୍ନାନ କଲେ ପାପମୁକ୍ତ ହେବେ । ସୁରର୍ଷି, ରାଜର୍ଷି ଓ ଅନ୍ୟାନ୍ୟ ଋଷିମାନେ ମଧ୍ୟ ଏହି ସରସ୍ୱତୀ ତୀର୍ଥରେ ସାରସ୍ୱତ ଯଜ୍ଞଦ୍ୱାରା ଦେବଗଣଙ୍କୁ ପରିତୃପ୍ତ କରିଥିଲେ ।୨୧। ଏହି ସ୍ଥାନଟି ପ୍ରଜାପତିଙ୍କର ବେଦୀ । ଏହାର ଆୟତନ ଚତୁର୍ଦ୍ଦିଗରେ ପଞ୍ଚଯୋଜନ ଅଟେ ଓ ଏହି ସ୍ଥାନ ଯଜ୍ଞଶୀଳ ମହାତ୍ମା କୁରୁରାଜାଙ୍କର କ୍ଷେତ୍ର ।୨୨।

 

॥ ଅଧ୍ୟାୟ – ୧୩୦ ॥

 

ଲୋମଶ କହିଲେ, ହେ ରାଜନ୍‌ ! ମର୍ତ୍ତ୍ୟରେ ପ୍ରାଣୀମାନେ ଏହି କୁରୁକ୍ଷେତ୍ରରେ ଦେହ ତ୍ୟାଗ କଲେ ସ୍ୱର୍ଗଗାମୀ ହୁଅନ୍ତି । ଏଥି ନିମିତ୍ତ ସହସ୍ର ସହସ୍ର ଲୋକ ମୃତ୍ୟୁକାମନାରେ ଏଠାକୁ ଆସନ୍ତି ।୧। ପୂର୍ବକାଳରେ ଦକ୍ଷପ୍ରଜାପତି ଯାଗକରି ଏହି ଆଶୀର୍ବାଦ ପ୍ରୟୋଗ କରିଥିଲେ ଯେ ଯେଉଁ ମନୁଷ୍ୟମାନେ ଏହି ସ୍ଥାନରେ ପ୍ରାଣତ୍ୟାଗ କରିବେ, ସେମାନେ ସ୍ୱର୍ଗଜୟୀ ହେବେ । ହେ ବୈଶ୍ୟପତେ ! ଏହି ସରସ୍ୱତୀ ନଦୀ କେଡ଼େ ମନୋରମା ଦିଶୁଅଛି ଓ କେଡ଼େ ବେଗରେ ପ୍ରବାହିତା ହେଉଅଛି । ଏହି ସ୍ଥାନକୁ ସରସ୍ୱତୀର ବିନଶନ କୁହାଯାଏ ।୩। ଏହି ସ୍ଥାନ ନିଷାଦ ରାଜ୍ୟର ଦ୍ୱାର । ନିଷାଦମାନେ ତାହାଙ୍କୁ (ସରସ୍ୱତୀଙ୍କୁ) କାହିଁ ଗଲେ ଜାଣିନପାରିବେ ବୋଲି ସରସ୍ୱତୀ ଭୂଗର୍ଭରେ ପ୍ରବିଷ୍ଟା ହେଲେ ।୪। ହେ ନରନାଥ ! ଏହା ଚେମସୋଦ୍ଭେଦ ତୀର୍ଥ । ଏହିଠାରେ ସରସ୍ୱତୀ ପ୍ରାଣୀମାନଙ୍କର ଦୃଷ୍ଟିଗୋଚର ହେଲେ । ସମୁଦ୍ରଗାମିନୀ ଅପରାପର ପୁଣ୍ୟନଦୀମାନେ ଏହିଠାରେ ସରସ୍ୱତୀଙ୍କ ସହିତ ମିଳିତ ହୋଇଅଛନ୍ତି ।୫।

 

ହେ ଶତ୍ରୁନିସୂଦନ ! ଏହି ମହତ ସିନ୍ଧୁତୀର୍ଥକୁ ଦେଖ ! ଏହିଠାରେ ଲୋପାମୁଦ୍ରା ଅଗସ୍ତି ଋଷିଙ୍କୁ ପତିତ୍ୱରେ ବରଣ କରିଥିଲେ ।୬। ହେ ଭାସ୍କର ! ସମତେଜସ୍ୱିନ୍ ଏହି ପ୍ରଭାସ ତୀର୍ଥ ଦିଶୁଅଛି । ପାପ ବିନାଶନ, ପୁଣ୍ୟଜନକ ଏହି ପବିତ୍ର ତୀର୍ଥ ଦେବରାଜଙ୍କର ଅତିଶୟ ପ୍ରିୟ ।୭। ପୁନଶ୍ଚ ଏହି ଦେଖ, ବିଷ୍ଣୁପଦ ନାମକ ଉତ୍କୃଷ୍ଟ ତୀର୍ଥ ଦୃଶ୍ୟମାନ ହେଉଅଛି । ଏହି ଯେଉଁ ତରଙ୍ଗିଣୀ ଦେଖୁଅଛନ୍ତି, ସେ ପରମ ପାବନୀ ବିପାଶା ନଦୀ । ଭଗବାନ ବଶିଷ୍ଠ ଋଷି ପୁତ୍ରଶୋକରେ ଦୁଃଖିତ ହୋଇ ଆପଣାକୁ ପାଶଦ୍ୱାରା ବଦ୍ଧକରି ଏହି ପୁଣ୍ୟନଦୀରେ ନିପାତିତ କରିଥିଲେ; କିନ୍ତୁ ପରେ ସେ ପାପମୁକ୍ତ ହୋଇ ଉତ୍‌ଥିତ ହୋଇଥିଲେ ।୯। ଏହି କାରଣରୁ ଏହି ନଦୀର ନାମ ବିପାଶା ହୋଇଅଛି । ହେ ଶତ୍ରୁନିସୂଦନ ! ଭ୍ରାତାମାନଙ୍କୁ ସଙ୍ଗରେ ଘେନି ଆପଣ ଏହି ପୁଣ୍ୟପଦ କାଶ୍ମୀର ମଣ୍ଡଳକୁ ଦର୍ଶନ କରନ୍ତୁ ।୧୦। ହେ ଭାରତ ! ଏହି ସ୍ଥାନରେ ଔଦୀଚ୍ୟ ଋଷିଗଣ ଓ ଯଜାତି ରାଜାଙ୍କ ସମ୍ବାଦ ଓ ଅଗ୍ନି ଏବଂ କାଶ୍ୟପ ସମ୍ବାଦ ଘଟିତ ହୋଇଥିଲା ।୧୧।

 

ହେ ମହାରାଜ ! ଏହି ମାନସରୋବର ଦ୍ୱାର ଦୃଶ୍ୟ ହେଉଅଛି । ଏହି ଗିରି ମଧ୍ୟରେ ଶ୍ରୀରାମଚନ୍ଦ୍ର ଏକ ବର୍ଷ ସମୟ ଅତିବାହିତ କରିଥିଲେ । ହେ ସତ୍ୟବିକ୍ରମ ! ବିଦେହ ଦେଶର ଉତ୍ତର ଦ୍ୱାର ଏହି ଦେଖାଯାଉଅଛି । ଏହାର ନାମ ବାତିକଷଣ୍ଡ ବୋଲି ବିଖ୍ୟାତ ଅଛି । ଏହି ସ୍ଥାନକୁ ଜୟ କରିବା କାହାରି ସାଧ୍ୟ ନୁହେଁ ।୧୩। ହେ ପୁରୁଷଶ୍ରେଷ୍ଠ ! ଏହି ସ୍ଥାନରେ ଆଉ ଗୋଟିଏ ଆଶ୍ଚର୍ଯ୍ୟ କଥା ଏହି ଯେ ପାଞ୍ଚ ବର୍ଷକୁ ପାଞ୍ଚବର୍ଷ ଏହି ସ୍ଥାନରେ ପାର୍ଷଦଗଣ ସହିତ ପାର୍ବତୀ ଓ କାମରୂପୀ ମହାଦେବଙ୍କ ଦର୍ଶନ ମିଳେ ।୧୫। ଯେଉଁ ଯାଚକମାନେ ଆପଣା ପରିବାରଙ୍କର ଶୁଭକାଂକ୍ଷା କରନ୍ତି, ସେମାନେ ଚୈତ୍ର ମାସରେ ଏହି ସରୋବରକୁ ଆସି ମହାଦେବଙ୍କ ଉଦ୍ଦେଶ୍ୟରେ ଯଜ୍ଞ କରନ୍ତି । ଯେଉଁ ପୁୁରୁଷ ଜିତେନ୍ଦ୍ରିୟ ଓ ଶ୍ରଦ୍ଧାବାନ୍ ହୋଇ ଏହି ସରୋବରରେ ସ୍ନାନ କରେ, ତାହାର ପାପ କ୍ଷୟ ହୁଏ ଓ ସେ ଶୁଭଲୋକକୁ ଗମନ କରେ; ଏଥିରେ ସଂଶୟ ନାହିଁ ।

 

ଏହି ଉଜ୍ଜାନକ ତୀର୍ଥ ଦେଖ । ଅରୁନ୍ଧତୀଙ୍କ ସହିତ ଭଗବାନ ବଶିଷ୍ଠ ଓ ଦେବତାମାନଙ୍କ ସେନାପତି କାର୍ତ୍ତିକେୟ ଏହି ସ୍ଥାନରେ ଶାନ୍ତିଲାଭ କରିଥିଲେ ।୧୭। ଏହି କୁଶବାନ ହ୍ରଦ । ଏହି ହ୍ରଦରେ କୁଶେଶୟ ପଦ୍ମ ଜାତ ହୁଏ । ଋକ୍ମିଣୀ ଦେବୀଙ୍କର ଏହି ଆଶ୍ରମ । ସେ କ୍ରୋଧରହିତା ହୋଇ ଏହି ସ୍ଥାନରେ ଶାନ୍ତିଲାଭ କରିଥିଲେ ।୧୮। ହେ ପାଣ୍ଡବେୟ ! ମହାରାଜ ! ଆପଣ ଯାହା ଶୁଣିଅଛନ୍ତି ଯେ ଭୃଗୁତୁଙ୍ଗ ତୀର୍ଥକୁ ଦର୍ଶନ କଲେ ସମାଧିର ଫଳ ହୁଏ, ଏହି ସେ ମହାଗିରି ଭୃଗୁତୁଙ୍ଗ-।୧୯। ହେ ରାଜେନ୍ଦ୍ର ! ସର୍ବପାପ ପ୍ରମୋଚନୀ ବିତସ୍ତା ନଦୀକୁ ଦର୍ଶନ କର । ମହର୍ଷିମାନେ ତାହା ତୀରରେ ବାସ କରନ୍ତି ଓ ତାହାର ଜଳ ସୁନିର୍ମଳ ତଥା ସୁଶୀତଳ ଅଟେ ।୨୦। ଯମୁନାର ଉତ୍ତର ପାର୍ଶ୍ୱରେ ପ୍ରବାହିତ ଜଳା ଓ ଉପଜଳା ନାମ୍ନୀ ନଦୀକୁ ଦର୍ଶନ କରନ୍ତୁ । ଏହି ସ୍ଥାନରେ ରାଜା ଉଶୀନର ଯଜ୍ଞ କରି ଇନ୍ଦ୍ରଙ୍କଠାରୁ ସୁଦ୍ଧା ଅଧିକ ହୋଇଥିଲେ ।୨୧। ହେ ନରନାଥ, ଭାରତ ! ବରପ୍ରଦ ଇନ୍ଦ୍ର ଓ ଅଗ୍ନି ଦୁହେଁ ଉଶୀନରଙ୍କୁ ପରୀକ୍ଷା କରିବା ଅଭିଳାଷରେ ଦେବସଭା ସଦୃଶ ତାହାଙ୍କ ସଭାକୁ ଗମନ କରିଥିଲେ ।୨୨। ଅଗ୍ନି କପୋତ ରୂପକୁ ଧରି ଓ ଇନ୍ଦ୍ର ଶ୍ୟେନପକ୍ଷୀ ହୋଇ ଉଶୀନରଙ୍କ ଯଜ୍ଞକୁ ଗମନ କଲେ ।୨୩। ହେ ରାଜନ୍‌ ! କପୋତ ଶ୍ୟେନ ଭୟରେ ପ୍ରପୀଡ଼ିତ ହୋଇ ରାଜାଙ୍କର ଶରଣାର୍ଥୀ ହୋଇ ତାହାଙ୍କ ଉରୁ ପ୍ରଦେଶରେ ବିଲୀନ ପ୍ରାପ୍ତ ହୋଇ ପତିତ ହେଲେ ।୨୪।

 

॥ ଅଧ୍ୟାୟ – ୧୩୧ ॥

 

ଶ୍ୟେନ ବୋଇଲା–ହେ ରାଜନ୍‌ ! ସବୁ ରାଜାମାନେ ଆପଣଙ୍କୁ ଧର୍ମାତ୍ମା ବୋଲି କହନ୍ତି । ଆପଣ କି ନିମିତ୍ତ ଧର୍ମବିରୁଦ୍ଧ କର୍ମ କରିବାକୁ ପ୍ରବୃତ୍ତ ହେଉଅଛନ୍ତି ?୧। ହେ ରାଜନ୍‌ ! ଆମ୍ଭେ କ୍ଷୁଧାରେ ଅତିଶୟ ପୀଡ଼ିତ ହୋଇଅଛୁଁ । ବିଧାତା ଏହି କପୋତକୁ ଆମ୍ଭର ଭକ୍ଷ ବୋଲି ନିରୂପଣ କରିଅଛନ୍ତି । ତାହାକୁ ରକ୍ଷା କରିବା ଆପଣଙ୍କର କର୍ତ୍ତବ୍ୟ ନୁହେଁ । ଧର୍ମଲୋଭରେ ଏହାକୁ ରକ୍ଷା କରିବାଦ୍ୱାରା ଆପଣଙ୍କର ଧର୍ମତ୍ୟାଗ କରିବା ହେଉଅଛି ।୨।

 

ରାଜା ଉତ୍ତର ଦେଲେ, ହେ ପକ୍ଷୀବର ! ଏହି ବିହଙ୍ଗମ ତୁମ୍ଭଠାରୁ ଭୟ ପାଇ ତ୍ରସ୍ତ ହୋଇ ଆତ୍ମରକ୍ଷା ନିମିତ୍ତ ଆମ୍ଭର ଶରଣାର୍ଥୀ ହୋଇଅଛି ।୩। ଏତାଦୃଶ ଅଭୟାର୍ଥୀ ଅଭ୍ୟାଗତ କପୋତକୁ ଆମ୍ଭେ ତୁମ୍ଭଙ୍କୁ ନ ଦେଲେ ଯେ ଆମ୍ଭର ପରମ ଧର୍ମ ହେବ, ଏହାକି ତୁମ୍ଭେ ଜାଣୁ ନାହଁ ? ଦେଖ, ଏହି କପୋତ ଭୟରେ କମ୍ପିତ ଓ ତ୍ରସ୍ତ ହୋଇଅଛି । ଆମ୍ଭଠାରୁ ଜୀବନ ପ୍ରାର୍ଥନା କରୁଅଛି । ଅତଏବ ଏହାକୁ ତ୍ୟାଗ କରିବା ଅତିଶୟ ନିନ୍ଦନୀୟ କାର୍ଯ୍ୟ । କାରଣ ଯେଉଁ ବ୍ୟକ୍ତି ବ୍ରାହ୍ମଣକୁ ଅଥବା ଲୋକମାତା ଗାଭୀକୁ ବଧ କରେ, ତାହାର ଯେଉଁ ପାପ, ଶରଣାଗତ ବ୍ୟକ୍ତିକୁ ଯେ ପରିତ୍ୟାଗ କରେ, ତାହାର ମଧ୍ୟ ସେହିପରି ପାପ ହୁଏ ।୬।

 

ଶ୍ୟେନ କହିଲା–ମହୀପତେ ! ସବୁ ପ୍ରାଣୀ ଆହାରରୁ ଉତ୍ପନ୍ନ ହୁଅନ୍ତି, ଆହାରଦ୍ୱାରା ପରିବର୍ଦ୍ଧିତ ହୁଅନ୍ତି ଓ ଜୀବିତ ଥାଆନ୍ତି ।୭। ଦେଖିବା ହେଉନ୍ତୁ ଯେ ଅପର ଦୁସ୍ତ୍ୟଜ୍ୟ ଦ୍ରବ୍ୟକୁ ପରିତ୍ୟାଗ କଲେ ହେଁ ପ୍ରାଣୀ ଦୀର୍ଘକାଳ ବଞ୍ଚିରହନ୍ତି; କିନ୍ତୁ ଆହାର ଛାଡ଼ି କେହି ଦୀର୍ଘକାଳ ବଞ୍ଚି ରହି ନ ପାରେ ।୮। ହେ ନରନାଥ ! ଆଜି ଯେବେ ଆମ୍ଭେ ଖାଦ୍ୟଦ୍ରବ୍ୟରୁ ବଞ୍ଚିତ ହେବୁ, ତେବେ ନିଶ୍ଚୟ ଆମ୍ଭର ପ୍ରାଣ ଏହି ଶରୀରକୁ ପରିତ୍ୟାଗ କରି ଅନ୍ୟଠାକୁ ଗମନ କରିବ ।୯। ଅତଏବ ହେ ଧର୍ମାତ୍ମନ୍‌ ! ଆମ୍ଭେ ମଲେ ଆମ୍ଭର ପୁତ୍ରକଳତ୍ରମାନେ ମଧ୍ୟ ଆହାର ଅଭାବରୁ ନଷ୍ଟ ହେବେ । ସୁତରାଂ ଆପଣ ଗୋଟିଏ କପୋତକୁ ରକ୍ଷାକରି କି ହେତୁରୁ ଅନେକ ପ୍ରାଣୀ ନଷ୍ଟ କରିବାକୁ ଉଦ୍ୟତ ହୋଇଅଛନ୍ତି ? ୧୦। ହେ ସତ୍ୟବିକ୍ରମ ! ଯେଉଁ ଧର୍ମ ଅପର ଧର୍ମର ପ୍ରତିବନ୍ଧକ ହୁଏ, ସେ ଧର୍ମ ଧର୍ମ ନୁହେଁ, ତାହାକୁ କୁଧର୍ମ ବୋଲାଯାଏ; ଅର୍ଥାତ୍ ସେ ଧର୍ମର କୁପଥ ଅଟେ । ଯେଉଁ ଧର୍ମରେ କୌଣସି ବିରୋଧ ନାହିଁ, ସେହି ଧର୍ମଟି ପ୍ରକୃତ ଧର୍ମ ଅଟେ ।୧୧। ହେ ମହୀପାଳ ! ପରସ୍ପରବିରୋଧୀ ଧର୍ମ ଉପସ୍ଥିତ ହେଲେ, ଗୁରୁ ଲଘୁ ବିବେଚନା କରି ଯେଉଁ ଧର୍ମରେ କୌଣସି ବାଧା ଦେଖା ନ ଯାଏ, ତାହାକୁ ଆଚରଣ କରିବାକୁ ହୁଏ । ଅତଏବ ହେ ରାଜନ୍‌ ! ଆପଣ ଧର୍ମାଧର୍ମ ବିଷୟରେ କିଏ ଗୁରୁ ଓ କିଏ ଲଘୁ, ତାହା ବିବେଚନା କରି ଗ୍ରହଣ କରନ୍ତୁ । ଯେଉଁ ପକ୍ଷ ଅଧିକତର ବୋଧହୁଏ, ତାହାକୁ ଧର୍ମ ବୋଲି ନିଶ୍ଚୟ ଜାଣିବା ହେଉନ୍ତୁ ।୧୩।

 

ରାଜା ବୋଇଲେ–ବିହଗବର ! ତୁମ୍ଭେ ବହୁ କଲ୍ୟାଣକର କଥା କହୁଅଛ । ଅତଏବ ତୁମ୍ଭେ କ’ଣ ପକ୍ଷୀରାଜ ଗରୁଡ଼ ଅଟ ? ତୁମ୍ଭେ ଯେ ହୁଅ, ତୁମ୍ଭେ ଯେ ଧର୍ମଜ୍ଞ ଅଟ, ଏଥିରେ ସଂଶୟ ନାହିଁ । ଯେ ହେତୁରୁ ତୁମ୍ଭେ ଧର୍ମସଂଯୁକ୍ତ ଅନେକ କଥା କହୁଅଛ । ଅପିଚ ଆମ୍ଭର ବୋଧ ହେଉଅଛି ତୁମ୍ଭଙ୍କୁ କିଛି ଅବିଦିତ ନାହିଁ । ଅତଏବ ତୁମ୍ଭେ କି ହେତୁରୁ ଶରଣାଗତ ଜନକୁ ପରିତ୍ୟାଗ କରିବା ଭଲ ବୋଲି ବୋଧ କରୁଅଛ ? ହେ ବିହଙ୍ଗମ ! ତୁମ୍ଭର ଏହି ସମାରମ୍ଭ କେବଳ ଆହାର ନିମିତ୍ତ । ଅତଏବ ତୁମ୍ଭେ ଅଧିକତର ଅନ୍ୟପ୍ରକାର ଆହାର କରିପାର । ଗୋ, ବୃଷ, ବରାହ, ମୃଗ, ମହିଷ ବା ଭିନ୍ନ ଯାହା ଆହାର କରିବାକୁ ତୁମ୍ଭର ଅଭିରୁଚି, ତାହା ଆହାର କର ।୧୩।

 

ଶ୍ୟେନ ବୋଇଲେ–ମହାରାଜ ! ବରାହ କି ବୃଷ କି ବିବିଧ ମୃଗ, ଏତନ୍ମଧ୍ୟରୁ ଆମ୍ଭେ କିଛି ଭକ୍ଷଣ କରିବୁ ନାହିଁ । ଆମ୍ଭର ଅନ୍ୟ କୌଣସି ଆହାରରେ ପ୍ରୟୋଜନ ନାହିଁ । ଅଦ୍ୟ ଦୈବ ଆମ୍ଭଙ୍କୁ ଏହି କପୋତଟିକୁ ଆହାରାର୍ଥ ନିରୂପଣ କରିଅଛନ୍ତି । ଅତଏବ ଆପଣ ଏହାକୁ ପରିତ୍ୟାଗ କରନ୍ତୁ । ଶ୍ୟେନ ପକ୍ଷୀମାନେ କପୋତ ଭକ୍ଷଣ କରନ୍ତି । ଏହା ଚିରକାଳରୁ ପ୍ରସିଦ୍ଧି ଅଛି । ଅତଏବ ହେ ରାଜନ୍‌ ! ଆପଣ ସାର ଗ୍ରହଣ ନ କରି ଅସାର କଦଳୀ ସ୍କନ୍ଧକୁ ଆଲିଙ୍ଗନ କରନ୍ତୁ ନାହିଁ ।୨୦।

 

ରାଜା କହିଲେ– ହେ ଶ୍ୟେନ ! ଶରଣାର୍ଥୀ ହୋଇ ସମାଗତ ଏହି କପୋତକୁ ଛାଡ଼ି, ଶିବିବଂଶର ସମୃଦ୍ଧ-ରାଜ୍ୟ ଅଥବା ଅନ୍ୟ ଯେଉଁ ଦ୍ରବ୍ୟ ତୁମ୍ଭର ଅଭିଳଷିତ ହୁଏ, ତାହା ତୁମ୍ଭଙ୍କୁ ଆମ୍ଭେ ଦେଇଅଛୁଁ । ହେ ପକ୍ଷୀବର ! ଯେଉଁ କର୍ମ କଲେ ତୁମ୍ଭେ ଏହାକୁ ପରିତ୍ୟାଗ କରିବ, ତାହା କହ । ଆମ୍ଭେ ତାହାହିଁ କରିବୁ, କିନ୍ତୁ ଏହି କପୋତଟିକୁ ଦେବୁ ନାହିଁ ।୨୨।

 

ଶ୍ୟେନ ବୋଇଲେ–ନରାଧିପତେ ! ଉଶୀନର ! ଯଦି କପୋତ ପ୍ରତି ଆପଣଙ୍କର ଏତାଦୃଶ ସ୍ନେହ ଥାଏ, ତେବେ ଆପଣଙ୍କ ଦେହରୁ ମାଂସ ଉତ୍କର୍ତ୍ତନ କରି ଏହି କପୋତ ସହିତ ତୁଳନା କରନ୍ତୁ । ଯେତେବେଳେ ଆପଣଙ୍କ ମାଂସ ସହିତ କପୋତ ମାଂସ ତୁଳରେ ସମାନ ହେବ, ତେତେବେଳେ ଆମ୍ଭଙ୍କୁ ଦେବ । ଆମ୍ଭେ ଭକ୍ଷଣକରି ସନ୍ତୁଷ୍ଟ ହେବୁ ।୨୪।

 

ରାଜା ବୋଇଲେ–ହେ ଶ୍ୟେନ ! ତୁମ୍ଭେ ଯେ ଏପରି ପ୍ରାର୍ଥନା କଲ, ଏହା ତୁମ୍ଭର ଅନୁଗ୍ରହ ବୋଲି ଆମ୍ଭେ ସ୍ୱୀକାର କଲୁ । ଅତଏବ ଅଦ୍ୟ ଆମ୍ଭେ ସ୍ୱୀକୀୟ ମାଂସକୁ ନିକ୍ତିରେ ଓଜନ କରି ତୁମ୍ଭଙ୍କୁ ପ୍ରଦାନ କରିବୁଁ ।୨୫।

 

ଲୋମଶ ବୋଇଲେ–ହେ ବିଭୋ ! କୁନ୍ତୀନନ୍ଦନ ! ପରମଧର୍ମଜ୍ଞ ରାଜା ଉଶୀନର ସ୍ୱୟଂ ନିଜ ମାଂସକୁ କର୍ତ୍ତନ କରି କପୋତ ସହିତ ଓଜନ କଲେ । କିନ୍ତୁ ମାଂସ ଅପେକ୍ଷା କପୋତ ଭାରି ହେଲା । ଏହା ଦେଖି ରାଜା ପୁନଃ ପୁନଃ ନିଜ ମାଂସକୁ କର୍ତ୍ତନ କରି ତୁଳନାରେ ଦେଲେ । ତଥାପି ତୁଳାସ୍ଥିତ ମାଂସ କପୋତ ସହିତ ସମାନ ହେଲା ନାହିଁ । ତହିଁରେ ରାଜା ଦେଖିଲେ ଯେ ତାହାଙ୍କ ଶରୀରରେ ଆଉ ମାଂସ ନାହିଁ । ଏଣୁ ସେ ସ୍ୱୟଂ ତୁଳା ପଶୁରୀରେ ଆରୋହଣ କଲେ ।୨୮। ଏହା ଦେଖି ଶ୍ୟେନ କହିଲେ, ହେ ଧର୍ମଜ୍ଞ ! ଆମ୍ଭେ ଇନ୍ଦ୍ର ଓ ଏହି କପୋତ ଅଗ୍ନି ଅଟନ୍ତି । ଆମ୍ଭେ ଦୁହେଁ ତୁମ୍ଭଙ୍କୁ ଧର୍ମ ବିଷୟରେ ପରୀକ୍ଷା କରିବା ନିମିତ୍ତ ଏହି ଯଜ୍ଞଭୂମିରେ ଉପଗତ ହୋଇଅଛୁଁ ।୨୯। ହେ ନରନାଥ ! ତୁମ୍ଭେ ଯେ ସ୍ୱୀୟ ଶରୀରରୁ ମାଂସ କର୍ତ୍ତନ କଲ, ତୁମ୍ଭର ଏହି ଭାସ୍ୱର କୀର୍ତ୍ତି ସର୍ବଲୋକରେ ପରିବ୍ୟାପ୍ତ ହେବ ।୩୦। ଯେତେ ଦିନ ପର୍ଯ୍ୟନ୍ତ ମନୁଷ୍ୟମାନେ ତୁମ୍ଭ କୀର୍ତ୍ତିର ପ୍ରସ୍ତାବ କରିବେ, ଯେତେ ଦିନ ଅବଧି ତୁମ୍ଭର କୀର୍ତ୍ତି ଓ ପ୍ରତିଷ୍ଠା ନିଖିଳ ଲୋକରେ ପ୍ରତିଷ୍ଠିତ ହୋଇ ରହିବ; ଏଥିରେ ସଂଶୟ ନାହିଁ ।୩୧। ମହାରାଜ ! ଇନ୍ଦ୍ର ଏହିପରି ରାଜାଙ୍କୁ କହି ସ୍ୱର୍ଗାରୋହଣ କଲେ । ଧର୍ମାତ୍ମା ଉଶୀନର ମଧ୍ୟ ଦ୍ୟୁଲୋକ ଓ ଭୂଲୋକକୁ ପରିବ୍ୟାପ୍ତ କରି ଅଙ୍ଗ ଶୋଭାରେ ଦୀପ୍ତିମାନ ହୋଇ ସ୍ୱର୍ଗାରୋହଣ କଲେ । ହେ ରାଜନ୍‌ ! ସେହି ମହାତ୍ମା ଉଶୀନରଙ୍କର ଏହି ପୁଣ୍ୟ ସଦନକୁ ଅବଲୋକନ କରନ୍ତୁ । ଏହି ସ୍ଥାନରେ ପୁଣ୍ୟକାରୀ ମହାତ୍ମା ବ୍ରାହ୍ମଣମାନେ ନିରନ୍ତର ଦେବତା ଓ ସନାତନ ମୁନିମାନଙ୍କୁ ଦର୍ଶନ କରନ୍ତି ।୩୪।

 

॥ ଅଧ୍ୟାୟ – ୧୩୨ ॥

 

ଲୋମଶ ବୋଇଲେ–ହେ ନରନାଥ ! ଯେଉଁ ଉଦ୍ଦାଳକଙ୍କ ପୁତ୍ର ଶ୍ୱେତକେତୁ ପୃଥିବୀ ମଧ୍ୟରେ ମନ୍ତ୍ରକୋବିଦ, ଶ୍ରେଷ୍ଠ ଓ ବୁଦ୍ଧିମାନ ବୋଲି ବିଖ୍ୟାତ, ତାହାଙ୍କର ଏହି ପୁଣ୍ୟାଶ୍ରମକୁ ଦର୍ଶନ କରନ୍ତୁ । ଏହି ଆଶ୍ରମରେ ସାର୍ବକାଳିକ ଫଳଜନକ ମହୀରୁହମାନେ ବିରାଜିତ ଅଛନ୍ତି । ଶ୍ୱେତକେତୁ ଏହି ସ୍ଥାନରେ ସରସ୍ୱତୀଙ୍କୁ ସନ୍ଦର୍ଶନ କରିଥିଲେ । ସରସ୍ୱତୀ ମନୁଷ୍ୟ ରୂପଧାରିଣୀ ହୋଇ ତାହାଙ୍କୁ ସାକ୍ଷାତ୍ ଦେଇଥିଲେ । ବାଗ୍‌ଦେବୀଙ୍କୁ ନିଜ ଆଶ୍ରମକୁ ଆସିବାର ଦେଖି ମୁନି ବୋଇଲେ ଆମ୍ଭେ ବାଣୀବେତ୍ତା ହେବୁଁ । ସେହି ଯୁଗରେ ଉଦ୍ଦାଳକଙ୍କ ପୁତ୍ର ଶ୍ୱେତକେତୁ ଓ କହୋଡ଼ଙ୍କ ପୁତ୍ର ଅଷ୍ଟବକ୍ର ଏହି ଦୁଇ ଜଣ ପୃଥିବୀ ମଧ୍ୟରେ ବେଦବେତ୍ତାମାନଙ୍କ ମଧ୍ୟରେ ବରିଷ୍ଠ ବୋଲି ବିଖ୍ୟାତ ଥିଲେ । ସମ୍ପର୍କରେ ଏ ଦୁହେଁ ମାମୁ ଭଣଜା ଥିଲେ । ମାତୁଳ ଓ ଭାଗିନେୟ ଏହି ଦୁଇ ଜଣ ପ୍ରସିଦ୍ଧ ବ୍ରାହ୍ମଣ ବିଦେହ ନରପତି ଜନକଙ୍କର ଯଜ୍ଞାତନରେ ପ୍ରବେଶ କଲେ । ସେଠାରେ ଏହି ମାତୁଳ ଓ ଭାଗିିନେୟ ଦୁଇ ଜଣ ପ୍ରସିଦ୍ଧ ବିପ୍ର ବିବାଦ କରି ବନ୍ଦୀଙ୍କୁ ନିଗ୍ରହ କଲେ ।୪।

 

ହେ ଯୁଧିଷ୍ଠିର ! ଯେଉଁ ବ୍ରାହ୍ମଣଶ୍ରେଷ୍ଠ ଅଷ୍ଟବକ୍ର ଶୈଶବ କାଳରେ ଜନକଙ୍କ ଯଜ୍ଞରେ ଉପସ୍ଥିତ ହୋଇ ବନ୍ଦୀଙ୍କ ସହିତ ବିବାଦ କରି ଓ ଜୟଲାଭ କରି ବନ୍ଦୀଙ୍କୁ ସମୁଦ୍ରଜଳରେ ନିମଗ୍ନ କରିଥିଲେ, ସେହି ମହାତ୍ମା ଅଷ୍ଟବକ୍ର ଯାହାଙ୍କର ଦୌହିତ୍ର ତାହାଙ୍କର ଏହି ପୁଣ୍ୟାଶ୍ରମ ଅଟେ, ଅନୁଜଗଣଙ୍କ ସହିତ ଆପଣ ତନ୍ମଧ୍ୟରେ ପ୍ରବେଶ କରି ଉପାସନା କରନ୍ତୁ ।୫। ରାଜା ଯୁଧିଷ୍ଠିର ପ୍ରଶ୍ନ କଲେ, ମହର୍ଷେ ! ଯେଉଁ ମହାତ୍ମା ଉକ୍ତ ପ୍ରକାରେ ବନ୍ଦୀଙ୍କୁ ନିଗ୍ରହ କରିଥିଲେ, ତାହାଙ୍କର ପ୍ରଭାବ କି ପ୍ରକାର ଓ କି କାରଣରୁ ସେ ଅଷ୍ଟବକ୍ର ବୋଲି ବିଖ୍ୟାତ ହେଲେ, ଆପଣ ଏହିସବୁ ବୃତ୍ତାନ୍ତ ବିସ୍ତାରପୂର୍ବକ ଆମ୍ଭ ନିକଟରେ କୀର୍ତ୍ତନ କରନ୍ତୁ ।

 

ଲୋମଶ କହିଲେ, ହେ ମହାରାଜ ! ଶ୍ରବଣ କରିବା ହେଉନ୍ତୁ । ଉଦ୍ଦାଳକ ଋଷିଙ୍କର କହୋଡ଼ ନାମରେ ଜଣେ ବିଖ୍ୟାତ ଶିଷ୍ୟ ଥିଲେ । ଆଚାର୍ଯ୍ୟ ଉଦ୍ଦାଳକଙ୍କର ସେ ବଶବର୍ତ୍ତୀ ହୋଇ ଓ ତାହାଙ୍କର ପରିଚର୍ଯ୍ୟା କରି ଦୀର୍ଘକାଳ ତାହାଙ୍କର ଶୁଶ୍ରୂଷାରେ ନିଯୁକ୍ତ ହେଲେ । କହୋଡ଼ଙ୍କ ପରିଚର୍ଯ୍ୟାରେ ଉଦ୍ଦାଳକ ପରିତୃପ୍ତ ହୋଇ ତତ୍କାଳରେ ତାହାଙ୍କୁ ସର୍ବଶାସ୍ତ୍ରରେ ଅଧିକାରୀ କଲେ ଓ ସୁଜାତାନାମ୍ନୀ ନିଜ କନ୍ୟା ସହିତ ତାହାଙ୍କର ବିବାହ ଦେଲେ ।୯। ପରେ ଋଷିକନ୍ୟା ସୁଜାତା ଗର୍ଭବତୀ ହୁଅନ୍ତେ, ତାହାଙ୍କର ଗର୍ଭସ୍ଥ ବାଳକ ସେହି ଗର୍ଭରେ ଥାଇ ନିଖିଳ ବେଦରେ ନିପୁଣତା ଲାଭ କଲେ ଓ ଅଗ୍ନିଙ୍କ ସମାନ ତେଜସ୍ୱୀ ହେଲେ । ଏକଦା ସେହି ଶିଶୁ ମାତୃଗର୍ଭରେ ଥାଇ ପିତାଙ୍କର ବେଦାଧ୍ୟୟନ ଶ୍ରବଣ କରି ତାହାଙ୍କୁ କହିଲେ, ହେ ପିତଃ ! ଆପଣ ସମସ୍ତ ରାତ୍ରି ବେଦାଧ୍ୟୟନ କରିଥାନ୍ତି; ତଥାପି ସମ୍ୟକ୍ ରୂପେ ପଠିତ ହୁଏ ନାହିଁ । ଆମ୍ଭେ ଆପଣଙ୍କ ପ୍ରସାଦରୁ ଗର୍ଭରେ ଥାଇ ସାଙ୍ଗବେଦ ଚତୁଷ୍ଟୟ ଓ ନିଖିଳ ଶାସ୍ତ୍ରମାନଙ୍କୁ ଅଧ୍ୟୟନ କରିଅଛୁଁ । ଏଥି ନିମିତ୍ତ ଆମ୍ଭେ କହୁଅଛୁଁ ଯେ ଆପଣଙ୍କର ଅଧ୍ୟୟନ ଉତ୍ତମରୂପେ ହୋଇ ନାହିଁ । ମହର୍ଷି କହୋଡ଼ ଶିଷ୍ୟମାନଙ୍କ ମଧ୍ୟରେ ଏହିପରି ଗର୍ଭଗତ ଶିଶୁଦ୍ୱାରା ଅପମାନିତ ହୋଇ କ୍ରୋଧଭରେ ତାହାଙ୍କୁ ଶାପ ପ୍ରଦାନ କଲେ । ତୁମ୍ଭେ ଗର୍ଭରେ ଥାଇ ଆମ୍ଭପ୍ରତି ଏହିପରି ଅପମାନ ବାକ୍ୟ କହିଲ; ଅତଏବ ତୁମ୍ଭର କଳେବର ଅଷ୍ଟସ୍ଥଳ ବକ୍ର ହେଲା ।

 

ହେ ମହାରାଜ ! ଏହି ଅଭିଶାପ ହେତୁରୁ ସେହି ବାଳକର ଦେହ ଅଷ୍ଟସ୍ଥାନରେ ବକ୍ର ହେଲା । ଜନ୍ମ ପରେ ତାହାଙ୍କ ନାମ ଅଷ୍ଟବକ୍ର ବୋଲି ବିଖ୍ୟାତ ହେଲା । ଏହି ଅଷ୍ଟବକ୍ରଙ୍କର ମାତୁଳଙ୍କ ନାମ ଶ୍ୱେତକେତୁ, ସେ ଦୁଇ ଜଣଙ୍କର ସମାନ ବୟସ ।୧୨। ହେ ମହୀପାଳ ! କୁକ୍ଷିମଧ୍ୟରେ ଶିଶୁଟି ବର୍ଦ୍ଧମାନ ହେବାରୁ ସୁଜାତା ଅତି କ୍ଳେଶ ପାଇଲେ । ନିର୍ଜନରେ ସେ ଦିନେ ବସି ସ୍ୱାମୀଙ୍କୁ ମଧୁର ବାକ୍ୟରେ ପ୍ରସନ୍ନ କରି କହିଲେ ।୧୩। ମହର୍ଷେ ! ମୋର ଗର୍ଭ ଦଶମ ମାସରେ ଉପସ୍ଥିତ ହେଲା; କିନ୍ତୁ ଆପଣଙ୍କର କି ମୋର କାହାରି ଏପରି ସଂସ୍ଥାନ ନାହିଁ, ଯଦ୍ଦ୍ୱାରା ମୁଁ ପ୍ରସୂତି ହେଲେ ଉପକାର ପ୍ରାପ୍ତ ହେବି ।୧୪। ପତ୍ନୀଙ୍କ ଅନୁରୋଧରେ ମହର୍ଷି କହୋଡ଼ ଅନେକ ରାଜାଙ୍କଠାକୁ ଗମନ କଲେ । ଧନ ନିମିତ୍ତ ସେ ଜନକ ରାଜାଙ୍କ ସମୀପରେ ଉପସ୍ଥିତ ହେଲେ । ଜନକ ସେ ସମୟରେ ଯଜ୍ଞାରମ୍ଭ କରିଥିଲେ । ସେଠାରେ ଏପରି ନିୟମ ହୋଇଥିଲା ଯେ ବନ୍ଦୀଙ୍କଠାରେ ଶାସ୍ତ୍ରତର୍କରେ ଯେ ପରାସ୍ତ ହେବେ, ସେ ଜଳମଗ୍ନ ହେବେ ଅର୍ଥାତ୍ ବନ୍ଦୀ ତାହାଙ୍କୁ ଜଳରେ ମଗ୍ନ କରିପାରିବେ । ସୁତରାଂ ବିବାଦରେ ବିଶାରଦ ବନ୍ଦୀ କହୋଡ଼ଙ୍କୁ ବିଚାରରେ ପରାସ୍ତ କରି ତାହାଙ୍କୁ ଜଳମଗ୍ନ କଲେ ।୧୫।

 

ତଦନନ୍ତର ଉଦ୍ଦାଳକ ଶୁଣିବାକୁ ପାଇଲେ ଯେ ତାହାଙ୍କ ଜାମାତା ବନ୍ଦୀଙ୍କଦ୍ୱାରା ପରାଜିତ ହୋଇ ଜଳମଗ୍ନ ହୋଇଅଛନ୍ତି । ଏହା ଶୁଣି ଉଦ୍ଦାଳକ ତାହାଙ୍କ କନ୍ୟାଙ୍କଠାକୁ ଯାଇ କହିଲେ, ସୁଜାତେ ! ତୁମ୍ଭେ ଏ ବିଷୟ ଅଷ୍ଟବକ୍ରଙ୍କଠାରେ ଗୋପନ କରିବ ।୧୬। ସୁଜାତା ମଧ୍ୟ ପିତାଙ୍କ ଆଜ୍ଞା ପ୍ରତିପାଳନ କଲେ । ଯଥାସମୟରେ ଅଷ୍ଟବକ୍ର ଜନ୍ମଗ୍ରହଣ କଲେ, କିନ୍ତୁ ପିତାଙ୍କର ସେହି ବୃତ୍ତାନ୍ତ ଶୁଣିଲେ ନାହିଁ । ଅଷ୍ଟବକ୍ର ଉଦ୍ଦାଳକଙ୍କୁ ପିତୃତୁଲ୍ୟ ମାନ୍ୟ କରିଥିଲେ ଓ ଶ୍ୱେତକେତୁଙ୍କୁ ଭ୍ରାତୃସମ ଶ୍ରଦ୍ଧା କରିଥିଲେ ।୧୭। ଅଷ୍ଟବକ୍ରଙ୍କର ଯେତେବେଳେ ଦ୍ୱାଦଶ ବର୍ଷ ବୟସ ହେଲା, ତେତେବେଳେ ସେ ଦେଖିଲେ ଯେ ଶ୍ୱେତକେତୁ ପିତାଙ୍କ କ୍ରୋଡ଼ରେ ବସିଅଛନ୍ତି । ଏହା ଦେଖି ତାହାଙ୍କର ଦୁଇ ହସ୍ତ ଧରି ଟାଣିଆଣିଲେ ଓ କ୍ରନ୍ଦନ କଲେ । ଶ୍ୱେତକେତୁ ଉତ୍ତର ଦେଲେ, ଏ ତୁମ୍ଭର ପିତାଙ୍କର କ୍ରୋଡ଼ ନୁହେଁ ।୧୮। ଏହା ଶୁଣି ଅଷ୍ଟବକ୍ରଙ୍କ ମନରେ ଦାରୁଣ କ୍ଳେଶ ଉପସ୍ଥିତ ହେଲା । ସେ ଗୃହକୁ ପ୍ରତିଗମନ କରି ଜନନୀଙ୍କ ସମୀପରେ ଉପଗତ ହୋଇ ପଚାରିଲେ– ଜନନୀ ! ଆମ୍ଭର ପିତା କାହାନ୍ତି ?୧୯।

 

ସୁଜାତା ଅତି କାତରା ହେଲେ; କିନ୍ତୁ ଅଭିଶାପ ଭୟରେ ଭୀତା ହୋଇ ଯେପରି ବନ୍ଦୀଙ୍କଦ୍ୱାରା କହୋଡ଼ ଜଳମଗ୍ନ ହୋଇଥିଲେ, ତାହା କୀର୍ତ୍ତନ କଲେ । ଜନନୀଙ୍କଠାରୁ ସମସ୍ତ ବୃତ୍ତାନ୍ତ ଶ୍ରବଣ କରି ନିଶାକାଳରେ ଶ୍ୱେତକେତୁଙ୍କୁ କହିଲେ ।୨୦। ହେ ମାତୁଳ ! ଜନକ ରାଜାଙ୍କ ଯଜ୍ଞରେ ବହୁବିଧ ଆଶ୍ଚର୍ଯ୍ୟ ବିଷୟ ଶୁଣାଯାଉଅଛି । ଅତଏବ ଚାଲନ୍ତୁ, ଆମ୍ଭେମାନେ ସେଠାକୁ ଗମନ କରିବା । ସେଠାରେ ବ୍ରାହ୍ମଣମାନଙ୍କର ବିବାଦ ଶ୍ରବଣ କରିବା ଓ ବହୁବିଧ ଉତ୍ତମୋତ୍ତମ ଦ୍ରବ୍ୟ ଭକ୍ଷଣ କରିବା । ଅଦ୍ୟ ମଙ୍ଗଳମୟ ବେଦଧ୍ୱନି ଶ୍ରବଣ କଲେ ଆମ୍ଭମାନଙ୍କର ବିଚକ୍ଷଣତା ବୃଦ୍ଧି ହେବ ।୨୨। ମହାରାଜ ! ଏହି ପ୍ରକାରେ ଶ୍ୱେତକେତୁ ଓ ତାହାଙ୍କ ଭାଗିନେୟ ଦୁହେଁ ଜନକ ରାଜାଙ୍କର ସମୃଦ୍ଧ ସତ୍ରକୁ ଗମନ କଲେ । ପଥ ମଧ୍ୟରେ ସାକ୍ଷାତ୍ ହେବାରୁ ରାଜା ତାହାଙ୍କର ପଥ ରୋଧ କଲେ । ତତ୍‍ପରେ ଅଷ୍ଟବକ୍ର ପ୍ରାଗୃକ୍ତ ସମସ୍ତ ବୃତ୍ତାନ୍ତ କହିଲେ ।୨୩।

 

॥ ଅଧ୍ୟାୟ – ୧୩୩ ॥

 

ଅଷ୍ଟବକ୍ର କହିଲେ–ଯଦି ବ୍ରାହ୍ମଣ ଉପସ୍ଥିତ ନ ଥାନ୍ତି, ତେବେ ରାଜା, ଅନ୍ଧ, ବଧିର, ସ୍ତ୍ରୀ, ଭାରବାହୀ ଅଥବା ରାଜା ଏମାନେ କ୍ରମରେ ପଥପ୍ରାପ୍ତ ହୋଇପାରନ୍ତି । କିନ୍ତୁ ବ୍ରାହ୍ମଣ ଉପସ୍ଥିତ ଥିଲେ ଅଗ୍ରେ ବ୍ରାହ୍ମଣ ପଥର ଅଧିକାରୀ ହେବେ ।୧। ରାଜା ବୋଇଲେ, ଏହି ପଥ ପରିତ୍ୟାଗ କରି, ଯେଉଁ ବାଟେ ଇଚ୍ଛା ସେହି ବାଟେ ଗମନ କରିବା ହେଉନ୍ତୁ । ଦେବରାଜ ମଧ୍ୟ ବ୍ରାହ୍ମଣଙ୍କୁ ବନ୍ଦନା କରନ୍ତି । ଅଗ୍ନି କଦାପି ସାନ ନୁହେଁ । ଅଷ୍ଟବକ୍ର କହିଲେ–ହେ ନରେନ୍ଦ୍ର, ଆପଣଙ୍କ ଯଜ୍ଞ ଦର୍ଶନ କରିବାକୁ ଆମ୍ଭେମାନେ କୌତୂହଳାକ୍ରାନ୍ତ ହୋଇଅଛୁଁ । ଶେଷରେ ଆମ୍ଭେ ଦୁହେଁ କ୍ରୋଧାନଳରେ ଦଗ୍ଧ ହୋଇ ଆପଣଙ୍କ ସହିତ ସାକ୍ଷାତ୍ କରିବା ଓ ଏହି ବୃତ୍ତାନ୍ତ ସବୁ ଜଣାଇବାକୁ ଆଗମନ କରିଅଛୁଁ । କିନ୍ତୁ ଏହି ଦ୍ୱାରପାଳ ସଭା ପ୍ରବେଶର ଦ୍ୱାରକୁ ରୋଧ କରୁଅଛି । ଅତଏବ ଆମ୍ଭେମାନେ ପ୍ରାର୍ଥନା କରୁଅଛୁ ଯେ, ଆପଣ ଦ୍ୱାରୀ ପ୍ରତି ଆଦେଶ ଦିଅନ୍ତୁ ଯେ ସେ ଆମ୍ଭମାନଙ୍କୁ ସଭାକୁ ଗମନ କରିବାକୁ ନିଷେଧ ନ କରୁ ।୪।

 

ଏହା ଶୁଣି ଦ୍ୱାରପାଳ କହିଲା, ହେ ବ୍ରାହ୍ମଣକୁମାର ! ଆମ୍ଭେମାନେ ବନ୍ଦୀର ଆଦେଶକାରୀ-। ଅତଏବ ତୁମ୍ଭେ ଆମ୍ଭମାନଙ୍କର ବାକ୍ୟ ଶ୍ରବଣ କର । ଏହି ସଭାକୁ ବ୍ରାହ୍ମଣ ବାଳକମାନେ ପ୍ରବେଶ କରିପାରନ୍ତି ନାହିଁ । ଯେଉଁ ବ୍ରାହ୍ମଣମାନେ ବୃଦ୍ଧ ଓ ବିଚକ୍ଷଣ, ସେହିମାନେ ପ୍ରବେଶ କରିପାରନ୍ତି-।୫।

 

ଅଷ୍ଟବକ୍ର କହିଲେ, ହେ ଦ୍ୱାରପାଳ ! ଯଦି ଏଠାରେ ବୃଦ୍ଧ ଜନମାନଙ୍କର ପ୍ରବେଶ କରିବାର ବିଧି ଥାଏ, ତେବେ ଆମ୍ଭର ପ୍ରବେଶ ଯୁକ୍ତିସଙ୍ଗତ । ଯେ ହେତୁରୁ ଆମ୍ଭେ କୃତବ୍ରତ, ବେଦପ୍ରଭାବଯୁକ୍ତ, ଶୁଶ୍ରୂଷୁ, ଜିତେନ୍ଦ୍ରିୟ ଓ ଜ୍ଞାନଶାସ୍ତ୍ରର ପରାକାଷ୍ଠା ଲଭିଅଛୁ । ଏହାଦ୍ୱାରା ଆମ୍ଭେ ବୃଦ୍ଧ । ପଣ୍ଡିତମାନେ କହିଅଛନ୍ତି, ବ୍ରାହ୍ମଣଙ୍କୁ ବାଳକ ବୋଲି ଅବମାନନା କରିବା ଉଚିତ ନୁହେଁ । ଯେହେତୁ ଅଗ୍ନିର କଣାକୁ ସୁଦ୍ଧା ସ୍ପର୍ଶ କଲେ ସେ ଦଗ୍ଧ କରେ ।୭। ଦ୍ୱାରପାଳ ବୋଇଲା–ହେ ବାଳକ ! ଯଦି ତୁମ୍ଭେ ଜାଣିଥାଅ, ତେବେ ବ୍ରାହ୍ମପ୍ରତିପାଦିକା, ମୁନିଗଣନିଷେବିତା ମନ୍ତ୍ରାର୍ଥମୟୀ ଗୋଟିଏ ବାଣୀ କୀର୍ତ୍ତନ କର । ପ୍ରକୃତରେ ତୁମ୍ଭେ କହୁଅଛ କି କେବଳ ଆତ୍ମଶ୍ଳାଘା କରୁଅଛ, ତାହା ପରୀକ୍ଷା କରିବା । ସଂସାରରେ ଜ୍ଞାନୀ ମନୁଷ୍ୟ ସୁଦୁର୍ଲଭ । ଆପଣ ଯେ ବାଳକ, ତାହା ନିଶ୍ଚୟ ଜାଣନ୍ତୁ ।୮।

 

ଅଷ୍ଟବକ୍ର ବୋଇଲେ, ଶାଳ୍ମଳୀ ବୃକ୍ଷର କାଷ୍ଠ ବଢ଼ିଲେ ତାହାର ଯେ ସୀରବତ୍ତା ବଢ଼ିଲା, ଏହା ନୁହେଁ । ଏହିପରି ମନୁଷ୍ୟର କେବଳ ଶରୀର ବୃଦ୍ଧି ହେଲେ ତାହାର ଜ୍ଞାନ ବୃଦ୍ଧି ହୁଏ ନାହିଁ । କୌଣସି ବୃକ୍ଷ କ୍ଷୁଦ୍ର ହେଲେହେଁ ତାହାର ସାରବତ୍ତାନୁସାରେ ତାହାର ମୂଲ୍ୟ ହୁଏ । ଶିମୁଳୀ ବୃକ୍ଷ ବଡ଼ଟାଏ ହେଲେହେଁ ଉଶ୍ୱାସ ଓ ଭଙ୍ଗୁର ହୋଇଥାଏ । ତାହାକୁ ବୃଦ୍ଧ ବୋଲାଯାଏ ନାହିଁ । ଯେଉଁ ବୃକ୍ଷ ହ୍ରସ୍ୱ ଓ ଅଳ୍ପକାୟ ହୋଇ ସୁଦ୍ଧା ଫଳ ଫଳେ, ତାହାକୁ ବୃଦ୍ଧ ବୋଲାଯାଏ । ନିଷ୍ପଳ ବୃକ୍ଷକୁ ବୃଦ୍ଧ ହେବାର କଦାପି ସ୍ୱୀକାର କରାଯାଇ ନ ପାରେ ।୯। ଦୌବାରିକ ଉତ୍ତର ଦେଲା, ଏହି ସଂସାରରେ ବାଳକମାନେ ବୃଦ୍ଧମାନଙ୍କଠାରୁ ଜ୍ଞାନ ଶିକ୍ଷା କରନ୍ତି । ଏହିପରି ସେମାନେ ବହୁକାଳରେ ବୃଦ୍ଧ ବୋଲାନ୍ତି । ଅଳ୍ପକାଳରେ ଜ୍ଞାନଲାଭ କରିବା ସମ୍ଭବ ନୁହେଁ । ଅତଏବ ତୁମ୍ଭେ ବାଳକ ହୋଇ କି ପ୍ରକାରେ ସ୍ଥବିର ପ୍ରାୟ ବକ୍ତୃତା କରୁଅଛ ? ୧୦। ଅଷ୍ଟବକ୍ର କହିଲେ, ହେ ଦ୍ୱାରପାଳ ! କେଶ ଶୁକ୍ଳ ବର୍ଣ୍ଣ ହେଲେ ଯେ ସ୍ଥବିର ହୁଅନ୍ତି, ଏକଥା ସ୍ଥିର ରଖନ୍ତୁ ନାହିଁ । ଯେ ବାଳକ ହୋଇ ସୁଦ୍ଧା ଜ୍ଞାନବାନ ହୁଅନ୍ତି, ତାହାଙ୍କୁ ଦେବତାମାନେ ସୁଦ୍ଧା ସ୍ଥବିର ବୋଲି ମଣନ୍ତି ।୧୧। ମନୁଷ୍ୟର ବୟସ ଅଧିକ ହେଲେ କି ସେ ପଳିତ ହେଲେ, ବିତ୍ତବନ୍ତ ହେଲେ, ଅଥବା ଅନେକ ବନ୍ଧୁବର୍ଗରେ ପରିବୃତ୍ତ ହେଲେ ଶ୍ରେଷ୍ଠ ହୋଇନପାରେ, କିନ୍ତୁ ଯେଉଁ ବ୍ୟକ୍ତି ସାଙ୍ଗବେଦାଧ୍ୟାୟୀ, ସେହି ଆମ୍ଭମାନଙ୍କ ମଧ୍ୟରେ ମହାନ ଓ ମାନ୍ୟବାନ୍ ହୁଅନ୍ତି । ଋଷିମାନେ ଏହି ପ୍ରକାରେ ଧର୍ମ ନିରୂପଣ କରିଅଛନ୍ତି ।୧୨। ହେ ଦ୍ୱାରପାଳ-! ଆମ୍ଭେ ରାଜସଭାରେ ବନ୍ଦୀଙ୍କ ସହିତ ସାକ୍ଷାତ୍ କରିବା ଅଭିଳାଷରେ ଆଗତ ହୋଇଅଛୁ-। ଅତଏବ ତୁମ୍ଭେ ଆମ୍ଭର ଆଗମନ ସମ୍ବାଦ ପୁଷ୍କରମାଳୀ ରାଜାଙ୍କଠାରେ ଅବଗତ କରାଅ-।୧୩। ଅଦ୍ୟ ତୁମ୍ଭେ ଦେଖିବ ଯେ ପଣ୍ଡିତମାନଙ୍କ ସହିତ ଆମ୍ଭର କିପରି ଶାସ୍ତ୍ରବିଚାର ହେବ ଓ କି ପ୍ରକାରେ ବନ୍ଦୀ ପରାଜିତ ହେବେ ।୧୪। ଅଦ୍ୟ ତର୍କରେ ସମସ୍ତେ ପରାସ୍ତ ଓ ତୂଷ୍ଣୀଭୂତ ହେଲେ ପୂର୍ଣ୍ଣ ବିଦ୍ୟାବନ୍ତ ପୁରୋଧା ଓ ରାଜା, ବିଦ୍ୟାବନ୍ତ ସଭାସ୍ଥିତ ଅନ୍ୟାନ୍ୟ ଜନମାନେ ସମସ୍ତେ ଯାହା ହେବାର ତାହା ଦେଖିବେ ।୧୫। ଦ୍ୱାରପାଳ ବୋଇଲେ, ତୁମ୍ଭେ ଦଶମ ବର୍ଷୀୟ ଶିଶୁ । ଏହି ଯଜ୍ଞାୟତନରେ ବୃଦ୍ଧ ଓ ସୁବିନୀତ ପଣ୍ଡିତମାନେ ପ୍ରବେଶ କରିବାର ଅଧିକାରୀ । ତଥାପି ଆମ୍ଭେ ତୁମ୍ଭର ପ୍ରବେଶ ଉପାୟ କହୁଅଛୁ । ତୁମ୍ଭେ ଯତ୍ନ କର ଓ ଆମ୍ଭେ ମଧ୍ୟ ଯତ୍ନ କରିବୁ ।୧୬।

 

ଅଷ୍ଟବକ୍ର ବୋଇଲେ–ହେ ରାଜନ୍‌ ! ଆପଣ ଜନକ ରାଜାଙ୍କ ବଂଶରେ ବରିଷ୍ଠ ଓ ସମ୍ରାଟ୍-। ଆପଣଙ୍କର ସର୍ବତ୍ର ସମୃଦ୍ଧି ଲକ୍ଷିତ ହୁଏ । ଆପଣ ଯଜ୍ଞୀୟ କର୍ମମାନଙ୍କର ଅଧିଷ୍ଠାତା । ଏକାକୀ ରାଜା ଯଯାତି ଆପଣଙ୍କ ସମାନ ପୂର୍ବକାଳରେ ବର୍ତ୍ତମାନ ଥିଲେ ।୧୭। ହେ ମହାରାଜ-! ଆମ୍ଭେମାନେ ଶୁଣିଅଛୁ ଯେ ବିଦ୍ୱାନ୍ ବନ୍ଦୀ ଅପର ବିଦ୍ୱାନ୍‌ମାନଙ୍କ ସହିତ ତର୍କରେ ପ୍ରବୃତ୍ତ ହୋଇ ଓ ସେମାନଙ୍କୁ ତର୍କରେ ପରାସ୍ତ କରି ନିଃଶଙ୍କ ଭାବରେ ଆପଣଙ୍କ ନିୟୋଜିତ ଆଜ୍ଞାକାରୀ ପୁରୁଷମାନଙ୍କଦ୍ୱାରା ପରାଜିତ ଜନଙ୍କୁ ଜଳମଗ୍ନ କରନ୍ତି ।୧୮। ଏହା ଶୁଣି ଆମ୍ଭେ ବ୍ରାହ୍ମଣମାନଙ୍କ ସମକ୍ଷରେ ଅଦ୍ୱୈତ ପ୍ରତିପାଦନ କରିବାକୁ ଆଗମନ କରିଅଛୁ । ସେହି ବନ୍ଦୀ କାହାନ୍ତି ? ସୂର୍ଯ୍ୟଙ୍କ ପ୍ରକାଶରେ ନକ୍ଷତ୍ରମାନେ ଯେପରି ବିନଷ୍ଟ ହୁଅନ୍ତି, ଆମ୍ଭେ ତାହାଙ୍କୁ ତଦ୍ରୂପ କରିବୁ ।୧୯। ରାଜା ବୋଇଲେ–ତୁମ୍ଭେ ବନ୍ଦୀଙ୍କର ପ୍ରତିବାଦ ନ ଶୁଣି ପୂର୍ବରେ ତାହାଙ୍କର ପରାଜୟ ଆକାଙ୍‌କ୍ଷା କରିଅଛ-। ଯେଉଁମାନେ ତାହାଙ୍କର ପରାକ୍ରମ ଜାଣନ୍ତି, ସେମାନଙ୍କର ଏପରି କହିବା ସଙ୍ଗତ-। ଅନେକ ବ୍ରାହ୍ମଣ ବେଦବାଦରେ ପ୍ରବୃତ୍ତ ହୋଇ ଶେଷରେ ତାହାଙ୍କର କ୍ଷମତା ଅବଗତ ହୋଇଅଛନ୍ତି-।୨୦। ବନ୍ଦୀଙ୍କର ବଳକୁ ଅବଗତ ନ ହୋଇ କି ପ୍ରକାରେ ତୁମ୍ଭେ ପୂର୍ବରୁ ତାହାଙ୍କୁ ପରାସ୍ତ ହେବାର ଆକାଙ୍‌କ୍ଷା କରୁଅଛ ? ପୂର୍ବେ ବ୍ରାହ୍ମଣମାନେ ବିଚାରାର୍ଥ ସମାଗତ ହୋଇ ଭାସ୍କରଙ୍କ ନିକଟରେ ନକ୍ଷତ୍ର ସଦୃଶ ତାହାଙ୍କ ସମକ୍ଷରେ ନିଷ୍ପ୍ରଭ ହୁଅନ୍ତି । ହେ ତାତ ! ବିଜ୍ଞାନମତ୍ତ ବ୍ୟକ୍ତିମାନେ ସଦସ୍ୟମାନଙ୍କୁ ପରାସ୍ତ କରିବା ଦୂରେ ଥାଉ ଏକାକୀ ବନ୍ଦୀଙ୍କୁ ଜୟ କରିବା ଆଶାରେ ବନ୍ଦୀଙ୍କ ନିକଟକୁ ଆସି ଅପ୍ରସ୍ତୁତ ହୋଇ ସଭାଗୃହରୁ ବିନିର୍ଗତ ହୁଅନ୍ତି ।୨୨।

 

ଅଷ୍ଟବକ୍ର ବୋଇଲେ, ଆମ୍ଭ ସହିତ ବା ତାର୍କିକଙ୍କ ସହିତ ବନ୍ଦୀ କଦାପି ବିବାଦ କରି ନାହାନ୍ତି । ଏହି ହେତୁରୁ ସେ ସିଂହ ସଦୃଶ ହୋଇ ନିର୍ଭୟରେ ବିତଣ୍ଡା କରନ୍ତି । ଅଦ୍ୟ ଆମ୍ଭ ସହିତ ତାହାଙ୍କର ସାକ୍ଷାତ୍ ହେଲେ, ସେ ଆମ୍ଭଦ୍ୱାରା ନିର୍ଜିତ ହୋଇ ଭଗ୍ନଚକ୍ର ଶକଟ ଯେପରି ପଥରେ ପତିତ ହୋଇଥାଏ, ସେହିପରି ସେ ଜଡ଼ପ୍ରାୟ ହୋଇ ରହିବେ ।୨୩। ରାଜା ପଚାରିଲେ–ଯାହାଙ୍କର ଏକ ଅଂଶରେ ତ୍ରିଂଶତ ଅବୟବ ଅଛି–ଏତାଦୃଶ ଦ୍ୱାଦଶ ଅଂଶ ବିଶିଷ୍ଟ–ଚତୁର୍ବିଂଶତି ପର୍ବଯୁକ୍ତ ଷଷ୍ଠ୍ୟଧିକ ତ୍ରିଂଶତ ଅରଦ୍ୱାରା ସଂଯୁତ ଯେଉଁ ପଦାର୍ଥ ତାହାକୁ ସେ ଜାଣନ୍ତି, ସେ ପରମ କବି ।୨୪।(୧) ଅଷ୍ଟବକ୍ର ବୋଇଲେ, ଯାହାର ଚତୁର୍ବିଂଶତି ପର୍ବ, ଛଅ ଗୋଟି ନାଭି, ଦ୍ୱାଦଶ ପ୍ରଧି ଓ ଷଷ୍ଠ୍ୟଧିକ ତ୍ରିଶତ ପରିମିତ ଅର ଅଛି, ସେହି ନିରନ୍ତର ଗମନଶୀଳ ଚକ୍ର ଆପଣଙ୍କୁ ରକ୍ଷା କରନ୍ତୁ-।୨୫।(୨) ରାଜା ପୁନଶ୍ଚ ପଚାରିଲେ ସଂଯୁକ୍ତ ଘୋଟକୀଦ୍ୱୟ ସଦୃଶ ଓ ଶ୍ୟେନପକ୍ଷୀ ପ୍ରାୟ ପତନଶୀଳ ଯେଉଁ ଦିଓଟି ପଦାର୍ଥ ଅଛି, ଦେବଗଣଙ୍କ ମଧ୍ୟରୁ କିଏ ସେ ପଦାର୍ଥକୁ ଉତ୍ପନ୍ନ କରିଅଛି ଓ ସେ ପଦାର୍ଥମାନ ମଧ୍ୟ କାହାକୁ ଉତ୍ପନ୍ନ କରିଅଛନ୍ତି ? ଅଷ୍ଟବକ୍ର ବୋଇଲେ, ହେ ରାଜନ୍‌-! ଯାହାର ସାରଥି ବାୟୁ, ସେହି ଆଗମନଶୀଳ ଦ୍ରବ୍ୟ ଉକ୍ତ ଦୁଇଗୋଟି ଦ୍ରବ୍ୟକୁ ଉତ୍ପନ୍ନ କରେ ଓ ସ୍ୱୟଂ ସେ ଦୁହେଁ ମଧ୍ୟ ତହିଁରୁ ଜାତ ହୁଅନ୍ତି । ସେହି ଦୁଇ ଦ୍ରବ୍ୟ ଆପଣଙ୍କ ଶତ୍ରୁଗୃହରେ ସୁଦ୍ଧା ପତିତ ନ ହେଉ ।୨୭।(୩) ପୁନଶ୍ଚ ରାଜା ବୋଇଲେ–ନିଦ୍ରାବସ୍ଥାରେ କିଏ ଚକ୍ଷୁ ନିମୀଳନ କରେ ନାହିଁ-। କିଏ ସେ ଜାତ ହୋଇ ସ୍ପନ୍ଦିତ ହୁଏ ନାହିଁ ଓ କିଏ ବେଗଦ୍ୱାରା ବୃଦ୍ଧିପ୍ରାପ୍ତ ହୁଏ ? ୨୮। ଅଷ୍ଟବକ୍ର ଉତ୍ତର କଲେ, ସୁପ୍ତ ମତ୍ସ୍ୟ ଚକ୍ଷୁ ମୁଦ୍ରିତ କରେ ନାହିଁ । ଅଣ୍ଡ ଜନ୍ମହୋଇ ସ୍ପନ୍ଦନ କରନ୍ତି ନାହିଁ-। ପାଷାଣର ହୃଦୟ ନାହିଁ ଓ ନଦୀ ବେଗଦ୍ୱାରା ବୃଦ୍ଧିପ୍ରାପ୍ତ ହୁଏ ।୨୯। ପକ୍ଷାନ୍ତରେ ଚିତ୍ ସ୍ୱରୂପ ଆତ୍ମା ଅବସ୍ଥାତ୍ରୟ ପ୍ରାପ୍ତ ହେଲେ ହେଁ ନିର୍ଲୋପ । ଭୂତ ଭୌତିକ ଏହି ବ୍ରହ୍ମାଣ୍ଡ ସ୍ୱଭାବ, ଜଡ଼ ଓ ଅଚଳ ହେଲେ ହେଁ ଆତ୍ମ ଚୈତନ୍ୟ ଯୋଗରେ ପ୍ରେରଣା ପ୍ରାପ୍ତ ହୁଏ ? ଅଶରୀରୀ ଆତ୍ମାର ହୃଦୟ ଅର୍ଥାତ୍ ଶୋକାୟତନ ନାହିଁ । ଚିତ୍ତ ରୂପ ନଦୀ ବେଗଦ୍ୱାରା ବର୍ଦ୍ଧିତ ହୁଏ ।୩୦। ରାଜା ବୋଇଲେ ତୁମ୍ଭଙ୍କୁ ମନୁଷ୍ୟ ବୋଲି ବୋଧ ହେଉନାହିଁ । ତୁମ୍ଭେ ସାକ୍ଷାତ୍ ଦେବମୂର୍ତ୍ତି । ତୁମ୍ଭଙ୍କୁ ସ୍ଥବିର ବୋଲି ଜାଣିଲି; ତୁମ୍ଭେ ବାଳକ ନୁହଁ । ବାକ୍ୟାଳାପରେ ତୁମ୍ଭ ସଦୃଶ କେହି ନାହିଁ । ଅତଏବ ତୁମ୍ଭଙ୍କୁ ଦ୍ୱାର ଛାଡ଼ି ଦେଉଅଛୁ । ଏହିଠାରେ ବନ୍ଦୀ ଅଛନ୍ତି; ଦୃଷ୍ଟି ନିକ୍ଷେପ କର ।

 

[* (୧) ଏହାଦ୍ୱାରା କର୍ମୋପଯୋଗୀ ସମ୍ବତ୍ସର ପ୍ରଭୃତି କାଳଘଟିତ ପ୍ରଶ୍ନ କରିବାର ହେଲା-

(୨) ଉତ୍ତରରେ ମଧ୍ୟ କର୍ମୋପଯୋଗୀ କାଳଚକ୍ରର ସ୍ୱରୂପ ବର୍ଣ୍ଣନା ହେଲା ।

(୩) ଆଧ୍ୟାତ୍ମିକ ଦୁଃଖ ଓ ମୃତୁ୍ୟ ଏବଂ ଅଧିଦୈବିକ ବିଦ୍ୟୁତ୍ ଓ ବଜ୍ର ।]

 

॥ ଅଧ୍ୟାୟ – ୧୩୪ ॥

 

ଅଷ୍ଟବକ୍ର ବୋଇଲେ–ହେ ଦୃପ୍ତସେନା ପ୍ରତିପାଳକ ମହୀପାଳ ! ଏହି ସମସ୍ତ ଅପ୍ରତିମ ମହାତେଜା ନରପତିମାନଙ୍କ ମଧ୍ୟରେ ବାଦୀପ୍ରବର ବନ୍ଦୀ କିଏ ? ତାହାଙ୍କୁ ଜାଣିପାରୁ ନାହିଁ । ମହାଜଳ ମଧ୍ୟରେ ହଂସକୁ ଅନ୍ୱେଷଣ କଲାପ୍ରାୟ କେବଳ ତାହାଙ୍କୁ ଅନ୍ୱେଷଣ କରୁଅଛୁଁ । ଆରେ ଅତିବାଦିମାନୀ ବନ୍ଦି ! ବାଦରେ ପରାଜିତ ବ୍ୟକ୍ତି ସହିତ ଜଳମଗ୍ନ ପଣ କରି ନଦୀବେଗ ସଦୃଶ ଅଦ୍ୟ ଆମ୍ଭ ନିକଟରେ ପ୍ରବାହିତ ହୋଇପାରିବ ନାହିଁ; ଯେହେତୁ ଆମ୍ଭେ ସମୃଦ୍ଧତେଜା ହୁତାଶନ । ଅଦ୍ୟ ତୁମ୍ଭେ ଏହି ସଭାରେ ଆମ୍ଭ ନିକଟରେ ସ୍ଥିର ହୋଇ ରହ ।୨। ଆମ୍ଭଙ୍କୁ ତୁମ୍ଭେ ନିଦ୍ରିତ ବ୍ୟାଘ୍ର ବୋଲି ଜାଣ । ସୃକଣୀ ଲେଲିହାନ ଆଶୀବିଷପ୍ରାୟ ଆମ୍ଭଙ୍କୁ ବୋଧ କର । ପଦାହତ ସର୍ପର ମସ୍ତକରେ ତୁମ୍ଭେ ଆଘାତ କରିଅଛ । କଦାପି ସେ ତୁମ୍ଭଙ୍କୁ ଦଂଶନ ନ କରି ଛାଡ଼ିବ ନାହିଁ । ତୁମ୍ଭର ପରିତ୍ରାଣ ନାହିଁ, ବିବେଚନା କର ।୩। ଦୁର୍ବଳ ବ୍ୟକ୍ତି ଯେବେ ଆପଣାକୁ ଦୃଢ଼ ମନେକରି ପର୍ବତ ପରେ ହସ୍ତଦ୍ୱାରା ଆଘାତ କରେ, ତେବେ ତାହାର ନଖ ସହିତ ହସ୍ତ ବିଶୀର୍ଣ୍ଣ ହୁଏ । ପର୍ବତ କିଞ୍ଚିନ୍ମାତ୍ର କ୍ଷୁଣ୍ଣ ହୁଏ ନାହିଁ ।୪। ମୈନାକ ପର୍ବତ ନିକଟରେ ଯେପରି ଅନ୍ୟ ପର୍ବତମାନେ ଓ ବୃଷଭ ସମୀପରେ ଯେପରି କ୍ଷୁଦ୍ର ବତ୍ସମାନେ, ସେହିପରି ମିଥିଳାଧିପତିଙ୍କ ନିକଟରେ ଅପରାପର ରାଜାମାନେ ନିକୃଷ୍ଟ ବୋଧ ହୁଅନ୍ତି ।୫। ହେ ମହାରାଜ ! ଯେପରି ଅମରଗଣଙ୍କ ମଧ୍ୟରେ ମହେନ୍ଦ୍ର ପ୍ରଧାନ, ନଦୀମାନଙ୍କ ମଧ୍ୟରେ ସୁରନଦୀ ପ୍ରଧାନ; ସେହିପରି ନୃପତିମାନଙ୍କ ମଧ୍ୟରେ ଆପଣ ପ୍ରଧାନ । ବନ୍ଦୀଙ୍କୁ ଆମ୍ଭ ସମୀପକୁ ଆଣିବାର ଆଜ୍ଞା ଦିଅନ୍ତୁ ।

 

ଲୋମଶ ବୋଇଲେ–ହେ ମହାରାଜ ! ଅଷ୍ଟବକ୍ର କ୍ରୋଧାକ୍ରାନ୍ତ ହୋଇ ସଭାମଧ୍ୟରେ ଏତାଦୃଶ ଗର୍ଜନ କରି ସମ୍ମୁଖସ୍ଥିତ ବନ୍ଦୀଙ୍କୁ କହିଲେ–ତୁମ୍ଭେ ଆମ୍ଭ ବାକ୍ୟର ଉତ୍ତର ପ୍ରଦାନ କର । ଆମ୍ଭେ ମଧ୍ୟ ତୁମ୍ଭ ବାକ୍ୟର ଉତ୍ତର ଦେବାକୁ ପ୍ରସ୍ତୁତ ଅଛୁ ।୭। ବନ୍ଦୀ କହିଲେ, ଯେପରି ଏକ ଅଗ୍ନି ବହୁ ରୂପରେ ପ୍ରଜ୍ୱଳିତ ହୁଏ ଓ ଏକ ସୂର୍ଯ୍ୟ ସମସ୍ତ ବିଶ୍ୱକୁ ଆଲୋକିତ କରେ, ଏକବାର ଦେବରାଜ ଇନ୍ଦ୍ର ଅରିମାନଙ୍କୁ ବିନାଶ କରନ୍ତି ଓ ପିତୃଗଣଙ୍କର ଯମ ଏକାକୀ ଅଧୀଶ୍ୱର ଅଟନ୍ତି, ତଦ୍ରୂପ ଆମ୍ଭେ ଏକାକୀ ସମସ୍ତ ବାଦୀଙ୍କର ବିନାଶକ ହୋଇଅଛୁ । ଅଷ୍ଟବକ୍ର ବୋଇଲେ, ଇନ୍ଦ୍ର ଓ ଅଗ୍ନି ଦୁହେଁ ସଖା; ଏକତ୍ର ଭ୍ରମଣ କରନ୍ତି । ନାରଦ ଓ ପର୍ବତ ଦୁଇଜଣ ଦେବର୍ଷି, ଅଶ୍ୱିନୀକୁମାର ଦୁଇ ଜଣ ଏକତ୍ର ଯାତାୟାତ କରନ୍ତି । ରଥର ଚକ୍ର ଦୁଇ ଗୋଟି, ଜାୟା ଓ ପତି ଦୁଇ ଗୋଟି ବିଧାତା ଗଢ଼ି ଅଛନ୍ତି ।୯। ବନ୍ଦୀ କହିଲେ, ସ୍ୱ ସ୍ୱ କର୍ମାନୁସାରେ ମନୁଷ୍ୟ ତ୍ରିବିଧ ଜନ୍ମଗ୍ରହଣ କରେ । ତିନି ବେଦ ଏକତ୍ର ହୋଇ ସମଗ୍ର ବାଜପେୟଙ୍କୁ ସୁସମ୍ପନ୍ନ କରନ୍ତି । ଅଧ୍ୱର୍ଯ୍ୟୁମାନେ ତ୍ରିିବିଧ ସ୍ନାନର ବିଧିକୁ ବିଧାନ କରିଅଛନ୍ତି । ଲୋକ ତିନି ପ୍ରକାର ଓ ଜ୍ୟୋତି ମଧ୍ୟ ତିନି ପ୍ରକାର ହୁଏ ।୧୦। ଅଷ୍ଟବକ୍ର କହିଲେ, ବ୍ରାହ୍ମଣମାନଙ୍କର ଆଶ୍ରମ ଚତୁର୍ବିଧ । ଚାରି ବର୍ଣ୍ଣ ଜ୍ଞାନଯଜ୍ଞର ଅଧିକାରୀ । ଦିଗ ଚାରି ଗୋଟି । ବର୍ଣ୍ଣ ଚାରି ଓ ଗାଭୀ ଚତୁଷ୍ପଦ ।୧୧।

 

ବନ୍ଦୀ ବୋଇଲେ, ଅଗ୍ନି ପାଞ୍ଚ ପ୍ରକାର । ପଙ୍‌କ୍ତି ଛନ୍ଦ ପଞ୍ଚପଦଯୁକ୍ତ, ଯଜ୍ଞ ପଞ୍ଚବିଧ, ଇନ୍ଦ୍ରିୟ ପଞ୍ଚ । ବେଦରେ ଅନୁସନ୍ଧାନାତ୍ମକ ଚିତ୍ତବୃତ୍ତି ପଞ୍ଚ ପ୍ରକାର । ପବିତ୍ର ପଞ୍ଚନଦ ଲୋକରେ ବିଖ୍ୟାତ ଅଛି ।୧୨। ଅଷ୍ଟବକ୍ର ବୋଇଲେ–ଅଗ୍ନ୍ୟାଧାନରେ ଦକ୍ଷିଣାସ୍ୱରୂପ ଛଅ ଗୋଟି ଗୋଦାନ ପ୍ରସିଦ୍ଧ ଅଛି-। ଋତୁ ଛଅଟି, ଇନ୍ଦ୍ରିୟ ଛଅ, କୃତ୍ତିକା ଛଅଗୋଟି ବିଖ୍ୟାତ, ଛଅଗୋଟି ସାଦ୍ୟସ୍କ ନାମକ ଯଜ୍ଞ ବେଦରେ ବିହିତ ହୋଇଅଛି ।୧୩। ବନ୍ଦୀ ବୋଇଲେ ଗ୍ରାମ୍ୟ ପଶୁ ସପ୍ତବିଧ, ବନ୍ୟପଶୁ ସପ୍ତବିଧ, ସପ୍ତଛନ୍ଦ ଏକ ଯଜ୍ଞକୁ ସମ୍ପନ୍ନ କରେ, ସପ୍ତର୍ଷିମଣ୍ଡଳ ଲୋକରେ ବିଖ୍ୟାତ, ଅର୍ହନା ସପ୍ତ ପ୍ରକାର ଓ ବୀଣା ସପ୍ତତନ୍ତ୍ରୀ ଅଟେ ।୧୪।

 

ଅଷ୍ଟବକ୍ର ବୋଇଲେ–ଆଠ ଗୋଟି ଗୋଣୀ ଶତପରିମିତ ଦ୍ରବ୍ୟକୁ ଧାରଣ କରେ । ଅଷ୍ଟପାଦ ଶରଭ ସିଂହକୁ ବଧ କରିବାର ଜଣାଅଛି । ଦେବଗଣଙ୍କ ମଧ୍ୟରେ ଆଠ ଗୋଟି ବସୁ ପ୍ରସିଦ୍ଧ ଅଛନ୍ତି ଓ ଅଷ୍ଟକୋଣ ବିଶିଷ୍ଟ ଯୂପ ସର୍ବପ୍ରକାର ଯଜ୍ଞରେ ପ୍ରୟୋଗ ହୁଏ ।୧୫। ବନ୍ଦୀ କହିଲେ, ପିତୃଯଜ୍ଞରେ ସାମିଧେନୀ ମନ୍ତ୍ର ନବବିଧ ଓ ତ୍ରିଗୁଣାତ୍ମିକା ପ୍ରକୃତି ଅବାନ୍ତର ଭେଦରେ ନବପ୍ରକାର ହୋଇ ସୃଷ୍ଟିକ୍ରିୟା ସମ୍ପାଦନ କରେ । ବୃହତୀ ନବାକ୍ଷର ଓ ଏକଠାରୁ ନଅପର୍ଯ୍ୟନ୍ତ ନଅଟି ଅଙ୍କଦ୍ୱାରା ସମସ୍ତ ଗଣନା ସମ୍ପନ୍ନ ହୁଏ ।୧୬। ଅଷ୍ଟବକ୍ର ବୋଇଲେ, ଦିଗ ଦଶ ଗୋଟି, ଶତସଂଖ୍ୟା ଦଶଗୁଣିତ ହେଲେ ସହସ୍ରେ ହୁଏ । ସ୍ତ୍ରୀମାନେ ଦଶମାସ ଗର୍ଭଧାରଣ କରନ୍ତି । ଦଶ ଜଣ ତତ୍ତ୍ୱର ଉପଦେଷ୍ଟା, ଦଶ ଜଣ ଦ୍ୱେଷ୍ଟା ଓ ଦଶ ଜଣ ଅଧିକାରୀ ।୧୭।

 

ବନ୍ଦୀ ବୋଇଲେ, ପ୍ରାଣୀମାନଙ୍କର ଇନ୍ଦ୍ରିୟର ବିଷୟ ଏକାଦଶ ପ୍ରକାର । ସେହି ଏକାଦଶ ବିଷୟ ତତ୍ତ୍ୱଜ୍ଞାନର ପ୍ରତିବନ୍ଧକ । ଇନ୍ଦ୍ରିୟର ବିକାର ଏକାଦଶ ପ୍ରକାର ଓ ସ୍ୱର୍ଗରେ ଏକାଦଶ ରୁଦ୍ର ପ୍ରସିଦ୍ଧ ଅଛନ୍ତି ।୧୮। ଅଷ୍ଟବକ୍ର ବୋଇଲେ–ଦ୍ୱାଦଶ ମାସରେ ସମ୍ବତ୍ସର ହୁଏ । ଜଗତୀ ଛନ୍ଦରେ ପ୍ରତ୍ୟେକ ପାଦରେ ଦ୍ୱାଦଶ ଅକ୍ଷର । ପ୍ରାକୃତ ଯଜ୍ଞ ଦ୍ୱାଦଶ ଦିନରେ ସମ୍ପନ୍ନ ହୁଏ । ଆଦିତ୍ୟ ଦ୍ୱାଦଶ ବୋଲି ଲୋକରେ ବିଖ୍ୟାତ ।୧୯। ବନ୍ଦୀ ବୋଇଲେ, ତ୍ରୟୋଦଶ ତିଥି ପ୍ରଶସ୍ତ ବୋଲି କଥିତ ଅଛି ଓ ପୃଥିବୀ ତ୍ରୟୋଦଶ ଦ୍ୱୀପବିଶିଷ୍ଟ । ଲୋମଶ ବୋଇଲେ, ଏତିକି କହି ବନ୍ଦୀ ନିବୃତ୍ତ ହେଲେ । ଶ୍ଳୋକ ପୂର୍ଣ୍ଣ କରିପାରିଲେ ନାହିଁ । ତହୁଁ ଅଷ୍ଟବକ୍ର ସେ ଶ୍ଳୋକକୁ ପୂର୍ଣ୍ଣ କଲେ । ଅଷ୍ଟବକ୍ର ବୋଇଲେ, ଅସଙ୍ଗ ଆତ୍ମା ବିଷୟେନ୍ଦ୍ର ସମ୍ବନ୍ଧରେ ତ୍ରୟୋଦଶ ପ୍ରକାର ଭୋଗରେ ରତ ହୁଏ ଓ ଧର୍ମାଦି ସମୁଦାୟ ବୁଦ୍ଧ୍ୟାଦି ତ୍ରୟୋଦଶ ନାଶକ ।୨୦। ଏହି ବ୍ୟାସକୂଟ ଅର୍ଥ ଅତିଶୟ କଠିନ । କେବଳ ସାରମାତ୍ର ଏଠାରେ କଥିତ ହେଲା । ଦଶ ଇନ୍ଦ୍ରିୟ ମନ ବୁଦ୍ଧ ଓ ଅହଙ୍କାର ଏପରି ତେରଟି ଦ୍ରବ୍ୟ ସଙ୍ଗରେ ଆତ୍ମା ତେର ପ୍ରକାର ଭୋଗରେ ରତ ହୁଏ । ପରମାର୍ଥ ତତ୍ତ୍ୱଜ୍ଞାନ ହେଲେ ସେ ତେରଟି ବିନଷ୍ଟ ହୁଏ-।୨୧।

 

ତଦନନ୍ତର ସଭାସ୍ଥଳରେ ଘୋର ନିନାଦ ଉପସ୍ଥିତ ହେଲା । ସୁତପୁତ୍ର ବନ୍ଦୀ ତୁନି ହୋଇ ଅଧୋମୁଖରେ ଅବସ୍ଥାନ କଲେ । ଏହିପରି ଜନକ ନରପତିଙ୍କର ସେହି ବୃହତ୍ ଯଜ୍ଞାୟତନ ଜନଗଣଙ୍କ କଳରବରେ ପରିବ୍ୟାପ୍ତ ହେଲା । ତତ୍ରସ୍ଥ ବ୍ରାହ୍ମଣମାନେ କୃତାଞ୍ଜଳିପୁଟରେ ଆଗମନ କରି ଅଷ୍ଟବକ୍ରଙ୍କର ପୂଜା କଲେ ।୨୨। ତହିଁରେ ଅଷ୍ଟବକ୍ର କହିଲେ, ଏହି ବନ୍ଦୀ ପୂର୍ବେ ବ୍ରାହ୍ମଣମାନଙ୍କୁ ବାଦରେ ପରାଜୟ କରି ସଲିଳ ମଧ୍ୟରେ ବିନିମଗ୍ନ କରିଅଛି । ଏବେ ତାହାକୁ ଜଳମଗ୍ନ କର ।୨୩। ବନ୍ଦୀ ବୋଇଲେ, ଆମ୍ଭେ ବରୁଣ ରାଜାଙ୍କର ପୁତ୍ର । ଜଳମଗ୍ନ ହେବାରେ ଆମ୍ଭର କୌଣସି ଶଙ୍କା ନାହିଁ । ସେ ଜନକ ନୃପତିଙ୍କର ପ୍ରାୟ ଦ୍ୱାଦଶ ବାର୍ଷିକ ଯଜ୍ଞ ଆରମ୍ଭ କରିଅଛନ୍ତି । ତନ୍ନିମିତ୍ତ ଆମ୍ଭେ ବ୍ରାହ୍ମଣମାନଙ୍କୁ ସେଠାକୁ ପ୍ରେରଣ କରିଅଛୁଁ । ସେହି ବ୍ରାହ୍ମଣମାନେ ତାହାଙ୍କର ଯଜ୍ଞ ଦେଖିବାକୁ ଗମନ କରିଅଛନ୍ତି । ସେମାନେ ପୁନର୍ବାର ଏଠାକୁ ଆସିଅଛନ୍ତି । ପରନ୍ତୁ ଅଷ୍ଟବକ୍ର ଆମ୍ଭର ପୂଜନୀୟ । ତାହାଙ୍କ ହେତୁରୁ ଆମ୍ଭେ ଜନିତାଙ୍କର ଦର୍ଶନ କରିବୁ ।୨୫। ଅଷ୍ଟବକ୍ର ବୋଇଲେ, ବନ୍ଦୀ ଯେଉଁ ବାକ୍ୟଦ୍ୱାରା ଅଥବା ନିଜର ମେଧାଦ୍ୱାରା ବିଦ୍ୟାବାନ ବ୍ରାହ୍ମଣମାନଙ୍କୁ ପରାସ୍ତ କରି ସମୁଦ୍ରରେ ଜଳମଗ୍ନ କରିଅଛନ୍ତି,ଆମ୍ଭେ ସ୍ୱୀୟ ମେଧାଦ୍ୱାରା ସେହି ବାକ୍ୟମାନଙ୍କୁ ଯେପରି ଖଣ୍ଡନ କଲୁ, ତାହା ବିଚକ୍ଷଣ ବ୍ୟକ୍ତିମାନେ ଅବଶ୍ୟ ବୋଧଗମ୍ୟ କରିଥିବେ । ସଦସତ୍ ବ୍ୟାବହାରିକ ହୁତାଶନ ଯେପରି ସ୍ୱକୀୟ ତେଜଦ୍ୱାରା ସତ୍ୟପରାୟଣ ସାଧୁ ବ୍ୟକ୍ତିଙ୍କର ଶରୀର ଦହନ କରନ୍ତି ନାହିଁ, ତଦ୍ରୂପ ବିଦ୍ୱାନ ବ୍ୟକ୍ତି ବାଳକଙ୍କର ଅତି କ୍ଷୁଦ୍ର ବାକ୍ୟକୁ ସୁଦ୍ଧା ଅବମାନନା କରନ୍ତି ନାହିଁ । ଏଥିରେ ବୋଧହୁଏ ବୁଦ୍ଧିନାଶକ ଶ୍ଲେଷ୍ମାତକୀ ବୃକ୍ଷ ତୁମ୍ଭଙ୍କୁ ଅତିଶୟ ନିସ୍ତେଜ କରିଅଛି । ସୁତରାଂ ତୁମ୍ଭେ ହସ୍ତୀପ୍ରାୟ ଆହତ ହେଲେ ହେଁ ଆମ୍ଭର ବାକ୍ୟ ଶ୍ରବଣ କରୁ ନାହୁଁ ।୨୮। ଜନକ ବୋଇଲେ, ହେ ବ୍ରାହ୍ମଣ କୁମାର, ଆମ୍ଭେ ଆପଣଙ୍କର ଅମାନୁଷୀ ଦିବ୍ୟବାକ୍ୟ ଶ୍ରବଣ କରି ବୋଧ କଲୁ ଯେ ଆପଣ ସାକ୍ଷାତ୍ ଦେବସୂରୂପ । ଆପଣ ବନ୍ଦୀଙ୍କୁ ବିବାଦରେ ପରାଜୟ କରିଅଛନ୍ତି-। ଅତଏବ ସେ ଆପଣଙ୍କର ଅଭିଳାଷାନୁରୂପ କାର୍ଯ୍ୟ କରିବେ ।୨୯।

 

ଅଷ୍ଟବକ୍ର ବୋଇଲେ, ହେ ରାଜନ୍‌ ! ବରୁଣ ଯେବେ ବନ୍ଦୀଙ୍କର ପିତା ଅଟନ୍ତି, ତେବେ ତାହାଙ୍କୁ ଜଳମଗ୍ନ କରିବାରେ କି ପ୍ରତିବନ୍ଧକ ଅଛି ? ପରନ୍ତୁ ସେ ଜୀବିତ ଥିଲେ ଆମ୍ଭର କି ଉପକାର କରିବେ ? ୩୦। ବନ୍ଦୀ ହୋଇଲେ ଆମ୍ଭେ ବରୁଣ ରାଜାଙ୍କର ପୁତ୍ର । ଜଳମଗ୍ନ ହେବାରେ ଆମ୍ଭର କିଛିମାତ୍ରା ଶଙ୍କା ନାହିଁ । ସେ ଯାହାହେଉ, ଆମ୍ଭେ ଏକ୍ଷଣି ନିଶ୍ଚୟ କହୁଁଅଛୁଁ ଯେ ଅଷ୍ଟବକ୍ର ଏତନ୍ମୁହୂର୍ତ୍ତରେ ତାହାଙ୍କର ଚିରନଷ୍ଟ ପିତା କହୋଡଙ୍କର ସନ୍ଦର୍ଶନପ୍ରାପ୍ତ ହେବେ ।୩୧। ଲୋମଶ ବୋଇଲେ, ଏତନ୍ମଧ୍ୟରେ ଯେତେ ବିପ୍ରମାନଙ୍କୁ ନଦୀଜଳଦ୍ୱାରା ମଜ୍ଜିତ କରିଥିଲେ,ସେମାନେ ସମସ୍ତେ ବରୁଣଙ୍କଦ୍ୱାରା ପୂଜିତ ହୋଇ ଜଳାଶୟରୁ ସମୁôତଥିତ ହୋଇ ଜନକ ରାଜାଙ୍କ ସମୀପରେ ଉପସ୍ଥିତ ହେଲେ ।୩୨। ତତ୍କାଳରେ କହୋଡ କହିଲେ, ହେ ଜନକ ! ଲୋକେ ଏହି ନିମିତ୍ତ ପୁତ୍ରର କାମନା କରନ୍ତି, ଯେ ହେତୁରୁ ଦୁର୍ବଳର ବଳବାନ୍‌, ଅଜ୍ଞର ପଣ୍ଡିତ ଓ ଅବିଦ୍ୟାବନ୍ତର ମଧ୍ୟ ବିଦ୍ୟାବାନ ପୁତ୍ର ଜନ୍ମିଥାଏ । ଦେଖନ୍ତୁ, ଆମ୍ଭେ ଯାହା କରିବାକୁ ଅସମର୍ଥ ହୋଇଥିଲୁଁ, ଆମ୍ଭର ପୁତ୍ର ଅନାୟାସରେ ତାହା ସମ୍ପନ୍ନ କଲେ ।୩୪। ବନ୍ଦୀ ବୋଇଲେ, ହେ ମହାରାଜ ! ଆପଣଙ୍କର ମଙ୍ଗଳ ହେଉ । ଯୁଦ୍ଧକାଳରେ ଯମ ସ୍ୱୟଂ ଆସି ନିଜର ଶାଣିତ ପରଶୁଦ୍ୱାରା ଆପଣଙ୍କ ଶତ୍ରୁଙ୍କର ଶିରଶ୍ଛେଦନ କରନ୍ତି । ଆପଣଙ୍କର ଏହି ଯଜ୍ଞର ଔକଥ୍ୟ ଓ ସାମ୍ୟ ସୁଚାରୁରୂପେ ଗୀତ ହୋଇଅଛି ଓ ସୋମରସ ପ୍ରଚୁର ପରିମାଣରେ ପୀତ ହୋଇଅଛି ଓ ଦେବଗଣ ପରିତୃପ୍ତ ହୋଇ ନିଜ ନିଜର ଭାଗ ଗ୍ରହଣ କରୁଅଛନ୍ତି ।୩୬।

 

ଲୋମଶ ବୋଇଲେ, ତଦନନ୍ତର ହେ ରାଜନ୍‌ ! ଜଳମଧ୍ୟରୁ ସମୁତ୍‌ଥିତ ପ୍ରଭାବଶାଳୀ ବ୍ରାହ୍ମଣମାନଙ୍କ ସାକ୍ଷାତ୍‌ରେ ଜନକ ରାଜାଙ୍କଠାରୁ ଅନୁଜ୍ଞା ଘେନି ବନ୍ଦୀ ଜଳମଧ୍ୟରେ ପ୍ରବେଶ କଲେ ଓ ଅଷ୍ଟବକ୍ର ସ୍ୱକୀୟ ପିତା କହୋଡଙ୍କର ଯଥାବିହତ ପୂଜା କରି ସମସ୍ତ ବ୍ରାହ୍ମଣଙ୍କଦ୍ୱାରା ସ୍ୱୟଂ ପୂଜିତ ହୋଇ ମାତୁଳଙ୍କ ସମଭିବ୍ୟାହାରରେ ସ୍ୱୀୟ ଆଶ୍ରମକୁ ପ୍ରତିଗମନ କଲେ ୩୮। ତତ୍‍ପରେ ତାହାଙ୍କର ପିତା ତଦୀୟ ମାତାଙ୍କ ସାକ୍ଷାତରେ ତାହାଙ୍କୁ କହିଲେ, ଅଷ୍ଟବକ୍ର ! ତୁମ୍ଭେ ଏହି ସମଙ୍ଗା ନଦୀ ମଧ୍ୟରେ ଶୀଘ୍ର ପ୍ରବେଶ କର । ପିତାଙ୍କ ଆଜ୍ଞାନୁସାରେ ଅଷ୍ଟବକ୍ର ତତ୍‌କ୍ଷଣାତ ନଦୀ ମଧ୍ୟରେ ପ୍ରବେଶ କଲେ ଓ ତତ୍‌କ୍ଷଣାତ ତାହାଙ୍କର ଅଙ୍ଗର ବକ୍ରତା ବିନଷ୍ଟ ହେଲା ସେ ସମ ଅଙ୍ଗ ହୋଇ ନଦୀ ମଧ୍ୟରୁ ଉତ୍‌ଥିତ ହେଲେ ୩୯। ହେ କୌନ୍ତେୟ ! ଏହି ନଦୀ ମଧ୍ୟରେ ମଜ୍ଜନ କରିବାରୁ ଅଷ୍ଟବକ୍ର ଋଷିଙ୍କର ଅଙ୍ଗ ସମ ହେଲା । ଏହି କାରଣରୁ ସେ ନିମ୍ନଗାର ନାମ ସମଙ୍ଗା ହେଲା । ଏହି ପୂଣ୍ୟପ୍ରଦା ନଦୀରେ ସ୍ନାନ କଲେ ମନୁଷ୍ୟ କ୍ଳିବିଷରୁ ମୁକ୍ତ ହୁଏ ଅତଏବ ହେ ଆଜମୀଢ଼ ! ଆପଣ ଭ୍ରାତା ଓ ଭାର୍ଯ୍ୟାଙ୍କୁ ଘେନି ଏହି ନଦୀରେ ସ୍ନାନ, ଅବଗାହନ ଓ ଜଳପାନ ନିମିତ୍ତ ଅବତରଣ କରନ୍ତୁ । ପ୍ରୀତଚିତ୍ତରେ ଆପଣ ଏହି ସ୍ଥଳରେ ଭ୍ରାତା ଓ ବିପ୍ରଗଣଙ୍କ ସହିତ ବାସ କରନ୍ତୁ । ପବିତ୍ର କର୍ମରେ ଆପଣଙ୍କର ଐକାନ୍ତିକ ଶ୍ରଦ୍ଧା ଅଛି । ଅତଏବ ଏଥିଉତ୍ତାରୁ ଆପଣ ଆମ୍ଭ ସହିତ ଅନ୍ୟାନ୍ୟ ପୂଣ୍ୟ କର୍ମମାନ ଆଚରଣ କରିବା ହେବେ ।

 

॥ ଅଧ୍ୟାୟ – ୧୩୫ ॥

 

ଲୋମଶ ବୋଇଲେ, ହେ ରାଜନ୍‌ ! ଏହି ଯେ ସମଙ୍ଗା ନଦୀ ପ୍ରକାଶ ପାଉଅଛି, ପୂର୍ବେ ଏହାର ନାମ ମଧୁବିଳା ଥିଲା । ଅଷ୍ଟବକ୍ରଙ୍କ ଅଙ୍ଗ ସମାନ ହେବା ଦିନରୁ ଏହାର ନାମ ସମଙ୍ଗା ହେଲା । ଏହି ଯେଉଁ କର୍ଦ୍ଦଶୀଳ ତୀର୍ଥ ଦେଖୁଅଛନ୍ତି, ଏହି ତୀର୍ଥରେ ଭରତଙ୍କର ଅଭିଷେକ ହୋଇଥିଲା । ଶଚିପତି ବୃତ୍ତ୍ରାସୁରକୁ ବଧ କରନ୍ତେ, ତାହାଙ୍କୁ (ଇନ୍ଦ୍ରଙ୍କୁ) ଅଲକ୍ଷ୍ମୀ ଆଶ୍ରୟ କଲା । ତହୁଁ ଇନ୍ଦ୍ର ଏହି ସମଙ୍ଗାରେ ସ୍ନାନ କରି ସର୍ବ ପାପରୁ ବିମୁକ୍ତ ହେଲେ ।୨। ହେ ନରନାଥ ! ଏହି ମୈନାକ ନାମକ ପର୍ବତର କୁକ୍ଷିରେ ବିନଶନ ତୀର୍ଥ ଦୃଶ୍ୟ ହେଉଅଛି । ଏହି ସ୍ଥାନରେ ପୂର୍ବକାଳରେ ଅଦିତି ପୁତ୍ରଲାଭ ନିମିତ୍ତ ଚରୁପାକ କରିଥିଲେ ।୩। ହେ ପୁରୁଷପ୍ରବରଗଣ ! ଆପଣମାନେ ଏହି ପର୍ବତରାଜ ମୈନାକ ଉପରେ ଆରୋହଣ କରି ଅକୀର୍ତ୍ତନୀୟା, ଅଯଶସ୍କରୀ, ଅଲକ୍ଷ୍ମୀଙ୍କୁ ଅବସନ୍ନ କରନ୍ତୁ ।୪। ହେ ଯୁଧିଷ୍ଠିର ! ଋଷିମାନଙ୍କର ପ୍ରିୟ ଏହିସବୁ କନଖଳ ପର୍ବତ ଓ ଏହି ମହାନଦୀ ଗଙ୍ଗା ବିରାଜମାନ ହୋଇଅଛନ୍ତି । ପୂର୍ବକାଳରେ ଭଗବାନ ସନତ୍‌କୁମାର ଏହି ସ୍ଥାନରେ ସିଦ୍ଧି ଲାଭ କରିଥିଲେ । ଅତଏବ ହେ ଆଜମୀଢ ! ଆପଣ ଏହି ସୁରତରଙ୍ଗିଣୀରେ ଅବଗାହନ କଲେ ବସର୍ବଧ ପାପରୁ ବିମୁକ୍ତ ହୋଇପାରିବେ ।୬। ହେ କୌନ୍ତେୟ ! ସାମାତ୍ୟ ଓ ସ୍ୱଜନାବୃତ୍ତ ହୋଇ ଏହି ପୁଣ୍ୟାଖ୍ୟ ଜଳହ୍ରଦରେ ସ୍ନାନ କରନ୍ତୁ । ଭୃଗୁତୁଙ୍ଗ ନାମକ ଶୈଳ ପରେ ବିହାର କରନ୍ତୁ ଓ ତୃଷ୍ଣୀ ଗଙ୍ଗାଙ୍କର ଜଳକୁ ସ୍ପର୍ଶ କରନ୍ତୁ ।୭। ଦେଖନ୍ତୁ, ଏହି ସ୍ଥୂଳଶିରା,ୠଷିଙ୍କର ପରମ ରମଣୀୟ ଆଶ୍ରମ ଦୃଶ୍ୟ ହେଉଅଛି । ଏହି ସ୍ଥାନରେ ଆପଣ କ୍ରୋଧମାନଙ୍କୁ ବିସର୍ଜନ କରନ୍ତୁ ।୮। ହେ ମହାରାଜ ! ଏହି ରୈଭ୍ୟାଶ୍ରମ ଦୃଶ୍ୟ ହେଉଅଛି । ଏହି ସ୍ଥାନରେ ଭରଦ୍ୱାଜଙ୍କ ସନ୍ତାନ କବି ଯବକ୍ରୀତ ବିନଷ୍ଟ ହୋଇଥିଲେ ।

 

ଯୁଧିଷ୍ଠିର ପଚାରିଲେ– ଭରଦ୍ୱାଜ ପ୍ରତାପଶୀଳ ଥିଲେ । ତାହାଙ୍କ ପୁତ୍ର ଯବକ୍ରୀତ କି ପ୍ରକାର ଉପଯୁକ୍ତ ଥିଲେ ଓ ସେ ମୁନିପୁତ୍ର ହୋଇ କିପରି ବିନିଷ୍ଟ ହେଲେ ? ଏ ସମସ୍ତ ଯେପରି ଘଟିଥିଲା, ତାହା ତତ୍ତ୍ୱତଃ ଶ୍ରବଣ କରିବାକୁ ଆମ୍ଭର ଶ୍ରଦ୍ଧା ଜାତ ହେଉଅଛି । ଯେହେତୁରୁ ସେହି ଦେବସମ ବ୍ୟକ୍ତିଙ୍କର କର୍ମମାନ ପରିକୀର୍ତ୍ତିତ ହେଲେ ତତ୍ ଶ୍ରବଣରେ ଆମ୍ଭର ଅତିଶୟ ହର୍ଷୋଦୟ ହୁଏ ।୨୧।

 

ଲୋମଶ ବୋଇଲେ– ହେ ଭାରତ ! ଶ୍ରବଣ କରନ୍ତୁ । ଭରଦ୍ୱାଜ ଓ ରୈଭ୍ୟ ନାମରେ ଦୁଇ ଗୋଟି ମୁନି ପରସ୍ପର ସଖା ଥିଲେ । ସେ ଦୁହେଁ ଅତ୍ୟନ୍ତ ପ୍ରଣୟ ସହକାରେ ଏହିଠାରେ ଏକତ୍ର ବାସ କରୁଥିଲେ ।୨୩। ରୈଭ୍ୟଙ୍କର ଅର୍ବାବସୁ ଓ ପରାବସୁ ନାମରେ ଦୁଇଗୋଟି ପୁତ୍ର ଓ ଭରଦ୍ୱାଜଙ୍କର ଯବକ୍ରୀତ ନାମରେ ଗୋଟିଏ ପୁତ୍ର ଥିଲେ । ରୈଭ୍ୟ ଓ ତାହାଙ୍କର ପୁତ୍ର ଦୁହେଁ ବିଦ୍ୱାନ ଥିଲେ । ଭରଦ୍ୱାଜ କେବଳ ତପସ୍ୟାରେ ଅନୁରକ୍ତ ଥିଲେ, ସେ ଦୁହିଁଙ୍କର ବାଲ୍ୟକାଳାବଧି ପରସ୍ପର ଏତେ ପ୍ରୀତି ଥିଲା ଯେ ଆଉ କାହାର ଯେପରି ପ୍ରୀଜି ହେବାର ନୁହେଁ ।୨୪। ଯବକ୍ରୀତ ଦେଖିଲେ ଯେ ତାହାଙ୍କ ପିତା ଭରଦ୍ୱାଜଙ୍କୁ କେହି ବିଶେଷ ସମାଦର କରନ୍ତି ନାହିଁ ଓ ସେ ସର୍ବଦା ତପପରାୟଣ ହୋଇଥାନ୍ତି । ରୈଭ୍ୟ ଓ ତାହାଙ୍କର ପୁତ୍ରମାନଙ୍କୁ ସମସ୍ତ ବ୍ରାହ୍ମଣ ସତ୍କାର କରନ୍ତି । ଏହା ଦେଖି ଯବକ୍ରୀତ ଦୁଃଖିତ ହେଲେ । ହେ ପାଣ୍ଡବ ! ତଦନନ୍ତର ତେଜସ୍ୱୀ ଯବକ୍ରୀତ ବେଦଜ୍ଞାନ ନିମିତ୍ତ ଅତିକଠୋର ତପସ୍ୟା ଆରମ୍ଭ କଲେ । ସେ ଅତି ପ୍ରଦୀପ୍ତ ହୁତାଶନରେ ଶରୀରକୁ ଉପତାପିତ କରି ଏପରି କଠୋର ତପସ୍ୟା ଆରମ୍ଭ କଲେ ଯେ ଇନ୍ଦ୍ରଙ୍କ ମନରେ ସୁଦ୍ଧା ସନ୍ତାପ ଜାତ ହେଲା ।୨୭।

 

ହେ ଯୁଧିଷ୍ଠିର ! ଇନ୍ଦ୍ର ଯବକ୍ରୀତଙ୍କ ସନ୍ନିହିତ ହୋଇ ତାହାଙ୍କୁ ପଚାରିଲେ, ତୁମ୍ଭେ କି ନିମିତ୍ତ ଏହି କଠୋର ତପସ୍ୟାର ଅନୁଷ୍ଠାନ କରୁଅଛ ? ୧୮। ଯବକ୍ରୀତ ବୋଇଲେ, ହେ ସୁରଗଣପୂଜିତ ! ବେଦମାନଙ୍କୁ ଅଧ୍ୟୟନ ନ କରି ସୁଦ୍ଧା ସେମାନେ ବ୍ରାହ୍ମଣମାନଙ୍କୁ ପ୍ରତିଭାତ ହେଉନ୍ତୁ । ଏହି କାରଣରୁ ଆମେ ତପସ୍ୟା କରିଅଛୁ ।୧୯। ହେ ପାକଶାସନ ! ଆମ୍ଭର ଏହି ସମାରମ୍ଭ କେବଳ ସ୍ୱାଧ୍ୟାୟାର୍ଥ । ଆମ୍ଭେ ତପସ୍ୟାଦ୍ୱାରା ସକଳ ଶାସ୍ତ୍ର ଜାଣିବାକୁ ଇଚ୍ଛା କରିଅଛୁ ।୨୦। ହେ ବିପ୍ର ! ଗୁରୁଙ୍କ ମୁଖରୁ ବେଦମାନଙ୍କୁ ଅଧ୍ୟୟନ କରିବାରେ ଅନେକ ସମୟ ଲାଗେ । ଏହି ନିମିତ୍ତ ଆମ୍ଭର ତପସ୍ୟାରେ ପ୍ରବୃତ୍ତି ହୋଇଅଛି ।୨୧।

 

ଇନ୍ଦ୍ର ଉତ୍ତର କଲେ– ବିପ୍ରର୍ଷେ ! ତୁମ୍ଭେ ଯେଉଁ ପଥରେ ଗମନ କରିବାକୁ ଇଚ୍ଛା କରିଅଛ, ଏହା ସୁପଥ ନୁହେଁ । ଅତଏବ ତୁମ୍ଭର ଈଦୃଶ ଶାରୀରିକ କଷ୍ଟ ସ୍ୱୀକାର କରିବାର ଆବଶ୍ୟକତା ନାହିଁ । ତୁମ୍ଭେ ଗୁରୁଙ୍କଠାକୁ ଯାଇ ଅଧ୍ୟୟନ କର ।୨୨।

 

ଲୋମଶ ବୋଇଲେ, ଦେବରାଜ ଏହି କଥା କହି ସେଠାରୁ ଗମନ କଲେ । ଅପରିମିତ ଅଧ୍ୟବସାୟୀ ଯବକ୍ରୀତ ମଧ୍ୟ ପୁନର୍ବାର ତପସ୍ୟାରେ ନିରତ ହେଲେ ।୨୩। ହେ ରାଜନ୍‌ ! ଏହା ଶୁଣାଅଛି ଯେ ସେ ଅତି କଠୋର ତପସ୍ୟାର ଅନୁଷ୍ଠାନ କରି ଦେବେନ୍ଦ୍ରଙ୍କୁ ଅତିଶୟ ସନ୍ତପ୍ତ କଲେ ।

 

ବଳବିନାଶକ ଦେବେନ୍ଦ୍ର ପୁନର୍ବାର ସେହି ମହା ମୁନିଙ୍କ ନିକଟକୁ ଆସି ତାହାଙ୍କୁ ନିବାରଣ କରି କହିଲେ, ହେ ମୁନେ ! ତୁମ୍ଭର ଏହି ସମାରମ୍ଭ ଅସାଧ୍ୟ ସାଧନ ବିଷୟରେ ନିହିତ ହୋଇଅଛି । ଏହି ତପସ୍ୟାଦ୍ୱାରା ତୁମ୍ଭର ଓ ତୁମ୍ଭ ପିତାଙ୍କଠାରେ ଯେ ବେଦମାନେ ପ୍ରତିଭାତ ହେବେ, ଏହା ସଦ୍‌ବୁଦ୍ଧିର କାର୍ଯ୍ୟ ନୁହେଁ ।୨୬।

 

ଯବକ୍ରୀତ ଉତ୍ତର ଦେଲେ, ଦେବରାଜ ! ଯଦି ଆପଣ ମଦୀୟ ଅଭିଳାଷ ପୂର୍ଣ୍ଣ ନ କରନ୍ତି, ତେବେ ଆମ୍ଭେ ମହାନିୟମାବଲମ୍ବନପୂର୍ବକ ନିଦାରୁଣ ତପସ୍ୟାଚରଣ କରିବୁ ।୨୭। ହେ ମଘବନ୍‌-! ଯଦି ଆପଣ ଆମ୍ଭର ଏହି ମନୋଭିଳାଷ ପୂର୍ଣ୍ଣ ନ କରନ୍ତି, ତେବେ ଆପଣ ନିଶ୍ଚୟ ଜାଣନ୍ତୁ ଯେ ଆମ୍ଭେ ସ୍ୱକୀୟ ଅଙ୍ଗପ୍ରତ୍ୟଙ୍ଗମାନଙ୍କୁ କୀର୍ତ୍ତନ କରି ପ୍ରଜ୍ୱଳିତ ଅଗ୍ନିରେ ଆହୁତି ପ୍ରଦାନ କରିବୁ-।୨୮।

 

ଲୋମଶ ବୋଇଲେ, ବୁଦ୍ଧିମାନ ଇନ୍ଦ୍ର ଯହୁଁ ଦେଖିଲେ ଯେ ମହାତ୍ମା ମୁନି ଯବକ୍ରୀତଙ୍କର ପ୍ରତିଜ୍ଞା ଅନ୍ୟଥା ହେବାର ନୁହେଁ, ତହୁଁ ସେ ବୁଦ୍ଧିଦ୍ୱାରା ଉପାୟ ଚିନ୍ତାକରି ଗୋଟିଏ ଯକ୍ଷ୍ମା ରୋଗାକ୍ରାନ୍ତ ବୃଦ୍ଧ ବ୍ରାହ୍ମଣର ରୂପ ଧାରଣ କଲେ । ସେହି ବୃଦ୍ଧର ବୟସ ବହୁଶତ ବର୍ଷ । ଭାଗୀରଥୀର ଯେଉଁ ଘାଟରେ ଯବକ୍ରୀତ ସ୍ନାନ କରନ୍ତି, ସେହି ଘାଟରେ ସେ ବୃଦ୍ଧ ବ୍ରାହ୍ମଣ ବାଲୁକାଦ୍ୱାରା ଗୋଟିଏ ସେତୁ ନିର୍ମାଣ କରିବାରେ ପ୍ରବୃତ୍ତ ହୋଇଥାଏ ।୩୧। ଓ ଗଙ୍ଗାରେ ନିରନ୍ତର ବାଲୁକାମୁଷ୍ଟି ବିସର୍ଜନ କରୁଥାଏ ଯେ ତଦ୍ଦ୍ୱାରା ଗଙ୍ଗାରେ ସେତୁ ବିନିର୍ମିତ ହେବ । ଦେବରାଜଙ୍କର ଉଦ୍ଦେଶ୍ୟ ଥିଲା ଯେ ଏହି କାର୍ଯ୍ୟଟିକୁ ଯବକ୍ରୀତ ଦେଖିବେ । ବାସ୍ତବରେ ମୁନିପୁଙ୍ଗବ ସେହି ବର୍ଷୀୟାନ ବ୍ରାହ୍ମଣଙ୍କୁ ନଦୀବନ୍ଧନରେ ଉଦ୍ୟତ ଦେଖି ସହସ୍ୟ ବଦନରେ ଏହି ବାକ୍ୟ କହିଲେ ।୩୪।

 

ହେ ବ୍ରହ୍ମନ୍‌ ! ଆପଣ ଯେ ଅକାରଣରେ ଏତେ ପରିଶ୍ରମ ଓ ଯତ୍ନ କରୁଅଛନ୍ତି, ଏତଦ୍ଦ୍ୱାରା ଆପଣଙ୍କର କି ଉଦ୍ଦେଶ୍ୟ ସାଧ୍‌ôତ ହେବ ? ।୩୫।

 

ବୃଦ୍ଧରୂପୀ ଇନ୍ଦ୍ର ବୋଇଲେ– ହେ ବତ୍ସ ! ଗଙ୍ଗା ପାରି ହେବାକୁ ମନୁଷ୍ୟଙ୍କର ଅତିଶୟ କ୍ଲେଶ ହୁଏ । ଗୋଟିଏ ସେତୁ ହେଲେ ଲୋକେ ଅନାୟାସରେ ପାରିହୋଇ ଯିବେ ।୩୬।

 

ଯବକ୍ରୀତ ବୋଇଲେ– ହେ ତପୋଧନ ! ଗଙ୍ଗାଙ୍କର ଏହି ପ୍ରବଳ ବେଗକୁ ଆପଣ କଦାପି ସମ୍ଭାଳିପାରିବେ ନାହିଁ । ଅତଏବ ଆପଣ ଏଥିରୁ ପ୍ରତିନିବୃତ୍ତ ହେଉନ୍ତୁ । ଯାହା ହୋଇପାରେ ଏପରି କାର୍ଯ୍ୟ କରିବାରେ ପ୍ରବୃତ୍ତ ହେଉନ୍ତୁ ।୩୭।

 

ଇନ୍ଦ୍ର ବୋଇଲେ, ତୁମ୍ଭେ ଯେପରି ବେଦନିମିତ୍ତ ଅସାଧ୍ୟ ସାଧନ ତପସ୍ୟାରେ ନିରତ ହୋଇଅଛ, ଆମ୍ଭେ ମଧ୍ୟ ତଦ୍ରୂପ ଏହି ଗୁରୁତର କାର୍ଯ୍ୟରେ ଉଦ୍ୟତ ହୋଇଅଛୁ ।୩୮।

 

ଯବକ୍ରୀତ ବୋଇଲେ– ହେ ତ୍ରିଦଶେଶ୍ୱର ପାକଶାସନ ! ଆପଣଙ୍କର ଏହି ସମାରମ୍ଭ ଯେପରି ନିରର୍ଥକ, ଆମ୍ଭର କାର୍ଯ୍ୟ ଯଦି ସେହିପରି ନିରର୍ଥକ ବୋଲି ଜ୍ଞାନ କରନ୍ତି, ତେବେ ଯାହା ଶକ୍ୟ ହେବ, ତାହା ବୋଲନ୍ତୁ ଓ ଆମ୍ଭଙ୍କୁ ଏପରି ବର ପ୍ରଦାନ କରନ୍ତୁ ଯେ ତଦ୍ଦ୍ୱାରା ଆମ୍ଭେ ଅନ୍ୟକୁ ଅତିକ୍ରମ କରିପାରିବୁ ।୪୦।

 

ଲୋମଶ ବୋଇଲେ, ଏଥି ଉତ୍ତାରେ ମହାତପା ଯବକ୍ରୀତ ଯେଉଁ ଯେଉଁ ବର ପ୍ରାର୍ଥନା କଲେ, ଇନ୍ଦ୍ର ସେସବୁ ବର ତାହାଙ୍କୁ ପ୍ରଦାନ କଲେ ଓ ବୋଇଲେ, ଯବକ୍ରୀତ ! ତୁମ୍ଭଠାରେ ଓ ତୁମ୍ଭ ପିତାଙ୍କଠାରେ ବେଦମାନେ ପ୍ରତିଭାତ ହେବେ ଓ ଅନ୍ୟ ଯେଉଁ କାମନା ତୁମ୍ଭେ କରୁଅଛ, ତାହା ମଧ୍ୟ ପୂର୍ଣ୍ଣ ହେବ; ଏବେ ଆପଣ ଗମନ କରନ୍ତୁ ।୪୨।

 

ଅନନ୍ତର ଯବକ୍ରୀତ ସିଦ୍ଧାର୍ଥ ହୋଇ ପିତାଙ୍କ ସମୀପକୁ ଆଗମନ କରି ବୋଇଲେ, ଆମ୍ଭଠାରେ ଓ ଆପଣଙ୍କ ଠାରେ ବେଦମାନେ ସ୍ଫୁରିବେ ଓ ଅନ୍ୟାନ୍ୟ ବ୍ୟକ୍ତିଙ୍କ ଠାରୁ ଆମ୍ଭେମାନେ ବରିଷ୍ଠ ହେବା; ଏହିସବୁ ବର ଲାଭ କରିଅଛୁ ।୪୩।

 

ଭରଦ୍ୱାଜ ବୋଇଲେ– ତାତ ! ତୁମ୍ଭେ ଦୈନ୍ୟାବସ୍ଥାରେ ଯେତେବେଳେ ଏହିପରି ବର ଲାଭ କରିଅଛ, ତେତେବେଳେ ତୁମ୍ଭର ଅନ୍ତଃକରଣରେ ଦର୍ପ ସଞ୍ଚାରିତ ହେବ । ସୁତରାଂ ତୁମ୍ଭ ଦର୍ପ ପୂର୍ଣ୍ଣ ହେଲେ ତୁମ୍ଭଙ୍କୁ ମୃତ୍ୟୁପଥ ଅବଲୋକନ କରିବାକୁ ହେବ ।୪୪। ଏ ବିଷୟରେ ଦେବତାମାନେ ଉଦାହରଣସ୍ୱରୂପ ଏହି ଗାଥାକୁ ଗାନ କରନ୍ତି । ପୂର୍ବକାଳରେ ବାଳଧି ନାମରେ ଜଣେ ପ୍ରଭାବଶାଳୀ ମୁନି ଥିଲେ ।୪୫। ସେ ପୁତ୍ରଶୋକରେ ସମୁଦ୍‌ବିଗ୍ନ ହୋଇ ଆପଣାର ଗୋଟିଏ ଅମର୍ତ୍ତ୍ୟ ସନ୍ତାନ ହେବା ନିମିତ୍ତ ସୁଦୁଷ୍କର ତପସ୍ୟା ଆରମ୍ଭ କଲେ । ତହିଁରେ ତାହାଙ୍କର ତଦ୍ରୂପ ଗୋଟିଏ ପୁତ୍ର ଜାତ ହେଲା ।୪୬। ଦେବତାମାନେ ଋଷିଙ୍କ ପ୍ରତି ପ୍ରସନ୍ନ ହେଲେ । ତଥାପି ତାହାଙ୍କ ପୁତ୍ରକୁ ଯଥାର୍ଥ ଅମର୍ତ୍ତ୍ୟ କଲେ ନାହିଁ । ଯେହେତୁ ମର୍ତ୍ତ୍ୟ କଦାପି ଅମର୍ତ୍ତ୍ୟ ହୁଏ ନାହିଁ । ଅତଏବ ସେମାନେ ବାଳଧିକୁ କହିଲେ, ହେ ବାଳଧି ! ତୁମ୍ଭ ପୁତ୍ରଙ୍କର ପରମାୟୁ କୌଣସି ନିମିତ୍ତର ଅଧୀନ ହେବ । ବାଳଧି ବୋଇଲେ– ହେ ଦେବବୃନ୍ଦ ! ଏହି ସବୁ ଅବିନଶ୍ୱର ଭୂଧରମାନେ ଆମ୍ଭ ପୁତ୍ରଙ୍କର ଜୀବନର ନିମିତ୍ତ ହେଉନ୍ତୁ । ଦେବତାମାନେ ତଥାସ୍ତୁ ବୋଲି କହି ସ୍ୱ ସ୍ୱ ସ୍ଥାନକୁ ପ୍ରତିଗମନ କଲେ । ଅନନ୍ତର ମହର୍ଷି ବାଳଧିଙ୍କର ମେଧାବୀ ନାମରେ ଅତି ଉଦ୍ଧତସ୍ୱଭାବ ଗୋଟିଏ ପୁତ୍ର ଜନ୍ମିଲା । ମେଧାବୀ ନିଜର ବୃତ୍ତାନ୍ତମାନ ଅବଗତ ହୋଇ ଗର୍ବ ପ୍ରକାଶ କରି ଅନ୍ୟାନ୍ୟ ଋଷିମାନଙ୍କର ଅବମାନନା କଲେ । ଏହି ରୂପେ ସେ ଋଷିମାନଙ୍କର ଅନିଷ୍ଟାଚରଣ କରି ପୃଥିବୀ ପରିଭ୍ରମଣ କଲେ । ବାଳଧିଙ୍କ ପୁତ୍ର ମେଧାବୀ ଏକଦା ମହାବୀର୍ଯ୍ୟ ଓ ମନୀଷାସମ୍ପନ୍ନ ଧନୁଷା ନାମକ ଋଷିଙ୍କ ନିକଟକୁ ଗମନ କରି ତାହାଙ୍କର ଅପକାର କଲେ । ତହିଁରେ ବୀର୍ଯ୍ୟବାନ ଧନୁଷ୍କାକ୍ଷ କୁପିତ ହୋଇ ଅଭିଶାପ ଦେଲେ ଯେ “ତୁ ଭସ୍ମ ହୁଅ” । କିନ୍ତୁ ସେ ଭସ୍ମ ହେଲେ ନାହିଁ ।୫୧।

 

ଧନୁଷ୍କାକ୍ଷ ଦେଖିଲେ ଯେ ମେଧାବୀଙ୍କର କିଛି ହେଲା ନାହିଁ; ସେ ନିରାମୟ ଅଟନ୍ତି । ଏହା ଦେଖି ବୀର୍ଯ୍ୟବାନ୍ ଧନୁଷ୍କାକ୍ଷ ମହିଷଙ୍କଦ୍ୱାରା ମେଧାବୀଙ୍କର ପରମାୟୁର ନିମିତ୍ତୀଭୂତ ପର୍ବତମାନଙ୍କୁ ଭେଦ କରାଇଲେ ।୫୨। ନିମିତ୍ତ ବିନଷ୍ଟ ହୁଅନ୍ତେ ସେ ଶିଶୁ ତତ୍‌କ୍ଷଣାତ ମୃତ ହେଲା । ତତ୍‍ପରେ ସେ ପୁତ୍ରକୁ କ୍ରୋଡରେ ଘେନି ତାହାଙ୍କ ପିତା ବିଶେଷ ରୂପେ ରୋଦନ କଲେ ।୫୩। ତାହାଙ୍କୁ ଆର୍ତ୍ତସ୍ୱରରେ ରୋଦନ କରିବାର ଦେଖି ବେଦବେତ୍ତା ବ୍ରାହ୍ମଣମାନେ ସମସ୍ତେ ଏକତ୍ର ହୋଇ ଯେଉଁ ଗାଥା ଗାୟନ କଲେ, ତାହା ମୁଁ କହୁଅଛି ଶ୍ରବଣ କର ।୫୪। ମର୍ତ୍ତ୍ୟ ହୋଇ କେହି ଅଦୃଷ୍ଟକୁ ଅତିକ୍ରମ କରିନପାରେ । ଧନୁଷ୍କାକ୍ଷ ମୁନି ମହିଷଙ୍କଦ୍ୱାରା ମହୀଧରମାନଙ୍କୁ ଭେଦ କରାଇଲେ ।୫୫। ହେ ପୁତ୍ର ! ଏହିପରି ତପସ୍ୱୀ ବାଳକମାନେ ଯେପରି ଦର୍ପରେ ପରିପୂର୍ଣ୍ଣ ହୋଇ ସତ୍ୱର ବିନଷ୍ଟ ହୁଅନ୍ତି, ତୁମ୍ଭଙ୍କୁ ସେହି ଦଶା ଯେପରି ନ ଘଟେ, ସାବଧାନ ଥିବ ।୫୬। ହେ ବତ୍ସ ! ଏହି ରୈଭ୍ୟ ଋଷି ମହାବୀର୍ଯ୍ୟବାନ; ତାହାଙ୍କର ଦୁଇ ପୁତ୍ର ମଧ୍ୟ ତଦ୍ରୂପ ଥିଲେ । ଅତଏବ ତୁମ୍ଭେ ଯେପରି ସେମାନଙ୍କଠାରେ ଅଭ୍ୟାଗତ ନ ହୁଅ, ସେଥିପାଇଁ ସତର୍କ ଥିବ ।୫୭। ହେ ବତ୍ସ ! ଏହି ମହାଋଷି ରୈଭ୍ୟ ତପସ୍ୱୀ ଓ କୋପୀ । ଏ ଯେବେ କ୍ରୁଦ୍ଧ ହେବେ, ତେବେ ରୋଷବଶରେ ପୀଡ଼ା ପ୍ରଦାନ କରିପାରିବେ ।୫୮।

 

ଯବକ୍ରୀତ ବୋଇଲେ– ହେ ତାତ ! ଆପଣ ଯାହା ଆଜ୍ଞା କଲେ ଆମ୍ଭେ ତାହା କରିବୁ । ଆପଣ କୌଣସି ପ୍ରକାରେ ପରିତାପ କରିବେ ନାହିଁ । ଆପଣ ଯେପରି ଆମ୍ଭର ମାନ୍ୟ, ପିତା ରୈଭ୍ୟ ମଧ୍ୟ ଆମ୍ଭର ତଦ୍ରୂପ ମାନ୍ୟ ।୫୯। ଲୋମଶ ବୋଇଲେ, ଯବକ୍ରୀତ ପିତାଙ୍କୁ ଏହି ରୂପ ମଧୁର ବାକ୍ୟ କହି ପରମାହ୍ଲାଦରେ ଓ କାହାରିକୁ ଭୟ ନ କରି ଅନ୍ୟାନ୍ୟ ଋଷିଙ୍କର ଅହିତାଚରଣ କରି ପୃଥିବୀ ପର୍ଯ୍ୟଟନ କଲେ ।୬୦।

 

॥ ଅଧ୍ୟାୟ – ୧୩୬ ॥

 

ଲୋମଶ ବୋଇଲେ– ଏକଦା ବୈଶାଖ ମାସରେ ଯବକ୍ରୀତ ଅକୁତୋଭୟରେ ଭ୍ରମଣ କରୁଁ କରୁଁ ରୈଭ୍ୟଙ୍କ ଆଶ୍ରମରେ ଉପନୀତ ହେଲେ ।୧। ହେ ଭାରତ ! ସେହି ଆଶ୍ରମ ପୁଷ୍ପିତ ଦ୍ରୁମରାଜିଦ୍ୱାରା ବିଭୂଷିତ ହୋଇ ଅତ୍ୟନ୍ତ ରମଣୀୟ ଦୃଶ୍ୟ ଧାରଣ କରିଥିଲା । ତନ୍ମଧ୍ୟରେ ରୈଭ୍ୟଙ୍କର ପୁତ୍ରବଧୂ କିନ୍ନରୀ ପ୍ରାୟ ହୋଇ ପରିଭ୍ରମଣ କରୁଥିଲା ।୨। ନିର୍ଲଜ୍ଜ ଯବକ୍ରୀତ କାମବାଣରେ ବିଦ୍ଧ ହୋଇ ସେହି ଲଜ୍ଜାଶୀଳା ବଧୂକୁ କହିଲେ, ତୁମ୍ଭେ ଆମ୍ଭଠାରେ ଉପସ୍ଥିତ ହୁଅ ।୩। ସେହି ରମଣୀ ପରାବସୁଙ୍କର ପତ୍ନୀ । ଯବକ୍ରୀତଙ୍କର ଚରିତ୍ର ତାହାଙ୍କୁ ଜଣାଥିଲା । ତତ୍କାଳରେ ତାହାଙ୍କର ଅଭିପ୍ରାୟ ଜାଣିପାରି ଅଭିଶାପ ଭୟରେ ଭୀତ ହୋଇ ଅଥଚ ରୈଭ୍ୟଙ୍କର ତେଜଃ ପ୍ରଭାବ ସ୍ମରଣ କରି ହେଉ ବୋଲି କହି ସେ ସେ ସ୍ଥାନରୁ ପ୍ରସ୍ଥାନ କଲେ ।୪। କିନ୍ତୁ ଯବକ୍ରୀତ ତାହାଙ୍କୁ ନିଭୃତ ସ୍ଥାନକୁ ଆନୟନ କରି ସ୍ୱୀୟ ନିକୃଷ୍ଟ ବୃତ୍ତି ଚରିତାର୍ଥ କଲେ । ତଦନନ୍ତର ମହର୍ଷି ରୈଭ୍ୟ ନିଜ ଆଶ୍ରମକୁ ପ୍ରତ୍ୟାଗମନ କରି ଦେଖିଲେ ଯେ ସେ ପୁତ୍ରବଧୂ ଅଶ୍ରୁମୁଖୀ ହୋଇଅଛି ।

 

ହେ ଯୁଧିଷ୍ଠିର, ଏହା ଦେଖି ମଧୁର ବାକ୍ୟରେ ତାହାଙ୍କୁ ସାନ୍ତ୍ୱନା ଦେଇ ରୋଦନର କାରଣ ପଚାରିଲେ ।୬। ତହୁଁ ସେ ରମଣୀ ଯବକ୍ରୀତଙ୍କର ସମୁଦାୟ ଅପକାର ଓ ସେ ଯାହା ଯାହା କହିଥିଲେ, ତାହା ଓ ନିଜର ସତୀତ୍ୱ ଭଙ୍ଗର ବୃତ୍ତାନ୍ତ ନିବେଦନ କଲେ । ଯବକ୍ରୀତଙ୍କର ଦୁଷ୍ଟଚେଷ୍ଟା ଶ୍ରବଣ କରିବା କ୍ଷଣି ରୈଭ୍ୟ ଋଷିଙ୍କର କୋପାନଳ ପ୍ରଜ୍ୱଳିତ ହୋଇଉଠିଲା ।୮। ଏକେ ସେ ଋଷି, କୋପନ ସ୍ୱଭାବ । ତହିଁରେ ଏହି ଦୁଷ୍କର୍ମଦ୍ୱାରା ମନ୍ୟୁମାନ ହୋଇ ସୁସଂସ୍କୃତ ଅଗ୍ନିରେ ନିଜର ଗୋଟିଏ ଜଟାର କେଶକୁ ଉତ୍ପାଟନ କରି ଆହୁତି ଦେଲେ ।୯। ତହିଁଦ୍ୱାରା ରୈଭ୍ୟଙ୍କର ପୁତ୍ରବଧୂ ସଦୃଶୀ ଗୋଟିଏ ନାରୀ ଉତ୍ପନ୍ନ ହେଲା । ସେହି ନାରୀ କୃତ୍ୟା ଅର୍ଥାତ୍ ମରିକା ଦେବତା ।୧୦। ତତ୍‍ପରେ ଆଉ ଗୋଟିଏ ଜଟା ଆଲୁଞ୍ଛନ କରି ପୁନର୍ବାର ସେହି ସଂସ୍କୃତ ଅଗ୍ନିରେ ଆହୁତି ଦେଲେ-। ଏତଦ୍ଦ୍ୱାରା ଗୋଟିଏ ଭୟଙ୍କର ରକ୍ତନେତ୍ର ରାକ୍ଷସ ଉତ୍ପନ୍ନ ହେଲା । ସେ ଦୁହେଁ ରୈଭ୍ୟ ଋଷିଙ୍କୁ ପଚାରିଲେ, ଆମ୍ଭଙ୍କୁ କି କାର୍ଯ୍ୟ କରିବାକୁ ହେବ ? ୧୧। ଅମର୍ଷ ପରବଶ ଋଷି ସେମାନଙ୍କୁ କହିଲେ, ତୁମ୍ଭେମାନେ ଯବକ୍ରୀତଙ୍କୁ ବଧ କର । ସେମାନେ ହେଉ ବୋଲି କହି ତତ୍‌କ୍ଷଣାତ ଯବକ୍ରୀତଙ୍କୁ ବଧ କରିବା ନିମିତ୍ତ ଧାବିତ ହେଲେ ।୧୨।

 

ହେ ଭାରତ ! ସେହି କୃତ୍ୟାନାରୀ ଯବକ୍ରୀତଙ୍କ ସନ୍ନିହିତ ହୋଇ ତାହାଙ୍କୁ ମୋହିତ କରି ତାହାଙ୍କ କମଣ୍ଡଳୁ ହରଣ କଲା ।୧୩। ତତ୍‍ପରେ ସେହି ରାକ୍ଷସ ଦେଖିଲା ଯେ ଯବକ୍ରୀତଙ୍କର କମଣ୍ଡଳୁ ହୃତ ହୋଇଅଛି । ତହୁଁ ଗୋଟାଏ ଶୂଳ ଘେନି ତାହାଙ୍କୁ ପ୍ରହାର କରିବାକୁ ଉଦ୍ୟତ ହେଲା ଓ ତାହାଙ୍କ ପ୍ରତି ଧାବମାନ ହେଲା ।୧୪। ଯବକ୍ରୀତ ସହସା ଦେଖିଲେ ଯେ ସେ ରାକ୍ଷସ ଶୂଳହସ୍ତରେ ତାହାଙ୍କୁ ବଧ କରିବା ନିମିତ୍ତ ଧାବିତ ହେଉଅଛି । ଏହା ଦେଖି ସେ ଗାତ୍ରୋତ୍‌ଥାନ କରି ଶୀଘ୍ର ସରୋବରଠାକୁ ଧାବମାନ ହେଲେ ।୧୫।

 

ଅନନ୍ତର ସରୋବରକୁ ଜଳବିହୀନ ଦେଖି ଅତିଶୀଘ୍ର ସମସ୍ତ ନଦୀଙ୍କ ପ୍ରତି ଗମନ କଲେ, କିନ୍ତୁ ତତ୍କାଳରେ ନଦୀମାନେ ମଧ୍ୟ ଶୁଷ୍କ ହୋଇ ଯାଇଥିଲେ ।୧୬। ରାକ୍ଷସ ଶୂଳହସ୍ତ ହୋଇ ସର୍ବତ୍ର ନିରୋଧ କରିବାରୁ ଯବକ୍ରୀତ ଭୀତ ହୋଇ ତାଙ୍କ ପିତାଙ୍କର ଅଗ୍ନିଶାଳା ମଧ୍ୟରେ ପ୍ରବେଶ କରିବାକୁ ଧାବିତ ହେଲେ; କିନ୍ତୁ ସେଠାରେ ଗୋଟିଏ ଅନ୍ଧ ଓ ଶୂଦ୍ର ଦ୍ୱାରପାଳ ତାହାଙ୍କୁ ବଳପୂର୍ବକ ନିବାରଣ କଲା । ଯବକ୍ରୀତ ଆଉ ଉପାୟ ନ ପାଇ ସେହି ସ୍ଥାନରେ ଦଣ୍ଡାୟମାନ ହୋଇ ରହିଲା ।୧୮। ଏହି ଅବସରରେ ସେହି ରାକ୍ଷସ ଶୂଳ ଘେନି ଯବକ୍ରୀତଙ୍କର ବକ୍ଷସ୍ଥଳରେ ପ୍ରହାର କଲା । ଋଷିପୁତ୍ର ଯବକ୍ରୀତ ଶୂଳଘାତରେ ଭିନ୍ନ ହୃଦୟ ହୋଇ ଧରାତଳରେ ନିପତିତ ହେଲେ ।୧୯। ଯବକ୍ରୀତଙ୍କୁ ବଧ କରି ରାକ୍ଷସ ରୈଭ୍ୟ ଋଷିଙ୍କ ନିକଟକୁ ଗମନ କଲା ଓ ତାହାଙ୍କ ଆଜ୍ଞାନୁସାରେ ସେହି ନାରୀ ସହିତ ବାସ କଲା ।୨୦।

 

Unknown

॥ ଅଧ୍ୟାୟ – ୧୩୭ ॥

 

ଲୋମଶ ବୋଇଲେ– ହେ କୁନ୍ତୀକୁମାର ! ଏଣେ ଭରଦ୍ୱାଜ ଋଷି ନିତ୍ୟକର୍ମ ସମାପନାନ୍ତେ ସମିଧ ଆହରଣ କରି ଆପଣା ଆଶ୍ରମରେ ପ୍ରବିଷ୍ଟ ହେଲେ ।୧। ଅନ୍ୟ ଦିଗରେ ଦକ୍ଷିଣାଗ୍ନି ଗାର୍ହପତ୍ୟ ଆହବନୀୟ ପ୍ରଭୃତି ଅଗ୍ନିମାନେ ତାହାଙ୍କୁ ଦେଖି ଊର୍ଦ୍ଧ୍ୱ ଶିଖ ହୋଇ ପ୍ରଜ୍ୱଳିତ ହୁଅନ୍ତି; କିନ୍ତୁ ସେଦିନ ହତପୁତ୍ର ଋଷିଙ୍କର ଅଶୌଚ ହୋଇଥିବାରୁ ସେହି ଅଗ୍ନିମାନେ ପୂର୍ବପ୍ରାୟ ପ୍ରଜ୍ୱଳିତ ହେଲେ ନାହିଁ ।୨। ମହାତେଜା ଭରଦ୍ୱାଜ ଅଗ୍ନିହୋତ୍ର ବିକୃତି ଭାବକୁ ଲକ୍ଷ୍ୟ କରି ସେଠାରେ ଉପବିଷ୍ଟ ଅନ୍ଧ ଓ ଶୂଦ୍ର ଦ୍ୱାରୀକୁ ପଚାରିଲେ– ହେ ଶୂଦ୍ର ! ଅଦ୍ୟ ଅଗ୍ନିମାନେ କି ନିମିତ୍ତ ଆମ୍ଭ ନିକଟରେ ପୂର୍ବପ୍ରାୟ ପ୍ରଜ୍ୱଳିତ ହେଉ ନାହାନ୍ତି ? ତୁମ୍ଭେ ମଧ୍ୟ ପୂର୍ବପ୍ରାୟ ଦିଶୁ ନାହଁ ? ଆମ୍ଭର ଏହି ଆଶ୍ରମର ସବୁ ମଙ୍ଗଳ ତ ? ରୈଭ୍ୟ ଋଷିଙ୍କ ଆଶ୍ରମକୁ ଆମ୍ଭର ଅଳ୍ପ ବୁଦ୍ଧି ପୁତ୍ର ଯାଇ ନାହିଁ ତ-? ଶୀଘ୍ର କହ, ଆମ୍ଭର ମନ ଶୁଦ୍ଧ ହେଉନାହିଁ ।୫।

 

ଶୂଦ୍ର କହିଲା– ପ୍ରଭୋ ! ଆପଣଙ୍କର ସେହି ମନ୍ଦ ବୁଦ୍ଧି ସନ୍ତାନ ନିଶ୍ଚୟ ରୈଭ୍ୟାଶ୍ରମକୁ ଯାଇଥିଲେ । ସେଥି ନିମିତ୍ତ ବୋଧହୁଏ ସେ ଗୋଟାଏ ବଳବାନ ରାକ୍ଷସଦ୍ୱାରା ନିହତ ହୋଇ ଭୂମିରେ ପଡ଼ି ରହିଅଛନ୍ତି । ଶୂଳହସ୍ତ ରାକ୍ଷସ ଯେତେବେଳେ ତାହାଙ୍କୁ ନିରୋଧ କରିଥିଲା, ତେତେବେଳେ ସେ ଅଶୁଚି ଥାଇ ଜଳନେବା ନିମିତ୍ତ ଅଗ୍ନ୍ୟାଗାରରେ ପ୍ରବେଶ କରୁଥିଲେ । ମୁଁ ବାହୁ ବିସ୍ତାର କରି ତାହାଙ୍କୁ ଅଟକାଇଲି । ତହିଁରେ ସେ ହତାଶ ହୋଇ ନିରୂପାୟ ହେଲେ । ଏହି ସମୟରେ ସେ ରାକ୍ଷସ ଅତିବେଗରେ ଆସି ତାହାଙ୍କୁ ଶୂଳଦ୍ୱାରା ନିହତ କଲା ।୮। ଶୂଦ୍ରଠାରୁ ଭରଦ୍ୱାଜ ମୁନି ଏହି ମହାଦୁଃଖର ସମାଚାର ଶ୍ରବଣ କରି ଅତିଶୟ ଦୁଃଖିତ ହୋଇ ମୃତପୁତ୍ରକୁ କ୍ରୋଡରେ ଘେନି ବିଳାପପୂର୍ବକ କହିଲେ ।୯। ହେ ବତ୍ସ ! ତୁମ୍ଭେ ବ୍ରାହ୍ମଣମାନଙ୍କ ନିମିତ୍ତ ତପସ୍ୟା କରିଥିଲା । ବିନା ଅଧ୍ୟୟନରେ ବ୍ରାହ୍ମଣମାନଙ୍କୁ ବେଦ ସ୍ଫୁରୁ ବୋଲି ସେମାନଙ୍କର ମଙ୍ଗଳାକାଙ୍‌କ୍ଷୀ ହୋଇଥିଲା ।୧୧। ତଥାପି ତୁମ୍ଭେ ଈଦୃଶ କର୍କଶଗତି ପ୍ରାପ୍ତ ହେଲ । ରୈଭ୍ୟାଶ୍ରମକୁ ଯିବ ନାହିଁ ବୋଲି ଆମ୍ଭେ ତୁମ୍ଭଙ୍କୁ ନିଷେଧ କରିଥିଲୁ, ତଥାପି ତୁମ୍ଭେ ସେହି କାଳାନ୍ତକ ଯମୋପମ ଆଶ୍ରମକୁ ଦେଖିବାକୁ ଗଲ ।୧୨। ହାୟ ! ଆମ୍ଭେ ବୃଦ୍ଧ ଓ ଆମ୍ଭର ଦ୍ୱିତୀୟ ପୁତ୍ର ନାହିଁ । ଏହା ଜାଣି ସେହି ସୁଦ୍ଧା ପରମ ଦୁର୍ବୁଦ୍ଧି ମହାତେଜା ରୈଭ୍ୟ କ୍ରୋଧର ବଶବର୍ତ୍ତୀ ହେଲେ ।୧୩। ହେ ପୁତ୍ର ! ରୈଭ୍ୟଙ୍କ କର୍ମରୁ ଅଦ୍ୟ ଆମ୍ଭେ ପୁତ୍ରଶୋକ ପ୍ରାପ୍ତ ହେଲୁ । ତୁମ୍ଭ ବ୍ୟତିରେକେ ଏହି ପୃଥିବୀରେ ଆମ୍ଭର ଇଷ୍ଟତମ ଆଉକିଛି ନାହିଁ । ଅତଏବ ଆମ୍ଭେ ଏହି ପ୍ରାଣକୁ ତ୍ୟାଗ କରିବୁ ।୧୪। ଆମ୍ଭେ ଯେପରି ପୁତ୍ରଶୋକ ପ୍ରାପ୍ତ ହୋଇ ଦେହ ତ୍ୟାଗ କରୁଅଛୁ, ସେହିପରି ରୈଭ୍ୟ ମଧ୍ୟ ବିନା ଅପରାଧରେ ତାହାଙ୍କର ଜ୍ୟେଷ୍ଠପୁତ୍ରଦ୍ୱାରା ଶୀଘ୍ର ବିନଷ୍ଟ ହେବେ ।୧୫। ଯେଉଁମାନଙ୍କର ଆଦୌ ପୁତ୍ର ହୋଇନାହିଁ, ସେମାନେ ସୁଖୀ । ଯେ ହେତୁରୁ ସେମାନେ ପୁତ୍ରଶୋକ ପ୍ରାପ୍ତ ନ ହୋଇ ଯଥା ସୁଖରେ ବିଚରଣ କରୁଅଛନ୍ତି ।୧୬। ହାୟ ! ଯେଉଁମାନେ ପୁତ୍ରଶୋକରେ ଆର୍ତ୍ତ ହୋଇ ଅତ୍ୟନ୍ତ ବ୍ୟାକୁଳ ଚିତ୍ତରେ ପ୍ରିୟ ସଖାକୁ ଅଭିଶାପ ପ୍ରଦାନ କରନ୍ତି, ସେମାନଙ୍କଠାରୁ ଅଧିକତର ପାପୀ କିଏ ଅଛି ? ପୁତ୍ରକୁ ମୃତ ଦେଖି ଆମ୍ଭେ ପ୍ରିୟ ସଖାକୁ ଅଭିଶାପ ଦେଲୁ । ଅତଏବ ଆମ୍ଭ ଅପେକ୍ଷା ଆଉ କିଏ ଏପରି ଆପଦ ଅନୁଭବ କରିବ ?୧୮।

 

ଲୋମଶ ବୋଇଲେ, ଭରଦ୍ୱାଜ ଉକ୍ତ ପ୍ରକାରେ ବହୁତ ବିଳାପ କରି ପୁତ୍ରର ଦାହାଦି କ୍ରିୟା ନିର୍ବାହ କଲେ । ପଶ୍ଚାତ୍ ସ୍ୱୟଂ ମଧ୍ୟ ପ୍ରଜ୍ୱଳିତ ହୁତାଶନରେ ପ୍ରବେଶ କରି ପ୍ରାଣ ପରିତ୍ୟାଗ କଲେ ।୧୯।

 

॥ ଅଧ୍ୟାୟ – ୧୩୮ ॥

 

ଲୋମଶ ବୋଇଲେ– ହେ କୌନ୍ତେୟ ! ଶ୍ରବଣ କରନ୍ତୁ । ସେହି ସମୟରେ ରୈଭ୍ୟଙ୍କର ଯଜମାନ ବୃହଦ୍ ଦ୍ୟୁମ୍ନ ଗୋଟିଏ ଯଜ୍ଞ କରିଥିଲେ । ସେହି ନରପତି ମହାଭାଗ ଯେପରି ପ୍ରତାପଶାଳୀ, ସେହିପରି ବୁଦ୍ଧିମାନ ଥିଲେ । ଯଜ୍ଞ ନିମିତ୍ତ ସେ ରୈଭ୍ୟଙ୍କର ପୁତ୍ର ଅର୍ବାବସୁ ଓ ପରାବସୁ ଦୁହିଁଙ୍କୁ ବରଣ କରିଥିଲେ । ସେ ଦୁହେଁ ପିତାଙ୍କ ଅଜ୍ଞାନୁସାରେ ଯଜ୍ଞ ସମାପ୍ତି ନିମିତ୍ତ ଗମନ କଲେ । ଆଶ୍ରମରେ ରୈଭ୍ୟ ଓ ପରାବସୁଙ୍କ ଭାର୍ଯ୍ୟା ରହିଲେ । ତତ୍‍ପରେ ଦିନେ ରାତ୍ରିରେ ପରାବସୁ ଏକାକୀ ଭାର୍ଯ୍ୟାଙ୍କ ଦର୍ଶନ ନିମିତ୍ତ ଆଶ୍ରମକୁ ଆଗମନ କଲେ । ସେହି ପ୍ରଦେଶରେ ବନ ମଧ୍ୟରେ ତାହାଙ୍କ ପିତା କୃଷ୍ଣସାର ଚର୍ମରେ ଆବୃତ୍ତ ହୋଇ ଶୟନ କରିଥିଲେ । ପରାବସୁ ସେ ସମୟରେ ନିଦ୍ରାରେ ଅନ୍ଧପ୍ରାୟ ହୋଇଥିଲେ । ସୁତରାଂ ସେ ଅନ୍ଧକାରମୟ ନିଶାରେ ନିବିଡ଼ ଅରଣ୍ୟ ମଧ୍ୟରେ ମୃଗଚର୍ମାବୃତ ପିତାଙ୍କୁ ଦେଖି ଚିହ୍ନିପାରିଲେ ନାହିଁ । ତାହାଙ୍କର ବୋଧହେଲା ଯେ ଗୋଟିଏ ମୃଗ ସେଠାରେ ଶୋଇଅଛି । ତହୁଁ ସେ ମୃଗ ବୋଲି ପିତାଙ୍କୁ ବଧ କଲେ ।

 

ପରନ୍ତୁ ହେ ଭରତ ! ସେ ପିତାଙ୍କର ଔର୍ଦ୍ଧ୍ୟ ଦୈହିକ କ୍ରିୟା ପ୍ରଭୃତି ସମୁଦାୟ ନିଷ୍ଫଳ କରି ଯଜ୍ଞସ୍ଥଳକୁ ପୁନରାଗମନ କଲେ । ସେଠାରେ ଭାଇଙ୍କୁ କହିଲେ, ଏହି କର୍ମ ତୁମ୍ଭେ ଏକାକୀ ନିର୍ବାହ କରିବାକୁ ସମର୍ଥ ହେବ ନାହିଁ । ମୃଗ ଜ୍ଞାନରେ ମୁଁ ପିତାଙ୍କୁ ହିଂସା କଲି । ହେ ମୁନେ ! ତୁମ୍ଭେ ଆମ୍ଭ ନିମିତ୍ତ ବ୍ରାହ୍ମଣହିଂସା ପାପରୁ ମୁକ୍ତି ପାଇବାର ବ୍ରତାଚରଣ କର । ଆମ୍ଭେ ଏକାକୀ ଏହି ସତ୍ରର କର୍ମ କରିବାକୁ ସମର୍ଥ ହେବୁ ।୯।

 

ଅର୍ବାବସୁ କହିଲେ– ଧୀମାନ ବୃହଦ୍ ଦ୍ୟୁମ୍ନଙ୍କର ଯଜ୍ଞକର୍ମ ଆପଣ ନିର୍ବାହ କରନ୍ତୁ । ଆମ୍ଭେ ଜିତେନ୍ଦ୍ରିୟ ହୋଇ ଆପଣଙ୍କ ନିମିତ୍ତ ବ୍ରହ୍ମବଧରୁ ନିଷ୍କୃତି ପାଇବାର ବ୍ରତାଚରଣ କରିବୁଁ ।୧୦।

 

ଲୋମଶ ବୋଇଲେ– ହେ ଯୁଧିଷ୍ଠିର ! ମୁନି ଅର୍ବାବସୁ ବ୍ରତ ସମାପ୍ତ କରି ପୁନର୍ବାର ଯଜ୍ଞସ୍ଥାନକୁ ସମାଗମ ହେଲେ । ତଦନନ୍ତର ପରାବସୁ ଭ୍ରାତାଙ୍କୁ ପ୍ରତ୍ୟାଗମନ କରିବାର ଦେଖି ହର୍ଷରେ ଗଦ୍‌ଗଦ ହୋଇ ବୃହଦ୍‌ଦ୍ୟୁମ୍ନଙ୍କୁ ସମ୍ବୋଧନରେ କହିଲେ ।୧୨। ମହାରାଜ ! ଏ ବ୍ୟକ୍ତି ବ୍ରହ୍ମହତ୍ୟାକାରୀ; ଆପଣଙ୍କ ଯଜ୍ଞ ଦେଖିବା ନିମିତ୍ତ ଏ ଯେପରି ଏଠାରେ ପ୍ରବେଶ କରିନପାରେ; ବ୍ରହ୍ମଘାତୀ ବ୍ୟକ୍ତି ଦର୍ଶନ କରିବା କ୍ଷଣି ଆପଣଙ୍କୁ ପୀଡ଼ା ହୋଇପାରେ; ଏଥିରେ ସଂଶୟ ନାହିଁ ।୧୩।

 

ରାଜା ଏହି କଥା ଶ୍ରବଣ କରି ଦ୍ୱାରୀମାନଙ୍କୁ ଆଜ୍ଞା ଦେଲେ, ଏହାକୁ ଏଠାରୁ ଅପସୃତ କର । ହେ ରାଜନ୍‌ ! କିଙ୍କରମାନେ ଅର୍ବାବସୁଙ୍କୁ ବାହାର କରି ଦିଅନ୍ତେ ଅର୍ବାବସୁ ପୁନଃପୁନଃ କହିଲେ, ଆମ୍ଭେ ବ୍ରହ୍ମହତ୍ୟା କରି ନାହୁଁ; ଆମ୍ଭେ ବ୍ରହ୍ମହତ୍ୟା କରି ନାହୁଁ । ତଥାପି କିଙ୍କରମାନେ ତାହାଙ୍କୁ ନିଃସାରିତ କଲେ ଓ କହିଲେ, ହେ ବ୍ରହ୍ମହନ୍‌ ! ହେ ବ୍ରହ୍ମହନ୍‌ ! ଅର୍ବାବସୁ କଦାପି ସ୍ୱୀକାର କଲେ ନାହିଁ ଯେ ସେ ସ୍ୱୟଂ ବ୍ରହ୍ମହତ୍ୟା କରିଛନ୍ତି । ସେ କହିଲେ ଯେ ତାହାଙ୍କ ଭ୍ରାତା ବ୍ରହ୍ମହତ୍ୟା କରିଥିଲେ ଓ ସେ ତାହାଙ୍କୁ ତତ୍‍ପାପରୁ ମୁକ୍ତ କରିଅଛନ୍ତି ।୧୫। ଏହି ପ୍ରକାରେ ବହୁବାର କହିଲେ ହେଁ ରାଜାଙ୍କ କିଙ୍କରମାନେ ତାହାଙ୍କୁ ମିଥ୍ୟାବାଦୀ ବୋଲି ସମ୍ବୋଧନ କଲେ । ତହୁଁ ସେ ବିପ୍ରର୍ଷି କ୍ରୋଧରେ ମୌନୀ ହୋଇ ଅରଣ୍ୟକୁ ପ୍ରସ୍ଥାନ କଲେ ।୧୭। ସେଠାରେ ଦିବାକରଙ୍କୁ ଆଶ୍ରୟ କରି ଅତି ଉତ୍କୃଷ୍ଟ ତପସ୍ୟା କରି ସୂର୍ଯ୍ୟସମ୍ବନ୍ଧୀୟ ରହସ୍ୟ-ବେଦ ପ୍ରକାଶ କଲେ । ତହିଁରେ ଅଗ୍ରଭୂକ୍ ଅବ୍ୟୟ ମାର୍ତ୍ତଣ୍ଡ ସ୍ୱୟଂ ମୂର୍ତ୍ତିମାନ ହୋଇ ତାହାଙ୍କୁ ଦର୍ଶନ ଦେଲେ ।୧୮। ହେ ନୃପ ! ଦେବତାମାନେ ତାହାଙ୍କ କର୍ମରେ ପରିତୁଷ୍ଟ ହୋଇ ତାହାଙ୍କୁ ଶ୍ରେଷ୍ଠ ଜନମାନଙ୍କ ମଧ୍ୟରେ ଜଣେ ବୋଲି ଗଣନା କଲେ ଓ ପରାବସୁଙ୍କୁ ଯଜ୍ଞସ୍ଥାନରେ ପ୍ରତ୍ୟାଖ୍ୟାନ କଲେ । ଅନନ୍ତର ଅଗ୍ନି ପ୍ରଭୃତି ଦେବତାମାନେ ଦ୍ୱିଜୋତ୍ତମ ଅର୍ବାବସୁଙ୍କୁ ବରଦାନରେ ଉଦ୍ୟତ ହୁଅନ୍ତେ ସେ ସ୍ୱକୀୟ ପିତାଙ୍କର, ଭରଦ୍ୱାଜଙ୍କର ଓ ଯବକ୍ରୀତଙ୍କର ପୁନର୍ଜୀବନ ଓ ଭ୍ରାତାଙ୍କର ନିରପରାଧ, ପିତାଙ୍କୁ ଯେ ସେ ବଧ କରିଥିଲେ ତାହା ତାଙ୍କର ଅସ୍ମରଣ, ସ୍ୱକୃତ ସୌରବେଦର ପ୍ରତିଷ୍ଠା, ଏହିସବୁ ବର ପ୍ରାର୍ଥନା କଲେ । ଦେବତାମାନେ ତଥାସ୍ତୁ ବୋଲି ସେହି ବର ପ୍ରଦାନ କଲେ ।୨୨।

 

ହେ ଯୁଧିଷ୍ଠିର ! ତଦନନ୍ତର ସେମାନେ ସମସ୍ତେ ପ୍ରାଦୁର୍ଭୂତ ହେଲେ । ଅଗ୍ନି ପ୍ରଭୃତି ଦେବଗଣଙ୍କୁ ଯବକ୍ରୀତ କହିଲେ– ହେ ଦେବୋତ୍ତମଗଣ ! ଆମ୍ଭେ ସମସ୍ତ ବେଦ ଅଧ୍ୟୟନ ଓ ବ୍ରତାଚରଣ କରିଅଛୁ । ଅତଏବ ଆପଣମାନେ ଆମ୍ଭଙ୍କୁ ଅବଶ୍ୟ ବେଦାଧ୍ୟାୟୀ ତପସ୍ୱୀ ବୋଲି ସ୍ୱୀକାର କରିବା ହେବେ । ଏପରି ଅବସ୍ଥାରେ ରୈଭ୍ୟ ମୁନି ଆମ୍ଭଙ୍କୁ କିପରି ତଦବସ୍ଥାରେ ହନନ କରିବାକୁ ସମର୍ଥ ହେଲେ ? ୨୪। ଦେବଗଣ ବୋଇଲେ- ହେ ଯବକ୍ରୀତ ମୁନେ ! ତୁମ୍ଭେ ଯେପରି କହୁଅଛ, ସେପରି ମନେକର ନାହିଁ । ଯେହେତୁ ପୂର୍ବେ ତୁମ୍ଭେ ଗୁରୁଙ୍କ ଉପଦେଶ ବ୍ୟତିରେକେ ବେଦ ଅଧ୍ୟୟନ କରିଥିଲ । ରୈଭ୍ୟ ନିଜ କର୍ମଦ୍ୱାରା ବହୁ କାଳପର୍ଯ୍ୟନ୍ତ ଗୁରୁଙ୍କର ପରିଚର୍ଯ୍ୟା କରି ପରିତୋଷ ସମ୍ପାଦନାପୂର୍ବକ ବହୁ କ୍ଳେଶରେ ବେଦ ଅଧ୍ୟୟନ କରିଥିଲେ ।୨୬।

 

ଲୋମଶ ବୋଇଲେ– ମହାରାଜ ! ଇନ୍ଦ୍ରାଦି ଦେବଗଣ ଯବକ୍ରୀତଙ୍କୁ ଏହିପରି କହି ଭରଦ୍ୱାଜ ପ୍ରଭୃତିଙ୍କୁ ପୁନର୍ଜୀବିତ କରି ସ୍ୱର୍ଗଲୋକକୁ ପ୍ରତିଗମନ କଲେ ।୨୭। ହେ ରାଜଶାର୍ଦ୍ଦୂଳ ! ସେହି ଯବକ୍ରୀତଙ୍କର ଏହି ଆଶ୍ରମ ଦୃଶ୍ୟ ହେଉଅଛି । ତହିଁରେ ସର୍ବଦା ବୃକ୍ଷମାନେ ପୁଷ୍ପ ଓ ଫଳରେ ପରିପୂର୍ଣ୍ଣ ହୋଇଥାନ୍ତି । ଏଠାରେ ଆପଣ ବାସକଲେ ସର୍ବପ୍ରକାର ପାପରୁ ମୁକ୍ତ ହେବେ ।୨୮।

 

॥ ଅଧ୍ୟାୟ – ୧୩୯ ॥

 

ଲୋମଶ ବୋଇଲେ, ହେ ଭରତନନ୍ଦନ ! ଆପଣ ଉଶୀର-ବୀଜ, ମୈନାକ, ଶ୍ୱେତଗିରି ଓ କାଳଶୈଳଗିରି ସମୁତ୍ତୀର୍ଣ୍ଣ ହୋଇଅଛନ୍ତି ।୧। ସମ୍ପ୍ରତି ଏହି ଗଙ୍ଗା ସପ୍ତଧା ହୋଇ ବିରାଜିତା ହୋଇଅଛନ୍ତି, ଦୃଷ୍ଟି କରନ୍ତୁ । ଏହି ସ୍ଥାନ ନିର୍ମଳ ଓ ପୁଣ୍ୟଜନକ । ଏଠାରେ ଭଗବାନ ହୁତାଶନ ନିୟତ ପ୍ରଜ୍ୱଳିତ ହୁଅନ୍ତି । ବର୍ତ୍ତମାନକାଳୀନ ମନୁଷ୍ୟମାନେ ଏ ସ୍ଥାନକୁ ଦର୍ଶନ କରିପାରନ୍ତି ନାହିଁ । ଅତଏବ ଆପଣମାନେ ସମସ୍ତେ ସ୍ଥିର ଚିତ୍ତରେ ସମାଧି ଅବଲମ୍ବନ କରନ୍ତୁ । ତାହାହେଲେ ଏହିସବୁ ତୀର୍ଥ ଦର୍ଶନ କରିପାରିବେ ।୩।

 

ହେ କୌନ୍ତେୟ ! ଦେବତାମାନଙ୍କର ଚରଣାଙ୍କିତ କ୍ରୀଡ଼ାସ୍ଥାନ ଏହି କାଳ ଶୈଳପର୍ବତକୁ ଚାହୁଁ ଚାହୁଁ ଅତିକ୍ରମ କରିବା ହେବେ ।୪। ଏବେ ଆସ, ଆମ୍ଭେମାନେ ଶ୍ୱେତଗିରି ଓ ମନ୍ଦରଗିରିରେ ପ୍ରବେଶ କରିବା । ସେଠାରେ ମାଣିବର ନାମକ ଯକ୍ଷ ଓ ଯକ୍ଷପତି କୁବେର ଅବସ୍ଥାନ କରନ୍ତି ।୫। ହେ ଭୂପତେ ! ଅସୀତି ସହସ୍ର ଦ୍ରୁତଗାମୀ ଗନ୍ଧର୍ବ ଓ ତାହାଙ୍କର ଚତୁର୍ଦ୍ଦଶ ସଂଖ୍ୟକ କିନ୍ନର ଓ ଯକ୍ଷଗଣ ଅନେକ ପ୍ରକାର ରୂପଧାରୀ ହୋଇ ବହୁବିଧ ଅସ୍ତ୍ରଶସ୍ତ୍ର ସମନ୍ୱିତ ହୋଇ ଯକ୍ଷେନ୍ଦ୍ର ମଣିଭଦ୍ରଙ୍କର ଉପାସନା କରିଥାନ୍ତି ।୭। ହେ ମନୁଜାଧିପ ! ଏହି ସ୍ଥାନରେ ସେମାନଙ୍କର ଅତିଶୟ ପ୍ରାଦୁର୍ଭାବ । ବାୟୁସଦୃଶ ସେମାନଙ୍କର ଗତି । ଦେବରାଜ ଇନ୍ଦ୍ରଙ୍କୁ ସୁଦ୍ଧା ସେମାନେ ସ୍ଥାନଭ୍ରଷ୍ଟ କରିପାରନ୍ତି । ତାତ ! ପୃଥାପୁତ୍ର ! ସେହିସବୁ ବଳଶାଳୀ ଯକ୍ଷ ଓ ଅନ୍ୟାନ୍ୟ ରାକ୍ଷସମାନେ ମଧ୍ୟ ଅତ୍ରତ୍ୟ ପର୍ବତମାନଙ୍କୁ ଅଧିକାର କରି ବସତି କରନ୍ତି । ଅତଏବ ଏହି ପର୍ବତମାନେ ଅତିଶୟ ଦୁର୍ଗମ । ଅତଏବ ଆପଣ ସମାଧି କରିବାରେ ତତ୍ପର ହେଉନ୍ତୁ ।୯।

 

ହେ କୁନ୍ତୀକୁମାର ! ପୂର୍ବୋକ୍ତ ଯକ୍ଷ ଓ କିନ୍ନରମାନଙ୍କ ବ୍ୟତିରେକେ ଆହୁରି କୁବେରଙ୍କ ସଚିବ ଓ ଅପରାଧର ରୌଦ୍ର ଓ ମୈତ୍ର ରାକ୍ଷସଗଣ ଅଟନ୍ତି । ସେମାନଙ୍କ ସହିତ ଆମ୍ଭେମାନେ ସଂଘଟିତ ହେବା । ଅତଏବ ବିକ୍ରମ ବିଷୟରେ ମଧ୍ୟ ଆପଣ ସତର୍କ ଥାଆନ୍ତୁ ।୧୦। ହେ ଭରତନନ୍ଦନ ! ମହୀପାଳ ! କୈଳାସ ପର୍ବତ ଛଅ ଶତ ଯୋଜନ ଉଚ୍ଚ । ସେଠାକୁ ଦେବଗଣ ଆଗମନ କରନ୍ତି । ବିଶାଳା ନଦୀ ମଧ୍ୟ ସେଠାରେ ଅଛି । ଅସଂଖ୍ୟ ଯକ୍ଷ, ରାକ୍ଷସ, କିନ୍ନର, ନାଗ, ସୁପର୍ଣ୍ଣ ଓ ଗନ୍ଧର୍ବଗଣ କୁବେରଙ୍କ ସଦନ ସମୀପରେ ବେଢି ରହିଅଛନ୍ତି ।୧୨।

 

ହେ ରାଜନ୍‌ ! ପୃଥାନନ୍ଦନ ! ଆପଣ ଅଦ୍ୟ ଆମ୍ଭଦ୍ୱାରା ଓ ଭୀମସେନଙ୍କ ବଳଦ୍ୱାରା ସୁରକ୍ଷିତ ହୋଇ ତପ ଓ ଦମ ପ୍ରଭାବରେ ସେମାନଙ୍କୁ ବିଲୋଡିତ କରନ୍ତୁ ।୧୩। ବରୁଣଦେବ, ସମିତିଞ୍ଜୟ, ଯମରାଜ, ଗଙ୍ଗା ଓ ମରୁତ୍‌ଗଣ, ଯମୁନା ଓ କୈଳାସ ପର୍ବତ, ଏମାନେ ଆପଣଙ୍କର ମଙ୍ଗଳ ବିଧାନ କରନ୍ତୁ ।୧୪। ଅଶ୍ୱିନୀକୁମାର ଦ୍ୱୟ, ସରୋବର ଓ ସରିତ୍‌ଗଣ, ଦେବ, ଅସୁର ଓ ବସୁଗଣ ଆପଣଙ୍କର କଲ୍ୟାଣ କରନ୍ତୁ ।୧୫। ହେ ଗଙ୍ଗେ ! ହେ ଦେବ । ଦେବରାଜଙ୍କର କେଳିମଣ୍ଡପ ସୁମେରୁ ପର୍ବତକୁ ଆପଣଙ୍କର ତରଙ୍ଗଧ୍ୱନି ଶ୍ରୁତ ହେଉଥାଏ ।୧୬। ହେ ଶୁଭଗେ ! ଆପଣ ଆଜମୀଢ ବଂଶୀୟ ସମସ୍ତ ଜନଙ୍କର ବନ୍ଦନୀୟ । ଏହି ନରନାଥ ଯୁଧିଷ୍ଠିରଙ୍କୁ ସମ୍ପ୍ରତି ଦୁର୍ଗମ ଗିରିସମୂହରୁ ରକ୍ଷା କରନ୍ତୁ । ହେ ଶୈଳସୁତେ ! ଶୈଳଗଣ ମଧ୍ୟରେ ଯୁଧିଷ୍ଠିର ପ୍ରବେଶ କରିବାକୁ ଅଭିଳାଷୀ ହୋଇଅଛନ୍ତି । ଆପଣ ତାହାଙ୍କୁ ସୁଗତି ପ୍ରଦାନ କରନ୍ତୁ । ବିପ୍ର ଲୋମଶ ମୁନି ଜହ୍ନୁ ତନୟାଙ୍କୁ ଏହିପରି ପ୍ରାର୍ଥନା କରି ରାଜା ଯୁଧିଷ୍ଠିରଙ୍କୁ କହିଲେ, ଆପଣ ସଂଯତ ହୁଅନ୍ତୁ ।୧୭। ଯୁଧିଷ୍ଠିର ମଧ୍ୟ ସମସ୍ତଙ୍କୁ ସମ୍ବୋଧନ କରି କହିଲେ, ଏ ସ୍ଥଳରେ ଲୋମଶ ଋଷିଙ୍କର ମଧ୍ୟ ଅପୂର୍ବ ଭୟ ଜାତ ହୋଇଅଛି । ତାହାଙ୍କ ଜାଣିବାରେ ଏହି ସ୍ଥାନ ବିଷମ ଦୁର୍ଗମ ଅଟେ । ଅତଏବ ତୁମ୍ଭେମାନେ ସମସ୍ତେ କୃଷ୍ଣାଙ୍କୁ ରକ୍ଷାକର, ପ୍ରମାଦଯୁକ୍ତ ହୁଅ ନାହିଁ, ଶୌଚ ଆଚରଣ କର ।୧୮।

 

ବୈଶମ୍ପାୟନ ବୋଇଲେ– ମହାରାଜ ଯୁଧିଷ୍ଠିର ଉଦାରବୀର୍ଯ୍ୟ ଭୀମସେନଙ୍କୁ କହିଲେ, ବତ୍ସ ଭୀମସେନ ! ତୁମ୍ଭେ ଯତ୍ନ ପୂର୍ବକ ପାଞ୍ଚାଳୀଙ୍କୁ ରକ୍ଷା କର । ଅର୍ଜୁନ ସନ୍ନିହିତ ଥାଆନ୍ତୁ ବା ନ ଥାଆନ୍ତୁ, ଭୟାବହ ଘଟଣା ଉପସ୍ଥିତ ହେଲେ ପାଞ୍ଚାଳୀ ତୁମ୍ଭଙ୍କୁ ଆଶ୍ରୟ କରନ୍ତି । ତତ୍‍ପରେ ମହାତ୍ମା ଧର୍ମକୁମାର ମାଦ୍ରୀସୁତ ଦୁହିଁଙ୍କର ମସ୍ତକ ଆଘ୍ରାଣ କରି ଓ ପାତ୍ର ମାର୍ଜନା କରି ବାଷ୍ପ ଗଦ୍ ଗଦ ସ୍ୱରରେ କହିଲେ, ତୁମ୍ଭେମାନେ ଭୟ କର ନାହିଁ । ଅପ୍ରମାଦ ଚିତ୍ତରେ ଆଗମନ କର ।୨୦।

 

॥ ଅଧ୍ୟାୟ – ୧୪୦ ॥

 

ଯୁଧିଷ୍ଠିର ବୋଇଲେ– ହେ ବୃକୋଦର ! ଏହି ସ୍ଥାନରେ ମହାନ ଓ ବଳବାନ ଭୂତମାନେ ଲୁଚି ରହିଅଛନ୍ତି । ଅତଏବ ଅଗ୍ନିହୋତ୍ର ଓ ତପସ୍ୟା ବଳରେ ଏଠାକୁ ଯାଇହେବ ।୧। ହେ ଭୀମ ! ତୁମ୍ଭେ ନିଜ ବଳ ଅବଲମ୍ବନ କରି କ୍ଷୁଧା ଓ ପିପାସାର ନିବୃତ୍ତି ସହ୍ୟକରି ଶୌର୍ଯ୍ୟ ଓ ଦାକ୍ଷିଣ୍ୟ ଆଶ୍ରୟ କର ।୨। ହେ କୌନ୍ତେୟ ! କୈଳାସ ପର୍ବତର ବୃତ୍ତାନ୍ତ ଋଷି ଯେପରି କହିଲେ, ତାହା ତ ତୁମ୍ଭେ ଶ୍ରବଣ କଲ । ଅତଏବ ବୁଦ୍ଧିଦ୍ୱାରା ବିବେଚନା କର । ଦୌପଦୀ ସେଠାକୁ କିପରି ଗମନ କରିବେ ? ହେ ବିଶାଳାକ୍ଷ ଭୀମ ! ଆମ୍ଭେ ବିବେଚନା କରୁଅଛୁ ଯେ ସହଦେବ, ଧୌମ୍ୟ, ସାରଥୀ, ପାଚକ, ପରିଚାରକ, ରଥ, ଅଶ୍ୱ ଓ ଯେଉଁ ବିପ୍ରମାନେ କ୍ଲେଶ ସହ୍ୟ କରିପାରନ୍ତି ନାହିଁ, ସେମାନେ ସମସ୍ତେ ତୁମ୍ଭ ସହିତ ଏହିଠାରୁ ନିବୃତ୍ତ ହୁଅନ୍ତୁ ।୮। ଆମ୍ଭେ, ନକୁଳ ଓ ମହାତପା ଲୋମଶ– ଏହି ତିନି ଜଣ ସ୍ୱଳ୍ପାହାରୀ ଓ ଯତିବ୍ରତ ହୋଇ ଗମନ କରିବୁ । ଆମ୍ଭେ ଯେଉଁ ଅବଧି ଆଗମନ ନ କରିବୁ, ସେହି ପର୍ଯ୍ୟନ୍ତ ତୁମ୍ଭେମାନେ ଆମ୍ଭ ପ୍ରତୀକ୍ଷାରେ ଏହି ଗଙ୍ଗାଦ୍ୱାରରେ ସମାହିତ ହୋଇ ଦ୍ରୌପଦୀଙ୍କୁ ରକ୍ଷାକରି ଅବସ୍ଥାନ କର ।୯।

 

ଭୀମସେନ ବୋଇଲେ– ହେ ଭାରତ ! ଅର୍ଜୁନଙ୍କୁ ନ ଦେଖି ଦ୍ରୌପଦୀ ଦୁଃଖାର୍ତ୍ତା ହୋଇଅଛନ୍ତି । ଶ୍ରମକର୍ଷିତ ହୋଇଥିଲେ ହେଁ ଅର୍ଜୁନଙ୍କୁ ଦର୍ଶନ କରିବା ଆଶାରେ ସେ କ୍ଳେଶ ସ୍ୱୀକାର କରି ଗମନ କରିବେ । ସଂଗ୍ରାମରେ ଅପରାଙ୍ମୁଖ ଗୁଡ଼ାକେଶଙ୍କୁ ନ ଦେଖି ଆପଣଙ୍କ ଚିତ୍ତ ଦୁଃଖିତ ହୋଇଅଛି । ତହିଁରେ ସହଦେବଙ୍କୁ, ମୋତେ, ଦ୍ରୌପଦୀଙ୍କୁ ନ ଦେଖି ଆପଣଙ୍କ ଅନ୍ତଃକରଣ ଆହୁରି ଉଦ୍‌ବେଳିତ ହେବ । ଦ୍ୱିଜ ଓ ପରିଚାରକମାନେ ପଛକେ ଏହିଠାରେ ନିବୃତ୍ତ ହୋଇ ରହନ୍ତୁ ।୧୦। ସାରଥି ଓ ଅନ୍ୟାନ୍ୟ ଯେଉଁ ଅନୁଗାମୀ ଲୋକଙ୍କୁ ଆପଣ ଆଜ୍ଞା ଦେବେ, ସେମାନେ ମଧ୍ୟ ଏହିଠାରେ ଥାଆନ୍ତୁ । ମୁଁ କଦାପି ଆପଣଙ୍କୁ ତ୍ୟାଗ କରିବାକୁ ଇଚ୍ଛା କରେ ନାହିଁ; ଯେହେତୁ ଏହି ଶୈଳମାନ ରାକ୍ଷସଙ୍କଦ୍ୱାରା ସମାକୀର୍ଣ୍ଣ ହୋଇଅଛି; ସ୍ଥାନ ମଧ୍ୟ ବିଷମ ଓ ଦୁର୍ଗମ ଅଟେ । ମହାଭାଗା ରାଜପୁତ୍ରୀ ଦ୍ରୌପଦୀ ପତିବ୍ରତା ଅଟନ୍ତି । ଆପଣଙ୍କ ବିନା ସେ ରହିବାକୁ ଇଚ୍ଛା କରନ୍ତି ନାହିଁ । ହେ ପୁରୁଷବ୍ୟାଘ୍ର ! ଏହି ସହଦେବ ମଧ୍ୟ ସର୍ବଦା ଆପଣଙ୍କ ନିକଟରେ ରହିବାର ଅଭିଳାଷୀ ।୧୩। ମୁଁ ତାହାଙ୍କର ମନର ଭାବ ଅବଗତ ଅଛି । ସେ କଦାପି ଏଠାରୁ ନିବୃତ୍ତ ହେବେ ନାହିଁ । ସବ୍ୟସାଚୀଙ୍କ ଦର୍ଶନ ଲାଳସାରେ ସମସ୍ତେ ଯିବାକୁ ଇଚ୍ଛୁକ; ଅତଏବ ଆମ୍ଭେମାନେ ସମସ୍ତେ ଯିବୁ । ଏହି ପର୍ବତ ପ୍ରଦେଶ ଅନେକ କନ୍ଦରଦ୍ୱାରା ପରିପୂର୍ଣ୍ଣ । ରଥ ଯାଇ ନ ପାରିଲେ ହେଁ ଆମ୍ଭେମାନେ ପାଦଚାରୀ ହୋଇ ଗମନ କରିବୁ । ହେ ରାଜନ ! ଆପଣ ବିନା ହୁଅ ନାହିଁ । ପାଞ୍ଚାଳୀ ଯେଉଁଠାକୁ ଯାଇ ନ ପାରିବେ, ସେଠାରେ ମୁଁ ତାହାଙ୍କୁ ବହିନେଇ ଯିବି ।୧୬। ହେ ରାଜନ୍‌ ! ମୋର ଏହି ପ୍ରକାର ବିବେଚନା ହେଉଅଛି । ଆପଣ ବିମନା ହୁଅନ୍ତୁ ନାହିଁ । ମାଦ୍ରୀଙ୍କ ନନ୍ଦନ ଦୁହେଁ ବୀର ହେଲେ ହେଁ ସୁକୁମାର ଅଟନ୍ତି । ସେ ଦୁହେଁ ଯେଉଁଠାରେ ଅଶକ୍ତ ହେବେ, ସେଠାରେ ମୁଁ ତାହାଙ୍କୁ ପାର କରିନେବି ।୧୭।

 

ଯୁଧିଷ୍ଠିର ବୋଇଲେ– ହେ ଭୀମ ! ତୁମ୍ଭେ ଯେ ଯଶସ୍ୱୀ ପାଞ୍ଚାଳୀଙ୍କୁ ବହନ କରିବାକୁ ଓ ଯମଜଙ୍କୁ ପାରି କରିବାକୁ ଉତ୍ସାହିତ ହୋଇଅଛ, ଏଥିରେ ତୁମ୍ଭର ବଳ ବୃଦ୍ଧି ହେଉ । ତୁମ୍ଭର ମଙ୍ଗଳ ହେଉ । ଯଶ, ଧର୍ମ ଓ କୀର୍ତ୍ତି ମଧ୍ୟ ତୁମ୍ଭର ବର୍ଦ୍ଧିତ ହେଉ । ହେ ମହାବାହୋ ! ତୁମ୍ଭେ କୃଷ୍ଣାଙ୍କୁ ଓ ଦୁଇ ଭ୍ରାତାଙ୍କୁ ନେବାକୁ ଇଚ୍ଛା କରୁଅଛ, ଅତଏବ ତୁମ୍ଭ ଶରୀରକୁ ଗ୍ଲାନି ନ ହେଉ ଅଥବା କୌଣସିଠାରେ ପରାହବ ନ ହେଉ । ବୈଶମ୍ପାୟନ ବୋଇଲେ, ତଦନନ୍ତର ମନୋରମା କୃଷ୍ଣା ହାସ୍ୟବଦନରେ କହିଲେ, ହେ ଭାରତ ! ମୁଁ ଗମନ କରିବି, ମୋ ନିମିତ୍ତ ଆପଣ ସନ୍ତାପ କରନ୍ତୁ ନାହିଁ ।୨୧। ଲୋମଶ ବୋଇଲେ ତପସ୍ୟାଦ୍ୱାରା ଗନ୍ଧମାଦନକୁ ଗମନ କରି ହୁଏ । ଅତଏବ ହେ କୁନ୍ତୀସୁତ ! ଆମ୍ଭେମାନେ ସମସ୍ତେ ତପୋଯୁକ୍ତ ହେବା । ହେ ପାର୍ଥିବ ! ନକୁଳ, ସହଦେବ, ଭୀମସେନ, ଆମ୍ଭେ ଓ ତୁମ୍ଭେ ଶ୍ୱେତ ମହାବାହୁଙ୍କୁ ଦେଖିବା ।୨୩।

 

ବୈଶମ୍ପାୟନ ବୋଇଲେ– ହେ ରାଜନ୍‌ ! ସେମାନେ ଏହି ରୂପ କଥୋପକଥନ କରୁଅଛନ୍ତି, ଏମନ୍ତ ସମୟରେ ହିମାଳୟ ପର୍ବତବାସୀ ସୁବାହୁ ରାଜାଙ୍କ ବିଷୟ* ଦର୍ଶନ କଲେ । ସେ ରାଜ୍ୟ ମହାନ ଓ ଅନେକ ଗାଜ ବାଜିଦ୍ୱାରା ସମାକୀର୍ଣ୍ଣ । ବହୁସଂଖ୍ୟକ କିରାତ, ପୁଳିନ୍ଦ ଓ ତଙ୍ଗକାମାନେ ତହିଁରେ ବସତି କରିଅଛନ୍ତି । ଏହି ରାଜ୍ୟକୁ ଦର୍ଶନ କରି ସେମାନେ ଅତିଶୟ ଆହ୍ଲାଦିତ ହେଲେ । ପୁଳିନ୍ଦଙ୍କ ଅଧିପତି ସୁବାହୁ ସ୍ୱରାଜ୍ୟ ପ୍ରାନ୍ତରେ ପାଣ୍ଡବମାନଙ୍କୁ ବିଲୋକନ କରି ଅତି ହର୍ଷରେ ସେମାନଙ୍କୁ ଯଥୋଚିତ ସମ୍ମାନ ସହିତ ଗ୍ରହଣ କଲେ ।୨୬। ମହାବୀର୍ଯ୍ୟଶାଳୀ ମହାରଥ ପଣ୍ଡୁନନ୍ଦନମାନେ ସୁବାହୁଙ୍କଦ୍ୱାରା ସମ୍ମାନିତ ହୋଇ ସେ ଦିନ ସେହିଠାରେ ସୁଖରେ ବାସ କଲେ ।୨୭। ପରଦିନ ଯେତେବେଳେ ସୂର୍ଯ୍ୟକିରଣ ହିମାଦ୍ରି ଉପରେ ପତିତ ହୋଇ ନିର୍ମଳ ଦିଶିଲା, ତେତେବେଳେ ଇନ୍ଦ୍ରସେନ ପ୍ରଭୃତି ଭୃତ୍ୟଙ୍କୁ ପ୍ରରୋଗବ ଓ ପାଚକମାନଙ୍କୁ ଅଥଚ ଦ୍ରୌପଦୀଙ୍କର ସମଗ୍ର ପରିଚ୍ଛଦକୁ ପୁଳିନ୍ଦାଧିପତିଙ୍କଠାରେ ଅର୍ପଣ କରି ସେ ଉକ୍ତ ସ୍ଥାନରୁ ପ୍ରସ୍ଥାନ କଲେ ।୨୮। ସେହି ମହାବାହୁମାନେ ଅର୍ଜୁନଙ୍କୁ ଦେଖିବା ଲାଳସାରେ ହୃଷ୍ଟଚିତ୍ତରେ ମହର୍ଷିଙ୍କ ସହିତ ପଦବ୍ରଜରେ ଧୀରେ ଧୀରେ ଗମନ କଲେ ।୨୯।

 

[*ରାଜ୍ୟ ବା ଜମିଦାରୀ ଅଥବା କୌଣସି ବୃହତ୍ ଭୂସମ୍ପତ୍ତିକୁ ‘ବିଷୟ’ କହନ୍ତି ।]

 

॥ ଅଧ୍ୟାୟ – ୧୪୧ ॥

 

ଯୁଧିଷ୍ଠିର କହିଲେ– ହେ ଭୀମ ! ନକୁଳ ! ସହଦେବ ! ପାଞ୍ଚାଳି ! ତୁମ୍ଭେମାନେ ସମସ୍ତେ ଶୁଣ ! ଭୋଗ ବ୍ୟତୀତ ପ୍ରାକ୍ତନ କର୍ମ ବିନଷ୍ଟ ହୁଏ ନାହିଁ । ଦେଖ, ଆମ୍ଭେମାନେ ବନଚର ହୋଇଥାଇଁ । ଆମ୍ଭେମାନେ ଦୁର୍ବଳ ଓ କ୍ଲେଶଯୁକ୍ତ ହୋଇଥାଇଁ । ତଥାପି ଅଶକ୍ୟ ସ୍ଥାନକୁ ଗମନ କରିବା ବୋଲି କଥାବାର୍ତ୍ତା କରୁଥାଇଁ । ଏହା କେବଳ ଧନଞ୍ଜୟଙ୍କୁ ଦେଖିବା ନିମିତ୍ତ କରୁଥାଇଁ ।୨। ଅର୍ଜୁନଙ୍କୁ ନିକଟରେ ନ ଦେଖି ଆମ୍ଭର କଳେବର ତୁଳାରାଶିକୁ ଅନଳ ଦୁଗ୍‌ଧ କଲା ପ୍ରାୟ ଦଗ୍ଧ କରୁଅଛି ।୩। ହେ ବୀରଗଣ ! ଆମ୍ଭେ ଅନୁୁଜଙ୍କୁ ଘେନି ଅରଣ୍ୟରେ ଆଶ୍ରୟ କରିଅଛୁ ଓ ଅର୍ଜୁନଙ୍କୁ ଦେଖିବାର ଅଭିଳାଷ ଆମ୍ଭର ହୃଦୟକୁ ଉତ୍କଣ୍ଠିତ କରୁଅଛି । ବିଶେଷରେ ଯାଜ୍ଞସେନୀଙ୍କର କେଶାକର୍ଷଣାଦି ଜନିତ କ୍ଳେଶ ଆମ୍ଭର ସ୍ମୃତି ପଥାରୂଢ ହୋଇ ଆମ୍ଭଙ୍କୁ ଅତ୍ୟନ୍ତ ପରିତାପିତ କରୁଅଛି-।୪। ହେ ବୃକୋଦର ! ନକୁଳାଗ୍ରଜ ! ଉଗ୍ରଧନ୍ୱା, ଅପରାଜିତ, ଅପରିମିତ ତେଜସ୍ୱୀ ପାର୍ଥଙ୍କୁ ନ ଦେଖି ମୁଁ ସନ୍ତପ୍ତ ହେଉଅଛି ।୫। ଅତଏବ ତାହାଙ୍କୁ ଦେଖିବା ଆକାଙ୍‌କ୍ଷାରେ ରମଣୀୟ ତୀର୍ଥ, ବନ ଓ ସରୋବର ଇତ୍ୟାଦି ବିଚରଣ କରିବୁ ।୬।

 

ହେ ବୃକୋଦର ! ଆମ୍ଭେ ଯେ ପଞ୍ଚବର୍ଷ ହେଲା ସତ୍ୟସନ୍ଧ ବିଭତ୍ସୁ ଧନଞ୍ଜୟଙ୍କୁ ଦେଖି ନାହୁଁ, ତନ୍ମିମିତ୍ତ ଆମ୍ଭେ ତାପିତ ହେଉଅଛୁ ।୭। ହେ ବୃକୋଦର ! ସିଂହବିକ୍ରାନ୍ତଗାମୀ, ମହାବାହୁ ଶ୍ୟାମ ଶରୀର ଗୁଡାକେଶଙ୍କୁ ନ ଦେଖି ଆମ୍ଭର ଅନ୍ତଃକରଣ ସନ୍ତାପରେ ପରିପୂର୍ଣ୍ଣ ହେଉଅଛି ।୮। ଧନୁର୍ଦ୍ଧାରୀଙ୍କ ମଧ୍ୟରେ କେହି ଯାହାଙ୍କ ସାଦୃଶ୍ୟ ପ୍ରାପ୍ତ ହୋଇ ନାହାନ୍ତି ଓ ଯେ କୃତାସ୍ତ୍ର ହୋଇ ଯୁଦ୍ଧରେ ସୁନିପୁଣ, ସେହି ଅର୍ଜୁନଙ୍କୁ ନ ଦେଖି ଆମ୍ଭେ ସନ୍ତପ୍ତ ହେଉଅଛୁଁ ।୯। ହେ ବୃକୋଦର ! ଯୁଦ୍ଧ ହେବାବେଳେ ଯେ ଶତ୍ରୁମାନଙ୍କ ମଧ୍ୟରେ କୁପିତ, କୃତାନ୍ତ ଓ ମଦମତ୍ତ ମାତଙ୍ଗଙ୍କ ସଦୃଶ ବିଚରଣ କରୁଥାନ୍ତି, ପରାକ୍ରମରେ ଯେ ଇନ୍ଦ୍ରଙ୍କଠାରୁ ଊଣା ନୁହନ୍ତି, ଆହା, ସେହି ସିଂହସ୍କନ୍ଧ ଯମଜାଗ୍ରଜ, ଅପରିମତିବକ୍ରମୀ, ଶ୍ୱେତାଶ୍ୱ ଫାଲ୍‌ଗୁନୀ ନିଦାରୁଣ ଦୁଃଖରେ ପତିତ ହୋଇଅଛନ୍ତି । ସେହି ଅପରାଜିତ ଉଗ୍ରଧନ୍ୱା ଧନଞ୍ଜୟଙ୍କୁ ନ ଦେଖି ଆମ୍ଭର ଅନ୍ତଃକରଣ ବିଷାଦରେ ପରିପୂର୍ଣ୍ଣ ହୋଇଅଛି-। ଅତି କ୍ଷୁଦ୍ର ବ୍ୟକ୍ତି ସୁଦ୍ଧା ଯାହାକୁ ଭର୍ତ୍ସନା କଲେ ସେ କିଛି ନ କହି କ୍ଷମା ପ୍ରଦାନ କରନ୍ତି, ସରଳ ପଥାବଲମ୍ବୀ ବ୍ୟକ୍ତିଙ୍କୁ ଯେ ଶର୍ମ ଓ ଅଭୟ ପ୍ରଦାନ କରନ୍ତି, କୌଣସି ପୁରୁଷ କପଟାଚାରୀ ହୋଇ ତାହାଙ୍କଠାରେ ଉପସ୍ଥିତ ହେଲେ ସେ ଇନ୍ଦ୍ର ହେଲେ ସୁଦ୍ଧା ତାହା ପ୍ରତି ଯେ କାଳବିଷସମ ହୁଅନ୍ତି, ଶତ୍ରୁ ହେଉ ପଛେ ସେ ଯେବେ ଶରଣାଗତ ହୁଏ, ତେବେ ସେ ସ୍ୱକୀୟ ସଦୟ ହୃଦୟ ହେତୁରୁ ତାହାକୁ କ୍ଷମା ପ୍ରଦାନ କରନ୍ତି, ସେହି ଅମେୟାତ୍ମା, ମହାବଳଶାଳୀ ଅର୍ଜୁନଙ୍କ ନିମିତ୍ତ ଆମ୍ଭ ଅନ୍ତଃକରଣ ସନ୍ତପ୍ତ ହେଉଅଛି । ଯେ ଆମ୍ଭ ସମସ୍ତଙ୍କର ଆଶ୍ରୟ, ସୁଖାବହ, ରଣକ୍ଷେତ୍ରରେ ଅରିକୁଳର ପ୍ରମର୍ଦ୍ଦକ ଓ ସମଗ୍ର ରତ୍ନର ଆହରଣ କର୍ତ୍ତା ।୧୬। ପୂର୍ବେ ଯାହାଙ୍କ ବଳଦ୍ୱାରା ବହୁଜାତୀୟ, ବହୁବିଧ, ବହୁଳ ପରିମାଣରେ ରତ୍ନମାନ ଆମ୍ଭର ଅଧିକାରକୁ ଅଣା ହୋଇଥିଲା ଓ ଯାହାକୁ ବର୍ତ୍ତମାନ ସୁଯୋଧନ ନେଇଅଛି ।୧୭। ହେ ବୀର ବୃକୋଦର ! ଯାହାଙ୍କ ବାହୁବଳଦ୍ୱାରା ପୂର୍ବେ ଆମ୍ଭେ ତ୍ରି ଲୋକ ବିଖ୍ୟାତ ଓ ସର୍ବ ରତ୍ନମୟୀ ସଭାର ସ୍ୱାମୀତ୍ୱ ଲାଭ କରିଥିଲୁ, ସତ୍ୱରେ ଯେ ବାସୁଦେବଙ୍କ ସମାନ, ସମରରେ କାର୍ତ୍ତବୀର୍ଯ୍ୟଙ୍କ ପ୍ରାୟ ଓ ଯୁଦ୍ଧରେ ଯେ ଅଜେୟ ଓ ଅନୁପମେୟ, ଏତାଦୃଶ ଫାଲଗୁନୀଙ୍କୁ ଆମ୍ଭେ ନୟନଗୋଚର କରି ପାରୁନାହୁଁ ।୧୯। ହେ ମହାବାହୋ ! ସେହି ଶତ୍ରୁଘାତୀ ଅର୍ଜୁନ ସ୍ୱୀୟ ପରାକ୍ରମଦ୍ୱାରା ମହାବୀର୍ଯ୍ୟ ସଙ୍କର୍ଷଣଙ୍କର, ବାସୁଦେବଙ୍କର ଓ ତୁମ୍ଭର ଅନୁକାରୀ ହୋଇଅଛନ୍ତି । ପୃରନ୍ଦର ଯାହାଙ୍କ ବାହୁବଳର ଓ ପ୍ରଭାବର ସଦୃଶ, ବାୟୁ ଯାହାଙ୍କର ବେଗର ସମାନ, ଚନ୍ଦ୍ର ଯାହାଙ୍କର ମୁଖର ସମାନ, ସନାତନ ମୃତ୍ୟୁ ଯାହାଙ୍କର କ୍ରୋଧର ସଦୃଶ ହୋଇପାରେ, ହେ ମହାବାହୋ ! ସେହି ବୀର ନରେନ୍ଦ୍ରଙ୍କ ଦର୍ଶନାର୍ଥୀ ହୋଇ ଆମ୍ଭେମାନେ ଗନ୍ଧମାଦନରେ ପ୍ରବେଶ କରୁଥାଇଁ ।୨୨। ଯେଉଁଠାରେ ନରନାରାୟଣଙ୍କର ଆଶ୍ରମ ଓ ବିଶାଳା ନଦୀ ପ୍ରବାହିତ ହେଉଅଛି, ଯକ୍ଷଗଣ ଯେଉଁଠାରେ ନିରନ୍ତର ବାସ କରୁଅଛନ୍ତି, ସେହି ଉତ୍କୃଷ୍ଟ ପର୍ବତକୁ ଦର୍ଶନ କରିବା ।୨୩। ମହତ ତପସ୍ୟାଚରଣ କରି ପଦବ୍ରଜରେ ଗମନ କରି କୁବେରଙ୍କ ପୁଷ୍ପରିଣୀ ଦର୍ଶନ କରିବା । ଯେଉଁଠାରେ ସନ୍ତତ ରାକ୍ଷସଗଣ ବାସ କରିଥାନ୍ତି ।୨୪। ହେ ଭାରତ, ବୃକୋଦର ! ସେ ପ୍ରଦେଶରେ ଯାନଚଢ଼ି ଗମନ କରି ହୁଏ ନାହିଁ । ନୃଶଂସ ଲୁବ୍ଧ ଓ ଅପ୍ରଶାନ୍ତଚିତ୍ତ ବ୍ୟକ୍ତିମାନେ ମଧ୍ୟ ସେ ସ୍ଥାନକୁ ଗମନ କରିପାରନ୍ତି ନାହିଁ । ଅତଏବ ଆମ୍ଭମାନଙ୍କର ଆୟୁଧ ଓ ଅସ୍ତ୍ର ଥିଲେ ହେଁ ମହାତପା ବିପ୍ରଗଣଙ୍କ ସହିତ ଗମନ କରିବା ।୨୬।

 

ହେ ପାର୍ଥ ! ଅସଂଯତ ହୋଇ ଗନ୍ଧମାଦନକୁ ଗମନ କଲେ ମକ୍ଷିକା, ଦଂଶ, ମଶକ, ସିଂହ, ବ୍ୟାଘ୍ର ଓ ସରୀସୃପମାନଙ୍କ ସହିତ ସମାଗମ ହୁଏ । ସଂଯତାତ୍ମା ହୋଇ ଗମନ କଲେ ସେ ସବୁ ଦେଖାଯାଏ ନାହିଁ ।୨୭। ଅତଏବ ଧନଞ୍ଜୟଙ୍କୁ ଦେଖିବାକୁ ଇଚ୍ଛୁକ ହୋଇ ପରିମିତାହାର ଓ ନିୟତାତ୍ମା ହେଲେ ଗନ୍ଧମାଦନକୁ ପ୍ରବେଶ କରି ପାରିବା ।

 

॥ ଅଧ୍ୟାୟ – ୧୪୨ ॥

 

ଲୋମଶ ବୋଇଲେ– ହେ ପାଣ୍ଡୁପୁତ୍ର ! ତୁମ୍ଭେମାନେ ବହୁସଂଖ୍ୟକ ପର୍ବତ, ନଗର, କାନନ, ନଦୀ ଓ ଶ୍ରୀମନ୍ତ ତୀର୍ଥମାନଙ୍କୁ ଦର୍ଶନ କରିଅଛ । ସ୍ୱହସ୍ତରେ ଜଳସବୁ ସ୍ପର୍ଶ କରିଅଛ । ଏହିକ୍ଷଣି ମନ୍ଦରଗିରିକୁ ଗମନ କରୁଅଛ । ଏହିଠାକୁ ଯିବାବେଳେ ସମସ୍ତେ ନିରୁଦ୍‌ବିଗ୍ନ ଓ ଯତଚିତ୍ତ ହୁଅ । ତୁମ୍ଭେମାନେ ଏହି ଦେବନିବାସକୁ ଗମନ କରୁଅଛ । ପୃଣ୍ୟକର୍ମା ଓ ଦିବ୍ୟ ଋଷିମାନେ ଏହିଠାରେ ବାସ କରନ୍ତି । ଏଠାରେ ଅଳକାନନ୍ଦା ପ୍ରବାହିତ ହେଉଅଛି । ତାହାର ଜଳ ମଙ୍ଗଳକାରୀ ଓ ତାହା ତଟରେ ଦେବଗଣ ଓ ଋଷିଗଣ ବାସ କରନ୍ତି । ନିତ୍ୟ ଏହିଠାରେ ବାଳଖିଲ୍ୟ ଋଷିଗଣ, ଆକାଶଚାରୀ ମହାତ୍ମାଗଣ ଓ ଗନ୍ଧର୍ବନିଚୟ ଗତାଗତ କରନ୍ତି, ଗଙ୍ଗାନଦୀର ପୂଜା କରିନ୍ତି ।୫। ସାମଗମାନେ ପୁଣ୍ୟସ୍ୱନା ସାମବେଦକୁ ଗାୟନ କରନ୍ତି । ମରିଚି, ପୁଲହ, ଭୃଗୁ, ଅଙ୍ଗିରା ଏମାନେ ମଧ୍ୟ ମହାତଟରେ ବସି ସାମଗାୟନ କରନ୍ତି । ମରୁଦ୍‌ଗଣଙ୍କ ସହ ସୁରରାଜ ଇନ୍ଦ୍ର ଏହିଠାରେ ସନ୍ଧ୍ୟା ତର୍ପଣ ଜପ ପ୍ରଭୃତି ଆହ୍ନିକ କରନ୍ତି । ସାଧ୍ୟଗଣ ଓ ଅଶ୍ୱିନୀକୁମାର ଦ୍ୱୟ ତତ୍କାଳରେ ତାହାଙ୍କର ଅନୁବର୍ତ୍ତୀ ହୋଇଥାନ୍ତି । ଚନ୍ଦ୍ର ସୂର୍ଯ୍ୟ ଗ୍ରହଗଣ ଓ ଅନ୍ୟାନ୍ୟ ଜ୍ୟୋତିଗର୍ଣମାନେ ଦିବାରାତ୍ରି ବିଭାଗକ୍ରମେ ଏହି ନଦୀକୂଳରେ ବିଚରଣ କରନ୍ତି ।୮।

 

ହେ ମହାଭାଗ ! ଯାହାଙ୍କଦ୍ୱାରା ଲୋକସ୍ଥିତି, ସେହି ବୃଷଭଧ୍ୱଜ ମହାଦେବ ଏହି ଗଙ୍ଗାଦ୍ୱାରରେ ଏହାଙ୍କର ଜଳକୁ ମସ୍ତକରେ ଧାରଣ କରିଥିଲେ ।୯। ହେ ବତ୍ସଗଣ ! ତୁମ୍ଭେମାନେ ସମସ୍ତେ ସ୍ଥିରମତି ହୋଇ ଏହି ଭଗବତୀ ଗଙ୍ଗାଦେବୀଙ୍କ ନିକଟକୁ ଗମନ ପୂର୍ବକ ଅଭିବାଦନ କର-।୧୦।

 

ଲୋମଶଙ୍କର ଉକ୍ତ ବଚନ ଶ୍ରବଣ କରି ପାଣ୍ଡବମାନେ ଯତଚିତ୍ତ ହୋଇ ଆକାଶଗଙ୍ଗା ଅଳକାନନ୍ଦାଙ୍କୁ ଅଭିବାଦନ କଲେ ।୧୧। ଧର୍ମାଚାରୀ ପାଣ୍ଡବମାନେ ଗଙ୍ଗାଦେବୀଙ୍କୁ ପ୍ରଣାମ କରି ପ୍ରଫୁଲ୍ଲ ଚିତ୍ତରେ ପୁନର୍ବାର ଋଷିଗଣଙ୍କ ସହିତ ସେଠାରୁ ଯାତ୍ରା କଲେ ।୧୨। ତଦନନ୍ତର ସେହି ନରେନ୍ଦ୍ରଗଣ ଦୂରରୁ ଦେଖିଲେ ଯେ ଗୋଟାଏ ଧବଳମୟ ପଦାର୍ଥ ସୁମେରୁ ପର୍ବତ ସଦୃଶ ଚତୁର୍ଦ୍ଦିଗକୁ ବିସ୍ତୃତ ହୋଇ ପ୍ରକାଶମାନ ହେଲା । ତାହା ଦେଖି ସେମାନେ ଲୋମଶ ଋଷିଙ୍କୁ ତାହାର ବୃତ୍ତାନ୍ତ ପଚାରିବାକୁ ମାନସ କଲେ । କିନ୍ତୁ ବାଗ୍ମୀପ୍ରବର ଋଷି ସେମାନଙ୍କର ଅଭିପ୍ରାୟ ଜାଣିପାରି ସ୍ୱୟଂ ସେମାନଙ୍କୁ ସମ୍ବୋଧନ କରି କହିଲେ ।୧୪।

 

ହେ ପାଣ୍ଡବଗଣ ! ଶ୍ରବଣ କର, ଏହି ଯେ ସୁନ୍ଦର ଶୁକ୍ଳବର୍ଣ୍ଣ ବୃହତ୍ ପଦାର୍ଥ ଦେଖୁଅଛ ଓ ଯାହାକି କୈଳାସ ପର୍ବତ ପ୍ରାୟ ଦୃଶ୍ୟ ହେଉଅଛି, ତାହା ନରକାସୁରର ଅସ୍ଥି । ସେହି ମହାକାୟ ଅସୁରର ଅସ୍ଥିମାନ ପ୍ରସ୍ତର ସମୂହ ଦାହମିଶ୍ରିତ ହୋଇ ପର୍ବତପ୍ରାୟ ପ୍ରତିଭାତ ହେଉଅଛି ।୧୬। ହେ ପୁତ୍ରଗଣ ! ପରମପୁରାତନ ଦେବବିଷ୍ଣୁ ସୁରରାଜଙ୍କର ହିତୈଷୀ ହୋଇ ସେହି ଦୈତ୍ୟକୁ ନିହତ କରିଥିଲେ ।୧୭। ସେହି ଦିତିନନ୍ଦନ ଅସୁର ଦଶ ସହସ୍ର ବର୍ଷ ତପସ୍ୟା କରିଥିଲା । ତପସ୍ୟା ଓ ସ୍ୱାଧ୍ୟାୟ ବଳରେ ଇନ୍ଦ୍ରଗତି ଲଭିବାରେ ଅଭିଳାଷୀ ହୋଇ ତପୋବଳ ଓ ବାହୁବେଗଦ୍ୱାରା ସର୍ବଦା ସେ ଦେବରାଜଙ୍କୁ ଧର୍ଷିତ କରୁଥିଲା । ସୁରପତି ତାହାର ବଳ, ବିକ୍ରମ, ଧର୍ମଚରିତ ଓ ବ୍ରତ ବିଷୟ ଅବଗତ ହୋଇ ଭୟରେ ଅଭିଭୂତ ଓ ଉଦବିଗ୍ନ ହେଉଥିଲେ ।୨୦। ହେ ବିଶୁଦ୍ଧ ଚିତ୍ତ ମହାରାଜ ! ଏଥିରେ ଦେବାଦିଦେବଙ୍କୁ ଦେବରାଜ ମନେ ମନେ ସ୍ମରଣ କଲେ । ପ୍ରଭୁ ଶ୍ରୀମାନ ବିଷ୍ଣୁ ଆଗମନପୂର୍ବକ ଇନ୍ଦ୍ରଙ୍କ ଅଭିମୁଖରେ ଦଣ୍ଡାୟମାନ ହୋଇ ପ୍ରକାଶ ପାଇଲେ । ଋଷିଗଣ ଓ ଦେବଗଣ ସମସ୍ତେ ତାହାଙ୍କର ସ୍ତବ କଲେ । ତାହାଙ୍କର ଦର୍ଶନ ହେବାମାତ୍ର ପ୍ରଜ୍ୱଳିତ ହୁତାଶନର ପ୍ରଭା ମଳିନ ଦିଶିଲା । ଅନନ୍ତର ବଜ୍ରଧର କୃତାଞ୍ଜଳିପୁଟରେ ନମସ୍କାର କରି ତାହାଙ୍କ ସମ୍ମୁଖରେ ଆପଣାର ଭୟର ବୃତ୍ତାନ୍ତ ନିବେଦନ କଲେ ।୨୪। ଭଗବାନ ବିଷ୍ଣୁ କହିଲେ– ହେ ଦେବେନ୍ଦ୍ର ! ତୁମ୍ଭେ ଯେ ନାରକାସୁର କଥା କହୁଅଛ, ତାହା ଆମ୍ଭେ ଆଗରୁ ଅବଗତ ଅଛୁଁ । ନାରକାସୁର ତପଃସିଦ୍ଧ ହେଲେ ହେଁ ତୁମ୍ଭ ପ୍ରୀତି ନିମିତ୍ତ ଆମ୍ଭେ ତାହାର ପ୍ରାଣ ସଂହାର କରିବୁଁ । ତୁମ୍ଭେ ମୁହୂର୍ତ୍ତେ ପ୍ରତୀକ୍ଷା କର । ଅନନ୍ତର ମହାତେଜା ବିଷ୍ଣୁ ହସ୍ତଦ୍ୱାରା ନାରକାସୁରର ଚେତନା ହରଣ କରନ୍ତେ ସେ ସମାହତ ଗିରିରାଜସଦୃଶ ଧରାତଳରେ ପତିତ ହେଲା ।୨୭। ମାୟା ନିହିତ ସେହି ନରକ ଦୈତ୍ୟର ଅସ୍ଥି ସମୂହ ଏହିଠାରେ ପଡ଼ିରହିଅଛି । ଆହୁରି ଏହି ବସୁମତୀ ଯେତେବେଳେ ପାତାଳରେ ମଜ୍ଜିତ ହେଲା, ତେତେବେଳେ ଭଗବାନ ବିଷ୍ଣୁ ଏକଦନ୍ତ ବରାହର ରୂପ ଧାରଣ କରି ପୁନର୍ବାର ତାହାକୁ ଉଦ୍ଧାର କଲେ । ଏହି କର୍ମଟି ବିଷ୍ଣୁଙ୍କର ଦ୍ୱିତୀୟ କର୍ମ ।୨୯।

 

ଯୁଧିଷ୍ଠିର ବୋଇଲେ– ହେ ଭଗବନ୍‌ ! ବସୁମତୀ କି ହେତୁରୁ ପାତାଳଗାମୀ ହୋଇଥିଲେ-? ଭଗବନ୍‌ ! ତ୍ରୈଲୋକ୍ୟନାଥ ଅବା କି ପ୍ରକାରେ ପୁନରାୟ ଶତ ଯୋଜନ ଊର୍ଦ୍ଧ୍ୱକୁ ତାହାକୁ ଉଦ୍ଧୃତ କରିଥିଲେ । କି ରୂପେ ଅବା ସର୍ବଶସ୍ୟପ୍ରସବିନୀ ଭଗବତୀ ବସୁମତୀ ସୁସ୍ଥିରା ହେଲେ ? ନାନା ପ୍ରଭାବରୁ ପୃଥିବୀ କିପରି ଏକ ଶତ ଯୋଜନ ତଳକୁ ନିମଜ୍ଜିତ ହୋଇଥିଲା । କେଉଁ ବ୍ୟକ୍ତି ପରମାତ୍ମାଙ୍କର ଅଭୁତ ଶକ୍ତିକୁ ପ୍ରତ୍ୟକ୍ଷ କରିଥିଲେ ? ଏହି ସବୁ ବୃତ୍ତାନ୍ତ ବିସ୍ତାରପୂର୍ବକ ଶ୍ରବଣ କରିବାକୁ ମୁଁ କୌତୂହଳାକ୍ରାନ୍ତ ହୋଇଅଛି । ସେହି କୌତୂହଳର କି କାରଣରୁ ଏକମାତ୍ର ଉପାୟ ଆପଣ ଅଟନ୍ତି ? ଅତଏବ ଏହି ସବୁ ବୃତ୍ତାନ୍ତ ଆପଣ ସବିସ୍ତାର ବର୍ଣ୍ଣନ କରନ୍ତୁ ।

 

ଲୋମଶ ବୋଇଲେ, ହେ ଯୁଧିଷ୍ଠିର ! ଆପଣ ଯାହା ପଚାରିବା ହେଲେ ତାହାର ସମୁଦାୟ ବୃତ୍ତାନ୍ତ କହୁଅଛୁଁ, ଶ୍ରବଣ କରନ୍ତୁ ।୩୪। ଆଦ୍ୟରେ ସତ୍ୟଯୁଗ ଉପସ୍ଥିତ ହୁଅନ୍ତେ ଆଦିଦେବ ବିଷ୍ଣୁ ସ୍ୱୟଂ ଯମପଦରେ ଅଧିଷ୍ଠିତ ହୋଇଥିଲେ ଓ ଯମଙ୍କର କାର୍ଯ୍ୟ ନିର୍ବାହ କରୁଥିଲେ । ସେହି ସମୟରେ ଜନ୍ତୁମାନେ କେବଳ ଜନ୍ମପରିଗ୍ରହ କରୁଥିଲେ । ମୃତ୍ୟୁ ସହିତ କାହାରି ସାକ୍ଷାତ୍ ହେଉନଥିଲା । ଏଥି ନିମିତ୍ତ ପଶୁ, ପକ୍ଷୀ, ମାଂସାଶୀପ୍ରାଣୀ, ମନୁଷ୍ୟ ଓ ଜଳଜୀବଙ୍କ ଭାରରେ ପୃଥିବୀଭାରାକ୍ରାନ୍ତ ହୋଇ କୌଣସି ପ୍ରକାରେ ରହିନପାରି ଶତଯୋଜନ ତଳକୁ ଗମନ କଲା ।୩୯। ସେ ଭାରାକ୍ରାନ୍ତ ଓ ଅଚେତନ ହୋଇ ସର୍ବାଙ୍ଗରେ ବ୍ୟଥିତା ହେଲା ଓ ସର୍ବଦେବ ଦେବ ନାରାୟଣଙ୍କର ଶରଣାପନ୍ନ ହେଲେ ।୪୦। ପୃଥିବୀ ବୋଇଲେ, ଆମ୍ଭେ ଆପଣଙ୍କ ଅନୁଗ୍ରହରୁ ଏହି ସ୍ଥାନରେ ସୁସ୍ଥିର ହୋଇଥିଲୁଁ; କିନ୍ତୁ ଏପରି ଭାରାକ୍ରାନ୍ତ ହୋଇ କଦାପି ରହିପାରିବୁ ନାହିଁ । ଅତଏବ, ହେ ବିଭୋ ! ଆପଣଙ୍କର ଶରଣାପନ୍ନ ହେଉଅଛି । ଆପଣ ଏହି ଭାରରୁ ମୁକ୍ତ କରନ୍ତୁ ।୪୨। ଭଗବାନ ନାରାୟଣ ବସୁମତୀଙ୍କର ଏହି ବାକ୍ୟ ଶ୍ରବଣ କରି ଆନନ୍ଦର ସହିତ ଆକାଶବାଣୀଦ୍ୱାରା କହିଲେ, ହେ ବସୁଧାରିଣୀ ! ତୁମ୍ଭେ କାତର ଓ ଭୀତ ହୁଅ ନାହିଁ । ଆମ୍ଭେ ତୁମ୍ଭର ଭାରକୁ ଉଶ୍ୱାସ କରିବୁ ।୪୪।

 

ଲୋମଶ ବୋଇଲେ, ନାରାୟଣ ଏହା କହି ବସୁଧାଙ୍କୁ ବିଦାୟ ଦେଇ ରକ୍ତଲୋଚନ ଅତି ଭୟଙ୍କର ବରାହ ମୂର୍ତ୍ତି ଧରିଲେ । ଭାସ୍କରଙ୍କ ଧୂମସଦୃଶ ତାହାଙ୍କର ଶୋଭା ଦିଶିଲା ଓ ସେ ମୂର୍ତ୍ତି ସେହି ସ୍ଥାନରେ ଥାଇ କ୍ରମଶଃ ବର୍ଦ୍ଧିତ ହେଲା । ସମୁଜ୍ଜ୍ୱଳ ଦନ୍ତାଗ୍ରଦ୍ୱାରା ଧରାମଣ୍ଡଳକୁ ଶତ ଯୋଜନ ଊର୍ଦ୍ଧ୍ୱକୁ ଉତ୍ତୋଳନ କଲା ।୪୭। ଦେବଗଣ ଓ ତପୋଧନ ଋଷିଗଣ ପୃଥିବୀକୁ ଉଦ୍ଧୃତ ହେବାର ଦେଖି ସଂକ୍ଷୋଭିତ ହେଲେ ।୪୮। ସ୍ୱର୍ଗରେ, ମର୍ତ୍ତ୍ୟରେ ଓ ଭୂମଣ୍ଡଳରେ ସର୍ବତ୍ର ହାହାକାର ପଡ଼ିଲା-। ଦେବ କି ମନୁଷ୍ୟ କେହି ସୁସ୍ଥିର ହୋଇ ରହିପାରିଲେନାହିଁ ।୪୯। ତଦନନ୍ତର ଦେବଗଣ ଓ ଋଷିଗଣ ଏକତ୍ର ହୋଇ ସୁଖାସୀନ ସ୍ୱକୀୟ ଐଶ୍ୱର୍ଯ୍ୟରେ ବିରାଜିତ ବ୍ରହ୍ମାଙ୍କ ସମୀପରେ ଉପଗତ ହେଲେ ।୫୦। ଓ କୃତାଞ୍ଜଳି ପୁଟରେ ଜଣାଇଲେ, ହେ ଦେବେଶ ! ସମୁଦାୟ ଲୋକ ସଂକ୍ଷୋଭିତ ହୋଇଅଛି । ଚରାଚର ଜୀବନିକର ବ୍ୟାକୁଳିତ ହୋଇଅଛନ୍ତି । ସମୁଦାୟ ସମୁଦ୍ରବାରି ଆନ୍ଦୋଳିତ ହେଉଅଛି ।୫୨। ଅଥଚ ବସୁମତୀ ଶତ ଯୋଜନ ନିମ୍ନଗାମିନୀ ହୋଇଅଛି । ଏ କଅଣ ଓ କି ହେତୁରୁ, କାହା ପ୍ରଭାବରୁ ଜଗତ ଏପରି ବ୍ୟାକୁଳିତ ହେଉଅଛି, ଆପଣ ଶୀଘ୍ର ଏଥିର ଉତ୍ତର ଦିଅନ୍ତୁ-। ଆମ୍ଭେମାନେ ସମସ୍ତେ ସଂଜ୍ଞାଶୂନ୍ୟ ହୋଇଅଛୁ ।୫୩। ବ୍ରହ୍ମା ବୋଇଲେ, ତୁମ୍ଭେମାନେ ଅସୁରଙ୍କୁ ଭୟ କର ନାହିଁ । ବୋଧହୁଏ, ତୁମ୍ଭେମାନେ ଅସୁରଙ୍କ ଭୟରେ ଏପରି କ୍ଷୁବ୍ଧ ହେଉଅଛ-। ଯେଉଁ କାରଣରୁ ଏପରି କ୍ଷୋଭ ଜାତ ହୋଇଅଛି ତାହା କହୁଅଛୁ, ଶ୍ରବଣ କର ।୫୪। ବ୍ରହ୍ମା ବୋଇଲେ, ହେ ଅମରଗଣ ! ଯେଉଁ ସର୍ବବ୍ୟାପୀ ଅକ୍ଷୟାତ୍ମା ପରମ ପୁରୁଷ ଅଛନ୍ତି, ତାହାଙ୍କ ପ୍ରଭାବରୁ ସୁରଲୋକରେ ଏପରି କ୍ଷୋଭ ଜାତ ହୋଇଅଛି । ଭୂମଣ୍ଡଳ ଶତ ଯୋଜନ ତଳକୁ ଗମନ କରିଥିଲା-। ପରମାତ୍ମା ବିଷ୍ଣୁ ତାହାଙ୍କୁ ପୁନରୁଦ୍ଧାର କରିଅଛନ୍ତି । ସେହିହେତୁରୁ ଏପରି କ୍ଷୋଭ ଜାତ ହେଲା ।୫୬। ହେ ଦେବଗଣ ! କ୍ଷୋଭରୁ ହେତୁ ଶ୍ରବଣ କଲ । ଏବେ ସଂଶୟ ଦୂର କର ।୫୭। ଦେବଗଣ ବୋଇଲେ, ହେ ବ୍ରହ୍ମନ୍‌ ! ଭଗବାନ ନାରାୟଣ ଯେଉଁ ସ୍ଥାନରେ ରହି ବସୁମତୀର ଉଦ୍ଧାର ସାଧନ କରୁଅଛନ୍ତି, ସେହି ସ୍ଥାନକୁ ନିରୂପଣ କରି କହନ୍ତୁ । ଆମ୍ଭେମାନେ ସେଠାକୁ ଗମନ କରିବୁଁ-।୫୮।

 

ବ୍ରହ୍ମା ବୋଇଲେ, ହେ ଦେବଗଣ ! ଶ୍ରୀମାନ ନାରାୟଣ ଅଧୁନା ନନ୍ଦନବନରେ ବାସ କରୁଅଛନ୍ତି । ତୁମ୍ଭେମାନେ ସ୍ୱଚ୍ଛନ୍ଦରେ ସେଠାକୁ ଗମନ କରି ତାହାଙ୍କର ଦର୍ଶନ କର । ସେ ବରାହ ରୂପ ଧାରଣ କରି ଧରାତଳକୁ ଉଦ୍ଧାର କରି କାଳାନଳ ସଦୃଶ ଶୋଭା ପାଉଅଛନ୍ତି ।୬୦। ତାହାଙ୍କ ବକ୍ଷସ୍ଥଳରେ ଶ୍ରୀବତ୍ସ ଚିହ୍ନ ବିରାଜିତ ଅଛି । ହେ ବିବୁଧ ସମୂହ ! ଏହି ଅନାମୟ ପୁରୁଷଙ୍କୁ ସମସ୍ତେ ଦର୍ଶନ କର ।୬୧। ଲୋମଶ ବୋଇଲେ, ତଦନନ୍ତର ଅମରଗଣ ମହାତ୍ମାଙ୍କର ଦର୍ଶନ ସାରି ତାହାଙ୍କଠାରୁ ବିଦାୟ ହୋଇ ବ୍ରହ୍ମାଙ୍କୁ ଅଗ୍ରେକରି ଆସି ସ୍ୱ ସ୍ୱ ସ୍ଥାନକୁ ପ୍ରତିଗମନ କଲେ ।୬୨। ବୈଶମ୍ପାୟନ ବୋଇଲେ, ହେ ଜନମେଜୟ ! ପାଣ୍ଡବଗଣ ଏହି କଥା ଶ୍ରବଣ କରି ହୃଷ୍ଟଚିତ୍ତରେ ଲୋମଶଙ୍କ ଆଦେଶାନୁସାରେ ତ୍ୱରିତ ପଦରେ ଗମନ କରିବାକୁ ଆରମ୍ଭ କଲେ ।

 

॥ ଅଧ୍ୟାୟ – ୧୪୩ ॥

 

ବୈଶମ୍ପାୟନ ବୋଇଲେ– ହେ ରାଜନ୍‌ ! ତଦନନ୍ତର ମହାବୀର ପାଣ୍ଡବମାନେ ଅସି, ଚର୍ମ, କାର୍ମ୍ମୁକ, ବାଣ, ତୂଣଧାରଣ ପୂର୍ବକ ଗୋଧଚର୍ମନିର୍ମିତ ଅଙ୍ଗୁରୀୟ ପିନ୍ଧି ପାଞ୍ଚାଳୀ ଓ ବ୍ରାହ୍ମଣଗଣଙ୍କ ସମଭିବ୍ୟାହାରରେ ଗନ୍ଧମାଦନ ପର୍ବତରେ ଉପସ୍ଥିତ ହେଲେ । ସେମାନେ ଗନ୍ଧମାଦନର ଉତ୍ତୁଙ୍ଗ ଶୃଙ୍ଗରେ ଆରୋହଣ କରି ସରିତ୍‌, ସରୋବର ଓ ଛାୟାବହୁଳ ମହୀରୁହମାନଙ୍କୁ ଦର୍ଶନ କରିବାରେ ରତ ହେଲେ ।୩। ଦେବଗଣ ଓ ଋଷିଗଣନିଷେବିତ ନିତ୍ୟ ଫଳପୁଷ୍ପସମନ୍ୱିତ ପ୍ରଦେଶମାନ ସେମାନଙ୍କର ନୟନପଥାରୂଢ଼ ହେଲା ।୪। ମହାତ୍ମା ବୀର ପାଣ୍ଡବମାନେ ପରମାତ୍ମାଙ୍କଠାରେ ଜୀବାତ୍ମାର ସମାଧାନ କରି ଫଳମୂଳ ଆହାର କରି ବିବିଧ ପ୍ରକାର ଓ ବହୁସଂଖ୍ୟକ ମୃଗମାନଙ୍କୁ ଦେଖି ଦେଖି ବିଷମ ଗିରିସଙ୍କଟ ଓ ବନ୍ଧୁର ପ୍ରଦେଶମାନଙ୍କୁ ପର୍ଯ୍ୟଟନ କଲେ ।୫। ଅନନ୍ତର ସେହି ମହାତ୍ମାମାନେ ଋଷିସିଦ୍ଧ ଓ ଅମରଗଣରେ ସମନ୍ୱିତ ଗନ୍ଧର୍ବ ଓ ଅପ୍‌ସରାଙ୍କର ପ୍ରିୟ ଓ କିନ୍ନରଗଣଙ୍କର ବିଚରଣ ଭୂମି ଗନ୍ଧମାଦନରେ ପ୍ରବେଶ କଲେ ।୬।

 

ହେ ରାଜନ୍‌ ! ଏହି ବୀରମାନେ ଗନ୍ଧମାଦନରେ ପ୍ରବେଶ କଲାକ୍ଷଣି ପ୍ରଚଣ୍ଡ ପବନ ଓ ଶିଳାବୃଷ୍ଟି ପ୍ରାଦୁର୍ଭୂତ ହେଲା । ତଦନନ୍ତର ସହସା ବହୁଳ ପତ୍ରସହ ଅତ୍ୟନ୍ତ ରେଣୁ ସମୃଦ୍ଧୂତ ହେଲା । ପୃଥିବୀ, ଅନ୍ତରୀକ୍ଷ, ଆକାଶ, ଏମାନଙ୍କୁ ସହସା ଆବୃତ୍ତ କଲା ।୮। ରେଣୁରେ ଆକାଶ ଆବୃତ୍ତ ହୁଅନ୍ତେ କିଛିମାତ୍ର ଦୃଶ୍ୟ ହେଲାନାହିଁ କି ସେମାନେ ପରସ୍ପର କେହି କିଛି କଥାବାର୍ତ୍ତା କରିପାରିଲେନାହିଁ ।୯। ଅନ୍ଧକାରରେ ସେମାନଙ୍କର ଚକ୍ଷୁ ଆବୃତ୍ତ ହେବାରୁ ସେମାନେ ପରସ୍ପର ଦେଖାଦେଖି ହୋଇପାରିଲେ ନାହିଁ । ହେ ଭାରତ ! ପଥର ଚୂର୍ଣ୍ଣ ପରିପୂର୍ଣ୍ଣ ବାତ ପ୍ରଭାବରେ ସେମାନେ ଆହତ ଓ ଆକୃଷ୍ଟ ହେଲେ ।୧୦। ବାତଭଗ୍ନ ଓ ଭୂତଳରେ ନିପତିତ ଦ୍ରୁମମାନଙ୍କର ଓ ଅନ୍ୟାନ୍ୟ ଭୂମିଜାତ ଦ୍ରବ୍ୟମାନଙ୍କ ପତନରେ ମହାନ ଶବ୍ଦ ଜାତ ହେଲା ।୧୧। ପବନରେ ସେମାନେ ଅତିଶୟ ବିମୋହିତ ହୋଇ ମନେକଲେ ଯେ ଆକାଶ ଭାଙ୍ଗିପଡ଼ିଲା କି ଭୂମି ଓ ପର୍ବତମାନେ ବିଦାରିତ ହେଲେ ।୧୨। ସେମାନେ ବାୟୁଭୟରେ ପଥନିକଟବର୍ତ୍ତୀ ଦ୍ରୁମ ଓ ବଲ୍ମୀକମାନଙ୍କୁ ହାତରେ ଅଣ୍ଡାଳିଧରି ସେମାନଙ୍କ ଦେହରେ ବିଳୀନ ହୋଇ ରହିଲେ । ତଦନନ୍ତର ମହାବଳ ଭୀମସେନ କାର୍ମୁକ ଧାରଣ କରି ଦ୍ରୌପଦୀଙ୍କୁ କ୍ରୋଡ଼ରେ ନେଇ ପାଦପକୁ ଆଶ୍ରୟ କରି ଦଣ୍ଡାୟମାନ ହେଲେ ।୧୪। ଧର୍ମରାଜ ଓ ଧୌମ୍ୟ ଏ ଦୁହେଁ ମହାବନରେ ବିଲୀନ ହୋଇ ରହିଲେ-। ଅଗ୍ନିହୋତ୍ର ଦ୍ରବ୍ୟମାନଙ୍କୁ ଘେନି ସହଦେବ ପର୍ବତରେ ଆଶ୍ରୟ ନେଲେ । ନକୁଳ, ମହାତପୀ ଲୋମଶ ଓ ଅନ୍ୟାନ୍ୟ ବ୍ରାହ୍ମଣ ସନ୍ତ୍ରସ୍ତ ହୋଇ ସେହିପରି ବୃକ୍ଷମାନଙ୍କ ଆଶ୍ରୟରେ ରହି ଲୀନ ହେଲେ । ପବନ କିଞ୍ଚିତ୍ ଊଣା ପଡନ୍ତେ ଓ ଧୂଳି ଉଡିବା ସ୍ଥଗିତ ହୁଅନ୍ତେ ମହତ ଜଳଧାରା ସମୂହରେ ବର୍ଷା ଆରମ୍ଭ ହେଲା ।୧୭। ବଜ୍ରମାନଙ୍କର ପତନର ଚଟଚଟା ଶବ୍ଦ ଜାତ ହେଲା-। ଚଞ୍ଚଳଭାସା ବିଦ୍ୟୁଦାବଳୀ ମେଘ ଦେହରେ ସଞ୍ଚରଣ କଲେ ।୧୮।

 

ତତ୍‍ପରେ ଶୀଘ୍ର ବାତଦ୍ୱାରା ପ୍ରେରିତ ହୋଇ ଅଶନି ସହିତ ଜଳଧାରା ସର୍ବତ୍ର ଆଚ୍ଛାଦିତ କରି ନିରନ୍ତର ବର୍ଷିବାକୁ ଆରମ୍ଭ ହେଲା ।୧୯। ହେ ରାଜନ୍‌ ! ତତ୍‍ପରେ ସାଗରଗାମୀ ଜଳସମୂହ ନିପତିତ, ଅତିଶୟ କଳୁଷିତ ଓ ଫେନିଳ ହୋଇ ପ୍ରାଦୁର୍ଭୂତ ହେଲା ।୨୦। ବହୁଳ ବାରି ବହିବା ବେଳେ ଫେନ ସବୁ ତହିଁରେ ଭେଳାପ୍ରାୟ ଭାସିଲା ଓ ବୃକ୍ଷମାନେ ବାରିସ୍ରୋତରେ ଆହତ ହୋଇ କମ୍ପିତ ହେଲେ ।୨୧। ହେ ଭାରତ ! ସେହି ଶବ୍ଦ ଉପଗତ ହୋଇ ବାୟୁ ପ୍ରବାହ ସମତା ପ୍ରାପ୍ତ ହୁଅନ୍ତେ ଓ ନିମ୍ନପ୍ରଦେଶକୁ ଜଳ ବହିଯାନ୍ତେ ଦିବାକର ଦୃଶ୍ୟ ହେଲେ ।୨୨। ଓ ସେହି ବୀରମାନେ ନିଜ ନିଜ ଆଶ୍ରୟରୁ ବାହାରି ଧୀରେ ଧୀରେ ଚାଲି ପୁନର୍ବାର ଗନ୍ଧମାଦନକୁ ପ୍ରସ୍ଥାନ କଲେ ।୨୩।

 

॥ ଅଧ୍ୟାୟ – ୧୪୪ ॥

 

ବୈଶମ୍ପାୟନ ବୋଇଲେ, ମହାତ୍ମା ପାଣ୍ଡବମାନେ କୋଶେ ପଥ ଅତିକ୍ରମ କରନ୍ତେ ଦ୍ରୌପଦୀ ଆଉ ଚାଲି ନ ପାରି ସ୍ଥିର ହୋଇ ବସିଲେ । ସୁକୁମାରୀ ପାଞ୍ଚାଳୀ ଶ୍ରାନ୍ତା, ବାତ ଓ ବର୍ଷାରେ ଅତିଶୟ ଦୁଃଖିତା ହୋଇ ଅଚେତନ ହେଲେ । ସେହି ଅସୀତନୟନା କୃଷ୍ଣା ଧୈର୍ଯ୍ୟବିହୀନା ହୋଇ ସ୍ୱୀୟ ବର୍ତ୍ତୁଳ ବାହୁ ଯୁଗଳଦ୍ୱାରା ଉରୁଯୁଗଳକୁ ଅବଲମ୍ବନ କଲେ ।୩। କରିକରୋପମ ସ୍ୱୀୟ ଉରୁଯୁଗଳ ଧରି ସୁଦ୍ଧା ସେ ଉଭା ହୋଇନପାରି ବାତାହତ କଦଳୀ ତରୁପ୍ରାୟ କମ୍ପିତ ହୋଇ ଭୂତଳରେ ପତିତ ହେଲେ ।୪। ବୀର୍ଯ୍ୟବାନ ନକୁଳ ଦ୍ରୌପଦୀଙ୍କୁ ଦଳିତ ଲତାପ୍ରାୟ ପଡ଼ିଯିବାର ଦେଖି ଶୀଘ୍ର ଆସି ତାହାଙ୍କୁ ଧରିଲେ ।୫। ପରେ ଅଗ୍ରଜଙ୍କୁ ଡାକି କହିଲେ, ମହାରାଜ ଭରତନାଥ ! ଦେଖନ୍ତୁ ଏହି ଅସୀତାପାଙ୍ଗୀ ପଥଶ୍ରାନ୍ତା ହୋଇ ଭୂପୃଷ୍ଠରେ ନିପତିତ ହୋଇଅଛନ୍ତି ।୬। ମହାରାଜ ! ଏ ଦୁଃଖଭୋଗର ଅଯୋଗ୍ୟ । ତଥାପି ଏ ନିରତିଶୟ ଦୁଃଖ ସହ୍ୟକରି ଗୋଟିଏ ଗୋଟିଏ ଚାଲୁଥିଲେ । କିନ୍ତୁ ସମ୍ପ୍ରତି ଶ୍ରମକର୍ଷିତା ହୋଇ ଭୂମିରେ ପଡ଼ିଗଲେ । ଅତଏବ ଆପଣ ଏହାଙ୍କୁ ଆଶ୍ୱାସିତ କରନ୍ତୁ ।୮।

 

ବୈଶମ୍ପାୟନ କହିଲେ, ଏହା ଶୁଣି ରାଜା ଅତିଶୟ ଦୁଃଖିତ ହେଲେ । ଭୀମ ଓ ସହଦେବ ସହସା ସେଠାକୁ ଦଉଡି ଆସିଲେ ।୮। କୁନ୍ତୀନନ୍ଦନ ଧର୍ମାତ୍ମା ଦ୍ରୌପଦୀଙ୍କୁ ବିବର୍ଣ୍ଣବଦନା ଓ ଦୁର୍ବଳାଙ୍ଗୀ ଦେଖି ଅତି କାତର ହୋଇ ତାହାଙ୍କୁ କୋଡରେ ଆରୋପଣ କରି ଅତ୍ୟନ୍ତ ବିଳାପ କଲେ-।୯। ଯୁଧିଷ୍ଠିର ବୋଇଲେ, ହାୟ, ପ୍ରହରୀ ପରି ରକ୍ଷିତ ଗୃହ ମଧ୍ୟରେ ଦୁଗ୍‌ଧଫେନ ସଦୃଶ କୋମଳ ଶଯ୍ୟାରେ ଯେ ପରମ ସୁଖରେ ଶୟନ କରନ୍ତି ଏବେ ସେ କିପରି ଧରାଶାୟୀ ହୋଇଅଛନ୍ତି ! ଅଦ୍ୟ ଆମ୍ଭ ନିମିତ୍ତ ଏହାଙ୍କର ସୁକୁମାର ଚରଣଦ୍ୱୟ ଓ କମଳତୁଲ୍ୟ ମୁଖମଣ୍ଡଳ ମଳିନ ଦିଶିଲା-।୧୧। ଦ୍ୟୂତକ୍ରୀଡ଼ାରେ ମତ୍ତ ଓ ଦୁର୍ବୁଦ୍ଧିର ବଶବର୍ତ୍ତୀ ହୋଇ ମୁଁ ପଶୁପକ୍ଷୀସମାକୁଳିତ ଭୟଙ୍କର ଅରଣ୍ୟ ମଧ୍ୟକୁ ଦ୍ରୌପଦୀଙ୍କ ସହିତ ଆଗମନ କରି କି ମନ୍ଦ କର୍ମ ନ କଲି ! ପାଣ୍ଡବମାନଙ୍କୁ ପତି କଲେ ଦ୍ରୌପଦୀ ପରମ ସୁଖରେ କାଳାତିପାତ କରିବେ, ଏହା ଭାବି ତାହାଙ୍କ ପିତା ଦ୍ରୁପଦରାଜ ଆମ୍ଭଙ୍କୁ କନ୍ୟା ଦାନକଲେ । କିନ୍ତୁ ମୋହର ମନ୍ଦ କର୍ମ ହେତୁରୁ ସେ ସକଳ ସୁଖରୁ ବଞ୍ଚିତ ହୋଇ ଓ ଶୋକମୋହରେ ଅଭିଭୂତ ହୋଇ ଧରାରେ ଶୟନ କରିଅଛନ୍ତି ।୧୪।

 

ବୈଶମ୍ପାୟନ ବୋଇଲେ, ଧର୍ମରାଜ ଯୁଧିଷ୍ଠିରଙ୍କର ଏତାଦୃଶ ବିଳାପ ଶ୍ରବଣ କରି ଧୌମ୍ୟ ପ୍ରଭୃତି ଦ୍ୱିଜମାନେ ତାହାଙ୍କ ନିକଟକୁ ଆଗମନ କଲେ ।୧୫। ଓ ତାହାଙ୍କୁ ଆଶୀର୍ବାଦଦ୍ୱାରା ପୂଜା କରି ଆଶ୍ୱାସ ପ୍ରଦାନ କଲେ । ତତ୍‍ପରେ ରକ୍ଷୋଘ୍ନ ମନ୍ତ୍ର ଜପ ଓ ସ୍ୱସ୍ତ୍ୟୟନ ଆରମ୍ଭ କଲେ ।୧୬। ଶାନ୍ତି ନିମିତ୍ତ ସେହି ପରମ ଋଷିମାନେ ମନ୍ତ୍ରପାଠ କଲେ ଓ ପାଣ୍ଡବମାନେ ମୁହୁର୍ମୁହୁଃ ଶୀତଳ କରଦ୍ୱାରା ସଂବାହନ କଲେ । ଅଥଚ ଜଳକଣା ପୂରିତ ଶୀତଳ ବାୟୁକୁ ବ୍ୟଜନଦ୍ୱାରା ସଞ୍ଚାଳନ କଲେ । ଏହି ଉପାୟରେ କ୍ରମେ କ୍ରମେ ପାଞ୍ଚାଳୀ ସୁସ୍ଥତା ଓ ଚୈତନ୍ୟ ଲାଭ କଲେ ।୧୮। ଏଣେତେଣେ ପାଣ୍ଡବମାନେ ଦ୍ରୌପଦୀଙ୍କ ଦେହକୁ ବାରମ୍ବାର ଆଉଁଶି ସୁଶୀତଳ ବ୍ୟଜନଦ୍ୱାରା ବିଞ୍ଚିବାକୁ ଆରମ୍ଭ କଲେ । ଏଥିରେ ପାଞ୍ଚାଳୀ ଅଳ୍ପ ପରିମାଣରେ ସୁସ୍ଥ ହୋଇ କ୍ରମଶଃ ଚେତନା ପ୍ରାପ୍ତ ହେଲେ । ପାଣ୍ଡବମାନେ ଖଣ୍ଡିଏ ଚର୍ମରେ ଶଯ୍ୟା କରିଦେଇ ତାହାଙ୍କୁ ଶୁଆଇ ବିଶ୍ରାମ କରାଇଲେ । ନକୁଳ ଓ ସହଦେବ ଦୁହିଁଙ୍କର ପାଣିତଳ ଅସ୍ତ୍ର ବ୍ୟବହାରଦ୍ୱାରା କିଣାଙ୍କିତ ହୋଇଥିବାରୁ ଧୀରେ ଧୀରେ ଦ୍ରୌପଦୀଙ୍କର ପାଦ ସମ୍ବାହନ କଲେ ।୨୦। କୁରୁଶ୍ରେଷ୍ଠ ଧର୍ମରାଜ ତାହାଙ୍କୁ ଆଶ୍ୱାସିତ କରି ଭୀମସେନଙ୍କୁ କହିଲେ, ହେ ମହାବାହୋ ! ପଥ ମଧ୍ୟରେ ହିମାଚ୍ଛନ୍ନ ଦୁର୍ଗମ, ସମ ଓ ବିଷମ ଅନେକ ପର୍ବତ ଅଛି । ଦ୍ରୌପଦୀ କି ପ୍ରକାରେ ସେହିସବୁ ଗିରିକୁ ଅତିକ୍ରମ କରିବେ ।୨୨।

 

ଭୀମ କହିଲେ, ମହାରାଜ ! ଆମ୍ଭେ ଏକାକୀ ଦ୍ରୌପଦୀ, ନକୁଳ, ସହଦେବ ଓ ଆପଣଙ୍କୁ ବହନ କରିବୁଁ । ଆପଣ ବିଷଣ୍ଣ ହୁଅନ୍ତୁ ନାହିଁ ଅଥବା ମହାବଳ ପରାକ୍ରାନ୍ତଖେଚର ହିଡିମ୍ବାନନ୍ଦନ ଘଟୋତ୍କଚ ଆସି ଆମ୍ଭ ସମସ୍ତଙ୍କୁ ବହନ କରିବ ।୨୪। ଏହା କହି ଯୁଧିଷ୍ଠିରଙ୍କ ଆଦେଶାନୁସାରେ ଭୀମସେନ ଘଟୋତ୍କଚକୁ ସ୍ମରଣ କରିବା ମାତ୍ରେ ସେ ଉପସ୍ଥିତ ହୋଇ କୃତାଞ୍ଜଳିପୁଟରେ ପାଣ୍ଡବମାନଙ୍କୁ ଓ ବ୍ରାହ୍ମଣମାନଙ୍କୁ ଅଭିବାଦନ କଲେ ।୨୬। ଭୀମବିକ୍ରମ ପିତା ଭୀମସେନଙ୍କୁ ଘଟୋତ୍କଚ କହିଲେ– ହେ ମହାବାହୋ ! ଆପଣ କାହିଁ ପାଇଁ ସ୍ମରଣ କଲେ ? ତାହା ଶୁଣିବାକୁ ଆମ୍ଭେ ଇଚ୍ଛା କରୁଅଛୁଁ । ଆଜ୍ଞା କରନ୍ତୁ, ଆମ୍ଭେ ତାହା ସବୁ ସମ୍ପାଦନ କରିବୁ । ଏହା ଶ୍ରବଣ କରି ଭୀମସେନ ସେହି ରାକ୍ଷସକୁ ଆଲିଙ୍ଗନ କଲେ ।୨୮।

 

॥ ଅଧ୍ୟାୟ – ୧୪୫ ॥

 

ଯୁଧିଷ୍ଠିର ବୋଇଲେ– ହେ ଭୀମ ! ତୁମ୍ଭର ଏହି ସ୍ୱପୁତ୍ର ଘଟୋତ୍କଚ ଧର୍ମଜ୍ଞ, ବଳବାନ, ଶୂର ଓ ଆମ୍ଭମାନଙ୍କର ଭକ୍ତ । ଏହି ରାକ୍ଷସଶ୍ରେଷ୍ଠ ଘଟୋତ୍କଚ ତାହାର ମାତା ପ୍ରଭୃତିଙ୍କୁ ବହନ କରୁ-। ହେ ଭୀମପରାକ୍ରମ ଭୀମ ! ତୁମ୍ଭ ବାହୁବଳରେ ଆମ୍ଭେମାନେ ପାଞ୍ଚାଳୀଙ୍କ ସହିତ ଅକ୍ଷତ ଶରୀରରେ ନିର୍ବିଘ୍ନରେ ଗନ୍ଧମାଦନର ପ୍ରବେଶ କରିବାକୁ ଅଭିଳାଷ କରଅଛୁ । ବୈଶମ୍ପାୟନ ବୋଇଲେ, ନରବ୍ୟାଘ୍ର ଭୀମସେନ ଭ୍ରାତାଙ୍କ ବଚନ ଶ୍ରବଣ କରି ଶତ୍ରୁକର୍ଷଣ ଘଟୋତ୍କଚଙ୍କୁ ଆଦେଶ କଲେ, ହେ ଗଗନଚାରୀ ଅପରାଜିତ ହିଡିମ୍ବାସୁତ ! ତୁମ୍ଭର ମାତା ଦ୍ରୌପଦୀ ଶ୍ରାନ୍ତା ହୋଇଅଛନ୍ତି-। ହେ ତାତ ! ତୁମ୍ଭେ ଅତି ବଳବାନ ଓ କାମରୂପୀ । ଅତଏବ ତୁମ୍ଭେ ଏହାଙ୍କୁ ବହନ କର-।୪। ତୁମ୍ଭର ମଙ୍ଗଳ ହେଉ । ତୁମ୍ଭେ ଏହାଙ୍କୁ କାନ୍ଧରେ ବସାଇ ଆକାଶ-ମାର୍ଗରେ ଆମ୍ଭମାନଙ୍କ ମଧ୍ୟ ଭାଗରେ ଧୀରେ ଧୀରେ ଗମନ କରୁଥିବ, ଯେପରି ଏହାଙ୍କୁ କଷ୍ଟ ନ ହେବ ।୫। ଘଟୋତ୍କଚ ବୋଇଲେ– ହେ ପୁଣ୍ୟଶୀଳ ! ଆମ୍ଭେ ଏକାକୀ ଧର୍ମରାଜ, ନକୁଳ, ସହଦେବ, ଧୌମ୍ୟ ଓ କୃଷ୍ଣାଙ୍କୁ ବହନ କରିପାରୁଁ-। ଅଦ୍ୟ ପୁଣି ଆମ୍ଭର ସହାୟକାରୀମାନେ ଆମ୍ଭ ସଙ୍ଗରେ ଅଛନ୍ତି । ତହିଁପାଇଁ ଆପଣଙ୍କର ଭାବନା କାହିଁକି ? ପୁଣ୍ୟାତ୍ମନ୍‌ ! ଶତ ଶତ ଅନ୍ତରୀକ୍ଷଚାରୀ ବଳବାନ ରାକ୍ଷସ ମିଳିତ ହୋଇ ବ୍ରାହ୍ମଣମାନଙ୍କୁ ଓ ଆପଣମାନଙ୍କୁ ବହନ କରିବେ ।୭।

 

ବୈଶମ୍ପାୟନ ବୋଇଲେ– ବୀର ଘଟୋତ୍କଚ ଏହି କଥା କହି ଦ୍ରୌପଦୀଙ୍କୁ ସ୍କନ୍ଧରେ ବସାଇ ପାଣ୍ଡବମାନଙ୍କ ମଧ୍ୟରେ ଚାଲିଲେ ।୮। ଅନୁପମ ତେଜସ୍ୱୀ ଲୋମଶ ଋଷି ନିଜର ପ୍ରଭାବରେ ଦ୍ୱିତୀୟ ସୂର୍ଯ୍ୟଙ୍କ ସଦୃଶ ସିଦ୍ଧମାର୍ଗରେ ସଞ୍ଚରିଲେ । ରାକ୍ଷସରାଜ ଘଟୋତ୍କଚଙ୍କ ଆଦେଶାନୁସାରେ ରାକ୍ଷସମାନେ ପାଣ୍ଡବଙ୍କ ସମଭିବ୍ୟାହାରୀ ବ୍ରାହ୍ମଣମାନଙ୍କୁ ବହନ କରି ଗମନ କଲେ ।୧୦। ଏହିରୂପେ ସେମାନେ ସମସ୍ତେ ରମଣୀୟ ବନ ଓ ଉପବନମାନଙ୍କୁ ଅବଲୋକନ କରି ବିଶାଳା ନଦୀର ଅଭିମୁଖକୁ ଗମନ କଲେ ।୧୧। ମହାବେଗଶାଳୀ ଶୀଘ୍ରଗାମୀ ରାକ୍ଷସମାନଙ୍କ ଉପରେ ବୀର ପାଣ୍ଡବମାନେ ଆରୋହଣ କରି ଏପରି ଶୀଘ୍ର ଗତିରେ ଗମନ କଲେ ଯେ ଅତିଦୂର ପଥ ମଧ୍ୟ ତାହାଙ୍କୁ ଅଳ୍ପପ୍ରାୟ ବୋଧହେଲା ।୧୨। ଯାଉ ଯାଉ ସେମାନେ ପଥରେ ମ୍ଳେଚ୍ଛଜନଗଣରେ ସମାକୀର୍ଣ୍ଣ ଦେଶମାନଙ୍କୁ, ନାନାବିଧ ରତ୍ନର ଆକର ଭୂମିକୁ ଓ ବୃହତ୍ ବୃହତ୍ ପର୍ବତର ପାର୍ଶ୍ୱସ୍ଥ କ୍ଷୁଦ୍ର କ୍ଷୁଦ୍ର ପର୍ବତମାନଙ୍କୁ ବିଲୋକନ କଲେ ।୧୪। କୈଳାସ ପର୍ବତକୁ ଦେଖିଲେ, ଯହିଁରେ ବିଦ୍ୟାଧରଗଣ ବସତି କରୁଅଛନ୍ତି । ବାନର, କିନ୍ନର, କିଂପୁରୁଷ ଓ ଗନ୍ଧର୍ବଗଣ ଇତସ୍ତତଃ ସମାକୀର୍ଣ୍ଣ ହୋଇଅଛନ୍ତି । ସମ୍ବର, ଚମର, ବାନର, ଚିରୁ, ବରାହ, ଗବୟ ଓ ମହିଷମାନେ ବାସ କରୁଅଛନ୍ତି । ବିବିଧ ପ୍ରକାର ନଦୀମାନେ ପ୍ରବାହିତ ହେଉଅଛନ୍ତି । ନାନା ବର୍ଣ୍ଣର ଓ ନାନା ଆକାରର ପକ୍ଷୀମାନେ କୂଜନ କରୁଅଛନ୍ତି । ବିବିଧ ପ୍ରକାର ମୃଗମାନେ ସଞ୍ଚରଣ କରୁଅଛନ୍ତି । ମଦମତ୍ତ ମାତଙ୍ଗମାନେ ଝୁଲିଝୁଲି ବୁଲୁଅଛନ୍ତି । ନାନା ଜାତୀୟ ପକ୍ଷୀନିଷେବିତ ବୃକ୍ଷପୁଞ୍ଜ ଶୋଭାନ୍ୱିତ ଦିଶୁଅଛନ୍ତି । ପୁନଶ୍ଚ ସେହି କୈଳାସ ପର୍ବତ ସମୀପରେ ପୂର୍ବଦେବ ଓ ପୂର୍ବଋଷି ନରନାରାୟଣଙ୍କର ଆଶ୍ରମପଦ ଦର୍ଶନ କଲେ ।୧୮।

 

ସେହି ଆଶ୍ରମରେ ବୃକ୍ଷମାନେ ନିତ୍ୟ ଫଳରେ ଓ ପୁଷ୍ପରେ ଶୋଭିତ ହୋଇଅଛନ୍ତି । ଭୁବନବିଖ୍ୟାତ ବଦରୀତରୁମାନଙ୍କୁ ସେଠାରେ ଦେଖି ସେମାନେ ହୃଷ୍ଟ ହେଲେ ।୧୯। ସେହି ଆଶ୍ରମସ୍ଥିତ ବୃକ୍ଷମାନଙ୍କର ଛାୟା ଅତି ନିବିଡ ଓ ଶୀତଳ ଲାଗିଲା । ତତ୍‍ପରେ ପରମଶୋଭିତ, ମଧୁର, ମଧୁସ୍ରବୀ, ସୁସ୍ୱାଦୁଫଳପୂର୍ଣ୍ଣ, କୋମଳ ଓ ଅବିରଳ ପଲ୍ଲବଯୁକ୍ତ ସ୍ନିଗ୍ଧ ଛାୟାସମ୍ପନ୍ନ ବିହଙ୍ଗକୁଳ ସମାକୁଳିତ, ବିଖ୍ୟାତ ଶାଖାଶାଳୀ, ମହର୍ଷିଗଣ ସେବିତ, ସୁଜାତ ସ୍କନ୍ଧ, କଣ୍ଟକୀରହିତ ମନୋହର ବଦରୀବୃକ୍ଷକୁ ଦର୍ଶନ କଲେ । ସେହି ସ୍ଥାନରେ ଦଂଶକ କି ମଶକ ନାହାନ୍ତି । ବହୁପ୍ରକାର ମୂଳ ଓ ଫଳ ସର୍ବଦା ସେଠାରେ ପ୍ରାପ୍ତ ହୁଏ । ସ୍ୱଭାବତଃ ସେ ସ୍ଥାନ ସମତଳ ଓ ଯବସଦ୍ୱାରା ସମାକୀର୍ଣ୍ଣ; ଶୀତଳ ହେତୁ ସୁଖସ୍ପର୍ଶ ଓ କଣ୍ଟକ ଶୂନ୍ୟ । ଏହି ପ୍ରକାର ସେ ସ୍ଥାନର ମହିମା ଓ ସେହି ସ୍ଥାନରେ ସର୍ବଦା ଦେବ ଓ ଗନ୍ଧର୍ବମାନେ ବାସ କରିଥାନ୍ତି । ଏହି ସ୍ଥାନରେ ମହାତ୍ମା ପାଣ୍ଡବମାନେ ସମଭିବ୍ୟାହାରୀ ବ୍ରାହ୍ମଣଙ୍କ ସହିତ ରାକ୍ଷସମାନଙ୍କ ସ୍କନ୍ଧରୁ ଧୀରେ ଅବତରଣ କଲେ ।୨୫।

 

ହେ ରାଜନ୍‌ ! ତତ୍‍ପରେ ପାଣ୍ଡବମାନେ ଦ୍ୱିଜଶ୍ରେଷ୍ଠମାନଙ୍କୁ ସାଙ୍ଗରେ ଘେନି ରମଣୀୟ ସେହି ନରନାରାୟଣା ଶ୍ରମକୁ ସନ୍ଦର୍ଶନ କଲେ ।୨୬। ସେହି ଆଶ୍ରମରେ ସୂର୍ଯ୍ୟଙ୍କ କିରଣର ଅଥବା ଅନ୍ଧକାରର ପ୍ରଭାବ ନାହିଁ । ସେଠାରେ କ୍ଷୁଧା ନାହିଁ କି ତୃଷା ନାହିଁ । ଶୀତ ନାହିଁ କି ଉତ୍ତାପ ନାହିଁ । ଶୋକ ନାହିଁ କି ରୋଗ ନାହିଁ ।୨୭। ହେ ମହାରାଜ ! ଏହି ଆଶ୍ରମରେ ଅନେକ ଋଷି ଆସି ଏକତ୍ର ହୋଇଥିବାରୁ ଅବର୍ଣ୍ଣନୀୟ ଶୋଭା ଦିଶୁଅଛି । ବ୍ରାହ୍ମୀ ଲକ୍ଷ୍ମୀ ସେଠାରେ ନିରନ୍ତର ପ୍ରକାଶିତ ହେଉଅଛନ୍ତି । ଅଧାର୍ମିକ ଲୋକମାନେ ସେଠାକୁ ସହଜରେ ଯାଇପାରନ୍ତି ନାହିଁ ।୨୮। ମାର୍ଜନ ଅନୁଲେପନଦ୍ୱାରା ସେହି ଆଶ୍ରମଟି ସର୍ବଦା ପବିତ୍ର ହୋଇଅଛି । ବଳି, ହୋମ ଓ ଦିବ୍ୟ ପୁଷ୍ପର ଉପହାରଦ୍ୱାରା ଏହା ସୁଶୋଭିତ । ସେଠାର ବିଶାଳ ଅଗ୍ନ୍ୟାଗାର ଶ୍ରୁବ, ଶ୍ରୁଚ ଓ ଭାଣ୍ଡରେ ପରିପୂର୍ଣ୍ଣ; ସୁଦୃଢ ଓ ମହାନ ଜଳପୂର୍ଣ୍ଣ କୁମ୍ଭରେ ଉପଶୋଭିତ ।୩୦। ସେହି ଦିବ୍ୟଶୋଭା ସମନ୍ୱିତ ବେଦଘୋଷଯୁକ୍ତ ଆଶ୍ରମଟି ସମସ୍ତଙ୍କର ଆଶ୍ରୟ ହେବାର ଯୋଗ୍ୟ ଅଟେ । ସେଠାରେ ପ୍ରବିଷ୍ଟ ହେଲା କ୍ଷଣି ଶ୍ରମ ବିନଷ୍ଟ ହୁଏ ।୩୧। ଆମ୍ଭେମାନେ ତାହାର ଗୁଣସମୂହର ପ୍ରଶଂସା କରିବାକୁ ଅଯୋଗ୍ୟ ଅଟୁ । ସେଠାରେ ଯେଉଁ ମହର୍ଷିମାନେ ବାସ କରନ୍ତି, ସେମାନେ କୃଷ୍ଣାଜିନଧାରୀ, ଚୀରପରିଧାୟୀ, ଫଳମୂଳାହାରୀ, ଦମପରାୟଣ, ତପସ୍ୟାଦ୍ୱାରା ସେମାନଙ୍କର ଚିତ୍ତ ଶୁଦ୍ଧ ହୋଇଥାଏ । ଇନ୍ଦ୍ରିୟକୁ ସେମାନେ ସଂଯତ କରିଥାନ୍ତି; ସେମାନଙ୍କର ଶରୀରର କାନ୍ତି ସୂର୍ଯ୍ୟ ଓ ଅଗ୍ନିସମ । ସେମାନେ ମହାଭାଗ ବ୍ରହ୍ମବାଦୀ ଓ ଧ୍ୟାନପରାୟଣ ହୋଇଥିବାରୁ ସ୍ୱୟଂ ବ୍ରହ୍ମସୂରୂପ ହୋଇଅଛନ୍ତି । ସେମାନେ ଯତି ଓ ମୋକ୍ଷପର । ସେମାନେ ନିରନ୍ତର ଏହି ଆଶ୍ରମରେ ବାସ କରିଥାନ୍ତି ।୩୩। ମହାତେଜା ଧୀମାନ ଧର୍ମପୁତ୍ର ଯୁଧିଷ୍ଠିର ଶୁଚି ଓ ସ୍ଥିରଚିତ୍ତ ହୋଇ ଭ୍ରାତୃଗଣଙ୍କ ସହିତ ସେଠାରେ ଉପନୀତ ହେଲେ । ଦିବ୍ୟଜ୍ଞାନଯୁକ୍ତ ସେହି ମହର୍ଷିମାନେ ଯୁଧିଷ୍ଠିରଙ୍କୁ ଆସିବାର ମନୋମଧ୍ୟରେ ଜାଣିପାରି ପ୍ରୀତିଯୁକ୍ତ ହୋଇ ତାହାଙ୍କ ସମ୍ମୁଖକୁ ଆଗମନ କଲେ ଓ ସେହି ସ୍ୱାଧ୍ୟାୟରତ ଋଷିମାନେ ତାହାଙ୍କୁ ଆଶୀର୍ବାଦଦ୍ୱାରା ପୂଜିତ କଲେ ।୩୬। ଆହୁରି ପାବକ ସମ ତେଜସ୍ୱୀ ସେହି ଋଷିମାନେ ସତ୍କାରବିଧି ଅନୁସାରେ ଶୁଚି ହୋଇ ଜଳ ଓ ପୁଷ୍ପ ଉପହାର ଦେଲେ ।୩୭।

 

ମହର୍ଷିମାନେ ପ୍ରୀତିପୂର୍ବକ ଯେଉଁ ସତ୍କାର ଆନୟନ କରିଥିଲେ, ତାହାକୁ ଧର୍ମରାଜ ଯୁଧିଷ୍ଠିର ମଧ୍ୟ ପ୍ରୀତଚିତ୍ତରେ ପ୍ରତିଗ୍ରହ କଲେ ।୩୮। ସେହି ଆଶ୍ରମଟି ଇନ୍ଦ୍ରଙ୍କ ସଦନ ପ୍ରାୟ, ଦିବ୍ୟ ସୁବାସରେ ମନୋରମ, ସ୍ୱର୍ଗସମ ପୁଣ୍ୟଭୂମି । ସେଠାରେ ପ୍ରୀତିପୂର୍ବକ ଯୁଧିଷ୍ଠିର, କୃଷ୍ଣାଙ୍କୁ ଓ ଭ୍ରାତାମାନଙ୍କୁ ଘେନି ପ୍ରବେଶ କଲେ । ବେଦବେଦାଙ୍ଗପାରଗ ସହସ୍ର ସହସ୍ର ବ୍ରାହ୍ମଣ ମଧ୍ୟ ତାହାଙ୍କ ସଙ୍ଗରେ ଗଲେ ।୪୦। ଧର୍ମାତ୍ମା ଯୁଧିଷ୍ଠିର ଦେବଦେବର୍ଷି ପୂଜିତ ନରନାରାୟଣାଶ୍ରମକୁ ଭାଗୀରଥୀଦ୍ୱାରା ସୁଶୋଭିତ ହୋଇଥିବାରୁ ଦର୍ଶନ କଲେ ।୪୧। ନରଶ୍ରେଷ୍ଠ ପାଣ୍ଡବମାନେ ସେ ସ୍ଥାନକୁ ଦେଖି ସୁଖରେ ବିହାର କଲେ । ମଧ୍ନଶ୍ରାବୀ ଦିବ୍ୟଫଳମାନଙ୍କୁ ବ୍ରହ୍ମର୍ଷିଗଣ ଦର୍ଶନ କଲେ । ସେହି ମହତ୍ମାମାନେ ବ୍ରାହ୍ମଣମାନଙ୍କ ସହିତ ପ୍ରୀତିଯୁକ୍ତ ହୋଇ ସେଠାରେ ଉପନୀତ ହୋଇ ହୃଷ୍ଟଚିତ୍ତରେ ସଞ୍ଚରଣ କଲେ ।୪୩। ମୈନାକ ପର୍ବତକୁ ସେମାନେ ଦେଖିଲେ ଯେ ତାହା ନାନାବିଧ ପକ୍ଷୀଗଣରେ ସଂଯୁକ୍ତ ହୋଇଅଛି । ତାହାର ଶିଖର ସୁବର୍ଣ୍ଣଦ୍ୱାରା ନିର୍ମିତ । ସେଠାରେ ମଙ୍ଗଳମୟ ବିନ୍ଦୁସରକୁ ଦର୍ଶନ କଲେ । କୃଷ୍ଣାଙ୍କ ସହିତ ପାଣ୍ଡବମାନେ ସେଠାରେ ବିହାର କଲେ । ସର୍ବ ଋତୁର କୁସୁମମାନଙ୍କରେ ସେହି ପର୍ବତସ୍ଥିତ କାନନ ଉଜ୍ଜ୍ୱଳ ଦିଶୁଅଛି ।୪୫। ପୁଷ୍ପବିକଶିତ ଓ ଫଳଭାରାବନତ ବୃକ୍ଷମାନଙ୍କଦ୍ୱାରା ସୁଶୋଭିତ ପୁଂଷ୍କୋକିଳମାନଙ୍କ କୂଜନଦ୍ୱାରା ସର୍ବତ୍ର ରମଣୀୟ ହୋଇଅଛି । ସ୍ନିଗ୍‌ଧ ପତ୍ରମାନେ ସେହି ବୃକ୍ଷରେ ଅବିରଳ ହୋଇ ଜାତ ହୋଇଅଛନ୍ତି । ତଦ୍ଦ୍ୱାରା ସେହି ବୃକ୍ଷମାନଙ୍କର ଛାୟା ଶୀତଳ ଏବଂ ମନୋରମ ହୋଇଅଛି ।

 

ତାହା ପାର୍ଶ୍ୱରେ ବିଚିତ୍ର ସରୋବରମାନ ଜଳରେ ପରିପୂର୍ଣ୍ଣ ହୋଇ ମନକୁ ପ୍ରସନ୍ନ କରୁଅଛି-।୪୭। ଉତ୍ପଳ ଓ କମଳମାନେ ସେହି ସରୋବରରେ ଭ୍ରାଜମାନ ହୋଇଅଛନ୍ତି ।

 

ପାଣ୍ଡବମାନେ ଏହିସବୁ ସୁନ୍ଦର ରୂପକୁ ଦେଖି ସେଠାରେ ବିହରଣ କଲେ ।୪୮। ସମୀରଣ ସେଠାରେ ପବିତ୍ର ଗନ୍ଧଯୁକ୍ତ ହୋଇ ଶରୀର ସଂଲଗ୍ନରେ ସ୍ପର୍ଶସୁଖ ପ୍ରଦାନ କରୁଥାଏ । ମଣିପ୍ରବାଳନିର୍ମିତ ଘାଟ ପାଦପ ସମୂହରେ ଉପଶୋଭିତ ହୋଇଥାଏ । ମହାତ୍ମା ପାଣ୍ଡବମାନେ ବଦରୀବୃକ୍ଷ ନିକଟରେ ଦିବ୍ୟପୁଷ୍ପସମାକୀର୍ଣ୍ଣା ଓ ମାନସର ପ୍ରୀତିବର୍ଦ୍ଧିକା ବିଶାଳା ନଦୀକୁ ଦର୍ଶନ କରି ଦେବର୍ଷିମାନଙ୍କର ପରମ ଦୁର୍ଗମ ବାସସ୍ଥାନରେ ଭାଗୀରଥୀର ପୁଣ୍ୟ ଜଳରେ ପିତୃଗଣଙ୍କୁ ତର୍ପଣ କଲେ ।୫୦। କୁନ୍ତୀସୁତମାନେ ଅତିଶୟ ଶୁଚି ହୋଇ ଦେବ ଓ ଋଷିଗଣଙ୍କୁ ମଧ୍ୟ ତର୍ପଣ କଲେ ଏବଂ ଯଥାବିଧି ମନ୍ତ୍ର ମଧ୍ୟ ଜପକଲେ । ପୁରୁଷଶ୍ରେଷ୍ଠ ବୀର ପାଣ୍ଡବମାନେ ବ୍ରାହ୍ମଣମାନଙ୍କ ସହିତ ସେଠାରେ ବାସକଲେ ଓ ଅମରଗଣଙ୍କ ପ୍ରଭାସଦୃଶ ପ୍ରଭାନ୍ୱିତ ହୋଇ ଦ୍ରୌପଦୀଙ୍କ ସହିତ ବିହରଣ କଲେ ।

 

॥ ଅଧ୍ୟାୟ – ୧୪୬ ॥

 

ବୈଶମ୍ପାୟନ ବୋଇଲେ– ହେ ମହାରାଜ ! ପୁରୁଷଶ୍ରେଷ୍ଠ ପାଣ୍ଡବମାନେ ଅତିଶୟ ଶୁଚିବନ୍ତ ହୋଇ ଧନଞ୍ଜୟଙ୍କୁ ଦର୍ଶନ କରିବା ମାନସରେ ଛଅ ରାତ୍ରି ସେଠାରେ ବାସକଲେ । ତଦନନ୍ତର ଦିନେ ସୂର୍ଯ୍ୟସମ ସମୁଜ୍ଜ୍ୱଳ ଗୋଟିଏ ସହସ୍ର ଦଳପଦ୍ମ ପୂର୍ବୋତ୍ତର ଦିଗରୁ ଧାବମାନ ହୋଇ ହଠାତ୍ ସେଠାରେ ନିପତିତ ହେଲା । ପବିତ୍ର ଗନ୍ଧଯୁକ୍ତ ପବନଦ୍ୱାରା ଆନୀତ ସେହି ମନୋହର ପଦ୍ମଟି ଭୂପୃଷ୍ଠରେ ପତିତ ହେଲା କ୍ଷଣି ଦ୍ରୌପଦୀ ତାହାକୁ ସହସା ଦେଖିଲେ ।୩। ଅଦ୍ୱିତୀୟ ଶୋଭାନ୍ୱିତ ସେହି ପୁଷ୍ପଟିକୁ ଗ୍ରହଣ କରି ଅତିଶୟ ହୃଷ୍ଟ ହୋଇ ଭୀମସେନଙ୍କୁ କହିଲେ, ।୪। ହେ ଭୀମସେନ ! ଦେଖ ଏହି ପୁଷ୍ପଟି କେଡ଼େ ସୁବାସଯୁକ୍ତ ଓ ସୁରୁଚିର ହୋଇଅଛି । ଏହାକୁ ଦେଖି ଆମ୍ଭର ମନ ଆନନ୍ଦିତ ହେଉଅଛି ।୫। ଆମ୍ଭେ ଏହି ପଦ୍ମଟି ନେଇ ଧର୍ମରାଜଙ୍କୁ ପ୍ରଦାନ କରିବୁ । ତୁମ୍ଭେ ଏହିପରି ଅପର ପୁଷ୍ପମାନଙ୍କୁ ଆମ୍ଭର କାମନା ଅନୁସାରେ ଆନୟନ କର । ଆମ୍ଭେ ତାହାକୁ କାମ୍ୟକ ବନକୁ ଘେନିଯିବା ।୬।

 

ହେ ପାର୍ଥ ! ଆମ୍ଭେ ଯଦି ତୁମ୍ଭର ଭାର୍ଯ୍ୟା ହୋଇଥିବୁ, ତେବେ ତୁମ୍ଭେ ଆମ୍ଭ ନିମିତ୍ତ ଏହିରୂପ ବହୁସଂଖ୍ୟକ ପୁଷ୍ପ ଆହରଣ କରିବ । ଆମ୍ଭେ ସେହି ସବୁ ଘେନି କାମ୍ୟକ ଆଶ୍ରମକୁ ପୁନର୍ବାର ଗମନ କରିବାକୁ ଅଭିଳାଷ କରୁଁ । ଶୁଭାପାଙ୍ଗୀ ଦ୍ରୌପଦୀ ବୃକୋଦରଙ୍କୁ ଏହିପରି କହି ପୁଷ୍ପଟି ଘେନି ଧର୍ମରାଜଙ୍କ ନିକଟକୁ ଗମନ କଲେ ।୮। ପୁରୁଷପ୍ରଧାନ ଭୀମ ପ୍ରେୟସୀ ମହିଷୀ ଦ୍ରୌପଦୀଙ୍କର ଅଭିପ୍ରାୟ ଅବଗତ ହୋଇ ତାହାଙ୍କ ପ୍ରିୟକାର୍ଯ୍ୟ ସାଧନ ନିମିତ୍ତ ପ୍ରସ୍ଥାନ କଲେ । କନକପୃଷ୍ଠକୋଦଣ୍ଡ ଓ ଆଶୀବିଷସଦୃଶ ଶରମାନଙ୍କୁ ଗ୍ରହଣ କରି ଯେଉଁ ଦିଗରୁ ସେହି ପୁଷ୍ପ ବାୟୁଦ୍ୱାରା ପ୍ରକ୍ଷିପ୍ତ ହୋଇଥିଲା, ସେହି ଅଭିମୁଖକୁ ଭୀମ ପ୍ରସ୍ଥାନ କଲେ । ଯେଉଁ ମାତଙ୍ଗର ଗଣ୍ଡସ୍ଥଳରୁ ମଦବାରୀ ସ୍ରବୁଥାଏ, ତାହା ପ୍ରାୟ ଓ କ୍ରୋଧପୂର୍ଣ୍ଣ କେଶରୀ ପ୍ରାୟ ହୋଇ ଅପର ପୁଷ୍ପମାନଙ୍କୁ ଆଣିବା ନିମିତ୍ତ ଭୀମ ଗମନ କଲେ ।୧୧। ଅରଣ୍ୟର ପ୍ରାଣୀମାନେ ମହାବାଣ ଗ୍ରହଣ କରି ପବନକୁମାରଙ୍କ ପ୍ରତି ଦୃଷ୍ଟି ନିକ୍ଷେପ କଲେ । ଭୀମଙ୍କ ମନରେ କୌଣସି ପ୍ରକାର ଗ୍ଳାନି, କି ଦୁଃଖ, କି ଭୟ କିଛିମାତ୍ର ଜାତ ହେଲା ନାହିଁ ।୧୨।

 

ପବନ କୁମାର ଦ୍ରୌପଦୀଙ୍କର ପ୍ରିୟକାର୍ଯ୍ୟ କରିବାକୁ ପ୍ରସ୍ଥାନ କରୁଥିବାର ସେ ଆପଣାର ବାହୁବଳ ପ୍ରତି ନିର୍ଭର କରି ସର୍ବପ୍ରକାର ମାନସିକ ଦୁଃଖ ଓ ଭୟକୁ ପରିତ୍ୟାଗ କରିଥିଲେ ।୧୩। ସେହି ଗିରିରାଜ ବୃକ୍ଷ, ଲତା ଓ ଗୁଳ୍ମରେ ସମାଚ୍ଛନ୍ନ, ନୀଳବର୍ଣ୍ଣଶୀଳା ତଳରେ ସଂଯୁକ୍ତ ଓ ନାନାପ୍ରକାର ଧାତୁ ଓ ପକ୍ଷୀଦ୍ୱାରା ବିଚିତ୍ରିତ ହୋଇ ସୁଶୋଭିତ ହୋଇଥିବାରୁ ଅନୁମିତ ହେଲା ଯେ ପୃଥିବୀର ଗୋଟିଏ ବିଭୂଷିତ ହସ୍ତ ଊର୍ଦ୍ଧ୍ୱକୁ ଉତ୍‌ଥିତ ହୋଇଅଛି । କିନ୍ନରଗଣଙ୍କର ବାସଭୂମି ସେହି ଶୈଳ ଉପରେ ଶତ୍ରୁଘାତୀ ଭୀମସେନ ବିଚରଣ କଲେ ।୧୬। ପୁଂଷ୍କୋକିଳମାନଙ୍କର କୁହୁ ରବରେ ଓ ଭ୍ରମରମାନଙ୍କର ଗୁଞ୍ଜିତ ଶବ୍ଦରେ ଗନ୍ଧମାଦନ ଗିରିର ସମୀପସ୍ଥ ସମତଳ ଭୂମି ନିଜର ଅନୁନାଦିତ ଓ ସକଳ ଋତୁର କୁସୁମଦ୍ୱାରା ରମଣୀୟ ହୋଇଥିଲା । ସେହିସବୁ ପ୍ରାକୃତିକ ଶୋଭାକୁ ମନେମନେ ଚିନ୍ତାକରି ଅପରିମିତ ବିକ୍ରମ ବୃକୋଦରଙ୍କର ନେତ୍ର ତହିଁରେ ଆସକ୍ତ ହୋଇ ରହିଲା । ତାହାଙ୍କର ଶୋତ୍ର-ନେତ୍ର ଓ ମନ ସ୍ୱ ସ୍ୱ ବିଷୟରେ ଆବଦ୍ଧ ହେଲେ । ସର୍ବ ଋତୁରେ ପ୍ରସ୍ଫୁଟିତ କୁସୁମମାନଙ୍କର ସୁଗନ୍ଧ ପବନଦ୍ୱାରା ପ୍ରେରିତ ହେବାରୁ ମହାତେଜସ୍ୱୀ ସେହି ପୁରୁଷମାନେ ତାହାକୁ ଆଘ୍ରାଣ କରି ମଦମତ୍ତ ଉଦ୍ଦାମ ହସ୍ତୀ ପ୍ରାୟ ସଞ୍ଚରଣ କଲେ ।୧୯। ପୁତ୍ରର ଗାତ୍ରସ୍ପର୍ଶ ପିତାଙ୍କୁ ଯେପରି ସୁସ୍ନିଗ୍ଧ ଲାଗେ, ଗନ୍ଧମାଦନସ୍ଥ ସେହି ସୁପବିତ୍ର ବାୟୁ ତାହାଙ୍କୁ ତଦ୍ରୂପ ବୋଧହେଲା । ଭୀମଙ୍କ ପିତା ପବନ, ସେ ପବନ ସ୍ପର୍ଶ କରିବାରୁ ଭୀମଙ୍କର କ୍ଳେଶ ଦୂର ହେଲା । ଗନ୍ଧମାଦନର ବାୟୁ ତାହାଙ୍କୁ ବିଞ୍ଚିବାକୁ ପ୍ରବୃତ୍ତ ହେଲା । ତାହାଙ୍କ ଗାତ୍ରରେ ପୁଲକ ଜାତ ହେଲା । ସୁଗନ୍ଧ ପୁଷ୍ପ ଅନ୍ୱେଷଣରେ ସେ ଯକ୍ଷ, ଗନ୍ଧର୍ବ, ଅସୁର ଓ ବ୍ରହ୍ମର୍ଷି ନିଷେବିତ ସେହି ପର୍ବତକୁ ବାରମ୍ବାର ବିଲୋକନ କଲେ ।୨୧।

 

ଏହି ପର୍ବତରେ ପୀତ, କୃଷ୍ଣ ଓ ଶୁଭ୍ରବର୍ଣ୍ଣ ବିମଳ ଧାତୁରେଖା ସକଳ ତ୍ରିପୁଣ୍ଡ୍ରାକାରରେ ଅନୁଲିପ୍ତ ରହିଅଛି । ସେହି ପର୍ବତର ଉଭୟ ପାଶ୍ୱର୍ଦେଶରେ ଜଳଦପୁଞ୍ଜ ଲଗ୍ନ ହେବାରୁ ବୋଧହୁଏ ଯେପରି ପକ୍ଷ ବିସ୍ତାର କରି ନୃତ୍ୟ କରୁଅଛି । ପ୍ରସ୍ରବଣ ବାରି ନିପତିତ ହେବାରୁ ବୋଧହୁଏ ଯେପରି ଚତୁର୍ଦ୍ଦିଗ ମୁକ୍ତାହାରରେ ବ୍ୟାପ୍ତ ରହିଅଛି । ଚତୁର୍ଦ୍ଦିଗରେ ମନୋହର ବରୀ, କୁଞ୍ଜ, ନିର୍ଝର ଓ କନ୍ଦର ସମୁଦାୟ ଶୋଭା ପାଉଅଛି । ଅପସରାଗଣଙ୍କର ନୂପୁରଧ୍ୱନି ଶ୍ରବଣଦ୍ୱାରା ମତ୍ତ ମୟୂରକୁଳ ନୃତ୍ୟ କରୁଅଛନ୍ତି । ଦିଗ୍‌ଗାଜଗଣ ବିଷାଣାଗ୍ରଦ୍ୱାରା ଶିଳାତଳ ଖନନ କରୁଅଛନ୍ତି ଏବଂ ଅନବରତ ନଦୀଜଳ ନିପତିତ ହେବାରୁ ବୋଧହୁଏ ଯେପରି ପର୍ବତ ପରିହିତ ଶୁକ୍ଳବର୍ଣ୍ଣ ବସନମାନ ସ୍ରସ୍ତ ହେଉଅଛି ।୨୫। ପର୍ବତର ଉପର୍ଯ୍ୟୁକ୍ତ ଶୋଭା ସଦର୍ଶନ କରି ଶ୍ରୀମାନ ଭୀମସେନ ଆହ୍ଲାଦରେ କ୍ରୀଡ଼ା କରି କରି ପାଶ୍ୱର୍ସ୍ଥ ଲତାମାନଙ୍କୁ ଇତଃସ୍ତତଃ ବେଗରେ ଚାଳିତ କରି ବିଚରଣ କଲେ । ଭୟାନଭିଜ୍ଞ ହରିଣଗଣ ନିରୁଦ୍ଦେଶରେ ସ୍ଥାନେସ୍ଥାନେ ନୂତନ ତୃଣ ଭାଷଣ କରୁଥିଲେ । ସେମାନେ ଭୀମଙ୍କ ନିକଟରେ ଥାଇ ସୁଦ୍ଧା ମୁଖରେ ତୃଣ ଚର୍ବଣ କରି କୌତୂହଳାକ୍ରାନ୍ତ ହୋଇ ତାହାଙ୍କୁ ନିରୀକ୍ଷଣ କଲେ ।୨୬। ମତ୍ତବାରଣ ସଦୃଶ ବିକ୍ରାନ୍ତ ବେଗ୍‌ବାନ୍‌, ମତ୍ତବାରଣ ପ୍ରାୟ ତାମ୍ରବର୍ଣ୍ଣ ଓ ସୁଚାରୁନୟନ ବିଶିଷ୍ଟ ମତ୍ତବାରଣକୁ ନିବାରଣ କରିବାରେ କ୍ଷମ, ଦୀର୍ଘକାୟ କନକବର୍ଣ୍ଣ ପ୍ରାୟ ଯାହାଙ୍କର ଶରୀରପ୍ରଭା ସିଂହର ଦେହପ୍ରାୟ, ଯାହାଙ୍କର ସର୍ବାଙ୍ଗ ସୁଦୃଢ, ସେହି ତରୁଣ ବୟସ୍କ ପାଣ୍ଡୁକୁମାର ବୃକୋଦର ପ୍ରିୟା ଦ୍ରୌପଦୀଙ୍କର ପ୍ରିୟକାର୍ଯ୍ୟ କରିବାକୁ ସମୁଦ୍ୟତ ହୋଇ ଗନ୍ଧମାଦନ ଗିରିର ରମଣୀୟ ଶୀଳାପ୍ରଦେଶରେ ରୂପର ଗୋଟିଏ ନୂତନ ଅବତାର ହୋଇ ଲୀଳା ପ୍ରଦର୍ଶନ କରି କ୍ରୀଡ଼ାକ୍ରମେ ବିଚରଣ କଲେ ।

 

ଯକ୍ଷ ଓ ଗନ୍ଧର୍ବ ପତ୍ନୀମାନେ ସ୍ୱ ସ୍ୱ ସ୍ୱାମୀଙ୍କ ପାର୍ଶ୍ୱରେ ବସି ଭୀମସେନଙ୍କୁ ଅନିମିଷ ନୟନରେ ଚାହିଁ ରହିଥିଲେ; କିନ୍ତୁ ଭୀମସେନ ସେମାନଙ୍କୁ ଦେଖିପାରୁ ନ ଥିଲେ ।୩୫। ନରବର ଦୃତକାଦର ଯାଉ ଯାଉ ଦୁର୍ଯ୍ୟୋଧନଙ୍କ କୃତ ବିବିଧ ଓ ବହୁଳ କ୍ଳେଶକୁ ସ୍ମରଣ କରି ବନବାସିନୀ ପ୍ରିୟ ମହିଷୀ ଦ୍ରୌପଦୀଙ୍କର ପ୍ରିୟକାର୍ଯ୍ୟ କରିବାକୁ ପ୍ରବୃତ୍ତ ହୋଇ ଭାବନା କଲେ । ଅର୍ଜୁନ ଅମରପୁରକୁ ପ୍ରସ୍ଥାନ କରିଅଛନ୍ତି ଏବଂ ଆମ୍ଭେ ମଧ୍ୟ ପୁଷ୍ପ ନିମିତ୍ତ ସେଠାକୁ ଆସିଅଛୁ; ଅତଏବ ମହାରାଜ ଆର୍ଯ୍ୟ ଯୁଧିଷ୍ଠିର ବର୍ତ୍ତମାନ କ’ଣ କରିବେ ? ନକୁଳ ଓ ସହଦେବଙ୍କର ବଳ ପ୍ରତି ଅବିଶ୍ୱାସ କରି ତାଙ୍କୁ ଅନ୍ୟ ସ୍ଥାନକୁ ପ୍ରେରଣ କରିବେ ନାହିଁ; ବିଶେଷରେ ତାଙ୍କର ଅତିଶୟ ଶ୍ରଦ୍ଧା କରନ୍ତି । ଯାହାହେଉ, ମୁଁ ବର୍ତ୍ତମାନ କିପରି କୁସୁମ ପ୍ରାପ୍ତ ହେବି ?୩୪। ଏହିପରି ଚିନ୍ତାକରି ପକ୍ଷୀରାଜ ଗୁରୁଡଙ୍କ ପ୍ରାୟ ବେଗବାନ ହୋଇ ଭୀମ ସଞ୍ଚରଣ କଲେ । ପ୍ରଫୁଲ୍ଲ ଗିରିର ଶୀଳାରେ ଆସକ୍ତ ଓ ନୟନ ତର୍ପଣ କରି ଦ୍ରୁତବେଗରେ ଗମନ କଲେ ।୩୫। ତତ୍‌କାଳରେ ଦ୍ରୌପଦୀଙ୍କର ବାକ୍ୟ ତାହାଙ୍କର ପାଥେୟ ହେଲା । (ଗତି କଲାବେଳେ ମହାବଳ ପରାକ୍ରାନ୍ତ ବାତସମ ବେଗଗାମୀ ବୃକୋଦରଙ୍କର ପଦନିକ୍ଷେପ ପର୍ବତକୁ ପ୍ରକମ୍ପିତ କଲା । ପୂର୍ବକାଳରେ ଅର୍ଥାତ୍ ପୂର୍ଣ୍ଣମୀ ଓ ଅମାବାସ୍ୟ ଦିନ ନିର୍ଘାତ ଶବ୍ଦ ଯେପରି ପୃଥିବୀକୁ ପ୍ରକମ୍ପିତ କରେ, ସେହିପରି) ଗଜଯୂଥମାନେ ତ୍ରସ୍ତ ହେଲେ । ସିଂହ, ବ୍ୟାଘ୍ର ଓ ମୃଗମାନେ ବିମର୍ଦ୍ଦିତ ହେଲେ । ବୃହତ୍ ବୃହତ୍ ବୃକ୍ଷମାନେ ଉନ୍ମୁଳିତ ଓ ପ୍ରୋତ୍‌ଥିତ ହେଲେ । ଲତାବଲ୍ଲୀମାନେ ବେଗରେ ବିକର୍ଷିତ ହେଲେ । ସର୍ବଦ୍ୟୁତ ମେଘଗର୍ଜନ ପ୍ରାୟ ସେ ବୃହତ୍ ଗର୍ଜନ କରି ଶୈଳଶୃଙ୍ଗର ଆରୋହଣକୁ ହସ୍ତୀପ୍ରାୟ ଗମନ କଲେ ।୩୮।

 

ତାହାଙ୍କର ଭୀଷଣ ଶବ୍ଦରେ ଅରଣ୍ୟବାସୀ ଜନ୍ତୁମାନେ ସମସ୍ତେ ବୋଧିତ ହୋଇ ସନ୍ତ୍ରସ୍ତ ହେଲେ ।୩୯। ଶାର୍ଦ୍ଦୁଳମାନେ ବାସ ପରିତ୍ୟାଗ କଲେ । ଅରଣ୍ୟ ଜନ୍ତୁମାନେ ଲୁକ୍‌କାୟିତ ହେଲେ । ପକ୍ଷୀମାନେ ଊର୍ଦ୍ଧ୍ୱରେ ଉଡ଼ିଲେ । ମୃଗଯୂଥ ସ୍ୱ ସ୍ୱ ସ୍ଥାନରୁ ପଳାୟନ କଲେ ।୪୦। ଉଲ୍ଲୁକମାନେ ବୃକ୍ଷ ପରିତ୍ୟାଗ କଲେ । ସିଂହମାନେ ବାସ ତ୍ୟାଗ କରି ଅନ୍ୟତ୍ର ଚଳିଲେ । ମହାସିଂହମାନେ ବିଜୃମ୍ଭଣ କରିବାରେ ପ୍ରବୃତ୍ତ ହେଲେ । ମହିଷପଲ ତାହାଙ୍କ ପ୍ରତି କଷାୟ ଦୃଷ୍ଟି ନିକ୍ଷେପ କଲେ । କରେଣୁ ସହ କରୀମାନେ ବନକୁ ପରିତ୍ୟାଗ କରି ବନାନ୍ତର ପ୍ରତି ପ୍ରସ୍ଥାନ କଲେ ।୪୨। କୌଣସି କୌଣସି ବନରେ ବରାହ, ମୃଗ, ସିଂହ, ମହିଷ, ବ୍ୟାଘ୍ର, ଗବୟ, ଗୋମାୟ ଉଚ୍ଚୈସ୍ୱରରେ ଚିତ୍କାର କଲେ । ଚକ୍ରବାକ, *କାଳକଣ୍ଟକ, ହଂସ, କାରଣ୍ଡବ, ପ୍ଳବ, ଶୁକ, ପୁଂଷ୍କୋକିଳ ଓ କ୍ରୌଞ୍ଚଶ୍ରେଣୀ ସଂଜ୍ଞାହୀନ ହୋଇ ଦିଗଦିଗନ୍ତ ଆଶ୍ରୟ କଲେ ।୪୪। ଆଉ କେତେକ ଦର୍ପିତ ହସ୍ତୀ, କରେଣୁ, ସିଂହ ଓ ବ୍ୟାଘ୍ର ଶରପୀଡିତ ଓ କ୍ରୁଦ୍ଧ ହୋଇ ଭୀମସେନଙ୍କ ପ୍ରତି ଧାବମାନ ହେଲେ ।୩୫। ପୁନଶ୍ଚ କେତେକ ସିଂହ, ବ୍ୟାଘ୍ର ପ୍ରଭୃତି ଭୟାରେ ବିଭ୍ରାନ୍ତ ହୋଇ ମଳମୂତ୍ର ପରିତ୍ୟାଗ କରି ମୁମୃଖବ୍ୟାଦନ ପୂର୍ବକ ଭୟଙ୍କର ରୂପରେ ଭୟାନକ ଚିତ୍କାର କଲେ ।୪୬। ତତ୍‍ପରେ ବାୟୁସୁତ କ୍ରୋଧ କରି ଆପଣା ବାହୁବଳଦ୍ୱାରା ଗୋଟିଏ ଗଜ ଘେନି ଅନ୍ୟ ଗଜମାନଙ୍କୁ ଓ ଗୋଟିଏ ସିଂହଘେନି ଅନ୍ୟ ସିଂହଙ୍କୁ ପ୍ରହାର କଲେ । ଅତି ସମର୍ଥ ପାଣ୍ଡବ ତଳ ପ୍ରହାରଦ୍ୱାରା କେତେକ ସିଂହବ୍ୟାଘ୍ରଙ୍କୁ ବିନଷ୍ଟ କଲେ । ଏହି ପ୍ରକାରେ ସିଂହ, ବ୍ୟାଘ୍ର ଓ ତରକ୍ଷୁମାନେ ଭୀମଙ୍କଦ୍ୱାରା ପ୍ରହାରିତ ହୁଅନ୍ତେ ଭୟରେ ମଳମୂତ୍ର ତ୍ୟାଗକରି ଭୀମଙ୍କୁ ଛାଡ଼ି ଦୂରକୁ ପଳାୟନ କଲେ । ତତ୍‍ପରେ ମହାବଳ ଶ୍ରୀମାନ ପାଣ୍ଡୁସୁତ ସେମାନଙ୍କୁ ବିସର୍ଜନ କରି ସ୍ୱୟଂ ଅରଣ୍ୟ ମଧ୍ୟରେ ପ୍ରବେଶ କରି ମହାରବ ମୋଚନ କଲେ ।

 

[* ମୟୂର ଅଥବା କୋକିଳକୁ ‘କାଳକଣ୍ଟକ’ ବୋଲି କହନ୍ତି ।]

 

ଅନନ୍ତର ଗନ୍ଧମାଦନ ପର୍ବତରେ ମହାବଳ ଓ ପରାକ୍ରାନ୍ତ ଭୀମ ସିଂହନାଦ ସଦୃଶ ମହାଶବ୍ଦଦ୍ୱାରା ଚତୁର୍ଦ୍ଦିଗ ପୂରିତ କରି ଅବିଳମ୍ବେ ଗୋଟିଏ ବନ ମଧ୍ୟରେ ପ୍ରବେଶ କଲେ । ସେଠାରେ ବହୁ ଯୋଜନ ବିସ୍ମୃତ ରମଣୀୟ ଗୋଟିଏ କଦଳୀବନ ଦେଖିଲେ ।୫୧। ମଦଶ୍ରାବୀ ମହାଗଜ ଗମନ କଲାବେଳେ ଯେପରି ଦ୍ରୁମମାନଙ୍କୁ ଭଗ୍ନକରେ, ସେହି ପ୍ରକାର ଭୀମସେନ ପ୍ରାଣୀମାନଙ୍କର କ୍ଷୋଭ ଜନ୍ମାଇ ସେହି କଦଳୀବନ ମଧ୍ୟରେ ବେଗରେ ସଞ୍ଚରଣ କଲେ । ମହାତେଜସ୍ୱୀ ଭୀମସେନ ନୃସିଂହ ଦେବଙ୍କ ପ୍ରାୟ ଦର୍ପିତ ହୋଇ ନିନାଦ କରି ବାହୁସଂକ୍ଷେପ ଢାଲସମ ସମୁତ୍‌ଥିତ କଦଳୀ ବୃକ୍ଷମାନଙ୍କୁ ଉତ୍ପାଟନ କରି ଚତୁର୍ଦ୍ଦିଗକୁ ନିରତିଶୟ ବେଗରେ ନିକ୍ଷେପ କଲେ ।୫୩। ତଦ୍ଦ୍ୱାରା ରୁରୁ, ବାନର, ସିଂହ, ମହିଷ ଓ ଜଳାଶୟସ୍ଥିତ ପଶୁ, ପକ୍ଷୀ, ମତ୍ସ୍ୟ ଓ ଅନ୍ୟାନ୍ୟ ବହୁସଂଖ୍ୟକ ବୃହତ୍ ଓ କ୍ଷୁଦ୍ର ପ୍ରାଣୀଙ୍କୁ ଆକ୍ରମଣ କଲେ ।୫୪। ଭୀମସେନଙ୍କର ସେହି ଗର୍ଜନ ଶବ୍ଦ ଏକତ୍ର ହେବାରୁ ପଶୁପକ୍ଷୀମାନେ ବିତ୍ରସ୍ତ ହେଲେ ଓ ବନାନ୍ତରକୁ ପଳାୟନ କଲେ ।୫୫। ସହସ୍ର ସହସ୍ର ଜଳଚର ପକ୍ଷୀ ସହସା ସେହି ମୃଗପକ୍ଷୀମାନଙ୍କର ଶବ୍ଦ ଶ୍ରବଣଦ୍ୱାରା ଭୀତଭୋଇ** ଉଦକିକ୍ଲିର୍ଣ୍ଣ ପକ୍ଷରେ ଉଡ୍‌ଡୀନ ହେଲେ ।୫୬। ସେହି ଜଳଚର ପକ୍ଷୀଙ୍କୁ ଅନୁସରଣ କରି ଭରତଶ୍ରେଷ୍ଠ ଭୀମସେନ କିୟତ୍‌ଦୂରରେ କ୍ଷୋଭ କରି ଗୋଟିଏ ବୃହତ୍ ସରୋବର ଦେଖିଲେ ।୫୭। ସେହି ସରୋବରର ଏକପାଶ୍ୱର୍ରୁ ଅପରପାର୍ଶ୍ୱ ପର୍ଯ୍ୟନ୍ତ ପରିବ୍ୟାପ୍ତ କାଞ୍ଚନପ୍ରଭ କଦଳୀ ତରୁମାନେ ମନ୍ଦ ମନ୍ଦ ସମୀରଣରେ କମ୍ପିତ ହୋଇ ସେହି ସରୋବରକୁ ବିଞ୍ଚୁଥିବା ପ୍ରାୟ ବୋଧହେଲା ।୫୮।

 

[**** ଉଦକକ୍ଳିର୍ଣ୍ଣ ହୋଇ ଉଡ୍ଡୀନ ହେଲେ ଅର୍ଥାତ୍ ପାଣି ସଡ଼ ସଡ଼ ହୋଇ ଓଦା ଡେଣାରେ ଉଡ଼ିଲେ ।]

 

ମହାବଳ ପରାକ୍ରାନ୍ତ ଭୀମସେନ ଅସଂଖ୍ୟ ଶୁକ୍ଳ ଓ ନୀଳବର୍ଣ୍ଣ କମଳରେ ସୁଶୋଭିତ ସେହି ସରୋବରରେ ଶୀଘ୍ର ଅବତରଣ କରି ବନ୍ଧନମୁକ୍ତ ମହାରାଜ ପ୍ରାୟ କ୍ରୀଡ଼ା ଆରମ୍ଭ କଲେ ।୫୯। ଅପରିମିତ ଦ୍ୟୁତିସମ୍ପନ୍ନ ଭୀମସେନ ବହୁକ୍ଷଣ ପର୍ଯ୍ୟନ୍ତ ତହିଁରେ ଜଳକ୍ରୀଡ଼ା କରି କୁଳକୁ ଉଠିଆସିଲେ । ତତ୍‍ପରେ ବହୁପାଦପସମନ୍ୱିତ ସେହି ଅରଣ୍ୟକୁ ବେଗରେ ବିଲୋଡ଼ିତ କଲେ ଓ ତାହାଙ୍କର ସମ୍ପୂର୍ଣ୍ଣ ସାମର୍ଥ୍ୟ ଅନୁସାରେ ଏପରି ଏକ ମହାଶବ୍ଦ, ଶଙ୍ଖନାଦ ଓ ବାହୁସ୍ଫୋଟ କଲେ ଯେ ତହିଁରେ ଦିଗମାନେ ନିନାଦିତ ହେଲେ । ସେହି ଶଙ୍ଖଶବ୍ଦରେ ଓ ଭୀମସେନଙ୍କର ରବରେ ଓ ବାହୁର ଉଗ୍ରତର ତାଳଶବ୍ଦରେ ଗିରିଗୁହାମାନ ପ୍ରତିଧ୍ୱନିତ ହେଲା ।୬୨। ହେ ଭାରତ ! ସିଂହମାନେ ଗିରିଗୁହାକୁ ଗମନ କରିଥିଲେ । ସେମାନେ ବଜ୍ରସଦୃଶ ସେହି ମହାବାହୁଙ୍କ ସ୍ଫୋଟଧ୍ୱନି ଶୁଣି ପ୍ରତିଶବ୍ଦ ପ୍ରକାଶ କଲେ । କୁଞ୍ଜରମାନେ ସେହି ସିଂହନାଦ ଭୟରେ ସନ୍ତ୍ରସ୍ତ ହୋଇ ମହାନ ରବକୁ ପ୍ରକଟିତ କଲେ । ତଦ୍ଦ୍ୱାରା ସମସ୍ତ ପର୍ବତ ପ୍ରତିଧ୍ୱନିତ ହେଲା ।୬୪। ଏହି କଦଳୀବନରେ ହନୁମାନ ବାସ କରୁଥିଲେ । ବାନରମାନଙ୍କର ସେହି ମହାରବ ଶ୍ରବଣ କରି ବାନରେନ୍ଦ୍ର ହନୁମାନ ଜାଗ୍ରତ ହୋଇ ଭ୍ରାତା ଭୀମସେନ ଆସିଥିବାର ଜାଣିପାରି ତାହାଙ୍କ ନିମିତ୍ତ ଗୋଟିଏ ମନୁଷ୍ୟ ଯାଇପାରିବ, ଏପରି ଗୋଟିଏ ସ୍ୱର୍ଗକୁ ଯିବାକୁ ପଥକୁ ଅବରୋଧ କରି ବସିଲେ ।୬୫। ତାହାଙ୍କର ଉଦ୍ଦେଶ୍ୟ ଥିଲା ଯେ ଭ୍ରାତା ଭୀମସେନ ଏହି ପଥ ଦେଇ ସ୍ୱର୍ଗକୁ ଗମନ କରିପାରିବେ ନାହିଁ । ପାଣ୍ଡନନ୍ଦଙ୍କ ଭୀମସେନ ଏଠାରେ ପରାଭବ ପ୍ରାପ୍ତ ନ ହେବେ କି ଅଭିଶପ୍ତ ନ ହେବେ, ଏହି ଭାବନା କରି ହନୁମାନ ଆପଣା ଭ୍ରାତା ଭୀମଙ୍କର ରକ୍ଷାନିମିତ୍ତ ସେହି ପଥକୁ ଅବରୋଧ କରି ହେଲାପ୍ରାୟ କ୍ଷଣେ କ୍ଷଣେ *ଜୃମ୍ଭଣ କଲେ ।

 

[* ହାଇ ମାରିଲେ ।]

 

ଏହିପ୍ରକାରେ ରହି ହନୁମାନ ଥରେ ଥରେ ଆପଣାର ଇନ୍ଦ୍ରଧ୍ୱଜ ପ୍ରାୟ ଦୀର୍ଘ ଲାଙ୍ଗୁଳକୁ ପିଟୁଥିଲେ ।୭୦। ଲାଙ୍ଗୁଳପ୍ରହାର ବେଳେ ଇନ୍ଦ୍ରଙ୍କ ବଜ୍ରପତନରେ ନିର୍ଘୋଷ ସଦୃଶ ମହାଶବ୍ଦ ସମୁତ୍‌ଥିତ ହେଉଥିଲା । ବୋଧହେଲା, ବୃଷଭ ଯେପରି ନିଜର ମୁଖଦ୍ୱାରା ଶବ୍ଦ ଉଦ୍‌ଗୀରଣ କରେ, ସେହିପରି ଏହି ପର୍ବତଗହ୍ୱରମାନେ ଲାଙ୍ଗୁଳଶବ୍ଦଦ୍ୱାରା ପ୍ରତିଧ୍ୱନିତ ହେଲେ ଏବଂ ଶୃଙ୍ଗସକଳ ବିଘୂର୍ଣ୍ଣିତ ହୋଇ ଚତୁର୍ଦ୍ଦିଗକୁ ନିପତିତ ହେବାପ୍ରାୟ ବୋଧହେଲା । ମତ୍ତବାରଣଙ୍କର ଘୋର ନିସ୍ୱନ ଓ ଲାଙ୍ଗୁଳର ଆସ୍ଫୋଟନ ଶବ୍ଦ ଏକତ୍ର ହେବାରୁ ଗୋଟିଏ ମହାନ ଶବ୍ଦ ଉତ୍‌ଥିତ ହେଲା । ଏହା ଶୁଣି ଭୀମସେନଙ୍କର ଦେହ ରୋମାଞ୍ôଛତ ହେଲା ଓ ସେହି ଶବ୍ଦ କେଉଁଠିରୁ ଉତ୍‌ଥିତ ହେଉଅଛି, ଏହା ଜାଣିବା ନିମିତ୍ତ ସେ କଦଳୀବନ ମଧ୍ୟରେ ଇତସ୍ତତଃ ସଞ୍ଚରଣ କଲେ ।୭୪। କିୟତକ୍ଷଣ ପରେ ସେହି କଦଳୀବନ ମଧ୍ୟରେ ମହାଶୀଳା ଉପରେ ବାନରାଧିପତିଙ୍କୁ ମହାବାହୁ ଭୀମସେନ ଦର୍ଶନ କଲେ ।୭୫। ବିଜୁଳି ପତନବେଳେ ଯେପରି ଚାହିଁ ହୁଏ ନାହିଁ, ସେହିପରି ପିଙ୍ଗଳବର୍ଣ୍ଣ ଏହି ବାନର ପତିଙ୍କୁ ଚାହିଁ ହେଉନଥାଏ । ବଜ୍ର ପତନବେଳେ ଯେପରି ଶବ୍ଦ ହେଉଥାଏ, ତାହାଙ୍କର ତଦ୍ରୂପ ଶବ୍ଦ-। ବିଦ୍ୟୁତ୍ ଯେତେଶୀଘ୍ର ପତିତ ହୁଏ, ସେ ସେହିପରି ଚଞ୍ଚଳ ଥିଲେ ।୭୬। ତାହାଙ୍କର ଗ୍ରୀବା ପୀନ ଓ ହ୍ରସ୍ୱ, ବାହୁର ମୂଳ ଚତୁରସ, ସ୍କନ୍ଧ ଦ୍ୱୟ ସାତିଶୟ ବିପୁଳ, କଟୀତଟ ଅତି କ୍ଷଣ ।୭୭। ଲାଙ୍ଗୁଳର ଅଗ୍ରଭାଗ ଦୀର୍ଘ ଲୋମରେ ଆଚ୍ଛାଦିତ ଓ କିଞ୍ଚିତ ବକ୍ର ଏବଂ ଇନ୍ଦ୍ରଧ୍ୱଜ ପ୍ରାୟ ଉର୍ଦ୍ଧ୍ୱକୁ ବିରାଜିତ ।୭୮। ତାହାଙ୍କର ଓଷ୍ଠ ହ୍ରସ୍ୱ ଜିହ୍ୱା ତାମ୍ରବର୍ଣ୍ଣ, ଭ୍ରୂଚଞ୍ଚଳ, ଦଶନମାନ ବିକୃତ, ଶୁକ୍ଳବର୍ଣ୍ଣ, ତୀକ୍ଷ୍‌ଣାଗ୍ରଦ୍ୱାରା ଶୋଭିତ । ଏହିପରି ରଶ୍ମିବନ୍ତ ଚନ୍ଦ୍ରପ୍ରାୟ ତାହାଙ୍କର ମୁଖକୁ ସେ ଅବଲୋକନ କଲେ । ସେହି ମୁଖର ମଧ୍ୟବର୍ତ୍ତୀ ଦନ୍ତମାନେ ମଧ୍ୟ ଶୁକ୍ଳବର୍ଣ୍ଣ ।୮୦। କେଶରମିଶ୍ରିତ ଅଶୋକକୁସୁମ ସମୂହ ଶୋଭା ପରିପ୍ରକାଶ କରୁଅଛନ୍ତି । ପ୍ରଭୂତ ବଳଶାଳୀ ସ୍ୱର୍ଗପଥକୁ ଅବରୋଧ କରି ସେହି ହିରଣ୍ମୟ କଦଳୀ ବନ ମଧ୍ୟରେ ହିମଗିରି ପ୍ରାୟ ଅବସ୍ଥାନ କରିଅଛନ୍ତି ଓ ପିଙ୍ଗଳବର୍ଣ୍ଣ କ୍ଷୁଦ୍ର ଲୋଚନଦ୍ୱାରା ଅଳ୍ପଅଳ୍ପ ଚାହୁଁଅଛନ୍ତି । ବୁଦ୍ଧିମାନ ଓ ବଳବାନ ବୃକୋଦର ସେହି ବନ ମଧ୍ୟରେ ଏତାଦୃଶ ରୂପଧାରୀ ଏକମାତ୍ର ହନୁମାନଙ୍କୁ ଦେଖି ନିର୍ଭୟରେ ତାହାଙ୍କ ନିକଟକୁ ଗମନ କଲେ ଓ ବଜ୍ରନିର୍ଘୋଷତୁଲ୍ୟ ଗୋଟାଏ ଉତ୍କଟ ସିଂହନାଦ କଲେ ।

 

ଭୀମସେନଙ୍କ ସେହି ଶବ୍ଦରେ ତତ୍ରତ୍ୟ ପଶୁପକ୍ଷୀମାନେ ତ୍ରସ୍ତ ହେଲେ । ମହାବଳଶାଳୀ କବିପ୍ରବର ଆପଣାର ନୟନଦ୍ୱୟକୁ ଈଷତ୍ ଉନ୍ମୀଳନ କରି ଭୀମସେନଙ୍କ ପ୍ରତି ଅବଜ୍ଞାକ୍ରମେ ଦୃଷ୍ଟିପାତ କରି ସହାସ୍ୟ ବଦନରେ ଏହି କଥା କହିଲେ ।୮୬। “ଆମ୍ଭେ ରୋଗଗ୍ରସ୍ତ ସୁଖରେ ନିଦ୍ରିତ ହୋଇଥିଲୁ, କି କାରଣରୁ ତୁମ୍ଭେ ଆମ୍ଭଙ୍କୁ ପ୍ରବୋଧିତ କଲ ? ପ୍ରାଣୀମାତ୍ରଙ୍କ ପ୍ରତି ଯେ ଦୟା କରିବାକୁ ହୁଏ ବୋଧହୁଏ ତାହା ତୁମ୍ଭେ ଜାଣି ସୁଦ୍ଧା ଆଚରଣ କଲ ନାହିଁ ।୮୭। ଆମ୍ଭେମାନେ ତିର୍ଯ୍ୟକ ଯୋନିରେ ଜନ୍ମଗ୍ରହଣ କରିଅଛୁ; ସୁତରାଂ ଆମ୍ଭେମାନେ ଧର୍ମ ଜାଣୁ ନାହିଁ । କିନ୍ତୁ ମାନବଜାତି ବୁଦ୍ଧିସମ୍ପନ୍ନ; ସୁତରାଂ ସେମାନେ ସବୁ ପ୍ରାଣୀଙ୍କ ପ୍ରତି ଅନୁକମ୍ପା ପ୍ରକାଶ କରନ୍ତି ।୮୮। ଆପଣମାନଙ୍କ ପ୍ରାୟ ବୁଦ୍ଧିମାନ ମନୁଷ୍ୟମାନେ ଦେହ, ମନ ଓ ବଚନର ଦୂଷଣୀୟ ଓ ଧର୍ମବିନାଶକାରୀ ଏତାଦୃଶ କ୍ରୂରକର୍ମ କରିବାରେ କି କାରଣ ପ୍ରବୃତ୍ତି ହୁଅନ୍ତି ?୮୯। ତୁମ୍ଭେ ଅଳ୍ପବୁଦ୍ଧି ଓ ବାଳକତ୍ୱ ପ୍ରଯୁକ୍ତ ମୃଗପକ୍ଷୀମାନଙ୍କୁ ଉଚ୍ଛନ୍ନ କରୁଅଛ । ଏଥିରେ ବୋଧହୁଏ ତୁମ୍ଭେ ଧର୍ମ ଜାଣ ନାହିଁ ଓ ଜ୍ଞାନୀ ବ୍ୟକ୍ତିମାନଙ୍କର ଉପାସନା ମଧ୍ୟ କରିନାହିଁ ।୯୦। ସେ ଯାହାହେଉ, ତୁମ୍ଭେ କିଏ ? କି ନିମିତ୍ତ ଏହି ପୁରୁଷବିହୀନ ଓ ମନୁଷ୍ୟବର୍ଜିତ ଅରଣ୍ୟ ମଧ୍ୟକୁ ଆଗମନ କରିଅଛ, ଆମ୍ଭ ନିକଟରେ ବ୍ୟକ୍ତ କର ।୯୧।

 

ହେ ପୁରୁଷଶ୍ରେଷ୍ଠ ! ଅଦ୍ୟ ତୁମ୍ଭେ କେଉଁଠାକୁ ଗମନ କରିବ ? ତାହା ମଧ୍ୟ ପ୍ରକାଶ କର । ହେ ବୀର ! ଏଥି ଉତ୍ତାରୁ ଏହି ପର୍ବତ ଅଗମ୍ୟ ଏବଂ ଏଥିରେ ଆରୋହଣ କରିବା ଅତ୍ୟନ୍ତ ଦୁଃସାଧ୍ୟ ବୋଲି ଜାଣ । ସିଦ୍ଧବଳ ବ୍ୟତିରେକେ ଏଠାରେ ଗମନାଗମନ କରି ହୁଏନାହିଁ । ଏହା ଦେବଲୋକର ପଥ । ଏହି ପଥ ମନୁଷ୍ୟରମାନଙ୍କର ଗମନ ଉପଯୋଗୀ ନୁହେଁ ।୯୩। ଅତଏବ ହେ ବୀର ! ଆମ୍ଭେ ଦୟାକରି ତୁମ୍ଭଙ୍କୁ ନିବାରଣ କରୁଅଛୁ । ଆମ୍ଭର ଉପଦେଶ ଶ୍ରବଣ କର । ହେ ପ୍ରଭୋ ! ତୁମ୍ଭେ ଏହି ସ୍ଥାନ ପରେ ଆଉ ଗମନ କରିବାକୁ ସମର୍ଥ ହେବ ନାହିଁ । ଅତଏବ ତାହାର ପ୍ରତ୍ୟାଶା ପରିତ୍ୟାଗ କର ।୯୪। ହେ ମନୁଜଶ୍ରେଷ୍ଠ ! ଅଦ୍ୟ ତୁମ୍ଭେ ଯେ ଏଠାକୁ ଆଗମନ କରିଅଛ, ତାହା ଅତିଶୟ ଶୋଭାପ୍ରଦ ହୋଇଅଛି । ମୁଁ ତୁମ୍ଭର ହତିକାରୀ । ଆମ୍ଭର ହିତବାକ୍ୟ ଗ୍ରହଣ କରି ଏହିସବୁ ଅମୃତମୟ ଫଳମୂଳ ଭକ୍ଷଣ କରି ଏହିଠାରୁ ନିବୃତ୍ତ ହୁଅ । ବୃଥା ବିନାଶପ୍ରାପ୍ତ ହୁଅ ନାହିଁ ।୯୬।

 

॥ ଅଧ୍ୟାୟ – ୧୪୭ ॥

 

ବୈଶମ୍ପାୟନ ବୋଇଲେ, ଧୀମାନ ବାନରେନ୍ଦ୍ରଙ୍କ ଏତାଦୃଶ ବଚନ ଶ୍ରବଣ କରି ଶତ୍ରୁ କର୍ଷଣ ବୀର ଭୀମସେନ ଉତ୍ତର କଲେ ।୧। ଭୀମ ବୋଇଲେ, ଆପଣ କିଏ ? କି ନିମିତ୍ତ ବାନରଶରୀର ଧରିଅଛନ୍ତି ? ବ୍ରାହ୍ମଣ ପରବର୍ଣ୍ଣ କ୍ଷତ୍ରିୟ ତୁମ୍ଭଙ୍କୁ ପଚାରୁଅଛି । ଆମ୍ଭେ ସୋମବଂଶେ ଭବ କୌରବକୁଳରେ ଜାତ । ଆମ୍ଭଙ୍କୁ କୁନ୍ତୀ ଗର୍ଭରେ ଧାରଣ କରିଥିଲେ । ପାଣ୍ଡୁଙ୍କର କ୍ଷେତ୍ରଜ ପୁତ୍ର, ପବନର ନନ୍ଦନ, ଆମ୍ଭର ନାମ ଭୀମସେନ । ଏହା ଆମ୍ଭେ ଶୁଣିଅଛୁଁ ।୩। କୁରୁବୀରଙ୍କର ସେହି ବଚନକୁ ବାୟୁତନୟ ହନୁମାନ ମନ୍ଦହାସ୍ୟପୂର୍ବକ ଗ୍ରହଣ କରି ହନୁମାନ ବୋଇଲେ, ଆମ୍ଭେ ବାନର । ତୁମ୍ଭେ ଏହି ପଥରେ ଯିବାକୁ ଇଚ୍ଛା କରିଅଛ । ଆମ୍ଭେ ତୁମ୍ଭଙ୍କୁ ପଥ ଛାଡ଼ିବୁ ନାହିଁ । ତୁମ୍ଭେ ନିବୃତ୍ତ ହୁଅ । ଅନ୍ୟଥା ବିନାଶପ୍ରାପ୍ତ ହେବ ।୫।

 

ଭୀମସେନ ବୋଇଲେ, ହେ ବାନର ! ଆମ୍ଭେ ବିନାଶପ୍ରାପ୍ତ ହେଉ ଅଥବା ଆମ୍ଭର ଆଉ ଯାହାକିଛି ହେଉ ତହିଁରେ ତୁମ୍ଭର କ’ଣ ଅଛି ? ତୁମ୍ଭେ ଉଠ । ଆମ୍ଭଙ୍କୁ ମାର୍ଗ ପ୍ରଦାନ କର । ଅନ୍ୟଥା ବ୍ୟଥା ପ୍ରାପ୍ତ ହେବ ।୬। ହନୁମାନ ବୋଇଲେ, ଆମ୍ଭେ ବ୍ୟାଧିଯୁକ୍ତ ଓ କ୍ଳିଷ୍ଟ ହୋଇଅଛୁ । ଉଠିବାକୁ ଆମ୍ଭର ଶକ୍ତି ନାହିଁ । ଯଦି ତୁମ୍ଭେ ଅବଶ୍ୟ ଯିବ, ତେବେ ଆମ୍ଭକୁ ଲଙ୍ଘନ କରିଯାଅ ।୭। ଭୀମ ବୋଇଲେ,ନିର୍ଗୁଣ ପରମାତ୍ମା ସମସ୍ତ ଦେହକୁ ବ୍ୟାପି ରହିଅଛନ୍ତି । ସେ ଜ୍ଞାନଗମ୍ୟ ! ଆମ୍ଭେ ତାହାଙ୍କୁ ଅବମାନନା କରି ତୁମ୍ଭଙ୍କୁ ଡେଇଁ ଯିବୁ ନାହିଁ । ଯଦିଓ ପରମାତ୍ମାଙ୍କୁ ଆମ୍ଭେ ଆଗମଦ୍ୱାରା ଜାଣି ନଥାନ୍ତୁ, ତେବେ ତୁମ୍ଭଙ୍କୁ କାହିଁକି ଏହି ସମୁଦାୟ ପର୍ବତକୁ ମଧ୍ୟ ଲଘଂନ କରନ୍ତୁ । ଯେପରି ହନୁମାନ ସାଗରକୁ ଲଙ୍ଘନ କରି ଯାଇଥିଲେ ।୯। ହନୁମାନ ବୋଇଲେ, ହେ ନରଶ୍ରେଷ୍ଠ ! ଯେ ସାଗର କରି ଯାଇଥିଲେ, ସେ ହନୁମାନ କିଏ ? ଏହା ଆମ୍ଭେ ତୁମ୍ଭଙ୍କୁ ପ୍ରଶ୍ନ କରୁଅଛୁ । ଯେବେ ଉତ୍ତର ଦେବାକୁ ସମର୍ଥ ହୁଅ, ତେବେ ବୋଲ ।୧୦। ଭୀମ କହିଲେ, ସେ ଆମ୍ଭର ଭ୍ରାତା । ବାନରଗଣଙ୍କର ପ୍ରଧାନ, ପ୍ରଶଂସନୀୟ । ଗୁଣସମୂହରେ ସମଳଙ୍କୃତ ବୁଦ୍ଧି, ବଳ ଓ ସତ୍ତ୍ୱସଂଯୁକ୍ତ ଓ ଶ୍ରୀମାନ୍‌; ରାମାୟଣରେ ତାହାଙ୍କର ଅତିଶୟ ସୁଖ୍ୟାତି ବର୍ଣ୍ଣିତ ହୋଇଅଛି ।୧୧। ସେହି ପ୍ଲଗବରାଜ ରାମପତ୍ନୀଙ୍କ ନିମିତ୍ତ ଶତ ଯୋଜନ ବିସ୍ତୁତ ସାଗରକୁ ଏକାକୁଦାରେ ଲଙ୍ଘନ କରିଥିଲେ ।୧୨। ଆମ୍ଭର ଭ୍ରାତା ସେହି ହନୁମାନ ଯେ ରୂପ ମହାବୀର୍ଯ୍ୟଶାଳୀ, ଆମ୍ଭେ ମଧ୍ୟ ତାହାଙ୍କ ସମାନ ବଳ ଓ ପରାକ୍ରମ ବିଶିଷ୍ଟ । ସମରକାଳରେ ଆମ୍ଭେ ତାହାଙ୍କ ପ୍ରାୟ ତେଜ ଧାରଣ କରିପାରୁ । ଅତଏବ ଆମ୍ଭେ ତୁମ୍ଭଙ୍କୁ ନିଗୃହୀତ କରିବାକୁ ସମର୍ଥ ଅଟୁଁ ।୧୩। ତୁୁମ୍ଭେ ଉଠ ! ଆମ୍ଭଙ୍କୁ ପଥ ଛାଡ଼ିଦିଅ, ନତୁବା ଅଦ୍ୟ ତୁମ୍ଭେ ଆମ୍ଭର ପୌରୁଷ ଦର୍ଶନ କରିବ । ତୁମ୍ଭେ ଆମ୍ଭର ନିର୍ଦ୍ଦେଶରେ ଅନୁବର୍ତ୍ତୀ ନ ହେଲେ ତୁମ୍ଭଙ୍କୁ ଯମାଳୟ ପ୍ରେରଣ କରିବୁଁ ।୧୪।

 

ବୈଶମ୍ପାୟନ ବୋଇଲେ– ମହାଭାଗ ! ହନୁମାନଙ୍କୁ ଭୀମସେନ ଏହିପରି କହନ୍ତେ ହନୁମାନ ମନ ମଧ୍ୟରେ ଅବହାସ କରି ଭୀମଙ୍କୁ ବାହୁବୀର୍ଯ୍ୟରେ ଦର୍ପିତ ଓ ବଳଦ୍ୱାରା ଉନ୍ମତ୍ତ ହୋଇଥିବାର ବୋଧ କଲେ ।୧୫। ହେ ଅନଘ ! ତୁମ୍ଭେ ଆମ୍ଭ ପ୍ରତି ପ୍ରସନ୍ନ ହୁଅ । ବୃଦ୍ଧାବସ୍ଥା ହେବାରୁ ଆମ୍ଭର ଊଠିବାର ଶକ୍ତି ରହିତ ହୋଇଅଛି; ଅତଏବ ଆମ୍ଭପ୍ରତି ଅନୁକମ୍ପା ପ୍ରକାଶ କରି ଆମ୍ଭର ଏହି ଲାଙ୍ଗୁଳଟିକୁ ଉତ୍ସାରିତ କରି ଗମନ କର ।୧୬। ବୈଶମ୍ପାୟନ ବୋଇଲେ– ହନୁମାନଙ୍କର ଏହି ବଚନ ଶ୍ରବଣ କରି ଭୀମସେନ ଆପଣା ବାହୁବଳରେ ଦର୍ପିତ ହୋଇ ହନୁମାନଙ୍କୁ ପ୍ରକୃତରେ ହୀନବୀର୍ଯ୍ୟ ଓ ହୀନପରାକ୍ରମ ବୋଲି ଭାବିଲେ ।୧୭। ଅଦ୍ୟ ଆମ୍ଭେ ଏହିଠାରେ ଏହି ହୀନବୀର୍ଯ୍ୟ ଓ ହୀନପରାକ୍ରମ ବାନରଙ୍କ ପୁଚ୍ଛକୁ ଧରି ଏହାଙ୍କୁ କୃତାନ୍ତଭବନକୁ ପ୍ରେରଣ କରିବା ।୧୮। ତତ୍‍ପରେ ହାସ୍ୟକରି ଅବଜ୍ଞାପୂର୍ବକ ସେହି ମହାକପିର ପୁଚ୍ଛକୁ ବାମହସ୍ତଦ୍ୱାରା ଗ୍ରହଣ କଲେ; କିନ୍ତୁ ସେହି ଲାଙ୍ଗୁଳ ଅଣୁମାତ୍ର ଚାଳିତ ହେଲା ନାହିଁ ।୧୯।

 

ତଦନନ୍ତର ପୁନର୍ବାର ଉଭୟ ହସ୍ତଦ୍ୱାରା ଇନ୍ଦ୍ରାୟୁଧସମ ସେହି ଲାଙ୍ଗୁଳକୁ ଉତକ୍ଷେପଣ କରିବାକୁ ଯତ୍ନ କଲେ; କିନ୍ତୁ ତହିଁରେ ସୁଦ୍ଧା ଉଠାଇବାକୁ ସକ୍ଷମ ହେଲେ ନାହିଁ । ପରିଶେଷରେ ସେହି ଲାଙ୍ଗୁଳଙ୍କୁ ଉଠାଇବା ନିମିତ୍ତ ଭୀମ ଏତାଦୃଶ ଯତ୍ନକଲେ ଯେ ତହିଁରେ ତାହାଙ୍କ ଭ୍ରୂଯୁଗଳ ଉତ୍‌କ୍ଷିପ୍ତ ହେଲା । ମୁଖମଣ୍ଡଳରେ ଭ୍ରୂକୁଟି ସଂଘତ ହେଲା । ସର୍ବଶରୀର ଘର୍ମାକ୍ତ ହେଲା । ତଥାପି କୃତକାର୍ଯ୍ୟ ହୋଇପାରିଲେ ନାହିଁ ।୨୧। ଯେତେବେଳେ ଲାଙ୍ଗୁଳ ଉଠାଇବାକୁ ଅସମର୍ଥ ହେଲେ, ତେତେବେଳେ ସେହି ଶ୍ରୀମନ୍ତ ଉଦ୍ଧତ ପୁରୁଷ ଭୀମ ଲଜ୍ଜାରେ ଅଧୋବଦନ ହୋଇ କପିବରଙ୍କର ପାର୍ଶ୍ୱ ଦେଶରେ ଦଣ୍ଡାୟମାନ ହେଲେ ଓ ପ୍ରଣାମ କରି କୃତାଞ୍ଜଳିପୁଟରେ ତାହାଙ୍କୁ କହିଲେ, ହେ କପିଶାର୍ଦ୍ଦୁଳ ! ଆପଣ ପ୍ରସନ୍ନ ହେଉନ୍ତୁ । ଆମ୍ଭେ ଯେ ଦୁର୍ବାକ୍ୟ ପ୍ରୟୋଗ କରିଅଛୁଁ ତନ୍ନିମିତ୍ତ କ୍ଷମା ପ୍ରଦାନ କରନ୍ତୁ । ହେ ପୁଣ୍ୟଶୀଳ ! ହେ ମହାବାହୋ ! ଆପଣ ସିଦ୍ଧ କି ଦେବତା କି ଗନ୍ଧର୍ବ ଅଥବା ଗୁହ୍ୟକ, ଏହା ଆମ୍ଭେ ଶିଷ୍ୟପ୍ରାୟ ଶରଣାର୍ଥୀ ହୋଇ ପଚାରୁଅଛୁ । ଯଦି ଗୋପନୀୟ ନ ହୁଏ ଓ ଶୁଣିବାର ଯୋଗ୍ୟ ହୁଏ, ତେବେ ଆପଣ ସ୍ୱେଚ୍ଛାନୁସାରେ ଆମ୍ଭଙ୍କୁ କହନ୍ତୁ ।୨୫।

 

ହନୁମାନ ବୋଇଲେ, ହେ ଶତ୍ରୁତାପନ ପାଣ୍ଡୁନନ୍ଦନ ! ଆମ୍ଭର ପରିଚୟ ପାଇବା ନିମନ୍ତେ ତୁମ୍ଭର କୌତୂହଳ ଜାତ ହୋଇଅଛି । ଅତଏବ ତୁମ୍ଭେ ବିସ୍ତାରପୂର୍ବକ ଶ୍ରବଣ କର ।୨୬। ହେ କମଳଲୋଚନ ! ଆମ୍ଭେ କେଶରୀଙ୍କ କ୍ଷେତ୍ରରେ ଜଗତପ୍ରାଣ ପବନଙ୍କ ଔରସରେ ଜନ୍ମଗ୍ରହଣ କରିଅଛୁ । ଜାତିରେ ବାନର, ଆମ୍ଭର ନାମ ହନୁମାନ ।୨୭। ପୂର୍ବେ ସୂର୍ଯ୍ୟଙ୍କ ପୁତ୍ର ସୁଗ୍ରୀବଙ୍କୁ ଏବଂ ଇନ୍ଦ୍ରଙ୍କ ପୁତ୍ର ବାଳୀଙ୍କୁ ବହୁ ବାନର ରାଜା ଓ ବାନର ଯୂଥପତି ଉପାସନା କରୁଥିଲେ । ହେ ଶତ୍ରୁତାପନ ! ସେହି ବାନରମାନେ ମହାବଳଶାଳୀ, ସୁଗ୍ରୀବଙ୍କ ସହିତ ପ୍ରଣୟ କରିଥିଲେ । ପବନଙ୍କ ସହିତ ଅଗ୍ନିଙ୍କର ଯେପରି ପ୍ରୀତି, ସେମାନଙ୍କର ତଦ୍ରୂପ ପରସ୍ପର ପ୍ରୀତି ଥିଲା ।୨୯। କିଛି କାଳ ପରେ ଅଗ୍ରଜବାଳୀ ସୁଗ୍ରୀବଙ୍କୁ କୌଣସି କାରଣବଶତଃ ରାଜ୍ୟରୁ ବହିଷ୍କୃତ କରିଥିଲେ । ତହିଁରେ ସୁଗ୍ରୀବ ଋଷ୍ୟମୁକ ପର୍ବତରେ ଆମ୍ଭ ସହିତ ବହୁକାଳ ବାସ କଲେ ।୩୦।

 

ହେ ପୁଣ୍ୟବନ୍ତ ! ସେହି ସମୟରେ ଦଶରଥ ରାଜାଙ୍କ ଔରସରେ ଭଗବାନ ବିଷ୍ଣୁ ଜନ୍ମଗ୍ରହଣ କରି ରାମ ନାମରେ ବିଖ୍ୟାତ ହୋଇ ମହାବଳଶାଳୀ ମନୁଷ୍ୟରୂପ ଧରି ବିଚରଣ କରୁଥିଲେ ।୩୧। ପିତାଙ୍କ ପ୍ରିୟ କାମନାରେ ଧନୁର୍ଦ୍ଧାରୀ ପ୍ରଧାନ ସେହି ରାମଚନ୍ଦ୍ର ଧନୁ ଗ୍ରହଣ କରି ଭ୍ରାତା ଓ ଭାର୍ଯ୍ୟାଙ୍କୁ ସଙ୍ଗରେ ଘେନି ଦଣ୍ଡକାରଣ୍ୟରେ ଆଶ୍ରୟ ନେଇଥିଲେ ।୩୨। ରାକ୍ଷସରାଜ ବଳଶାଳୀ ଓ ଦୁରାତ୍ମା ରାବଣ ତାହାଙ୍କ ଭାର୍ଯ୍ୟାଙ୍କୁ ଜନସ୍ଥାନରୁ ଛଳନାଦ୍ୱାରା ଅପହରଣ କରିଥିଲେ ।୩୩। ମାରିଚ ନାମକ ରାକ୍ଷସକୁ ସୁବର୍ଣ୍ଣ ଓ ରତ୍ନରେ ବିଚିତ୍ରିତ ମୃଗ ରୂର ଧାରଣ କରାଇ ତଦ୍ଦ୍ୱାରା ସେହି କାର୍ଯ୍ୟ ସମାଧାନ କରିଥିଲେ ।୩୪।

 

॥ ଅଧ୍ୟାୟ – ୧୪୮ ॥

 

ହନୁମାନ ବୋଇଲେ– ରାମଚନ୍ଦ୍ର ଭାର୍ଯ୍ୟାଙ୍କ ଅନ୍ୱେଷଣରେ ଭ୍ରାତାଙ୍କ ସହିତ ଋଷ୍ୟମୁକ ପର୍ବତ ଶିଖରରେ ବାନରଶ୍ରେଷ୍ଠ ସୁଗ୍ରୀବଙ୍କୁ ଦେଖିଲେ । ମହାତ୍ମା ରାଘବଙ୍କର ସୁଗ୍ରୀବଙ୍କ ସହିତ ଅତିଶୟ ପ୍ରୀତି ହେଲା । ତହିଁରେ ରାଘବ ବାଳିଙ୍କୁ ନିହତ କରି ସୁଗ୍ରୀବଙ୍କୁ ରାଜ୍ୟରେ ଅଭିଷିକ୍ତ କଲେ ।୨। ସୁଗ୍ରୀବ ରାଜ୍ୟପ୍ରାପ୍ତ ହୋଇ ସୀତାଙ୍କ ଅନ୍ୱେଷଣରେ ଶତ ଶତ ଓ ସହସ୍ର ସହସ୍ର ବାନରଙ୍କୁ ପ୍ରେରଣ କଲେ ।୩। ତତ୍‍ପରେ ହେ ମହାବାହୋ ! ଆମ୍ଭେ କୋଟିସଂଖ୍ୟକ ବାନରଦ୍ୱାରା ବେଷ୍ଟିତ ହୋଇ ସୀତାଙ୍କ ଅନ୍ୱେଷଣ ନିମିତ୍ତ ଦକ୍ଷିଣ ଦିଗକୁ ଗମନ କଲୁ ।୪। ସାମ୍ପାତ ନାମକ ମହାତ୍ମା ଗୃଧ୍ର ସମ୍ପାଦ ଦେଲେ ଯେ ରାବଣଙ୍କ ଗୃହକୁ ସୀତାଦେବୀ ନୀତ ହୋଇଅଛନ୍ତି ।୫। ତଦନନ୍ତର ପୃଣ୍ୟକର୍ମା ରାମଚନ୍ଦ୍ରଙ୍କର କାର୍ଯ୍ୟସିଦ୍ଧି ନିମିତ୍ତ ଆମ୍ଭେ ଶତଯୋଜନ ବିସ୍ତାର ସମୁଦ୍ରକୁ ସହସା ଲଘନ କଲୁଁ ।୬।

 

ହେ ଭରତଶ୍ରେଷ୍ଠ ! ଆମ୍ଭେ ଆପଣା ବୀର୍ଯ୍ୟବଳରେ ମକରାଳୟ ସାଗରକୁ ଉତ୍ତୀର୍ଣ୍ଣ ହୋଇ ଜନକ ରାଜାଙ୍କ ଦୁହିତା ସୀତାଙ୍କୁ ରାବଣର ଗୃହରେ ଦେଖିଲୁ । ଦେବକନ୍ୟା ସଦୃଶୀ ରାମଚନ୍ଦ୍ରଙ୍କ ଭାର୍ଯ୍ୟା ବୈଦେହୀଙ୍କ ସହିତ ଆମ୍ଭର ସାକ୍ଷାତ ହେଲା ।୮। ଅଟ୍ଟାଳିକା, ପ୍ରାକାର ଓ ତୋରଣ ସହିତ ଅଶେଷ ଲଙ୍କାପୁରୀକୁ ଦଗ୍ଧ କରି ସେଠାରେ ଆପଣାର ନାମ ପ୍ରକାଶ ପୂର୍ବକ ପ୍ରତ୍ୟାଗତ ହେଲୁ ।୯। ଆମ୍ଭ ବାକ୍ୟରେ ବିଶ୍ୱାସ କରି ରାଜୀବଲୋଚନ ରାମଚନ୍ଦ୍ର ତ୍ୱରା ହୋଇ ସମୁଦ୍ର ପାରହେବା ନିମିତ୍ତ ବୁଦ୍ଧି ଓ କୌଶଳରେ ତାଦୃଶ ସମୁଦ୍ରରେ ସେତୁ ବନ୍ଧନ କଲେ । କୋଟି କୋଟି ବାନରସୈନ୍ୟ ମହାର୍ଣ୍ଣବକୁ ସେହି ସେତୁଦ୍ୱାରା ଉତ୍ତୀର୍ଣ୍ଣ ହେଲେ ।୧୦। ତଦନନ୍ତର ଯୁଦ୍ଧରେ ବୀର ରାମଚନ୍ଦ୍ର ସମୁଦାୟ ରାକ୍ଷସ ଓ ଲୋକପୀଡ଼ାକାରୀ ରାବଣକୁ ସବଂଶରେ ନିହତ କଲେ । ସେ ଯୁଦ୍ଧରେ ରାବଣର ଭ୍ରାତା, ପୁତ୍ର ଓ ବାନ୍ଧବ ସମସ୍ତେ ବିନଷ୍ଟ ହେଲେ । କେବଳ ଭକ୍ତବତ୍ସଳ, ଧର୍ମନିଷ୍ଠ, ଦାସପ୍ରିୟ ରାମଚନ୍ଦ୍ର ଆପଣାର ଭକ୍ତ ଓ ଅନୁରକ୍ତ ରାକ୍ଷସରାଜ ବିଭୀଷଣଙ୍କୁ ଲଙ୍କାରେ ଅଭିଷିକ୍ତ କଲେ ଓ ବିନଷ୍ଟ ବେଦକୁ ଉଦ୍ଧାର କଲାପ୍ରାୟ ଆପଣାର ଭାର୍ଯ୍ୟାଙ୍କୁ ଉଦ୍ଧାର କଲେ । ସେହି ସାଧ୍ୱୀପତ୍ନୀ ଜନକ ନନ୍ଦିନୀଙ୍କ ସମଭିବ୍ୟାହାରରେ ମହାଯଶସ୍ୱୀ ରଘୁନନ୍ଦନ ଅତି ସତ୍ୱର ଅଯୋଧ୍ୟା ପୁରୀକୁ ପ୍ରତିଗତ ହେଲେ ।୧୬। ନୃପତିସତ୍ତମ ଶତ୍ରୁ ନାଶକାରୀ ରାଜୀବଲୋଚନ ରାମଚନ୍ଦ୍ର ରାଜ୍ୟରେ ପ୍ରତିଷ୍ଠିତ ହୁଅନ୍ତେ, ଆମ୍ଭେ ତାହାଙ୍କ ନିକଟରେ ଏହି ପ୍ରାର୍ଥନା କରିଥିଲୁ । “ହେ ଶତ୍ରୁହନ୍ତା ରାମଚନ୍ଦ୍ର ! ଯେତେ କାଳ ପର୍ଯ୍ୟନ୍ତ ଭବଦୀୟ କଥା ଲୋକ ମଧ୍ୟରେ ପ୍ରଚାରିତ ହେଉଥିବ, ତେତେକାଳ ପର୍ଯ୍ୟନ୍ତ ଆମ୍ଭେ ଯେପରି ଜୀବିତ ଥାଉଁ ।” ଏହା ଶ୍ରବଣ କରି ସେ ତଥାସ୍ତୁ ବୋଲି କହିଥିଲେ ।୧୭। ହେ ଅରିନ୍ଦମ ଭୀମସେନ୍‌ ! ଆମ୍ଭେ ଏହି ସ୍ଥାନରେ ଥାଇ ସୀତାଦେବୀଙ୍କ ଅନୁଗ୍ରହରୁ ସର୍ବଦା ଅଭିଳଷିତ ସୁସ୍ୱାଦୁ ଭୋଗସମାଗ୍ରୀ ପ୍ରାପ୍ତ ହୋଇଥାଉଁ ।୧୮।

 

ହେ ବସ ! ଏକାଦଶ ସହସ୍ର ବର୍ଷ ପର୍ଯ୍ୟନ୍ତ ରାମଚନ୍ଦ୍ର ରାଜା ହୋଇଥିଲେ । ତତ୍‍ପରେ ସ୍ୱୀୟ ଧାମକୁ ଗମନ କଲେ । ହେ ପୁଣ୍ୟାତ୍ମନ ! ସେହି ରାମଚନ୍ଦ୍ରଙ୍କ ଚରିତ୍ରକୁ ଅପସରା ଓ ଗନ୍ଧର୍ବଗଣ ଗାନ କରି ଆମ୍ଭଙ୍କୁ ପରିତୃପ୍ତ କରୁଥାନ୍ତି ।୨୦। ହେ କୁରୁନନ୍ଦନ ! ଏହି ପଥ ଦେବତାମାନଙ୍କର ଗମନୀୟ; ଏହା ମନୁଷ୍ୟମାନଙ୍କର ଗମ୍ୟ ନୁହେ । ଅତଏବ କାଳେ କେହି ତୁମ୍ଭଙ୍କୁ ଧର୍ଷଣ କରେ ଅଥବା ଅଭିଶାପ ପ୍ରଦାନ କରେ, ଏହି ଭୟରେ ଆମ୍ଭେ ତୁମ୍ଭର ପଥକୁ ଅବରୋଧ କରିଅଛୁଁ । ଏହା ଦିବ୍ୟପଥ ହୋଇଥିବାରୁ ମନୁଷ୍ୟମାନେ ଏହି ପଥରେ ଗମନ କରନ୍ତି ନାହିଁ । ତୁମ୍ଭେ ଯେଉଁ ନିମିତ୍ତ ଆଗମନ କରିଅଛ; ସେହି ସରୋବର ଏଠାରୁ ଅଳ୍ପ ଦୂରରେ ବିଦ୍ୟମାନ ଅଛି ।

 

॥ ଅଧ୍ୟାୟ – ୧୪୯ ॥

 

ବୈଶମ୍ପାୟନ ବୋଇଲେ– ମହାବାହୋ ! ଭୀମସେନଙ୍କୁ କପୀଶ୍ୱର ହନୁମାନ ଏହିପରି କହନ୍ତେ ଭୀମସେନ ତାହାଙ୍କୁ ପ୍ରଫୁଲ୍ଲ ମାନସରେ ଓ ପ୍ରୀତି ସହକାରେ ପ୍ରଣାମ କରି ମଧୁର ବାକ୍ୟରେ ବ୍ୟକ୍ତ କଲେ । ଆମ୍ଭ ସଦୃଶ ଭାଗ୍ୟବାନ ବ୍ୟକ୍ତି ଆଉ କେହି ନାହିଁ, ଯେ ହେତୁରୁ ଆମ୍ଭେ ଆର୍ଯ୍ୟଙ୍କର ଦର୍ଶନ ଲାଭ କଲୁ ।୨। ହେ ବୀର ! ଆପଣ ଆମ୍ଭଙ୍କୁ ଦର୍ଶନ ଦେଇ ଆପଣାର ଦୟା ପ୍ରକାଶ କଲେ । ଆପଣଙ୍କ ଦର୍ଶନରେ ଆମ୍ଭେ ପରିତୃପ୍ତ ହେଲୁଁ । ସମ୍ପ୍ରତି ଆମ୍ଭେ ଇଚ୍ଛା କରୁଅଛୁଁ ଯେ ଆପଣଙ୍କଦ୍ୱାରା ଆମ୍ଭର ଗୋଟିଏ ପ୍ରିୟକାର୍ଯ୍ୟ ସାଧିତ ହେଉ । ମକରାଳୟ ସମୁଦ୍ରକୁ ଉଲଙ୍ଘନ କଲାବେଳେ ଆପଣଙ୍କର ଯେଉଁ ଅପ୍ରତିମ ରୂପ ହୋଇଥିଲା ସେହି ରୂପକୁ ଦର୍ଶନ କରିବା ନିମିତ୍ତ ଆମ୍ଭର ଏକାନ୍ତ ଅଭିଳାଷ ହୋଇଅଛି ।୪। ଆପଣ ସେହି ରୂପକୁ ଦେଖାଇଲେ ଆମ୍ଭର ସନ୍ତୋଷ ହେବ ଓ ଆପଣଙ୍କ ପ୍ରତି ଆମ୍ଭର ଶ୍ରଦ୍ଧା ଜନ୍ମିବ ।୫।

 

ତେଜସ୍ୱୀ ହନୁମାନଙ୍କୁ ଭୀମସେନ ଏହି କଥା କହନ୍ତେ ହନୁମାନ ସହାସ୍ୟ ବଦନରେ ଉତ୍ତର କଲେ– ଆମ୍ଭର ସେହି ରୂପ ଦେଖିବାକୁ ତୁମ୍ଭେ କି ଅନ୍ୟ କୌଣସି ବ୍ୟକ୍ତି ସମର୍ଥ ହେବ ନାହିଁ-। କାରଣ ପୂର୍ବକାଳରେ ଅବସ୍ଥା ଅନ୍ୟ ପ୍ରକାର ଥିଲା । ଏବେ ଅନ୍ୟ ପ୍ରକାର ହୋଇଅଛି । ସମ୍ପ୍ରତି ଯେପରି କାଳ ଆଉ ନାହିଁ ।୬। ସତ୍ୟଯୁଗରେ ଏକପ୍ରକାର କାଳ ଥିଲା । ତ୍ରେତା ଓ ଦ୍ୱାପରରେ ଭିନ୍ନ ପ୍ରକାର ଥିଲା । ବର୍ତ୍ତମାନ ପ୍ରଧ୍ୱଂସନ କାଳ ଉପସ୍ଥିତ ହୋଇଅଛି । ବର୍ତ୍ତମାନ ଆମ୍ଭର ମଧ୍ୟ ସେହି ପୂର୍ବରୂପ ନାହିଁ ।୭। ଯୁଗଭେଦରେ ଯେଉଁ ପରି ଭାବ ହୋଇଥାଏ, ଭୂମି, ନଦୀ, ପର୍ବତ, ବୃକ୍ଷ, ସିଦ୍ଧ, ଦେବ, ମହର୍ଷି– ଏମାନେ ସମସ୍ତେ ଯୁଗ ଭାବାନୁସାରେ କାଳର ଅନୁଗାମୀ ହୁଅନ୍ତି ।୮।

 

ହେ କରୁବଂଶୋଭବ ! ଦେହ, ବଳ ଓ ପ୍ରଭାବ ସମୟ ବିଶେଷରେ ଉଭବ ହୁଏ ଓ ସମୟ ବିଶେଷରେ ବିନଷ୍ଟ ହୁଏ । କାଳକୁ ଅତିକ୍ରମ କରିବା କାହାରି ସାଧ୍ୟ ନୁହେ । ସୁତରାଂ ଆମ୍ଭେ ମଧ୍ୟ ଯୁଗଧର୍ମର ଅନୁବର୍ତ୍ତୀ ହୋଇଅଛୁଁ । ଅତଏବ ଆମ୍ଭର ପୂର୍ବରୂପ ଦେଖିବାକୁ ତୁମ୍ଭର ସାମର୍ଥ୍ୟ ହେବନାହିଁ ।୯। ଭୀମ କହିଲେ– ହେ ବୀର ! ଯୁଗମାନଙ୍କର ସଂଖ୍ୟା, ଯେଉଁ ଯେଉଁ ଯୁଗରେ ଯେଉଁ ଯେଉଁ ପ୍ରକାର ଆଚାର, ଧର୍ମ, କାମ, ଅର୍ଥ, ସ୍ୱଭାବ, କର୍ମ, ଶଭାଶୁଭ ଫଳ, ଉତ୍ପତ୍ତି ଓ ବିନାଶ ହୁଏ, ତାହା ଆମ୍ଭଙ୍କୁ କହନ୍ତୁ । ହନୁମାନ କହିଲେ– ବତ୍ସ ! ଯେଉଁ ସମୟରେ ସନାତନ ଧର୍ମ ପ୍ରଚଳିତ ଥିଲା, ତାହା ନାମ କୃତଯୁଗ । ସେହି ଯୁଗରେ ଧର୍ମସବୁ କ୍ଷୀଣ ହେଉନଥିଲା । ପ୍ରଜାମାନେ ବିନଷ୍ଟ ହେଉନଥିଲେ । ଯେ ଯେଉଁ କର୍ମ କରେ, ସେ ତହିଁରେ କୃତକୃତ୍ୟ ହୁଏ । ଏଥି ନିମିତ୍ତ ତାହାର ନାମ କୃତଯୁଗ ଥିଲା । ଏହି ଯୁଗ ପ୍ରଧାନ ହୋଇଥିଲା; କିନ୍ତୁ କାଳକ୍ରମରେ କ୍ଷୀଣ ହେଲା ।୧୨। ତାତ ! ସେ ଯୁଗରେ ଦେବ, ଦାନବ, ଗନ୍ଧର୍ବ, ଯକ୍ଷ, ରାକ୍ଷସ, ପନ୍ନଗ– ଏମାନେ ନ ଥିଲେ । ସେହି ସତ୍ୟଯୁଗରେ କ୍ରୟବିକ୍ରୟ ହେଉନଥିଲା । ସାମ, ଋକ୍‌, ଯଜୁଃବେଦମାନ ନ ଥିଲା । ମନୁଷ୍ୟମାନଙ୍କର କ୍ରିୟା ନ ଥିଲା । ଯାହା ଯାହାଙ୍କର ଆବଶ୍ୟକ ହେଉଥିଲା ତାହା ସେ ପ୍ରାପ୍ତ ହେଉଥିଲେ । ବର୍ଣ୍ଣକ୍ରମେ କାର୍ଯ୍ୟର ଅନୁଷ୍ଠାନ ହେଉନଥିଲା । ଯାହାର ଯେଉଁ କର୍ମ, ତାହା ତାହାର ସ୍ୱଭାବସିଦ୍ଧ ଥିଲା । ଶସ୍ୟ ଫଳାଦି ନିମିତ୍ତ ମନୁଷ୍ୟମାନେ କର୍ଷଣାଦି କାର୍ଯ୍ୟ କରୁନଥିଲେ । ଶସ୍ୟମାନେ ଆପେ ଆପେ ଉତ୍ପନ୍ନ ହେଉଥିଲେ । ସଙ୍କଳ୍ପ ଅନୁସାରେ ଫଳପ୍ରାପ୍ତି ହେଉଥିଲା । କୃତଯୁଗର ଧର୍ମ ସନ୍ନ୍ୟାସ ।୧୪।

 

ହେ କୁନ୍ତୀସୁତ ! ସେ ଯୁଗରେ ବ୍ୟାଧିସବୁ ନ ଥିଲା । ଇନ୍ଦ୍ରିୟ ବଳ କ୍ଷୟ ହେଉନଥିଲା । କ୍ରୋଧ, ଈର୍ଷା, ରୋଦନ, ଦର୍ପ ପ୍ରଭୃତି ମନର ବିକାର ଅଦି ନଥିଲା ।୧୫। ଯୁଦ୍ଧ ନ ଥିଲା । ବୈରତା, ଆଳସ୍ୟ, ଦ୍ୱେଷ, ନିଷ୍ଠୁରତା, ନିଷ୍ଠୁର ଭାଷଣ, ଈର୍ଷା, ଅକ୍ଷମା, ମତ୍ସରପଣ, ପରର ଉତ୍କର୍ଷକୁ ନ ସହିବା, ଏସବୁ ନଥିଲା ।୧୬। ଯୋଗୀମାନଙ୍କର ଯେଉଁ ବ୍ରହ୍ମପରମଗତି, ସେହ ବ୍ରହ୍ମଙ୍କୁ ସମସ୍ତେ ଉପାସନା କରୁଥିଲେ । ସୁତରାଂ ବ୍ରହ୍ମଙ୍କଠାରେ ଲୀନ ହେଉଥିଲେ । ସର୍ବ ପ୍ରାଣୀଙ୍କର ଆତ୍ମା ନାରାୟଣ କୃତଯୁଗରେ ଶୁକ୍ଳରୂପ ଧରିଥିଲେ ।୧୭। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର– ଏମାନେ ନିଜ ନିଜ କର୍ମରେ ନିରତ ଥିଲେ ।୧୮। ସବୁ ବର୍ଣ୍ଣର ସମାନ ଆଚାର ଓ ସମାନ କର୍ମ ଥିଲା ଓ ସବୁ ବର୍ଣ୍ଣ ନିଜ ନିଜ କର୍ମାନୁଯାୟୀ ଧର୍ମଲାଭ କରୁଥିଲେ ।୧୯। ତତ୍‌କାଳରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ପୃଥକ୍ ପୃଥକ୍ ଧର୍ମାବଲମ୍ବୀ ହୋଇ ସୁଦ୍ଧା ଏକବେଦର ଅନୁସରଣ କରୁଥିଲେ; ଅଧ୍ୟାତ୍ମ ତତ୍ତ୍ୱରେ ଯୋଗଯୁକ୍ତ ହୋଇଥିଲେ; ସେ ସମ୍ବନ୍ଧୀୟ ମନ୍ତ୍ର, ବିଧି ଓ ଧ୍ୟାନାଦି କ୍ରିୟାରେ ନିଷ୍ଠାପର ହୋଇ ଏକମାତ୍ର ଅଧ୍ୟାତ୍ମା ତତ୍ତ୍ୱ ଅନୁବର୍ତ୍ତୀ ହୋଇଥିଲେ । ଫଳରେ କାମନା ନ କରି ଯଥାବିହିତ କାଳରେ ଆଶ୍ରମ-ଚତୁଷ୍ଟୟର ବିହିତ କର୍ମଦ୍ୱାରା ପରମଗତି ଲାଭ କରୁଥିଲେ ।୨୧। ଏହି ଆତ୍ମା ଯୋଗଯୁକ୍ତ ଧର୍ମକୁ କୃତଯୁଗର ଚିହ୍ନ ସ୍ୱରୂପ ଜାଣିବ । ସେହି ଯୁଗରେ ଚାରି ବର୍ଣ୍ଣର ଧର୍ମ ଚିରକାଳରେ ଚତୁଷ୍ପଦ ଥିଲା; ଅର୍ଥାତ୍ ସର୍ବଦା ସମ୍ପୂର୍ଣ୍ଣ ଅବସ୍ଥାରେ ଥିଲା ।୨୨।

 

ହେ କୁରୁନନ୍ଦନ ! ତ୍ରୈଗୁଣବର୍ଜିତ କୃତଯୁଗର ନାମ ଓ ବିବରଣକୁ ଶ୍ରବଣ କଲ । ଏବେ ତ୍ରେତାଯୁଗର ବିବରଣ ଶ୍ରବଣ କର । ଏହି ତ୍ରେତାଯୁଗରେ ଯଜ୍ଞାଦି କ୍ରିୟାର ସମାରମ୍ଭ ହେଲା ।୨୩। ତ୍ରେତା ଯୁଗର ଲୋକମାନେ ଯଜ୍ଞାନୁଷ୍ଠାନକୁ ଆରମ୍ଭ କଲେ । ସେ ଯୁଗରେ ଧର୍ମର ଏକପାଦ ହ୍ରାସ ହେଲା ଓ ନାରାୟଣ ଲୋହିତବର୍ଣ୍ଣ ରୂପକୁ ଧରିଲେ । ସେହି ସମୟରେ ମନୁଷ୍ୟମାନେ ସତ୍ୟରେ ପ୍ରବୃତ୍ତ ଥାଇ ସୁଦ୍ଧା କ୍ରିୟା ଓ ଧର୍ମପରାୟଣ ହେଲେ । ଏହି ନିମିତ୍ତ ଧର୍ମାନୁଷ୍ଠାନ କରିବାକୁ ବିବିଧ ପ୍ରକାର କ୍ରିୟାରେ ପ୍ରାଣୀମାନେ ପ୍ରବୃତ୍ତ ହେଲେ ।୨୪। ତତ୍କାଳରେ ଲୋକେ ଆପଣାର ଭାବନା ଓ ସଂକଳ୍ପ ଅନୁସାରେ କ୍ରିୟା ଓ ଦାନର ଫଳପ୍ରାପ୍ତି ହେଉଥିଲେ । ଲୋକେ ତପସ୍ୟାପରାୟଣ ଓ ଦାନୀ ଥିବାରୁ ଧର୍ମବିଚଳିତ ହେଉ ନଥିଲେ । ମନୁଷ୍ୟମାନେ ସ୍ୱକୀୟ ଧର୍ମରେ ଥାଇ ତଦନୁସାରେ କ୍ରିୟାକଳାପର ଅନୁଷ୍ଠାନ କରୁଥିଲେ ।୨୬। ଦ୍ୱାପର ଯୁଗରେ ଧର୍ମ ଦ୍ୱିପାଦ ହୀନ ଥିଲା । ଏହି ଯୁଗରେ ନାରାୟଣ ପୀତବର୍ଣ୍ଣ ହୋଇଥିଲେ ଏବଂ ବେଦ ମଧ୍ୟ ଚାରି ଭାଗରେ ବିଭକ୍ତ ହେଲା ।

 

ତଦନନ୍ତର କେହି ଚତୁର୍ବେଦୀ, କେହି ତ୍ରିବେଦୀ, କେହି ଦ୍ୱିବେଦୀ, କେହି ଅବା ଏକବେଦୀ କେହି ବା ଋକ୍‌ଶୂନ୍ୟ ହେଲେ । ଏହି ରୂପେ ଶାସ୍ତ୍ରମାନେ ଭିନ୍ନ ଭିନ୍ନ ହେବାରୁ ବହୁବିଧ କ୍ରିୟା ପ୍ରକଟିତ ହେଲା । ପ୍ରଜାମାନେ ମଧ୍ୟ ରଜୋଗୁଣକୁ ଅବଲମ୍ବନ କଲେ ।୨୯। ପ୍ରଥମରେ ବେଦ ଏକମାତ୍ର ଥିଲା । ପରେ ଏକବ୍ୟକ୍ତି ସେହି ସମ୍ପୂର୍ଣ୍ଣ ଏକ ବେଦକୁ ଧାରଣ କରିବାକୁ ଅସମର୍ଥ ହେଲା-। ଏହି କାରଣରୁ ବେଦକୁ ଋକ୍‌, ଯଜୁଃ, ସାମ ଓ ଅଥର୍ବ ଭେଦରେ ବିଭକ୍ତ କରିବାକୁ ହେଲା-। ଏହି ଦ୍ୱାପର ଯୁଗରେ ସତ୍ତ୍ୱର୍ଗୁଣରେ ଅଭିଭୂତ ହେବାରୁ କଦାଚିତ୍ ଦୁଇ ଏକ ବ୍ୟକ୍ତି ସତ୍ୟନିଷ୍ଠ ରହିଲେ ।୩୦। ମନୁଷ୍ୟମାନେ ସତ୍ତ୍ୱଗୁଣରୁ ପ୍ରଚ୍ୟୁତ ହେବାରୁ ସେମାନଙ୍କର ବହୁପକ୍ରାର ଆଧିବ୍ୟାଧି ଘୋଟିଲା । ବହୁପ୍ରକାର ମନର କାମନା ଓ ଦୈବକୃତ ଉପଦ୍ରବ ହେଲା ।୩୧। ତାହାକୁ ନିବାରଣ କରିବା ଇଚ୍ଛାରେ ସେମାନେ ତପସ୍ୟାର ଅନୁଷ୍ଠାନ କଲେ । କେହି କେହି ଅଭିଳଷିତ ସିଦ୍ଧି କାମନାରେ, କେହି ଅବା ସ୍ୱର୍ଗ କାମନାରେ, ବିବିଧ ପ୍ରକାର ଯୋଗ ବିସ୍ତାର କଲେ-।୩୨। ଏହିରୂପେ ଦ୍ୱାପର ଯୁଗରେ ପ୍ରଜାମାନେ ଅଧର୍ମଦ୍ୱାରା କ୍ଷୟପ୍ରାପ୍ତ ହେଉଅଛନ୍ତି । ହେ କୌନ୍ତେୟ-! ତମୋଗୁଣଯୁକ୍ତ କଳିଯୁଗରେ ଧର୍ମର ଏକପାଦ ମାତ୍ର ଅବସ୍ଥିତ ରହିବ ।୩୩। ନାରାୟଣ ମଧ୍ୟ କୃଷ୍ଣବର୍ଣ୍ଣ ହେବେ । ବେଦାଚାର, ଧର୍ମକ୍ରିୟା ଓ ଯଜ୍ଞାନୁଷ୍ଠାନ କ୍ଷୟ ପ୍ରାପ୍ତ ହେବ । ଅତିବୃଷ୍ଟି, ଅନାବୃଷ୍ଟି, ଶଲଭ, ମୂଷିକ, ଖଗ ଓ ରାଜାମାନଙ୍କର ପ୍ରତ୍ୟାସକ୍ତି ସ୍ୱରୂପ ଛଅ ପ୍ରକାର ଭୟରୁ ଆଧି ଅର୍ଥାତ୍ ମନଃପୀଡ଼ାରୁ; ବ୍ୟାଧି ଅର୍ଥାତ୍ ଶାରୀରିକ ପୀଡ଼ାରୁ; କ୍ଷୁଧାଭୟ ଉପଦ୍ରବମାନଙ୍କର ପ୍ରାଦୁର୍ଭାବ ହେବ-।୩୪।

 

ହେ ବତ୍ସ ! ଯୁଗର ପରିବର୍ତ୍ତନରେ ଧର୍ମର ପରିବର୍ତ୍ତନ ମଧ୍ୟ ହେବ । ଧର୍ମର କ୍ଷୟ ହେଲେ ପ୍ରାଣୀମାନଙ୍କର କ୍ଷୟ ହେବ । ପ୍ରାଣୀମାନଙ୍କର କ୍ଷୟ ହେଲେ ଲୋକପ୍ରବର୍ତ୍ତକ ଧର୍ମ ଜ୍ଞାନାଦି ମଧ୍ୟ କ୍ଷୟ ହେବ । ଅତଏବ ଏହି କାଳରେ ବିଧିପୂର୍ବକ କର୍ମ ଅନୁଷ୍ଠିତ ହେଲେ ହେଁ ଯୁଗକ୍ଷୟ ପ୍ରଭାବରୁ ସେହି କର୍ମମାନଙ୍କରୁ ବିପରୀତ ଫଳ ଉତ୍‌ପନ୍ନ ହେବ ।୩୭। କଳିଯୁଗ ବୃତ୍ତାନ୍ତ କହିଲୁ । ଅଳ୍ପଦିନରେ ଏହିଯୁଗ ପ୍ରବର୍ତ୍ତିତ ହେବ । ଚିରଜୀବୀ ବ୍ୟକ୍ତିମାନେ ମଧ୍ୟ ଏହିରୂପେ ଯୁଗଧର୍ମର ଅନୁବର୍ତ୍ତୀ ହୁଅନ୍ତି ।୩୮। ହେ ଶତ୍ରୁହନ୍‌ ! ଆମ୍ଭଙ୍କୁ ଜାଣିବା ନିମିତ୍ତ ତୁମ୍ଭର ଯେ କୌତୂହଳ ଜନ୍ମିଅଛି, ତାହା ଅନୁପଯୁକ୍ତ । ଏତାଦୃଶ ଅନର୍ଥକ ବିଷୟ ଜାଣିବାରେ ବିଜ୍ଞ ବ୍ୟକ୍ତିମାନେ କି କାରଣରୁ ପ୍ରବୃତ୍ତ ହୁଅନ୍ତି ? ୩୯। ଅତଏବ, ହେ ମହାବାହୋ ! ତୁମ୍ଭେ ଯେ ଯୁଗସଂଖ୍ୟାଦି ବିଷୟ ପଚାରିଥିଲେ, ତାହା ଆମ୍ଭେ ସମସ୍ତ କୀର୍ତ୍ତନ କଲୁ । ତୁମ୍ଭର କଲ୍ୟାଣ ହେଉ; ଏବେ ଗମନ କର ।୪୦।

 

॥ ଅଧ୍ୟାୟ – ୧୫୦ ॥

 

ଭୀମ କହିଲେ– ଆମ୍ଭେ ଆପଣଙ୍କର ପୂର୍ବରୂପ ଦର୍ଶନ ନ କରି କଦାପି ଗମନ କରିବୁ ନାହିଁ । ଯଦି ଆପଣ ଆମ୍ଭଠାରେ ଅନୁଗ୍ରହ କରନ୍ତି, ତେବେ ଆମ୍ଭଙ୍କୁ ଆପଣ ସ୍ୱଇଚ୍ଛାରେ ସେହି ଆତ୍ମରୂପକୁ ଦେଖାନ୍ତୁ ।୧। ବୈଶମ୍ପାୟନ କହିଲେ– ଭୀମ ଏହିରୂପ କହନ୍ତେ ପ୍ଳବଙ୍ଗମ ଈଷଦ୍ ହାସ୍ୟ କରି ସାଗର ଲଙ୍ଘନ କାଳରେ ତାହାଙ୍କର ଯେଉଁ ଅପ୍ରତିମ ରୂପ ହୋଇଥିଲା, ସେହି ରୂପକୁ ପ୍ରଦର୍ଶନ କଲେ । ଭ୍ରାତାଙ୍କ ପ୍ରିୟ କାମନାରେ ସେ ଆପଣାର ଶରୀରକୁ ବର୍ଦ୍ଧିତ କଲେ । ତହିଁରେ ତାହାଙ୍କର ଦେହ ଦୈର୍ଘ୍ୟରେ ଓ ବିସ୍ତାରରେ ଅତ୍ୟନ୍ତ ବିଶାଳ ହେଲା ।୩। ଅପରିମିତ ତେଜସ୍ୱୀ କପୀଶ୍ୱର ସେହି ବିଶାଳ ଶରୀରଦ୍ୱାରା ସପାଦପ କଦଳୀ ଶଣ୍ଡକୁ ଆଚ୍ଛାଦିତ କଲେ ଓ ସେହି ଅତି ଉଚ୍ଚ ଗିରିକୁ ଆକ୍ରମଣ କରି ଦଣ୍ଡାୟମାନ ହେଲେ ।୪। ହନୁମାନ ଆପଣାର ଦୀର୍ଘ ଲାଙ୍ଗୁଳ ସଞ୍ଚାଳନ କରୁ କରୁ ତାମ୍ରବର୍ଣ୍ଣ ଲୋଚନ, ତୀକ୍ଷ୍‌ଣ ଦ୍ରଂଷ୍ଟ୍ର, କୁଟିଳ ଭ୍ରୂକୁଟୀଯୁକ୍ତ ଆନନକୁ ପ୍ରକାଶ କଲେ । ତହିଁରେ ଏକ ବୃହତ୍ ଶରୀର ଦିଗମାନଙ୍କୁ ଆବୃତ କଲା ଓ ଦ୍ୱିତୀୟ ପର୍ବତ ପ୍ରାୟ ଅବସ୍ଥିତ ହୋଇ ରହିଲା । କୌରବନନ୍ଦନ ଭୀମସେନ ତତ୍‌କାଳରେ ଭ୍ରାତାଙ୍କର ସେହି ଅତି ବୃହତ୍ ଶରୀରକୁ ଲକ୍ଷ୍ୟକରି ବିସ୍ମୟାନ୍ୱିତ ହେଲେ; ଅଥଚ ଅତିଶୟ ହୃଷ୍ଟ ହେଲେ । ସୂର୍ଯ୍ୟଙ୍କ ପ୍ରାୟ ତେଜଃପୁଞ୍ଜ ଓ ପ୍ରଦୀପ୍ତ ଆକାଶପ୍ରାୟ ବ୍ୟାପକ ସୁବର୍ଣ୍ଣ ପର୍ବତ ପ୍ରାୟ ହନୁମାନଙ୍କୁ ନିରୀକ୍ଷଣ କରି ନେତ୍ରଦ୍ୱୟକୁ ନମିଳନ କଲେ । ତାହା ଦେଖି ହନୁମାନ ଈଷତ୍ ହାସ୍ୟ କରି ଭୀମଙ୍କୁ କହିଲେ, ।୮। “ହେ ନିଷ୍ପାପ ! ଆମ୍ଭର ଏଡିକି ଆକୃତି ଦେଖିବାକୁ ତୁମ୍ଭର ସାମର୍ଥ୍ୟ ଅଛି; କିନ୍ତୁ ଆମ୍ଭେ ଏହା ଅପେକ୍ଷା ମଧ୍ୟ ବର୍ଦ୍ଧିତ ହୋଇପାରୁ । ହେ ଭୀମ ! ଆମ୍ଭେ ଯେତେ ଇଚ୍ଛାକରୁ, ତେତେ ସ୍ୱକୀୟ ଆକୃତିକୁ ବର୍ଦ୍ଧନ କରିପାରୁ । ଶତ୍ରୁଙ୍କ ମଧ୍ୟରେ ଆମ୍ଭର ମୂର୍ତ୍ତି ବଳଦ୍ୱାରା ଅତିଶୟ ବର୍ଦ୍ଧିତ ହୋଇପାରେ ।୯।

 

ବୈଶମ୍ପାୟନ ବୋଇଲେ– ହନୁମାନଙ୍କର ବିନ୍ଧ୍ୟପର୍ବତ ସନ୍ନିଭ ସେହି ମହାଭୟାନକ ଅଭୁତ ଶରୀରକୁ ସନ୍ଦର୍ଶନ କରି ମହାତ୍ମା ପବନ କୁମାର ଭୀମ ସଂଭ୍ରମଯୁକ୍ତ ହେଲେ ଓ ତାହାଙ୍କର ଶରୀର ଲୋମରେ କଣ୍ଟକିତ ହେଲା ।୧୦। ତଦନନ୍ତର ହର୍ଷରେ ଲୋମାଞ୍ଚିତ ହୋଇ କୃତାଞ୍ଜଳିପୁଟରେ ଭୀମ କହିଲେ, ହେ ବିଭୋ ! ତୁମ୍ଭ ଶରୀରର ବିପୁଳ ପ୍ରମାଣକୁ ଆମ୍ଭେ ଦେଖିଲୁଁ । ହେ ମହାବୀର୍ଯ୍ୟ ! ଏବେ ସ୍ୱୟଂ ଆପଣାର ଏହି ଭୟଙ୍କର ରୂପକୁ ଆପେ ସଂହରଣ କରନ୍ତୁ ।୧୨। ଆପଣଙ୍କର ଏହି ରୂପ ଅପ୍ରମେୟ ଅଟେ । ଦିବାକର ପ୍ରାୟ ତେଜୀୟାନ୍‌, ଆମ୍ଭେ ଏହାକୁ ଦର୍ଶନ କରିବାକୁ ଅସମର୍ଥ । ଏହା ମୈନାକ ପର୍ବତ ପ୍ରାୟ ଅବସ୍ଥିତ ହୋଇଅଛି ।୧୩। ହେ ବୀର ! ଅଦ୍ୟ ଆମ୍ଭ ମନରେ ଅତିଶୟ ବିସ୍ମୟ ଜାତ ହେଲା । ଆପଣ ନିକଟରେ ଥାଉଁ ଥାଉଁ ରାମଚନ୍ଦ୍ର ସ୍ୱୟଂ କି କାରଣ ରାବଣ ପ୍ରତି ଆକ୍ରମଣ କଲେ ।୧୪। ଆପଣ ଏକାକୀ ଯୋଦ୍ଧୃଗଣ ଓ ତାହାଙ୍କର ବାହନ ସହିତ ଲଙ୍କାପୁରୀକୁ ଅନାୟାସରେ ବିନାଶ କରିବାକୁ ସମର୍ଥ ଅଟନ୍ତି ।୧୫।

 

ହେ ମାରୁତସୁତ ! ଆପଣଙ୍କର ଅପ୍ରାପ୍ୟ କିଛି ନାହିଁ । ଯୁଦ୍ଧରେ ରାବଣ ଓ ତାହାର ବଳବାହନ ସମସ୍ତେ ଏକାକୀ ଆପଣଙ୍କର ସମାନ ନୁହନ୍ତି ।୧୬। ବୈଶମ୍ପାୟନ ବୋଇଲେ– ଭୀମସେନଙ୍କର ଏହି ବଚନ ଶ୍ରବଣ କରି ପ୍ଳଗବଶ୍ରେଷ୍ଠ ହନୁମାନ ସ୍ନଗ୍‌ଧ ଓ ଗମ୍ଭୀର ବାକ୍ୟଦ୍ୱାରା ପ୍ରତି ଉତ୍ତର ଦେଲେ ।୧୭। ହନୁମାନ ବୋଇଲେ– ହେ ମହାବାହୋ ଭାରତ ଭୀମସେନ ! ଆପଣ ଯାହା କହିଲେ, ତାହା ସତ୍ୟ ଅଟେ । ଏହି ରାକ୍ଷସାଧମ ରାବଣ ଯେ ଏକାକୀ ମୋତେ ନିଅଣ୍ଟ, ତାହା ନିଶ୍ଚିତ ।୧୮। କିନ୍ତୁ ଲୋକକଣ୍ଟକ ରାବଣକୁ ମୁଁ ନିହତ କରିଥିଲେ ରାଘବଙ୍କର କୀର୍ତ୍ତି ବିନଷ୍ଟ ହୋଇଥାନ୍ତା । ଏହି କାରଣରୁ ଆମ୍ଭେ ତାହାଙ୍କୁ ଉପେକ୍ଷା କଲୁଁ ।୧୯। ରଘୁ କୁଳତିଳକ ରାମଚନ୍ଦ୍ର ଏହି ରାକ୍ଷସାଧିପତିଙ୍କୁ ଓ ତାହାର ଅନୁଚରଗଣଙ୍କୁ ସ୍ୱୟଂ ନିହତ କରି ସୀତାଙ୍କୁ ସ୍ୱୀୟ ପୁରକୁ ଆନୟନ କଲେ ଓ ନରଲୋକରେ ତାହାଙ୍କର ଏହି କୀର୍ତ୍ତି ସ୍ଥାପିତ ହେଲା ।୨୦। ହେ ବିପ୍ର ! ବୁଦ୍ଧିମାନ ! ତୁମ୍ଭର ଭ୍ରାତାଙ୍କ ପ୍ରିୟକାର୍ଯ୍ୟରେ ଓ ଯହିଁରେ ତାହାଙ୍କର ହିତ ହେବ, ତହିଁରେ ରତ ହୋଇଅଛ । ତୁମ୍ଭର ଅରିଷ୍ଟ ବିନଷ୍ଟ ହେଉ; ପଥରେ ମଙ୍ଗଳ ହେଉ, ବାୟୁ ତୁମ୍ଭଙ୍କୁ ରକ୍ଷା କରନ୍ତୁ ।୨୧।

 

ହେ କୁରୁଶ୍ରେଷ୍ଠ ! ସୌଗନ୍ଧିକ ବନକୁ ଗମନ କରିବା ନିମିତ୍ତ ଏହି ପନ୍ଥା ଦୃଶ୍ୟ ହେଉଅଛି । ସେହି ବନ ଧନଦ କୁବେରଙ୍କର । ଯକ୍ଷ ଓ ରାକ୍ଷସଗଣ ତାହା କରୁଅଛନ୍ତି ।୨୨। ତୁମ୍ଭର ଏପରି ଉପଦ୍ରବ କରିବା ଉଚିତ ନୁହେଁ । ସ୍ୱୟଂ କୁସୁମ ତୋଳିବ ନାହିଁ, ଦେବତାମାନେ ମନୁଷ୍ୟଙ୍କର ନମସ୍କରଣୀୟ; ବଳି ଓ ହୋମଦ୍ୱାରା ସେମାନେ ପ୍ରସନ୍ନ ହୁଅନ୍ତି । ତାହାଙ୍କ ପ୍ରତି ଭକ୍ତି ପ୍ରଦର୍ଶନ କଲେ, ହେ ଭାରତ ! ସେମାନେ ସନ୍ତୁଷ୍ଟ ହୁଅନ୍ତି ।୨୪। ତାତ ! ତୁମ୍ଭେ ସାହସ ପ୍ରକାଶ ନ କରି ସ୍ୱଧର୍ମକୁ ପ୍ରତିପାଳନ କର । ଆପଣା ଧର୍ମରେ ଥାଇ ପରମ ଧର୍ମକୁ ଶିକ୍ଷାକର; ସେହି ପଥରେ ଗମନ କର ।୨୫। ପରମ ଧର୍ମକୁ ଶିକ୍ଷା ନକରି ବୃଦ୍ଧ ଜନମାନଙ୍କର ସେବା ନ କରି, ବୃହସ୍ପତି ସମାନ ବିଜ୍ଞଜନ ସୁଦ୍ଧା ଧର୍ମର ଓ ଅର୍ଥର ମର୍ମକୁ ଅବଗତ ହେବାକୁ ସମର୍ଥ ହୁଅନ୍ତି ନାହିଁ ।୨୬।

 

ଅଧର୍ମ ଯେଉଁଠାରେ ଧର୍ମ ବୋଲି କଥିତ ହୁଏ, ଧର୍ମ ଯେଉଁଠାରେ ଅଧର୍ମ ବୋଲି ପରିଜ୍ଞେୟ ହୁଏ, ତାହା ଜାଣିବା କର୍ତ୍ତବ୍ୟ । ନିର୍ବୁଦ୍ଧି ଲୋକେ ଜାଣିନପାରି ମୋହଗ୍ରସ୍ତ ହୁଅନ୍ତି ।୨୭। ଆଚାରରୁ ଧର୍ମ ଜାତ ହୁଏ । ଧର୍ମରେ ବେଦମାନେ ପ୍ରତିଷ୍ଠିତ ଅଛନ୍ତି । ବେଦରୁ ଯଜ୍ଞମାନେ ଜାତ ହୋଇଅଛନ୍ତି ଓ ଯଜ୍ଞଦ୍ୱାରା ଦେବତାମାନେ ପ୍ରତିଷ୍ଠିତ ।୨୮। ବେଦାଚାରର ବିଧାନମତେ ହେଉଥିବା ଯଜ୍ଞଦ୍ୱାରା ଦେବତାମାନଙ୍କର ଜୀବିକା ଚଳୁଚି ଓ ମନୁଷ୍ୟମାନଙ୍କର ନିର୍ବାହ ନିମିତ୍ତ ବୃହସ୍ପତି ଓ ଶୂଦ୍ର ଯେଉଁ ନୀତିଶାସ୍ତ୍ର କହିଅଛନ୍ତି, ତାହା ମାନ୍ୟ କରିବା କର୍ତ୍ତବ୍ୟ ।୨୯।

 

ଭରଣାଚ୍ଛାଦାନ ନିମିତ୍ତ ରାଜସେବା କରାଯାଏ, କର ଗ୍ରହଣ ବାଣିଜ୍ୟ, କୃଷି ଓ ଗୋମେଷାଦି ପଶୁଙ୍କର ପାଳନଦ୍ୱାରା ସଂସାରର ସମସ୍ତ କାର୍ଯ୍ୟ ନିର୍ବାହିତ ହେଉଅଛି । ବେଦବିହିତ ଯଜନ, ଯାଜନ, ଅଧ୍ୟୟନ, ଅଧ୍ୟାପନାଦି ଓ ପୂର୍ବୋକ୍ତ ଭରଣାଚ୍ଛାଦନ ନିମିତ୍ତ ରାଜସେବା ଏବଂ ଦଣ୍ଡନୀତିରେ ଏମାନେ ବିଭକ୍ତ ହୋଇ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ଜାତିକର୍ତ୍ତୃକ ପରିସେବିତ ହୁଅନ୍ତି । ସ୍ୱ ସ୍ୱ ଜାତୀୟ ଧର୍ମାନୁଗତ ସେହି ତ୍ରିବିଧ ବିଦ୍ୟାର ଅନୁଷ୍ଠାନଦ୍ୱାରା ସଂସାର ସୁରକ୍ଷିତ ହୁଏ । ପରନ୍ତୁ ସେହି ସମସ୍ତ କାର୍ଯ୍ୟ ବିଶେଷରୂପେ ଜ୍ଞାତ ଥାଇ ସମ୍ୟକ୍‌ରୂପେ ତଦନୁରୂପ କାର୍ଯ୍ୟ କରିପାରିଲେ ଲୋକଯାତ୍ରା ନିର୍ବାହ ହୁଏ, ନତୁବା ହୁଏ ନାହିଁ ।୩୧। ସେହି ଲୋକଯାତ୍ରା ନିର୍ବାହ ଯଦି ଧର୍ମପୂର୍ବକ ଆଚରିତ ନ ହୁଏ ଓ ବେଦବିହିତ ଧର୍ମ, ରାଜଧର୍ମ, ରାଜନୀତି, ଦଣ୍ଡନୀତି ପ୍ରଭୃତି ପୃଥିବୀରେ ନଥାଏ, ତେବେ ଏହି ନିଖିଳ ଜଗତ ମର୍ଯ୍ୟାଦାଶୂନ୍ୟ ହୋଇ ଲୟପ୍ରାପ୍ତ ହେବ ।୩୨। ପ୍ରଜାମାନେ ରାଜସେବା, ବାଣିଜ୍ୟ ଓ କୃଷି ପ୍ରଭୃତି କର୍ମରେ ପ୍ରବୃତ୍ତ ନ ହେଲେ ସେମାନଙ୍କର ଉଚ୍ଛେଦ ହୁଏ । ଆହୁରି ପୂର୍ବୋକ୍ତ ତ୍ରିବଧ ଧର୍ମ ଅର୍ଥାତ୍ ବେଦଧର୍ମ, ରାଜଧର୍ମ ଓ ଦଣ୍ଡନୀତି ଯଦି ସୁନ୍ଦର ରୂପେ ଅନୁଷ୍ଠିତ ହୁଏ, ତାହାହେଲେ ସେମାନେ ଧର୍ମପ୍ରସବ କରନ୍ତି । ଆତ୍ମଜ୍ଞାନ ରୂପେ ସାତ୍ତ୍ୱିକ ଧର୍ମ ବ୍ରାହ୍ମଣମାନଙ୍କର ପ୍ରଧାନ ଧର୍ମ ଅଟେ । ଯଜ୍ଞ ଅଧ୍ୟୟନ ଓ ଦାନ ଏହି ତିନୋଟି ସାଧାରଣ ଧର୍ମ ।୩୪। ଯାଜନ, ଅଧ୍ୟାପନ ଓ ପ୍ରତିଗ୍ରହ– ଏହି ତିନିଟି ମଧ୍ୟ ବ୍ରାହ୍ମଣମାନଙ୍କର ଧର୍ମ ଅଟେ । ପ୍ରଜାପାଳନ କ୍ଷତ୍ରିୟଙ୍କର ଧର୍ମ ଅଟେ ।୩୫। ପଶୁପୋଷଣ ବୈଶ୍ୟଙ୍କର ଧର୍ମ ଅଟେ । ହଜାତିଗଣଙ୍କର ସେବା ଓ ଶୁଶ୍ରୂଷା କରିବା ଶୂଦ୍ର ଜାତିଙ୍କର ପ୍ରଧାନ ଧର୍ମ । ଭିକ୍ଷାବୃତ୍ତି, ହୋମ ଓ ବ୍ରତକାର୍ଯ୍ୟରେ ଶୂଦ୍ରମାନେ ଅନଧିକାରୀ । ଦ୍ୱିଜାତିଙ୍କ ଗୃହରେ ବାସ କରିବା ସେମାନଙ୍କର ବିଧେୟ-।୩୬।

 

ହେ କୌନ୍ତେୟ ! ଭକ୍ତ ଚାତୁର୍ବର୍ଣ୍ଣିତ ଧର୍ମ ମଧ୍ୟରେ ପ୍ରାଣୀମାନଙ୍କର ପ୍ରତିପାଳନ କରିବା କ୍ଷାତ୍ରଧର୍ମ ଅଟେ ଓ ତୁମ୍ଭର ମଧ୍ୟ ସେହି ଧର୍ମ । ଅତଏବ ତୁମ୍ଭେ ବିନୀତ ଓ ଜିତେନ୍ଦ୍ରିୟ ହୋଇ ସେହି ଧର୍ମ ପ୍ରତିପାଳନ କର ।୩୭। ଯେଉଁ କ୍ଷତ୍ରିୟ ବୃଦ୍ଧିମାନ, ଶାସ୍ତ୍ରଜ୍ଞ, ସାଧୁ ଓ ବୃଦ୍ଧମାନଙ୍କ ସହିତ ମନ୍ତ୍ରଣା କରି କାର୍ଯ୍ୟାଚରଣ କରନ୍ତି, ସେହି ବ୍ୟକ୍ତିମାନେ ଦଣ୍ଡଦ୍ୱାରା ପୃଥିବୀକୁ ଶାସନ କରିପାରନ୍ତି । କ୍ଷତ୍ରିୟ ହୋଇ ଯଦି ସେ ବ୍ୟସନୀ ହୁଅନ୍ତି, ତାହାହେଲେ ସେ ପରାଭବ ପ୍ରାପ୍ତ ହୁଅନ୍ତି, ସନ୍ଦେହ ନାହିଁ-।୩୮। ରାଜା ଯଦି ଯଥା ପାତ୍ରରେ ସମ୍ୟକ୍‍ରୂପେ ନିଗ୍ରହ ଓ ଅନୁଗ୍ରହରେ ପ୍ରବୃତ୍ତ ହୁଅନ୍ତି, ତାହାହେଲେ ଲୋକମର୍ଯ୍ୟାଦା ସୂଚାରୁରୂପେ ରକ୍ଷିତ ହୁଏ ।୩୯। ଏହି ହେତୁରୁ ଚାରମାନଙ୍କୁ ନିଯୁକ୍ତ କରି ଶତ୍ରୁମାନଙ୍କ ଦେଶରେ, ଦୁର୍ଗରେ ଓ ସୈନ୍ୟ ମଧ୍ୟରେ ଏବଂ ମିତ୍ରମାନଙ୍କର ବଳରେ କି କି କାର୍ଯ୍ୟ ହେଉଅଛି ଓ କାହାର ବୃଦ୍ଧି ହେଉଅଛି, କାହାର କ୍ଷୟ ହେଉଅଛି, କିଏ କେଉଁଠାରେ ଅବସ୍ଥିତି କରୁଅଛନ୍ତି, କାହାର ଆଶ୍ରୟ ନେଇଅଛନ୍ତି, ଏହାସବୁ ସର୍ବଦା ଜାଣିବା କର୍ତ୍ତବ୍ୟ ।୪୦। ଉପାୟ, ଚାର, ବୁଦ୍ଧି, ମନ୍ତ୍ର, ପରାକ୍ରମ, ଅନୁଗ୍ରହ, ନିଗ୍ରହ ଓ ଦକ୍ଷତାଦ୍ୱାରା ରାଜାମାନଙ୍କର କାର୍ଯ୍ୟ ସିଦ୍ଧ ହୁଏ-। ସାମ, ଦାନ, ଦଣ୍ଡ, ଭେଦ ଓ ଉପେକ୍ଷା ଏହିସବୁ ସ୍ଥଳ ବିଶେଷରେ ପୃଥକ୍ ପୃଥକ୍ ପ୍ରୟୋଗ କରି କାର୍ଯ୍ୟ ସାଧନ କରିବାକୁ ହୁଏ ।୪୨।

 

ହେ ଭାରତଶ୍ରେଷ୍ଠ ! ନୀତି ଓ ଚାର ଏହି ଦୁହିଁଙ୍କର ମୂଳ ମନ୍ତ୍ରଣା ଅଟେ । ଉତ୍ତମ ମନ୍ତ୍ରଣାପୂର୍ବକ ଯେଉଁ ନୀତିକୁ ଅବଲମ୍ବନ କରାହୋଇଥାଏ, ସେହି ନୀତି ସିଦ୍ଧିଦାୟିନୀ ହୁଏ । ଅତଏବ କାର୍ଯ୍ୟସିଦ୍ଧି ନିମିତ୍ତ ରାଜା ଦ୍ୱିଜଗଣଙ୍କ ସହିତ ମନ୍ତ୍ରଣା କରିବେ ।୪୩। ସ୍ତ୍ରୀ, ବାଳକ, ମୂଢ଼, ଲୁବ୍ଧ, କ୍ଷୁଦ୍ରାଶୟ ଓ ଉନ୍ମତ୍ତ ବ୍ୟକ୍ତି ସହିତ ଗୋପନୀୟ ବିଷୟରେ ମନ୍ତ୍ରଣା କରିବ ନାହିଁ ।୪୪। ରାଜା ବିଜ୍ଞ ବ୍ୟକ୍ତିଙ୍କ ସହିତ ମନ୍ତ୍ରଣା କରିବେ । ସମର୍ଥ ବ୍ୟକ୍ତିଙ୍କଦ୍ୱାରା କର୍ମସାଧନ କରିବେ । ଯେଉଁମାନଙ୍କର ଚିତ୍ତ ପ୍ରଶାନ୍ତି, ସେମାନଙ୍କଦ୍ୱାରା ନୀତି ସ୍ଥାପନ କରିବେ । ମୂର୍ଖକୁ କୌଣସି ବିଷୟରେ ଭାରାର୍ପଣ କରିବେ ନାହିଁ ।୪୫। ଧାର୍ମିକକୁ ଧର୍ମକାର୍ଯ୍ୟରେ, ପଣ୍ଡିତକୁ ଅର୍ଥକାର୍ଯ୍ୟରେ, କ୍ଳୀବଙ୍କୁ ସ୍ତ୍ରୀମାନଙ୍କ ରକ୍ଷଣରେ ଓ କ୍ରୂର ବ୍ୟକ୍ତିଙ୍କୁ କ୍ରୂର କର୍ମରେ ନିଯୁକ୍ତ କରିବେ ।୪୬। ଶତ୍ରୁପକ୍ଷୀୟମାନଙ୍କୁ ଉତ୍‌କୋଚାଦି ପ୍ରଦାନଦ୍ୱାରା ଲୋଭିତ କରି ସେମାନଙ୍କଠାରୁ କର୍ତ୍ତବ୍ୟାକର୍ତ୍ତବ୍ୟ ବିଷୟରେ ବୁଦ୍ଧିଲାଭ କରାଯାଇପାରେ ଏବଂ ଶତ୍ରୁମାନଙ୍କର ବଳାବଳ ଜଣାଯାଇପାରେ । ଶରଣାଗତ ଜନକୁ ପରୀକ୍ଷା କରି ତାହା ପ୍ରତି ଅନୁଗ୍ରହ କରିବ । ନ୍ୟାୟ ପଥରେ ନ ଥାଇ ଯେଉଁ ବ୍ୟକ୍ତି ଅଶିଷ୍ଟ ହୋଇଥାଏ, ତାହା ପ୍ରତି ନିଗ୍ରହ ପ୍ରୟୋଗ କରିବ । କାର୍ଯ୍ୟ ବିଶେଷରେ ଅନୁଗ୍ରହ, ବିବେଚନାପୂର୍ବକ ପ୍ରଯୁକ୍ତ ହେଲେ ଲୋକମର୍ଯ୍ୟାଦା ସୁଚାରୁରୂପେ ବ୍ୟବସ୍ଥିତ ହୁଏ ।

 

ହେ ପାର୍ଥ ! ଏହିସବୁ ଦୁର୍ବିଜ୍ଞେୟ ଓ ସୁକଠିନ ରାଜଧର୍ମମାନ ତୁମ୍ଭଙ୍କୁ କହିଲୁ । ତୁମ୍ଭେ ବିନୟୀ ହୋଇ ସ୍ୱଧର୍ମକୁ ବିଭାଗକ୍ରମେ ପାଳନ କରିବ ।୫୦। ଯେପରି ବ୍ରାହ୍ମଣମାନେ ତପସ୍ୟା, ଧର୍ମ, ଦମ ଓ ଯଜ୍ଞଦ୍ୱାରା ସ୍ୱର୍ଗପ୍ରାପ୍ତ ହୁଅନ୍ତି ଓ ବୈଶ୍ୟମାନେ ଦାନ ଓ ଆତିଥ୍ୟ-ଧର୍ମଦ୍ୱାରା ସଦ୍‌ଗତି ପ୍ରାପ୍ତ ହୁଅନ୍ତି, ତଦ୍ରୂପ କ୍ଷତ୍ରିୟମାନେ ପୃଥିବୀ ମଧ୍ୟରେ ପ୍ରଜାନିଗ୍ରହ ଓ ପ୍ରଜାପାଳନଦ୍ୱାରା ସ୍ୱର୍ଗଲାଭ କରନ୍ତି ।୫୧। ରାଜାମାନେ କାମ, ଦ୍ୱେଷ ବିବର୍ଜିତ, ଲୋଭଶୂନ୍ୟ ଓ ରୋଷବିହୀନ ହୋଇ ଦଣ୍ଡ ପ୍ରଦାନ କଲେ ସାଧୁମାନଙ୍କର ଯେଉଁ ସଦ୍‌ଗତି ହୁଏ, ସେମାନଙ୍କର ମଧ୍ୟ ସେହି ସଦ୍‌ଗତି ହୁଏ ।୫୨।

 

॥ ଅଧ୍ୟାୟ – ୧୫୧ ॥

 

ବୈଶମ୍ପାୟନ ବୋଇଲେ, ହେ ଭାରତ ! ଅତଃପର ହନୁମାନ ସ୍ୱେଚ୍ଛାକୃତ ସେହି ବିପୁଳ ଶରୀରକୁ ସମ୍ବରଣ କରି ବାହୁ ଯୁଗଳଦ୍ୱାରା ଭୀମଙ୍କୁ ପୁନଃପୁନଃ ଆଲିଙ୍ଗନ କଲେ ।୧। ଭ୍ରାତାଙ୍କ ଆଲିଙ୍ଗନରେ ଅତି ବଳବାନ ଭୀମସେନଙ୍କର ଶ୍ରାନ୍ତି ଦୂର ହେଲା ଏବଂ ତାହାଙ୍କର ସବୁ ବିଷୟରେ ମଙ୍ଗଳ ହେଲା । ତେତେବେଳେ ସେ ଆପଣାକୁ ବଳବାନ ବୋଲି ମନେକଲେ ଏବଂ ମୋ ସମାନ ମହାନ ଆଉ କେହି ନାହିଁ ଏପରି ମଧ୍ୟ ବୋଧକଲେ । କପିପ୍ରବର ହନୁମାନ ଆନନ୍ଦପ୍ରଯୁକ୍ତ ପ୍ରେମାଶ୍ରୁପୂର୍ଣ୍ଣ ନୟନରେ ପୁନର୍ବାର ଏହିସବୁ କହିଲେ ।୩। ସୌହାର୍ଦ୍ଦ୍ୟବଶତଃ ବାଷ୍ପଗଦ୍‌ଗଦ ବଚନଦ୍ୱାରା ଭୀମସେନ ସମ୍ଭାଷଣ କରି କହିଲେ, ହେ ବୀର ! ତୁମ୍ଭେ ସ୍ୱକୀୟ ଆବାସକୁ ଗମନ କର । ଯଦି ପ୍ରୟୋଜନ ହୁଏ, ତେବେ ମୋତେ ସ୍ମରଣ କରିବ ।୪।

 

ହେ ମହାବଳ ! ମୁଁ ଯେ ଏ ସ୍ଥାନରେ ଅବସ୍ଥାନ କରିଅଛି, ତାହା କେଉଁଠାରେ ପ୍ରକାଶ କରିବ ନାହିଁ । କାରଣ କୁବେରଙ୍କ ଆଳୟରୁ ଦେବ ଓ ଗନ୍ଧର୍ବ ନାରୀମାନେ କ୍ରୀଡ଼ା କରିବା ନିମିତ୍ତ ଏହି ସ୍ଥାନକୁ ଆଗମନ କରନ୍ତି । ତାହାର ସମୟ ମଧ୍ୟ ହୋଇଅଛି । ଆଜି ତୁମ୍ଭଙ୍କୁ ଦର୍ଶନ କରି ମୁଁ ମୋର ଚକ୍ଷୁ ସଫଳ କରିଅଛି । ତୁମ୍ଭଙ୍କୁ ଦେଖି ରାଘବ ମୋହର ସ୍ମୃତିପଥରେ ଆଗତ ହେଲେ । ଜଗତର ସମସ୍ତ ପ୍ରାଣୀଙ୍କର ସେହି ରାଘବ ହୃଦୟାନନ୍ଦଦାୟକ । ସେ ବିଷ୍ଣୁ ଓ ରାମ ନାମରେ ମନୁଷ୍ୟଲୋକରେ ଜାତ ହୋଇଥିଲେ । ସେ ସୂର୍ଯ୍ୟ ସ୍ୱରୂପ ହୋଇ ସୀତାଙ୍କର ବଦନାରବିନ୍ଦକୁ ବିକଶିତ କରୁଥିଲେ । ମହା ଅନ୍ଧକାର ସ୍ୱରୂପ ଦଶାନନ ବିନାଶ କରିଥିଲେ ।୭। ମହାବୀର ! ତୁମ୍ଭର ମନୁଷ୍ୟଗାତ୍ର ସ୍ପର୍ଶ କରିବାରୁ ଆମ୍ଭର ଉପଯୁକ୍ତ ଆନନ୍ଦ ଜାତ ହେଲା । ଅତଏବ ହେ କୌନ୍ତେୟ ! ଆମ୍ଭ ଦର୍ଶନ ମଧ୍ୟ ତୁମ୍ଭ ପକ୍ଷରେ ଅମୋଘ ହେଉ ।୮। ହେ ଭାରତ ! ଆମ୍ଭେ ତୁମ୍ଭର ଭ୍ରାତା, ଏଥି ନିମିତ୍ତ ତୁମ୍ଭେ ଆମ୍ଭଙ୍କୁ ବର ଯାଚ୍‌ଞ୍ଚା କର । ହେ ମହାବଳ ! ଯଦି ତୁମ୍ଭର ଅଭିଳାଷ ହୁଏ, ତେବେ ଆମ୍ଭେ ଆଜି ହସ୍ତିନା ପୁରକୁ ଗମନ କରି ଶୀଳାଘାତରେ ନୀଚାଶୟ ଧୃତରାଷ୍ଟ୍ର ପୁତ୍ରମାନଙ୍କୁ ତଥା ନଗରକୁ ବିନଷ୍ଟ ଓ ମର୍ଦ୍ଦିତ କରିପାରୁଁ । ଅଥବା ଦୁର୍ଯ୍ୟୋଧନଙ୍କୁ ବନ୍ଧନ କରି ତୁମ୍ଭ ସମୀପକୁ ଘେନି ଆସିବୁଁ ।୧୧। ସେହି ମହାତ୍ମାଙ୍କର ଉକ୍ତ ବାକ୍ୟକୁ ଶ୍ରବଣ କରି ଭୀମସେନ ପ୍ରହୃଷ୍ଟ ଅନ୍ତଃକରଣରେ ହନୁମନ୍ତଙ୍କୁ ପ୍ରତିବାକ୍ୟ କହିଲେ ।୧୨।

 

ହେ ବାନରବର ! ଆପଣଙ୍କ କହିବାଦ୍ୱାରା ଏହିସବୁ କାର୍ଯ୍ୟ ସିଦ୍ଧ ହେଲେ ବୋଲି ଜାଣୁଅଛି । ହେ ମହାବାହୋ ! ତୁମ୍ଭର ମଙ୍ଗଳ ହେଉ, ତୁମ୍ଭେ ମୋହ ପ୍ରତି ପ୍ରସନ୍ନ ହୁଅ, ଏହା ମୋହର ଇଚ୍ଛା ।୧୩। ତୁମ୍ଭେ ବୀର୍ଯ୍ୟବାନ ଓ ଅନାଥ ପାଣ୍ଡବମାନେ ଅଦ୍ୟ ତୁମ୍ଭଙ୍କୁ ପାଇ ସନାଥ ହେଲେ । ତୁମ୍ଭରି ତେଜଦ୍ୱାରା ଆମ୍ଭେମାନେ ସମସ୍ତ ଶତ୍ରୁଙ୍କୁ ପରାଜିତ କରିବୁ । ହନୁମାନ ଏହି ବଚନ ଶୁଣି ଭୀମସେନଙ୍କୁ କହିଲେ, “ତୁମ୍ଭେ ଆମ୍ଭର ଭ୍ରାତା; ଅତଏବ ସୌହାର୍ଦ୍ଦ୍ୟବଶତଃ ଆମ୍ଭେ ତୁମ୍ଭର କିଛି ପ୍ରିୟକାର୍ଯ୍ୟ କରିବୁ । ଯେତେବେଳେ ତୁମ୍ଭେ ଶତ୍ରୁମାନଙ୍କର ସେନା ମଧ୍ୟରେ ପ୍ରବେଶ କରି ସିଂହରବ କରିବ, ହେ ମହାବଳ ! ତତ୍‌କାଳରେ ଆମ୍ଭେ ତୁମ୍ଭର ସ୍ୱରକୁ ଆପଣା ସ୍ୱରଦ୍ୱାରା ପରିବର୍ଦ୍ଧିତ କରିବୁ ଓ ଅର୍ଜୁନଙ୍କର ଧ୍ୱଜ ଉପରେ ଥାଇ ଅତି ଦାରୁଣ ନିନାଦକୁ ମୋଚନ କରିବୁ ।୧୭। ଯଦ୍ଦ୍ୱାରା ତୁମ୍ଭେ ଅନାୟାସରେ ସେହି ଶତ୍ରୁମାନଙ୍କୁ ହନନ କରିବ ।” ତତ୍‌କାଳରେ ପାଣ୍ଡବନନ୍ଦନଙ୍କୁ ହନୁମାନ ଏହିପରି କହି ଅଥଚ ଭୀମଙ୍କୁ ବାଟ କହିଦେଇ ସେହିଠାରେ ଅନ୍ତର୍ହିତ ହେଲେ ।୧୯।

 

॥ ଅଧ୍ୟାୟ – ୧୫୨ ॥

 

ବୈଶମ୍ପାୟନ ବୋଇଲେ, ସେହି ବାନରବର ଗମନ କଲା ପରେ ମହାବଳ ଭୀମସେନ ହନୁମାନଙ୍କ କଥିତ ପଥ ଦେଇ ବିପୁଳ ଗନ୍ଧମାଦନ ପର୍ବତରେ ବିଚରଣ କରିବାକୁ ଲାଗିଲେ ।୧। ସେହି ସ୍ଥାନରେ ଭୀମ ହନୁମାନଙ୍କର ଶୋଭା, ଶରୀରର ମହତ୍ତ୍ୱ ଓ ଦାଶରଥୀଙ୍କର ମହାତ୍ମ୍ୟ ସ୍ମରଣ କରି ବିଚରଣ କଲେ ।୨। ସୌଗନ୍ଧିକ ବନକୁ ଯାଉ ଯାଉ ରମଣୀୟ ବନ ଓ ଉପବନମାନଙ୍କୁ ବିଲୋକନ କଲେ ।୩। କୌଣସି ସ୍ଥାନରେ ବୃକ୍ଷମାନେ ପ୍ରଫୁଲ୍ଲିତ ହୋଇଅଛନ୍ତି, କେଉଁ ବନ ନାନାବିଧ ପୁଷ୍ପରେ ବିଚିତ୍ରିତ ହୋଇଅଛି, କୌଣସି ସ୍ଥାନରେ ପଦ୍ମବନଦ୍ୱାରା ସରୋବର ବିଚିତ୍ରିତ ଦିଶୁଅଛି, ଏହିପରି ସ୍ଥାନ ଓ ସରୋବରମାନଙ୍କୁ ସେ ଦର୍ଶନ କଲେ ।୪। କୌଣସି ସ୍ଥାନରେ ବନ ମଧ୍ୟରେ ନୂତନ ମେଘପଟଳୀସଦୃଶ ମାତ୍ତଙ୍ଗବୃନ୍ଦ ପଙ୍କରେ କ୍ଲିନ୍ନ ହୋଇ ଯୂଥ ଯୂଥ ସଞ୍ଚରଣ କରୁଅଛନ୍ତି, କୌଣସି ସ୍ଥାନରେ ଚଞ୍ଚଳନୟନା ହରିଣ ଓ ହରିଣୀମାନେ ଶଷ୍ପ ଭକ୍ଷଣ କରୁଅଛନ୍ତି । ଶ୍ରୀମାନ ଭୀମସେନ ପଥ ମଧ୍ୟରେ ଏହିସବୁ ଦେଖି ଦେଖି ଦ୍ରୁତପଦ ସଞ୍ଚାରରେ ଗମନ କଲେ ।୬।

 

ସେ ସ୍ୱକୀୟ ଶୌର୍ଯ୍ୟବଳରେ ନିର୍ଭୟ ଚିତ୍ତରେ ସେହି ଗିରି ମଧ୍ୟରେ ପ୍ରବେଶ କଲେ; ଯେଉଁ ଗିରିରେ ମହିଷ, ଶାର୍ଦ୍ଦୁଳ, ବରାହ ଏମାନେ ସର୍ବଦା ବାସ କରୁଅଛନ୍ତି ।୭। ଅରଣ୍ୟ ବୃକ୍ଷମାନେ ମରୁତଦ୍ୱାରା ପ୍ରକମ୍ପିତ ହେଉଅଛନ୍ତି । ସେମାନଙ୍କର ତାମ୍ରବର୍ଣ୍ଣ ପଲ୍ଲବ ଓ କୋମଳ କୁସୂମ ସମୂହ ସଞ୍ଚାଳିତ ହେବାରୁ ବୋଧହେଉଅଛି ଯେ, ସେମାନେ ଭୀମସେନଙ୍କୁ କ୍ଳାନ୍ତ ଦେଖି ବ୍ୟଜନ କରୁଅଛନ୍ତି । ଅଥବା ବିନଷ୍ଟ ନ ହେବା ଆଶାରେ ଦୟା ପ୍ରାର୍ଥନା କରୁଅଛନ୍ତି । କ୍ରମଶଃ ପଥ ମଧ୍ୟରେ ଭୀମସେନ ମତ୍ତଭ୍ରମରସେବିତ ପଦ୍ମବନରେ ସୁଶୋଭିତ ସରୋବରଗୁଡ଼ିକୁ ଅତିକ୍ରମ କଲେ । ସେହିସବୁ ସରୋବର ପଦ୍ମପତ୍ରରେ ଅଞ୍ଜଳି ଘେନି ଭୀମସେନଙ୍କୁ ସମାଦର କଲେ । ଭୀମଙ୍କର ମନ ଓ ନୟନ ଗିରିସାନୁରେ ଓ ପୁଷ୍ପିତ ବନ ନିକରରେ ମଜ୍ଜିତ ହୋଇଥିଲେ ହେଁ ସେ ଦ୍ରୌପଦୀଙ୍କ ବାକ୍ୟ ସ୍ମରଣ କରି ଦ୍ରୁତଗମନ କଲେ ।୧୦। ଦିବାବସାନ କାଳରେ ହରିଣକୁଳରେ ସମାକୁଳିତ ସେହି ବନ ମଧ୍ୟରେ ଗୋଟିଏ ନଦୀ ଦେଖିଲେ, ଯହିଁରେ ବିପୁଳ କାଞ୍ଚନ ବର୍ଣ୍ଣ ପଦ୍ମମାନେ ପ୍ରସ୍ଫୁଟିତ ହୋଇଅଛନ୍ତି ।୧୧। ତହିଁରେ ହଂସ, କାରଣ୍ଡବ, ଚକ୍ରବାକ ନିଜେ କେଳି କରୁଅଛନ୍ତି । ସେହି ପକ୍ଷୀ ଶ୍ରେଣୀମାନେ ପର୍ବତର ଗଳଦେଶରେ ବିପୁଳ ପଙ୍କଜମାଳାରୂପେ ରଚିତ ହୋଇଅଛନ୍ତି ।୧୨।

 

ସତ୍ତ୍ୱସମ୍ପନ୍ନ ପାଣ୍ଡୁନନ୍ଦନ ଭୀମ ଏହି ନଦୀତଟରେ ତରୁଣ ସୂର୍ଯ୍ୟସମ ଦ୍ୟୂତିଶୀଳ, ପ୍ରୀତିକର ମହତ ସୌଗନ୍ଧିକ ବନକୁ ଦେଖିଲେ ।୧୩। ତଦ୍ ଦର୍ଶନରେ ସେ ମନୋରଥ ସିଦ୍ଧ ହେବାର ଜାଣି ମନେ ମନେ ପୁଷ୍ପ ଘେନି ଯେପରି କି ଦ୍ରୌପଦୀଙ୍କ ସମୀପରେ ପ୍ରବିଷ୍ଟ ହୋଇ ତାହାଙ୍କର ବନଭ୍ରମଣ ଶାନ୍ତିକୁ ଉପଶାନ୍ତ କଲେ, ଏହିପରି ତାହାଙ୍କର ବୋଧ ହେଲା ।୧୪।

 

॥ ଅଧ୍ୟାୟ – ୧୫୩ ॥

 

ବୈଶମ୍ପାୟନ ବୋଇଲେ, ଭୀମସେନ ଦେଖିଲେ ଯେ ସେହି ରମଣୀୟ ପଦ୍ମନଦୀ କୈଳାସଶିଖରସ୍ଥିତ କୁବେରଙ୍କ ଭବନ ସମୀପସ୍ଥ ଗୋଟିଏ ନିର୍ଝରରୁ ଉତ୍ପନ୍ନ ହୋଇଅଛି । ରାକ୍ଷସମାନେ ତାହାକୁ ସଦା ରକ୍ଷା କରୁଅଛନ୍ତି । ତାହା ତଟରେ ଶୋଭାମାନ କାନନ ଗୁଡିକ ସଂଯୁକ୍ତ ହୋଇଅଛି । ନାନାପ୍ରକାର ଦ୍ରୁମ ଓ ଲତାମାନଙ୍କ ଛାୟାରେ ତାହା ଆଚ୍ଛାଦିତ ହୋଇଅଛି ଏବଂ ହରିତ୍‌ବର୍ଣ୍ଣ ଅମ୍ବୁଜସମୂହରେ ମଧ୍ୟ ଏହା ସମାଚ୍ଛନ୍ନ ହୋଇଅଛି । କନକକାନ୍ତିମୟ କମଳଦ୍ୱାରା ସର୍ବୋତଭାବେ ଏହି ନଦୀ ଶୋଭିତ ହୋଇଅଛି ଓ ନାନାବିଧ ପକ୍ଷୀମାନଙ୍କଦ୍ୱାରା ଆକୀର୍ଣ୍ଣ ରହିଅଛି-। ତହିଁରେ କର୍ଦ୍ଦମ ନାହିଁ । ଜଳ ଅତି ସୁନ୍ଦର, ଘାଟସବୁ ତାହାର ଭୂଷଣ ହୋଇଅଛି । ପର୍ବତସାନୁରୁ ସମୁତପନ୍ନା ମନୋହର ନଳିନୀଯୁକ୍ତା ସେହି ସୁଜଳା ନଦୀ ଲୋକମାନଙ୍କର ଦର୍ଶନୀୟା ହୋଇଅଛି-।୪। କୁନ୍ତୀପୁତ୍ର ଭୀମ ତାହା ସମୀପକୁ ଗମନ କରି ନଦୀକୁ ଦର୍ଶନ କଲେ ଓ ତଦୀୟ ଜଳକୁ ଅତି ଶୀତଳ, ଲଘୁ, ନିର୍ମଳ ସ୍ୱାସ୍ଥ୍ୟକର ଓ ଅମୃତରସପ୍ରାୟ ଶୁଭଜନକ ଜାଣି ତହିଁରୁ ଉଦରପୂର୍ଣ୍ଣ କରି ଯଥେଷ୍ଟ ପାନ କଲେ ।୫।

 

ସେହି ନଦୀପାର୍ଶ୍ୱରେ ସୌଗନ୍ଧକ ପୁଷ୍ପସମାବୃତ ଗୋଟିଏ ସରୋବର ମଧ୍ୟ ଦେଖିଲେ । ସେହି ସରୋବର ଅତିଶୟ ସୁଗନ୍ଧଯୁକ୍ତ ଓ ସୁବର୍ଣ୍ଣକାନ୍ତିଯୁକ୍ତ ପଦ୍ମପୁଷ୍ପରେ ସମାଚ୍ଛନ୍ନ ହୋଇଅଛି ।୬। ତହିଁରେ ପଦ୍ମସବୁ ବହୁଳ ପରିମାଣରେ ଫୁଟିଅଛନ୍ତି । ପୁଷ୍ପର ମୃଣାଳଗୁଡିକ ବୈଦୂର୍ଯ୍ୟମଣିର କାନ୍ତିପ୍ରାୟ କାନ୍ତିଯୁକ୍ତ ହୋଇଅଛନ୍ତି । ଜଳଚର ହଂସ, କାରଣ୍ଡବ ପ୍ରଭୃତି ପକ୍ଷୀମାନେ ମୃଣାଳଖଣ୍ଡକୁ ଆକର୍ଷଣ କରି ଭକ୍ଷଣ କରୁଥିବାରୁ କୁସୁମର ପରାଗମନ ଖସିପଡୁଅଛି । ରାଜରାଜ ମହାତ୍ମା କୁବେରଙ୍କର ଏହି ସରୋବର କ୍ରୀଡ଼ାସ୍ଥାନ ଅଟେ । ଦେବ, ଗନ୍ଧର୍ବ, ଅପସରାମାନେ ଏହାକୁ ଅତ୍ୟନ୍ତ ଆଦର କରନ୍ତି । ଦିବ୍ୟ ଋଷିମାନେ ମଧ୍ୟ ଏହି ସରୋବରକୁ ବ୍ୟବହାର କରନ୍ତି । ଯକ୍ଷ, କିଂପୁରୁଷ, ରାକ୍ଷସ, କିନ୍ନରମାନେ ଓ ସ୍ୱୟଂ କୁବେର ମଧ୍ୟ ଏହାର ରକ୍ଷା ବିଧାନ କରନ୍ତି ।୯।

 

କୁନ୍ତୀନନ୍ଦନ ମହାବଳୀ ଭୀମ ଉକ୍ତ ନଦୀ ଓ ଦିବ୍ୟ ସରୋବରକୁ ବିଲୋକନ କରି ପରମ ପ୍ରୀତି ଲାଭ କଲେ ।୧୦। କ୍ରୋଧବଶ ନାମକ ଶତ ସହସ୍ର ରାକ୍ଷସ ରାଜାଙ୍କ ଶାସନାନୁସାରେ ପରିଚ୍ଛେଦ ପରିଧାନ ପୂର୍ବକ ବିଚିତ୍ର ଆୟୁଧମାନଙ୍କୁ ଧାରଣ କରି ଏହି ସରୋବରକୁ ରକ୍ଷା କରୁଥିଲେ ।୧୧। ସେମାନେ ଭୀମଙ୍କୁ ଦେଖିଲେ ଯେ ସେ ମୃଗଚର୍ମ ପରିଧାନ କରିଅଛନ୍ତି ଓ ସୁବର୍ଣ୍ଣମୁକୁଟ ମସ୍ତକରେ ଘେନିଅଛନ୍ତି । ତାହାଙ୍କ ହସ୍ତରେ ଖଡ୍‌ଗ ପ୍ରଭୃତି ନାନାବିଧ ଆୟୁଧ ଅଛି । ସେ ନିଶଙ୍କ ଚିତ୍ତରେ ଆହରଣ ନିମିତ୍ତ ଗମନ କରୁଅଛନ୍ତି । ଏହା ଦେଖି ସେମାନେ ପରସ୍ପର କୁହାକୁହି ହେଲେ ।୧୩। କେହି କହିଲା, ଏହି ପୁରୁଷଶାର୍ଦ୍ଦୂଳ ଅଜିନ ପରିଧାନ କରିଅଛନ୍ତି; ତଥାପି ଅସ୍ତ୍ର ଧରିଅଛନ୍ତି । ଏହି ବ୍ୟକ୍ତି କେଉଁ କାର୍ଯ୍ୟ ଇଚ୍ଛାରେ ଏଠାକୁ ଆସିଅଛନ୍ତି, ତାହା ଏହାଙ୍କୁ ପଚାର ।୧୪। ସେମାନେ ସମସ୍ତେ ଏହିପରି କଥୋପକଥନ କରି ମହାବାହୁ, ତେଜସ୍ୱୀ ବୃକୋଦରଙ୍କ ନିକଟକୁ ଯାଇ ପଚାରିଲେ, ହେ ମହାମତେ ! ତୁମ୍ଭେ ମୁନିବେଶ ଧାରଣ କରି ଅସ୍ତ୍ରଧାରଣ କରିଥିବାର ଆମ୍ଭେମାନେ ଦେଖୁଅଛୁ । ଅତଏବ ତୁମ୍ଭେ ତାହା କହ ଏବଂ ଯେଉଁ ସକାଶେ ଏଠାକୁ ଆସିଅଛ, ତାହା ମତବ୍ୟକ୍ତ କର ।

 

॥ ଅଧ୍ୟାୟ – ୧୫୪ ॥

 

ଭୀମସେନ କହିଲେ– ହେ ନିଶାଚରଗଣ ! ମୁଁ ପାଣ୍ଡୁରାଜାଙ୍କର ପୁତ୍ର, ଧର୍ମରାଜ ଯୁଧିଷ୍ଠିରଙ୍କର ଅନୁଜ, ମୋହର ନାମ ଭୀମସେନ । ହେ ରାକ୍ଷସମାନେ ! ମୁଁ ଭ୍ରାତୃମାନଙ୍କ ସହିତ ବିଶାଳ ବଦରୀତୀର୍ଥରେ ବାସକରିଅଛ ।୧। ସେଠାରେ ଗୋଟିଏ ଅନୁପମ ସୌଗନ୍ଧିକ ପୁଷ୍ପ ନିଶ୍ଚୟ ଏହିଠାରୁ ପବନଦ୍ୱାରା ଉଡିଯାଇ ପଡ଼ିଥିଲା । ଦ୍ରୌପଦୀ ସେହି ପଦ୍ମଟିକୁ ଦେଖି, ତାଦୃଶ ସୌଗନ୍ଧିକ ପୁଷ୍ପ ବହୁ ପରିମାଣରେ ପାଇବାକୁ ଅଭିଳାଷ ପ୍ରକାଶ କଲେ । ମୁଁ ସେହି ଅନିନ୍ଦିତାଙ୍ଗୀ ଧର୍ମପତ୍ନୀଙ୍କ ପ୍ରିୟ କାର୍ଯ୍ୟ ସାଧନରେ ପ୍ରବୃତ୍ତ ହୋଇ ପୁଷ୍ପସଂଗ୍ରହ କରିବାକୁ ଏ ସ୍ଥଳକୁ ଆସିଅଛି ।୩।

 

ରାକ୍ଷସମାନେ କହିଲେ, ହେ ପୁରୁଷର୍ଷଭ ! ଏହା କୁବେରଙ୍କର ପ୍ରିୟ ଉପବନ । ଏଠାରେ ମର୍ତ୍ତ୍ୟ ଧର୍ମାବଲମ୍ବୀ ମନୁଷ୍ୟମାନେ ବିହାର କରିପାରନ୍ତି ନାହିଁ । ଦେବର୍ଷି, ଯକ୍ଷ ଓ ଦେବଗଣ, ଯକ୍ଷରାଟ କୁବେରଙ୍କ ଆଦେଶୁନାସାରେ ଏହି ସରୋବରରେ ଜଳପାନ କରନ୍ତି ଓ କ୍ରୀଡ଼ା ମଧ୍ୟ କରନ୍ତି ।୫। ହେ ପାଣ୍ଡବ ! ଗନ୍ଧର୍ବ ଓ ଅପ୍‌ସରାମାନେ ସୁଦ୍ଧା ଏଠାରେ ବିହାର କରନ୍ତି । ତଦଭିନ୍ନ ଯଦି କୌଣସି ଲୋକ ଧନାଧିପ କୁବେରଙ୍କୁ ଅବମାନନା କରି ଏଠାରେ ବିହାର କରିବାକୁ ଅଭିଳାଷ କରେ, ତେବେ ସେହି ଦୁର୍ବୃତ୍ତ ବ୍ୟକ୍ତିକୁ ଶମନସଦନକୁ ଯିବାକୁ ହୁଏ । ଏହାକୁ ନିଶ୍ଚୟ ବୋଲି ଜାଣ । ହେ ବୃକୋଦର ! ଯେତେବେଳେ ତୁମ୍ଭେ ତାହାଙ୍କୁ ଅନାଦର କରି ବଳପୂର୍ବକ ଏଠାରୁ ପଦ୍ମହରଣ କରିବାକୁ ଉତ୍ସୁକ ହୋଇଅଛ, ତେତେବେଳେ ତୁମ୍ଭେ କିପରି ଆପଣାକୁ ଧର୍ମରାଜଙ୍କ ଅନୁଜ ବୋଲି ପରିଚୟ ଦେଉଅଛ ?୭। ତୁମ୍ଭେ ଯକ୍ଷରାଜଙ୍କୁ ନିବେଦନ କରି ପରିଶେଷରେ ପାନୀୟ ପାନ କର ଓ ପୁଷ୍ପ ଗ୍ରହଣ କର । ଏହାର ଅନ୍ୟଥା ହେଲେ ପୁଷ୍ପହରଣ କରିବା ଦୂରେ ଥାଉ, ପଦ୍ମପୁଷ୍ପକୁ ନିରୀକ୍ଷଣ ସୁଦ୍ଧା କରିପାରିବନାହିଁ ।୮।

 

ଭୀମସେନ ବୋଇଲେ, “ହେ ରାକ୍ଷସଗଣ ! ମୁଁ ଏଠାରେ ସେହି ମହାରାଜ ଧନେଶ୍ୱରଙ୍କୁ ଦେଖିପାରୁନାହିଁ ଯେ ତାହାଙ୍କ ନିକଟରେ ଯାଚ୍‌ଜ୍ଞ କରିବି । ପରନ୍ତୁ ତାହାଙ୍କୁ ଦେଖିଲେ ମଧ୍ୟ ତାହାଙ୍କ ନିକଟରେ ଯାଚ୍‌ଜ୍ଞ କରିବାକୁ ଇଚ୍ଛା କରେ ନାହିଁ; ଯେହେତୁରୁ ମୁଁ କ୍ଷତ୍ରୀୟ; କ୍ଷତ୍ରୀୟମାନେ କାହା ନିକଟରେ ପ୍ରାର୍ଥନା କରନ୍ତି ନାହିଁ । ଏହା ସେମାନଙ୍କର ସନାତନ ଧର୍ମ । ଅତଏବ ମୁଁ କୌଣସି ପ୍ରକାରେ କ୍ଷାତ୍ରଧର୍ମ ପରିହାର କରିବାକୁ ଇଚ୍ଛାକରେ ନାହିଁ ।୧୦। ପୁଣି ଏହି ସୁରମ୍ୟ ପଦ୍ମ ଯେ ମହାତ୍ମା କୁବେରଙ୍କ ଭବନ ମଧ୍ୟରେ ଅଛି, ଏପରି ନୁହେଁ । ଏହା ପର୍ବତ ନିର୍ଝରରେ ଉତ୍ପନ୍ନ ହୋଇଅଛି । ଏ ହେତୁରୁ ଏଥିରେ କେବଳ କୁବେରଙ୍କର କାହିଁକି ସବୁ ପ୍ରାଣୀଙ୍କର ସମାନ ଅଧିକାର ଅଛି; ସୁତରାଂ ଏବମ୍ଭୁତ ଅବସ୍ଥାପନ୍ନ ଦ୍ରବ୍ୟକୁ କିଏ କାହା ନିକଟରେ ପ୍ରାର୍ଥନା କରେ ?୧୨।

 

ବୈଶମ୍ପାୟନ ବୋଇଲେ, ଦୀର୍ଘବାହୁ ବଳବାନ ଭୀମ ରାକ୍ଷସମାନଙ୍କୁ ଏହି କଥା କହି ରୋଷାବେଶରେ ଉକ୍ତ ନଳିନୀ ମଧ୍ୟରେ ପ୍ରବେଶ କଲେ ।୧୩। ରାକ୍ଷସମାନେ କ୍ରୋଧ ସହିତ ଚତୁର୍ଦ୍ଦିଗରୁ ପ୍ରତାପବାନ ଭୀମସେନଙ୍କୁ ଭତ୍ସନା କରି ନା, ନା, ଏହି ବାକ୍ୟରେ ନିଷେଧ କରିବାକୁ ଲାଗିଲେ; କିନ୍ତୁ ମହାପରାକ୍ରମୀ, ମହାତେଜସ୍ୱୀ ଭୀମ ସେମାନଙ୍କୁ ହେୟଜ୍ଞାନ କରି ନଳିନୀ ମଧ୍ୟରେ ଅବଗାହନ କରିବାକୁ ଲାଗିଲେ ।୧୫। ତେତେବେଳେ ସେମାନେ ବଳପୂର୍ବକ ନିବାରଣ କରିବାକୁ ପ୍ରବୃତ୍ତ ହେଲେ । ଏହି ଭୀମକୁ ଧର, ବନ୍ଧନ କର, ତାହାକୁ ହାଣିଦିଅ, ମୁଁ ତାହାକୁ ଭକ୍ଷଣ କରି ଜଠରାନଳରେ ପାକ କରିବି, ଏହିପରି କହି କହି କ୍ରୋଧ ସହିତ ଘୂର୍ଣ୍ଣିତ ନେତ୍ରରେ ଶସ୍ତ୍ର ଉଞ୍ଚାଇ ଭୀମଙ୍କ ଅଭିମୁଖରେ ଦ୍ରୁତବେଗରେ ଧାବିତ ହେଲେ ।୧୬।

 

ତହିଁ ଉତ୍ତାରୁ ଭୀମ ଯମଦଣ୍ଡ ସଦୃଶ କାଞ୍ଚନପଟ୍ଟବେଷ୍ଟିତ ମହାଗୁର୍ବୀ ଗଦାକୁ ଧରି ରହ ରହ ବୋଲି କହି ସେମାନଙ୍କ ଉପରେ ବେଗରେ ନିପତିତ ହେଲେ ।୧୭। ତେତେବେଳେ ସେହି ରୌଦ୍ରରୂପ, ଅତି ଭୀଷଣାକାର କ୍ରୋଧବଶ ରାକ୍ଷସମାନେ ଭୀମଙ୍କୁ ନିହତ କରିବା ଇଚ୍ଛାରେ ତୋମର, ପଟ୍ଟୀଶ ପ୍ରଭୃତି ଅସ୍ତ୍ରଶସ୍ତ୍ରମାନଙ୍କୁ ଆସ୍ଫାଳନ କରି ସହସା ତାହାଙ୍କ ପ୍ରତି ନପତିତ ହେଲେ ଓ ତାହାଙ୍କୁ ଚତୁର୍ଦ୍ଦିଗରୁ ବେଷ୍ଟନ କଲେ ।୧୮। ଭୀମସେନ କୁନ୍ତୀଙ୍କ ଗର୍ଭରେ ବାୟୁଙ୍କ ଔରସରେ ଜନ୍ମଗ୍ରହଣ କରିଅଛନ୍ତି ଏବଂ ସତ୍ୟ ଓ ଧର୍ମରେ ତାହାଙ୍କର ସର୍ବଦା ନିଷ୍ଠା ଅଛି । ଏଥିରେ ସେ ନିଶ୍ଚୟ ଶୂର, ବଳବାନ, ବେଗଶାଳୀ, ଶତ୍ରୁହନ୍ତା ଓ ପରାକ୍ରମରେ ଶତ୍ରୁମାନଙ୍କ କର୍ତ୍ତୃକ ଅଧର୍ଷଣୀୟ ହେବେ, ତହିଁରେ ଆଉ ସନ୍ଦେହ କଅଣ ଅଛି । ସୁତରାଂ ମହାତ୍ମା ଭୀମସେନ ଶତ୍ରୁମାନଙ୍କର ଯୁଦ୍ଧବିଷୟକ ବିବିଧ ମାର୍ଗ ଓ ଶସ୍ତ୍ରସବୁ ଛେଦନ କଲେ । ପ୍ରଧାନ ପ୍ରଧାନ ଏକଶତ ବୀରଙ୍କୁ ସେହି ପୁଷ୍କରିଣୀ ନିକଟରେ ବିନାଶ କଲେ । ରାକ୍ଷସଙ୍କ ମଧ୍ୟରୁ ପ୍ରଧାନ ବୀରମାନେ ହତହେବାର ଦେଖି ଆଉମାନେ ଭୀମଙ୍କର ବଳବୀର୍ଯ୍ୟ, ବିଦ୍ୟାବଳ ଏବଂ ତାହାଙ୍କ ବାହୁବଳ ଦେଖି ସହ୍ୟ କରି ନପାରି ସହସା ସମସ୍ତେ ସବୁ ଦିଗରୁ ନିବୃତ୍ତ ହେଲେ ।୨୧। ଭୀମଙ୍କର ଭୀମାଘାତରେ କ୍ରୋଧବଶ ରାକ୍ଷସମାନେ ଅର୍ଦ୍ଦିତ, କ୍ଷତବିକ୍ଷତ ହେଲେ ଓ ମୋହଗ୍ରସ୍ତ ହେଲେ । ଶେଷରେ ସେମାନେ ରଣଭଗ୍ନ ହୋଇ କୈଳାସଶୃଙ୍ଗକୁ ଆକାଶ ମାର୍ଗରେ ସତ୍ୱର ପ୍ରଧାବିତ ହେଲେ ।୨୨।

 

ଏହି ଦିଗରେ ଶତ୍ରୁଜୟୀ ଭୀମସେନ, ଯେପରି ପୁରନ୍ଦର ଦେତ୍ୟଦାନବଦଳ ଦଳନ କରନ୍ତି, ସେହିପରି ସମରରେ ବିକ୍ରମ ପ୍ରକାଶପୂର୍ବକ ଶତ୍ରୁ ସମୂହକୁ ପରାଭବ କରି ସେହି ପୁଷ୍କରିଣୀରେ ପ୍ରବେଶ କଲେ ଓ ଅଭିଳାଷାନୁରୂପ ଅମ୍ବୁଜମାନଙ୍କୁ ଗ୍ରହଣ କଲେ ।୨୩। ତହିଁ ଉତ୍ତାରୁ ଅମୃତ ସଦୃଶ ତତ୍ରତ୍ୟ ଜଳପାନ କରି ଉତ୍ତମ ତେଜ ଓ ବୀର୍ଯ୍ୟସମ୍ପନ୍ନ ହେଲେ ଏବଂ ପୁନର୍ବାର ଉତ୍ତମ ଗନ୍ଧବିଶିଷ୍ଟ ଅନେକ ସୌଗନ୍ଧିକ ସରୋଜ ଉତ୍ପାଟନ କରି ଗ୍ରହଣ କଲେ ।୨୪। କେତେକ କ୍ରୋଧବଶ ରାକ୍ଷସ ଭୀମଙ୍କ ବଳଦ୍ୱାରା ତାଡିତ ଓ ଅତୀବ ଭୀତ ହୋଇ ଧନେଶ୍ୱରଙ୍କ ନିକଟକୁ ଗମନ କଲେ ଓ ଯୁଦ୍ଧ ବିଷୟରେ ଭୀମସେନଙ୍କର ବଳ, ବୀର୍ଯ୍ୟ ଆନୁପୂର୍ବିକ ନିବେଦନ କଲେ ।୨୫। ଧନେଶ୍ୱର ସେମାନଙ୍କର ବାକ୍ୟ ଶ୍ରବଣ କରି ହସିକରି କହିଲେ, ତୁମ୍ଭେମାନେ ଯାହା କହିଲ, ତାହା ମୋତେ ଜଣାଅଛି । ଭୀମ କୃଷ୍ଣାଙ୍କ ସକାଶେ ଇଚ୍ଛାନୁସାରେ ଅମ୍ବୁଜ ଗ୍ରହଣ କରୁ ।୨୬। ଅନନ୍ତର ସେହି ରାକ୍ଷସମାନେ ବିଗତରୋଷ ହୋଇ ଧନେଶ୍ୱରଙ୍କ ଅନୁଜ୍ଞାକ୍ରମେ କୁରୁଶ୍ରେଷ୍ଠ ଭୀମସେନଙ୍କ ନିକଟକୁ ଆଗମନ କଲେ ଏବଂ ଭୀମଙ୍କୁ ସେହି ନଳିନୀ ମଧ୍ୟରେ ଏକାକୀ ଯଥାସୁଖରେ ବିହାର କରୁଥିବାର ଦେଖିଲେ ।୨୭।

 

॥ ଅଧ୍ୟାୟ – ୧୫୫ ॥

 

ବୈଶମ୍ପାୟନ ବୋଇଲେ– ହେ ଭରତପ୍ରବର ! ତଦନନ୍ତର ଭୀମସେନ ସେହିସବୁ ମୂଲ୍ୟବାନ ବହୁ ରୂପାନ୍ୱିତ ବିମଳ କୁସୁମମାନଙ୍କୁ ସଂଗ୍ରହ କରିବାରେ ପ୍ରବୃତ୍ତ ହେଲେ ।୧। ମହାରାଜ ମହାବଳ ଭୀମସେନ ଯେଉଁ ସମୟରେ ସେହି ପଦ୍ମବନ ରକ୍ଷକ ରାକ୍ଷସମାନଙ୍କ ସହିତ ଯୁଦ୍ଧରେ ବିକ୍ରମ ପ୍ରକାଶ କରିଥିଲେ, ସେହି ସମୟରେ ଧର୍ମପୁତ୍ର ଯୁଧିଷ୍ଠିରଙ୍କର ଆବାସଭୂମି ବିଶାଳ ନଦୀତଟରେ ପ୍ରଭଞ୍ଜନ ଜାତ ହୋଇଥିଲା । ଯେପରିକି ଶୀଘ୍ରଗାମୀ ମହାନ ବାୟୁ ଶର୍କରା ବୃଷ୍ଟିକରେ, ତଦ୍ରୂପ ସେହି ଆଶ୍ରମରେ ଖରସ୍ପର୍ଶ ବାୟୁ ବହୁଥିଲା । ନିର୍ଘାତ ଶବ୍ଦ ସହିତ ମହତ ଉଲ୍‌କାପାତ ହୋଇ ଭୟ ଜନ୍ମାଇ ଥିଲା । ପ୍ରଭାକର ଅନ୍ଧକାରରେ ଆବୃତ୍ତ ହୋଇ ନିଷ୍ପ୍ରଭ ହୋଇଥିଲେ । ତାହାଙ୍କର ରଶ୍ମି ଅନ୍ଧକାରରେ ସମାଚ୍ଛନ୍ନ ହୋଇଥିଲା । ମେଦିନୀ କମ୍ପିତ ହେଲା । ଚତୁର୍ଦ୍ଦିଗରୁ ଧୂଳିପଟଳ ନିପତିତ ହେଲା । ଦିଗଦିଗନ୍ତରମାନେ ଲୋହିତ ବର୍ଣ୍ଣ ଦିଶିଲେ । ପଶୁପକ୍ଷୀମାନେ ଖରତର ରବ ମୋଚନ କଲେ । ସବୁ ଦ୍ରବ୍ୟ ଅନ୍ଧକାରରେ ଆବୃତ୍ତ ହେବାରୁ କିଛିମାତ୍ର ଦୃଶ୍ୟ ହେଲା ନାହିଁ ।

 

ଏତଦ୍‌ଭିନ୍ନ ବହୁବିଧ ଭୟଙ୍କର ଉତ୍‌ପାତ ସେ ସ୍ଥାନରେ ଉତ୍ପନ୍ନ ହେଲା । କଥକଶ୍ରେଷ୍ଠ ଧର୍ମପୁତ୍ର ଯୁଧିଷ୍ଠିର ସେହିସବୁ ଅଭୁତଘଟଣା ନିରୀକ୍ଷଣ କରି କହିଲେ ହେ ଯୁଦ୍ଧପ୍ରିୟ ପାଣ୍ଡବଗଣ ! ଆମ୍ଭମାନଙ୍କୁ କେହି ଯୁଦ୍ଧରେ ପରାଭବ କରିବ ବୋଧହୁଏ । ତୁମ୍ଭେମାନେ ସଜ୍ଜୀଭୂତ ହୁଅ । ତୁମ୍ଭମାନଙ୍କର ମଙ୍ଗଳ ହେଉ ।୭। ଆମ୍ଭେ ଯେ ରୂପ ଦେଖୁଅଛୁଁ, ତହିଁରୁ ଜଣାପଡୁଅଛି ଯେ ଆମ୍ଭମାନଙ୍କର ପରାକ୍ରମ ପ୍ରକାଶ କରିବାର ସମୟ ହୋଇଅଛି । ଅରିନ୍ଦମ ଯୁଧିଷ୍ଠିର ଏହା କହି ଚତୁର୍ଦ୍ଦିଗକୁ ଅବଲୋକନ କଲେ । କିନ୍ତୁ କୌଣସି ଦିଗରେ ବୃକୋଦରଙ୍କୁ ଦେଖିବାକୁ ପାଇଲେ ନାହିଁ-। ଭୀମଙ୍କୁ ନ ଦେଖି ସମୀପବର୍ତ୍ତିନୀ କୃଷ୍ଣା ଓ ଭ୍ରାତା ନକୁଳ, ସହଦେବଙ୍କୁ ପଚାରିଲେ, ଭୀମକର୍ମା ଭୀମ କାହାନ୍ତି ? ଦ୍ରୌପଦୀଙ୍କୁ ପଚାରିଲେ, ହେ ପାଞ୍ଚାଳୀ ! ଭୀମ କି କୌଣସି କାର୍ଯ୍ୟ କରିବାକୁ ଇଚ୍ଛା କରିଅଛନ୍ତି ? ସେ ସାହସପ୍ରିୟ କୌଣସି ସାହସର କର୍ମ ସେତ କରି ନାହାନ୍ତି ? ଅଥବା କରିଅଛନ୍ତି, ତୁମ୍ଭେ କ’ଣ ? ଏହା ନୋହିଥିଲେ ଏହିସବୁ ଉତ୍‌ପାତ ଆମ୍ଭଙ୍କୁ ତୀବ୍ରଭୟ ପ୍ରଦର୍ଶନ କରି କି ହେତୁରୁ ଚତୁର୍ଦ୍ଦିଗରୁ ପ୍ରାଦୁର୍ଭୂତ ହୁଅନ୍ତା ? ରାଜା ଏହିରୂପେ କହନ୍ତେ, ପ୍ରିୟ ହିତୈଷିଣୀ, ମନସ୍ୱିନୀ, ଚାରୁହାସିନୀ, ମହିଷୀ କୃଷ୍ଣା ତାହାଙ୍କୁ କହିଲେ ।୧୨।

 

ହେ ରାଜନ୍‌ ! ଅଦ୍ୟ ଯେଉଁ ସୌଗନ୍ଧିକ ପୁଷ୍ପପଟିକୁ ପବନ ଉଡାଇ ଆଣିଥିଲା, ଆମ୍ଭେ ପ୍ରୀତିପୂର୍ବକ ମହାବୀର ଭୀମସେନଙ୍କୁ ସେହି ଫୁଲଟି ଦେଖାଇଥିଲୁଁ ଓ ତାହାଙ୍କୁ କହିଥିଲୁ , ଯଦି ଏ ପ୍ରକାର ପୁଷ୍ପ ତୁମ୍ଭେ ଅନେକ ପାଇବ, ତେବେ ସବୁଗୁଡିକ ଘେନିଆସିବ ।୧୪। ହେ ମହାରାଜ ! ମହାବାହୁ ଭୀମସେନ ଆମ୍ଭର ପ୍ରିୟକାର୍ଯ୍ୟ ସାଧନ ନିମିତ୍ତ ସେହି ପୁଷ୍ପ ଆଣିବା ଉଦ୍ଦେଶ୍ୟରେ ପୂର୍ବୋତ୍ତର ଦିଗକୁ ଗମନ କରିଥିବେ । ଦ୍ରୌପଦୀଙ୍କ ବଚନ ଶୁଣି ନକୁଳ ଓ ସହଦେବଙ୍କୁ ରାଜା କହିଲେ, ଚାଲ, ଆମ୍ଭେମାନେ ସମସ୍ତେ ମିଳିତ ହୋଇ ଯେଉଁ ପଥରେ ଭୀମ ଯାଇଅଛନ୍ତି, ସେହି ପଥ ଦେଇ ସତ୍ୱର ଗମନ କରିବା ଓ ଆମ୍ଭର ସମଭିବ୍ୟାହାରୀ ବ୍ରାହ୍ମଣମାନେ ଶ୍ରାନ୍ତ ହେଉନ୍ତୁ ଅଥବା କୃଶ ହେଉନ୍ତୁ, ଯେ ଯେପରି ହୋଇଥାଉ ପଛେ ତାହାକୁ ତଦନୁରୂପ ରାକ୍ଷସମାନେ ବହନ କରନ୍ତୁ । ହେ ଦେବସମ ଘଟୋତ୍କଚ ! ତୁମ୍ଭେ ଦ୍ରୌପଦୀଙ୍କୁ ବହନ କର ।୧୭। ଭୀମ ଯେ ଏଠାରୁ ବହୁ ଦୂରରେ ଉପସ୍ଥିତ ହୋଇଅଛନ୍ତି, ଏହା ଆମ୍ଭ ବୁଦ୍ଧିରେ ସ୍ପଷ୍ଟ ଜଣାପଡୁଅଛି । ତାହାର ହେତୁ ଏହି ଯେ ବେଗରେ ଭୀମସେନ ବାୟୁତୁଲ୍ୟ ଓ ପୃଥିବୀକୁ ଲଙ୍ଘନ କରିବା ଉଦ୍ଦେଶ୍ୟରେ ଗରୁଡ଼ଙ୍କ ସମାନ ତରସ୍ୱୀ ଓ ଇଚ୍ଛାକ୍ରମେ ଆକାଶକୁ ଉତ୍‌ପତିତ ଓ ସେଠାରୁ ନିପତିତ ହୋଇପାରନ୍ତି । ଅତଏବ ସେ ଅନେକ ବେଳରୁ ଗମନ କରିଅଛନ୍ତି । ଏଥିରୁ ଜଣାଯାଉଅଛି ଯେ ସେ ଦୂରବର୍ତ୍ତୀ ହୋଇଅଛନ୍ତି । ହେ ରଜନୀ ଚରନିକର ! ଭୀମ ଯହିଁରେ ବ୍ରହ୍ମବାଦୀ ସିଦ୍ଧଗଣଙ୍କଠାରେ ଅପରାଧୀ ନ ହୁଅନ୍ତି, ଏହି ହେତୁରୁ ଆମ୍ଭେମାନେ ତୁମ୍ଭମାନଙ୍କ ପ୍ରଭାବରୁ ତାହାଙ୍କ ନିକଟବର୍ତ୍ତୀ ହେବାରେ ବାଞ୍ଛା କରୁ ।୨୦।

 

ହେ ଭରତର୍ଷଭ ! ଘଟୋତ୍କଚ ଓ ତାହାଙ୍କ ସଙ୍ଗୀ ନିଶାଚରମାନେ କୁବେରଙ୍କ ନଳିନୀସ୍ଥାନ ଜାଣିଥିଲେ । ସେମାନେ ଆଜ୍ଞା ପାଇବା ମାତ୍ରେ ପ୍ରୀତଚିତ୍ତରେ ତଥାସ୍ତୁ ବୋଲି କହି ପାଣ୍ଡବମାନଙ୍କୁ ଓ ଅନେକାନେକ ବ୍ରାହ୍ମଣଙ୍କୁ ଲୋମଶଙ୍କ ସହିତ ବହନ କରି ପ୍ରୟାଣ କଲେ ।୨୨। ସେମାନେ ସେହି ଶୁଭ କାନନସଂଯୁକ୍ତ ଅତି ମନୋହର ଗନ୍ଧଯୁକ୍ତ ସୌଗନ୍ଧିକ ନଳିନୀଠାରେ ଉପଗତ ହୋଇ ତାହା ତଟରେ ତରସ୍ୱୀ ମହାତ୍ମା ଭୀମଙ୍କୁ ଦେଖିଲେ ଓ ବିପୁଳନେତ୍ର ଯକ୍ଷମାନେ ନିହତ ହୋଇଥିବାର ମଧ୍ୟ ଦେଖିଲେ ।୨୪। ସେହିସବୁ ମୃତ ଯକ୍ଷମାନଙ୍କ ମଧ୍ୟରେ କାହାରି ଉରୁ ଭଗ୍ନ ହୋଇଅଛି, କାହାରି ଅବା ଗ୍ରୀବା ଚୂର୍ଣ୍ଣ ହୋଇଅଛି, ପ୍ରଜାକ୍ଷୟ ବେଳେ କୃତାନ୍ତ ଯେପରି ଦଣ୍ଡହସ୍ତ ହୋଇଥାନ୍ତି, ସେହିପରି ଭୀମସେନ କରଦ୍ୱୟରେ ଗଦା ଉଦ୍ୟତକରି କ୍ରୋଧରେ ଅଧରଦଂଶନ ଓ ନୟନଦ୍ୱୟକୁ ସ୍ତବ୍‌ଧ କରି ସେହି ନଦୀତଟରେ ଅବସ୍ଥିତ ହୋଇଥିଲେ । ଧର୍ମରାଜ ଯକ୍ଷମାନଙ୍କୁ ନିହତ ଓ ଭୀମଙ୍କୁ ତଦ୍ରୂପ ଭାବାପନ୍ନ ଦେଖି ତାହାଙ୍କୁ ପୁନଃପୁନଃ ଆଲିଙ୍ଗନ କରି ମଧୁର ବାକ୍ୟରେ କହିଲେ, “ହେ କୌନ୍ତେୟ ! ତୁମ୍ଭେ ଏ କି କର୍ମ କରିଅଛ ? ତୁମ୍ଭର ମଙ୍ଗଳ ହେଉ ! ତୁମ୍ଭେ ଯଦି ଆମ୍ଭର ପ୍ରିୟକର୍ମ କରିବାର ଅଭିଳାଷ କର, ତେବେ ଆଉ କଦାପି ଏପରି ସାହସିକ ଓ ଦେବତାମାନଙ୍କର ଅପ୍ରିୟ କାର୍ଯ୍ୟ କରିବ ନାହିଁ ।’’

 

ରାଜା ଯୁଧିଷ୍ଠିର ଏହିରୂପେ ଭୀମଙ୍କୁ ଅନୁଶାସନ କରି ତତ୍‍ପରେ ଦେବତାମାନଙ୍କ ପ୍ରାୟ ସବୁ ପାଣ୍ଡବମାନେ ପଦ୍ମଗ୍ରହଣ କରି ନଳିନୀରେ ବିହାର କରିବାରେ ପ୍ରବୃତ୍ତ ହେଲେ । ଏହି ସମୟରେ ସେହିସବୁ ଉଦ୍ୟାନରକ୍ଷକ ଶୀଳାୟୁଧଧାରୀ ମହାକାୟ ନିଶାଚରମାନେ ସେଠାରେ ଉପସ୍ଥିତ ହେଲେ । ହେ ଭାରତ ! ସେମାନେ ସମସ୍ତେ ଧର୍ମରାଜଙ୍କୁ, ମହର୍ଷି ଲୋମଶଙ୍କୁ, ନକୁଳ, ସହଦେବ ଓ ଅନ୍ୟାନ୍ୟ ବ୍ରାହ୍ମଣଙ୍କୁ ଦେଖି ବିନୟରେ ଅବନତ ହୋଇ ପ୍ରଣିପାତ କଲେ ।୩୨। ରାତ୍ରିଚରମାନେ ଧର୍ମରାଜଙ୍କଠାରୁ ସାନ୍ତ୍ୱନା ପାଇ ପ୍ରସନ୍ନ ହେଲେ । କୁରୁବଂଶୀୟମାନେ ସେଠାରେ କୁବେରଙ୍କୁ ଜଣାଇ ଅର୍ଜୁନଙ୍କ ପ୍ରତୀକ୍ଷାରେ କିଛି କାଳ ରହି ଗନ୍ଧମାଦନଶୀଳାରେ କ୍ରୀଡ଼ା କଲେ ।୩୪।

 

॥ ଅଧ୍ୟାୟ – ୧୫୬ ॥

 

ବୈଶମ୍ପାୟନ କହିଲେ, ସେମାନେ ସେହିଠାରେ ବାସ କରୁଥାନ୍ତି, ଏମନ୍ତ ସମୟରେ ଯୁଧିଷ୍ଠିର ଆପଣାର ଭ୍ରାତାଗଣଙ୍କୁ, ଦ୍ରୌପଦୀଙ୍କୁ ଓ ଦ୍ୱିଜଗଣଙ୍କୁ ସମ୍ବୋଧନ କରି କହିଲେ ।୧। ଆମ୍ଭେମାନେ ମଙ୍ଗଳମୟ ଓ ପୁଣ୍ୟଜନକ ତୀର୍ଥମାନଙ୍କୁ ଦେଖିଲୁ । ପୂର୍ବକାଳରେ ଦେବତାମାନେ ଓ ମହାତ୍ମା ମୁନିମାନେ ଯେଉଁସବୁ ମନର ଆହ୍ଲାଦକାରୀ ବନରେ ବିଚରଣ କରୁଥିଲେ, ତହିଁରେ ଆମ୍ଭେମାନେ ଯଥାସୁଖରେ ଭ୍ରମଣ କଲୁଁ । ଯେଉଁସବୁ ସ୍ଥାନ ଦ୍ୱିଜମାନଙ୍କର ପୂଜନୀୟ, ସେହିସବୁ ସ୍ଥାନକୁ କ୍ରମେ କ୍ରମେ ଗୋଟି ଗୋଟି କରି ବିଶେଷରୂପେ ଦର୍ଶନ କରିଅଛୁଁ ।୩। ଋଷିମାନଙ୍କର ପୂର୍ବଚରିତ ଓ ଆଚରିତମାନ ଓ ରାଜର୍ଷିମାନଙ୍କର ଚରିତ ଅଥଚ ନାନାବିଧ ପୁଣ୍ୟକଥାମାନ ଶ୍ରବଣ କଲୁ । ସେହିସବୁ ପୁଣ୍ୟକଥା ସଂକ୍ରାନ୍ତ ପୁଣ୍ୟଜନକ ଆଶ୍ରମପଦରେ ଦ୍ୱିଜମାନଙ୍କ ସହିତ ସୁଖରେ ବାସକରି ସେଠାରେ ସ୍ନାନ କଲୁ ।୫।ତୁମ୍ଭେମାନେ ମଧ୍ୟ ଜଳ ଓ ଫୁଲଦ୍ୱାରା ଦେବତାମାନଙ୍କର ନିୟତ ଅର୍ଚ୍ଚନା କଲ । ଯଦୃଚ୍ଛାପ୍ରାପ୍ତ ଫଳମୂଳଦ୍ୱାରା ପିତୃଲୋକର ତୃପ୍ତି ସାଧନ କରିଅଛ ।୬। ରମଣୀୟ ଶୈଳମଧ୍ୟସ୍ଥ ସରୋବର ସମୂହରେ ଓ ମହାପୁଣ୍ୟ ସମୁଦ୍ରରେ ମହାତ୍ମାମାନଙ୍କ ସହିତ ଅବଗାହନ କଲ ।୭। ଇଳା, ସରସ୍ୱତୀ, ନର୍ମଦା ଓ ଅଗଣ୍ୟ ମନୋହର ତୀର୍ଥରେ ଦ୍ୱିଜମାନଙ୍କୁ ସହିତ ସ୍ନାନକଲ ।୮। ସିନ୍ଧୁ, ଯମୁନା ଓ ଗଙ୍ଗାଦ୍ୱାରକୁ ଅତିକ୍ରମ କରି ବହୁସଂଖ୍ୟକ ଶୁଭ ପର୍ବତ ଓ ନାନାପକ୍ଷୀସମାକୁଳିତ ହିମାଚଳକୁ ଦର୍ଶନ କଲ ।୧୦। ନରନାରାୟଣା ଶ୍ରମକୁ, ବଦରୀ ଆଶ୍ରମକୁ, ବିଶାଳ ନଦୀକୁ ଓ ସିଦ୍ଧ ଦେବର୍ଷି ପୂଜିତ ଦିବ୍ୟ ପୁଷ୍ପରିଣୀକୁ ଦର୍ଶନ କଲ ।୧୦।

 

ହେ ଦ୍ୱିଜଶ୍ରେଷ୍ଠଗଣ ! ମହାତ୍ମା ଲୋମଶ ଆମ୍ଭମାନଙ୍କୁ ଯଥାକ୍ରମେ ସମସ୍ତ ପୁଣ୍ୟତୀର୍ଥକୁ ବିଶେଷରୂପେ ଦର୍ଶନ କରାଇଅଛନ୍ତି ।୧୧। ହେ ଭୀମ ! ଏବେ ବିଚାର କର ଯେ ଏହି ସିଦ୍ଧଗଣ ନିଷେବିତ, ପୁଣ୍ୟତମ କୁବେରଙ୍କ ଭବନକୁ କିପରି ଗମନ କରିବା ? ୧୨। ବୈଶମ୍ପାୟନ ବୋଇଲେ, ରାଜେନ୍ଦ୍ର ଯୁଧିଷ୍ଠିର ଏହିପରି କହୁଅଛନ୍ତି, ଏମନ୍ତ ସମୟରେ ଦୈବବାଣୀ ହେଲା, ହେ ରାଜନ୍‌ ! ଏଠାରୁ କୁବେରଙ୍କ ଭବନକୁ ଯିବାର ପଥ ଅତି ଦୁର୍ଗମ । ସେ ବାଟେ ଯିବା ଦୁଃସାଧ୍ୟ । ଅତଏବ ତୁମ୍ଭେ ଯେଉଁ ପଥ ଦେଇ ଆସିଅଛ, ସେହି ପଥଦେଇ ପ୍ରତିଗମନ କର । ହେ କୌନ୍ତେୟ-! ବଦରିକାଶ୍ରମରୁ ବୃଷପର୍ବାଙ୍କ ଆଶ୍ରମକୁ ଗମନ କରିବ । ସେଠାରେ ସିଦ୍ଧ ଓ ଚାରଣଗଣ ବାସ କରନ୍ତି । ପୁଷ୍ପଫଳସମନ୍ୱିତ ସୁରମ୍ୟ ବୃକ୍ଷମାନେ ଅଛନ୍ତି ।୧୫। ତତ୍‍ପରେ ସେହି ଆଶ୍ରମକୁ ଅତିକ୍ରମ କରି ଆର୍ଷ୍ଣିସେନଙ୍କ ଆଶ୍ରମରେ ବାସ କରିବ । ସେଠାରୁ କୁବେରଙ୍କ ଭବନ ଦେଖାଯାଏ-।୧୬। ଏହିରୂପେ ଦୈବବାଣୀ ହେଉଅଛି, ଏମନ୍ତ ସମୟରେ ସୁଖ ଓ ପ୍ରମୋଦକର ଶୀତଳ, ଦିବ୍ୟପବନ ପ୍ରବାହିତ ହେଲା ଓ ପୁଷ୍ପବୃଷ୍ଟି ହେଲା ।୧୭। କି ଋଷି, କି ବ୍ରାହ୍ମଣ, କି ପାର୍ଥିବଗଣ ସମସ୍ତେ ଆକାଶବାଣୀ ଶ୍ରବଣ କରି ବିସ୍ମିତ ହେଲେ ।୧୮। ବିପ୍ର ଧୌମ୍ୟ ସେହି ମହତ ଅଶ୍ଚର୍ଯ୍ୟ ବ୍ୟାପାର ଶ୍ରବଣ କରି କହିଲେ, ମହାରାଜ ! ଏହି ଆକାଶବାଣୀର ଉତ୍ତର ଦେବାର ସାମର୍ଥ୍ୟ ନାହିଁ-। ଏହି ଅନୁସାରେ କାର୍ଯ୍ୟାଚରଣ କରନ୍ତୁ ।୧୯। ତଦନନ୍ତର ରାଜା ଯୁଧିଷ୍ଠିର ଧୌମ୍ୟଙ୍କ ବାକ୍ୟରେ ସମ୍ମତ ହେଲେ ଓ ତତ୍‌କ୍ଷଣାତ ଭୀମସେନାଦି ଭ୍ରାତାମାନଙ୍କୁ, ପାଞ୍ଚାଳୀଙ୍କୁ ଓ ବ୍ରାହ୍ମଣମାନଙ୍କୁ ସଙ୍ଗରେ ଘେନି ପୁନର୍ବାର ନରନାରାୟଣାଶ୍ରମକୁ ପ୍ରତ୍ୟାଗମନ କରି ସୁଖରେ ସେଠାରେ ବାସକଲେ-।୨୧।

 

॥ ଅଧ୍ୟାୟ – ୧୫୭ ॥

 

ବୈଶମ୍ପାୟନ ବୋଇଲେ– ଭୀମଙ୍କ ପୁତ୍ର ଘଟୋତ୍କଚ ବିଦାୟ ହୋଇଗଲେ ଓ ପାଣ୍ଡବମାନେ ଅର୍ଜୁନଙ୍କ ଆଗମନ ପ୍ରତୀକ୍ଷାରେ ଦ୍ୱିଜଗଣଙ୍କ ସହିତ ସେହି ମହାପର୍ବତସ୍ଥ ବଦରିକାଶ୍ରମରେ ନିଃଶଙ୍କ ଚିତ୍ତରେ ବାସ କରୁଥିଲେ । ଏମନ୍ତ ସମୟରେ ସେମାନଙ୍କ ନିକଟରେ ଏକଦା ଭୀମ ନ ଥାନ୍ତି । ଏହି ସୁଯୋଗ ଦେଖି ଗୋଟାଏ ରାକ୍ଷସ ହଠାତ୍ ଆସି ଧର୍ମରାଜ, ନକୁଳ, ସହଦେବ ଓ ଦ୍ରୌପଦୀଙ୍କୁ ହରଣ କରି ଘେନିଗଲା । ସେହି ରାକ୍ଷସର ଇଚ୍ଛା ଥିଲା ଯେ ପାଣ୍ଡବମାନଙ୍କର ତୂଣ ଓ ଧନୁକୁ ଗ୍ରହଣ କରିବ ଓ ଦ୍ରୌପଦୀଙ୍କୁ ହରଣ କରିବ, ଏହି ଆଶାରେ ସେ ଅବକାଶ ପ୍ରତୀକ୍ଷା କରି ସର୍ବଦା ପାଣ୍ଡବମାନଙ୍କର ଉପାସନା କରୁଥିଲା ଓ ଆପଣାକୁ ମନ୍ତ୍ରଣାଦକ୍ଷ, ସର୍ବଶାସ୍ତ୍ରବେତ୍ତା ଉକୃôଷ୍ଟ ବ୍ରାହ୍ମଣ ବୋଲି ପରିଚୟ ପ୍ରଦାନ କରିଥିଲା । ସେହି ପାପମତି ଦୁରାତ୍ମା ରାକ୍ଷସର ନାମ ଜଟାସୁର ବୋଲି ବିଖ୍ୟାତ ଥିଲା ।୫।

 

ହେ ରାଜେନ୍ଦ୍ର ! ସେହି ପାପାତ୍ମା ରାକ୍ଷସ ସେ ଭସ୍ମାଚ୍ଛାଦିତ ଅନଳ, ତାହା ପାଣ୍ଡୁନନ୍ଦନ ଯୁଧିଷ୍ଠିର ଜାଣିପାରି ନଥିଲେ । ସେହି କାରଣରୁ ସେ ତାହାର ଭରଣପୋଷଣ କରୁଥିଲେ । ସେହି ଛଦ୍ମବେଶଧାରୀ ବ୍ରାହ୍ମଣ ଦେଖିଲା ଯେ ଭୀମସେନ ମୃଗୟା କରିବାକୁ ଆଶ୍ରମରୁ ନିର୍ଗତ ହୋଇଅଛନ୍ତି । ଘଟୋତ୍କଚ ଆପଣାର ଅନୁଚରଙ୍କୁ ଘେନି ବହୁଦୂରକୁ ଗମନ କରିଅଛି । ଲୋମଶ ପ୍ରଭୃତି ତପସ୍ୱୀ, ମହର୍ଷିଗଣ, କିଏ ପୁଷ୍ପ ତୋଳିବାକୁ, କିଏ ଅବା ସ୍ନାନ କରିବାକୁ ଯାଇଅଛନ୍ତି । ଏହା ଦେଖି ସେହି ରାକ୍ଷସ ଗୋଟାଏ ଭୟାନକ ବିକୃତାକାର ଅନ୍ୟ ପ୍ରକାର ରୂପକୁ ଧାରଣ କଲା । ଅନନ୍ତର ସମସ୍ତ ଅସ୍ତ୍ରମାନଙ୍କୁ ଗ୍ରହଣ କରି ଦ୍ରୌପଦୀ ଓ ତିନିଜଣ ପାଣ୍ଡବଙ୍କୁ ଘେନି ପ୍ରସ୍ଥାନ କରିବାକୁ ଆରମ୍ଭ କଲା ।୧୦। ପଣ୍ଡୁସୁତ ସହଦେବ ଯତ୍ନପୂର୍ବକ ସେହି ରାକ୍ଷସଠାରୁ ଆପଣାର କୌଶିକ ଖଡ୍‌ଗ ଛଡ଼ାଇ ଆଣି ଘୂର୍ଣ୍ଣାୟମାନ କରି ତାହା ବଶରୁ ଅପକ୍ରାନ୍ତ ହେଲେ ଓ ମହାବଳ ଭୀମସେନ ଯେଉଁ ଦିଗକୁ ଯାଇଥିଲେ, ସେହି ଦିଗକୁ ଚାହିଁ ତାହାଙ୍କୁ ଆହ୍ୱାନ କରିବାରେ ପ୍ରବୃତ୍ତ ହେଲେ ।୧୧। ସେହି ରାକ୍ଷସକୁ ଧର୍ମରାଜ ଯୁଧିଷ୍ଠିର କହିଲେ, “ରେ ମୂଢ଼ ! ତୋହର ଯେ ଧର୍ମକ୍ଷୟ ହେଉଅଛି, ତାହା କି ତୁ ଜାଣିପାରୁନାହୁଁ ।୧୩। କୌଣସି କୌଣସି ସ୍ଥଳରେ ମନୁବଂଶରୁ ଜାତ ହୋଇ ଯେଉଁମାନେ ତିର୍ଯ୍ୟକ ଯୋନିରେ ଜନ୍ମ ପରିଗ୍ରହ କରିଥାନ୍ତି, ସେମାନେ ଓ ତତ୍‌ବ୍ୟତୀତ ଅନ୍ୟାନ୍ୟ ପ୍ରାଣୀ ବିଶେଷତଃ ରାକ୍ଷସମାନେ ଧର୍ମରକ୍ଷା କରନ୍ତି । ବିଶେଷରେ ରାକ୍ଷସମାନେ ଧର୍ମର ମୂଳସ୍ୱରୂପ; ସୁତରାଂ ସେମାନେ ଧର୍ମ ଉତ୍ତମ ରୂପେ ଜାଣନ୍ତି । ଏହିସବୁ ପରୀକ୍ଷା କରି ଧର୍ମସଙ୍ଗତ ନିୟମାନୁସାରେ ତୁମ୍ଭର କାର୍ଯ୍ୟ କରିବା ବିଧେୟ ।୧୪।

 

ହେ ରାକ୍ଷସ ! ଦେବଗଣ, ପିତୃଗଣ, ଋଷି ଓ ଗନ୍ଧର୍ବଗଣ, ଉରଗ ଓ ରାକ୍ଷସଗଣ ଏବଂ ପଶୁପକ୍ଷୀ ଓ ତିର୍ଯ୍ୟକ ଯୋନିଗତ କୀଟ, ପିପୀଲିକାଦି ପର୍ଯ୍ୟନ୍ତ ସବୁ ପ୍ରାଣୀ, ମନୁଷ୍ୟକୁ ଅବଲମ୍ବନ କରି ଆପଣାର ଜୀବିକା ନିର୍ବାହ କରନ୍ତି । ତୁମ୍ଭେ ମଧ୍ୟ ସେହି ନିୟମରେ ଜୀବିତ ଅଛ ।୧୬। ଏହି ମର୍ତ୍ତ୍ୟଲୋକର ସମୃଦ୍ଧିଦ୍ୱାରା ତୁମ୍ଭେମାନେ ବୃଦ୍ଧିପ୍ରାପ୍ତ ହୁଅ । ଅଧିକ କି କହିବା ! ଏହି ମର୍ତ୍ତ୍ୟଲୋକ ଶୋକାକୁଳିତ ହେଲେ ଦେବତାମାନେ ମଧ୍ୟ ଶୋକପ୍ରାପ୍ତ ହୁଅନ୍ତି । ଯେହେତୁ ସେମାନେ ଏହି ମର୍ତ୍ତ୍ୟଲୋକରୁ ଯଥାବିଧି ହବ୍ୟ, କବ୍ୟ ଲାଭ କରି ପୂଜ୍ୟମାନ ହୋଇ ବର୍ଦ୍ଧିତ ହୁଅନ୍ତି । ରେ ରାକ୍ଷସ ! ଆମ୍ଭେମାନେ ରାଜ୍ୟର ପାଳନକର୍ତ୍ତା ଓ ରକ୍ଷାକର୍ତ୍ତା ।୧୮। ରାଷ୍ଟ୍ର ଅରକ୍ଷିତ ହେଲେ ଐଶ୍ୱର୍ଯ୍ୟ କାହୁଁ ହେବ ଅଥବା ସୁଖ କାହୁଁ ଆସିବ ? ରାଜାମାନଙ୍କୁ ଅବମାନନା କରିବାର ନୁହେ । ପୁଣି ଯେ ନିରପରାଧୀ ରାଜର୍ଷି, ସେମାନଙ୍କୁ ହତମାନ୍ୟ କରିବା ଉଚିତ ନୁହେ । ରାକ୍ଷସମାନଙ୍କର ଏହିପରି ଆଚରଣ କରିବା ବିଧେୟ ।୧୯। ରେ ନରାଶନ ! ଆମ୍ଭେମାନେ ତ କାହାରି କିଛି ଅପକାର କରିନାହୁଁ । ସାଧ୍ୟାନୁସାରେ ଆମ୍ଭେମାନେ ଦେବ, ବ୍ରାହ୍ମଣ ପ୍ରଭୃତି ପୂଜ୍ୟଜନଙ୍କୁ ପୂଜାକରୁଁ ଓ ସେମାନେ ଆପଣାର ଭାଗ ଗ୍ରହଣ କଲାପରେ ଯେଉଁ ଅନ୍ନ ଅବଶିଷ୍ଟ ରହେ, ତାହାକୁ ଆମ୍ଭେମାନେ ଭୋଜନ କରୁ ।୨୦। ଗୁରୁ ଓ ବ୍ରାହ୍ମଣମାନଙ୍କ ସମୀପରେ ଆମ୍ଭେମାନେ ସର୍ବଦା ବିନୟୀ ଓ ପ୍ରଣତ ହୋଇଥାଉଁ ।

 

ହେ ରାକ୍ଷସ ! ଯାହାର ଅନ୍ନ ଭୋଜନ କରାଯାଏ ଓ ଯାହା ଆଶ୍ରୟରେ ରହିବାକୁ ହୁଏ, ସେମାନଙ୍କ ସଙ୍ଗରେ ଅଧିକନ୍ତୁ ମିତ୍ର ଓ ବିଶ୍ୱସ୍ତ ବ୍ୟକ୍ତିଙ୍କ ସହିତ ଦ୍ରୋହ କରିବା କଦାପି କର୍ତ୍ତବ୍ୟ ନୁହେଁ । ଆମ୍ଭେ ତୋହର ସମ୍ୟକ ରୂପେ ଆଦର କରିଥିଲୁ । ଅତଏବ ଆମ୍ଭମାନଙ୍କର ଅନ୍ନ ଭୋଜନ କରି କି ପ୍ରକାରେ ତୁ ଆମ୍ଭମାନଙ୍କୁ ହରଣ କରିବାକୁ ଉଦ୍ୟତ ହୋଇଅଛୁ ? ରେ ମନ୍ଦପ୍ରଜ୍ଞ ! ଏ ରୂପ ପାପକର୍ମରେ ପ୍ରବୃତ୍ତ ହେଲେ ତୋହର ଆଚାର, ଉନ୍ନତ ବୁଦ୍ଧି ଓ ମରଣ ସବୁ ବୃଥା ହେବ । ଅତଏବ ତୁ ତାହା କରନାହିଁ । ଦୁଷ୍ଟ ବୁଦ୍ଧିବଶତଃ ଯଦି ତୁ ସବୁ ଧର୍ମକର୍ମକୁ ତ୍ୟାଗକରୁ, ତେବେ ଆମ୍ଭମାନଙ୍କର ଅସ୍ତ୍ର ଆମ୍ଭମାନଙ୍କୁ ଦିଅ । ତଦନନ୍ତର ଯୁଦ୍ଧକରି ଦ୍ରୌପଦୀଙ୍କୁ ହରଣ କରିବୁ । ପୁଣି ଯଦି ଅଜ୍ଞତା ହେତୁରୁ ଏ କର୍ମ କରିଥାଉ ।୨୫। ତାହାହେଲେ ତୁ ଅଧର୍ମ ଓ ଲୋକ ମଧ୍ୟରେ ଅକୀର୍ତ୍ତି ଲାଭ କରିବୁ । ହେ ରାକ୍ଷସ ! ଅଦ୍ୟ ତୁ ଯେ ଏହି ମନୁଷ୍ୟ ରମଣୀକୁ ଅପହରଣ କରିଅଛୁ, ଏହି କାର୍ଯ୍ୟଟି ବିଷଗୋଳି ତହିଁରୁ ଏକ କୁମ୍ଭ ପାନ କଲାପ୍ରାୟ ଜାଣ ।୨୬। ତଦନନ୍ତର ଯୁଧିଷ୍ଠିର ଆପଣାର ଶରୀରର ଭାରବୃଦ୍ଧି କଲେ ଓ ରାକ୍ଷସ ଭାରରେ ଅଭୀଭୂତ ହୋଇ ପୂର୍ବପ୍ରାୟ ଶୀଘ୍ରଗାମୀ ହୋଇପାରିଲା ନାହିଁ । ତତ୍‍ପରେ ଦ୍ରୌପଦୀଙ୍କୁ ଓ ନକୁଳଙ୍କୁ ଯୁଧିଷ୍ଠିର କହିଲେ, ଏହି ମୂଢ଼ ରାକ୍ଷସକୁ ତୁମ୍ଭେମାନେ ଭୟ କର ନାହିଁ । ଆମ୍ଭେ ଏହାର ଗତି ଶକ୍ତିକୁ ହରଣ କରିଅଛୁଁ । ପବନ ସୁତ ମହାବାହୁ ଭୀମ ଅତିଦୂରରେ ନ ଥିବେ ପରା । ଏହି ମୁହୂର୍ତ୍ତରେ ସେ ଆସିଲେ ଏହି ରାକ୍ଷସର ଜୀବନ ରହିବ ନାହିଁ । ମୂଢ଼ଚେତନ ରାକ୍ଷସକୁ ସହଦେବ ଦେଖି ବୋଇଲେ, ହେ ରାଜନ୍‌ ! କ୍ଷତ୍ରିୟମାନଙ୍କର ଏଥିରୁ ଉତ୍ତମ କର୍ମ ଆଉ କ’ଣ ଅଛି ? ଅଭିମୁଖ ଯୁଦ୍ଧରେ ପ୍ରାଣତ୍ୟାଗ କରିବା ଅଥବା ଶତ୍ରୁକୁ ଜୟ କରିବା । ହେ ପରନ୍ତପ ! ଯୁଦ୍ଧରେ ଏହାକୁ ଆମ୍ଭେମାନେ ପରାସ୍ତ କରୁଁ ଅଥବା ଏ ଆମ୍ଭଙ୍କୁ ପରାଜିତ କରୁ ।୩୨।

 

ହେ ମହାବାହୋ ! ହେ ସତ୍ୟପରାକ୍ରମ ! କ୍ଷାତ୍ରଧର୍ମ ପ୍ରକାଶ କରିବା ଏହି ଉପଯୁକ୍ତ ସମୟ ଆଗତ ହୋଇଅଛି । ବର୍ତ୍ତମାନ ଆମ୍ଭେମାନେ ବିଜୟ ଲାଭ କରୁଁ କିମ୍ବ॥ ପ୍ରାଣ ବିସର୍ଜନ କରୁଁ, ଉଭୟ ପ୍ରକାରେ ଆମ୍ଭମାନଙ୍କର ସଦ୍‌ଗତି ହେବ ।୩୩। ରବି ଅସ୍ତ ନୋହୁଣୁ ହେ ଭାରତ ! ମୁଁ ସତ୍ୟ କରି କହୁଅଛି, ଏହି ରାକ୍ଷସ ଯେବେ ନାମରେ, ତେବେ ମୁଁ କ୍ଷତ୍ରିୟ ନୁହେଁ । ଆଉ ମୁଁ ଯେ କ୍ଷତ୍ରିୟ, ଏହା ମୁଁ କହିବି ନାହିଁ ।୩୪। ରେ ରେ ରାକ୍ଷସ ! ରହ ରହ ! ଆମ୍ଭେ ପାଣ୍ଡୁସୁତ ସହଦେବ ! ଆମ୍ଭଙ୍କୁ ନିହତ କରି କୃଷ୍ଣାଙ୍କୁ ହରଣ କର ବା ସ୍ୱୟଂ ନିହତ ହୋଇ ଏହିଠାରେ ଭୂମିରେ ଶୟନ କର । ମାଦ୍ରୀସୁତ ଏହା କହିଲା କ୍ଷଣି ସ୍ୱଇଚ୍ଛାରେ ଭୀମ ଆସି ଦେଖାଦେଲେ । ଦେବରାଜ ବଜ୍ରଧାରୀ ହେଲା ପ୍ରାୟ ସେ ଗଦାହସ୍ତ ହୋଇ ଉପସ୍ଥିତ ହେଲେ । ସେ ଆସି ଦୁଇ ଭ୍ରାତାଙ୍କୁ ଓ ଯଶସ୍ୱିନୀ ଦ୍ରୌପଦୀଙ୍କୁ ଦେଖିଲେ ।୩୭। ସହଦେବଙ୍କୁ ଦେଖିଲେ ଯେ ସେ ଭୂମିରେ ଦଣ୍ଡାୟମାନ ହୋଇ ରାକ୍ଷସକୁ ତିରସ୍କାର କରୁଅଛନ୍ତି ଓ ରାକ୍ଷସର କାଳ ପୂରିବାରୁ ସେ ଦୈବକର୍ତ୍ତୃକ ହତବୁଦ୍ଧି ହୋଇ ଏକା ସ୍ଥାନରେ ଘୂରି ବୁଲୁଅଛି ଓ ତାହାର ମତି ଭ୍ରାନ୍ତ ହୋଇଅଛି । ମହାବଳ ଭୀମସେନ ଦେଖିଲେ ଯେ ସେହି ରାକ୍ଷସ ଭାଇମାନଙ୍କୁ ଓ ଦ୍ରୌପଦୀଙ୍କୁ ହରଣ କରି ନେଇଅଛି ।୩୯।

 

ଭୀମସେନ ଏହା ଦେଖି କ୍ରୋଧାନ୍ଧ ହୋଇ ରାକ୍ଷସକୁ କହିଲେ, ରେ ପାପାତ୍ମନ ! ଶସ୍ତ୍ରପରୀକ୍ଷା ସମୟରେ ପୂର୍ବରୁ ଆମ୍ଭେ ତୋତେ ଜାଣିଥିଲୁ । ସେହି ସମୟରେ ତୋତେ ହେୟଜ୍ଞାନ କରି ନିହତ କରି ନଥିଲୁ । ତୁ ବ୍ରାହ୍ମଣ ରୂପ ଧରି ଆମ୍ଭମାନଙ୍କର ଅପ୍ରିୟ କଥା କହି ନଥିଲୁ ।୪୧। ତୁ ଆମ୍ଭମାନଙ୍କର ପ୍ରିୟ କାର୍ଯ୍ୟରେ ରତ ଥିଲୁ । ବିଶେଷରେ ବ୍ରାହ୍ମଣ ରୂପଧାରୀ ଅତିଥି ହୋଇଥିଲୁ ଏବଂ ଆମ୍ଭମାନଙ୍କର କୌଣସି ଅପରାଧ କରି ନ ଥିଲୁ । ସୁତରାଂ କିପରି ସେହି କାଳରେ ତୋତେ ହନନ କରନ୍ତୁ ।୪୨। ତୁ ରାକ୍ଷସ ବୋଲି ଆମ୍ଭେମାନେ ଜାଣିଥିଲେ ହେଁ ତୋତେ ନିହତ କରନ୍ତୁ ନାହିଁ-। କାରଣ ଅତିଥିକୁ ଯେ ବିନାଶ କରେ, ସେ ନରକଗାମୀ ହୁଏ । କାଳ ପକ୍ୱ ନ ହେଲେ ତୋହର ବଧ ହୋଇନପାରେ । ଅଭୁତକର୍ମା କାଳ ତୋତେ ଏହି ରୂପ ବୁଦ୍ଧି ଦେଇଅଛନ୍ତି ଯେ କୃଷ୍ଣାଙ୍କୁ ହରଣ କର । ଅତଏବ ତୁ କାଳପକ୍ୱ ହୋଇଅଛୁ । ଜଳ ମଧ୍ୟରେ ଥାଇ ମତ୍ସ୍ୟ ଯେ ରୂପ ବଡ଼ଶର ଆମିଷକୁ ଗ୍ରାସକରେ, ତଦ୍ରୂପ ସୂତ୍ରାଗ୍ରବର୍ତ୍ତୀ ଆମିଷକୁ ତୁ ଗ୍ରାସ କରିଅଛୁ । ଅତଏବ ଅଦ୍ୟ ତୁ ଜୀବିତ ରହିବୁ ନାହିଁ ।୪୫। ତୁ ଯେଉଁ ସ୍ଥାନକୁ ଯିବାକୁ ଉଦ୍ୟତ ହୋଇଅଛୁ, ମୋହର ଆଗମନ ପୂର୍ବରୁ ଯେଉଁଠାକୁ ତୋହର ମନ ଯାଇଅଛି, ସେହି ସ୍ଥାନକୁ ଆଉ ତୁ ଯାଇ ପାରିବୁ ନାହିଁ । ଯେଉଁ ପଥରେ ବକ ଓ ହିଡମ୍ବା ଯାଇଅଛନ୍ତି, ବର୍ତ୍ତମାନ ତୋତେ ସେହି ପଥରେ ଯିବାକୁ ହେଲା ।୪୬।

 

ରାକ୍ଷସକୁ ଭୀମସେନ ଏହିପରି କହିବାରୁ ସେ ରାକ୍ଷସ ମୃତ୍ୟୁ ପ୍ରେରିତ ଓ ଭୀତ ହୋଇ ସେମାନଙ୍କୁ ପରିତ୍ୟାଗ କରି ଯୁଦ୍ଧାର୍ଥ ସମୁପସ୍ଥିତ ହେଲା ।୪୭। କ୍ରୋଧରେ ତାହାର ଅଧର ସ୍ଫୁରିତ ହେଲା ଓ ସେ କହିଲା, ରେ ପାପ ! ଆମ୍ଭର ଯେ ଦିଗ୍‌ଭ୍ରମ ହୋଇଅଛି, ତାହା ତୁ ମନେକର ନାହିଁ । ତୋହରି ନିମିତ୍ତ ବିଳମ୍ବ କରୁଥିଲି । କାରଣ ମୁଁ ଶୁଣିଅଛି ଯେ ତୁ ଆମ୍ଭମାନଙ୍କ ମଧ୍ୟରୁ ଅନେକ ରାକ୍ଷସଙ୍କୁ ବିନାଶ କରିଅଛୁ । ଅତଏବ ଯେଉଁ ଯେଉଁ ରାକ୍ଷସମାନଙ୍କୁ ନିହତ କରିଅଛୁ, ଅଦ୍ୟ ସେମାନଙ୍କର ଉଦକକାର୍ଯ୍ୟ ତୋହର ରୁଧିରଦ୍ୱାରା ନିଷ୍ପନ୍ନ କରିବି ।୪୯। ଜଟାସୁର ଏହିପରି କହନ୍ତେ, ଭୀମସେନ ଆପଣା ଓଷ୍ଠର ପ୍ରାନ୍ତଭାଗଦ୍ୱୟକୁ ଲେହନ କରି କ୍ରୋଧରେ ସାକ୍ଷାତ୍ ଯମଙ୍କ ପ୍ରାୟ ହୋଇ ହାସ୍ୟ କରି କରି ତାହା ସହିତ ବାହୁଯୁଦ୍ଧ କରିବା ଅଭିଳାଷରେ ତାହା ପ୍ରତି ଧାବିତ ହେଲେ । ରାକ୍ଷସ ମଧ୍ୟ କ୍ରୁଦ୍ଧ ହୋଇ ମୁର୍ହୁମୁହୁଃ ଆପଣାର ସୃକଣୀ ଲେହନ କରି ମୁଖ ବ୍ୟାଦାନପୂର୍ବକ ଯୁଦ୍ଧାର୍ଥ ଭୀମଙ୍କ ପ୍ର୍‌ତି ଧାବିତ ହେଲା । ବାସବଙ୍କ ପ୍ରତି ବଳି ଯେପରି ଧାବିତ ହୋଇଥିଲେ ତଦ୍ରୂପ ଏହି ରାକ୍ଷସ ଭୀମଙ୍କ ପ୍ରତି ଧାବମାନ ହେଲା ।୫୨।

 

ତଦନନ୍ତର ସେ ଦୁହେଁ ବାହୁଯୁଦ୍ଧରେ ପ୍ରବୃତ୍ତ ହୁଅନ୍ତେ ନକୁଳ ଓ ସହଦେବ ଅତି କ୍ରୁଦ୍ଧ ହୋଇ ସେହି ରକ୍ଷସ ପ୍ରତି ଧାବିତ ହେଲେ ।୫୩। ବୃକୋଦର ହସି ହସି ସେମାନଙ୍କୁ ନିବାରଣ କରି କହିଲେ, ଆମ୍ଭେ ଏହି ରାକ୍ଷସଠାରେ ଅସମର୍ଥ ନୋହୁଁ । ଅତଏବ ତୁମ୍ଭେମାନେ ଦେଖ । ପରେ ଯୁଧିଷ୍ଠିରଙ୍କୁ କହିଲେ, ହେ ରାଜନ୍‌ ! ଆମ୍ଭେ ଆପଣାର ଓ ଭ୍ରାତୃଗଣଙ୍କ ମଥାଛୁଇଁ ଶପଥ କରୁଅଛୁଁ ଏବଂ ଧର୍ମ, ସତ୍‌କର୍ମ ଓ ଯାହା ଇଷ୍ଟଦ୍ରବ୍ୟ ଆମ୍ଭର ଅଛି, ତଦ୍ଦ୍ୱାରା ଶପଥ କରୁଅଛୁଁ ଯେ ଏହି ରାକ୍ଷସକୁ ଆମ୍ଭେ ବିନଷ୍ଟ କରିବୁ । ବୃକୋଦର ଓ ଜଟାସୁର ଦୁଇ ବୀର ପରସ୍ପର ସ୍ପର୍ଦ୍ଧାକରି ଏହିରୂପ ବଚନ ବିସ୍ତାର କଲେ ଓ ବାହୁଦ୍ୱାରା ଧରାଧରି ହେଲେ ।୫୬। ସେହି ଦୁହିଁଙ୍କର ଯୁଦ୍ଧ ଦେବଦାନବ ଯୁଦ୍ଧପ୍ରାୟ ଆରବ୍‌ଧ ହେଲା । ସେ ଦୁହେଁ କ୍ରୁଦ୍ଧ ଓ ଅସହିଷ୍ଣୁ ହୋଇ ପରସ୍ପରକୁ ପ୍ରହାର କଲେ ।୫୭। ମହାବଳ ପରାକ୍ରମ ରାକ୍ଷସ ଓ ଭୀମସେନ ଦୁହେଁ ଗର୍ଜନଶୀଳ ମେଘପ୍ରାୟ ଗମ୍ଭୀର ଗର୍ଜନ କଲେ । ବୃକ୍ଷମାନଙ୍କୁ ଭାଙ୍ଗି ତଦ୍ଦ୍ୱାରା ପରସ୍ପରକୁ ଆଘାତ କଲେ ।୫୮। ସେ ଦୁହେଁ ବଳିଷ୍ଠତମ ଥିଲେ, ସେ ହେତୁରୁ ପରସ୍ପର ପ୍ରତି ପରସ୍ପର କ୍ରୁଦ୍ଧ ହୋଇ ପରସ୍ପରର ବଧ ନିମିତ୍ତ ମହାବୃକ୍ଷମାନଙ୍କୁ ଉତ୍ପାଟନ କରି ପରସ୍ପର ଊରୁଦେଶରେ ପ୍ରହାରଦ୍ୱାରା ସେହି ବୃକ୍ଷମାନଙ୍କୁ ଭଗ୍ନକଲେ ।୫୯। ଏହି ବୃକ୍ଷଯୁଦ୍ଧଦ୍ୱାରା ସେହି ସ୍ଥାନ ମହୀରୁହଶୂନ୍ୟ ହେଲା । ଶୁଣାଅଛି ଯେ ପୂର୍ବକାଳରେ ବାଳୀ ଓ ସୁଗ୍ରୀବ ଦୁଇ ଭାଇ ଜୟାଭିଳାଷୀ ହୋଇ ଯେପରି ଯୁଦ୍ଧ କରିଥିଲେ, ଏହି ଯୁଦ୍ଧ ତଦ୍ରୂପ ହେଲା ।୬୦। ସେ ଦୁହେଁ ବୃକ୍ଷମାନଙ୍କୁ ଭ୍ରାମଣ କରି ଓ ଗର୍ଜନ କରି ମୁର୍ହୁର୍ମୁହୁଃ କିୟତ୍‌କ୍ଷଣ ପର୍ଯ୍ୟନ୍ତ ପରସ୍ପରକୁ ପ୍ରହାର କଲେ ।୬୧।

 

ହେ ଭାରତ ! ସେ ସ୍ଥାନର ବୃକ୍ଷସବୁ ଯେତେବେଳେ ନିପାତିତ ହେଲେ ଓ ମଞ୍ଜାପ୍ରାୟ ଜର୍ଜରୀକୃତ ହେଲେ, ତେତେବେଳେ ମହାବଳ ପରାକ୍ରାନ୍ତ ସେହି ବୀରଦ୍ୱୟ ପରସ୍ପର ବଧାଭିଳାଷରେ ଶୀଳାଖଣ୍ଡମାନ ଗ୍ରହଣ କରି କିୟତ୍‌କ୍ଷଣ ଯୁଦ୍ଧ କଲେ । ତତ୍‍ପରେ ପର୍ବତଦ୍ୱୟ ମହାମେଘ ସମୂହରେ କ୍ଷୋଭିତ ହେଲା ପ୍ରାୟ ଶୀଳା ଯୁଦ୍ଧବେଳେ ସେହି ବୀର ଦୁହେଁ ସେହିପରି ଶୋଭା ଧାରଣ କଲେ ।୬୩। କ୍ରୋଧପରବେଶ ମହା ବେଗଶାଳୀ, ବଜ୍ରସଦୃଶ ଶୀଳାପାତଦ୍ୱାରା ଅନ୍ୟୋନ୍ୟରେ ଆଘାତ ପ୍ରତିଘାତ ହେଲା ।୬୪। ପରେ ବଳଦର୍ପିତ ଦୁଇ ବୀର ପୁନର୍ବାର ପରସ୍ପରାଭିମୁଖରେ ଧାବିତ ହୋଇ ପରସ୍ପରକୁ ଭୁଜଦ୍ୱାରା ଗ୍ରହଣ କରି ଦୁଇ ଗୋଟା ମତ୍ତଗଜ ପରସ୍ପରାକର୍ଷଣ କରି ପ୍ରହାର କଲାପ୍ରାୟ ଏ ଦୁହେଁ ପରସ୍ପର ମୁଷ୍ଟି ପ୍ରହାର କଲେ । ବୃହତ୍‌କାୟ ଦୁଇ ବୀରଙ୍କର ମୁଷ୍ଟିଘାତଜନିତ ଶବ୍ଦ ଚତୁର୍ଦ୍ଦିଗରେ ବ୍ୟାପ୍ତ ହେଲା ।୬୬। ତଦନନ୍ତର ପଞ୍ଚଶିରାସର୍ପ ସମାନ ମୁଷ୍ଟିବନ୍ଧନ କରି ଭୀମସେନ ସେହି ରାକ୍ଷସର ଗ୍ରୀବାଦେଶରେ ଅତି ବେଗରେ ଅଭିଘାତ କଲେ ।୬୭। ଏକେ ସେ ରାକ୍ଷସ ଶ୍ରାନ୍ତ ହୋଇଥିଲା, ତହିଁରେ ପୁଣି ଭୀମସେନଙ୍କ ମୃଷ୍ଟିଘାତରେ ଅଧିକ ଶ୍ରାନ୍ତ ହୋଇଗଲା । ତାହା ଦେଖି ମହାବାହୁ ଭୀମସେନ ଆହୁରି ଉତ୍ସାହରେ ତାହାର ସମୀପବର୍ତ୍ତୀ ହେଲେ ଓ ବଳପୂର୍ବକ ତାହାକୁ ବାହୁଦ୍ୱୟଦ୍ୱାରା ଭୂତଳରେ ଉତକ୍ଷେପଣ କରି ତାହାର ଅଙ୍ଗପ୍ରତ୍ୟଙ୍ଗମାନଙ୍କୁ ନିଷ୍ପେଷଣ ଓ ଚୂର୍ଣ୍ଣ କଲେ । ତତ୍‍ପରେ ତାହାର ଦଶନ *ସନ୍ଦଷ୍ଟ ଓଷ୍ଠ ଓ ବିକୃତ ନେତ୍ରଯୁକ୍ତ ମସ୍ତକକୁ ଆପଣାର ଅରତ୍ମି ଆଘାତରେ ତାହାର ଶରୀରରୁ ଅପହୃତ କଲେ ।୭୧। ଭୀମସେନଙ୍କ କରାଘାତରେ ଦଶନ ଶ୍ରେଣୀରେ ସନ୍ଦଷ୍ଟ ଓଷ୍ଠରୁ ରକ୍ତ ସ୍ରବିବାରୁ ବୋଧହେଲା ଯେପରି ପକ୍ୱ ତାଳଫଳ ବୃନ୍ତରୁ ଛିନ୍ନ ହୋଇ ଭୂତଳରେ ନିପତିତ ହେଲା; ତଦ୍ରୂପ ସେହି ମସ୍ତକ ଭୂମିରେ ପଡ଼ିଲା । ମହାତ୍ମା ଭୀମ ଏହିପରି ଜଟାସୁରକୁ ନିହତ କରି ଯୁଧିଷ୍ଠିରଙ୍କ ସମୀପରେ ଉପସ୍ଥିତ ହେଲେ । ମରୁତ୍‌ଗଣ ଯେପରି ବାସବଙ୍କର ସ୍ତବ କରନ୍ତି, ବ୍ରାହ୍ମଣମାନେ ସେହିପରି ଭୀମଙ୍କର ସ୍ତୁତି କଲେ ।୭୨।

 

[* ପ୍ରାଣାନ୍ତ ହେବାରୁ ସେ ରାକ୍ଷସର ଆପଣା ଦନ୍ତରେ ଓ ଓଷ୍ଠରେ ଯାବ ପଡ଼ିଯାଇଥିଲା ଓ ଆଖିଡୋଳା ଲେଉଟି ପଡ଼ିଥିଲା । ଏହିପରି ତାହାର ମୁଣ୍ଡକୁ କହୁଣୀଠାରୁ ମଣିବନ୍ଧ ପର୍ଯ୍ୟନ୍ତ ହସ୍ତର ବାହାର ପାଖ ଦେଇ ଛିଣ୍ଡାଇଦେଲେ ।]

Image